Categories
ଆଜିର ଖବର ରାଜ୍ୟ ଖବର

ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ବୃଦ୍ଧି, ଚଳିତ ବର୍ଷ ଅପ୍ରେଲ ପହିଲାରୁ ଲାଗୁ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅଧିନରେ ଥିବା ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନଗୁଡ଼ିକରେ ଅଧ୍ୟୟନରତ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କ ପାଇଁ ଅନୁଦାନ ରାଶି ବୃଦ୍ଧି କରାଯାଇଛି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଏହି ଅନୁଦାନ ରାଶି ବୃଦ୍ଧି ବାବଦରେ ଘୋଷଣା କରାଯାଇଛି ।

ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନରେ ଆବାସିକ ସୁବିଧା ନେଇ ରହୁଥିବା ଛାତ୍ରଛାତ୍ରୀମାନଙ୍କ ଅନୁଦାନ ରାଶି ମାସିକ ୨୩୪୦ ଟଙ୍କାକୁ ବୃଦ୍ଧି କରାଯାଇଛି । ବର୍ତ୍ତମାନ ସେମାନେ ମାସିକ ୧୭୬୦ ଟଙ୍କା ପାଉଛନ୍ତି। ଅନୁରୂପ ଭାବରେ, ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ଦିବାଧ୍ୟାୟୀ ଛାତ୍ରଛାତ୍ରୀମାନଙ୍କର ମାସିକ ଅନୁଦାନ ରାଶି ବର୍ତ୍ତମାନ ଥିବା ୩୭୦ ଟଙ୍କାରୁ ୪୯୦ ଟଙ୍କାକୁ ବୃଦ୍ଧି କରାଯାଇଛି।

ସରକାରଙ୍କ ଅଧିନରେ ଥିବା ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନଗୁଡ଼ିକର ଆବାସିକ ଓ ଦିବ୍ୟାଧ୍ୟାୟୀ ଛାତ୍ରଛାତ୍ରୀ ଏହି ବର୍ଦ୍ଧିତ ଅନୁଦାନ ଚଳିତ ବର୍ଷ ଅପ୍ରେଲ ପହିଲାରୁ ପାଇବେ। ଫଳରେ ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନଗୁଡ଼ିକର ଛାତ୍ରଛାତ୍ରୀମାନଙ୍କ ରକ୍ଷଣାବେକ୍ଷଣ ଖର୍ଚ୍ଚ ଅଧିକ ହେବ।

ସେହିପରି ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନଗୁଡ଼ିକୁ ସରକାରଙ୍କ ପକ୍ଷରୁ ଫର୍ଣ୍ଣିଚର, କମ୍ପୁ୍ୟଟର ସାମଗ୍ରୀ ଏବଂ ସ୍ୱତନ୍ତ୍ର ସଫଫଓୟାର ଆଦି କିଣିବା ନିମନ୍ତେ ଏକକାଳୀନ ଯଥାକ୍ରମେ ଏକ ଲକ୍ଷ ଟଙ୍କା, ୫୦ ହଜାର ଟଙ୍କା ଏବଂ ୬୦ ହଜାର ଟଙ୍କା ଅନୁଦାନ ଯୋଗାଇଦେବାର ବ୍ୟବସ୍ଥା ରହିଛି । ବିଭିନ୍ନ ଖେଳ ସାମଗ୍ରୀ ଓ ଖେଳଣା ଇତ୍ୟାଦି କିଣିବା ପାଇଁ ପ୍ରତି ତିନିବର୍ଷରେ ଥରେ ୧୦ ହଜାର ଟଙ୍କା ପ୍ରଦାନ କରାଯିବାର ବନ୍ଦୋବସ୍ତ ରହିଛି ।