Categories
ଆଜିର ଖବର ଜାତୀୟ ଖବର

ଇଣ୍ଡିଆନ କାଉନସିଲ୍ ଅଫ୍ ଫିଲୋସୋଫିକାଲ ରିସର୍ଚ୍ଚର ନୂଆ ଲୋଗୋ ଉନ୍ମୋଚିତ

ନୂଆଦିଲ୍ଲୀ/ଭୁବନେଶ୍ୱର: ଭାରତୀୟ ଜ୍ଞାନ ପରମ୍ପରାର ଐତିହ୍ୟ ବହୁତ ପୁରୁଣା। ଆମେ ଏହାକୁ କେବଳ ପୂଜା ଏବଂ ଗର୍ବ ରୂପରେ ଦେଖିବା ଉଚିତ୍ ନୁହେଁ, ବରଂ ଆମକୁ ବର୍ତ୍ତମାନର ଚ୍ୟାଲେଞ୍ଜ ଏବଂ ଭବିଷ୍ୟତର ପ୍ରବାହ ଅନୁସାରେ ବିଶ୍ଳେଷଣ ସହ ଏଆଇ ମଡେଲିଂ କରିବାକୁ ପଡିବ ବୋଲି ସୋମବାର  ନୂଆଦିଲ୍ଲୀ ଠାରେ ଇଣ୍ଡିଆନ କାଉନସିଲ୍ ଅଫ୍ ଫିଲୋସୋଫିକାଲ ରିସର୍ଚ୍ଚ (ଆଇସିପିଆର) ର ନୂଆ ଲୋଗୋ ଉନ୍ମୋଚନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ଆଇସିପିଆରର ଗବେଷଣା ପୁସ୍ତକର ଉନ୍ମୋଚନ କରିବା ସହ ଆଇସିପିଆର ଦ୍ୱାରା ଆୟୋଜିତ ପ୍ରବନ୍ଧ ପ୍ରତିଯୋଗିତାର ବିଜେତାଙ୍କୁ ସମ୍ମାନିତ କରିଥିଲେ। ଶ୍ରୀ ପ୍ରଧାନ ଆଇସିପିଆର ସହକର୍ମୀମାନଙ୍କୁ ଧନ୍ୟବାଦ ଜଣାଇବା ସହ କହିଛନ୍ତି ଯେ ଆଇସିପିଆର ବିଗତ ୫ ଦଶକ ଧରି ଭାରତୀୟ ଜ୍ଞାନ ପ୍ରବାହକୁ ସମୃଦ୍ଧ କରିବା ଦିଗରେ ଲେଖନୀ ଚାଳନା ମାଧ୍ୟମରେ ବହୁତ ଯୋଗଦାନ ଦେଇଛି। ଆଜି ଯେତେବେଳେ ବିଶ୍ୱର ପୁରାତନ ସଭ୍ୟତାଗୁଡ଼ିକ ଧ୍ୱଂସାବଶେଷ କିମ୍ବା ପର୍ଯ୍ୟଟନ ସ୍ଥଳୀ ହୋଇସାରିଛି, ଭାରତରେ ଆଜି ବି ଅନେକ ଏପରି ଅନେକ ସ୍ଥାନ ଅଛି, ଯାହା ୩ରୁ ୪ ହଜାର ବର୍ଷ ଧରି ବାସସ୍ଥାନ ଭାବରେ ରହିଆସିଛି। ଆମ ଦେଶରେ ମାନବ ସଭ୍ୟତାର ଇତିହାସ ରକ୍ ଆର୍ଟ୍ ରୂପରେ ମଧ୍ୟ ଦେଖାଯାଉଛି, ଯାହା ପ୍ରତ୍ନତତ୍ତ୍ୱ ବିଭାଗ ଅନୁସାରେ ୨୦ରୁ ୨୫ ହଜାର ବର୍ଷ ପୁରୁଣା ଇତିହାସକୁ ଦର୍ଶାଉଛି । ସେହି ଆଦିମାନବ କାଳରୁ ଏଆଇ ଯୁଗ ପର୍ଯ୍ୟନ୍ତ, ଆମର ଚିନ୍ତାଧାରା, ସାମାଜିକ ବ୍ୟବସ୍ଥା ଏବଂ ପଦ୍ଧତିଗୁଡ଼ିକର କେନ୍ଦ୍ରରେ ମନୁଷ୍ୟ ରହିଛି । ଏହି ସମସ୍ତ ବ୍ୟବସ୍ଥାର ମୂଳରେ ବିଜ୍ଞାନ ଏବଂ ଦର୍ଶନ ରହିଛି।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ଆମ ସାମ୍ନାରେ ଆଗାମୀ ଦଶନ୍ଧି ପାଇଁ ଏଜେଣ୍ଡା ପ୍ରସ୍ତୁତ ଅଛି। ଆଜି ଭାରତ ବିଶ୍ୱର ଚତୁର୍ଥ ଅର୍ଥନୀତି ଏବଂ ସବୁଠାରୁ ଯୁବସଂଖ୍ୟକ ଦେଶ। ଆମ ଦର୍ଶନରେ, ଆମେ ବସୁଧୈବ କୁଟୁମ୍ବକମକୁ ମୂଳମନ୍ତ୍ର କରିଛୁ। ଆଚାର୍ଯ୍ୟ ଆର୍ଯ୍ୟଭଟ୍ଟ ଏବଂ ସ୍ୱାମୀ ବିବେକାନନ୍ଦଙ୍କ ପରି ଆମର ମହାପୁରୁଷମାନେ ବିଶ୍ୱକୁ କେବଳ ବୈଜ୍ଞାନିକ ମୂଲ୍ୟବୋଧ ନୁହେଁ ବରଂ ସେମାନଙ୍କର ଜ୍ଞାନ ସହିତ ଏକ ସମାବେଶୀ ଜୀବନଶୈଳୀ ମଧ୍ୟ ଦେଇଛନ୍ତି। ଏହା ଭାରତୀୟ ଦର୍ଶନ। ଏହି ଦର୍ଶନକୁ ଆଗକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଯୁଦ୍ଧ ଏକ ସମାଧାନ ନୁହେଁ। ଜାତୀୟ ଶିକ୍ଷା ନୀତିର କାର୍ଯ୍ୟାନ୍ୱୟନରେ ଏହି ମୌଳିକ ଦର୍ଶନକୁ ଆଧାର କରି ଆମର ମହାପୁରୁଷଙ୍କ ଜ୍ଞାନ ଭଣ୍ଡାରକୁ ଆଜିର ସମୟ ସହିତ ସମନ୍ୱୟ କରି ଭବିଷ୍ୟତର ପ୍ରବାହରେ ଯୁବପିଢ଼ି ଏବଂ ସମାଜକୁ ପ୍ରଭାବିତ କରିବା ଦାର୍ଶନିକମାନଙ୍କର କାମ ।ଯେତେବେଳେ ଆମର ଆଜିର ଦାର୍ଶନିକ ସମୂହ ଏକବିଂଶ ଶତାବ୍ଦୀରେ ଭାରତୀୟ ଜ୍ଞାନ ପରମ୍ପରା ଉପରେ ଆଧାରିତ ବସୁଧୈବ କୁଟୁମ୍ବକମର ଭାବନାକୁ ଆଜିର ପ୍ରସଙ୍ଗ କରିବ,  ସେତେବେଳେ ହିଁ ନୂଆ ଜାତୀୟ ଶିକ୍ଷା ନୀତିର ଗୁରୁତ୍ୱ ପ୍ରମାଣିତ ହେବ। ଆଇସିପିଆର ଭାରତୀୟ ଦର୍ଶନକୁ ଆଜିର ଆଧାରରେ ସମୟ ଅନୁସାରେ ଭବିଷ୍ୟତର ମାର୍ଗ ପ୍ରସ୍ତୁତ କରିବା ସହ ଏହି ଜ୍ଞାନ ମନ୍ଥନର ଅମୃତ ଦ୍ୱାରା ଦେଶକୁ ସମୃଦ୍ଧ କରିବା ପାଇଁ ପରାମର୍ଶ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସୋଆରେ ଭାରତୀୟ ଜ୍ଞାନ ପରମ୍ପରା ସମ୍ପର୍କିତ କର୍ମଶାଳା ଆୟୋଜିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଭାରତୀୟ ଜ୍ଞାନ ପରମ୍ପରା ସମ୍ପର୍କିତ ଏକ ଦିବସୀୟ କର୍ମଶାଳା ଆୟୋଜିତ ହୋଇଯାଇଛି। ଭାରତୀୟ ଜ୍ଞାନ ପରମ୍ପରାର ସଂଯୋଜକ ପ୍ରଫେସର ଜି. ଏସ୍ ମୂର୍ତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପିପିଟି ପ୍ରେଜେନ୍‌ଟେସନ୍ ମାଧ୍ୟମରେ ନିଜର ବକ୍ତବ୍ୟ ରଖିଥିଲେ।

କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ପ୍ରଫେସର ମୂର୍ତି ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ।

ଏହି କର୍ମଶାଳାରେ ସୋଆର ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏନ୍‌ଏସ୍‌ଏସ୍‌ର ରିଜିଓନାଲ ଡାଇରେକ୍ଟର ସୁଶ୍ରୀ ସରିତା ପଟେଲ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟ ରଖିଥିଲେ। ପ୍ରଫେସର ବସନ୍ତ ପଣ୍ଡା ଜ୍ଞାନର ପିରଭାଷାକୁ ବିଭିନ୍ନ ସ୍କନ୍ଦ ପୁରାଣର ଶ୍ଳୋକ ମାଧ୍ୟମରେ ବାଖ୍ୟା କରିଥିଲେ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟର ପ୍ରୋଗ୍ରାମ ଅଫିସର ଏବଂ ସୋଆର ଲେକ୍‌ଚର୍ସ ପ୍ରୋଗ୍ରାମ ଅଫିସର ଓ ଆଇକେଏସ୍‌ରେ ଇନ୍‌ଟର୍ନ୍‌ସିପ୍ କରୁଥିବା ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଆଉଟି୍‌ରିଚ୍‌୍ ପ୍ରୋଗ୍ରାମ ନିର୍ଦ୍ଦେଶକ ପ୍ରଫେସର ନଚିକେତା. କେ ଶର୍ମା ପରିଚାଳନା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସଂସ୍କୃତି

ଭାରତୀୟ ଜ୍ଞାନ ପରମ୍ପରା ଆଧାରିତ ପୁସ୍ତକ ଉନ୍ମୋଚନ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ଅଦ୍ୱିତୀୟ ଜ୍ଞାନର ପ୍ରତୀକ ଭାରତୀୟ ଜ୍ଞାନ ପରମ୍ପରାକୁ ଶିକ୍ଷା ବ୍ୟବସ୍ଥାର ମୁଖ୍ୟସ୍ରୋତରେ ଯୋଡ଼ିବା ଉଦ୍ଦେଶ୍ୟରେ ଆଜି ‘ଭାରତୀୟ ଜ୍ଞାନ ପରମ୍ପରା ଆଧାରିତ ପୁସ୍ତକ’ ଉନ୍ମୋଚନ କରାଯାଇଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସୋମବାର ନୂଆଦିଲ୍ଲୀ ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ‘ଇନଟ୍ରୋଡକ୍ସନ ଟୁ ଭାରତୀୟ ନଲେଜ ସିଷ୍ଟମ’ ତଥା ଇଣ୍ଡିଆନ ଭାରତୀୟ ଜ୍ଞାନ ପରମ୍ପରା ଆଧାରିତ ପୁସ୍ତକକୁ ଶ୍ରୀ ପ୍ରଧାନ ଉନ୍ମୋଚନ କରିବା ଅବସରରେ ଏହା କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଶ୍ୱର ସମସ୍ୟାକୁ ସମାଧାନ କରିବା ଭାରତୀୟ ଜ୍ଞାନ ପରମ୍ପରାର ମୂଳ ଆଧାର ଏବଂ ଏହାକୁ ଆଧୁନିକ ଓ ବୈଜ୍ଞାନିକ ଭାଷାରେ ବିଶ୍ୱ ସାମ୍ନାରେ ଆଣିବା ଆମ ପାଇଁ ଏକ ଆହ୍ୱାନ। ଏ ମର୍ମରେ ସନାତନ ଭାରତୀୟ ଜ୍ଞାନର ସମୃଦ୍ଧ ପରମ୍ପରାକୁ ସ୍ପଷ୍ଟ ଭାବରେ ଲୋକଲୋଚନକୁ ଆଣିବା ଏବଂ ଆଧୁନିକ ପାଠ୍ୟକ୍ରମର ଅଂଶୀଦାର କରିବା ଦିଗରେ ଇଣ୍ଡିଆନ ନଲେଜ୍ ସିଷ୍ଟମ ଉପରେ ଏହି ଗବେଷଣା ଆଧାରିତ ଗ୍ରନ୍ଥ ଉନ୍ମୋଚିତ ହେବା ଗୌରବର ବିଷୟ। ଏଥିପାଇଁ କେନ୍ଦ୍ରମନ୍ତ୍ରୀ ପୁସ୍ତକର ତିନି ଲେଖକ ପ୍ରଫେସର ବି. ମହାଦେବନ, ପ୍ର. ବିନାୟକ ରଜତ ଭଟ୍ଟ, ପ୍ର. ନାଗେନ୍ଦ୍ର ପୱନ ଏବଂ ଏଆଇସିଟିଇକୁ ଶୁଭେଚ୍ଛା ଜଣାଇଛନ୍ତି।

ସେ କହିଛନ୍ତି ଯେ ସତ୍ୟ, ଅହିଂସା, ନ୍ୟାୟ, ଧର୍ମ ଭଳି ନୀତି ସିଦ୍ଧାନ୍ତ, ବେଦ, ଉପନିଷଦ, ରାମାୟଣ, ମହାଭାରତ ଭଳି ମହାକାବ୍ୟ ଏବଂ ସଂସ୍କୃତ, ପାଲି, ପାକୃତ, ତାମିଲ ଭଳି ପ୍ରାଚୀନ ଭାରତୀୟ ଭାଷା, ଭାରତର ଜୀବନ ପଦ୍ଧତି ଏବଂ ଦର୍ଶନ ହିଁ ଭାରତୀୟ ଜ୍ଞାନ ପରମ୍ପରା ଅଟେ। ଗ୍ରହ ନକ୍ଷତ୍ରର ଚଳଣି, ସମୟର ସଠିକ୍ ଗଣନା, ରସାୟନ ଶାସ୍ତ୍ର, ନାଗରିକ ଶାସ୍ତ୍ର, ବାସ୍ତୁକଳା, ବିଜ୍ଞାନ ଭଳି ଅନେକ କ୍ଷେତ୍ରରେ ଭାରତ ଖ୍ରୀଷ୍ଟପୂର୍ବରୁ ହିଁ ଜ୍ଞାନ ସଂସ୍କୃତିର ପରିଚୟ ରହିଆସିଛି। ଶିଳ୍ପ ବିପ୍ଳବ ଠାରୁ ୧୭୦୦ ରୁ ୨୦୦୦ ବର୍ଷ ପୂର୍ବେ ଭାରତରେ ସ୍ୱତନ୍ତ୍ର ଇସ୍ପାତର ବ୍ୟବହାର ହେଉଥିବାର ବୈଜ୍ଞାନିକ ପ୍ରମାଣ ରହିଛି।

ମହାତ୍ମା ଗାନ୍ଧି ଦୁନିଆକୁ ଏକ ନୂଆ ବିଚାର ଦେଇଥିଲେ। ସମାଜରେ ସତ୍ୟ ଓ ଅହିଂସା ଦ୍ୱାରା ଲୋକତନ୍ତ୍ର ସ୍ଥାପନ ହେବାର ନୂଆ ଦିଗଦର୍ଶନ ଦେଇଥିଲେ। ଗାନ୍ଧିଜୀଙ୍କୁ ଶ୍ରୀମଦ୍ ଭାଗବତ ଗୀତାରୁ ହିଁ ସତ୍ୟ ଓ ଅହିଂସା ପଥରେ ଚାଲିବାର ପ୍ରେରଣା ମିଳିଥିଲା। ଗୀତା ମାନବ ଜୀବନ ସହ ଜଡ଼ିତ ଜ୍ଞାନର ଏକ ପ୍ରାସଙ୍ଗିକ ସଙ୍କଳନ। ଜଳର ଉପଲବ୍ଧତାରୁ ଆମର ସଭ୍ୟତା ସଂସ୍କୃତି ବିକଶିତ ହୋଇଛି। ବୁନ୍ଦେଲଖଣ୍ଡର ନଈ ଭଳି ଜଳ ପ୍ରବନ୍ଧନର ପୁରାତନ ଇତିହାସ ଏବଂ ଭାରତର କୋଣ ଅନୁକୋଣରେ ଏଭଳି ଅନେକ ଉଦାହରଣ ଭାରତୀୟ ଜ୍ଞାନ ପରମ୍ପରାର ବୈଭବର ସାକ୍ଷୀ ହୋଇଛି। ମାତ୍ର ଭାରତ ଉପରେ ବିଦେଶୀ ଆକ୍ରମଣ ସହ ଆମର ଜ୍ଞାନ ପରମ୍ପରାକୁ ସଂକୁଚିତ କରିବା ପାଇଁ ଷଡ଼ଯନ୍ତ୍ର ରଚନା କରାଯାଇଥିଲା। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିସମ୍ପନ୍ନ ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତି ଦ୍ୱାରା ଭାରତୀୟ ଶିକ୍ଷା ବ୍ୟବସ୍ଥାକୁ ବିଔପନିବେଶୀକରଣ କରିବା ଦିଗରେ ଚେଷ୍ଟା ଆରମ୍ଭ ହୋଇଛି।

କରୋନା ସମୟରେ ଯୋଗ ଏବଂ ଆୟୁର୍ବେଦ ଭଳି ଭାରତର ବ୍ୟବସ୍ଥା ବିଶ୍ୱର ଆହ୍ୱାନ ଗୁଡ଼ିକୁ ସମାଧାନ କରିବାର ବାଟ ବାହାର କରିଥିଲେ, ଏହା ହିଁ ହେଉଛି ଭାରତୀୟ ଜ୍ଞାନ ବ୍ୟବସ୍ଥା। ବିଶ୍ୱର ସବୁ ବିକଶିତ ଦେଶ ନିଜର ଜ୍ଞାନ ପରମ୍ପରା ଦ୍ୱାରା ମହାଶକ୍ତି ହୋଇପାରିଛନ୍ତି।

ଭାରତକୁ ଜ୍ଞାନ ଆଧାରିତ ମହାଶକ୍ତି କରିବା ତଥା ଏକବିଂଶ ଶତାବ୍ଦୀରେ ବୈଶ୍ୱିକ ମାନବ ପ୍ରସ୍ତୁତ କରିବା ଦିଗରେ ଆମେ ଆମର ନିଜ ଭାରତୀୟ ଜ୍ଞାନ ପରମ୍ପରା ଉପରେ ଆଧାରିତ ଶିକ୍ଷା ଭିତିଭୂମି ପ୍ରସ୍ତତ କରିବା,ଯାହା କେବଳ ନିଜ ପାଇଁ ନୁହେଁ ବରଂ ବିଶ୍ୱର ସମସ୍ୟାକୁ ସମାଧାନ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆହ୍ୱାନ କହିଛନ୍ତି।