Categories
ଆଞ୍ଚଳିକ

ଚିଲିକାରେ ବିଜେପି ଯୁବମୋର୍ଚ୍ଚାର ନମୋ ନବମତଦାତା ସମ୍ମିଳନୀ: ଯୋଗଦେଲେ ଓଡ଼ିଆ ସିନେ ଅଭିନେତ୍ରୀ ଅର୍ଚ୍ଚିତା

ଚିଲିକା (ସୀତାରାମ ଅଗ୍ରୱାଲ): ଆଜି ଭାରତୀୟ ଜନତା ଯୁବମୋର୍ଚ୍ଚାର ନମୋ ନବମତଦାତା ସମ୍ମିଳନୀ ଚିଲିକା ନିର୍ବାଚନୀ ମଣ୍ଡଳୀର‌ ଗମ୍ଭାରୀମୁଣ୍ଡା ସ୍ଥିତ ପତିତପାବନ କଲ୍ୟାଣ‌ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସ ଜରିଆରେ ସମସ୍ତ ଯୁବକ ଯୁବତୀମାନଙ୍କୁ ଆଗାମୀ ସାଧାରଣ ନିର୍ବାଚନରେ ଅଂଶ ଗ୍ରହଣ କରିବା ପାଇଁ ଆହ୍ବାନ ଦେଇଥିଲେ। ଏଥି ସହିତ ଏକ ସୁନ୍ଦର ସମାଜ ଗଠନ କରିବାରେ ଯୁବକ ଯୁବତୀମାନଙ୍କ ସହଯୋଗ ଏକାନ୍ତ ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଥିଲେ।

ଏହାପରେ ଅନୁଷ୍ଠିତ ସଭାରେ ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀର ପୂର୍ବତନ ବିଧାୟକ ଡ଼ାଃ ବିଭୂତିଭୂଷଣ ହରିଚ଼ନ୍ଦନ, ବରିଷ୍ଠ ବିଜେପି ନେତା ପୃଥ୍ୱୀରାଜ ହରିଚ଼ନ୍ଦନ, ବିଶେଷ ଅତିଥି ଭାବେ ଓଡ଼ିଆ ସିନେ ଅଭିନେତ୍ରୀ ଅର୍ଚ୍ଚିତା ସାହୁ, ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚ଼ନ୍ଦନ, ବିଶିଷ୍ଟ ଚ଼ିକିତ୍ସକ ଡ଼ାଃ ସୁରେନ୍ଦ୍ର ନାଥ ଦାସ, ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋସ୍ନା ବେହେରା, ଚ଼ିଲିକା ବ୍ଲକ ଉପାଧ୍ୟକ୍ଷ ଅରୁଣ ପଟ୍ଟନାୟକ, ବିରଜାଈ ମଣ୍ଡଳ ସଭାପତି ଜିତେନ୍ଦ୍ର କୁମାର ଭୋଳ,ଜିଲ୍ଲା ଯୁବମୋର୍ଚ୍ଚା ପ୍ରଭାରୀ ଦୀନବନ୍ଧୁ ସାହୁ‌, ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀ ଯୁବମୋର୍ଚ୍ଚା ପ୍ରଭାରୀ ସୁମନ୍ତ ପଟ୍ଟନାୟକ, ବାଲୁଗାଁ ନଗର ମଣ୍ଡଳ ସଭାପତି ନିରଞ୍ଜନ ସେଠୀ, ଚ଼ଣ୍ଡେଶ୍ବର ମଣ୍ଡଳ ସଭାପତି ଲକ୍ଷ୍ମୀଧର ବରାଳ, ବଡ଼କୂଳ ମଣ୍ଡଳ ସଭାପତି ଦିଲ୍ଲିପ ମହାନ୍ତି, ପ୍ରତାପେଶ୍ବର ମଣ୍ଡଳ ସଭାପତି କୈଳାସ ବରାଳ, ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ୧ ନଂ କାଉନସିଲର ତଥା ବାଣପୁର ନଗର ମଣ୍ଡଳ କାର୍ଯ୍ୟକାରୀ ସଭାପତି ରବି ନାରାୟଣ ମିଶ୍ର, ଗମ୍ଭାରୀମୁଣ୍ଡା ପଞ୍ଚାୟତ ର‌ ସମିତିସଭ୍ୟା ଅନିତା ପ୍ରଧାନ ଯୋଗଦେଇଥିଲେ।ସମସ୍ତ ନୂତନ ଭୋଟର୍ ମାନଙ୍କୁ ସଚେତନ କରାଯିବା ସହିତ ସେମାନେ ମତଦାନକୁ ନିଜର ରାଷ୍ଟ୍ରୀୟ କର୍ତ୍ତବ୍ୟ ବୋଲି ବିବେଚିତ କରି କିପରି ଶତ ପ୍ରତିଶତ ମତଦାନ କରିବେ ସେ ସମ୍ବନ୍ଧରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ।

୨୦୪୭ ମସିହା ମଧ୍ୟରେ ଭାରତକୁ ଆତ୍ମନିର୍ଭର ଓ ବିକଶିତ ରାଷ୍ଟ୍ର‌ ରେ ପରିଣତ କରିବା ପାଇଁ ସଂକଳ୍ପ ପାଠ କରାଇଥିଲେ। ଏହି ସଭା‌କୁ‌ ପରିଚ଼ାଳନା କରିଥିଲେ ସିଦ୍ଧେଶ୍ଵରୀ ମଣ୍ଡଳ ଯୁବମୋର୍ଚ୍ଚା ପ୍ରଭାରୀ ବିଶ୍ବବିଜୟୀ ଦାଶ‌। ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ତପନ ପ୍ରଧାନ, ଜିଲ୍ଲା ଯୁବମୋର୍ଚ୍ଚା ସଂପାଦକ କାହ୍ନୁଚ଼ରଣ ପ୍ରଧାନ, ସମର ରଞ୍ଜନ ସୁବୁଦ୍ଧି, ସଂଯୋଜକ ଶ୍ୟାମସୁନ୍ଦର ପ୍ରଧାନ, ସାଜିଦ୍ ହୁସେନ, ବାଲୁଗାଁ ନଗର ମଣ୍ଡଳ ଯୁବମୋର୍ଚ୍ଚା ସଭାପତି କାହ୍ନୁଚରଣ ପଲାଇ‌, ସିଦ୍ଧେଶ୍ଵରୀ ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ଲଲାଟ କେଶରୀ ପ୍ରଧାନଙ୍କ ସମେତ ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତା ସମେତ ୧୫୦୦ ରୁ ଊର୍ଦ୍ଧ୍ଵ ନବ ଭୋଟର ଭାଇ ଓ ଭଉଣୀ ମାନେ ଯୋଗ ଦେଇଥିଲେ।

Categories
ବିଶେଷ ଖବର

ନୂଆଁଖାଇରେ ମୁଖ୍ୟମନ୍ତ୍ରୀଙ୍କ କାଳିଆ ସହାୟତା ଘୋଷଣା: ଚାଷୀଙ୍କୁ ମିଳିଲା ୯୦୦ କୋଟି

ଭୁବନେଶ୍ଵର: ଆଜି ପବିତ୍ର ନୂଆଁଖାଇ ପର୍ବ ଅବସରରେ ରାଜ୍ୟର ୪୪ ଲକ୍ଷ ୫୬ ହଜାର ଚାଷୀ ପରିବାର କାଳିଆ ସହାୟତା ପାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସ ଜରିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ସହାୟତା ପ୍ରଦାନ କରିଛନ୍ତି। ରବି ଫସଲ ପାଇଁ ଏହି ସହାୟତା ଦିଆଯାଇଛି।

ପ୍ରତ୍ୟେକ ଚାଷୀ ପରିବାରଙ୍କ ବ୍ୟାଙ୍କ୍ ଆକାଉଣ୍ଟ କୁ ୨୦୦୦ ଟଙ୍କା ଦିଆ ଯାଇଛି।

ଏଥିରେ ୪୩ ଲକ୍ଷ ୮୮ ହଜାର କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ଥିବା ବେଳେ ୬୮ ହଜାର ୭୫୦ ଜଣ ଭୂମି ହୀନ ଚାଷୀ ପରିବାର ଅଛନ୍ତି।

ଏହି ଅବସର ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ନୂଆଁଖାଇ ର ଶୁଭେଚ୍ଛା ଜଣାଇ କହିଲେ ଯେ ଚାଷୀ ଆମର ଗୌରବ। ମୋ ରାଜ୍ୟର ଚାଷୀ ପରିବାର ସମ୍ମାନର ସହ, ସ୍ୱାଭିମାନର ସହ ବଂଚୁ ବୋଲି ସେ ଚାହାନ୍ତି। ବିକାଶର ସୁଫଳରେ ଚାଷୀ ସାମିଲ ହେଉ ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ପର୍ଯ୍ୟନ୍ତ କାଳିଆ ଯୋଜନାରେ ରାଜ୍ୟର ଚାଷୀ ଭାଇ ଭଉଣୀ ମାନଙ୍କୁ ୧୨,୫୦୦ କୋଟି ଟଙ୍କାର ସହାୟତା ଦିଆ ଯାଇଛି।

ସେ ପୁଣି କହିଲେ ଯେ ଚାଷୀ ପରିବାର ର ପିଲାମାନେ ଡାକ୍ତର, ଇଞ୍ଜିନିଅର ହୋଇ, ଭଲ ଭଲ ପ୍ରଫେସନରେ ଯୋଗ ଦିଅନ୍ତୁ ବୋଲି ସେ ଚାହାନ୍ତି। ଏହାଦ୍ବାରା ସେମାନେ ନିଜ ପରିବାର ପାଇଁ, ସାରା ରାଜ୍ୟ ପାଇଁ ସୁନାମ ଆଣି ପାରିବେ ବୋଲି ମୁଖ୍ୟ ମନ୍ତ୍ରୀ କହୁଥିଲେ।

ସୂଚନା ଯୋଗ୍ୟ ଯେ କାଳିଆ ସହାୟତା ପାଉଥିବା ଚାଷୀ ମାନଙ୍କ ପିଲା ମାନଙ୍କୁ ରାଜ୍ୟ ସରକାର କାଳିଆ ବୃତ୍ତି ଦେଉଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚାଷୀ ଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଫସଲ ବୀମା ର ପ୍ରିମିୟମ ଦେଉଛନ୍ତି। ଏ ବର୍ଷ ୨୨ ଲକ୍ଷରୁ ଅଧିକ ଚାଷୀ ବୀମା ପାଇଁ ପଞ୍ଜିକରଣ କରି ସାରିଲେଣି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

କୃଷି ପାଇଁ ରାଜ୍ୟ ସରକାର ବହୁତ୍ ଯୋଜନା କରିଛନ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଚାଷୀ ମାନେ ଏହାର ସୁଯୋଗ ନେଇ ଓଡ଼ିଶାକୁ କୃଷି କ୍ଷେତ୍ରରେ ଏକ ସମୃଦ୍ଧ ରାଜ୍ୟ ଭାବେ ଗଢ଼ିବା ପାଇଁ ପରାମର୍ଶ ଦେଇଥିଲେ।

ସୂଚନା ଯୋଗ୍ୟ ଯେ କାଳିଆ ସହାୟତା ରେ କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ମାନଙ୍କୁ କୃଷି ପାଇଁ ବିହନ, ସାର, ରୋଗ ପୋକ ପାଇଁ ଔଷଧ ଓ ଯାନ୍ତ୍ରିକ ଉପକରଣ କିଣିବା ପାଇଁ ସିଧା ସଳଖ ସହାୟତା ଦିଆଯାଉଛି। ଏହା ଦ୍ବାରା ସେମାନେ ଋଣ ଗ୍ରସ୍ତ ହେବାର ସମ୍ଭାବନା ରହୁ ନାହିଁ।

ଏହା ସହିତ ଭୂମି ହୀନ ଚାଷୀ ମାନଙ୍କୁ ବିଭିନ୍ନ ଜୀବିକା ପାଇଁ ଯଥା ଛେଳି, କୁକୁଡ଼ା, ବତକ ପାଳନ, ମହୁ ଚାଷ, ଛତୁ ଚାଷ ଆଦି ପାଇଁ ମଧ୍ଯ ଏହି ସହାୟତା ଦିଆଯାଉଛି।

ଏହି ଅବସରରେ ରାଜ୍ୟ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଲେ ଯେ ମୁଖ୍ୟ ମନ୍ତ୍ରୀଙ୍କ ଦୂର ଦୃଷ୍ଟି ଯୋଗୁ ରାଜ୍ୟରେ ଅନେକ କୃଷି କଲ୍ୟାଣ ଯୋଜନା କାର୍ଯ୍ୟକାରୀ ହେଉଛି। ସେଥି ମଧ୍ୟରୁ କାଳିଆ ଯୋଜନା ସ୍ବତନ୍ତ୍ର। ଏହା ଯୋଗୁ ଚାଷୀ ମାନେ ଆଉ ବେସରକାରୀ ଅର୍ଥ ଲଗାଣ କାରି ସଂସ୍ଥା କିମ୍ବା ଗାଁ ସାହୁକାର ଉପରେ ନିର୍ଭର କରୁ ନାହାନ୍ତି। ନିଜ ଉପରେ ଚାଷୀ ମାନଙ୍କ ଆସ୍ଥା ବଢ଼ିଛି। ଗତ ଚାରି ବର୍ଷରେ ରାଜ୍ୟରେ କ୍ରମାଗତ ଭାବେ ରେକର୍ଡ ଉତ୍ପାଦନ ହେଉଛି ବୋଲି ସେ କହିଥିଲେ।

ରାଜ୍ୟ ସରକାର କିଛି ବର୍ଷ ହେବ gender budgeting କରୁଛନ୍ତି ବୋଲି ପ୍ରକାଶ କରି ସେ କହିଥିଲେ ଯେ ଯୋଜନାର ଅତି କମରେ ୩୦-୩୫ ପ୍ରତିଶତ ଅର୍ଥ ମହିଳା ମାନଙ୍କ ପାଇଁ ଖର୍ଚ୍ଚ ହେଉଛି।

ଏହି ଅବସରରେ କେତେକ କାଳିଆ ହିତାଧିକାରୀ ସେମାନଙ୍କ ଅଭିଜ୍ଞତା ବର୍ଣ୍ଣନା କରିଥିଲେ। ଢେଙ୍କାନାଳ IGIT ସରାଙ୍ଗରେ ପଢୁଥିବା ଛାତ୍ରୀ ରାଣୀ ସାହୁ କହିଲେ ଯେ କାଳିଆ ଛାତ୍ର ବୃତ୍ତି ଯୋଗୁ ସେ ଆଜି ଇଞ୍ଜିନିୟରିଂ ପଢ଼ି ପାରୁଛନ୍ତି। ନ ହେଲେ ହୁଏତ ତାଙ୍କ ସ୍ବପ୍ନ ପୁରଣ ହୋଇ ପାରି ନ ଥାନ୍ତା। ତାଙ୍କ ବାପାଙ୍କୁ କରଜ କରିବାକୁ ପଡ଼ି ଥାନ୍ତା। ତେଣୁ ଏଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଥିଲେ।

ସେହିପରି ବଲାଙ୍ଗୀରର ଚାଷୀ ବିନୋଦ ପ୍ରଧାନ, ନବରଙ୍ଗପୁରର ଲଛମା ଭତରା ଓ ବାଲେଶ୍ଵରର ଚାଷୀ ଗିରିଧାରୀ ଗିରି ପ୍ରମୁଖ କାଳିଆ ସହାୟତା ପାଇଁ ସେମାନଙ୍କ ହୃଦୟରୁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେଇଥିଲେ। କାଳିଆ ଯୋଗୁ ସେମାନଙ୍କୁ ଋଣ କରିବାକୁ ପଡୁ ନାହିଁ। ସେମାନେ ସମସ୍ତେ ଈଶ୍ବରଙ୍କ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତମ ସ୍ବାସ୍ଥ୍ୟ ଓ ଦୀର୍ଘ ଜୀବନ କାମନା କରିଥଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି କେ ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଉନ୍ନୟନ କମିଶନର ଅନୁ ଗର୍ଗ, ସମବାୟ ସଚିବ ଅରବିନ୍ଦ ଅଗ୍ରୱାଲ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବିଭିନ୍ନ ଜିଲ୍ଲାରେ ଅଧିକାରୀ ଓ ହିତାଧିକାରୀ ମାନେ ଭିଡ଼ିଓ କନଫରେନ୍ସ ଜରିଆରେ ଯୋଡ଼ି ହୋଇଥିଲେ।

କାର୍ଯ୍ୟକ୍ରମରେ କୃଷି ଓ କୃଷକ କଲ୍ୟାଣ ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ ସ୍ଵାଗତ ଭାଷଣ ଦେଇଥିଲେ ଓ କୃଷି ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରଥିଲେ।

Categories
ଆଜିର ଖବର ଜାତୀୟ ଖବର

ଚନ୍ଦ୍ରଯାନ -୩ ଅବତରଣ ସମୟରେ ISRO ସହିତ ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଭାରତ ବୁଧବାର ଦିନ ଚନ୍ଦ୍ରଯାନ-୩ ମାଧ୍ୟମରେ ଇତିହାସ ସୃଷ୍ଟି କରିବାକୁ ଯାଉଛି। ଚନ୍ଦ୍ରର ଦକ୍ଷିଣ ପୋଲରେ ଚନ୍ଦ୍ରଯାନ -୩ ଅବତରଣ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରାୟତଃ ISRO ସହିତ ଯୋଗଦେବେ। ୨୨ ରୁ ୨୪ ଅଗଷ୍ଟ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ୧୫ ତମ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ବର୍ତ୍ତମାନ ଦକ୍ଷିଣ ଆଫ୍ରିକାରେ ଅଛନ୍ତି।

ବୁଧବାର ରାତି ୬.୦୪ ରେ ଚନ୍ଦ୍ରଯାନ -୩ ର ଲ୍ୟାଣ୍ଡର୍ ଚନ୍ଦ୍ରର ଦକ୍ଷିଣ ପୋଲାର ଅଞ୍ଚଳକୁ ଛୁଇଁବ ବୋଲି ଆଶା କରାଯାଉଛି। ଯଦି ସଫଳ ହୁଏ ତେବେ ଆମେରିକା, ଋଷ ଏବଂ ଚୀନ୍ ସହିତ ଏହି ସଫଳତା ହାସଲ କରିବାରେ ଭାରତ ଚତୁର୍ଥ ଦେଶ ହେବ।

Categories
ଆଜିର ଖବର ଜାତୀୟ ଖବର

ଓଡିଶାରେ ମୁଣ୍ଡ ପିଛା ଆୟ ବୃଦ୍ଧି ପାଉଛି: ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର

ଭୁବନେଶ୍ବର: ଓଡିଶା ଗସ୍ତରେ ଆସିଥିବା ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ଆଜି ରାଜ୍ୟ ସରକାର ସହିତ ବୈଠକ ଆରମ୍ଭ କରିଛନ୍ତି। ଏହି ବୈଠକରେ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର, ସଦସ୍ୟ ଭି କେ ପଲ ଉପସ୍ଥିତ ଥିବା ବେଳେ ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ସାମିଲ ହୋଇଛନ୍ତି। ଏତଦବ୍ୟତୀତ ମୁଖ୍ୟ ସଚିବ, ଉନ୍ନୟନ କମିଶନର, ଅନ୍ୟ ପଦାଧିକାରୀ ଉପସ୍ଥିତ ଅଛନ୍ତି। ତେବେ ଏହି ବୈଠକରେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ଵତନ୍ତ୍ର ଫୋକସ ରାଜ୍ୟ ସହ ଅନ୍ୟ ଦାବି ଉପସ୍ଥାପନ କରାଯିବା ନେଇ ସୂଚନା ରହିଛି।

କିନ୍ତୁ ଓଡିଶା ପହଞ୍ଚିବା ପରେ ନୀତି ଆୟୋଗ ଉପାଧ୍ୟକ୍ଷ ଏକ ବଡ ବୟାନ ଦେଇଥିଲେ। ଓଡିଶାରେ ମୁଣ୍ଡ ପିଛା ଆୟ ବୃଦ୍ଧି ପାଉଛି ବୋଲି ରାଜୀବ କୁମାର କହିଥିଲେ। ୨୦୧୧ ମସିହା ଠାରୁ ୨୦୨୦ ପର୍ଯ୍ୟନ୍ତ ଓଡିଶାର ମୁଣ୍ଡ ପିଛା ଆୟ ବୃଦ୍ଧି ପାଇଥିବା ନେଇ ସେ କହିଥିଲେ। ଦେଶ ତୁଳନାରେ ଏହା ଅଧିକ ବୋଲି ନୀତି ଆୟୋଗ ଉପାଧ୍ୟକ୍ଷ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶାର ୨ ଶିକ୍ଷକଙ୍କୁ ମିଳିଲା ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର-୨୦୨୧

ନୂଆଦିଲ୍ଲୀ: ଆଜି ସମଗ୍ର ଦେଶ ପବିତ୍ର ଗୁରୁଦିବସ ପାଳନ କରୁଛି। ଏହି ଅବସରରେ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶର ଶିକ୍ଷକମାନଙ୍କୁ ସମ୍ମାନିତ କରିଛନ୍ତି। ଦେଶର ବିଭିନ୍ନ ରାଜ୍ୟର ଶିକ୍ଷକମାନକୁ ଭିଡିଓ କନଫରେନ୍ସ ମାଧ୍ୟମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ।

ତେବେ ଓଡିଶାର ଦୁଇଜଣ ଶିକ୍ଷକଙ୍କୁ ରାଷ୍ଟ୍ରପତି ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିଥିଲେ। ଭଦ୍ରକ ଜିଲ୍ଲା ସ୍କୁଲର ଶିକ୍ଷକ ଅଶୋକ କୁମାର ଶତପଥୀ ଏବଂ ଗଞ୍ଜାମ ଜିଲ୍ଲା କଣମଣା ଉ.ପ୍ରା ବିଦ୍ୟାଳୟର ଶିକ୍ଷକ ଅଜିତ ସେଠୀଙ୍କୁ ରାଷ୍ଟ୍ରପତି ସମ୍ମାନିତ କରିଛନ୍ତି। ଏହି ଦୁଇ ଶିକ୍ଷକଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର-୨୦୨୧ ସମ୍ମାନରେ ରାଷ୍ଟ୍ରପତି ସମ୍ମାନିତ କରିଛନ୍ତି। ଆଜିର ଏହି ଉତ୍ସବରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ।

Categories
ଆଜିର ଖବର ଖେଳ ଜାତୀୟ ଖବର ରାଜ୍ୟ ଖବର

ସ୍ଵର୍ଣ୍ଣ ପଦକ ବିଜେତା ପ୍ରମୋଦଙ୍କ ସହ ଭିଡ଼ିଓ କନଫରେନ୍ସରେ କଥା ହୋଇ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ଭାରତ ପାଇଁ ଏକ ସଫଳତାର ଦିନ। ଓଡିଆ ପୁଅ ତଥା ୱାର୍ଲ୍ଡ ନମ୍ବର-୧ ପାରା-ସଟଲର ପ୍ରମୋଦ ଭଗତ ଟୋକିଓ ପାରାଲିମ୍ପିକ୍ସ ଗେମ୍ସରେ ସ୍ଵର୍ଣ୍ଣ ପଦକ ଜିତି ଓଡିଶା ପାଇଁ ଗୌରବ ଆଣିଛନ୍ତି। ବ୍ୟାଡ୍‌ ମିଣ୍ଟନରେ ସ୍ଵର୍ଣ୍ଣ ପଦକ ଜିତିବା ପ୍ରଥମ ଭାରତୀୟ ଭାବେ ସେ ସଫଳତା ଅର୍ଜ୍ଜନ କରିଛନ୍ତି।

ସ୍ଵର୍ଣ୍ଣ ପଦକ ଜିତିବା ପରେ ପ୍ରମୋଦଙ୍କ  ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସ ମାଧ୍ୟମରେ କଥା ବାର୍ତ୍ତା ହୋଇଛି। ପ୍ରମୋଦଙ୍କ ଏହି ସଫଳତା ପାଇଁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ବ୍ୟକ୍ତ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି। ଅପରପକ୍ଷେ ଓଡିଶାରେ ଖେଳକୁ ପ୍ରୋତ୍ସାହିତ ଏବଂ ଖେଳାଳିମାନଙ୍କୁ ସମର୍ଥନ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରମୋଦ ଧନ୍ୟବାଦ ଜଣାଇଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଏକକ ବ୍ୟାଡମିଣ୍ଟନର ଫାଇନାଲରେ ଜିତି ପ୍ରମୋଦ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି। ବ୍ରିଟେନ ଖେଳାଳି ଡାନିଆନ୍ ବାଥେଲଙ୍କୁ ୨୧-୧୪ ଏବଂ ୨୧-୧୭ ରେ ପରାସ୍ତ କରି ପ୍ରମୋଦ ଫାଇନାଲରେ ସ୍ଵର୍ଣ୍ଣ ପଦକ ଜିତିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ‘ୱାନ ନେସନ୍ ୱାନ ରାସନ୍ କାର୍ଡ’ ବ୍ୟବସ୍ଥାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ୱାନ ନେସନ୍ ୱାନ ରାସନ୍ କାର୍ଡ ବ୍ୟବସ୍ଥା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଏହାର ଶୁଭାରମ୍ଭ କରିଛନ୍ତି। ଏହାଦ୍ବାରା ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ପ୍ରାୟ ୯୨ଲକ୍ଷ ହିତାଧିକାରୀ ଉପକୃତ ହେବେ। ଫଳରେ ରାଜ୍ୟ ତଥା ଦେଶର ଯେକୌଣସି ଡିଲରଙ୍କଠାରୁ ହିତାଧିକାରୀ ରାସନ ସାମଗ୍ରୀ ପାଇପାରିବେ। ତେଣୁ ହିତାଧିକାରୀଙ୍କୁ ରାସନ ସାମଗ୍ରୀ ପାଇବା ପାଇଁ ଆଉ ନିର୍ଦ୍ଦିଷ୍ଟ ଡିଲରଙ୍କ ଉପରେ ନିର୍ଭର କରିବାକୁ ପଡିବନି।

ତେବେ ଓଡିଶାରୁ ବାହାର ରାଜ୍ୟକୁ ଯାଉଥିବା କୌଣସି ହିତାଧିକାରୀ କିମ୍ବା ବାହାର ରାଜ୍ୟରୁ ଓଡିଶାକୁ ଆସୁଥିବା ହିତାଧିକାରୀଙ୍କୁ ରାସନ ସାମଗ୍ରୀ ପାଇଁ ଆଉ କୋଣସି ଅସୁବିଧା ହେବ ନାହିଁ।

Categories
ଆଜିର ଖବର ଜାତୀୟ ଖବର

ରାଷ୍ଟ୍ରର ସମ୍ପତ୍ତି ପ୍ରତ୍ୟେକ ଭାରତୀୟ ନାଗରିକଙ୍କର ଏବଂ ସମସ୍ତେ ଏହାର ଲାଭ ପାଇବା ଉଚିତ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସ ଜରିଆରେ ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟ (ଏଏମୟୁ)ର ଶତବାର୍ଷିକୀ ସମାରୋହକୁ ସମ୍ବୋଧିତ କରିଛନ୍ତି। କାର୍ଯ୍ୟକ୍ରମର ସ୍ମାରକ ସ୍ୱରୂପ ସେ ଏକ ଡାକ ଟିକଟ ମଧ୍ୟ ଉନ୍ମୋଚନ କରିଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ସାର ସୟଦଙ୍କ ମନ୍ତବ୍ୟକୁ ସ୍ମରଣ କରି କହିଥିଲେ ‘ନିଜ ଦେଶ କଥା ଚିନ୍ତା କରୁଥିବା ଲୋକଙ୍କ ପ୍ରଥମ ତଥା ସବୁଠୁ ଗୁରୁତ୍ୱପୂର୍ଣ୍ଣ କର୍ତ୍ତବ୍ୟ ହେଉଛି ସବୁ ଲୋକଙ୍କ ମଙ୍ଗଳ ପାଇଁ କାମ କରିବା। ଧର୍ମ, ଜାତି ଓ ବର୍ଣ୍ଣ ନିର୍ବିଶେଷରେ’। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶ ଆଜି ଏଭଳି ଏକ ମାର୍ଗରେ ଅଗ୍ରସର ହେଉଛି, ଯେଉଁଠି ପ୍ରତ୍ୟେକ ନାଗରିକଙ୍କୁ ସେମାନଙ୍କ ସମ୍ବିଧାନ ପ୍ରଦତ୍ତ ଅଧିକାର ଦିଆଯାଉଛି ଏବଂ ଧର୍ମ ଆଧାରରେ କାହାକୁ ବି ପଛକୁ ଛାଡ଼ି ଦିଆଯାଉ ନାହିଁ। ‘ସବକା ସାଥ, ସବକା ବିକାଶ ଏବଂ ସବକା ବିଶ୍ୱାସ’ର ଏହା ହିଁ ମୂଳ ସଂକଳ୍ପ। ଏହି ପରିପ୍ରେକ୍ଷୀରେ ମୋଦୀ କେନ୍ଦ୍ର ସରକାରଙ୍କ ସ୍କିମଗୁଡ଼ିକର ଉଦାହରଣ ଦେଇଥିଲେ, ଯେଉଁଥିରେ କୌଣସି ବାଛବିଚାର କରା ନ ଯାଇ ସୁବିଧା ଯୋଗାଇ ଦିଆଯାଉଛି। 2 କୋଟିରୁ ଅଧିକ ଲୋକଙ୍କୁ ପକ୍କା ଘର ପ୍ରଦାନ କରାଯାଇଛି, ତାହା ବି କୌଣସି ଭେଦଭାବ ବିନା। ଭେଦଭାବ ବିନା 8 କୋଟିରୁ ଅଧିକ ମହିଳା ଗ୍ୟାସ ସଂଯୋଗ ହାସଲ କରିଛନ୍ତି। ଭେଦଭାବ ବିନା ଆୟୁଷ୍ମାନ ସ୍କିମରେ ପାଖାପାଖି 50 କୋଟି ଲୋକଙ୍କୁ ମାଗଣାରେ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସେବା ଦିଆଯାଉଛି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘ରାଷ୍ଟ୍ରର ସମ୍ପତ୍ତି ପ୍ରତ୍ୟେକ ନାଗରିକଙ୍କର ଏବଂ ଏହାର ଲାଭ ସମସ୍ତେ ପାଇବା ଆବଶ୍ୟକ। ଏହାକୁ ବୁଝି ହିଁ ଆମ ସରକାର କାର୍ଯ୍ୟ କରୁଛି।’

ନବ ଭାରତର ଲକ୍ଷ୍ୟ ହେଉଛି କୌଣସି ରାଜନୈତିକ ଲକ୍ଷ୍ୟ ନ ରଖି ରାଷ୍ଟ୍ର ଓ ସମାଜର ବିକାଶ ପାଇଁ କାମ କରିବା। ତେଣୁ ମିଥ୍ୟା ପ୍ରଚାର ବିରୋଧରେ ସଜାଗ ରହି ସମସ୍ତେ ରାଷ୍ଟ୍ର ସ୍ୱାର୍ଥକୁ ପ୍ରାଥମିକତା ଦେବା ଉଚିତ। ରାଜନୀତି ଅପେକ୍ଷା କରିପାରିବ, କିନ୍ତୁ ସମାଜ ନୁହେଁ, ସେହିଭଳି ଯେ କୌଣସି ବର୍ଗର ଗରିବ ଲୋକ ହୁଅନ୍ତୁ ନା କାହିଁକି, ସେମାନେ ଅପେକ୍ଷା କରିପାରିବେ ନାହିଁ। ଆମେ ସମୟ ନଷ୍ଟ କରିପାରିବା ନାହିଁ ଏବଂ ଆତ୍ମନିର୍ଭର ଭାରତ ସୃଷ୍ଟି କରିବା ପାଇଁ ମିଳିମିଶି କାମ କରିବା ଆବଶ୍ୟକ। ରାଷ୍ଟ୍ରୀୟ ଲକ୍ଷ୍ୟ ହାସଲ ସକାଶେ, ସବୁ ପ୍ରକାର ମତଭେଦକୁ ପଛରେ ଛାଡ଼ିଦେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି।

କରୋନା ମହାମାରୀ ସମୟରେ ସମାଜକୁ ଅଭୂତପୂର୍ବ ଅବଦାନ ପାଇଁ ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। କରୋନା ମହାମାରୀ ବେଳେ ହଜାର ହଜାର ଲୋକଙ୍କର ମାଗଣାରେ ନମୁନା ପରୀକ୍ଷା ହୋଇଛି, ସଙ୍ଗରୋଧ ୱାର୍ଡ ନିର୍ମାଣ କରାଯାଇଛି, ପ୍ଲାଜମା ବ୍ୟାଙ୍କ ସ୍ଥାପନ କରାଯାଇଛି ଏବଂ ପିଏମ କେୟାର ଫଣ୍ଡକୁ ମୋଟା ଅଙ୍କର ଟଙ୍କା ଆସିଛି। ଏଥିରୁ ଜଣାପଡୁଛି ଯେ ସମାଜ ପ୍ରତି ଆପଣମାନଙ୍କର ଯଥେଷ୍ଟ ଦାୟିତ୍ୱବୋଧ ରହିଛି। ଏଭଳି ସଂଗଠିତ ପ୍ରଚେଷ୍ଟା ଯୋଗୁ କରୋନା ଭଳି ବିଶ୍ୱ ମହାମାରୀର ସଫଳତା ପୂର୍ବକ ମୁକାବିଲା କରାଯାଇ ପାରିଛି ଏବଂ ଦେଶ ସୁରକ୍ଷିତ ରହିଛି।

ପ୍ରଧାନମନ୍ତ୍ରୀ କହିଛନ୍ତି, ବିଗତ 100 ବର୍ଷ ହେଲା ବିଶ୍ୱର ଅନେକ ରାଷ୍ଟ୍ର ସହିତ ଭାରତର ସମ୍ପର୍କକୁ ସୁଦୃଢ଼ କରିବାରେ ଏଏମୟୁ କାର୍ଯ୍ୟ କରିଛି। ଏଠାରେ ଉର୍ଦ୍ଦୁ, ଆରବିକ ଓ ପାର୍ସି ଭାଷା ଉପରେ ବ୍ୟାପକ ଗବେଷଣା, ଇସଲାମ ସାହିତ୍ୟ ଉପରେ ଗବେଷଣା, ସମଗ୍ର ଇସଲାମିକ ବିଶ୍ୱ ସହ ଭାରତର ସାଂସ୍କୃତିକ ସମ୍ପର୍କକୁ ନୂଆ ଶକ୍ତି ପ୍ରଦାନ କରିଛି। ବିଶ୍ୱବିଦ୍ୟାଳୟର ନରମ ଶକ୍ତିକୁ ଆହୁରି ସମୃଦ୍ଧ କରିବା ଏବଂ ରାଷ୍ଟ୍ର ଗଠନ ଦାୟିତ୍ୱ ପୂରଣ ଦିଗରେ ବିଶ୍ୱବିଦ୍ୟାଳୟର ଦୁଇଗୁଣା ଦାୟିତ୍ୱ ରହିଛି।

ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ପାଇଖାନା ବିନା 70%ରୁ ଅଧିକ ମୁସଲିମ ବାଳିକା କିଭଳି ପାଠପଢ଼ା ଛାଡ଼ିଥିଲେ, ତାହା ସ୍ମରଣ କରିଛନ୍ତି। ସେ କହିଛନ୍ତି, ସ୍ୱଚ୍ଛ ଭାରତ ମିଶନରେ କେନ୍ଦ୍ର ସରକାର ସ୍କୁଲ ଯାଉଥିବା ଛାତ୍ରୀଙ୍କ ପାଇଁ ମିଶନ ମୋଡରେ ପୃଥକ ପାଇଖାନା ନିର୍ମାଣ କରିଥିଲା। ଏହାଦ୍ୱାରା ବର୍ତ୍ତମାନ ମୁସଲିମ ଝିଅଙ୍କ ପାଠପଢ଼ା ଛାଡ଼ିବା ହାର ପାଖାପାଖି 30%କୁ ହ୍ରାସ ପାଇଛି। ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟ ଦ୍ୱାରା ସ୍କୁଲ ଛାଡ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଦିଆଯାଉଥିବା ‘ବ୍ରିଜ କୋର୍ସ’ଗୁଡ଼ିକର ସେ ପ୍ରଶଂସା କରିଛନ୍ତି। ମୁସଲିମ ଝିଅମାନଙ୍କ ଶିକ୍ଷା ଏବଂ ସେମାନଙ୍କୁ ସଶକ୍ତ କରିବା ପାଇଁ ସରକାର ଗୁରୁତ୍ୱ ଦେଉଥିବା ସେ କହିଛନ୍ତି। ଗତ 6 ବର୍ଷରେ ପାଖାପାଖି 1 କୋଟି ମୁସଲିମ ଝିଅଙ୍କୁ ସରକାରଙ୍କ ଦ୍ୱାରା ମେଧାବୃତ୍ତି ପ୍ରଦାନ କରାଯାଇଛି। ଲିଙ୍ଗ ଦୃଷ୍ଟିକୋଣରୁ କୌଣସି ପ୍ରକାର ଭେଦଭାବ କରାଯିବା ଉଚିତ ନୁହେଁ ବୋଲି କହିବା ସହ ସମସ୍ତଙ୍କୁ ସମାନ ଅଧିକାର ମିଳିବା ଆବଶ୍ୟକ ବୋଲି କହିଛନ୍ତି। ଦେଶ ବିକାଶର ଫାଇଦା ସମସ୍ତଙ୍କୁ ମିଳିବା ଦରକାର ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ତିନ ତଲାକ ପ୍ରଥାକୁ ଶେଷ କରି ଏକ ଆଧୁନିକ ମୁସଲିମ ସମାଜ ନିର୍ମାଣ କରିବା ଦିଗରେ ରାଷ୍ଟ୍ର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ସେ କହିଛନ୍ତି, ପୂର୍ବରୁ କୁହାଯାଉଥିଲା ଯେ ଯଦି ଜଣେ ମହିଳା ଶିକ୍ଷିତ ହୁଅନ୍ତି, ତେବେ ପୂରା ପରିବାର ଶିକ୍ଷିତ ହୋଇଥାଏ। ଶିକ୍ଷା ନିଜ ସହିତ ନିଯୁକ୍ତି ଓ ଔଦ୍ୟୋଗିକତା ଧରି ମଧ୍ୟ ଆସିଥାଏ। ନିଯୁକ୍ତି ଏବଂ ଔଦ୍ୟୋଗିକତା ସେମାନଙ୍କ ସହ ଅର୍ଥନୈତିକ ସ୍ୱାଧୀନତା ଆଣି ଆସିଥାଏ। ଅର୍ଥନୈତିକ ସ୍ୱାଧୀନତା ଦ୍ୱାରା ସଶକ୍ତୀକରଣ ପାଇଁ ବାଟ ଫିଟିଥାଏ। ଜଣେ ସଶକ୍ତ ମହିଳା ସବୁ ସ୍ତରରେ ପ୍ରତ୍ୟେକ ନିଷ୍ପତ୍ତି ଗ୍ରହଣରେ ଅନ୍ୟମାନଙ୍କ ଭଳି ସମାନ ଭାବେ ଯୋଗଦାନ ରଖିଥାନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଏଏମୟୁ ଉଚ୍ଚଶିକ୍ଷାରେ ନିଜ ସମକାଳୀନ ପାଠ୍ୟକ୍ରମ ଦ୍ୱାରା ଅନେକଙ୍କୁ ଆକର୍ଷିତ କରିଛି। ସେ କହିଛନ୍ତି, ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତିରେ ବହୁବିଷୟକ ବିଷୟ ସ୍ଥାନ ପାଇଛି, ଯାହା ବିଶ୍ୱବିଦ୍ୟାଳୟରେ ପୂର୍ବରୁ ପଢ଼ାଯାଇଛି। ସେ କହିଛନ୍ତି, ରାଷ୍ଟ୍ର ସର୍ବାଗ୍ରେ ନୀତିରେ ଆମ ଦେଶର ଯୁବପିଢ଼ି ଦେଶ ବିକାଶ ପାଇଁ ପ୍ରତିବଦ୍ଧ। ଭାରତର ଯୁବପିଢ଼ିଙ୍କ ଏଭଳି ଆକାଂକ୍ଷାକୁ ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତିରେ ପ୍ରାଥମିକତା ଦିଆଯାଇଛି। ସେ କହିଛନ୍ତି, ରାଷ୍ଟ୍ରୀୟ ଶିକ୍ଷା ନୀତିରେ ଅନେକ ପ୍ରବେଶ ଓ ପ୍ରସ୍ଥାନ ବିନ୍ଦୁ ଦ୍ୱାରା ଛାତ୍ରଛାତ୍ରୀମାନେ ନିଜ ଶିକ୍ଷା ସମ୍ପର୍କରେ ନିର୍ଣ୍ଣୟ ନେବାରେ ସହ ହୋଇପାରିବ। ପୂରା ପାଠ୍ୟକ୍ରମର ଫି’ ବାବଦରେ ଚିନ୍ତା ନ କରି ଛାତ୍ରଛାତ୍ରୀମାନେ ସେମାନଙ୍କ ନିଷ୍ପତ୍ତି ସ୍ୱାଧୀନ ଭାବେ ନେଇପାରିବେ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଉଚ୍ଚଶିକ୍ଷାରେ ନାମଲେଖା ସଂଖ୍ୟା ବୃଦ୍ଧି ଏବଂ ସିଟ ବଢ଼ାଇବା ପାଇଁ ଲଗାତାର ଭାବେ କାମ କରୁଛି। ଶିକ୍ଷା ଅନଲାଇନ ହେଉ ବା ଅଫଲାଇନ, ଏହା ଯେମିତି ପ୍ରତ୍ୟେକଙ୍କ ନିକଟରେ ଉପଯୁକ୍ତ ଭାବେ ପହଞ୍ଚି ସେମାନଙ୍କ ଜୀବନରେ ପରିବର୍ତ୍ତନ ଆଣେ, ତାହା ଉପରେ ସରକାର କାର୍ଯ୍ୟ କରୁଥିବା ସେ କହିଛନ୍ତି। ଏହି ଶତବାର୍ଷିକୀ ସମାରୋହ ଅବସରରେ ଏଏମୟୁର 100 ହଷ୍ଟେଲ ଏକ ପାଠ୍ୟେତ୍ତର କାର୍ଯ୍ୟ କରିବା ପାଇଁ ସେ ଆହ୍ୱାନ ଦେଇଛନ୍ତି, ଯାହାଦ୍ୱାରା ଭାରତ ସ୍ୱାଧୀନତାର 75ତମ ବର୍ଷ ଅବସରରେ ଭଲ ଭାବେ ଲୋକଲୋଚନକୁ ଆସି ନ ଥିବା ସ୍ୱାଧୀନତା ସଂଗ୍ରାମୀଙ୍କ ବାବଦରେ ଗବେଷଣା ହୋଇପାରିବ।

Categories
ଆଜିର ଖବର ଆଞ୍ଚଳିକ

ଅକ୍ଟୋବର ଶେଷ ସୁଦ୍ଧା ବାଣପୁର ଏବଂ ଚିଲିକାକୁ କୋଭିଡ ମୁକ୍ତ ବ୍ଲକରେ ପରିଣତ କରିବାକୁ ଲକ୍ଷ୍ୟ: ଖୋର୍ଦ୍ଧା ଜିଲ୍ଲାପାଳ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ଭିଡ଼ିଓ କନଫରେନ୍ସ ଦ୍ୱାରା ଦୁଇଗୋଟି ପର୍ଯ୍ୟାୟରେ କୋଭିଡ ସ୍ଥିତିକୁ ନେଇ ସମୀକ୍ଷା ବୈଠକ କରିଥିଲେ। ଉକ୍ତ ବୈଠକରେ ଜିଲ୍ଲାର ସମସ୍ତ ବ୍ଲକର ବି.ଡ଼ି.ଓ ଏବଂ ସରପଞ୍ଚମାନେ ଅଂଶଗ୍ରହଣ କରିଥିଲେ। କୋଭିଡକୁ ପ୍ରତିହିତ କରିବା ପାଇଁ ଆଜି ଯାଏଁ ନିଜ ନିଜ ପଞ୍ଚାୟତରେ କରିଥିବା କଠିନ ପରିଶ୍ରମ ପାଇଁ ସମସ୍ତ ଜନପ୍ରତିନିଧିମାନଙ୍କୁ ଜିଲ୍ଲାପାଳ ସାଧୁବାଦ ଜଣାଇଥିଲେ।

ଚିଲିକା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଣପୁର ଏବଂ ଚିଲିକା ବ୍ଲକରେ କୋଭିଡ ସ୍ଥିତି ସମୀକ୍ଷା ସମୟରେ ଜିଲ୍ଲପାଳ ଉଭୟ ବ୍ଲକର ଚାରି ଜଣ ସରପଞ୍ଚଙ୍କ ସହ ପ୍ରତ୍ୟେକ୍ଷ ଭାବେ କୋଭିଡ ପରିଚାଳନା ଅନୁଭୂତି ଉପରେ ଆଲୋଚନା କରିଥିଲେ। ଏହା ସହ ସେମାନଙ୍କ ଠାରୁ ବିଭିନ୍ନ ମତାମତ ଏବଂ ଅଭିଯୋଗ ମଧ୍ୟ ଗ୍ରହଣ କରିଥିଲେ। କଣ୍ଟେନମେଣ୍ଟ କଡ଼ାକଡ଼ି, ଷ୍ଟିକରିଂ, ସବୁ ଗ୍ରାମରେ ସି.ଏମ.ସି ବୈଠକ, କରୋନା ସଚେତନତା କାର୍ଯ୍ୟକ୍ରମ ଆଦି କରିବା ପାଇଁ ଜିଲ୍ଲାପାଳ ସମସ୍ତ ସରପଞ୍ଚମାନଙ୍କୁ ଅନୁରୋଧ କରିଥିଲେ।

ଚିଲିକା ନିର୍ବାଚନମଣ୍ଡଳୀରେ ବର୍ତ୍ତମାନ ଧୀରେ ଧୀରେ କରୋନା ଆୟତ୍ତକୁ ଆସିଲାଣି ଏବଂ ଯଦି ଏ ସବୁ ନିୟମ କଡାକଡି ଭାବେ ପାଳନ କରାଯାଏ ତାହାଲେ ଆଗାମୀ ଦିନରେ ଚିଲିକାରେ ଜ଼ିରୋ କୋଭିଡ କେସ ଲକ୍ଷ ପୂରଣ ହୋଇପାରିବ ବୋଲି ଜିଲ୍ଲାପାଳ କହିଥିଲେ। ଏଥିସହ ବାଣପୁର ବ୍ଲକ କୁ ଅକ୍ଟୋବର ୨୦ ଏବଂ ଚିଲିକା ବ୍ଲକକୁ ଅକ୍ଟୋବର ୩୧ ସୁଦ୍ଧା କୋଭିଡ ମୁକ୍ତ ବ୍ଲକରେ ପରିଣତ କରିବା ପାଇଁ ଜିଲ୍ଲାପାଳ ସମସ୍ତଙ୍କୁ ଆହ୍ଵାନ ଦେଇଥିଲେ। ଏଥିଲାଗି ଆଉ କିଛି ଦିନ ଉଭୟ ବ୍ଲକ ପ୍ରଶାସନ ଏବଂ ଜନପ୍ରତିନିଧି ମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ ବୋଲି ଜିଲ୍ଲାପାଳ ମତପ୍ରକାଶ କରିଥିଲେ।

ପରିଶେଷରେ ଜିଲ୍ଲାପାଳ ପ୍ରତି ଗ୍ରାମରେ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ରକ୍ଷା କରିବା, କଡା ଆଇସୋଲେସନ ବ୍ୟବସ୍ଥା କରିବା ଏବଂ କୋଭିଡରୁ ସୁସ୍ଥ ହୋଇଥିବା ୧୮-୫୫ ବର୍ଷୀୟ ବ୍ୟକ୍ତିଙ୍କୁ ପ୍ଲାଜମା ଦାନ କରିବାକୁ ନେଇ ଉତ୍ସହିତ କରିବା ପାଇଁ ସମସ୍ତ ସରପଞ୍ଚ ମାନଙ୍କୁ ଅନୁରୋଧ କରିଥିଲେ। ଚିଲିକା ବ୍ଲକ ସଭାଗୃହ ମଧ୍ୟରେ ବି.ଡ଼ି.ଓ ଶ୍ରୀମତୀ ସୁଷମା ବାରିକ ଏବଂ ବାଣପୁର ବ୍ଲକ ସଭାଗୃହ ମଧ୍ୟରେ ବି.ଡ଼ି.ଓ ଶ୍ରୀମତୀ ଶୁଭଶ୍ରୀ ତ୍ରିପାଠୀ ଉକ୍ତ ବୈଠକକୁ ପରିଚାଳନା କରିଥିଲେ।