Categories
ଆଜିର ଖବର ଜାତୀୟ ଖବର

ଭୁଟାନର ରାଜା ଓ ରାଣୀଙ୍କୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ ଭୁଟାନର ରାଜା ଜିଗମେ ଖେସର ନାମଗୟାଲ୍ ୱାଙ୍ଗଚୁକ୍ ଏବଂ ଭୁଟାନର ରାଣୀ ଜେତ୍‌ସୁନ୍ ପେମା ୱାଙ୍ଗ୍‌ଚୁକ୍‌ଙ୍କୁ ସ୍ୱାଗତ କରିଛନ୍ତି। ପ୍ରଧାନମନ୍ତ୍ରୀ ମହାରାଜାଙ୍କୁ ଶୁଭେଚ୍ଛା ଜଣାଇବା ସହ ମାର୍ଚ୍ଚ ୨୦୨୪ରେ ତାଙ୍କର ଗସ୍ତ ସମୟରେ ସରକାର ଏବଂ ଭୁଟାନର ଲୋକମାନେ ଦେଇଥିବା ଭବ୍ୟ ଆତିଥ୍ୟକୁ ମନେ ପକାଇଥିଲେ।

ପ୍ରଧାନମନ୍ତ୍ରୀ ଓ ମହାରାଜା ବିକାଶ ସହଯୋଗ, ସ୍ୱଚ୍ଛ ଶକ୍ତି ସହଭାଗିତା, ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ, ମହାକାଶ ଏବଂ ପ୍ରଯୁକ୍ତିବିଦ୍ୟା ସହଯୋଗ ତଥା ଲୋକମାନଙ୍କ ମଧ୍ୟରେ ସମ୍ପର୍କକୁ ନେଇ ଦ୍ୱିପାକ୍ଷିକ ସମ୍ପର୍କର ଉତ୍କୃଷ୍ଟ ସ୍ଥିତି ଉପରେ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେମାନେ ସମସ୍ତ କ୍ଷେତ୍ରରେ ଏହି ଆଦର୍ଶ ଭାଗିଦାରୀକୁ ଆହୁରି ମଜବୁତ କରିବାକୁ ସେମାନଙ୍କର ପ୍ରତିବଦ୍ଧତାକୁ ନିଶ୍ଚିତ କରିଛନ୍ତି।

ନେତାମାନେ ଦୁଇ ଦେଶ ମଧ୍ୟରେ ଅର୍ଥନୈତିକ ସଂଯୋଗକୁ ବଢ଼ାଇବା ପାଇଁ ଅଗ୍ରଗତିର ସମୀକ୍ଷା କରିଥିଲେ ଏବଂ ଭୁଟାନର ବିକାଶକୁ ଅନୁଧ୍ୟାନ କରିବା ଏବଂ ଭାରତର ସୀମାନ୍ତବର୍ତ୍ତୀ ଅଞ୍ଚଳ ସହିତ ସମ୍ପର୍କକୁ ମଜବୁତ କରିବାକୁ ତାଙ୍କ ମହାରାଜଙ୍କ ଦ୍ୱାରା ପରିଚାଳିତ ଏକ ଦୂରଦୃଷ୍ଟିସମ୍ପନ୍ନ ପ୍ରକଳ୍ପ ଗେଲଫୁ ମାଇଣ୍ଡଫୁଲ୍‌ନେସ୍ ସିଟି ପଦକ୍ଷେପ ଉପରେ ମତ ବିନିମୟ କରିଥିଲେ।

ଭୁଟାନରେ ଅର୍ଥନୈତିକ ବିକଶ ପାଇଁ ଭାରତର ଦୃଢ଼ ପ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ଦୋହରାଇବା ସହ ଭୁଟାନକୁ ୧୩ତମ ପଞ୍ଚବାର୍ଷିକ ଯୋଜନା ପାଇଁ ଭାରତର ବିକାଶ ସମର୍ଥନକୁ ଦ୍ୱିଗୁଣିତ କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ। ଖୁସି, ପ୍ରଗତି ଏବଂ ସମୃଦ୍ଧି ପାଇଁ ଭୁଟାନର ଆକାଂକ୍ଷାକୁ ନିରନ୍ତର ସମର୍ଥନ କରିଥିବାରୁ ତାଙ୍କ ମହାରାଜା ପ୍ରଧାନମନ୍ତ୍ରୀ ତଥା ଭାରତବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଏହି ବୈଠକ ପରେ ରାଜା ଏବଂ ତାଙ୍କ ରାଣୀଙ୍କ ସମ୍ମାନାର୍ଥେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମଧ୍ୟାହ୍ନ ଭୋଜନର ଆୟୋଜନ କରାଯାଇଥିଲା।

ଏହି ବୈଠକରେ ଭାରତ ଏବଂ ଭୁଟାନ ମଧ୍ୟରେ ନିୟମିତ ଉଚ୍ଚ ସ୍ତରୀୟ ଆଦାନପ୍ରଦାନର ପରମ୍ପରା ଦର୍ଶାଯାଇଛି, ଯାହା ପାରସ୍ପରିକ ବିଶ୍ୱାସ, ସହଯୋଗ ଏବଂ ଗଭୀର ବୁଝାମଣାର ଭାବନା ପ୍ରତିଫଳିତ ହୋଇଛି। ଏହା ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ମୂଳଦୁଆ ଅଟେ।

Categories
ଆଜିର ଖବର ଜାତୀୟ ଖବର

ଛଅଟି ରାଷ୍ଟ୍ରକୁ ୯୯,୧୫୦ ମେଟ୍ରିକ୍ ଟନ୍ ପିଆଜ ରପ୍ତାନି ନିମନ୍ତେ କେନ୍ଦ୍ରର ଅନୁମତି

ନୂଆଦିଲ୍ଲୀ: ବାଂଲାଦେଶ, ସଂଯୁକ୍ତ ଆରବ ଏମିରେଟ୍ସ, ଭୁଟାନ, ବାହାରିନ, ମରିସସ୍ ଏବଂ ଶ୍ରୀଲଙ୍କା ଭଳି ଛଅଟି ରାଷ୍ଟ୍ରକୁ ୯୯,୧୫୦ ମେଟ୍ରିକ୍ ଟନ୍ ପିଆଜ ରପ୍ତାନି ନିମନ୍ତେ ସରକାର ନିଷ୍ପତ୍ତି ନେଇଛନ୍ତି। ଗତ ବର୍ଷ ତୁଳନାରେ ୨୦୨୩-୨୪ ମସିହାରେ ଖରିଫ ଏବଂ ରବି ଋତୁରେ ଦେଶରେ ଆନୁମାନିକ କମ୍ ପିଆଜ ଉତ୍ପାଦନ ହେବ ବୋଲି ଆକଳନ କରାଯାଇଥିବାରୁ ଘରୋଇ ବଜାରରେ ଏହାର ପର୍ଯ୍ୟାପ୍ତ ଉପଲବ୍ଧତା ନିମନ୍ତେ ବିଦେଶକୁ ପିଆଜ ରପ୍ତାନି ଉପରେ ସରକାର ନିଷେଧାଦେଶ ଜାରି କରିଥିଲେ। ଅନ୍ତରାଷ୍ଟ୍ରୀୟ ବଜାରରେ ପିଆଜର ଚାହିଦା ବୃଦ୍ଧି ସତ୍ତ୍ୱେ ସରକାର ଏଭଳି ନିଷ୍ପତ୍ତି ଗ୍ରହଣ କରିଥିଲେ।

ରାଷ୍ଟ୍ରୀୟ ସମବାୟ ରପ୍ତାନି ଲିମିଟେଡ୍ (ଏନସିଇଏଲ) ଏଜେନ୍ସି ମାଧ୍ୟମରେ ଏହିସବୁ ରାଷ୍ଟ୍ରଙ୍କୁ ପିଆଜ ଯୋଗାଣ କରାଯିବ । ଘରୋଇ ଉତ୍ସରୁ ପିଆଜକୁ ଇ-ପ୍ଲାଟଫର୍ମ ଜରିଆରେ ଏଲ-୧ ମୂଲ୍ୟରେ  ସଂଗ୍ରହ କରାଯିବ ଏବଂ ବିଭିନ୍ନ ରପ୍ତାନୀକାରୀ ଏଜେନ୍ସି ଅଥବା  ସରକାରଙ୍କ ଦ୍ୱାରା ମନୋନୀତ ଏଜେନ୍ସିମାନଙ୍କ ଜରିଆରେ ୧୦୦% ଅଗ୍ରୀମ ମୂଲ ଦେୟ ଆଧାରରେ ଉଦ୍ଦିଷ୍ଟ ରାଷ୍ଟ୍ରମାନଙ୍କୁ ପିଆଜ ଯୋଗାଣ କରାଯିବ । ଏନସିଇଏଲର ପିଆଜ କ୍ରୟ ନିମନ୍ତେ କ୍ରେତାମାନଙ୍କୁ ଯେଉଁ ମୂଲ୍ୟ ପ୍ରଦାନ କରିଥାଏ ତାହାକୁ ଲକ୍ଷ୍ୟ ବଜାରରେ ପିଆଜର ବର୍ତ୍ତମାନର ମୂଲ୍ୟ ଆଧାରରେ ଏବଂ ଅନ୍ତରାଷ୍ଟ୍ରୀୟ ଓ ଘରୋଇ ବଜାର ଆଧାରରେ ନିର୍ଦ୍ଧାରଣ କରାଯାଇଥାଏ । ଏହି ଛଅଗୋଟି ରାଷ୍ଟ୍ରଙ୍କୁ ଯେତିକି ମାତ୍ରାର ପିଆଜ ରପ୍ତାନି ପାଇଁ କୋଟା ମଂଜୁର କରାଯାଇଛି ତାହା ସେହିସବୁ ରାଷ୍ଟ୍ରଙ୍କ ଆବଶ୍ୟକତା ଆଧାରରେ ଯୋଗାଯିବ ।  ଦେଶରେ ମହାରାଷ୍ଟ୍ର ହେଉଛି ସବୁଠାରୁ ବଡ଼ ପିଆଜ ଉତ୍ପାଦନକାରୀ ରାଜ୍ୟ ଏବଂ ଏନସିଇଏଲ ମାଧ୍ୟମରେ ଏହା ବିଦେଶକୁ ପିଆଜ ଯୋଗାଇଥାଏ ।

ମଧ୍ୟ ପ୍ରାଚ୍ୟ ଏବଂ କେତେକ ୟୁରୋପୀୟ ରାଷ୍ଟ୍ରଙ୍କୁ ରପ୍ତାନି ନିମନ୍ତେ ସ୍ୱତନ୍ତ୍ର ଭାବେ ଚାଷ କରାଯାଇଥିବା ଧଳା ପିଆଜରୁ ୨୦୦୦ ମେଟିକ୍ ଟନ୍ ପିଆଜ ସରକାର ରପ୍ତାନି ପାଇଁ ମଂଜୁର କରିଛନ୍ତି । ଏହି କିଷମର ପିଆଜ ସଂପୂର୍ଣର୍ ରୂପେ ରପ୍ତାନୀଧର୍ମୀ । ଧଳା ପିଆଜର ଉତ୍ପାଦନ ମୂଲ୍ୟ ଅନ୍ୟ ସାଧାରଣ ପିଆଜ ମୂଲ୍ୟ ଠାରୁ ଅଧିକ ଏବଂ ଏହାର ଚାରା ମୂଲ୍ୟ ମଧ୍ୟ ଅଧିକ ଏବଂ ଏଭଳି ଧରଣର ପିଆଜକୁ ଅତି ଉନ୍ନତ କୃଷି ପଦ୍ଧତି ମାଧ୍ୟମରେ ଚାଷ କରାଯାଇଥାଏ । ଏଥିପାଇଁ ବିଧିବଦ୍ଧ ଭାବରେ ସର୍ବାଧିକ ଅବଶିଷ୍ଟାଂଶ ସୀମା (ଏମଆରଏଲ) ଅବଲମ୍ବନ ମଧ୍ୟ ଆବଶ୍ୟକ ପଡ଼ିଥାଏ ।

୨୦୨୪ ରବି ଋତୁରେ ପିଆଜ ଅମଳର ବଫର ଉତ୍ପାଦନ ଲକ୍ଷ୍ୟ ଖାଉଟି ବ୍ୟାପାର ମନ୍ତ୍ରଣାଳୟ ଅଧୀନସ୍ଥ ମୂଲ୍ୟ ସ୍ଥିରତା ପାଣ୍ଠି (ପିଏସଏଫ) ଦ୍ୱାରା ଚଳିତ ବର୍ଷ ୫ ଲକ୍ଷ ଟନ୍ରେ ଧାର୍ଯ୍ୟ କରାଯାଇଛି । କେନ୍ଦ୍ରୀୟ ଏଜେନ୍ସି, ଯଥା, ଏନସିସିଏଫ, ଏବଂ ନାଫେଡ୍ ସେମାନଙ୍କ ସହିତ ସ୍ଥାନୀୟ ଏଜେନ୍ସି ଯଥା ଏଫପିଓ / ଏଫପିସି /ପିଏସିମାନଙ୍କୁ ଏଭଳି ପିଆଜ ସଂଗ୍ରହ, ଭଣ୍ଡାରଣ ଏବଂ କୃଷକମାନଙ୍କୁ ସଂରକ୍ଷଣଯୋଗ୍ୟ ପିଆଜର ଭଣ୍ଡାରଣ ନିମନ୍ତେ ନାମ ପଂଜୀକରଣ କରିବା ସକାଶେ ସହଯୋଗ କରିବା ନିମନ୍ତେ ସହଯୋଗ ସୂତ୍ରରେ ଆବଦ୍ଧ କରୁଛନ୍ତି । ଖାଉଟି ବ୍ୟାପାର ବିଭାଗ, ଏନସିସିଏଫ ଏବଂ ନାଫେଡ୍ର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଏପ୍ରିଲ ୧୧-୧୩, ୨୦୨୪ ତାରିଖରେ ମହାରାଷ୍ଟ୍ରର ନାସିକ ଏବଂ ଅହମ୍ମଦନଗର ଜିଲ୍ଲା ପରିଦର୍ଶନ କରି କୃଷକ, ଏଫପିଓ /ଏଫପିସିମାନଙ୍କ ମଧ୍ୟରେ ପିଏସଏଫ ବଫର ପାଇଁ ୫ ଲକ୍ଷ ମେଟ୍ରିକ୍ ଟନର ପିଆଜ ସଂଗ୍ରହ ସକାଶେ ସଚେତନତା ସୃଷ୍ଟି କରିଛନ୍ତି ।

ପିଆଜ ଭଣ୍ଡାରଣ ବେଳେ ଯେଭଳି ସ୍ୱଳ୍ପ ପରିମାଣର ପିଆଜ ନଷ୍ଟ ହୁଏ ସେଥିପାଇଁ ଖାଉଟି ବ୍ୟାପାର ବିଭାଗ ଶୀତଳ ଭଣ୍ଡାରରେ ପିଆଜ ଷ୍ଟକ୍ର ପରିମାଣକୁ ବିକିରୀତ ପଦ୍ଧତିରେ ସଂରକ୍ଷିତ ରଖିବା ସକାଶେ ନିଷ୍ପତ୍ତି ଗ୍ରହଣ କରିଛନ୍ତି ଏବଂ ପୂର୍ବବର୍ଷ ୧୨୦୦ ନିୟୁତ ଟନ୍ ପିଆଜ ଭଣ୍ଡାରଣ କରାଯାଇଥିବାବେଳେ ଚଳିତ ବର୍ଷ ଏହାକୁ ୫୦୦୦ ନିୟୁତ ଟନ୍ କରିବାକୁ ସ୍ଥିରକ ରିଛନ୍ତି। ଏଥିପାଇଁ ସେମାନେ ମୁମ୍ବାଇସ୍ଥିତ ଭାବା ଆଣବିକ ଗବେଷଣା କେନ୍ଦ୍ରଠାରୁ ବୈଷୟିକ ସହାୟତା ଲୋଡ଼ିଛନ୍ତି। ପିଆଜର ବିକୀରଣଶୋଧନ ପ୍ରକ୍ରିୟା ଏବଂ ଶୀତଳ ଭଣ୍ଡାରଣକୁ ପାଇଲଟ୍ ପ୍ରକଳ୍ପ ଭାବରେ ଗତବର୍ଷ ଗ୍ରହଣ କରାଯାଇଥିଲା ଏବଂ ଏହା ଫଳରେ ୧୦ ପ୍ରତିଶତ ପିଆଜ ଭଣ୍ଡାରଣ ନଷ୍ଟକୁ ରକ୍ଷା କରାଯାଇ ପାରିଥିଲା।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆଉ ଏକ ଆନ୍ତର୍ଜାତୀୟ ସମ୍ମାନ, ସର୍ବୋଚ୍ଚ ନାଗରିକ ପୁରସ୍କାରରେ ସମ୍ମାନିତ କରିବ ଭୁଟାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମରେ ଆଉ ଏକ ଆନ୍ତର୍ଜାତୀୟ ନାଗରିକ ସମ୍ମାନ ଯୋଗ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପଡୋଶୀ ଦେଶ ଭୁଟାନ ସର୍ବୋଚ୍ଚ ନାଗରିକ ପୁରସ୍କାରରେ ସମ୍ମାନିତ କରିବ। ଏହା ଭୁଟାନ ଦ୍ୱାରା ଘୋଷଣା କରାଯାଇଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭୁଟାନ ସର୍ବୋଚ୍ଚ ନାଗରିକ ପୁରସ୍କାର ‘ନଗଦଗ ପେଲ ଜି ଖୋରଲୋ’ ଘୋଷଣା କରିଛି। ଏହାପୂର୍ବରୁ ଅନେକ ଦେଶ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଭୁଟାନ ଗସ୍ତର ଏକ ଫଟୋ ପିଏମଓ ଭୁଟାନ ସେୟାର କରିଛି। ଏଥିସହ ଭୁଟାନର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମ୍ମାନିତ କରିବାକୁ ନିଷ୍ପତ୍ତି ନେଇ ଆମେ ଅତ୍ୟନ୍ତ ଆନନ୍ଦିତ। କରୋନା ମହାମାରୀ ସମୟରେ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ଭୁଟାନକୁ ଦେଇଥିବା ସହଯୋଗ ଏବଂ ସମର୍ଥନ ତୁଳନାତ୍ମକ ନୁହେଁ। ତେଣୁ ସେ ଏହି ସମ୍ମାନର ଯୋଗ୍ୟ। ଭୁଟାନର ଲୋକମାନଙ୍କଠାରୁ ଆପଣଙ୍କୁ ଶୁଭେଚ୍ଛା।