Categories
ଆଞ୍ଚଳିକ

ଋଣ ଭାରରେ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ

ରଣପୁର: ଜଳ ଅଭାବରୁ ଧାନ ଫସଲ ଉଜୁଡ଼ି ଯିବାରୁ ଆତ୍ମହତ୍ୟା କଲେ ଚାଷୀ। ନୟାଗଡ ଜ଼ିଲ୍ଲା ରଣପୁର ବ୍ଲକ ଓସ୍ତପଡାର ଚାଷୀ ଗୋବିନ୍ଦ ସାହୁ ଧାର କରଜା କରି ଚାଷ କରିଥିବା ବେଳେ ଜଳ ସେଚନ ଅସୁବିଧାରୁ ଧାନ ଫସଲ ମରି ଯାଇଥିବାରୁ କେମିତି ଋଣ ପରିଶୋଧ କରିବେ ତାକୁ ନେଇ କିଛି ଦିନ ହେବ ଗୋବିନ୍ଦ ଚିନ୍ତାରେ ଥିବାବେଳେ ଆଜି ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଖବର ସଂଗ୍ରହରୁ ଜଣା ପଡେ ଯେ, ଓସ୍ତପଡ଼ା ଧାନବିଲ ନିକଟ ଗଛରୁ ଚାଷୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ଗ୍ରାମବାସୀ କହିଛନ୍ତି। ମୃତକ ଚାଷୀ ହେଲେ ଚାନ୍ଦପୁର ଥାନା ଓସ୍ତପଡ଼ା ଗାଁର ଗୋବିନ୍ଦ ସାହୁ। ବିଲ ପାଖରେ ଥିବା ଏକ ଗଛରେ ସେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ।

ଚାଷୀଙ୍କ ମୁଣ୍ଡରେ ଦେଢ଼ ଲକ୍ଷ ଋଣ ଭାର ଥିବାରୁ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ଓ ଗ୍ରାମବାସୀ। ଚାଷ ଜମିକୁ ପାଣି ଅଭାବରୁ ଚାଷ ଅବସ୍ଥା ଭଲ ନଥିଲା । ତେଣୁ ଋଣ ଭାର ସୁଝି ପାରିବେନି ବୋଲି ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ ଓ ଗ୍ରାମବାସୀ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ମରୁଡି ସମ୍ପର୍କିତ ଆନ୍ତର୍ଜାତିକ କର୍ମଶାଳାରେ ବହୁବିଧ ବିଶେଷଜ୍ଞତାର ଏକତ୍ରିକରଣ ନେଇ ଗୁରୁତ୍ୱ

ଭୁବନେଶ୍ୱର: ଓଡ଼ିଶାରେ ମରୁଡି ପରିସ୍ଥିତିର ମୁକାବିଲା ନିମନ୍ତେ ବହୁବିଧ ବିଶେଷଜ୍ଞତାର ଏକତ୍ରିକରଣ, ତଥ୍ୟର ଅନୁଶୀଳନ ଏବଂ ମରୁଡି ସଂପର୍କରେ ଆଗୁଆ ସଂକେତ ବ୍ୟବସ୍ଥା ସମ୍ପର୍କରେ ଶିକ୍ଷା ଓ ଅନୁସନ୍ଧାନରେ ଅନୁଷ୍ଠିତ ଏକ ଆନ୍ତର୍ଜାତିକ କର୍ମଶାଳାରେ ବିଶେଷଜ୍ଞମାନେ ଆଲୋଚନା କରିଛନ୍ତି।

ଏହି କର୍ମଶାଳାରେ ଆମେରିକାର ଟେକ୍ସାସ୍ ଏ ଆଣ୍ଡ ଏମ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ବିନାୟକ ମହାନ୍ତି ଯୋଗ ଦେଇ ମରୁଡି ପରିସ୍ଥିତିରେ ଭଲ ଫସଲ ଓ ଜଳ ପରିଚାଳନା କ୍ଷେତ୍ରରେ ସଏଲ ମଏଶ୍ଚର ଡାଏନାମିକ୍ସ ଓ ଟେମ୍ପୋରାଲ୍ ଭାରିଏବିଲିଟି ଉପରେ ଗୁରୁତ୍ୱାରୋପ କରିଥିଲେ।

ସୋଆ ପରିଚାଳିତ ସେଂଟର ଫର୍ କ୍ଲାଇମେଟ୍ ସ୍ମାର୍ଟ ଏଗ୍ରିକଲ୍‌ଚର (ସିସିଏସ୍‌ଏ) ଓ ଇଣ୍ଡିଆନ୍ ମେଟିଓରୋଲଜିକାଲ୍ ସୋସାଇଟି ଭୁବନେଶ୍ୱର ଶାଖାର ମିଳିତ ସହଯୋଗରେ ‘ଡ୍ରଟ ସିନାରିଓ ଇନ୍ ଓଡ଼ିଶା: ଆଡାପ୍‌ଟେସନ୍ ଆଣ୍ଡ ମିଟିଗେସନ୍ ଷ୍ଟ୍ରାଟେଜିସ୍‌’ ଶୀର୍ଷକ ଏହି କର୍ମଶାଳା ଆୟୋଜିତ ହୋଇଥିଲା।

ସଏଲ୍ ମଏଶ୍ଚର, ସଏଲ୍ ହାଇଡ୍ରୋଲିକ୍ସ ଓ ଇଭାପୋଟ୍ରାନ୍ସପିରେସନ୍ ଉପରେ ସାଟେଲାଇଟ୍ ରିମୋଟ୍ ସେନ୍ସିଂ ଟୁଲ୍ ବ୍ୟବହାର କରି ଗବେଷଣା କରିବାରେ ପ୍ରଫେସର ମହାନ୍ତିଙ୍କ ବିଶ୍ୱସ୍ତରରେ ସୁଖ୍ୟାତି ରହିଛି। ସେ ନାସା ସଏଲ୍ ମଏଶ୍ଚର ଆକ୍ଟିଭ୍ ପାସିଭ୍ ମିସନ୍‌ର ସାଇନସ୍ ଟିମ୍‌ରେ ମଧ୍ୟ କାର୍ଯ୍ୟ କରୁଛନ୍ତି। ଏହାଛଡା ସିସିଏସ୍‌ଏର ଆନ୍ତର୍ଜାତିକ ଉପଦେଷ୍ଟା ଭାବେ ସେ କାର୍ଯ୍ୟ କରୁଛନ୍ତି।

ସ୍ୱଳ୍ପ ଏବଂ ଦୀର୍ଘ ମିଆଦୀ ମରୁଡି ପରିସ୍ଥିତିରେ କୃଷି, ଉଦ୍ୟାନ ବିଦ୍ୟା, ଆଗ୍ରୋ ଫରେଷ୍ଟ୍ରି ତଥା ପଶୁପାଳନ ଉପରେ ପଡୁଥିବା ପ୍ରଭାବ ଏବଂ ରାଜ୍ୟର ସବୁଠାରୁ ଅଧିକ ପ୍ରଭାବିତ ବ୍ଲକଗୁଡ଼ିକୁ ସମ୍ମିଳିତ ଚାଷ ମାଧ୍ୟମରେ ଏହି ସମସ୍ୟାର ନିରାକରଣ ଦିଗରେ କର୍ମଶାଳାରେ ପରାମର୍ଶ ଦିଆଯାଇଥିଲା।

ଏହି କର୍ମଶାଳାରେ ଅନ୍ୟ ବିଶେଷଜ୍ଞମାନଙ୍କ ମଧ୍ୟରେ ଆଇସିଏଆର୍‌-ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ୱାଟର ମ୍ୟାନେଜମେଂଟ, ଭୁବନେଶ୍ୱର ର ନିର୍ଦ୍ଦେଶକ ଡକ୍ଟର ଅର୍ଜାମଦତ ଷଡ଼ଙ୍ଗୀ, ଡେରାଡୁନ୍ ସ୍ଥିତ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସଏଲ୍ ଆଣ୍ଡ ୱାଟର କନ୍‌ଜରଭେସନ୍‌ର ପୂର୍ବତନ ନିର୍ଦ୍ଦେଶକ ଡକ୍ଟର ପ୍ରଶାନ୍ତ କୁମାର ମିଶ୍ର, ସୋଆ ସିସିଏସ୍‌ଏର ନିର୍ଦ୍ଦେଶକ ପ୍ରଫେସର ଆର୍‌.କେ ପଣ୍ଡା, ଆଇଆଇଟି ଭୁବନେଶ୍ୱରର ଡକ୍ଟର ମିନୁ ରାମଦାସ, ଓଡ଼ିଶା ମିଲେଟ୍ ମିସନ୍‌ର ଆଂଚଳିକ ସଂଯୋଜକ ଶ୍ରୀ ସଞ୍ଜିବ କୁମାର ନାୟକ, ସୋଆ ଆଇଏଏସ୍‌ର ଆଗ୍ରୋନୋମୀ ବିଭାଗର ପ୍ରଫେସର ବାସୁଦେବ ବେହେରା, ସିସିଏସଏ ର ଡକ୍ଟର ନିହାର ରଂଜନ ଦାସ, ଆଇଏଏସ୍‌ର ଡକ୍ଟର ପ୍ରଭାତ ଷଡଙ୍ଗୀ ଏବଂ ଆଇଆଇଟି ଭୁବନେଶ୍ୱରର ପୂର୍ବତନ ରିସର୍ଚ୍ଚ ସ୍କଲାର ଡକ୍ଟର ବସୁନ୍ଧରା ବୋର୍ଡେ ପ୍ରମୁଖ ଯୋଗ ଦେଇଥିଲେ।

ଏହି କର୍ମଶାଳାରେ ଦୁଇଟି ଟେକ୍ନିକାଲ୍ ସେସନ୍ ହୋଇଥିବା ବେଳେ ଏହାକୁ ପରିଚାଳନା କରିଥିଲେ ବିଶିଷ୍ଟ ବାତାବରଣ ବିଜ୍ଞାନ ବିଶେଷଜ୍ଞ ପ୍ରଫେସର ୟୁ.ସି ମହାନ୍ତି।

ସୋଆ ପକ୍ଷରୁ ନୂତନ ଭାବେ ଆରମ୍ଭ ହୋଇଥିବା ସିସିଏସ୍‌ଏର ଲକ୍ଷ୍ୟ ରହିଛି ପରିବର୍ତିତ ଜଳବାୟୁ ପରିସ୍ଥିତି ସହ ଖାପ ଖୁଆଇ ଅଭିନବ ଓ ଉନ୍ନତ ମାନର କୃଷି କାର୍ଯ୍ୟକୁ ଆଗେଇ ନେବା ଏବଂ ଏହା ଦ୍ୱାରା କୃଷକମାନଙ୍କର କିଭଳି ଆର୍ଥିକ ସ୍ତରରେ ଉନ୍ନତି ହୋଇପାରିବ ସେ ଦିଗରେ ଧ୍ୟାନ ଦେବା ବୋଲି ଏହାର ନିର୍ଦ୍ଦେଶକ ପ୍ରଫେସର ପଣ୍ଡା କହିଛନ୍ତି।

Categories
ବିଶେଷ ଖବର

କୁମ୍ଭୀର କାନ୍ଦଣା ଆଉ କେତେ ଦିନ?

ସୁବାଷ କୁମାର ତାରଣିଆଁ

ଭୁବନେଶ୍ଵର: ଚଳିତବର୍ଷ ମୌସୁମୀ ଜନିତ ବର୍ଷା ଅଭାବରୁ ରାଜ୍ୟରେ ଏକ ପ୍ରକାର ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଥିଲା। ପରିସ୍ଥିତି ଏପରି ଉପୁଜିଥିଲା ଯେ, ରାଜ୍ୟକୁ ମରୁଡ଼ି ଘୋଷଣା କରିବାକୁ ଚଳିତ ବିଧାନ ସଭା ଅଧିବେଶନରେ ବିରୋଧୀ ଦଳ ପକ୍ଷରୁ ଦାବି କରାଯାଇଥିଲା। ହେଲେ ଏହାର ଦିନ କେଇଟା ପରେ ସବୁକିଛି ଓଲଟ ପାଲଟ ହୋଇଯାଇଥିଲା। ସେପ୍ଟେମ୍ବର ମାସ ୧୯ ତାରିଖ ରବିବାର ଲଘୁଚାପ ଯୋଗୁଁ ଲଗାଣ ବର୍ଷା ତା ସାଙ୍ଗକୁ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜଧାନୀରେ ପ୍ରବଳ ବର୍ଷା ହୋଇ ବିଭିନ୍ନ ଅଞ୍ଚଳରେ ବର୍ଷାପାଣି ଜମି ରହି ନର୍ଦ୍ଦମାରେ ସୁଅ କାଟି ପାଣି ପ୍ରବାହିତ ହେଉଥିଲା। ଏହି ଲଘୁଚାପ ଜନିତ ବର୍ଷାରେ ରାଜଧାନୀରେ ଘଟିଥିଲା ଏକ ବଡ଼ ଅଘଟଣ। ବରମୁଣ୍ଡା ଶତାବ୍ଦୀ ନଗରରେ ରହୁଥିବା ହରେକୃଷ୍ଣ ବେହେରାଙ୍କ ବଡ଼ପୁଅ, ୧୫ ବର୍ଷର ଦଶମ ଶ୍ରେଣୀର ଛାତ୍ର ଜ୍ୟୋତିପ୍ରକାଶ ବେହେରା ଓରଫ ରାଜା ଟ୍ୟୁସନ ଯାଉଥିବା ସମୟରେ ଶତାବ୍ଦୀ ନଗର ମୁଖ୍ୟ ନର୍ଦ୍ଦମାରେ ଖସିପଡ଼ି ସାଇକେଲ ସହ ଭାସିଯାଇ ମୃତ୍ୟୁବରଣ କରିଥିଲେ।

ରବିବାର ଅପରାହ୍ନରେ ବର୍ଷାର ପ୍ରକୋପ କମିଥିଲେ ମଧ୍ୟ ଝିପ୍ ଝିପ୍ ବର୍ଷା ହେଉଥାଏ। ଘରେ ମା’ ଜ୍ୟୋତିପ୍ରକାଶଙ୍କୁ ମନା କରିଥିଲେ ଟ୍ୟୁସନ ଯିବା ପାଇଁ। କିନ୍ତୁ ମା’ଙ୍କ କଥା ନ ମାନି, ଜ୍ୟୋତିପ୍ରକାଶ ପାଠ ପଢିବା ପାଇଁ ଟ୍ୟୁସନ ବାହାରିଥିଲେ। ଦୁର୍ଭାଗ୍ୟର କଥା ସେ ଯେଉଁ ରାସ୍ତା ଦେଇ ଟ୍ୟୁସନ ଯାଉଥିଲେ, ସେ ରାସ୍ତା ବୁଡ଼ି ଯାଇଥିଲା ଏବଂ ନର୍ଦ୍ଦମା ପାଣିର ସୁଅକୁ ସେ ଜାଣିପାରି ନଥିଲେ।

ସାଇକେଲରେ ରାସ୍ତା ଅତିକ୍ରମ କରୁଥିବା ବେଳେ ନିୟନ୍ତ୍ରଣ ହରାଇ ନର୍ଦ୍ଦମା ଭିତରକୁ ଖସି ପଡ଼ି ଭାସି ଯାଇଥିଲେ। ଏହି ଘଟଣାଟି ଜଣାପଡ଼ିବା ପରେ ଅଗ୍ନିଶମ ବିଭାଗର ଏକ ୬ ଜଣିଆ ଦଳ, ପୋଲିସ୍ ପ୍ରଶାସନ ଓ ସ୍ଥାନୀୟ ଜନସାଧାରଣଙ୍କ ମିଳିତ ସହଯୋଗରେ ନର୍ଦ୍ଦମାରେ ଖୋଜାଖୋଜି ଆରମ୍ଭ କରିଥିଲେ, କିନ୍ତୁ ସନ୍ଧ୍ୟା ସୁଦ୍ଧା ଜ୍ୟୋତିପ୍ରକାଶଙ୍କର କୌଣସି ପତ୍ତା ମିଳିନଥିଲା। ଅଗ୍ନିଶମର ଏକ ଟିମ୍ ଘଟଣାସ୍ଥଳରୁ ପାଖାପାଖି ୩ କିମି ଦୂର ଗଣ୍ଡମୁଣ୍ଡା ମୁଖ୍ୟ ଡ୍ରେନ୍ ପର୍ଯ୍ୟନ୍ତ ଖୋଜିଥିଲେ ମଧ୍ୟ ନିରାଶ ହୋଇଥିଲେ। ଏହାର ୨୦ ଘଣ୍ଟା ପରେ, ଘଟଣାର ପରଦିନ ସୋମବାର ସକଳେ ୪ କି.ମି. ଦୂର ଭାସି ଯାଇଥିବା ପଞ୍ଚଶଖା ନଗର ଡ୍ରେନ ପାଖ ଏକ ବୁଦାରୁ ଜ୍ୟୋତିପ୍ରକାଶଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଜ୍ୟୋତିଙ୍କ ମୃତଦେହ ଉଦ୍ଧାର ହେବା ପରେ ଶତାବ୍ଦୀ ନଗର ସମେତ ସାରା ରାଜଧାନୀରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ଯାହା ଥିଲା ଅତ୍ୟନ୍ତ ହୃଦୟ ବିଦାରକ।

ଜ୍ୟୋତିଙ୍କ ମୃତ୍ୟୁ ପ୍ରସଙ୍ଗକୁ ନେଇ କଂଗ୍ରେସ ଦଳ, ବିଏମ୍‌ସିର ବିଫଳତା ପ୍ରତିବାଦରେ ରାସ୍ତା ରୋକ କରିବା ସହ ରାଜ୍ୟ ସରକାରକୁ ଦୋଷାରୋପ କରିଥିଲା। ବିଏମ୍‌ସି ଓ ସ୍ମାର୍ଟସିଟିର ଅପାରଗତାକୁ ନିନ୍ଦା କରିଥିଲେ ଏବଂ ବିଏମ୍‌ସିର ଖାମଖିଆଲ ଯୋଗୁଁ ଜ୍ୟୋତିଙ୍କ ମୃତ୍ୟୁ ଘଟିଛି ବୋଲି ଅଭିଯୋଗ କରି ବିଏମ୍‌ସି କମିଶନଙ୍କ ବିରୋଧରେ ଡ଼ିସିପିଙ୍କ ନିକଟରେ ଫେରାଦ ଦେଇଥିଲା କଂଗ୍ରେସ।

ସେପଟେ ବିଏମ୍‌ସିର ଅବହେଳା ଓ ଦାୟିତ୍ୱହୀନତା ପାଇଁ ଜଣେ ନିରୀହ ପିଲାର ଜୀବନ ଗଲା। ଜ୍ୟୋତିଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ସହାୟତା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ବିଜେପିର ଶତାଧିକ କର୍ମୀ ବିଏମ୍‌ସି ଅଫିସ୍ ଘେରିଥିଲେ। ପରିସ୍ଥିତି ଏପରି ହୋଇଥିଲା ଯେ, ବିଜେପି କର୍ମୀଙ୍କ ସହ ପୋଲିସ୍‌ର ମଧ୍ୟ ଧସ୍ତାଧସ୍ତି ହୋଇଥିଲା।

ସେହିପରି ଜ୍ୟୋତିଙ୍କ ମୃତ୍ୟୁରେ ମର୍ମାହତ ହୋଇ ରାଜଧାନୀରେ ବିଭିନ୍ନ ସାମାଜିକ ଅନୁଷ୍ଠାନ ଓ ସ୍ୱେଚ୍ଛାସେବୀ ସଂଗଠନ ତରଫରୁ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଜ୍ୟୋତିଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରାଯାଇଥିଲା। ରାଜଧାନୀରେ ଡ୍ରେନରେ ଭାସିଯାଇ ମୃତ୍ୟୁବରଣ କରିବା ଆଜି ନୂଆ ନୁହେଁ। ବିଗତ ବର୍ଷରେ ରାଜଧାନୀର ମୁକୁଳା ଡ୍ରେନରେ ପଡ଼ି ମୃତ୍ୟୁବରଣ କରିଥିବା ଅନେକ ଦୃଷ୍ଟାନ୍ତ ରହିଛି।

୨୦୧୩ ଅଗଷ୍ଟ ମାସରେ ଚିନ୍ତାମଣିଶ୍ୱର ଅଞ୍ଚଳରେ ପାଉଁରୁଟି କାରଖାନାରେ କାମ କରୁଥିବା ଜଣେ ଯୁବକ ଶୌଚ ହେବାକୁ ଯାଇଥିବା ବେଳେ ଅଚାନକ ବର୍ଷା ହୋଇଥିଲା। ବର୍ଷାର ତୀବ୍ରତା ଏତେ ଥିଲା ଯେ, ନର୍ଦ୍ଦମାର ୧୫ଫୁଟ ଗଭୀରକୁ ଯୁବକଙ୍କୁ ଭସାଇ ନେଇଥିଲା ଓ ପରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

୨୦୧୫, ଅଗଷ୍ଟ ୨୫ ତାରିଖରେ ନୂଆପଲ୍ଲୀ ଥାନା ୟୁନିଟ୍‌-୮ ଅଞ୍ଚଳର ଜଣେ ନାବାଳକ ପୁପୁନ ବିଶ୍ୱାଳ ନର୍ଦ୍ଦମା ପାଣିରେ ଭାସିଯାଇ ମୃତ୍ୟୁବରଣ କରିଥିଲେ। ମା’ଙ୍କ ହାତ ଧରି ବିଦ୍ୟାଳୟରୁ ଖୁସିରେ ଘରକୁ ଫେରୁଥିବା ବେଳେ ବର୍ଷାପାଣିରେ ଖସିପଡ଼ି ମୁକୁଳା ନାଳରେ ଭାସି ଯାଇଥିଲେ। ସ୍ଥାନୀୟ ଲୋକ ଖୋଜାଖୋଜି ପରେ କିଛି ଦୂରରୁ ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା।

୨୦୧୮ ମସିହା, ଅଗଷ୍ଟ ମାସ ୧୩ ତାରିଖରେ ଗଙ୍ଗନଗର ପିଚୁପଡ଼ିଆ ବସ୍ତିରେ ରହୁଥିବା ହରିହର ପଟ୍ଟନାୟକ ନର୍ଦ୍ଦମାରେ ଭାସିଯିବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ସନ୍ଧ୍ୟା ସମୟରେ ପ୍ରବଳ ବର୍ଷା ଯୋଗୁ ରାସ୍ତା ଓ ନର୍ଦ୍ଦମା ଜାଣିବା ଅସମ୍ଭବ ମନେ ହେଉଥିଲା, ହରିହର ଚାଲିଚାଲି ଘରକୁ ଫେରୁଥିବା ବେଳେ ଗୋଡ଼ ଖସିଯିବାରୁ ସୁଅରେ ଭାସିଯାଇଥିଲେ ଓ ଅଗ୍ନିଶମ ବିଭାଗ ଖୋଜାଖୋଜି କରି ଦୀର୍ଘସମୟ ପରେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ, ହେଲେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସେହିପରି ୨୦୧୯ ମସିହା ଜୁଲାଇ ୨୫ ତାରିଖରେ ନୂଆପଲ୍ଲୀ ସାଲିଆ ସାହି ଆଦିବାସୀ ଗାଁରେ ରହୁଥିବା ଆନ୍ଧ୍ରପ୍ରଦେଶର ଟି. ଆକାମା ମୁକୁଳା ନାଳରେ ପଡ଼ି ମୃତ୍ୟୁବରଣ କରିଥିଲେ। ସେ ସନ୍ଧ୍ୟାରେ ସ୍ୱାମୀଙ୍କ ସହ ବଜାକୁ ଯାଇଥିଲେ। ଏହି ସମୟରେ ପ୍ରବଳ ବର୍ଷା ହେବାରୁ ଉଭୟ ସ୍ୱାମୀ, ସ୍ତ୍ରୀ ଏକାମ୍ରଭିଲ୍ଲା ଦେଇ ଘରକୁ ଫେରୁଥିଲେ। ରାସ୍ତାକାମ ଚାଲୁଥିବାରୁ ନାଳ ନର୍ଦ୍ଦମା ସବୁ ମୁକୁଳା ପଡ଼ିଥିଲା, ପ୍ରବଳ ବର୍ଷା ଯୋଗୁଁ ରାସ୍ତା ଉପରେ ଚାଲୁଥିବା ପାଣି ସୁଅରେ ଟି. ଆକାମା ନାଳ ଭିତରକୁ ଖସିପଡ଼ି ଭାସିଯାଇ ମୃତ୍ୟୁବରଣ କରିଥିଲେ। ତାଙ୍କ ମୃତଦେହକୁ ନେଇ ବସ୍ତିର ଶହ ଶହ ସଂଖ୍ୟାରେ ଲୋକ ରାସ୍ତା ଅବରୋଧ କରିଥିଲେ।

ବିଭିନ୍ନ ରାଜନୈତିକ ଦଳ ମୃତକଙ୍କ ପରିବାରକୁ କ୍ଷତିପୂରଣ, ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଓ ମୁକୁଳା ନର୍ଦ୍ଦମାକୁ ତୁରନ୍ତ ମରାମତି କରିବାକୁ ଦାବି କରି ରାସ୍ତା ରୋକ କରିଥିଲେ। ସ୍ଥାନୀୟ ବିଧାୟକ ଘଟଣାସ୍ଥଳରେ ପହଞ୍ôଚ ମୃତକଙ୍କ ପରିବାରକୁ ୧ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବା ସହ ନର୍ଦ୍ଦମା ମରାମତି କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହା ପରେ ଘଟଣାଟିକୁ ସମସ୍ତେ ପାଶୋରି ଯାଇଥିଲେ।

ବର୍ଷା ହେଲେ ପୂର୍ବରୁ ଓଡ଼ିଶାର ସର୍ବ ପୁରାତନ ସହର କଟକ ଜଳବନ୍ଦୀ ହେବା ଓ ନାଳ ନର୍ଦ୍ଦମାରେ ଭାସିଯିବା ବେଶ ଚର୍ଚ୍ଚାରେ ରହୁଥିଲା। କିନ୍ତୁ ଏବେ କଟକ ସହିତ ରାଜଧାନୀ ଭୁବନେଶ୍ୱର ସ୍ମାର୍ଟସିଟି ମଧ୍ୟ ଏ ପ୍ରକାର ଅପବାଦରେ ଛନ୍ଦି ହୋଇଯାଇଛି। ବର୍ତ୍ତମାନ କ୍ରମାଗତ ଭାବେ ରାଜଧାନୀରେ ଜନସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବହୁଳ ଜନସଂଖ୍ୟା ଯୋଗୁଁ ଲୋକମାନେ ସରକାରୀ ଜମିକୁ ମାଡ଼ିବସି ଅକ୍ତିଆର କରୁଛନ୍ତି, ବିନା ଅନୁମତିରେ ନାଳ, ନର୍ଦ୍ଦମାକୁ ପୋତି ଘର, ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନ ତିଆରି କରୁଛନ୍ତି। ଫଳରେ ବର୍ଷା ଜଳ ନିଷ୍କାସନ ହେବାରେ ପ୍ରତିବନ୍ଧକ ସୃଷ୍ଟି ହେଉଛି।

ଅସରାଏ ବର୍ଷା ହେଲେ ରାଜଧାନୀରେ କୃତ୍ରିମ ବନ୍ୟା ସୃଷ୍ଟି ହେଉଛି, ନାଳ ନର୍ଦ୍ଦମା ବୁଡ଼ି ରାସ୍ତାରେ ପାଣିର ସୁଅ ଛୁଟୁଛି। ଏହାର କୁପରିଣାମ ଭୋଗୁଛନ୍ତି ରାଜଧାନୀବାସୀ। ପ୍ରତିବର୍ଷ କେହି ନା କେହି ନର୍ଦ୍ଦମାରେ ପଡ଼ି ମୃତ୍ୟୁବରଣ କଲାପରେ, ବିଭିନ୍ନ ରାଜନୈତିକ ଦଳ ଓ ସ୍ୱେଚ୍ଛାସେବୀ ସଂଗଠନ ରାଜରାସ୍ତାକୁ ଓହ୍ଲାନ୍ତି, ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରନ୍ତି ଓ କିଛିଦିନ ପରେ ଏହାକୁ ସମ୍ପୂର୍ଣ୍ଣ ଭୁଲିଯାଆନ୍ତି। ପୁଣି ଆସନ୍ତା ବର୍ଷାଦିନେ ନର୍ଦ୍ଦମା ଜନିତ ଦୁର୍ଘଟଣା ଘଟିଲେ ପୁଣି ରାଜରାସ୍ତାକୁ ଓହ୍ଲାଇବେ।

ଏହି ଘଟଣା ପରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଜ୍ୟୋତି ଭାସି ଯାଇଥିବା ଡ୍ରେନ୍ ସମେତ ରାଜଧାନୀର ବିଭିନ୍ନ ମୁକୁଳା ଡ୍ରେନରେ ବାଉଁଶ ବ୍ୟାରିକେଡ଼ କରାଯାଇ ସୂଚନା ଫଳକ ମରାଯାଇଛି। ହେଲେ ରାଜଧାନୀରେ ମୋଟ ୭୫ଟି ସମ୍ବେଦନଶୀଳ ଡ୍ରେନ୍ ଚିହ୍ନଟ ହୋଇଥିବା ବେଳେ ଏହାର ସ୍ଥାୟୀ ପ୍ରତିକାର ପାଇଁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ପ୍ରତ୍ୟେକ ରାଜନୈତିକ ଦଳ, ସମାଜସେବୀ ଓ ରାଜଧାନୀବାସୀ ରାଜ୍ୟ ସରକାର ଓ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରି ସମସ୍ତ ମୁକୁଳା ନାଳ ନର୍ଦ୍ଦମାର ସ୍ଥାୟୀ ସମାଧାନ କରାଯାଇ ପାରିଲେ ଏଭଳି ଦୁର୍ଘଟଣା ଘଟନ୍ତାନି ଓ ରାଜଧାନୀ ଜଳମଗ୍ନରୁ ରକ୍ଷା ପାଇପାରନ୍ତା।