Categories
ଆଜିର ଖବର ଜାତୀୟ ଖବର

ମହାକୁମ୍ଭରେ ବୁଡ଼ ପକାଇବା ସହ ତ୍ରିବେଣି ସଙ୍ଗମରେ ସ୍ନାନ କଲେ କେନ୍ଦ୍ରମନ୍ତ୍ରୀ

ପ୍ରୟାଗରାଜ: ମହାକୁମ୍ଭ ସନାତନ ସଭ୍ୟତା, ସଂସ୍କୃତି, ଦର୍ଶନ ଏବଂ ଆମ ଶାସ୍ୱତ ପରମ୍ପରାର ଜୀବନ୍ତତାର ପ୍ରତୀକ ବୋଲି ରବିବାର ପ୍ରୟାଗରାଜ ଠାରେ ତ୍ରିବେଣୀ ସଙ୍ଗମରେ ସପରିବାର ବୁଡ ପକେଇବା ସହ ସ୍ନାନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ମା’ ଗଙ୍ଗା, ଯମୁନା ଏବଂ ସରସ୍ଵତୀଙ୍କ ତ୍ରିବେଣି ସଙ୍ଗମରେ ସପରିବାର ବୁଡ ପକେଇବା ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଦୀର୍ଘ ୧୪୪ ବର୍ଷ ପରେ ମହାକୁମ୍ଭର ଅଲୌକିକ ସଙ୍ଗମର ଅବସର ଉପନୀତ ହୋଇଛି ।  ଏହି ସଙ୍ଗମରେ ପୂଜ୍ୟ ସାଧୁ ସନ୍ଥ ଏବଂ ଭକ୍ତମାନେ ଏକାଠି ହୋଇଛନ୍ତି । ଏହା ହେଉଛି ଧର୍ମ ଏବଂ ବିଶ୍ୱାସର ସବୁଠାରୁ ମହାନ ପର୍ବ । ଏହି ଭଳି ଦିବ୍ୟ ଅବସରରେ ଏକତାର ମହାପର୍ବ ‘ମହାକୁମ୍ଭ’ରେ ସପରିବାର ଶ୍ରଦ୍ଧାର ସହିତ ସ୍ନାନ କରିବା ମୋ ପାଇଁ ଦିବ୍ୟ ଅନୁଭୁତି ଏବଂ ପରିବାର ପାଇଁ ସୌଭାଗ୍ୟର ବିଷୟ।

ମହାକୁମ୍ଭ କେବଳ ଏକ ପର୍ବ ନୁହେଁ ବରଂ ଏହା ଭାରତର ହଜାର ହଜାର ବର୍ଷ ପୁରୁଣା ଅଧ୍ୟାତ୍ମିକତା ଏବଂ ସାଂସ୍କୃତିକ ଚେତନାର ଜୀବନ୍ତ ଜ୍ୟୋତି । ଏହି ଦିବ୍ୟ ଅବସରରେ ସମଗ୍ର ବିଶ୍ଵ ସନାତନ ସଂସ୍କୃତିର ଭବ୍ୟତା, ଶ୍ରଦ୍ଧା ଏବଂ ଭକ୍ତିରେ ମୁଁ ଅଲୌକିକ ଶକ୍ତିକୁ ଅନୁଭବ କରୁଛି । ଏହି ଅବସରରେ ମା’ ଗଙ୍ଗାଙ୍କ ପାଖରେ ସମସ୍ତଙ୍କ କଲ୍ୟାଣ ପାଇଁ ପ୍ରାର୍ଥନା କରିଛନ୍ତି । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁମାନଙ୍କ ପାଇଁ ମହାକୁମ୍ଭ ମେଳା ସୁବ୍ୟବସ୍ଥିତ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଉତ୍ତରପ୍ରଦେଶ ସରକାରଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଦେଇଛନ୍ତି ।

ତ୍ରିବେଣି ସଙ୍ଗମରେ କେନ୍ଦ୍ରମନ୍ତ୍ରୀଙ୍କ ସହ ଉତ୍ତର ପ୍ରଦେଶର ଉଚ୍ଚ ଶିକ୍ଷା ମନ୍ତ୍ରୀ ଯୋଗେନ୍ଦର ଉପାଧ୍ୟାୟ, ପରିବହନ ମନ୍ତ୍ରୀ ଦୟାଶଙ୍କର ସିଂହ ଓ ଏମଏସଏମଇ ମନ୍ତ୍ରୀ ରାକେଶ ସଚନ ପ୍ରମୁଖ ମଧ୍ୟ ବୁଡ ପକାଇଥିଲେ ।

Categories
ଆଜିର ଖବର ଜାତୀୟ ଖବର

ପବିତ୍ର ବୁଡ଼ ପରେ ଶ୍ରଦ୍ଧାଳୁଙ୍କ ଘରକୁ ଫେରାଇବା ପାଇଁ ଦିନରାତି କାମ କରୁଛି ରେଳବାଇ: ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ରେଳବୋର୍ଡ ସିଇଓ ତଥା ସିଆରବି ସତୀଶ କୁମାର ରେଳ ଭବନରେ ଥିବା ୱାର ରୁମରେ ଉତ୍ତର ପ୍ରଦେଶ ପ୍ରୟାଗରାଜର ବିଭିନ୍ନ ରେଳ ଷ୍ଟେସନଗୁଡ଼ିକର ଭିଡ଼ ପରିଚାଳନା ପରିସ୍ଥିତିର ସମୀକ୍ଷା କରିଛନ୍ତି। ସମସ୍ତ ଦିଗରେ ତୀର୍ଥଯାତ୍ରୀଙ୍କ ପାଇଁ ଟ୍ରେନ୍ ଉପଲବ୍ଧ ହେବା ସୁନିଶ୍ଚିତ କରିବାକୁ ରେଳ ମନ୍ତ୍ରୀ ରେଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେ ଏହା ମଧ୍ୟ ଉଲ୍ଲେଖ କହିଛନ୍ତି, ଯାତ୍ରୀଙ୍କ ଭିଡ଼କୁ ହ୍ରାସ କରିବା ପାଇଁ ପ୍ରୟାଗରାଜ ଡିଭିଜନକୁ ଆବଶ୍ୟକ ଅନୁଯାୟୀ ଅତିରିକ୍ତ ଟ୍ରେନ୍ ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ହୋଲ୍ଡିଂ ଅଞ୍ଚଳରେ ଯାତ୍ରୀଙ୍କୁ ଆରାମଦାୟକ ସେବା ସୁନିଶ୍ଚିତ କରାଯାଇଛି।

ମହାକୁମ୍ଭ ରେଳବାଇ ସୂଚନା ବୁଲେଟିନ ଅନୁଯାୟୀ, ବୁଧବାର ସନ୍ଧ୍ୟା ୬ଟା ସୁଦ୍ଧା ଯାତ୍ରୀଙ୍କ ସୁବିଧା ପାଇଁ ୨୨୫ଟି ଟ୍ରେନ୍ ଚଳାଚଳ କରିଛି। ଯେଉଁଥିରେ ୧୨ ଲକ୍ଷ ୪୬ ହଜାରରୁ ଅଧିକ ଯାତ୍ରୀ ଯାତ୍ରା କରିଛନ୍ତି। ମଙ୍ଗଳବାର, ୧୧ ଫେବୃଆରୀ ୨୦୨୫ରେ, ୩୪୩ଟି ଟ୍ରେନ୍ ଚଳାଚଳ କରିଛି। ସେସବୁ ଟ୍ରେନରେ ୧୪.୬୮ ଲକ୍ଷରୁ ଅଧିକ ଯାତ୍ରୀ ଥିଲେ। ଭାରତୀୟ ରେଳବାଇ ଦ୍ୱାରା ବିଭିନ୍ନ ଚ୍ୟାନେଲ ମାଧ୍ୟମରେ ଟ୍ରେନ୍ ସମ୍ବନ୍ଧୀୟ ସୂଚନା ନିରନ୍ତର ପ୍ରଦାନ କରାଯାଉଛି। ଏଥିରେ ସ୍ୱତନ୍ତ୍ର ବୁଲେଟିନ, ମହାକୁମ୍ଭ ଅଞ୍ଚଳ ହୋଲ୍ଡିଂ ଜୋନ୍, ରେଳ ଷ୍ଟେସନ, ସୋସିଆଲ ମିଡିଆ ଏବଂ ଅନ୍ୟାନ୍ୟ ମିଡିଆ ଆଉଟଲେଟ ଅନ୍ତର୍ଭୁକ୍ତ।

ଯାତ୍ରୀମାନଙ୍କର ସୁବିଧା ପାଇଁ ପ୍ରୟାଗରାଜ ଷ୍ଟେସନ ନିକଟରେ ୫ହଜାର ଲେଖାଏଁ କ୍ଷମତା ଥିବା ୪ଟି ହୋଲ୍ଡିଂ ଏରିଆ କାର୍ଯ୍ୟକ୍ଷମ ହୋଇଛି । ଏହାବ୍ୟତୀତ, ମାଘୀ ପୂର୍ଣ୍ଣିମା ଅବସରରେ ଖୁସରୋବାଗରେ ୧ ଲକ୍ଷ ଯାତ୍ରୀ କ୍ଷମତା ବିଶିଷ୍ଟ ଏକ ନୂତନ ହୋଲ୍ଡିଂ କ୍ଷେତ୍ର ଆଜି କାର୍ଯ୍ୟକ୍ଷମ ହୋଇଛି, ଯେଉଁଥିରେ ରହିବା, ଭୋଜନ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ଯାହାଦ୍ୱାରା ଅପେକ୍ଷା କରୁଥିବା ଯାତ୍ରୀମାନେ ଟ୍ରେନରେ ଚଢିବା ପର୍ଯ୍ୟନ୍ତ ଆରାମରେ ରହିପାରିବେ।

ସମସ୍ତ ଯାତ୍ରୀଙ୍କୁ କେବଳ ସରକାରୀ ଉତ୍ସରୁ ସୂଚନା ଗ୍ରହଣ କରିବାକୁ ଏବଂ କୌଣସି ଅସତ୍ୟ ରିପୋର୍ଟ ଏବଂ ବିଭ୍ରାନ୍ତିକର ସୂଚନା ପ୍ରତି ଧ୍ୟାନ ନଦେବାକୁ ପରାମର୍ଶ ଦିଆଯାଇଛି।

*******

P.S.

Categories
ଆଜିର ଖବର ଜାତୀୟ ଖବର

ଚାରି ପିଢିଙ୍କ ସହିତ ମହାକୁମ୍ଭରେ ପହଞ୍ଚି ସଙ୍ଗମରେ ବୁଡ଼ ପକାଇଲେ ଅମ୍ବାନୀ ପରିବାର

ପ୍ରୟାଗରାଜ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ନିଜ ପରିବାରର ଚାରି ପିଢିଙ୍କ ସହ କୁମ୍ଭ ନଗରୀରେ ପହଞ୍ଚି ମହାକୁମ୍ଭରେ ସ୍ନାନ କରିଛନ୍ତି। ମା କୋକିଲା ବେନ୍, ଦୁଇ ପୁଅ ଆକାଶ ଓ ଅନନ୍ତ, ଦୁଇ ବୋହୂ ଶ୍ଲୋକା ଓ ରାଧିକାଙ୍କ ସହିତ ମୁକେଶ ଅମ୍ବାନୀଙ୍କ ନାତି ନାତୁଣୀ ପୃଥ୍ବୀ ଓ ବେଦା, ଭଉଣୀ ଦୀପ୍ତି ସାଲଗାଓଁକର ଓ ନୀନା କୋଠାରୀ ମଧ୍ୟ ପ୍ରୟାଗରାଜରେ ପହଞ୍ଚି ମହାକୁମ୍ଭରେ ଏକାଠି ବୁଡ଼ ପକାଇଥିଲେ। ସଙ୍ଗମରେ ବୁଡ଼ ପକାଇବା ପରେ ଅମ୍ବାନୀ ପରିବାର ନିରଞ୍ଜନୀ ଆଖଡ଼ାର ପୀଠାଧୀଶ୍ୱର ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ସ୍ୱାମୀ କୈଳାଶାନନ୍ଦଗିରି ଜୀ ମହାରାଜଙ୍କ ଉପସ୍ଥିତିରେ ମା ଗଙ୍ଗାଙ୍କ ପୂଜା ପୂଜାର୍ଚ୍ଚନା କରିଥିଲେ।

ତ୍ରିବେଣୀରେ ସ୍ନାନ କରିବା ପରେ ଅମ୍ବାନୀ ପରିବାର ମହାକୁମ୍ଭରେ ନିର୍ମିତ ପରମାର୍ଥ ନିକେତନ ଆଶ୍ରମରେ ପହଞ୍ଚି ସ୍ୱାମୀ ଚିଦାନନ୍ଦ ସରସ୍ବତୀ ମହାରାଜଙ୍କୁ ଭେଟିବା ସହିତ ପରିବାର ପକ୍ଷରୁ ଆଶ୍ରମରେ ସଫେଇ କର୍ମୀ, ନୌକା ଚାଳକ ଏବଂ ତୀର୍ଥଯାତ୍ରୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲ। ପରିବାର ସଦସ୍ୟଗଣ ମଧ୍ୟ ତୀର୍ଥଯାତ୍ରୀଙ୍କୁ ଖାଦ୍ୟ ପରିବେଷଣ କରୁଥିବା ଦେଖିବାକୁ ମିଳିଥିଲା। ଅମ୍ବାନୀ ପରିବାର ପକ୍ଷରୁ ନୌକା ଚାଳକମାନଙ୍କୁ ସେମାନଙ୍କ ନିଜର ତଥା ତୀର୍ଥଯାତ୍ରୀଙ୍କ ସୁରକ୍ଷା ପାଇଁ ଲାଇଫ୍ ଜ୍ୟାକେଟ୍ ପ୍ରଦାନ କରାଯାଇଥିଲା।

ସୂଚନାଯୋଗ୍ୟ ଯେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପକ୍ଷରୁ ଏହାର ତୀର୍ଥଯାତ୍ରୀ ସେବା କାର୍ଯ୍ୟକ୍ରମ ଅଧୀନରେ ପରମାର୍ଥ ନିକେତନ ଆଶ୍ରମ, ଶାରଦା ପୀଠ ମଠ ଟ୍ରଷ୍ଟ ଦ୍ୱାରକା, ଶ୍ରୀ ଶଙ୍କରାଚାର୍ଯ୍ୟ ଉତ୍ସବ ସେବାଳୟ ଫାଉଣ୍ଡେସନ, ନିରଞ୍ଜନୀ ଆଖଡ଼ା ଏବଂ ପ୍ରଭୁ ପ୍ରେମୀ ସଂଘ ଚାରିଟେବୁଲ ଟ୍ରଷ୍ଟ ସମେତ ପ୍ରସିଦ୍ଧ ଆଧ୍ୟାତ୍ମିକ ସଂଗଠନଗୁଡିକ ସହିତ ମିଳିତ ଭାବରେ ମହାକୁମ୍ଭରେ ଅନ୍ନ ସେବା କରାଯାଉଛି। ‘ତୀର୍ଥଯାତ୍ରୀ ସେବା’ ମାଧ୍ୟମରେ ରିଲାଏନ୍ସ ଯାତ୍ରାକୁ ସୁରକ୍ଷିତ, ଆରାମଦାୟକ ଏବଂ ଆଧ୍ୟାତ୍ମିକ ଭାବରେ ସମୃଦ୍ଧ କରିବାକୁ ପ୍ରୟାସ କରୁଛି। ପୁଷ୍ଟିକର ଭୋଜନ, ଆବଶ୍ୟକ ସ୍ୱାସ୍ଥ୍ୟସେବା, ସୁରକ୍ଷିତ ପରିବହନ ଏବଂ ଯୋଗାଯୋଗ ସଂଯୋଗ ପରି ଅନେକ ସେବା ତୀର୍ଥଯାତ୍ରୀଙ୍କୁ ରିଲାଏନ୍ସ ପକ୍ଷରୁ ପ୍ରଦାନ କରାଯାଉଛି।

ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ସ୍ୱାସ୍ଥ୍ୟସେବାରେ ପୁରୁଷ ଏବଂ ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ୱାର୍ଡ, ଓପିଡି ଏବଂ ଦନ୍ତଚିକିତ୍ସା ସେବା ଭଳି ସୁବିଧା ଦିନ ରାତି ଦିନ ରାତି ୨୪ ଘଣ୍ଟା ଉପଲବ୍ଧ କରାଯାଇଛି। ଏହା ବ୍ୟତୀତ ଯାତ୍ରାକୁ ସହଜ, ସୁଗମ ଏବଂ ନିରାପଦ କରିବା ପାଇଁ ଆହୁରି ଅନେକ ଉଦ୍ୟମ ମଧ୍ୟ କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର

ଆଜି ପ୍ରୟାଗରାଜ ଗସ୍ତରେ ଯିବେ ରାଷ୍ଟ୍ରପତି

ଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପ୍ରୟାଗରାଜ (ଉତ୍ତରପ୍ରଦେଶ) ଗସ୍ତରେ ଯିବେ।

ଏକଦିବସୀୟ ପ୍ରୟାଗରାଜ ଗସ୍ତ ଅବସରରେ ରାଷ୍ଟ୍ରପତି ସଙ୍ଗମରେ ସ୍ନାନ ଏବଂ ପୂଜା କରିବେ। ଅକ୍ଷୟବଟ ଏବଂ ହନୁମାନ ମନ୍ଦିରରେ ପୂଜା ଓ ଦର୍ଶନ କରିବେ। ରାଷ୍ଟ୍ରପତି ଡିଜିଟାଲ କୁମ୍ଭ ଅନୁଭବ କେନ୍ଦ୍ର ମଧ୍ୟ ପରିଦର୍ଶନ କରିବେ।

Categories
ଆଜିର ଖବର ରାଜ୍ୟ ଖବର

ମହାକୁମ୍ଭରେ ବୁଡ ପକାଇବାକୁ ପ୍ରୟାଗରାଜ ବାହାରିଲେ ଓଡିଶାର ତିନି ମନ୍ତ୍ରୀ ଓ ପରିବାର

ଭୁବନେଶ୍ବର: କୁମ୍ଭମେଳାରେ ବୁଡ଼ ପକାଇବା ପାଇଁ ପ୍ରୟାଗରାଜ ବାହାରିଲେ ଓଡିଶାର ତିନି ମନ୍ତ୍ରୀ। ସେମାନେ ହେଲେ ବାଣିଜ୍ୟ ପରିବହନ ଏବଂ ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ବୈଷୟିକ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏବଂ ମତ୍ସ୍ୟ, ପ୍ରାଣୀ ସମ୍ପଦ ବିକାଶ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ। ଏମାନେ ନିଜ ପରିବାର ସହିତ ପ୍ରୟାଗରାଜ ଗସ୍ତରେ ବାହାରିଛନ୍ତି।

ଗତକାଲି ପ୍ରୟାଗରାଜରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଡ ପକାଇଥିଲେ। ସେ ସେଠାରେ ପୂଜାପାଠ ମଧ୍ୟ କରିଥିଲେ। ସେହିପରି ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ସପରିବାର ଯାଇ ପ୍ରୟାଗରାଜରେ ବୁଡ ପକାଇଥିଲେ। ଏଥିସହିତ ବିଭିନ୍ନ ରାଜ୍ୟର ମନ୍ତ୍ରୀ ବିଧାୟକ ତଥା ନେତାମାନେ ମହାକୁମ୍ଭ ମେଳାରେ ସାମିଲ ହୋଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଆଜି ସଙ୍ଗମରେ ବୁଡ଼ ପକାଇବା ସହ ମା’ ଗଙ୍ଗାଙ୍କୁ ପ୍ରାର୍ଥନା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରୟାଗରାଜରେ ମହାକୁମ୍ଭ ମେଳା ପରିଦର୍ଶନ କରିବେ। ଆଜି ସକାଳ ୧୧ଟାରେ ସେ ସଙ୍ଗମସ୍ଥଳରେ ବୁଡ଼ ପକାଇବା ସହ ମା’ ଗଙ୍ଗାଙ୍କୁ ପୂଜାର୍ଚ୍ଚନା କରିବା କାର୍ଯ୍ୟକ୍ରମ ରହିଛି।  ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି।

ବିଶ୍ୱର ସର୍ବବୃହତ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ସମାବେଶ ଭାବେ ପରିଚୟ ହାସଲ କରିଥିବା ମହାକୁମ୍ଭ  ଜାନୁଆରୀ ୧୩ ତାରିଖ ପୌଷ ପୂର୍ଣ୍ଣିମାରେ ଆରମ୍ଭ ହୋଇଥିଲା ଏବଂ ଏହା ଫେବୃଆରୀ ୨୬ ମହାଶିବରାତ୍ରି ପର୍ଯ୍ୟନ୍ତ ଜାରି ରହିବ। ଏହି ପବିତ୍ର ଅବସରରେ ବିଶ୍ୱର ବିଭିନ୍ନ କୋଣ ଅନୁକୋଣରୁ ଭକ୍ତ ଓ ଶ୍ରଦ୍ଧାଳୁ ସଙ୍ଗମ ସ୍ଥଳରେ ବୁଡ଼ ପକାଇ ପ୍ରାର୍ଥନା କରିଛନ୍ତି।

ଭାରତର ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଐତିହ୍ୟର ପ୍ରଚାର ଏବଂ ସଂରକ୍ଷଣ ପ୍ରତି ନିଜର ପ୍ରତିବଦ୍ଧତା ସ୍ୱରୂପ ପ୍ରଧାନମନ୍ତ୍ରୀ ଦେଶର ବିଭିନ୍ନ ତୀର୍ଥସ୍ଥଳରେ ଭିତ୍ତିଭୂମି ତଥା ମୌଳିକ ସୁବିଧା ବିକାଶ ପାଇଁ ନିରନ୍ତର ସକ୍ରିୟ ପଦକ୍ଷେପ ନେଇଛନ୍ତି। ପୂର୍ବରୁ, ୧୩ ଡିସେମ୍ବର, ୨୦୨୪ ରେ ପ୍ରୟାଗରାଜ ଗସ୍ତ ସମୟରେ, ପ୍ରଧାନମନ୍ତ୍ରୀ ୫,୫୦୦ କୋଟି ଟଙ୍କା ବ୍ୟୟରେ ବିକଶିତ ହୋଇଥିବା ୧୬୭ ଟି ଉନ୍ନୟନ ପ୍ରକଳ୍ପକୁ ଉଦଘାଟନ କରିଥିଲେ। ଏହି ସମସ୍ତ ପ୍ରକଳ୍ପ ସାଧାରଣ ଜନତାଙ୍କ ପାଇଁ ଯାତାୟାତ, ସେବା ଏବଂ ସୁବିଧାରେ ଉନ୍ନତି ଆଣିଛି।

Categories
ଆଜିର ଖବର ଜାତୀୟ ଖବର

ମହାକୁମ୍ଭ: ଶ୍ରଦ୍ଧାର ସମାରୋହରେ ସମ୍ମିଳିତ ହୋଇଛନ୍ତି ୩୫ କୋଟି ଜନତା

ପ୍ରୟାଗରାଜ: ୨୦୨୫ ମହାକୁମ୍ଭ ଏକ ଆଧ୍ୟାତ୍ମିକ ଓ ସାଂସ୍କୃତିକ ପରିଦୃଶ୍ୟରେ ପରିଣତ ହୋଇଛି। ୨୦୨୫ ଫେବ୍ରୁଆରି ୩ ତାରିଖ ସୁଦ୍ଧା ୩୫ କୋଟିରୁ ଅଧିକ ଶ୍ରଦ୍ଧାଳୁ ପବିତ୍ର ସ୍ନାନ ବିଧିରେ ଅଂଶଗ୍ରହଣ କରିଛନ୍ତି। ବସନ୍ତ ପଞ୍ଚମୀର ପବିତ୍ର ଦିନରେ ୨.୩୩ କୋଟିରୁ ଅଧିକ ଶ୍ରଦ୍ଧାଳୁ ତ୍ରିବେଣୀ ସଙ୍ଗମର ପବିତ୍ର ଜଳରେ ସ୍ନାନ କରିଛନ୍ତି। ବିଭିନ୍ନ ରାଜ୍ୟ, ସମ୍ପ୍ରଦାୟ ଏବଂ ଜାତିର ଲୋକମାନେ ଜୀବନରେ ଥରେ ମାତ୍ର ଆସୁଥିବା ଏହି ସୁଯୋଗକୁ ପାଳନ କରିଛନ୍ତି ଓ ମହାକୁମ୍ଭର ବାତାବରଣକୁ ଶ୍ରଦ୍ଧା, ଉତ୍ସାହ ଓ ଏକତାର ଭାବନାରେ ପରିପୂର୍ଣ୍ଣ କରିଛନ୍ତି।

ବସନ୍ତ ପଞ୍ଚମୀ ଋତୁ ପରିବର୍ତ୍ତନର ପ୍ରତୀକ ଏବଂ ହିନ୍ଦୁ ପୁରାଣରେ ଜ୍ଞାନର ଦେବୀ ସରସ୍ୱତୀଙ୍କ ଆଗମନକୁ ପାଳନ କରେ। ବସନ୍ତ ପଞ୍ଚମୀର ମହତ୍ତ୍ୱକୁ ସମ୍ମାନ ଜଣାଇ କଳ୍ପବାସୀମାନେ ହଳଦିଆ ରଙ୍ଗର ପୋଷାକ ପିନ୍ଧି ଏହି ପବିତ୍ର ପର୍ବର ମହତ୍ତ୍ୱକୁ ସୂଚାଇଥିଲେ।

ପବିତ୍ର ସଂଗମସ୍ଥଳର ଦୃଶ୍ୟ ବେଶ ଅସାଧାରଣ ଥିଲା। ସଙ୍ଗମ କୂଳ ସମ୍ପୂର୍ଣ୍ଣ ଭାବରେ ଶ୍ରଦ୍ଧାଳୁଙ୍କ ଦ୍ୱାରା ଭର୍ତ୍ତି ହୋଇଯାଇଥିଲା ଏବଂ ନଦୀର ପବିତ୍ର ବାଲି ଜନସମୁଦ୍ରରେ ବୁଡ଼ି ରହିଥିଲା। ଭାରତର ବିଭିନ୍ନ ରାଜ୍ୟ ଯଥା ଦିଲ୍ଲୀ, ହରିୟାଣା, ପଞ୍ଜାବ, ପଶ୍ଚିମବଙ୍ଗ, ଆସାମ, ବିହାର, କେରଳ, ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟର ଶ୍ରଦ୍ଧାଳୁମାନେ ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କ ସହ ମିଶି ମହାକୁମ୍ଭରେ ବିଶ୍ୱ ଏକତାର ବାର୍ତ୍ତା ଦେଇଥିଲେ। କୋଟି କୋଟି ଲୋକଙ୍କ ସାମୁହିତ ମନ୍ତ୍ରୋଚାରଣରେ ଗଙ୍ଗା, ଯମୁନା ଓ ସରସ୍ବତୀର ମିଳନସ୍ଥଳ ଭକ୍ତିଭାବନାରେ ଗୁଞ୍ଜରିତ ହେଉଥିଲା।

ଚଳିତ ବର୍ଷର ମହାକୁମ୍ଭର ଅନେକ ଅନନ୍ୟ ଦିଗ ମଧ୍ୟରେ ରହିଛି ଇଟାଲୀ, ଅଷ୍ଟ୍ରିଆ, କ୍ରୋଏସିଆ ଏବଂ ଇସ୍ରାଏଲ ଭଳି ଦେଶରୁ ଆସିଥିବା ବିଦେଶୀ ଶ୍ରଦ୍ଧାଳୁଙ୍କ ଉଲ୍ଲେଖନୀୟ ଅଂଶଗ୍ରହଣ। ଏଭଳି ଏକ ଐତିହାସିକ କାର୍ଯ୍ୟକ୍ରମରେ ସାମିଲ ହେବାର ସୁଯୋଗ ପାଇ ଅନେକ ଆଶ୍ଚର୍ଯ୍ୟ ଓ ଆନନ୍ଦ ପ୍ରକାଶ କରିଛନ୍ତି। ଜଣେ ଇଟାଲୀୟ ଭକ୍ତ କହିଛନ୍ତି, “ମୁଁ କିଛି ମିନିଟ୍ ପୂର୍ବରୁ ଏକ ପବିତ୍ର ସ୍ନାନ କରିଥିଲି, ଏବଂ ଏପରି ଅନୁଭବ ଜୀବନରେ କେବଳ ଥରେ ମାତ୍ର ମିଳିଥାଏ। ଲୋକମାନେ ୧୪୪ ବର୍ଷ ଧରି ଏହି ମୁହୂର୍ତ୍ତକୁ ଅପେକ୍ଷା କରିଛନ୍ତି ଏବଂ ଏହାର ସାକ୍ଷୀ ହୋଇ ମୁଁ ପ୍ରକୃତରେ ଧନ୍ୟ ଅନୁଭବ କରୁଛି।”

ମହାକୁମ୍ଭର ସବୁଠାରୁ ବଡ଼ ଆକର୍ଷଣ ହେଉଛି ନାଗା ସାଧୁଙ୍କ ଉପସ୍ଥିତି, ଯେଉଁମାନେ ଅମୃତସ୍ନାନ ସମୟରେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରରେ ଥିଲେ । ଆହୁରି ମଧ୍ୟ ବସନ୍ତ ପଞ୍ଚମୀ ଅମୃତ ସ୍ନାନକୁ ଯିବାପୂର୍ବରୁ ନାଗାସାଧୁମାନଙ୍କ ଶୋଭାଯାତ୍ରା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। କେତେକ ନାଗାସାଧୁ ଘୋଡ଼ାରେ ଆସୁଥିବାବେଳେ ଆଉ କେତେକ ଖାଲିପାଦରେ ଚାଲି ଚାଲି ଆସୁଥିଲେ। ସେମାନେ ଶରୀରରେ ବିଭୂତି ବୋଳିହୋଇ ଓ ନିଜର ଅନ୍ୟ ଆଭୂଷଣ ଓ ତ୍ରିଶୂଳ ଧରି ଅତ୍ୟନ୍ତ ଶୃଙ୍ଖଳାର ସହ ଆସୁଥିଲେ। ସେମାନଙ୍କ ଉଗ୍ର ସ୍ବଭାବ ସତ୍ତ୍ବେ ସେମାନେ ନିଜର ଅଖାଡ଼ା ମୁଖ୍ୟଙ୍କ ନିର୍ଦ୍ଦେଶକୁ ପାଳନ କରି ଶୃଙ୍ଖଳାର ସହ ଆସୁଥିଲେ।

ଏହା ଭାରତର ସନାତନ ସଂସ୍କୃତିର ସମାନତା ଏବଂ ସୌହାର୍ଦ୍ଦ୍ୟର ମୂଲ୍ୟବୋଧର ପ୍ରକୃତ ପ୍ରତୀକ, ଯାହା ଶତାବ୍ଦୀ ଶତାବ୍ଦୀ ଧରି ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି। ସଙ୍ଗମସ୍ଥଳର ପବିତ୍ର ସ୍ଥାନ ସମସ୍ତଙ୍କୁ ସ୍ୱାଗତ କରିଥିଲା- ସେମାନଙ୍କ ଭାଷା, ଅଞ୍ଚଳ କିମ୍ବା ପୃଷ୍ଠଭୂମି ନିର୍ବିଶେଷରେ। ସମସ୍ତ ସାମାଜିକ ଓ ଅର୍ଥନୈତିକ ପ୍ରତିବନ୍ଧକକୁ ଭାଙ୍ଗି ଭକ୍ତମାନେ ଏକାଠି ଭୋଜନ କରିବା ପାଇଁ ସ୍ଥାପିତ ଅନେକ ଖାଦ୍ୟ ରୋଷେଇ ଘର (ଅନ୍ନକ୍ଷେତ୍ର)ରେ ମଧ୍ୟ ଏହି ଏକତା ଭାବନା ପ୍ରତିଫଳିତ ହୋଇଥିଲା।

ମହାକୁମ୍ଭ କେବଳ ଏକ ପର୍ବ ନୁହେଁ; ଏହା ଭାରତର ଆଧ୍ୟାତ୍ମିକ ପରମ୍ପରା ସହିତ ଲକ୍ଷ ଲକ୍ଷ ଲୋକଙ୍କୁ ଯୋଡିଥିବା ଏକ ଅଖଣ୍ଡ ସୂତ୍ର। ସଙ୍ଗମ କୂଳରେ ଶୈବ, ଶାକ୍ତ, ବୈଷ୍ଣବ, ଉଦାସୀ, ନାଥ, କବୀର ପନ୍ଥୀ, ରାଇଦାସ ଆଦି ବିଭିନ୍ନ ଚିନ୍ତାଧାରାର ସନ୍ନ୍ୟାସୀମାନେ ଏକାଠି ହୋଇ ଭକ୍ତିର ସହ ନିଜର ଅନନ୍ୟ ରୀତିନୀତି ସମ୍ପନ୍ନ କରିଥିଲେ। ମହାକୁମ୍ଭର ବାର୍ତ୍ତା ସନ୍ନ୍ୟାସୀମାନଙ୍କ ଦ୍ୱାରା ଦିଆଯାଇଥିବା ସ୍ପଷ୍ଟ ଥିଲା: ଆଧ୍ୟାତ୍ମିକତା ଜାତି, ଧର୍ମ ଏବଂ ଭୂଗୋଳର ସମସ୍ତ ସୀମା ଅତିକ୍ରମ କରିଥାଏ।

ମହାକୁମ୍ଭ ୨୦୨୫ କେବଳ ଏକ ଧାର୍ମିକ ସମାବେଶରେ ସୀମିତ ହୋଇ ରହିନାହିଁ, ଏହା ମଣିଷର ଏକତା, ପ୍ରକୃତି ଏବଂ ଦିବ୍ୟତାର ଏକ ଜୀବନ୍ତ ଉତ୍ସବରେ ପରିଣତ ହୋଇଛି. ଯାହାକୁ ବିଶ୍ୱର ଲକ୍ଷ ଲକ୍ଷ ଲୋକ ଅନୁଭବ କରୁଛନ୍ତି। ଏପର୍ଯ୍ୟନ୍ତ ୩୫ କୋଟିରୁ ଅଧିକ ଶ୍ରଦ୍ଧାଳୁ ଯୋଗ ଦେଇ ସାରିଥିବା ବେଳେ ଆଗାମୀ ଦିନରେ ଆହୁରି ହଜାର ହଜାର ଶ୍ରଦ୍ଧାଳୁ ଯୋଗ ଦେବେ ବୋଲି ଆଶା କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର

ରିଲାଏନ୍ସ ପକ୍ଷରୁ ମହାକୁମ୍ଭରେ ଲକ୍ଷ ଲକ୍ଷ ତୀର୍ଥଯାତ୍ରୀଙ୍କୁ ସେବା ପ୍ରଦାନ

ପ୍ରୟାଗରାଜ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ପକ୍ଷରୁ ମହାକୁମ୍ଭରେ ପ୍ରତିଦିନ ଲକ୍ଷ ଲକ୍ଷ ତୀର୍ଥଯାତ୍ରୀଙ୍କ ସେବା କାର୍ଯ୍ୟ ହାତକୁ ନିଆଯାଇଛି। ପୁଷ୍ଟିକର ଭୋଜନ, ଆବଶ୍ୟକ ସ୍ୱାସ୍ଥ୍ୟସେବା, ସୁରକ୍ଷିତ ପରିବହନ ଏବଂ ଯୋଗାଯୋଗ ସଂଯୋଗ ପରି ଅନେକ ସେବା ତୀର୍ଥଯାତ୍ରୀଙ୍କୁ ରିଲାଏନ୍ସ ପକ୍ଷରୁ ପ୍ରଦାନ କରାଯାଉଛି। ‘ତୀର୍ଥଯାତ୍ରୀ ସେବା’ ମାଧ୍ୟମରେ ରିଲାଏନ୍ସ ଯାତ୍ରାକୁ ସୁରକ୍ଷିତ, ଆରାମଦାୟକ ଏବଂ ଆଧ୍ୟାତ୍ମିକ ଭାବରେ ସମୃଦ୍ଧ କରିବାକୁ ପ୍ରୟାସ କରୁଛି।

ତୀର୍ଥଯାତ୍ରୀଙ୍କୁ ୮ଟି ପ୍ରମୁଖ ଉପାୟରେ ସେବା ଯୋଗାଇ ଦିଆଯାଉଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଏଥିମଧ୍ୟରୁ ସବୁଠାରୁ ବଡ ହେଉଛି ଅନ୍ନସେବା, ଯାହା ଅଧୀନରେ ପ୍ରତିଦିନ ହଜାର ହଜାର ତୀର୍ଥଯାତ୍ରୀଙ୍କୁ ମାଗଣା ଭୋଜନ ପରିବେଷଣ କରାଯାଉଛି। ରିଲାଏନ୍ସ ସ୍ବେଚ୍ଛାସେବୀମାନେ ବିଭିନ୍ନ ଆଖଡାଗୁଡିକରେ ମାଗଣା ଭୋଜନ ଏବଂ ଜଳ ପରିବେଷଣ କରୁଛନ୍ତି। ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ସ୍ୱାସ୍ଥ୍ୟସେବାରେ ପୁରୁଷ ଏବଂ ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ୱାର୍ଡ, ଓପିଡି ଏବଂ ଦନ୍ତଚିକିତ୍ସା ସେବା ଭଳି ସୁବିଧା ଦିନ ରାତି ଦିନ ରାତି ୨୪ ଘଣ୍ଟା ଉପଲବ୍ଧ କରାଯାଇଛି। ମହିଳାମାନଙ୍କୁ ମାଗଣା ସାନିଟାରୀ ନାପକିନ୍ ବଣ୍ଟନ କରାଯାଉଛି। ଏହା ବ୍ୟତୀତ ଯାତ୍ରାକୁ ସହଜ, ସୁଗମ ଏବଂ ନିରାପଦ କରିବା ପାଇଁ ଆହୁରି ଅନେକ ଉଦ୍ୟମ ମଧ୍ୟ କରାଯାଉଛି।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ନିର୍ଦ୍ଦେଶକ ଅନନ୍ତ ଅମ୍ବାନୀ କହିଛନ୍ତି, “କୁହାଯାଏ ଯେ ଯେତେବେଳେ ଆମେ ତୀର୍ଥଯାତ୍ରୀମାନଙ୍କ ସେବା କରୁ, ସେତେବେଳେ ଆମେ ମଧ୍ୟ ଆଶୀର୍ବାଦ ପ୍ରାପ୍ତ ହୋଇଥାଉ। ସହସ୍ରାବ୍ଦୀରେ ଗୋଟିଏ ଥର ହେଉଥିବା ଏହି ଆୟୋଜନରେ ତୀର୍ଥଯାତ୍ରୀମାନଙ୍କୁ ଆମର ସେବା ଯୋଗାଇଦେବା ସେମାନଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଉଦ୍ଦିଷ୍ଟ। ଆମେ ଆମର ‘ଯତ୍ନ ନେବା’ ଦର୍ଶନରେ ବିଶ୍ୱାସ କରୁ। ବିଶ୍ୱର ସର୍ବବୃହତ ଧାର୍ମିକ ଓ ସାଂସ୍କୃତିକ ସମାବେଶ ମହାକୁମ୍ଭରେ ଲକ୍ଷ ଲକ୍ଷ ତୀର୍ଥଯାତ୍ରୀଙ୍କ ସ୍ୱାସ୍ଥ୍ୟ, କଲ୍ୟାଣ ଏବଂ ନିରାପତ୍ତାକୁ ଉନ୍ନତ କରିବା ସହିତ ସେମାନଙ୍କର ଯାତ୍ରାକୁ ସୁରକ୍ଷିତ ଏବଂ ସହଜ କରିବା ତଥା ସେମାନଙ୍କ ସେବା କରିବା ପାଇଁ ଆମେ ସୁଯୋଗ ପାଇଛୁ।”

ରିଲାଏନ୍ସ ଜିଓ ମଧ୍ୟ ପ୍ରୟାଗରାଜରେ ଟେଲି ଯୋଗାଯୋଗ ସଂଯୋଗକୁ ସୁଦୃଢ କରିଛି ଏବଂ ନୂତନ ୪ଜି ଓ ୫ଜି ବିଟିଏସ ସ୍ଥାପନ କରିଛି। ଭିତ୍ତିଭୂମିର ଉନ୍ନତିକରଣ ସହିତ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଗୁଡିକରେ ଟାୱାର ଏବଂ ଛୋଟ ସେଲ ନିୟୋଜିତ କରାଯାଇଛି। ସମସ୍ତଙ୍କ ପାଇଁ ନିରବଚ୍ଛିନ୍ନ ଯୋଗାଯୋଗ ସୁନିଶ୍ଚିତ କରିବାକୁ ପ୍ରମୁଖ କ୍ଷେତ୍ରଗୁଡିକରେ ନୂତନ ଅପ୍ଟିକାଲ୍ ଫାଇବର ମଧ୍ୟ ବିଛାଯାଇଛି।

ଅଧିକରୁ ଅଧିକ ତୀର୍ଥଯାତ୍ରୀଙ୍କ ନିକଟରେ ପହଞ୍ଚିବା ପାଇଁ ରିଲାଏନ୍ସ ଶାରଦା ପୀଠ ମଠ ଟ୍ରଷ୍ଟ ଦ୍ୱାରକା, ଶ୍ରୀ ଶଙ୍କରାଚାର୍ଯ୍ୟ ଉତ୍ସବ ସେବାଳୟ ଫାଉଣ୍ଡେସନ, ନିରଞ୍ଜନୀ ଆଖଡ଼ା, ପ୍ରଭୁ ପ୍ରେମୀ ସଂଙ୍ଘ ଚାରିଟେବୁଲ ଟ୍ରଷ୍ଟ ଏବଂ ପରମାର୍ଥ ନିକେତନ ଆଶ୍ରମ ସମେତ ପ୍ରସିଦ୍ଧ ଆଧ୍ୟାତ୍ମିକ ସଂଗଠନଗୁଡିକ ସହିତ ମିଳିତ ଭାବରେ ସେବା କାର୍ଯ୍ୟ ଜାରି ରଖିଛି।

Categories
ଆଜିର ଖବର ଜାତୀୟ ଖବର ଧର୍ମ

ମହାକୁମ୍ଭରେ ବୁଡ ପକାଇଲେ ଗୃହମନ୍ତ୍ରୀ ଅମିତ ଶାହ, ସାଧୁସନ୍ଥଙ୍କ ନେଲେ ଆର୍ଶିବାଦ

ନୂଆଦିଲ୍ଲୀ: ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ତ୍ରିବେଣୀ ସଙ୍ଗମରେ ସ୍ନାନ କରିଛନ୍ତି। ପବିତ୍ର ତ୍ରିବେଣୀ ସଙ୍ଗମରେ ସାମାଜିକ ସଦ୍ଭାବନା ଓ ସଦିଚ୍ଛାର ପ୍ରତୀକ ‘ମହାକୁମ୍ଭ’ରେ ଶ୍ରଦ୍ଧାଳୁ ସନ୍ଥଙ୍କ ଉପସ୍ଥିତିରେ ସ୍ନାନ କରିବା ପରେ ଶ୍ରୀ ଅମିତ ଶାହ ତାଙ୍କ ଅନୁଭୂତି ଏକ୍ସରେ ପୋଷ୍ଟ କରିଛନ୍ତି। ସମସ୍ତଙ୍କ ମଙ୍ଗଳ ପାଇଁ ସେ ମା’ ଗଙ୍ଗା, ମା’ ଯମୁନା ଓ ମା’ ସରସ୍ୱତୀଙ୍କୁ ପ୍ରାର୍ଥନା କରିଥିଲେ।

କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ କହିଛନ୍ତି ଯେ ମହାକୁମ୍ଭ ଦେଶବାସୀଙ୍କ ମଧ୍ୟରେ ସନାତନ ପରମ୍ପରା ପ୍ରତି ଏକତା ଏବଂ ଗର୍ବର ଭାବନା ବଢ଼ାଉଛି। ସେ ସଙ୍ଗମ କୂଳରେ ପରିବାର ସହ ପୂଜାର୍ଚ୍ଚନା କରିବା ସହ ଦେଶବାସୀଙ୍କ ସମୃଦ୍ଧି ଓ ଉନ୍ନତି ପାଇଁ ପ୍ରାର୍ଥନା କରିଥିଲେ।

ଶ୍ରୀ ଅମିତ ଶାହ କହିଥିଲେ ଯେ ମହାକୁମ୍ଭ ସନାତନ ସଂସ୍କୃତିର ନିରବଚ୍ଛିନ୍ନ ପ୍ରବାହର ଏକ ଅନନ୍ୟ ପ୍ରତୀକ । କୁମ୍ଭ ଆମର ସନାତନ ଜୀବନ ଦର୍ଶନର ସମନ୍ୱୟ ଓ ପ୍ରତିଫଳନ । ସମଗ୍ର ବିଶ୍ୱକୁ ସମାନତା ଓ ସଦ୍ଭାବନାର ବାର୍ତ୍ତା ଦେଉଥିବା ସନାତନ ଧର୍ମର ମହାକୁମ୍ଭ କେବଳ ଏକ ତୀର୍ଥସ୍ଥଳୀ ନୁହେଁ ବରଂ ଦେଶର ବିବିଧତା, ବିଶ୍ୱାସ ଓ ଜ୍ଞାନ ପରମ୍ପରାର ସଂଗମ।

Categories
ଜାତୀୟ ଖବର ଧର୍ମ ବିଶେଷ ଖବର

ମହାକୁମ୍ଭ ନଗରରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ, ଧର୍ମ ଏବଂ ଜାତୀୟତାବାଦର ମହାସଂଗମ

ନୂଆଦିଲ୍ଲୀ: ଦେବଭୂମି ପ୍ରୟାଗରାଜରେ ଆନନ୍ଦ ଉଲ୍ଲାସର ସହ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି। ବିଶ୍ୱାସ ଓ ଭକ୍ତିର ଏହି ଅନନ୍ୟ ମେଳାରେ ସଙ୍ଗମରେ ବୁଡ ପକାଇବା ପାଇଁ ଶହ ଶହ ଶ୍ରଦ୍ଧାଳୁ ଏକତ୍ରିତ ହୋଇଥିଲେ। ତେବେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ମହାକୁମ୍ଭ ଯାତ୍ରା ପଡିଆ ଓ ଆଖଡାରେ ଜାତୀୟତାବୋଧ ଛାଇଯାଇଥିଲା। ସାଧୁ ସନ୍ଥଙ୍କ ଆଖଡା, ଶ୍ରଦ୍ଧାଳୁଙ୍କ କ୍ୟାମ୍ପ, ବିଭିନ୍ନ ସରକାରୀ ଅସ୍ଥାୟୀ ଶିବିରରେ ଜାତୀୟ ପତାକା ଉତୋଳନ ଉତ୍ସବ ପାଳିତ ହୋଇଥିଲା।

ସାଧାରଣତନ୍ତ୍ର ଦିବସରେ ମହାକୁମ୍ଭରେ ବରିଷ୍ଠମାନଙ୍କ ଯୋଗଦାନ ଏହାକୁ ଅଧିକ ଉଚ୍ଚକିତ କରିଥିଲା। ସ୍ୱତନ୍ତ୍ର କ୍ୟାମ୍ପ ଓ ବୃଦ୍ଧାଶ୍ରମରେ ବି ଅନୁରୂପ ଆୟୋଜନ କରାଯାଇଥିଲା। ସଙ୍ଗମରେ ବୁଡ ପକାଇ ଏହି ଅସ୍ଥାୟୀ ଶିବିରରେ ବରିଷ୍ଠ ନାଗରିକମାନେ ଆରାମ କରିବା ପାଇଁ ବ୍ୟବସ୍ଥା କରାଯାଇଥିଲା।

ମହାକୁମ୍ଭର ପଡିଥିବା ସାମାଜିକ ସଶକ୍ତିକରଣ କ୍ୟାମ୍ପରେ ଏକ ଅନନ୍ୟ କଥା ଦୃଷ୍ଟି ଗୋଚର ହୋଇଥିଲା। ମୀର୍ଜାପୁର ବୃଦ୍ଧାଶ୍ରମରୁ ଆସିଥିବା ୭୦ ବର୍ଷୀୟ ଜନୈକ ମୁନ୍ନି ଦେବୀ ପତାକା ଉତୋଳନ କରିଥିଲେ । ମହାକୁମ୍ଭ କେବଳ ବିଶ୍ୱାସ ଓ ଆସ୍ଥାର ପ୍ରତୀକ ନୁହେଁ ବରଂ ଏହା ସମାଜର ବିଭିନ୍ନବର୍ଗର ଲୋକଙ୍କ ଏକ ଅନନ୍ୟ ଉତ୍ସବ ବୋଲି ପ୍ରତୀତ ହୋଇଥିଲା। ମୁନ୍ନି ଦେବୀଙ୍କ ପରି ଜଣେ ବୟୋବୃଦ୍ଧ ମହିଳାଙ୍କ ଉପସ୍ଥିତି ଏହା ପ୍ରତିପାଦିତ କରିଥିଲା।

ବୃଦ୍ଧାଶ୍ରମରେ ରହୁଥିବା ଲୋକଙ୍କ ପାଇଁ ଉତରପ୍ରଦେଶ ସରକାରଙ୍କ ଦ୍ୱାରା ମହାକୁମ୍ଭରେ ଶହେ ଶଯ୍ୟା ବିଶିଷ୍ଟ ଏକ ଅସ୍ଥାୟୀ ଶିବିର ବି ଆୟୋଜନ କରାଯାଇଛି । ସଙ୍ଗମରେ ବୁଡ ପକାଇବା କିମ୍ବା ଯାତ୍ରା ବେଳେ କୌଣସି ସମସ୍ୟାରେ ପଡୁଥିବା ବୟୋବୃଦ୍ଧଙ୍କ ବିଶ୍ରାମ ପାଇଁ ଏହା ନିର୍ମାଣ କରାଯାଇଥିବା କୁହାଯାଇଛି। ତେବେ ଆଜିଯାଏ ସାରା ରାଜ୍ୟରୁ ପ୍ରାୟ ୪୫୦ ବୟୋବୃଦ୍ଧ ସଙ୍ଗମରେ ବୁଡ ପକାଇଥିବା ସୂଚନା ମିଳିଛି।

ଏହି ଅବସରରେ ବିଭିନ୍ନ ଆଖଡା, ସରକାରୀ ଓ ସାମାଜିକ ସଙ୍ଗଠନ କ୍ୟାମ୍ପରେ ଦେଶାତ୍ମବୋଧକ ସଙ୍ଗୀତ ଗାନ କରାଯାଇଥିଲା। ଏହାଛଡା ଏହି ଅବସରରେ ବି ଯୋଗ ଶିବିର ଆୟୋଜନ କରାଯାଇଥିଲା। ମହାକୁମ୍ଭରେ ଉଭୟ ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଏହି ଯୋଗ ଶିବିର ଯଥେଷ୍ଟ ଉପାଦାନ ଯୋଗାଇଥିଲା।

ମହାକୁମ୍ଭରେ ସାଧାରଣତନ୍ତ୍ର ଦିବସ ପାଳନ କେବଳ ଜାତୀୟତାବୋଧ  ଉଦ୍ରେକ କରିନାହିଁ ବରଂ ସାମାଜର ସବୁବର୍ଗର ଲୋକଙ୍କୁ ଏକାଠି କରିବାରେ ଏହା ପ୍ରମୁଖ ସହାୟକ ହୋଇ ପାରିଛି । ଏହି କାର୍ଯ୍ୟକ୍ରମ କେବଳ ସାମ୍ୟତାର ବାର୍ତା ପ୍ରଚାର କରିନାହିଁ ବରଂ ବରିଷ୍ଠଙ୍କୁ ସମ୍ମାନ ଦେବା କ୍ଷେତ୍ରରେ ଏକ ଅନନ୍ୟ ଉତ୍ସବରେ ପରିଣତ ହୋଇପାରିଛି।

Categories
ଜାତୀୟ ଖବର ବିଶେଷ ଖବର

ଭାରତୀୟ ଆଧ୍ୟାତ୍ମିକ ଚେତନା, ସାଂସ୍କୃତିକ, ପରମ୍ପରାର ଅପୂର୍ବ ସମ୍ମେଳନ: ପ୍ରୟାଗରାଜ ମହାକୁମ୍ଭ  

ପ୍ରୟାଗରାଜ: ଭାରତର ମହାନ ଓ ସମୃଦ୍ଧ ଆଧ୍ୟାତ୍ମିକ ଚେତନାର ପ୍ରତୀକ ହେଉଛି ପ୍ରୟାଗରାଜ ମହାକୁମ୍ଭ। ଚଳିତ ବର୍ଷ ଜାନୁଆରୀ ୨୩ ସୁଦ୍ଧା ୧୦ କୋଟିରୁ ଅଧିକ ଶ୍ରଦ୍ଧାଳୁ ଏହି ପୁଣ୍ୟଭୂମି ପ୍ରୟାଗରାଜକୁ ଆସି ତ୍ରିବେଣୀ ସଂଗମରେ ସ୍ନାନ କରିବାର ସୌଭାଗ୍ୟପ୍ରାପ୍ତ ହୋଇଛନ୍ତି। ମକର ସଂକ୍ରାନ୍ତିରେ (୧୪ ଜାନୁଆରୀ ୨୦୨୫), କେବଳ ଗୋଟିଏ ଦିନରେ ସାଢ଼େ ୩ କୋଟି ଶ୍ରଦ୍ଧାଳୁ ତ୍ରିବେଣୀ ସଂଗମରେ ବୁଡ଼ ପକାଇ ରାଜସ୍ନାନ କରିଛନ୍ତି। ଆଶା କରାଯାଉଛି ଚଳିତ ବର୍ଷ ୪୫ କୋଟିରୁ ଅଧିକ ଶ୍ରଦ୍ଧାଳୁ ମହାକୁମ୍ଭରେ ଯୋଗ ଦେବେ। ଏଇ ଜାନୁଆରୀ ୧୬ ତାରିଖରେ ୧୦ଟି ଦେଶରୁ ଆସିଥିବା ୨୫ ଜଣିଆ ବିଦେଶୀ ପ୍ରତିନିଧି ଦଳ ମଧ୍ୟ ପବିତ୍ର ତ୍ରିବେଣୀ ସଂଗମରେ ବୁଡ଼ ପକାଇଛନ୍ତି। ଏହି ପ୍ରତିନିଧି ଦଳରେ ଥିଲେ ଫିଜି, ଫିନଲାଣ୍ଡ, ଗୁଏନା, ମାଲେସିଆ, ସିଙ୍ଗାପୁର, ଦକ୍ଷିଣ ଆଫ୍ରିକ, ଶ୍ରୀଲଙ୍କା, ତ୍ରିନିଦାଦ ଓ ଟବାଗୋ ଏବଂ ୟୁଏଇର ନାଗରିକ। ମହାକୁମ୍ଭର ଆଧ୍ୟାତ୍ମିକ ମହତ୍ୱ ଓ ଐତିହ୍ୟ ଦେଖି ସେମାନେ ହୋଇଥିଲେ ବିମୋହିତ। ଏହି ବିଦେଶୀ ଅତିଥିଙ୍କ ରହିବାର ସରକାରଙ୍କ ପକ୍ଷରୁ ଅରାଇଲ୍ ର ଟେଣ୍ଟ ସିଟିରେ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଥିଲା।

ଦେଶର କୋଣ ଅନୁକୋଣରୁ ଆସିଥିବା ଶ୍ରଦ୍ଧାଳୁ ଏପରିକି ବିଦେଶରୁ ଆସିଥିବା ଅତିଥିଙ୍କ ରହଣିକୁ ସ୍ମରଣୀୟ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଛି ବ୍ୟାପକ ବ୍ୟବସ୍ଥା । ଟିକିନିଖି ଭାବେ ସବୁ ସୁବ୍ୟବସ୍ଥିତ କରାଯାଇଛି। ଅତ୍ୟାଧୁନିକ ଟେକ୍ନୋଲଜି, ଭିତ୍ତିଭୂମିର ବିକାଶ ଓ ନିରନ୍ତର ଯୋଜନାକୁ ଦେଖିଲେ କୌଣସି ସମାବେଶ ଆୟୋଜନ ଓ ସାଂସ୍କୃତିକ ବିନିମୟରେ ଏକ ବେଞ୍ଚମାର୍କ ସ୍ଥାପନ କରିଛି ମହାକୁମ୍ଭର ଏହି ସଂସ୍କରଣ। ରାଜସ୍ନାନଠୁ ଆରମ୍ଭ କରି ଆକର୍ଷଣୀୟ ଆଖଡ଼ା ଶୋଭାଯାତ୍ରା, ଡିଜିଟାଲ ସୃଜନଠାରୁ ଆରମ୍ଭ କରି ନିରନ୍ତର ପ୍ରଗତିର ବଡ଼ ବଡ଼ ପ୍ରକଳ୍ପ ପର୍ଯ୍ୟନ୍ତ ଏଇ ମହାକୁମ୍ଭ ୨୦୨୫  ହେଉଛି ଅତୀତ ଓ ଭବିଷ୍ୟତର ଅପୂର୍ବ ସଂଗମ।

ମହାକୁମ୍ଭର ପ୍ରମୁଖ ଆକର୍ଷଣ

ଆସ୍ଥା, ସଂସ୍କୃତି ଓ ଅନୁସୃଜନର ଏକ ସମୃଦ୍ଧ ପଟ୍ଟଚିତ୍ର ହେଉଛି ପ୍ରୟାଗରାଜର ମହାକୁମ୍ଭ ମେଳା ୨୦୨୫। ଏହାର ମଧ୍ୟ ଭାଗରେ ଶୋଭା ପାଉଛି ତେଜସ୍ ପେଣ୍ଡାଲ। ୮୫ ଫୁଟ୍ ଉଚ୍ଚତା ବିଶିଷ୍ଟ ଏହି ବିରାଟ ତେଜସ୍ ପେଣ୍ଡାଲ ହେଉଛି ହାଲ୍ ର ତେଜସ୍ ଯୁଦ୍ଧ ବିମାନର ଏକ ମଡେଲ। ପ୍ରୟାଗରାଜ ମହାକୁମ୍ଭ ମେଳାର ଆଉ ଏକ ପ୍ରମୁଖ ପରିଚୟ ହେଉଛି ଆଖଡ଼ା । ଉଭୟ ଆଧ୍ୟାତ୍ମିକ ଓ ସାମରିକ କୌଶଳ ପରମ୍ପରାର ତତ୍ତ୍ୱାବଧାରକ ହେଉଛନ୍ତି ଏହି ଆଖଡ଼ା।

ଦେଶର ବିଭିନ୍ନ ପ୍ରାନ୍ତରରୁ ଆସିଥିବା କାରିଗରଙ୍କୁ ନିଜ ହାତର ଯାଦୁ ଦେଖାଇବାର ଅପୂର୍ବ ସୁଯୋଗ ଆଣି ଦେଇଛି “ଏକ ଜିଲ୍ଲା ଏକ ଉତ୍ପାଦ” ପ୍ରଦର୍ଶନୀ। ସେହିପରି ଭାରତୀୟ ହସ୍ତଶିଳ୍ପ, ଖାଦ୍ୟ ପାନୀୟ ଓ ସଂସ୍କୃତିର ଏକ ଜୀବନ୍ତ ସଂଗ୍ରହାଳୟ ହେଉଛି କଳାଗ୍ରାମ।

ଦର୍ଶକଙ୍କ ମନ ମୋହୁଛି ପ୍ରୟାଗ ମାହ୍ୟତ୍ମମ୍ ଓ ସମୁଦ୍ର ମନ୍ଥନ ଉପରେ ଆଧାରିତ ଡ୍ରୋନ ସୋ। ଏହା ସହିତ ପ୍ରତିଦିନ ଆୟୋଜିତ ହେଉଛି ସାଂସ୍କୃତିକ କାର୍ଯ୍ୟକ୍ରମ। ଏଥିରେ ସଂଗୀତ ପରିବେଷଣ କରୁଛନ୍ତି ଶଙ୍କର ମହାଦେବନ, ମୋହିତ ଚୌହାନ, କୈଳାସ ଖେରଙ୍କ ପରି ବହୁ ନାମୀ ଦାମୀ କଳାକାର। ସେମାନଙ୍କର ଭକ୍ତିଭାବ ପୂର୍ଣ୍ଣ ସଂଗୀତ ମହାକୁମ୍ଭରେ ଏକ ନିଆରା ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରୁଛି। ଏପରି କାର୍ଯ୍ୟକ୍ରମ ୨୦୨୫ ଫେବ୍ରୁଆରି ୨୪ ଯାଏ ଚାଲିବ।

ପ୍ରମୁଖ ସ୍ନାନର ତିଥି ଓ ସେଗୁଡ଼ିକର ମହତ୍ତ୍ୱ

ମହାକୁମ୍ଭର ପ୍ରାଣ ହେଉଛି ଏହାର ପବିତ୍ର ସ୍ନାନ ରୀତିନୀତି ( ରାଜସ୍ନାନ)

ମହାକୁମ୍ଭ ୨୦୨୫ର ପ୍ରମୁଖ ରାଜସ୍ନାନଗୁଡ଼ିକ ହେଲା

୨୦୨୫ ଜାନୁଆରି ୨୯ ତାରିଖ: ମୌନି ଅମାବାସ୍ୟାରେ ହେବ ଦ୍ୱିତୀୟ ରାଜସ୍ନାନ

ବିଶ୍ୱାସ କରାଯାଏ, ମୌନି ଅମାବାସ୍ୟାର ଏହି ମାହେନ୍ଦ୍ର ବେଳାରେ ଗଙ୍ଗା ପରି ପବିତ୍ର ନଦୀରେ ବୁଡ଼ ପକାଇବା ଦ୍ୱାରା ସୌଭାଗ୍ୟପ୍ରାପ୍ତି ହୋଇଥାଏ। ପୌରାଣିକ କଥା ଅନୁସାରେ, ଏହି ଦିନ ମହାମୁନି ରିଷଭ ଦେବ ମୌନବ୍ରତ ଭାଙ୍ଗି ସଂଗମର ଏହି ପବିତ୍ର ଜଳରେ ସ୍ନାନ କରିଥିଲେ। ଏହି କାରଣରୁ କୁମ୍ଭମେଳାର ମୌନି ଅମାବାସ୍ୟା ତିଥିରେ ସବୁଠୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ଏଥିପାଇଁ ମୌନି ଅମାବାସ୍ୟା ହେଉଛି ଆଧ୍ୟାତ୍ମିକ, ଭକ୍ତି ଓ ଆତ୍ମା ଶୁଦ୍ଧିକରଣର ଏକ ଅପୂର୍ବ ଦିନ।

୩ ଫେବ୍ରୁଆରି ୨୦୨୫ ବସନ୍ତ ପଞ୍ଚମୀରେ ତୃତୀୟ ରାଜସ୍ନାନ

ହିନ୍ଦୁ ପୌରାଣିକ ଆଖ୍ୟାନ ଅନୁସାରେ ବସନ୍ତ ପଞ୍ଚମୀରେ ବିଦ୍ୟାଦାତ୍ରୀ ସରସ୍ୱତୀଙ୍କ ଆବାହନ କରାଯାଇଥାଏ। ଋତୁ ପରିବର୍ତ୍ତନର ପ୍ରତୀକ ମଧ୍ୟ ହେଉଛି ଏହି ବସନ୍ତ ପଞ୍ଚମୀ।

୧୨ ଫେବ୍ରୁଆରି ୨୦୨୫ ମାଘ ପୂର୍ଣ୍ଣିମା ସ୍ନାନ

ମାଘ ପୂର୍ଣ୍ଣିମାରେ ଗୁରୁ ବୃହସ୍ପତିଙ୍କ ଉପାସନା କରାଯାଇଥାଏ। ଏହା ସହିତ ବିଶ୍ୱାସ କରାଯାଏ ଯେ, ଗନ୍ଧର୍ବ ଏହି ଦିନ ସ୍ୱର୍ଗରୁ ପବିତ୍ର ସଂଗମକୁ ଅବତରଣ କରିଥିଲେ

୧୨ ଫେବ୍ରୁଆରୀ ୨୦୨୫ ମହା ଶିବରାତ୍ରି

ମହାଶିବରାତ୍ରିରେ ସ୍ନାନ ହେଉଛି କଳ୍ପବାସୀଙ୍କ ଅନ୍ତିମ ପବିତ୍ର ସ୍ନାନ। ଶିବରାତ୍ରୀ ହେଉଛି ଭଗବାନ ଶିବଙ୍କ ପର୍ବ।

ମହାକୁମ୍ଭ ୨୦୨୫ ପାଇଁ ଭିତ୍ତିଭୂମି ଓ ଆୟୋଜନ

କୋଟି କୋଟି ଶ୍ରଦ୍ଧାଳୁଙ୍କୁ ସ୍ୱାଗତ କରିବାକୁ ଓ ସେମାନେ ଯେମିତି ସୁରୁଖୁରୁରେ ପ୍ରୟାଗରାଜର ସଂଗମରେ ବୁଡ଼ ପକାଇବେ ଓ ସେମାନଙ୍କ ରହିବା ଖାଇବା ପିଇବା ବ୍ୟବସ୍ଥା ପାଇଁ ସରକାରଙ୍କ ତରଫରୁ ବିଶ୍ୱସ୍ତରୀୟ ସୁବିଧା କରାଯାଇଛି।

ସୁରକ୍ଷା ଓ ଭିଡ଼ ପରିଚାଳନା: ଅତ୍ୟାଧୁନିକ ସର୍ଭେଲାନସ ବ୍ୟବସ୍ଥା, ଡ୍ରୋନ ସହାୟତାରେ ମନିଟରିଂ ଓ ପରସ୍ପର ସହିତ ସୁସମନ୍ୱୟ ରଖିଥିବା ସୁରକ୍ଷା ସଂସ୍ଥା ଦିନ ରାତି କାମ କରୁଛନ୍ତି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ଅର୍ଦ୍ଧ ସାମରିକ ବାହିନୀ ସହିତ ୫୦ ହଜାରରୁ ଅଧିକ ପୋଲିସ କର୍ମଚାରୀ, ୧୪ ହଜାର ହୋମଗାର୍ଡ ମୁତୟନ ହୋଇଛନ୍ତି। ଏହା ସହିତ ୨୭୫୦ ଏଆଇ ଆଧାରିତ ସିସିଟିଭି ଲଗାଯାଇଛି। ଅଧିକ ସୁରକ୍ଷା ଓ କୌଣସି ପ୍ରକାର ବିପର୍ଯ୍ୟୟର ମୁକାବିଲା କରିବା ପାଇଁ ଅତ୍ୟାଧୁନିକ ବହୁମୁଖୀ ଗାଡ଼ି ମଧ୍ୟ ପ୍ରସ୍ତୁତ ହୋଇ ରହିଛନ୍ତି।

ସାର୍ବଜନୀନ ଭିତ୍ତିଭୂମି : ପ୍ରୟାଗରାଜର ଏହି ମହାକୁମ୍ଭମେଳାକୁ ଦୃଷ୍ଟିରେ ରଖି ୧୪ଟି ନୂଆ ଫ୍ଲାଏ ଓଭର, ୯ଟି ସ୍ଥାୟୀ ଘାଟ, ୭ଟି ନୂଆ ବସଷ୍ଟାଣ୍ଡ, ୧୨ କିଲୋମିଟର ଧରି ଅସ୍ଥାୟୀ ଘାଟ ନିର୍ମାଣ କରାଯାଇଛି। ଏହା ସହିତ ୨୦୦ରୁ ଅଧିକ ରାସ୍ତା ନୂଆ ଭାବେ ନିର୍ମାଣ କରାଯାଇଛି ବା ମରାମତି କରାଯାଇଛି ।

ଗମନାଗମନ : ରାସ୍ତାଘାଟ ସଂପର୍କରେ ଲୋକଙ୍କୁ ସୂଚନା ପ୍ରଦାନ କରିବା ପାଇଁ ୮୦୦ଟି ବହୁଭାଷୀୟ ସାଇନ୍ ବୋର୍ଡ ଲଗାଯାଇଛି। କେଉଁଠି କେତେ ଲୋକ ଅଛନ୍ତି, ଜରୁରୀକାଳୀନ ଆଲର୍ଟ, ଦିଗ ପ୍ରଦର୍ଶନ ଓ ହୋଟେଲ ସଂପର୍କରେ ସେହି ମୁହୂର୍ତ୍ତରେ ସୂଚନା ପ୍ରଦାନ କରୁଛି ଏକ ସ୍ୱତନ୍ତ୍ର ଆପ୍।

ସ୍ୱାସ୍ଥ୍ୟ ଓ ପରିମଳ : ମହାକୁମ୍ଭକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ୬ ହଜାର ଶଯ୍ୟା, ୪୩ଟି ହସପିଟାଲର ବ୍ୟବସ୍ଥା କରାଯାଇଛି। ଏହା ସହିତ ମହାକୁମ୍ଭରେ ପରିଷ୍କାର ପରିଚ୍ଛନ୍ନତା ପାଇଁ ୧୦, ୨୦୦ ସଫେଇ କର୍ମଚାରୀ, ୧୮୦୦ ଗଙ୍ଗା ସେବାଦୂତ ନିୟୋଜିତ ହୋଇଛନ୍ତି।

ଆବାସ: ମହାକୁମ୍ଭ ନଗରକୁ ଏକ ଅସ୍ଥାୟୀ ସହରରେ ପରିଣତ କରାଯାଇଛି। ଭକ୍ତଙ୍କ ରହିବା ପାଇଁ ଏଠାରେ ତିଆରି କରାଯାଇଛି ଟେଣ୍ଟ, ଆଶ୍ରୟସ୍ଥଳୀ ଓ ସୁପର୍ ଡିଲକ୍ସ ଆବାସ।

ଆକାଶବାଣୀର କୁମ୍ଭବାଣୀ : ମହାକୁମ୍ଭ ନଗରରେ ସମସ୍ତ ଶ୍ରଦ୍ଧାଳୁ ଓ ତୀର୍ଥଯାତ୍ରୀଙ୍କୁ ସମସ୍ତ ଜରୁରୀ ସୂଚନା ପ୍ରଦାନ କରିବା ପାଇଁ ଆକାଶବାଣୀର କୁମ୍ଭବାଣୀରେ ଲାଇଭ୍ ଖବର ପ୍ରସାରଣ କରାଯାଉଛି।

ନୂଆ ଇଲେକଟ୍ରିକ ବସ୍: ମହାକୁମ୍ଭ ଆରମ୍ଭ ହେବା ଆଗରୁ ୧୦-୧୫ଟି ଇଲେକଟ୍ରିକ ବସ୍ ଚାଲୁଥିଲା। ଜାନୁଆରି ୨୯ ମୌନି ଅମାବାସ୍ୟା ପୂର୍ବରୁ ଆହୁରି ୩୦ଟି ଇଲେକଟ୍ରିକ ବସ୍ ଚଳାଯାଇଛି। ପ୍ରତ୍ୟେକ ବସ୍ ର ଲମ୍ୱ ହେଉଛି ୧୨ ମିଟର। ଥରେ ଚାର୍ଜ କରାଗଲେ, ଏହା ୨୦୦ କିଲୋମିଟର ପର୍ଯ୍ୟନ୍ତ ଚାଲି ଥାଏ।

ଡବଲ୍ ଡେକର୍ ବସ୍ : ଦ୍ୱିତୀୟ ପର୍ଯ୍ୟାୟରେ ୧୨୦ଟି ବସ୍ ଆସିବାର ଅଛି। ସେଥି ମଧ୍ୟରୁ ୨୦ଟି ହେଉଛି ଡବଲ୍ ଡେକର୍ ବସ୍। ୯ ମିଟର ଓ ୧୨ ମିଟରର ୧୦୦ଟି ବସ୍ ଆସିବାର ଅଛି।

ସଂପ୍ରସାରିତ ରେଳ ସେବା : କୁମ୍ଭ ମେଳା ପାଇଁ ୧୫ ଦିନ ଆଗରୁ ଟିକଟ ବୁକିଂ କରିବାର ବ୍ୟବସ୍ଥା କରିଛି ରେଳ ବିଭାଗ। ଟୋଲ୍ ଫ୍ରି ହେଲପ ଲାଇନ, ଓ୍ୱେବସାଇଟ୍ ଓ ମହାକୁମ୍ଭ ମେଳା ଆପ୍ ରୁ ରେଳ ଚଳାଚଳ ସଂପର୍କରେ ସୂଚନା ମିଳି ପାରିବ।

ମହାକୁମ୍ଭ ୨୦୨୫ରେ ଖାଦ୍ୟ ଓ ସୁରକ୍ଷା ବ୍ୟବସ୍ଥା

ମହାକୁମ୍ଭ ମେଳାରେ ପ୍ରତିଦିନ ପ୍ରାୟ ୨୦ ହଜାର ଲୋକଙ୍କୁ ମାଗଣାରେ ଭୋଜନ ଦିଆଯାଉଛି। ଶ୍ରଦ୍ଧାଳୁଙ୍କ ପାଇଁ ଉତ୍ତର ପ୍ରଦେଶ ସରକାର ୨୫ ହଜାର ନୂଆ ରାସନ କାର୍ଡ ପ୍ରଦାନ କରିଛନ୍ତି। ମହାକୁମ୍ଭର ଶ୍ରଦ୍ଧାଳୁଙ୍କ ପାଇଁ ଏଥର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ୩୫ ହଜାରରୁ ଅଧିକ ଗ୍ୟାସ ସିଲିଣ୍ଡର ରିଫିଲ୍ କରାଯାଇଥିବା ବେଳେ ୩୫୦୦ ନୂଆ କନେକସନ ପ୍ରଦାନ କରାଯାଇଛି। କୁମ୍ଭ ମେଳାରେ ପ୍ରତିଦିନ ୫୦୦୦ ଗ୍ୟାସ ସିଲିଣ୍ଡର ରିଫିଲ୍ କରାଯାଉଛି। ମହାକୁମ୍ଭରେ ମୁଖ୍ୟତଃ ଆଖଡ଼ାର ଅନ୍ତେବାସୀ ଓ କଳ୍ପବାସୀଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରାଯାଇଛି।

ଉତ୍ତର ପ୍ରଦେଶ ସରକାର ଖାଦ୍ୟ ପାନୀୟର ଗୁଣବତ୍ତା ଓ ପରିଷ୍କାର ପରିଚ୍ଛନ୍ନତା ପ୍ରତି ବିଶେଷ ଧ୍ୟାନ ଦେଇଛନ୍ତି। ସେଥିପାଇଁ ମହାକୁମ୍ଭ ଅଞ୍ଚଳକୁ ୫ଟି ଜୋନ୍ ଓ ୨୫ଟି ସେକ୍ଟରରେ ବିଭକ୍ତ କରାଯାଇଛି। ହୋଟେଲ, ଢାବା, ଷ୍ଟଲରେ ଖାଦ୍ୟର ମାନ ଯାଞ୍ଚ କରୁଛନ୍ତି ଫୁଡ୍ ସେଫଟି ଅଧିକାରୀ। ଅପମିଶ୍ରଣକୁ ରୋକିବା ପାଇଁ ସେହି ସ୍ଥାନରେ ହିଁ ଫୁଡ୍ ସେଫଟି ଅନ୍ ହ୍ୱିଲ୍ ଲାବରୋଟୋରି ଦ୍ୱାରା ଯାଞ୍ଚ କରାଯାଉଛି। ଯେଉଁ ଖାଦ୍ୟ ବଣ୍ଟନ କରାଯାଉଛି, ତାହା ଯେମିତି ସଫାସୁତୁରା ଓ ସ୍ୱାସ୍ଥ୍ୟକର ହୋଇଥିବ, ତାହା ଯାଞ୍ଚ କରୁଛନ୍ତି ୧୦ଟି ମୋବାଇଲ୍ ଫୁଡ୍ ଲାବ୍।

ଶେଷ କଥା

ଶ୍ରଦ୍ଧାଳୁଙ୍କ ସମାଗମ, ଭିତ୍ତିଭୂମି ଓ ବିଶ୍ୱର ଧ୍ୟାନ ଆକର୍ଷଣ କରିବାରେ ମହାକୁମ୍ଭ ୨୦୨୫ ନୂଆ ରେକର୍ଡ କରିଛି। ମହାକୁମ୍ଭରେ ଏପର୍ଯ୍ୟନ୍ତ ୧୦ କୋଟିରୁ ଅଧିକ ଶ୍ରଦ୍ଧାଳଙ୍କୁ ସମାଗମ ହେବା କେବଳ ଏହାର ଆଧ୍ୟାତ୍ମିକ ଗୁରୁତ୍ୱ ଦର୍ଶାଉ ନାହିଁ ବରଂ ଏତେ ବଡ଼ କାର୍ଯ୍ୟକ୍ରମକୁ ଅସାଧାରଣ ଭାବେ ଯୋଜନା କରି ସୁରୁଖୁରୁରେ କାର୍ଯ୍ୟକାରୀ କରିବାରେ ଭାରତ ଯେ କେତେ ପାରଙ୍ଗମ, ତାହା ଏଥିରୁ ପ୍ରତିଫଳିତ ହେଉଛି। ପ୍ରୟାଗରାଜର ତ୍ରିବେଣୀ ସଂଗମରେ ବୁଡ଼ ପକାଇବାକୁ କୋଟି କୋଟି ଶ୍ରଦ୍ଧାଳୁଙ୍କ ଆଗମନ ଜାରି ରହିଥିବା ବେଳେ ଆସ୍ଥା, ଏକତା ଓ ସାଂସ୍କୃତିକ ମହାମିଳନ ପାଲଟିଛି ମହାକୁମ୍ଭ।

Categories
ଆଜିର ଖବର ଜାତୀୟ ଖବର

ମହାକୁମ୍ଭରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବିଭିନ୍ନ ମିଡିଆ ୟୁନିଟର ପଦକ୍ଷେପ ସମ୍ପର୍କରେ ବିଭାଗୀୟ ସଚିବଙ୍କ ସମୀକ୍ଷା

ନୂଆଦିଲ୍ଲୀ: ମହାକୁମ୍ଭ ମେଳାରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବିଭିନ୍ନ ମିଡିଆ ୟୁନିଟ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବିଭାଗୀୟ ସଚିବ ସଞ୍ଜୟ ଜାଜୁ ସ୍ଥିତି ସମୀକ୍ଷା କରିଛନ୍ତି। ମଲଟି ମିଡିଆ ହଲରେ ଜନ ଭାଗିଦାରୀରୁ ଜନ କଲ୍ୟାଣ ଉପରେ କରାଯାଇଥିବା  ପ୍ରଦର୍ଶନୀର ସମୀକ୍ଷା କରାଯାଇଛି। ଗତ ଦଶ ବର୍ଷର ବିଭିନ୍ନ ସରକାରୀ ଯୋଜନା, ସଫଳତା, କାର୍ଯ୍ୟକ୍ରମ ଉପରେ ମହାକୁମ୍ଭର ତ୍ରିବେଣୀ ମାର୍ଗରେ ଅନୁଷ୍ଠିତ ହେଉଥିବା ପ୍ରଦର୍ଶନୀକୁ ସଚିବ ବୁଲି ଦେଖିଛନ୍ତି।

ପ୍ରଦର୍ଶନୀକୁ ଏକ ନିଆରା କାର୍ଯ୍ୟକ୍ରମ ବୋଲି ଅଭିହିତ କରି ଏହା ଲୋକାଭିମୁଖୀ ହୋଇଥିବା ସଚିବ କହିଛନ୍ତି। କାନ୍ଥ, ଏଲଇଡି କାନ୍ଥ, ହୋଲୋଗ୍ରାଫିକ ସିଲିଣ୍ଡର ପରି ବିଭିନ୍ନ ଉନ୍ନତମାନର ଯାନ୍ତ୍ରିକ ଜ୍ଞାନ କୌଶଳର ଉପଯୋଗ କରାଯାଇ ଏହି ପ୍ରଦର୍ଶନୀ ଆୟୋଜିତ ହୋଇଥିବା ସେ କହିଛନ୍ତି। ମହାକୁମ୍ଭରେ ପଡିଥିବା ମିଡିଆ ସେଂଟରକୁ ଯାଇ ବିଭିନ୍ନ ସାମ୍ବାଦିକ ବନ୍ଧୁମାନଙ୍କ ପାଇଁ ରହିଥିବା ସୁବିଧା ସୁଯୋଗ ସମ୍ପର୍କରେ ବିଭାଗୀୟ ସଚିବ ସଞ୍ଜୟ ଜାଜୁ ସମୀକ୍ଷା କରିଛନ୍ତି। ସେଠାରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ସହ କଥା ହୋଇ ସେମାନଙ୍କର ସୁବିଧା ଅସୁବିଧା ସମ୍ପର୍କରେ ମଧ୍ୟ ସେ ପଚାରି ବୁଝିଛନ୍ତି।

ମହାକୁମ୍ଭ ମେଳା ଅଂଚଳର ସେକ୍ଟର-୪ରେ ଅବସ୍ଥାପିତ ଦୂରଦର୍ଶନ ଓ ଆକାଶବାଣୀର ଅସ୍ଥାୟୀ କେନ୍ଦ୍ରକୁ ଯାଇ ଶ୍ରୀ ଜାଜୁ ସ୍ଥିତିର ସମୀକ୍ଷା କରିଛନ୍ତି। ରେଡିଓ, ଟେଲିଭିଜନ, ମୋବାଇଲ ଓ ଅନ୍ୟ ମାଧ୍ୟମ ଯୋଗେ ମହାକୁମ୍ଭର ଟିକିନିଖି ଖବର ସମ୍ପର୍କରେ ଲୋକଙ୍କୁ ଅବଗତ କରିବା ପାଇଁ କରାଯାଉଥିବା ସରକାରୀ ଉଦ୍ୟମକୁ ସେ ଭୂୟସୀ ପ୍ରଶଂସା କରିଛନ୍ତି। ପ୍ରସାର ଭାରତୀ ପକ୍ଷରୁ ବହୁମୁଖୀ କ୍ୟାମେରା ବ୍ୟବସ୍ଥାର ଆୟୋଜନ କରାଯାଇଥିବା ବେଳେ ଏଠାରୁ ସିଧା ପ୍ରସାରଣ ପାଇଁ ବି ଉଦ୍ୟମ କରାଯାଉଥିବା ସେ କହିଛନ୍ତି।

କୁମ୍ଭବାଣୀ ରେଡିଓ କାର୍ଯ୍ୟକ୍ରମ ଦ୍ୱାରା ସାଧାରଣ ଜନତାଙ୍କ ପାଖରେ ଖବର ପହଂଚା ଯାଉଥିବା ସେ ଉଲ୍ଲେଖ କରିଛନ୍ତି। ଏଫଏମ ସେବା ପ୍ରସାରଣ ଫଳରେ ସାଧାରଣ ଜନତାଙ୍କ ସମେତ ବହୁ ଶ୍ରଦ୍ଧାଳୁ ଓ ଭକ୍ତ ଉପକୃତ ହେଉଥିବା କୁହାଯାଇଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବିଭିନ୍ନ ପଦାଧିକାରୀଙ୍କ ସହ ବିଭାଗୀୟ ସଚିବ କଥା ହୋଇ ସ୍ଥିତି ସମୀକ୍ଷା କରିଛନ୍ତି।

ଦୀର୍ଘ ୧୪୪ ବର୍ଷ ପରେ ଅନୁଷ୍ଠିତ ହେଉଥିବା ଏହି ମହାକୁମ୍ଭକୁ ସଫଳ କରିବା ପାଇଁ ସମସ୍ତେ ପ୍ରୟାସ କରୁଥିବା ବିଭାଗୀୟ ସଚିବ କହିଛନ୍ତି। ମହାକୁମ୍ଭକୁ ଦେଶର ବିଭିନ୍ନ ପ୍ରାନ୍ତରୁ ବୁଲି ଆସୁଥିବା ସମସ୍ତ ଶ୍ରଦ୍ଧାଳୁ ଦେଶରେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଉଦ୍ୟମ କରିଥିବା କୁହାଯାଇଛି। ଆମ ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ଆଗକୁ ନେବା ପାଇଁ ମହାକୁମ୍ଭ ମେଳାର ଯଥେଷ୍ଟ ଭୂମିକା ରହିଥିବା ସଚିବ ସଞ୍ଜୟ ଜାଜୁ ମତପ୍ରକାଶ କରିଛନ୍ତି। ପରେ ପ୍ରକାଶନୀ ସଂସ୍ଥା ଷ୍ଟଲ ଗସ୍ତ କରି ସଚିବ ସଞ୍ଜୟ ଜାଜୁ ନିଜ ପିଲାଦିନ କଥା ମନେ ପକାଇ ବିହ୍ୱଳିତ ହୋଇଥିଲେ। ଷ୍ଟଲରେ ବାଲ ଭାରତୀ ପତ୍ରିକା ଦେଖି ପିଲା ଦିନର ସୁଖଦ ଅନୁଭୂତିକୁ ସଚିବ ମନେ ପକାଇ ଏହା ନିରନ୍ତର ପ୍ରକାଶ ପାଇବା ଦରକାର ବୋଲି ମତବ୍ୟକ୍ତି କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ମହାକୁମ୍ଭରେ ଆଖଡ଼ା: ସମାବେଶୀ ଓ ପ୍ରତିବଦ୍ଧ ସମାଜିକ ନେତୃତ୍ୱର ଅନନ୍ୟ ନିଦର୍ଶନ

ନୂଆଦିଲ୍ଲୀ: ସନାତନ ସମ୍ପ୍ରଦାୟ, ପରମ୍ପରା ଓ ଅଭ୍ୟାସରେ ଆଖଡ଼ା ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରେ। ‘ଅଖଣ୍ଡ’ ଶବ୍ଦରୁ ସୃଷ୍ଟି ଏହି ବିଚାରଧାରା ପ୍ରଥମେ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ପ୍ରଣୀତ ହୋଇଥିଲା। ତା’ପରେ ନିରନ୍ତର ଭାବେ ଏହା ସାଂଗଠନିକ ରୂପରେ ଆମ ସଂସ୍କୃତି,  ଆଧ୍ୟାତ୍ମିକ ପରମ୍ପରାକୁ ନିରନ୍ତର ଭାବେ ସମାଜରେ ପ୍ରବାହିତ କରି ସାରା ବିଶ୍ୱରେ ସମାବେଶୀ ଓ ପ୍ରତିବଦ୍ଧ ସାମାଜିକ ନେତୃତ୍ୱର ଅନନ୍ୟ ନିଦର୍ଶନ ପାଲଟିଛି। ଯୁଗ ଯୁଗ ଧରି ମହାକୁମ୍ଭର ଆୟୋଜନରେ ତାଙ୍କର ସ୍ଥାନ ସର୍ବାଗ୍ରେ ରହି ଆସିଛି। ସାଧୁ ସନ୍ଥଙ୍କ ଶୃଙ୍ଖଳା ଓ ଦୂରଦୃଷ୍ଟିଦ୍ୱାରା ଆଖଡ଼ାଗୁଡ଼ିକ  ସ୍ୱତନ୍ତ୍ର ମର୍ଯ୍ୟାଦା ସହ ଶ୍ରଦ୍ଧାଳୁଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।

ପ୍ରୟାଗରାଜର ମହାକୁମ୍ଭ ୨୦୨୫ରେ ଉପସ୍ଥିତ ୧୩ଟି ଆଖଡ଼ା ଭିତରେ ଶୈବ, ବୈଷ୍ଣବ ଓ ଉଦାସୀନ ସମ୍ପ୍ରଦାୟ ଉଲ୍ଲେଖନୀୟ। ସେମାନେ ଧାର୍ମିକ ମହତ୍ତ୍ୱ ସହ ଭକ୍ତି, ପୂଜା ଏବଂ ସାମୂହିକ ଜୀବନ ଉପରେ  ଅନନ୍ୟ ଦୃଷ୍ଟିକୋଣକୁ ବ୍ୟାଖ୍ୟା କରନ୍ତି। ଶୈବ ଆଖଡ଼ାର ନେତୃତ୍ୱ ନିଅନ୍ତି ନାଗା ସନ୍ନ୍ୟାସୀ।ସେମାନେ ଭଗବାନ ଶିବଙ୍କୁ ପୂଜା କରନ୍ତି ଏବଂ ନିଜର ଆଧ୍ୟାତ୍ମିକ ଏବଂ ସାମରିକ ଦକ୍ଷତା ପାଇଁ ବେଶ୍‍ ଜଣାଶୁଣା। ପାରମ୍ପରିକ ଅସ୍ତ୍ରଶସ୍ତ୍ର ଯଥା ଭାଲା ଓ ଖଣ୍ଡା ଧରି ଥିବା ଏହି ନାଗା ସନ୍ନ୍ୟାସୀମାନେ କୁମ୍ଭମେଳାରେ ଭବ୍ୟ ଶୋଭାଯାତ୍ରା ଓ ରୀତିନୀତି ମଧ୍ୟମରେ ସାହି ସ୍ନାନର ମହତ୍ତ୍ୱକୁ ବଢ଼ାଇଥାଆନ୍ତି। ଏହି ବର୍ଗରେ ଜୁନା ଆଖଡ଼ାର ନାଗା ସନ୍ନ୍ୟାସୀମାନେ କୁମ୍ଭର ସବୁଠାରୁ ମାନ୍ୟ ଅଂଶଗ୍ରହଣକାରୀ ଭାବେ ଜଣାଯାଆନ୍ତି। କଠୋର ଅଭ୍ୟାସ ଏବଂ  ଆତ୍ମରକ୍ଷା କୌଶଳରେ ପାରଦର୍ଶିତା ଲାଗି ତାଙ୍କର ସ୍ୱତନ୍ତ୍ର ଖ୍ୟାତି ରହିଛି।

ଐତିହାସିକ ଦୃଷ୍ଟିରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆଖଡ଼ା ହେଉଛି ଶ୍ରୀ ପଞ୍ଚଦଶନାମ ଆବାହନ ଆଖଡ଼ା, ଯାହା ୧୨୦୦ ବର୍ଷରୁ ଅଧିକ ସମୟ ଧରି କୁମ୍ଭମେଳାର ଅଂଶଗ୍ରହଣ କରିଆସୁଛି। ହନ୍ତ ଗୋପାଳ ଗିରିଙ୍କ ନେତୃତ୍ୱରେ ଏହି ଆଖଡ଼ା ଛଡ଼ି ଯାତ୍ରାର ପବିତ୍ର ପରମ୍ପରାକୁ ବଜାୟ ରଖିଛି। ଏହାର ନିରନ୍ତର ଉପସ୍ଥିତି ସନାତନ ଧର୍ମର ଆଧ୍ୟାତ୍ମିକ ଐତିହ୍ୟର ସଂରକ୍ଷଣରେ ଆଖଡ଼ାମାନଙ୍କର କାଳଜୟୀ ପ୍ରାସଙ୍ଗିକତାକୁ ସୂଚାଇଥାଏ।

କୁମ୍ଭରେଶ୍ରୀ ପଞ୍ଚ ନିର୍ମୋହୀ ଆନି ଆଖଡ଼ା, ଶ୍ରୀ ପଞ୍ଚ ନିର୍ବାଣୀ ଆନି ଆଖଡ଼ା ଏବଂ ପଞ୍ଚ ଦିଗମ୍ବର ଅନି ଆଖଡ଼ା ସମେତ ବୈଷ୍ଣବ ଆଖଡ଼ାଙ୍କ ଭାଗିଦାରୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ଆଖଡ଼ାମାନେ ଭଗବାନ ବିଷ୍ଣୁଙ୍କ ପୂଜା କରିଥଆନ୍ତି।  ଭଗବାନ ହନୁମାନଙ୍କ ପ୍ରତିମୂର୍ତ୍ତି ଥିବା ଧର୍ମ ଧ୍ୱଜ ଏହି ଆଖଡ଼ା ପକ୍ଷରୁ ଭକ୍ତଙ୍କୁ ପ୍ରଦାନ କରାଯାଇଥାଏ। ଏହା ଦିବ୍ୟ ସୁରକ୍ଷା ଏବଂ ଆଶୀର୍ବାଦର ପ୍ରତୀକ।

ପ୍ରଥମଥର ପାଇଁ ପ୍ରୟାଗରାଜର ମହାକୁମ୍ଭରେ ସାମିଲ ମହିଳାଙ୍କ ଆଖଡ଼ା ଏଥର ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି।  ପ୍ରାୟ ୧୦୦୦ ମହିଳା ଏହି ଆଖଡ଼ାରେ ଯୋଗ ଦେଇଛନ୍ତି। ସଂସ୍କୃତରେ ପିଏଚଡି ପ୍ରାର୍ଥୀ ରାଧେନନ୍ଦ ଭାରତୀଙ୍କ ଭଳି ମହିଳାଙ୍କ ସମେତ ଅନେକ ବିଦ୍ୱତୀ ଏଥିରେ ଯୋଗ  ଦେଇଛନ୍ତି। ଆଖଡ଼ାରେ ନାରୀମାନଙ୍କୁ ଅନ୍ତର୍ଭୁକ୍ତ କରି ଆଧ୍ୟାତ୍ମିକ ଜୀବନରେ ସେମାନଙ୍କ ଭୂମିକାକୁ ସ୍ୱୀକୃତି ପ୍ରଦାନ କରେ।

ଏହି ଆନ୍ଦୋଳନର ଏକ ପ୍ରମୁଖ ଭୂମିକା ହେଉଛି କୁମ୍ଭର ସବୁଠାରୁ ବଡ଼ ଏବଂ ପ୍ରଭାବଶାଳୀ ଆଖଡ଼ା ଶ୍ରୀ ପଞ୍ଚଦଶନାମ ଜୁନା ଆଖଡ଼ା। ଏହି ଆଖଡ଼ାରେ ୨୦୦ରୁ ଅଧିକ ମହିଳା ସନ୍ନ୍ୟାସୀ ରହିଛନ୍ତି। ପୁଣି ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଲିଙ୍ଗଗତ ସମାନତାକୁ ଗ୍ରହଣ କରି ଏହି ଆଖଡ଼ାମାନେ କେବଳ ସେମାନଙ୍କର ଆଭ୍ୟନ୍ତରୀଣ ଢାଞ୍ଚାକୁ ନୂଆ ରୂପ ଦେଉନାହାନ୍ତି ବରଂ ଭାରତର ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଢାଞ୍ଚାରେ ସକ୍ରିୟ ଯୋଗଦାନ କରିବା ପାଇଁ ମହିଳାମାନଙ୍କୁ ସଶକ୍ତ କରୁଛନ୍ତି।

ଅନ୍ୟତମ ଧନୀ ଓ ପ୍ରଭାବଶାଳୀ ଆଖଡ଼ା ହେଉଛି ମହା ନିର୍ବାଣୀ ଆଖଡ଼ା। ଏହା ମଧ୍ୟ ଲିଙ୍ଗଗତ ସାମ୍ୟ ପ୍ରତିଷ୍ଠାରେ ଆଗରେ ରହିଛି। ମହିଳାମାନଙ୍କ ପାଇଁ ମହାମଣ୍ଡଳେଶ୍ୱର ପାହ୍ୟା ପ୍ରତିଷ୍ଠା କରିଥିବା ପ୍ରଥମ ଆଖଡ଼ା ଭାବରେ ଏହା ପରିଚିତ। ସାଧ୍ୱୀ ଗୀତା ଭାରତୀ ଏବଂ ସନ୍ତୋଷ ପୁରୀଙ୍କ ଭଳି ମହିଳା ମହାମଣ୍ଡଳେଶ୍ୱରଙ୍କ ଅଂଶଗ୍ରହଣ ଆଧ୍ୟାତ୍ମିକ ସମ୍ପ୍ରଦାୟର ନେତୃତ୍ୱ ଏବଂ ମାର୍ଗଦର୍ଶନ ପାଇଁ ମହିଳାମାନଙ୍କୁ ସମାନ ସୁଯୋଗ ପ୍ରଦାନ କରିବା କ୍ଷେତ୍ରରେ ଆଖଡ଼ାର ପ୍ରତିବଦ୍ଧତାକୁ ଦର୍ଶାଇଥାଆନ୍ତି। ଏହା ବ୍ୟତୀତ ମହା ନିର୍ବାଣୀଆଖଡ଼ାରେ ପରିବେଶ ସଂରକ୍ଷଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି, ଯାହା ସାମାଜିକ ଏବଂ ଆଧ୍ୟାତ୍ମିକ ଦାୟିତ୍ୱ ପ୍ରତି ଆଖଡ଼ାର ବ୍ୟାପକ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। ସେହିପରି ମହାକୁମ୍ଭରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ହେଉଛି କିନ୍ନର ଆଖଡ଼ାର ଉପସ୍ଥିତି। ଏହା ମହାକୁମ୍ଭକୁ ଏକ ସମାବେଶୀ ସ୍ଥାନ ଭାବରେ ପରିସ୍ଫୁଟିତ କରିଛି।

ମହାକୁମ୍ଭ- ୨୦୨୫ରେ ଏହି ପ୍ରମୁଖ ଆଖଡ଼ାମାନଙ୍କର ଯୋଗଦାନ ଭାରତର ଆଧ୍ୟାତ୍ମିକ ଜୀବନରେ ଆଖଡ଼ାମାନଙ୍କର ସ୍ଥାୟୀ ପ୍ରାସଙ୍ଗିକତାର ପ୍ରମାଣ ଦିଏ। ଏହି ଅନୁଷ୍ଠାନଗୁଡ଼ିକ କେବଳ ସନାତନ ଧର୍ମର ଆଧ୍ୟାତ୍ମିକ ଓ ସାଂସ୍କୃତିକ ମୂଲ୍ୟବୋଧକୁ ବଜାୟ ରଖନ୍ତି ନାହିଁ ବରଂ ଆଧୁନିକ ସମ୍ବେଦନଶୀଳତାକୁ ଗ୍ରହଣ କରି ଅନ୍ତର୍ଭୁକ୍ତୀକରଣ ଏବଂ ସମାନତାକୁ ଗ୍ରହଣ କରନ୍ତି। ମହାକୁମ୍ଭରେ ଆଖଡ଼ାମାନେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ଆଧ୍ୟାତ୍ମିକ ଉନ୍ନତି, ଶୃଙ୍ଖଳା ଓ ଏକତାର ମାର୍ଗ ପ୍ରଦାନ କରି ପ୍ରେରଣା ଯୋଗାଇ ଆସୁଛନ୍ତି । ଆସନ୍ତା ଦିନମାନଙ୍କରେ ସେମାନଙ୍କ ପ୍ରତିବଦ୍ଧତା ଭାରତୀୟତା ମନ୍ତ୍ରକୁ ଚିରନ୍ତନୀକରିବ ଏଥିରେ ସନ୍ଦହ ନାହିଁ।

Categories
ଆଜିର ଖବର ଜାତୀୟ ଖବର

୧.୫ ଲକ୍ଷ ବିଦେଶୀ ପର୍ଯ୍ୟଟକଙ୍କ ସମେତ ୪୫ କୋଟିରୁ ଅଧିକ ଶ୍ରଦ୍ଧାଳୁ ମହାକୁମ୍ଭରେ ଯୋଗ ଦେବାର ସମ୍ଭାବନା

ନୂଆଦିଲ୍ଲୀ: ମହାକୁମ୍ଭର ଆଧ୍ୟାତ୍ମିକ, ସାଂସ୍କୃତିକ ଓ ଅର୍ଥନୈତିକ ଗୁରୁତ୍ୱ ସଂପର୍କରେ ନୂଆଦିଲ୍ଲୀରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଜବାହରଲାଲ ନେହରୁ ଭବନରେ ବିଦେଶୀ ସାମ୍ବାଦିକମାନଙ୍କୁ ଅବଗତ କରାଯାଇଛି। ଏଥିରେ ଯୋଗ ଦେଇଥିଲେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଓ ଉତ୍ତର ପ୍ରଦେଶ ସରକାରଙ୍କ ବରିଷ୍ଠ ଅଧିକାରୀ।

ସାରା ବିଶ୍ୱରୁ ୧୦ଲକ୍ଷରୁ ଅଧିକ ବିଦେଶୀ ଶ୍ରଦ୍ଧାଳୁ ମହାକୁମ୍ଭରେ ଯୋଗ ଦେବାର ଆଶା କରାଯାଉଥିବା ବେଳେ ଏହି ମହାକୁମ୍ଭ ୨୦୨୫ ହେଉଛି ଆତ୍ମ-ଅନ୍ୱେଷଣ, ଧାର୍ମିକ ଓ ସାଂସ୍କୃତିକ ପ୍ରତୀକ। ଉତ୍ତରପ୍ରଦେଶ ସରକାରଙ୍କ ଅଧିକାରୀମାନେ ମହାକୁମ୍ଭ ୨୦୨୫ କେତେ ବଡ଼ ସେ ସଂପର୍କରେ ସମସ୍ତ ସୂଚନା ଦେଇ କହିଥଲେ, ଏହା ହେଉଛି ବିଶ୍ୱର ସବୁଠୁ ବଡ଼ ଧାର୍ମିକ ସମାବେଶ।

ବୈଦେଶିକ ମନ୍ତ୍ରଣାଳୟ ଓ ଉତ୍ତର ପ୍ରଦେଶ ସରକାରଙ୍କ ଦ୍ୱାରା ମିଳିତ ଭାବେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାକୁମ୍ଭର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଗୁରୁତ୍ୱ ସଂପର୍କରେ ଆଲୋକପାତ କରାଯାଇଥଲା। ମହାକୁମ୍ଭ ୨୦୨୫ ଜାନୁଆରି ୧୩ରୁ ଆରମ୍ଭ ହୋଇଥିବା ବେଳେ ଫେବ୍ରୁଆରି ୧୩ ତାରିଖରେ ଶେଷ ହେବ। ପୁରାଣର ସମୁଦ୍ର ମନ୍ଥନ ସହିତ ଏହି ମହାକୁମ୍ଭ ଜଡ଼ିତ। ସମୁଦ୍ର ମନ୍ଥନରୁ ବାହାରିଥିବା ଅମୃତ ପ୍ରୟାଗରାଜ, ହରିଦ୍ୱାର, ଉଜ୍ଜୟିନୀ ଓ ନାସିକ ପଡ଼ିଥିବାର ବିଶ୍ୱାସ କରାଯାଏ। ତେଣୁ ଏହି ୪ଟି ପବିତ୍ର ଧର୍ମପୀଠରେ ମହାକୁମ୍ଭ ଅବସରରେ ପବିତ୍ର ସ୍ନାନ କରିବାର ପରମ୍ପରା ଅଛି । ଏହା ହେଉଛି ଆତ୍ମାର ପବିତ୍ରକରଣ ଓ ନିଜକୁ ନିଜେ ଚିହ୍ନିବାର ପ୍ରତୀକ।

ସରକାରଙ୍କ ଆକଳନ ଅନୁସାରେ ୧୫ ଲକ୍ଷ ବିଦେଶୀ ପର୍ଯ୍ୟଟକଙ୍କ ସମେତ ୪୫ କୋଟିରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ ମହାକୁମ୍ଭ ୨୦୨୫ରେ। ଏହା ତୁଳନାରେ ୨୦୧୯ କୁମ୍ଭମେଳାରେ ପ୍ରାୟ ୨୫ କୋଟି ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ମହାକୁମ୍ଭକୁ ଏକତା ଓ ସମାନତାର ସଂଗମସ୍ଥଳୀ ଭାବେ ଦେଖା ଯାଉଛି ଯାହାକି ବିଭିନ୍ନ ସଂସ୍କୃତି, ବିଭିନ୍ନ ପରମ୍ପରାର କୋଟି କୋଟି ଲୋକଙ୍କୁ ଗୋଟିଏ ସ୍ଥାନରେ ସମବେତ କରିଛି।

ବିଦେଶୀ ସାମ୍ବାଦିକଙ୍କ ସହିତ କଥାବାର୍ତ୍ତା ବେଳେ ଉତ୍ତରପ୍ରଦେଶ ସରକାରଙ୍କ ଅଧିକାରୀ କହିଥିଲେ ଯେ, ମହାକୁମ୍ଭରେ ଯୋଗ ଦେଉଥିବା ଶ୍ରଦ୍ଧାଳୁଙ୍କ ସଂଖ୍ୟାକୁ ଦେଖିଲେ, ଏହା ବିଶ୍ୱର ଅନ୍ୟ ସମସ୍ତ କାର୍ଯ୍ୟକ୍ରମକୁ ଟପିଯିବ। ରିଓ କାର୍ନିଭଲରେ ୭୦ ଲକ୍ଷ ଲୋକ ଯୋଗ ଦେଇଥିବା ବେଳେ ହଜ୍‌ରେ ଯୋଗ ଦେଇଥିଲେ ୨୫ ଲକ୍ଷ ଶ୍ରଦ୍ଧାଳୁ। ସେହିପରି ଅକଟୋବର ଫେଷ୍ଟରେ ୭୨ ଲକ୍ଷ ଲୋକ ଯୋଗ ଦେଇଥିଲେ। ମହାକୁମ୍ଭର ଜନସମାଗମକୁ ଦେଖିଲେ, ଏସବୁ କିଛି ନୁହେଁ। କାରଣ ମହାକୁମ୍ଭ ୨୦୨୫ରେ ୪୫ କୋଟିରୁ ବି ଅଧିକ ଶ୍ରଦ୍ଧାଳୁ ଯୋଗ ଦେବାର ଆକଳନ କରାଯାଇଛି। ଏହା ଦର୍ଶାଉଛି ଯେ, ମହାକୁମ୍ଭ ହେଉଛି ଅତୁଳନୀୟ ଓ ବିଶ୍ୱର ସର୍ବବୃହତ ଜନସମାଗମ ସ୍ଥଳୀ ଭାବେ ଏହା ଗୁରୁତ୍ୱ ବହନ କରୁଛି।

ମହାକୁମ୍ଭ ୨୦୨୫ ଦେଶର ଅର୍ଥନୀତିକୁ ମଧ୍ୟ ଅନେକାଂଶରେ ସମୃଦ୍ଧ କରିବ। ମହାକୁମ୍ଭ ପାଇଁ ଭାରତର ଅର୍ଥନୀତିରେ ୨ ଲକ୍ଷ କୋଟି ଟଙ୍କାର କାରବାର ହେବ। ଉତ୍ତରପ୍ରଦେଶର ଜିଡିପି ୧ ପ୍ରତିଶତ ବୃଦ୍ଧି ହେବାର ସମ୍ଭାବନା ଅଛି। ୧୭, ୩୧୦ କୋଟି ଟଙ୍କାର ଅତ୍ୟାବଶ୍ୟକ ସାମଗ୍ରୀର ବ୍ୟବସାୟ ହେବ ବୋଲି ଆଶା କରାଯାଉଥିବା ବେଳେ ହୋଟେଲ ଓ ଟ୍ରାଭେଲ କ୍ଷେତ୍ରରେ ୨୮୦୦ କୋଟି ଟଙ୍କାର ବ୍ୟବସାୟ ହେବ। ୨୦୦୦ କୋଟିର ପୂଜା ସାମଗ୍ରୀ ବ୍ୟବସାୟ ଓ ୮୦୦ କୋଟି ଟଙ୍କାର ଫୁଲ ବ୍ୟବସାୟ ହେବ ବୋଲି ଆକଳନ କରାଯାଇଛି।

ସୁରକ୍ଷିତ ଭାବେ ଓ ସୁରୁଖୁରୁରେ ମହାକୁମ୍ଭ ସଂପନ୍ନ କରିବା ପାଇଁ ପ୍ରୟାଗରାଜରେ ବ୍ୟାପକ ଭିତ୍ତିଭୂମି ପ୍ରସ୍ତୁତ କରାଯାଇଛି। ପ୍ରମୁଖ ନିର୍ମାଣ ମଧ୍ୟରେ ରହିଛି ୧୪ଟି ନୂଆ ଫ୍ଲାଏଓଭର, ୯ଟି ସ୍ଥାୟୀ ଘାଟ, ୭ଟି ନୂଆ ବସଷ୍ଟାଣ୍ଡ ଓ ୧୨ କିଲୋମିଟରର ଅସ୍ଥାୟୀ ଘାଟ। ସୁରକ୍ଷା ପାଇଁ ୩୭, ୦୦୦ ପୋଲିସ କର୍ମଚାରୀ, ୧୪,୦୦୦ ହୋମଗାର୍ଡ ମୁତୟନ ହେବା ସହିତ ୨,୭୫୦ ଆର୍ଟିଫିସିଆଲ୍ ଇଣ୍ଚିଲିଜେନସ ସିସିଟିଭି କ୍ୟାମେରା ଲଗାଯାଇଛି।

ସ୍ୱାସ୍ଥ୍ୟସେବାକୁ ଦେଖିଲେ ୬,୦୦୦ ଶଯ୍ୟା, ୪୩ଟି ହସପିଟାଲ ଓ ଏୟାର ଆମ୍ୱୁଲାନସର ବ୍ୟବସ୍ଥା କରାଯାଇଛି। ଏହା ସହିତ ମହାକୁମ୍ଭ ସମୟରେ ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିବା ପାଇଁ ୧୦,୨୦୦ ସଫେଇ କର୍ମଚାରୀ ଓ ୧୮୦୦ ଗଙ୍ଗା ସେବା ଦୂତ ନିୟୋଜିତ ହୋଇଛନ୍ତି।

କିନ୍ନର ଆଖଡ଼ା ଦଶନମ୍ ସନ୍ୟାସିନୀ ଆଖଡ଼ା ଓ ମହିଳା ଆଖଡ଼ା ସମେତ ୧୩ଟି ଆଖଡ଼ା ମହାକୁମ୍ଭ ୨୦୨୫ରେ ଯୋଗ ଦେଉଛନ୍ତି। ଲିଙ୍ଗଗତ ସମାନତା ଓ ପ୍ରଗତିଶୀଳ ଆଭିମୁଖ୍ୟକୁ ଦର୍ଶାଉଛନ୍ତି ଏହି ସବୁ ଆଖଡ଼ା। ବିଭିନ୍ନ ଜାତି, ଧର୍ମ ଓ ସାଂସ୍କୃତିକ ବିବିଧତା ମଧ୍ୟରେ ଏକତାର ମନୋଭାବ ସୃଷ୍ଟି କରିବ ଏହି ମହାକୁମ୍ଭ। ଆଧ୍ୟାତ୍ମିକ ମହତ୍ୱ ସହିତ ଦେଶର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଓ ଅର୍ଥନୈତିକ ବୈଭବକୁ ବିଶ୍ୱ ଦରବାରରେ ପ୍ରଦର୍ଶନ କରିବାକୁ ଏକ ମଞ୍ଚ ପ୍ରଦାନ କରୁଛି ଏହି ମହାକୁମ୍ଭ।

ପ୍ରୟାଗରାଜ ସଂଗମରେ ମହାକୁମ୍ଭ ସଂପର୍କରେ ଖବର ସଂଗ୍ରହ କରିବା ବେଳେ ବିଦେଶୀ ସାମ୍ୱାଦିକମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ କରିବାକୁ, ବିଦେଶୀ ସାମ୍ୱାଦିକମାନେ ଯେମିତି ସୁରୁଖୁରୁରେ ସବୁ ସ୍ଥାନକୁ ଯାଇ ଖବର ସଂଗ୍ରହ କରିପାରିବେ, ସେଥିପାଇଁ ସବୁ ପ୍ରକାର ସହାୟତା ପ୍ରଦାନ କରାଯିବ ବୋଲି ସେମାନଙ୍କୁ ଆଶ୍ୱାସନା ଦିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

୨୦୨୫ ମହାକୁମ୍ଭରେ ଖଦି ଓ ଗ୍ରାମୋଦ୍ୟୋଗ କମିଶନଙ୍କ ଦ୍ୱାରା ଜାତୀୟସ୍ତରୀୟ ଖଦି ମେଳା ଉଦଘାଟିତ

ପ୍ରୟାଗରାଜ: ପ୍ରୟାଗରାଜ କୁମ୍ଭନଗରୀ ମହାତ୍ମାଗାନ୍ଧୀ ମାର୍ଗ ସେକ୍ଟର-୧ରେ ଶୁକ୍ରବାର ଦିନ ଖଦି ଓ ଗ୍ରାମୋଦ୍ୟୋଗ କମିଶନ (କେଭିଆଇସି) ଅଧ୍ୟକ୍ଷ ମନୋଜ କୁମାରଙ୍କ ଦ୍ୱାରା ଜାତୀୟସ୍ତରୀୟ ଖଦି ମେଳା ଉଦଘାଟିତ ହୋଇଛି। ଏହି ଅବସରରେ ଅନ୍ୟମାନଙ୍କ ଭିତରେ ଉତର ପ୍ରୟାଗରାଜ ବିଧାୟକ ହର୍ଷ ବର୍ଦ୍ଧନ ବାଜପେୟୀ ଓ ମେୟର ଗଣେଶ କେଶରବାନି ଉପସ୍ଥିତ ଥିଲେ। ଫେବୃୟାରୀ ୨୬ ପର୍ଯ୍ୟନ୍ତ ଏହି ମେଳା ଚାଲୁ ରହିବ ବୋଲି ସୂଚନା ମିଳିଛି। ପଡିଥିବା ୧୫୨ଟି ଷ୍ଟଲ ଭିତରୁ ୯୮ଟି ଷ୍ଟଲରେ ଖଦି ସାମଗ୍ରୀ ଓ ୫୪ଟି ଷ୍ଟଲରେ ଗ୍ରାମୋଦ୍ୟୋଗ ସାମଗ୍ରୀ ପ୍ରଦର୍ଶିତ ହେଉଛି।

ଉଦଘାଟନୀ ଅଭିଭାଷଣ ଦେଇ କେଭିଆଇସି ଅଧ୍ୟକ୍ଷ ମନୋଜ କୁମାର କହିଥିଲେ ଯେ, ମହାକୁମ୍ଭ କେବଳ ବିଶ୍ୱାସର ପ୍ରତୀକ ନୁହେଁ ବରଂ ଏହା ଭାରତୀୟ ସଂସ୍କୃତି, ପରମ୍ପରା ଓ ଆତ୍ମ ନିର୍ଭରଶୀଳତାର ଦ୍ୟୋତକ। ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଆତ୍ମ ନିର୍ଭରତା ଓ ସ୍ୱଦେଶୀର ପ୍ରତୀକ ଖଦି ପ୍ରତିଭାତ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏହା ଖଦି କ୍ରାନ୍ତିରେ ପରିଣତ ହୋଇ ଆତ୍ମ ନିର୍ଭର ଭାରତର ପ୍ରତୀକ ଭାବେ ପରିଗଣିତ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଖଦି ଫର ନେସନ, ଖଦି ଫର ଫେସନ, ଖଦି ଫର ଟ୍ରାନ୍ସଫର୍ମେସନ ମିଶନ ଜରିଆରେ ଖଦି ଓ ଗ୍ରାମୋଦ୍ୟୋଗ ଉଚ୍ଚତର ସୋପାନକୁ ଉନ୍ନୀତ ହୋଇପାରିଛି।

କାଶ୍ମୀରରୁ ତାମିଲନାଡୁ ଓ ମହାରାଷ୍ଟ୍ରରୁ ନାଗାଲାଣ୍ଡ ପର୍ଯ୍ୟନ୍ତ କୋଡିଏଟି ବିଭିନ୍ନ ରାଜ୍ୟର ସାମଗ୍ରୀ ଏହି ପ୍ରଦର୍ଶନୀରେ ସ୍ଥାନିତ ହୋଇଛି। ଖଦି ପ୍ରଦର୍ଶନୀକୁ ବୁଲି ଆସି ଉଭୟ ଶ୍ରଦ୍ଧାଳୁ ଓ ପରିଦର୍ଶକ ଭୋକାଲ ଫର ଲୋକାଲ ମିଶନକୁ ପ୍ରୋତ୍ସାହିତ କରିବା ଦରକାର ବୋଲି ଅଧ୍ୟକ୍ଷ ଆହ୍ୱାନ ଦେଇଥିଲେ। ଗତ ଦଶ ବର୍ଷ ଭିତରେ ଖଦି ଓ ଗ୍ରାମୋଦ୍ୟୋଗର ବିକାଶ ସମ୍ପର୍କରେ ମନୋଜ କୁମାର ଆଲୋକପାତ କରିଥିଲେ।

ଉତ୍ପାଦରେ ବିକାଶ : ଖଦି ଓ ଗ୍ରାମୋଦ୍ୟୋଗ ଉତ୍ପାଦ ୨୬ ହଜାର କୋଟିରୁ ଏକ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି

ବିକ୍ରି ପରିମାଣ : ୩୧ ହଜାର କୋଟିରୁ ୧.୫୫ ଲକ୍ଷ କୋଟି ଟଙ୍କାକୁ ଉତ୍ପାଦ ବିକ୍ରି

ନିଯୁକ୍ତି ସୁଯୋଗ : ନିଯୁକ୍ତି କ୍ଷେତ୍ରରେ ୪୩.୬୫ ପ୍ରତିଶତ ବୃଦ୍ଧି ପାଇ ୧.୮୭ କୋଟି ଲୋକଙ୍କୁ ମିଳିଛି ଫାଇଦା ଗତ ଆର୍ଥିକ ବର୍ଷରେ ୧୦.୧୭ ଲକ୍ଷ ନୂଆ ଚାକିରି ସୃଷ୍ଟି

କୁଶଳୀ କାରିଗରଙ୍କ ରୋଜଗାର : ଖଦି କାରିଗରଙ୍କ ରୋଜଗାର ୨୧୩ ପ୍ରତିଶତ ବୃଦ୍ଧି ପାଇ ପ୍ରତି ବଣ୍ଡଲ ପିଛା ୪ ଟଙ୍କାରୁ ୧୨ ଟଙ୍କା ୫୦ ପଇସାକୁ ବୃଦ୍ଧି

ଉତର ପ୍ରଦେଶର ୪୫୦ଟି ଖଦି ଶିଳ୍ପୋଦ୍ୟୋଗରେ ୧.୪ ଲକ୍ଷ କୁଶଳୀ କାରିଗର ନିଯୁକ୍ତି ପାଇଥିବା ଏହି ଅବସରରେ କେଭିଆଇସି ଅଧ୍ୟକ୍ଷ ସୂଚନା ଦେଇଥିଲେ। ଚଳିତ ଆର୍ଥିକ ବର୍ଷରେ ୟୁପିରେ ଏମଏମଡିଏ ଯୋଜନାରେ ୧୫ କୋଟି ଓ ଆଇଏସଇସି ଯୋଜନାରେ ୪ କୋଟି ଟଙ୍କା ବିତରଣ କରାଯାଇଛି। ଗ୍ରାମୋଦ୍ୟୋଗ ବିକାଶ ଯୋଜନାରେ ଗତବର୍ଷ ୧,୫୫୦ ହିତାଧିକାରୀଙ୍କୁ ଆବଶ୍ୟକୀୟ ଯନ୍ତ୍ରପାତି ପ୍ରଦାନ କରାଯାଇଥିବା ବେଳେ ଚଳିତବର୍ଷ ଏହି ସଂଖ୍ୟା ୧, ୮୫୦କୁ ବୃଦ୍ଧି ପାଇବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରଧାନମନ୍ତ୍ରୀ ନିଯୁକ୍ତି ସୁଯୋଗ କାର୍ଯ୍ୟକ୍ରମ (ପିଏମଇଜିପି) ଅଧୀନରେ ଡିସେମ୍ବର ସୁଦ୍ଧା ୟୁପିରେ ୧୩୭ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଫଳରେ ୩୮, ୫୮୮ଟି ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିଛି।

ଭାରତର ଗ୍ରାମୀଣ ଅର୍ଥନୀତିକୁ ମଜଭୂତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଆରମ୍ଭ କରାଯାଇଥିବା ଖଦି ବିପ୍ଲବର ପ୍ରମୁଖ ଭୂମିକା ରହିଥିବା ମନୋଜ କୁମାର କହିଥିଲେ । ରାଜ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ଆରମ୍ଭ କରାଯାଇଥିବା ମହାକୁମ୍ଭ ପ୍ରୟାଗରାଜକୁ ଏକ ପ୍ରମୁଖ ତୀର୍ଥସ୍ଥାନରେ ପରିଣତ କରିବ ବୋଲି ମନୋଜ କୁମାର କହିଥିଲେ। ଖଦି ପ୍ରଦର୍ଶନୀକୁ ଭାରତୀୟ ସଂସ୍କୃତି ଓ ଆତ୍ମନିର୍ଭରଶୀଳତାର ପ୍ରକୃଷ୍ଟ ଉଦାହରଣ ବୋଲି ଅଭିହିତ କରି ପ୍ରଦର୍ଶନୀରେ ସ୍ଥାନିତ ହୋଇଥିବା ଖଦି ସାମଗ୍ରୀ କିଣି ଆତ୍ମନିର୍ଭର ଭାରତ ଯାତ୍ରାରେ ନିଜକୁ ସାମିଲ କରିବା ପାଇଁ ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସେ ଆହ୍ୱାନ ଦେଇଥିଲେ।

ଉଦଘାଟନୀ ଉତ୍ସବରେ ଖଦି ପ୍ରତିଷ୍ଠାନର ପ୍ରତିନିଧି, ପିଏମଇଜିପି ହିତାଧିକାରୀ, ୟୁପି ସରକାରଙ୍କ ଖଦି କର୍ମଚାରୀ ଓ ପଦାଧିକାରୀମାନେ ଉପସ୍ଥିତ ରହିଥିଲେ।

Categories
ଆଜିର ଖବର ଜାତୀୟ ଖବର

ମହାକୁମ୍ଭ ପ୍ରୟାଗରାଜ ୨୦୨୫ରେ ୧୧ଟି ଭାଷାରେ ବହୁଭାଷୀ ସହାୟତା ପ୍ରଦାନ କରୁଛି ‘ଭାଷିନୀ’ 

ନୂଆଦିଲ୍ଲୀ: ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ପ୍ରୟାଗରାଜରେ ଜାନୁଆରୀ ୧୩ରୁ ଫେବୃଆରୀ ୨୬, ୨୦୨୫ ପର୍ଯ୍ୟନ୍ତ ହେବାକୁ ଥିବା ମହାକୁମ୍ଭରେ ଭାଷିନୀ ବହୁଭାଷୀ ସେବା ମାଧ୍ୟମରେ ବୈଷୟିକ ସହାୟତା ପ୍ରଦାନ କରୁଛି।

ଡିଜିଟାଲ ହଜିବା ଓ ମିଳିବା ସମାଧାନ

‘ଡିଜିଟାଲ ହଜିବା ଓ ମିଳିବା ସମାଧାନ’ ମାଧ୍ୟମରେ ଭାଷିନୀ ଭାଷା ଅନୁବାଦ ବ୍ୟବସ୍ଥା ବିଶ୍ୱର ସର୍ବବୃହତ ଆଧ୍ୟାତ୍ମିକ ଜନସମାବେଶର ଅଂଶଗ୍ରହଣକାରୀମାନଙ୍କୁ କିପରି ସାହାଯ୍ୟ କରିବ ତାହା ଆସନ୍ତୁ ଜାଣିବା :

. ବହୁଭାଷୀ ସହାୟତା

କ. ହଜିଥିବା/ମିଳିଥିବା ସାମଗ୍ରୀଗୁଡ଼ିକର ପଞ୍ଜିକରଣ ସ୍ଥାନୀୟ ଭାଷାରେ ମୌଖିକ ଭାବେ କରନ୍ତୁ

ଖ. ସହଜ ଯୋଗାଯୋଗ ପାଇଁ ରିଅଲ-ଟାଇମ୍ ଲେଖା / ମୌଖିକ ଅନୁବାଦ

୨. ଚାଟବଟ୍ ସହାୟତା: ପ୍ରଶ୍ନ ଏବଂ କିଓସ୍କ ନେଭିଗେସନ୍ ପାଇଁ ବହୁଭାଷୀ ଚାଟବଟ୍

୩. ମୋବାଇଲ୍ ଆପ୍ ଏବଂ କିଓସ୍କ ଏକୀକରଣ: ସ୍ଥାନୀୟ ଭାଷାରେ ମାର୍ଗଦର୍ଶିକାର ଅନୁବାଦ

୪. ପୋଲିସ ସହଯୋଗ: ପୁଲିସ ଅଧିକାରୀମାନଙ୍କ ସହିତ ନିରବଚ୍ଛିନ୍ନ ଯୋଗାଯୋଗ

କୁମ୍ଭ ସହାୟକ ଚାଟବଟ୍

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଉନ୍ମୋଚନ କରାଯାଇଥିବା ‘କୁମ୍ଭ ସହାୟକ’ ଏକ ଏଆଇ ପରିଚାଳିତ  ବହୁଭାଷୀ, ଭଏସ-ସକ୍ଷମ ଚାଟବଟ୍ ଯାହାକି କୁମ୍ଭମେଳା ୨୦୨୫କୁ ଆସୁଥିବା ଲକ୍ଷ ଲକ୍ଷ ଯାତ୍ରୀଙ୍କ ସହାୟତା ପାଇଁ ପ୍ରସ୍ତୁତ କରାଯାଇଛି । ଏହି ବଟ୍ ଅତ୍ୟାଧୁନିକ ଏଆଇ ଟେକ୍ନୋଲୋଜି (ଯେପରିକି ଲାମା ଏଲଏଲଏମ) ଦ୍ୱାରା ପରିଚାଳିତ । କୁମ୍ଭ ସହାୟକର ଉଦ୍ଦେଶ୍ୟ ହେଉଛି ମହାକୁମ୍ଭ ୨୦୨୫ର ଅନୁଭୂତିରେ ଉନ୍ନତି ଆଣିବା ସହିତ ତୀର୍ଥଯାତ୍ରୀଙ୍କ ସୂଚନା ଏବଂ ନାଭିଗେସନ (ପଥପ୍ରଦର୍ଶନ) ଆବଶ୍ୟକତାକୁ ମଧ୍ୟ ପୂରଣ କରିବା।

କୁମ୍ଭ ସହାୟକ’ ଚାଟବଟ୍ ସମସ୍ତଙ୍କୁ ସହଜ, ରିୟଲ-ଟାଇମ୍ ସୂଚନା ଏବଂ ନାଭିଗେସନ ସହାୟତା ପ୍ରଦାନ କରି ପର୍ଯ୍ୟଟକଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଡିଜାଇନ୍ କରାଯାଇଛି। ଭାଷିନୀର ଭାଷା ଅନୁବାଦ ହିନ୍ଦୀ, ଇଂରାଜୀ ଏବଂ ଅନ୍ୟ ୯ଟି ଭାରତୀୟ ଭାଷା ସମେତ  ମୋଟ ୧୧ଟି ଭାଷାରେ ଏହି ଚାଟବଟକୁ ସମର୍ଥନ କରେ।

ୟୁପି ୧୧୨ ଜରୁରୀକାଳୀନ ହେଲ୍ପଲାଇନ

ମହାକୁମ୍ଭକୁ ଦେଶ ବିଦେଶରୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ପ୍ରୟାଗରାଜ ଏବଂ ଆଖପାଖ ଅଂଚଳରେ କୁହାଯାଉଥିବା ଭାଷା ବୁଝିବା ପାଇଁ ସହାୟତାର ଆବଶ୍ୟକତା ପଡିପାରେ । ଭାଷିନୀ ମୋବାଇଲ ଆପ୍ଲିକେସନର ‘କନଭର୍ସ(ବାର୍ତ୍ତାଳାପ)’ ଫିଚର ଏହି ମେଗା ଇଭେଣ୍ଟରେ ଉତ୍ତରପ୍ରଦେଶ ପୁଲିସର ୧୧୨ ଜରୁରୀକାଳୀନ ହେଲ୍ପଲାଇନ୍ ୟୁନିଟ୍ ସହ ନିରବଚ୍ଛିନ୍ନ ଯୋଗାଯୋଗକୁ ସହଜ କରିବ। ଉତ୍ତରପ୍ରଦେଶ ପୁଲିସ ବିଭାଗ ଭାଷିନୀ ଆପ୍ ସହଯୋଗରେ ଫିଲ୍ଡ ଅଫିସରମାନଙ୍କୁ ପ୍ରଶିକ୍ଷଣ ଦେଇଛି, ଯଦ୍ବାରା ସେମାନେ ଆପ୍ ର ବାର୍ତ୍ତାଳାପ ଫିଚର  ବ୍ୟବହାର କରି ଭାଷା ବୁଝୁନଥିବା ଓ ସମସ୍ୟାରେ ପଡ଼ିଥିବା ଶ୍ରଦ୍ଧାଳୁଙ୍କ ସମସ୍ୟା ବୁଝି ସହାୟତା କରିପାରିବେ ।

ଏହିପରି ଭାବେ ଭାଷିନୀ ମହାକୁମ୍ଭ ୨୦୨୫ରେ ପର୍ଯ୍ୟଟକଙ୍କୁ ପ୍ରଶ୍ନ ଓ ପଥପ୍ରଦର୍ଶନ ନିମନ୍ତେ ବହୁଭାଷୀ ସହାୟତା ପ୍ରଦାନ କରି ସେମାନଙ୍କ ଅନୁଭୂତିକୁ ଆହୁରି ସୁଖଦ କରିବ।

ମୋଟାମୋଟି ଭାବରେ, ବୈଷୟିକ ଉଦ୍ଭାବନ ଏବଂ ଉପଲବ୍ଧତା ଦିଗରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟର ପ୍ରତିବଦ୍ଧତାକୁ ପ୍ରତିଫଳିତ କରି, ଭାଷିନୀର ଭାଷା ଅନୁବାଦ ଇକୋସିଷ୍ଟମ ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ଏକ ନିରବଚ୍ଛିନ୍ନ ଏବଂ ସମାବେଶୀ ଅନୁଭୂତି ସୁନିଶ୍ଚିତ କରୁଛି ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ମହାକୁମ୍ଭରେ ତୀର୍ଥଯାତ୍ରୀମାନଙ୍କ ବିଶ୍ରାମ ପାଇଁ ରିଲାଏନ୍ସ ନିର୍ମାଣ କରିବ ‘କ୍ୟାମ୍ପା-ଆଶ୍ରମ’

ପ୍ରୟାଗରାଜ: ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟ ଲିମିଟେଡ୍ (ଆରସିପିଏଲ) ମହାକୁମ୍ଭରେ ‘କ୍ୟାମ୍ପା ଆଶ୍ରମ’ ନିର୍ମାଣ କରିବାକୁ ଯାଉଛି । ଏହି ସ୍ୱତନ୍ତ୍ର ଭାବରେ ନିର୍ମିତ ହୋଇଥିବା ବିଶ୍ରାମସ୍ଥଳ ଗୁଡିକରେ ତୀର୍ଥଯାତ୍ରୀମାନେ ବିଶ୍ରାମ ନେବା ସହିତ ଜଳପାନ ମଧ୍ୟ ପାଇପାରିବେ ।

ତୀର୍ଥଯାତ୍ରୀମାନଙ୍କୁ ଏକ ନିରାପଦ ଏବଂ ଶାନ୍ତିପୂର୍ଣ୍ଣ ସ୍ଥାନ ଯୋଗାଇବା ପାଇଁ ‘କ୍ୟାମ୍ପା ଆଶ୍ରମ’ ସ୍ୱତନ୍ତ୍ର ଭାବରେ ପରିକଳ୍ପନା କରାଯାଇଛି । ଏହା ବ୍ୟତୀତ ରିଲାଏନ୍ସ ମହାକୁମ୍ଭ ଅଞ୍ଚଳରେ ତୀର୍ଥଯାତ୍ରୀମାନଙ୍କୁ ସାହାଯ୍ୟ କରିବା ପାଇଁ ସ୍ପଷ୍ଟ ଓ ସହଜରେ ପଢି ହେବା ଭଳି ସୂଚନା ଫଳକ (ସାଇନେଜ୍‌) ଏବଂ ଦିଗସୂଚକ ବୋର୍ଡ ସ୍ଥାପନ କରୁଛି।

ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟ ଲିମିଟେଡ୍ (ଆରସିପିଏଲ) ର ସିଇଓ କେତନ ମୋଦୀ କହିଛନ୍ତି, “ପ୍ରୟାଗରାଜ ମହାକୁମ୍ଭ ୨୦୨୫ରେ ଆମର ଅଂଶଗ୍ରହଣ ଏହି ଭବ୍ୟ ଆଧ୍ୟାତ୍ମିକ ସମାବେଶର ଭାବନାକୁ ସମ୍ମାନ ଜଣାଇବା ପାଇଁ ଉଦ୍ଦିଷ୍ଟ। ଏକ କମ୍ପାନୀ ଭାବରେ ଆମେ ଭାରତୀୟ ପରମ୍ପରାଗୁଡିକ ସହିତ ଗଭୀର ଭାବରେ ସଂଯୁକ୍ତ। ଏହି ପବିତ୍ର ଆୟୋଜନ ଅବସରରେ ଲୋକମାନଙ୍କ ସେବା ଦ୍ୱାରା ଆମେ ଭାରତୀୟ ଗ୍ରାହକଙ୍କ ପରମ୍ପରାକୁ ନୂଆ ରୂପ ଦେଉଛୁ ।”

ସୂଚନାଯୋଗ୍ୟ ଯେ ମହାକୁମ୍ଭର ପବିତ୍ର ପର୍ବର ଆରମ୍ଭ ହୋଇଯାଇଛି। ପୌଷ ପୂର୍ଣ୍ଣିମାରେ ମହାକୁମ୍ଭର ପ୍ରଥମ ସ୍ନାନ ୧୩ ଜାନୁୟାରୀରେ ଅନୁଷ୍ଠିତ ହୋଇଯାଇଛି। ଦେଶର କୋଣ ଅନୁକୋଣରୁ ଭକ୍ତମାନେ ପ୍ରୟାଗରାଜକୁ ଆସିଛନ୍ତି। କୁମ୍ଭର ପ୍ରଥମ ଦିନ ସ୍ନାନ ପାଇଁ ତ୍ରିବେଣୀରେ ଶ୍ରଦ୍ଧାଳୁମାନଙ୍କ ସମାଗମ ଲାଗି ରହିଥିଲା।

ରିଲାଏନ୍ସ ପକ୍ଷରୁ କୁହାଯାଇଛି ଯେ ଦୁନିଆର ସବୁଠୁ ବଡ ଆଧ୍ୟାତ୍ମିକ ସମାବେଶ ମଧ୍ୟରୁ ଅନ୍ୟତମ ମହାକୁମ୍ଭ ପ୍ରୟାଗରାଜ ୨୦୨୫ ରେ ଅଂଶଗ୍ରହଣ କରିବା ଏବଂ ସେବା କାର୍ଯ୍ୟ କରିବାର ସୌଭାଗ୍ୟ ମିଳିଛି । ମହାକୁମ୍ଭର ପ୍ରଥମ ଅମୃତ ସ୍ନାନ (ଶାହୀ ସ୍ନାନ) ଜାନୁୟାରୀ ୧୪ ରେ ଅନୁଷ୍ଠିତ ହେବ ।

Categories
ଆଜିର ଖବର ଜାତୀୟ ଖବର

ମହାକୁମ୍ଭରେ ଡିଜିଟାଲ୍ ପ୍ରଦର୍ଶନୀ ଉଦଘାଟିତ; ପ୍ରଥମ ଦିନରେ ହଜାର ହଜାର ଲୋକଙ୍କ ସମାଗମ

ନୂଆଦିଲ୍ଲୀ: ଗତ ଦଶନ୍ଧିରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ‘ଜନଭାଗିଦାରୀ ମାଧ୍ୟମରେ ଜନକଲ୍ୟାଣ’ ଏବଂ ଭାରତ ସରକାରଙ୍କ ସଫଳତା, କାର୍ଯ୍ୟକ୍ରମ, ନୀତି ଏବଂ ଯୋଜନା ଉପରେ ଆଧାରିତ ଏକ ଡିଜିଟାଲ ପ୍ରଦର୍ଶନୀ ପ୍ରୟାଗରାଜର ତ୍ରିବେଣୀ ମାର୍ଗସ୍ଥିତ ପ୍ରଦର୍ଶନୀ ପରିସରରେ ଉଦଘାଟିତ ହୋଇଛି।

ଉଦ୍ଘାଟନ ଦିନ ହିଁ ହଜାର ହଜାର ଲୋକ ଏକାଠି ହୋଇ ପ୍ରଦର୍ଶନୀ ଦେଖିଥିଲେ।

ତ୍ରିବେଣୀ ପଥ ପ୍ରଦର୍ଶନୀ ପରିସରରେ ଆୟୋଜିତ ଏହି ପ୍ରଦର୍ଶନୀ ଜାନୁଆରୀ ୧୩ରୁ ଫେବ୍ରୁଆରି ୨୬, ୨୦୨୫ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପର୍ଯ୍ୟବେକ୍ଷଣ ପାଇଁ ମାଗଣାରେ ଖୋଲା ରହିବ। ଡିଜିଟାଲ ପ୍ରଦର୍ଶନୀରେ ଆନାମୋର୍ଫିକ ୱାଲ, ଏଲଇଡି ଟିଭି ସ୍କ୍ରିନ, ଏଲଇଡି ୱାଲ, ହୋଲୋଗ୍ରାଫିକ ସିଲିଣ୍ଡର ଜରିଆରେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସୂଚନା ପ୍ରଦର୍ଶିତ ହେଉଛି ।

ପ୍ରଦର୍ଶନୀ ମୁଖ୍ୟ ବିଷୟ : ପ୍ରଦର୍ଶିତ ହେଉଛି ପ୍ରମୁଖ ସରକାରୀ କଲ୍ୟାଣକାରୀ ଯୋଜନା

ଏହି ପ୍ରଦର୍ଶନୀ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ନମୋ ଡ୍ରୋନ୍ ଦିଦି, ଲଖପତି ଦିଦି, ୱେଭସ, ପ୍ରଧାନମନ୍ତ୍ରୀ ଇଣ୍ଟରନସିପ୍ ଯୋଜନା, ମୁଦ୍ରା ଯୋଜନା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଡିଜିଟାଲ ଇଣ୍ଡିଆ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଦ୍ୟାଞ୍ଜଳି, ଆତ୍ମନିର୍ଭର ଭାରତ, ସ୍କିଲ୍ ଇଣ୍ଡିଆ, ଏକ ଭାରତ ଶ୍ରେଷ୍ଠ ଭାରତ ଭଳି ଭାରତ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସାଧାରଣ ଜନତାଙ୍କୁ ସଚେତନ କରାଯାଉଛି। ଏହା ସହିତ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା, ପ୍ରତ୍ୟେକ ଘରକୁ ଜଳ ଯୋଜନା, ପ୍ରଧାନମନ୍ତ୍ରୀ ଦକ୍ଷତା ବିକାଶ ମିଶନ, ସ୍ୱଚ୍ଛ ଭାରତ ମିଶନ, ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ୍ ଭେଣ୍ଡର ଆତ୍ମନିର୍ଭର ନିଧି, ସ୍ୱାଧୀନ ଭାରତର ତିନୋଟି ନୂତନ ଅପରାଧିକ ଆଇନ, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ସହିତ ମହିଳା ସଶକ୍ତୀକରଣ ଯୋଜନା ଏବଂ ଅନ୍ୟାନ୍ୟ ବିଭିନ୍ନ ଯୋଜନା ସମ୍ପର୍କରେ ମଧ୍ୟ ସୂଚନା ପ୍ରଦାନ କରାଯାଉଛି।

ସାଂସ୍କୃତିକ ବିଶେଷତ୍ତ୍ବ : ସମଗ୍ର ଉତ୍ତର ପ୍ରଦେଶରେ ବିବିଧ ଲୋକ ଓ ଶାସ୍ତ୍ରୀୟ କାର୍ଯ୍ୟକ୍ରମ

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଡିଜିଟାଲ ପ୍ରଦର୍ଶନୀ ବ୍ୟତୀତ ଉତ୍ତରପ୍ରଦେଶର ବିଭିନ୍ନ ଅଞ୍ଚଳର ୨୦୦ରୁ ଅଧିକ ଲୋକ ଓ ଶାସ୍ତ୍ରୀୟ କାର୍ଯ୍ୟକ୍ରମ ମଧ୍ୟ ବିଭିନ୍ନ ସ୍ଥାନରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଦର୍ଶିତ ହେଉଛି । ବିଗତ ୧୦ ବର୍ଷ ମଧ୍ୟରେ ଭାରତ ସରକାରଙ୍କ ଗତ ୧୦ ବର୍ଷର ସଫଳତା, ଯୋଜନା, କାର୍ଯ୍ୟକ୍ରମ ଓ ନୀତିକୁ ସାଧାରଣ ଜନତାଙ୍କ ମଧ୍ୟରେ ପ୍ରଦର୍ଶିତ କରାଯିବ। ଜାନୁଆରୀ ୧୩ରୁ ଫେବ୍ରୁଆରି ୨୬ ତାରିଖ ପର୍ଯ୍ୟନ୍ତ ମହାକୁମ୍ଭ ମେଳାର ସମଗ୍ର ଅବଧି ରେ ଏହି ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ।

ପ୍ରତ୍ୟେକ ସାଂସ୍କୃତିକ କାର୍ଯ୍ୟକ୍ରମ ଏକ ନିଆରା କାହାଣୀ କହିଥାଏ ଏବଂ ନିଜ ଅଞ୍ଚଳର ସ୍ଥାନୀୟ ରୀତିନୀତି ତଥା ଆଧ୍ୟାତ୍ମିକତାକୁ ପ୍ରଦର୍ଶିତ କରେ, ଯାହା ମହାକୁମ୍ଭକୁ ଆସୁଥିବା ସାଧାରଣ ଜନତାଙ୍କ ପାଇଁ ଏକ ଚମତ୍କାର ଦୃଶ୍ୟ ଏବଂ କଳାତ୍ମକ ଅନୁଭୂତି ସୃଷ୍ଟି କରିବ। ଶତାଧିକ ପ୍ରତିଭାସମ୍ପନ୍ନ କଳାକାର ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ବିଭିନ୍ନ ଆଞ୍ଚଳିକ ନୃତ୍ୟ ଓ ଗୀତ ଶୈଳୀକୁ ପ୍ରତିନିଧିତ୍ୱ କରୁଛନ୍ତି।

Categories
ଆଜିର ଖବର ଜାତୀୟ ଖବର

‘ସମଗ୍ର ଦେଶ ଏକଜୁଟ ହେଉ’ ଏହା ହିଁ ହେଉଛି ମହାକୁମ୍ଭର ବାର୍ତ୍ତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

‘ମନ୍ କି ବାତ୍’ର ୧୧୭ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ମହାକୁମ୍ଭର ବିଶେଷତ୍ୱ କେବଳ ଏହାର ବିଶାଳତା ନୁହେଁ ବରଂ ଏହାର ବିବିଧତା ମଧ୍ୟରେ ବି ରହିଛି। ଏହି କାର୍ଯ୍ୟକ୍ରମ ପାଇଁ କୋଟି କୋଟି ଲୋକ ଏକାଠି ହୁଅନ୍ତି। ଲକ୍ଷ ଲକ୍ଷ ସାଧୁ, ହଜାର ହଜାର ପରମ୍ପରା, ଶହ ଶହ ଧାର୍ମିକ ଗୋଷ୍ଠୀ, ଅନେକ ଆଖଡ଼ା, ସମସ୍ତେ ଏହି କାର୍ଯ୍ୟକ୍ରମରେ ସାମିଲ ହୁଅନ୍ତି। କୌଣସି ସ୍ଥାନରେ ଭେଦଭାବ ନାହିଁ, କେହି ବଡ଼ ନୁହଁନ୍ତି, କେହି ଛୋଟ ନୁହଁନ୍ତି ବୋଲି ଶ୍ରୀ ମୋଦୀ ଆଲୋକପାତ କରିଥିଲେ। ବିବିଧତା ଭିତରେ ଏକତାର ଏଭଳି ଦୃଶ୍ୟ ପୃଥିବୀର ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳେ ନାହିଁ। ତେଣୁ ଆମ କୁମ୍ଭ ମଧ୍ୟ ଏକତାର ମହାକୁମ୍ଭ। ଆଗାମୀ ମହାକୁମ୍ଭ ଏକତାର ମହାକୁମ୍ଭର ମନ୍ତ୍ରକୁ ମଧ୍ୟ ସୁଦୃଢ଼ କରିବ। ଏକତାର ସଂକଳ୍ପ ନେଇ ମହାକୁମ୍ଭରେ ଅଂଶଗ୍ରହଣ କରିବାକୁ ସେ ନାଗରିକମାନଙ୍କୁ ଆହ୍ୱାନ ଦେଇଥିଲେ। ଆସନ୍ତୁ ସମାଜରେ ଥିବା ବିଭାଜନ ଓ ଘୃଣା ଭାବନାକୁ ଦୂର କରିବା ପାଇଁ ସଂକଳ୍ପ ନେବା । ଯଦି ମୋତେ କିଛି ଶବ୍ଦରେ କହିବାକୁ ପଡିବ, ତେବେ ମୁଁ କହିବି “ମହାକୁମ୍ଭ କା ସନ୍ଦେଶ, ଏକ ହୋ ପୁରା ଦେଶ”। ମହାକୁମ୍ଭର ବାର୍ତ୍ତା, ସମଗ୍ର ଦେଶ ଏକଜୁଟ ହେଉ। ଏବଂ ଏହାକୁ ଅନ୍ୟ ଉପାୟରେ ରଖି ମୁଁ ‘ଗଙ୍ଗା କି ଅବିରଲ ଧରା’ , ନା ବଣ୍ଟେ ସମାଜ ହମାରା କୁ ପ୍ରକାଶ କରିବି । ଗଙ୍ଗାର ନିରବଚ୍ଛିନ୍ନ ପ୍ରବାହ ପରି ଆମ ସମାଜକୁ ଅବିଭକ୍ତ କରାଯାଉ ବୋଲି ସେ କହିଥିଲେ।

ପ୍ରୟାଗରାଜରେ ଏଥର ଦେଶ ଓ ବିଶ୍ୱର ଶ୍ରଦ୍ଧାଳୁମାନେ ଡିଜିଟାଲ ମହାକୁମ୍ଭର ସାକ୍ଷୀ ହେବେ ବୋଲି ଶ୍ରୀ ମୋଦୀ ସୂଚନା ଦେଇଛନ୍ତି। ଡିଜିଟାଲ ନେଭିଗେସନ୍ ସାହାଯ୍ୟରେ ଆପଣ ସାଧୁଙ୍କ ବିଭିନ୍ନ ଘାଟ, ମନ୍ଦିର ଓ ଆଖଡ଼ାରେ ପହଞ୍ଚି ପାରିବେ। ସମାନ ନେଭିଗେସନ୍ ବ୍ୟବସ୍ଥା ଆପଣଙ୍କୁ ପାର୍କିଂ ସ୍ଥାନରେ ପହଞ୍ଚିବାରେ ମଧ୍ୟ ସାହାଯ୍ୟ କରିବ । କୁମ୍ଭ ମେଳାରେ ପ୍ରଥମ ଥର ପାଇଁ ଏଆଇ ଚାଟବଟ୍ ବ୍ୟବହାର କରାଯିବ। ଏଆଇ ଚାଟବଟ ମାଧ୍ୟମରେ କୁମ୍ଭ ସମ୍ବନ୍ଧୀୟ ସମସ୍ତ ପ୍ରକାର ସୂଚନା ୧୧ଟି ଭାରତୀୟ ଭାଷାରେ ଉପଲବ୍ଧ ହେବ । ଏହି ଚାଟବଟ୍‍ ଜରିଆରେ ଯେ କୌଣସି ବ୍ୟକ୍ତି ଅକ୍ଷର ଟାଇପ୍ କରି କିମ୍ବା ବାର୍ତ୍ତା ପ୍ରେରଣ କରି ଯେକୌଣସି ପ୍ରକାରର ସାହାଯ୍ୟ ମାଗିପାରିବେ। ସମଗ୍ର ମେଳା ଅଞ୍ଚଳକୁ ଏଆଇ ଚାଳିତ କ୍ୟାମେରାରେ ଆଚ୍ଛାଦିତ କରାଯାଉଛି। କୁମ୍ଭ ସମୟରେ ଯଦି କେହି ନିଜ ସମ୍ପର୍କୀୟଙ୍କଠାରୁ ଅଲଗା ହୋଇଯାଆନ୍ତି, ତେବେ ଏହି କ୍ୟାମେରା ତାଙ୍କୁ ଖୋଜିବାରେ ସହାୟକ ହେବ। ଶ୍ରଦ୍ଧାଳୁମାନେ ସାମଗ୍ରୀ ହଜିବା ଓ ମିଳିବା କେନ୍ଦ୍ରରେ ଡିଜିଟାଲ ସୁବିଧା ମଧ୍ୟ ପାଇବେ। ଭକ୍ତମାନଙ୍କୁ ସେମାନଙ୍କ ମୋବାଇଲ୍ ଫୋନ୍ ରେ ସରକାରଙ୍କ ଅନୁମୋଦିତ ଟୁର୍ ପ୍ୟାକେଜ୍, ରହିବା ଏବଂ ହୋମ୍-ଷ୍ଟେ ବିଷୟରେ ସୂଚନା ପ୍ରଦାନ କରାଯିବ। ମହାକୁମ୍ଭ ପରିଦର୍ଶନ କରିବା ସମୟରେ ଏହି ସୁବିଧାର ଲାଭ ଉଠାଇ #EktaKaMahakumbh ସହ ସେଲ୍ଫି ଅପଲୋଡ୍ କରିବାକୁ ଶ୍ରୀ ମୋଦୀ ଆହ୍ୱାନ ଦେଇଥିଲେ।

ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହା ଉପରେ ଆଲୋକପାତ କରିଥିଲେ ଯେ ଭାରତୀୟ ସଂସ୍କୃତିର ଚମକ ଆଜି ବିଶ୍ୱର କୋଣ ଅନୁକୋଣରେ କିପରି ପ୍ରସାରିତ ହେଉଛି । ଇଜିପ୍ଟର ଜଣେ ୧୩ ବର୍ଷୀୟ ଦିବ୍ୟାଙ୍ଗ ନାବାଳିକା ନିଜ ପାଟିରେ ତିଆରି କରିଥିବା ତାଜମହଲର ଏକ ଚମତ୍କାର ଚିତ୍ର ବିଷୟରେ ସେ ଉଲ୍ଲେଖ କରିଥିଲେ। ଶ୍ରୀ ମୋଦୀ ସୂଚନା ଦେଇଥିଲେ ଯେ କିଛି ସପ୍ତାହ ତଳେ ଇଜିପ୍ଟରୁ ପ୍ରାୟ ୨୩ ହଜାର ଛାତ୍ରଛାତ୍ରୀ ଏକ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ, ଯେଉଁଠାରେ ସେମାନଙ୍କୁ ଭାରତୀୟ ସଂସ୍କୃତି ଏବଂ ଦୁଇ ଦେଶ ମଧ୍ୟରେ ଐତିହାସିକ ସମ୍ପର୍କକୁ ଦର୍ଶାଉଥିବା ଚିତ୍ର ପ୍ରସ୍ତୁତ କରିବାକୁ ପଡ଼ିଥିଲା। ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ଯୁବକମାନଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେମାନଙ୍କ ସୃଜନଶୀଳତା ପାଇଁ କୌଣସି ପ୍ରଶଂସା ଯଥେଷ୍ଟ ହେବ ନାହିଁ।

Categories
ଜାତୀୟ ଖବର ବିଶେଷ ଖବର

ମହାକୁମ୍ଭ ହେଉଛି ଏକତାର ମହାଯଜ୍ଞ: ପ୍ରଧାନମନ୍ତ୍ରୀ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ପ୍ରାୟ ୫୫୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ସଙ୍ଗମର ପବିତ୍ର ଭୂମିକୁ ପ୍ରଣାମ କରିଥିଲେ ଓ ମହାକୁମ୍ଭକୁ ଆସୁଥିବା ସାଧୁସନ୍ୟାସୀଙ୍କ ପ୍ରତି ନିଜର ସମ୍ମାନ ପ୍ରକଟ କରିଥିଲେ । ନିଜର କଠିନ ପରିଶ୍ରମ ଓ ନିଷ୍ଠା ବଳରେ ମହାକୁମ୍ଭକୁ ସଫଳ କରିଥିବା ଶ୍ରମିକ, ସଫାଇ କର୍ମଚାରୀମାନଙ୍କୁ ମଧ୍ୟ ଶ୍ରୀ ମୋଦୀ ନିଜର କୃତଜ୍ଞତା ଜଣାଇଥିଲେ । ମହାକୁମ୍ଭର ବୃହତ୍ ଆୟୋଜନ ଓ ବିଶାଳ ଆକାର କଥା ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ବିଶ୍ବର ଅନ୍ୟତମ ବୃହତ୍ ଜନସମାଗମ । ୪୫ ଦିନ ପାଇଁ ଆୟୋଜନ ହେଉଥିବା ଏହି ମହାଯଜ୍ଞକୁ ପ୍ରତିଦନ ଲକ୍ଷ ଲକ୍ଷ ଲୋକଙ୍କୁ ସ୍ବାଗତ କରାଯାଇଥାଏ ଓ ଏଥିପାଇଁ ଏକ ସମ୍ପୂର୍ଣ୍ଣ ନୂଆ ସହର ଛିଡ଼ା କରିଦିଆଯାଏ । “ପ୍ରୟାଗରାଜର ଭୂମିରେ ଏକ ନୂଆ ଇତିହାସ ଲେଖାଯାଉଛି” ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆସନ୍ତା ବର୍ଷ ଆୟୋଜନ ହେଉଥିବା ମହାକୁମ୍ଭ ଦେଶର ଆଧ୍ୟାତ୍ମିକ ଓ ସାଂସ୍କୃତିକ ପରିଚୟକୁ ଏକ ନୂଆ ଉଚ୍ଚତାକୁ ନେଇଯିବ ଓ ଏକତାର ଏପରି ଏକ ମହାଯଜ୍ଞ ସଂପର୍କରେ ସମଗ୍ର ବିଶ୍ବରେ ଚର୍ଚ୍ଚା ହେବ । ମହାକୁମ୍ଭର ସଫଳ ଆୟୋଜନ ନିମସ୍ତେ ସେ ଲୋକମାନଙ୍କୁ ନିଜର ଶୁଭେଚ୍ଛା ଜଣାଇଛନ୍ତି ।

“ଭାରତ ପବିତ୍ର ସ୍ଥାନ ଓ ତୀର୍ଥକ୍ଷେତ୍ରର ଏକ ଭୂମି” ଶ୍ରୀ ମୋଦୀ କହିଛନ୍ତି । ସେ କହିଛନ୍ତି, ଏହା ଗଙ୍ଗା, ଯମୁନା, ସରସ୍ବତୀ, କାବେରୀ, ନର୍ମଦା ଓ ଆହୁରି ଅନେକ ନଦୀର ଭୂମି । ପ୍ରୟାଗକୁ ଏହି ନଦୀଗୁଡ଼ିକର ପବିତ୍ର ପ୍ରବାହର ସଂଗମ, ସଂଗ୍ରହ, ସମାବେଶ, ସମ୍ମିଶ୍ରଣ, ପ୍ରଭାବ ଏବଂ ଶକ୍ତି, ଅନେକ ତୀର୍ଥସ୍ଥଳୀର ମହତ୍ତ୍ୱ ଏବଂ ସେଗୁଡ଼ିକର ମହାନତା ବୋଲି ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରୟାଗ କେବଳ ତିନୋଟି ନଦୀର ସଂଗମ ନୁହେଁ, ବରଂ ଏହାଠାରୁ ଅନେକ କିଛି ଅଧିକ । ଏହାର ମହତ୍ତ୍ବକୁ ବୁଝାଇ ସେ କହିଛନ୍ତି ଯେ ପ୍ରୟାଗ ସମ୍ପର୍କରେ ଏହା କୁହାଯାଏ ଯେ ଯେତେବେଳେ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରନ୍ତି ସେତେବେଳେ ସମଗ୍ର ଦିବ୍ୟଶକ୍ତି, ଅମୃତ, ସାଧୁସନ୍ୟାସୀଗଣ ପ୍ରୟାଗକୁ ଆସନ୍ତି । ସେ କହିଥିଲେ, ପ୍ରୟାଗ ଏପରି ଏକ ସ୍ଥାନ ଯାହାର ବିମାନ ପୁରାଣଗୁଡ଼ିକ ଅସମ୍ପୂର୍ଣ୍ଣ । ପ୍ରୟାଗ ଏପରି ଏକ ସ୍ଥାନ ଯାହାର ପ୍ରସଂଶା ବୈଦିକ ସୁକ୍ତରେ କରାଯାଇଛି ।

“ପ୍ରୟାଗ ହେଉଛି ସେହି ସ୍ଥାନ ଯାହାର କୋଣ ଅନୁକୋଣରେ ପବିତ୍ର ସ୍ଥାନ ଓ ପୂଣ୍ୟକ୍ଷେତ୍ର ଅଛି” ଶ୍ରୀ ମୋଦୀ କହିଛନ୍ତି । ପ୍ରୟାଗର ସାଂସ୍କୃତିକ ଓ ଅଧ୍ୟାତ୍ମିକ ମହତ୍ତ୍ବ ବର୍ଣ୍ଣନା କରି ଶ୍ରୀ ମୋଦୀ ଏକ ସଂସ୍କୃତ ଶ୍ଳୋକ ଆବୃତି କରିଥିଲେ ଓ ବୁଝାଇଥିଲେ, “ତ୍ରିବେଣୀର ପ୍ରଭାବ, ବେଣୀମାଧବର ମହତ୍ତ୍ବ, ସୋମେଶ୍ବରର ଆଶିର୍ବାଦ, ଋଷି ଭରଦ୍ବାଜଙ୍କ ତପୋଭୂମି, ନାଗରାଜ ଭଗବାନ ବାସୁକୀଙ୍କ ଭୂମି, ଅକ୍ଷୟବଟର ଅମରତ୍ବ ଓ ଇଶ୍ବରଙ୍କ ଆଶିର୍ବାଦ- ଏସବୁକୁ ନେଇ  ହୋଇଛି ଆମ ତୀର୍ଥରାଜ ପ୍ରୟାଗ ।“ସେ ଆହୁରି ମଧ୍ୟ କହିଥିଲେ, ପ୍ରୟାଗରାଜ ସେହିସ୍ଥାନ ଯେଉଁଠାରେ ଧର୍ମ, ଅର୍ଥ,କାମ ଓ ମୋକ୍ଷ ପ୍ରାପ୍ତ ହୋଇଥାଏ । “ପ୍ରୟାଗରାଜ କେବଳ ଏକ ଭୌଗୋଳିକ ଭୂଖଣ୍ଡ ନୁହେଁ, ଏହା ଆଧ୍ୟାତ୍ମିକ ଅନୁଭୂତିର କ୍ଷେତ୍ର”ପ୍ରଧାନମନ୍ତ୍ରୀ କହିଥିଲେ ଓ ପ୍ରୟାଗରାଜକୁ ଆସିଥିବା ଲୋକମାନଙ୍କୁ କୃତଜ୍ଞତା ଜଣାଇଥିଲେ । ଗତ କୁମ୍ଭ ସମୟରେ ପବିତ୍ର ସଂଗମରେ ସ୍ନାନ କରିବା କଥା ସେ ମନେ ପକାଇଥିଲେ ଓ ଆଜି ସେହି ସୁଯୋଗ ମିଳିଥିବା ସେ କହିଥିଲେ ।  ଏହା ପୂର୍ବରୁ ହନୁମାନ ମନ୍ଦିର ଏବଂ ଅକ୍ଷୟବଟ ଦର୍ଶନ ଏବଂ ପୂଜା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭକ୍ତ ମାନଙ୍କ ସହଜରେ ଯାତାୟାତ ପାଇଁ ହନୁମାନ କରିଡର ଏବଂ ଅକ୍ଷୟବଟ କରିଡରର ବିକାଶ କରାଯାଇଛି । ସରସ୍ୱତୀ କୂପର ପୁନଃନିର୍ମାଣ ପ୍ରକଳ୍ପ ବିଷୟରେ ମଧ୍ୟ ପଚାରି ବୁଝିଥିଲେ ବୋଲି କହିଥିଲେ । ହଜାର ହଜାର କୋଟିର ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ସେ ନାଗରିକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ଶ୍ରୀ ମୋଦୀ କହିଥିଲେ “ହଜାର ହଜାର ବର୍ଷ ଧରି ଚାଲି ଆସୁଥିବା ଆମ ଦେଶର ସାଂସ୍କୃତିକ, ଆଧ୍ୟାତ୍ମିକ ଯାତ୍ରାର ଏକ ପୁଣ୍ୟ ଓ ଜୀବନ୍ତ ପ୍ରତୀକ ହେଉଛି ମହାକୁମ୍ଭ ।“ ସେ କହିଥିଲେ, ପ୍ରତ୍ୟେକଥର ଏହି ବିଶାଳ ଆୟୋଜନ  ଧର୍ମ, ଜ୍ଞାନ, ଭକ୍ତି ଓ କଳାର ଦିବ୍ୟ ସମାଗମର ପ୍ରତୀକ ହୋଇଥାଏ। ଏକ ସଂସ୍କୃତ ଶ୍ଲୋକ ଆବୃତି କରି ପ୍ରଧାନମନ୍ତ୍ରୀ  ବୁଝାଇଥିଲେ ଯେ  ସଙ୍ଗମସ୍ଥଳରେ ସ୍ନାନ କଲେ କୋଟି କୋଟି ତୀର୍ଥଯାତ୍ରା ସହ ସମାନ ଫଳ ମିଳିଥାଏ।  ପ୍ରୟାଗରେ ସ୍ନାନ କରୁଥିବା ବ୍ୟକ୍ତି ପ୍ରତ୍ୟେକ ପାପରୁ ମୁକ୍ତି ପାଇଥାଏ  ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ କହଥିଲେ, ରାଜା-ସମ୍ରାଟଙ୍କ ଯୁଗ ହେଉ ଅବା ଶହ ଶହ ବର୍ଷର ବ୍ରିଟିସ ଦାସତ୍ୱର ଯୁଗ ହେଉ, ବିଶ୍ୱାସର ଏହି ପ୍ରବାହ କେବେ ବନ୍ଦ ହୋଇନଥିଲା। ଏହାର ଏକ ପ୍ରମୁଖ କାରଣ ହେଉଛି କୁମ୍ଭ କୌଣସି ବାହ୍ୟ ଶକ୍ତି  ଦ୍ବାରା ପରିଚାଳିତ ନୁହେଁ । ସେ କହିଥିଲେ, କୁମ୍ଭ ମନୁଷ୍ୟର ଆଭ୍ୟନ୍ତରୀଣ ଚେତନାର ନାମ, ଯେଉଁ ଚେତନା ଆପେ ଆପେ ଜାଗ୍ରତ ହୋଇଯାଏ ଓ ତାହା ଭାରତର କୋଣ ଅନୁକୋଣରୁ ଲୋକଙ୍କୁ ସଙ୍ଗମ କୂଳକୁ ଆକର୍ଷିତ କରିଥାଏ । ଗାଁ, ସହର ଓ ସହରର ଲୋକମାନେ ପ୍ରୟାଗରାଜ ଆଡ଼କୁ ଆକର୍ଷିତ ହୋଇଆସନ୍ତି ଓ ସାମୂହିକତାର ଏଭଳି ଶକ୍ତି, ଏପରି ଜନସମାଗମ ଅନ୍ୟ କେଉଁଠି ଖୁବ୍ କମ୍ ଦେଖିବାକୁ ମିଳେ। ଶ୍ରୀ ମୋଦୀ କହିଥିଲେ, ଥରେ ଜଣେ ବ୍ୟକ୍ତି ମହାକୁମ୍ଭକୁ ଆସିଲେ ସେ ଅନ୍ୟମାନଙ୍କ ସହ ସମାନ ହୋଇଯାଏ, ସେ ସନ୍ୟାସୀ ହୁଅନ୍ତୁ ଅର୍ଥବା ସାଧୁ ବା ସାଧାରଣ ଲୋକ ଏବଂ ଜାତି ସଂପ୍ରଦାୟର ଭେଦଭାବ ଏଠାରେ ଶେଷ ହୋଇଯାଏ । କୋଟି କୋଟି ଲୋକ ଗୋଟିଏ ଲକ୍ଷ୍ୟ ଓ ଧାରଣା ନେଇ ଏକାଠି ହୋଇଥାନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ, ଏଥର ମଧ୍ୟ ମହାକୁମ୍ଭ ସମୟରେ ବିଭିନ୍ନ ରାଜ୍ୟରୁ ଭିନ୍ନ ଭିନ୍ନ ଭାଷା, ଜାତି, ବିଶ୍ବାସର ଲୋକେ ସଂଗମରେ ଏକାଠି ହେବେ ଓ ଏକତାସୁତ୍ରରେ ବାନ୍ଧି ହେବେ । ସେ କହିଥିଲେ ଯେ ଏଥିପାଇଁ ତାଙ୍କର ବିଶ୍ବାସ ଯେ ମହାକୁମ୍ଭ ହେଉଛି ଏକତାର ମହାଯଜ୍ଞ, ଯେଉଁଠାରେ ସବୁ ପ୍ରକାର ଭେଦଭାବକୁ ତ୍ୟାଗ କରାଯାଏ ଓ ସଙ୍ଗମରେ ସ୍ନାନ କରୁଥିବା ପ୍ରତ୍ୟେକ ଭାରତୀୟ ଏକ ଭାରତ-ଶ୍ରେଷ୍ଠ ଭାରତର ଏକ ଚମତ୍କାର ଚିତ୍ର ଉପସ୍ଥାପନ କରନ୍ତି ।

ଶ୍ରୀ ମୋଦୀ ଭାରତର ସାଂସ୍କୃତିକ ଓ ଆଧ୍ୟାତ୍ମିକ ପରମ୍ପରାରେ କୁମ୍ଭର ମହତ୍ତ୍ବ ସଂପର୍କରେ ଉଲ୍ଲେଖ କରିଥିଲେ ଓ ବୁଝାଇଥିଲେ କିପରି ଦେଶର ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଓ ସମସ୍ୟା ସଂପର୍କରେ ମୁନଋଷିମାନଙ୍କର ଆଲୋଚନାର ଏକ ମଞ୍ଚ ରହିଆସିଛି । ସେ କହିଥିଲେ ଯେ, ଅତୀତରେ ଯେତେବେଳେ କୌଣସି ପ୍ରକାରର ଆଧୁନିକ ଯୋଗାଯୋଗ ମାଧ୍ୟମ ନଥିଲା, ସେତେବେଳେ କୁମ୍ଭ ଗୁରୁତ୍ୱପୂର୍ଣ୍ଣ ସାମାଜିକ ପରିବର୍ତ୍ତନର ମୂଳଦୁଆ ପାଲଟିଥିଲା ଯେଉଁଠାରେ ସାଧୁ ସନ୍ଥ ଏବଂ ପଣ୍ଡିତମାନେ ଏକତ୍ରିତ ହୋଇ ଦେଶର କଲ୍ୟାଣ ବିଷୟରେ ଆଲୋଚନା କରୁଥିଲେ ଏବଂ ଉଭୟ ସାଂପ୍ରତିକ ଏବଂ ଭବିଷ୍ୟତର ଆହ୍ୱାନ ଉପରେ ବିଚାର ବିମର୍ଶ କରୁଥିଲେ, ଯାହା ଦ୍ୱାରା ଦେଶର ଚିନ୍ତାଧାରାକୁ ନୂତନ ଦିଗ ଏବଂ ଶକ୍ତି ମିଳୁଥିଲା । ପ୍ରଧାନମନ୍ତ୍ରୀ କହିଥିଲେ, ଆଜି ମଧ୍ୟ କୁମ୍ଭ ଏକ ମଞ୍ଚଭାବେ ନିଜର ମହତ୍ତ୍ବକୁ ବଜାୟ ରଖିଛି, ଯେଉଁଠାରେ ଏପରି ଆଲୋଚନା ଜାରି ରହିଛି, ସାରାଦେଶକୁ ସକାରାତ୍ମକ ବାର୍ତ୍ତା ପ୍ରଦାନ କରାଯାଉଛି ଓ ଦେଶର ମଙ୍ଗଳ ଉପରେ ମିଳିତ ଚିନ୍ତାଧାରାକୁ ଅନୁପ୍ରାଣିତ କରାଯାଉଛି ।  ସେ କହିଥିଲେ, ଯଦିଓ ଏହି ସମାବେଶର ନାମ, ମାଇଲଖୁଣ୍ଟ ଏବଂ ମାର୍ଗ ଭିନ୍ନ ଭିନ୍ନ ହୋଇପାରେ, ଏହାର ଉଦ୍ଦେଶ୍ୟ ଏବଂ ଯାତ୍ରା ଅପରିବର୍ତ୍ତିତ ରହିଛି । କୁମ୍ଭ ଏବେ ବି ସାଂପ୍ରତିକ ଜାତୀୟ ଆଲୋଚନା ଏବଂ ଭବିଷ୍ୟତର ପ୍ରଗତିର ଆଲୋକସ୍ତମ୍ଭ ହୋଇ ରହିଛି ବୋଲି ସେ ଉଲ୍ଲେଖ କରିଥିଲେ।

ପ୍ରଧାନମନ୍ତ୍ରୀ ପୂର୍ବ ସରକାରମାନଙ୍କ ଦ୍ୱାରା କୁମ୍ଭ ଏବଂ ଧାର୍ମିକ ତୀର୍ଥଯାତ୍ରାକୁ ଅବହେଳା ବିଷୟରେ ଆଲୋକପାତ କରିଥିଲେ ଏବଂ କହିଥିଲେ ଯେ ଏହି ମେଳାର ଗୁରୁତ୍ୱ ସତ୍ତ୍ୱେ ତୀର୍ଥଯାତ୍ରୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା । ଭାରତର ସଂସ୍କୃତି ଏବଂ ବିଶ୍ୱାସ ସହ ସଂପର୍କର ଅଭାବକୁ ସେ ଦାୟୀ କରିଥିଲେ ଏବଂ ଉଭୟ କେନ୍ଦ୍ର ଏବଂ ରାଜ୍ୟରେ ଥିବା ବର୍ତ୍ତମାନର ସରକାରଙ୍କ ଅଧୀନରେ ଭାରତର ପରମ୍ପରା ଏବଂ ବିଶ୍ୱାସ ପ୍ରତି ଗଭୀର ସମ୍ମାନ ରହିଛି ବୋଲି ନାଗରିକମାନଙ୍କୁ ଆଶ୍ୱାସନା ଦେଇଥିଲେ । କୁମ୍ଭକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ସୁବିଧା ସୁଯୋଗ ଯୋଗାଇଦେବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିଜ ଦାୟିତ୍ୱ ବୋଲି ସେ କହିଥିଲେ।

ବିଭିନ୍ନ ପ୍ରକଳ୍ପ ପାଇଁ ହଜାର ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ଏବଂ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ପ୍ରସ୍ତୁତି ସୁନିଶ୍ଚିତ କରିବା ପାଇଁ କାର୍ଯ୍ୟ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ । ଅଯୋଧ୍ୟା, ବାରଣାସୀ, ରାଏବରେଲି ଏବଂ ଲକ୍ଷ୍ନୌ ଭଳି ସହରକୁ ପ୍ରୟାଗରାଜର ଯୋଗାଯୋଗରେ ଉନ୍ନତି ଆଣିବା ଉପରେ ଗୁରୁତ୍ବ ଦିଆଯାଉଥିବା ସେ କହିଥିଲେ । ଏହି ବୃହତ୍ ସମାରୋହର ପ୍ରସ୍ତୁତିରେ ଅନେକ ସରକାରୀ ବିଭାଗ ପକ୍ଷରୁ କରାଯାଉଥିବା ସାମୂହିକ ପ୍ରୟାସକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ, ଯାହା “ସରକାରଙ୍କ ସାମଗ୍ରିକ ଆଭିମୁଖ୍ୟ”କୁ ଦର୍ଶାଉଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିକାଶ ସହିତ ଭାରତର ଐତିହ୍ୟକୁ ସମୃଦ୍ଧ କରିବା ସରକାରଙ୍କ ଲକ୍ଷ୍ୟ ରହିଛି। ସେ ଦେଶବ୍ୟାପୀ ବିକଶିତ ହେଉଥିବା ବିଭିନ୍ନ ପର୍ଯ୍ୟଟନ ସର୍କିଟ୍ ବିଷୟରେ ଉଲ୍ଲେଖ କରିବା ସହ ରାମାୟଣ ସର୍କିଟ୍, କ୍ରିଷ୍ଣା ସର୍କିଟ୍, ବୌଦ୍ଧ ସର୍କିଟ୍ ଓ ତୀର୍ଥଙ୍କର ସର୍କିଟ୍ ର ଉଦାହରଣ ଦେଇଥିଲେ। ସ୍ୱଦେଶ ଦର୍ଶନ ଏବଂ ପ୍ରସାଦ ଭଳି ଯୋଜନା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ତୀର୍ଥସ୍ଥଳୀଗୁଡ଼ିକରେ ସୁବିଧାଗୁଡ଼ିକର ବିକାଶ କରୁଛନ୍ତି । ଭବ୍ୟ ରାମ ମନ୍ଦିର ନିର୍ମାଣ ସହିତ ଅଯୋଧ୍ୟାର ପରିବର୍ତ୍ତନ ଉପରେ ସେ ଆଲୋକପାତ କରିଥିଲେ ଯାହା ସମଗ୍ର ସହରର ଉନ୍ନତି କରିଚାଲିଛି । ସେ ବିଶ୍ୱନାଥ ଧାମ ଏବଂ ମହାକାଳ ମହାଲୋକ ଭଳି ପ୍ରକଳ୍ପ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ଯାହା ବିଶ୍ୱସ୍ତରରେ ସ୍ୱୀକୃତି ପାଇଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରୟାଗରାଜରେ ଅକ୍ଷୟ ବଟ କରିଡର, ହନୁମାନ ମନ୍ଦିର କରିଡର ଏବଂ ଭରଦ୍ୱାଜ ଋଷି ଆଶ୍ରମ କରିଡର ଏହି ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଥିବା ବେଳେ ତୀର୍ଥଯାତ୍ରୀଙ୍କ ପାଇଁ ସରସ୍ୱତୀ କୂପ, ପାତାଳପୁରୀ, ନାଗବାସୁକି ଏବଂ ଦ୍ୱାଦଶ ମାଧବ ମନ୍ଦିର ଭଳି ସ୍ଥାନର ଉନ୍ନତୀକରଣ କରାଯାଇଛି ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ନିଶାଦରାଜଙ୍କ ଭୂମି ପ୍ରୟାଗରାଜ ମର୍ଯ୍ୟାଦା ପୁରୁଷୋତ୍ତମ ହେବାରେ ଭଗବାନ ରାମଙ୍କ ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ସେ କହିଥିଲେ ଯେ ଭଗବାନ ରାମ ଏବଂ କେୱଟଙ୍କ ଘଟଣା ଆମକୁ ପ୍ରେରଣା ଦେଇଥାଏ । କେୱଟ ଭଗବାନ ରାମଙ୍କ ପାଦ ଧୋଇ ତାଙ୍କୁ ଡଙ୍ଗାରେ ନଦୀ ପାର ହେବାରେ ସାହାଯ୍ୟ କରିଥିଲେ ଯାହାକି ଭକ୍ତି ଓ ବନ୍ଧୁତାର ପ୍ରତୀକ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଘଟଣା ବାର୍ତ୍ତା ଦେଉଛି ଯେ ଭଗବାନ ମଧ୍ୟ ନିଜ ଭକ୍ତଙ୍କ ଠାରୁ ସାହାଯ୍ୟ ମାଗିପାରିବେ । ଶ୍ରୀଙ୍ଗବରପୁର ଧାମର ବିକାଶ ଏହି ବନ୍ଧୁତାର ପ୍ରମାଣ ଏବଂ ଭଗବାନ ରାମ ଓ ନିଶାଦରାଜଙ୍କ ପ୍ରତିମୂର୍ତ୍ତି ଆଗାମୀ ପିଢ଼ିକୁ ସୌହାର୍ଦ୍ଦ୍ୟର ବାର୍ତ୍ତା ଦେଇ ଚାଲିବ ବୋଲି ଶ୍ରୀ ମୋଦୀ କହିଥିଲେ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭବ୍ୟ କୁମ୍ଭକୁ ସଫଳ କରିବାରେ ସ୍ୱଚ୍ଛତାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରୟାଗରାଜରେ ଉପଯୁକ୍ତ ପରିମଳ ଏବଂ ବର୍ଜ୍ୟବସ୍ତୁ ପରିଚାଳନା ସୁନିଶ୍ଚିତ କରିବା ପାଇଁ ନମାମି ଗଙ୍ଗେ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଇଛି ଏବଂ ସଚେତନତା ସୃଷ୍ଟି କରିବା ପାଇଁ ଗଙ୍ଗା ଦୂତ, ଗଙ୍ଗା ପ୍ରହରୀ ଏବଂ ଗଙ୍ଗା ମିତ୍ର ନିଯୁକ୍ତି ଭଳି ପଦକ୍ଷେପ ଆରମ୍ଭ କରାଯାଇଛି ବୋଲି ସେ କହିଛନ୍ତି। ଏଥର କୁମ୍ଭର ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ ୧୫,୦୦୦ରୁ ଅଧିକ ସଫେଇ କର୍ମଚାରୀ ନିୟୋଜିତ ହେବେ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି। ସେ ଏହି କର୍ମଚାରୀମାନଙ୍କୁ ଆଗୁଆ କୃତଜ୍ଞତା ଜଣାଇବା ସହ କୋଟି କୋଟି ଶ୍ରଦ୍ଧାଳୁଙ୍କୁ ଆଧ୍ୟାତ୍ମିକ ଓ ସ୍ୱଚ୍ଛ ପରିବେଶ ପ୍ରଦାନରେ ସେମାନଙ୍କର ସମର୍ପଣକୁ ସ୍ୱୀକାର କରିଥିଲେ । ଭଗବାନ ଶ୍ରୀକୃଷ୍ଣଙ୍କ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭଗବାନ ଶ୍ରୀକୃଷ୍ଣ ଅଇଁଠାପତ୍ର ଉଠାଇ ପ୍ରତ୍ୟେକ କାର୍ଯ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ବାର୍ତ୍ତା ଦେଇଥିଲେ ଏବଂ ସଫେଇ କର୍ମଚାରୀମାନେ ସେମାନଙ୍କ କାର୍ଯ୍ୟ ମାଧ୍ୟମରେ କାର୍ଯ୍ୟକ୍ରମର ମହାନତାକୁ ବଢ଼ାଇବେ ବୋଲି କହିଥିଲେ । ୨୦୧୯ ର କୁମ୍ଭ ସମୟରେ ସ୍ୱଚ୍ଛତା ପାଇଁ ତାଙ୍କୁ ମିଳିଥିବା ପ୍ରଶଂସା ଏବଂ ସଫେଇ କର୍ମଚାରୀଙ୍କ ପାଦ ଧୋଇ ସେ କିପରି କୃତଜ୍ଞତା ଜ୍ଞାପନ କରିଥିଲେ ତାହା ତାଙ୍କ ପାଇଁ ଏକ ସ୍ମରଣୀୟ ଅନୁଭୂତି ବୋଲି ସେ କହିଥିଲେ ।

ଶ୍ରୀ ମୋଦୀ ଗୁରୁତ୍ୱାରୋପ କରି କହିଥିଲେ ଯେ କୁମ୍ଭ ମେଳା ଦ୍ୱାରା ଅର୍ଥନୈତିକ କାର୍ଯ୍ୟକଳାପରେ ଉଲ୍ଲେଖନୀୟ ବୃଦ୍ଧି ଘଟିଥାଏ, ଯାହା ପ୍ରାୟତଃ ନଜରକୁ ଆସେ ନାହିଁ । ସେ କହିଛନ୍ତି ଯେ କୁମ୍ଭ ଆରମ୍ଭ ହେବା ପୂର୍ବରୁ ମଧ୍ୟ ଏହି ଅଞ୍ଚଳରେ ଅର୍ଥନୈତିକ କାର୍ଯ୍ୟକଳାପ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ପ୍ରାୟ ଦେଢ଼ ମାସ ପର୍ଯ୍ୟନ୍ତ ସଙ୍ଗମ କୂଳରେ ଏକ ଅସ୍ଥାୟୀ ସହର ପ୍ରତିଷ୍ଠା କରାଯିବ, ଯେଉଁଠାରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଆସିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ସମୟରେ ପ୍ରୟାଗରାଜରେ ଶୃଙ୍ଖଳା ବଜାୟ ରଖିବା ପାଇଁ ବହୁ ସଂଖ୍ୟାରେ ଲୋକଙ୍କ ଆବଶ୍ୟକତା ପଡ଼ିବ । ୬ ହଜାରରୁ ଅଧିକ ନାବିକ, ହଜାର ହଜାର ଦୋକାନୀ ଏବଂ ଧାର୍ମିକ ରୀତିନୀତି ଓ ପବିତ୍ର ସ୍ନାନରେ ସହଯୋଗ କରୁଥିବା ବ୍ୟକ୍ତିଙ୍କ ଭୂମିକା ବୃଦ୍ଧି ପାଇବ, ଯାହା ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଶ୍ରୀ ମୋଦୀ କହିଛନ୍ତି। ଯୋଗାଣ ଶୃଙ୍ଖଳା ବଜାୟ ରଖିବା ପାଇଁ ବ୍ୟବସାୟୀଙ୍କୁ ଅନ୍ୟ ସହରରୁ ସାମଗ୍ରୀ ଆଣିବାକୁ ପଡ଼ିବ ବୋଲି ସେ କହିଛନ୍ତି। କୁମ୍ଭର ପ୍ରଭାବ ଆଖପାଖ ଜିଲ୍ଲାରେ ମଧ୍ୟ ଅନୁଭୂତ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ କହିଥିଲେ ଯେ ଅନ୍ୟ ରାଜ୍ୟରୁ ଆସୁଥିବା ତୀର୍ଥଯାତ୍ରୀମାନେ ଟ୍ରେନ୍ କିମ୍ବା ବିମାନ ସେବା ବ୍ୟବହାର କରିବେ, ଯାହା ଅର୍ଥନୀତିକୁ ଆହୁରି ପ୍ରୋତ୍ସାହିତ କରିବ। କୁମ୍ଭ କେବଳ ସମାଜକୁ ସୁଦୃଢ଼ କରିବ ନାହିଁ ବରଂ ଲୋକଙ୍କ ଆର୍ଥିକ ସଶକ୍ତୀକରଣରେ ମଧ୍ୟ ଯୋଗଦାନ କରିବ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।

ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ଆଗାମୀ ମହାକୁମ୍ଭ ୨୦୨୫କୁ ସାକାର କରିବା ପାଇଁ ବୈଷୟିକ ଜ୍ଞାନକୌଶଳର ବଡ଼ ଭୂମିକା ରହିବ । ସେ କହିଥିଲେ, ପୂର୍ବ ବର୍ଷ ତୁଳନାରେ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି ଏବଂ ୨୦୧୩ ତୁଳନାରେ ଡାଟା ବହୁତ ଶସ୍ତା ହୋଇଯାଇଛି। ସେ କହିଥିଲେ ଯେ ଆଜିକାଲି ବ୍ୟବହାରୀ ଅନୁକୂଳ ଆପ ଆସିବା ଦ୍ବାରା ଯେଉଁମାନଙ୍କର ବୈଷୟିକ ଜ୍ଞାନ ନାହିଁ ସେମାନେ ବି ସେଗୁଡ଼ିକୁ ସହଜରେ ବ୍ୟବହାର କରିପାରୁଛନ୍ତି । କୁମ୍ଭରେ ପ୍ରଥମ ଥର ପାଇଁ ଏଆଇ ଏବଂ ଚାଟବଟ୍ ଟେକ୍ନୋଲୋଜିର ବ୍ୟବହାର ସମ୍ପର୍କରେ ସେ କହିଛନ୍ତି ଯେ ୧୧ଟି ଭାରତୀୟ ଭାଷାରେ ଯୋଗାଯୋଗ କରିବାରେ ସକ୍ଷମ ।

କୁମ୍ଭକୁ ଏକତାର ପ୍ରତୀକ ଭାବରେ ପ୍ରଦର୍ଶିତ କରିବା ପାଇଁ ଫଟୋଗ୍ରାଫି ପ୍ରତିଯୋଗିତା ଆୟୋଜନ କରିବା ଏବଂ ଅଧିକରୁ ଅଧିକ ଲୋକଙ୍କୁ ଯୋଡ଼ିବା ପାଇଁ ଡାଟା ଏବଂ ଟେକ୍ନୋଲୋଜିର ଉପଯୋଗ କରିବାକୁ ସେ ପରାମର୍ଶ ଦେଇଥିଲେ। ସୋସିଆଲ ମିଡିଆରେ ବହୁଳ ଭାବରେ ସେୟାର ହୋଇ ଏହି ଫଟୋଗୁଡ଼ିକ ଅଗଣିତ ଭାବନା ଏବଂ ରଙ୍ଗକୁ ମିଶାଇ ଏକ ବିଶାଳ କ୍ୟାନଭାସ ତିଆରି କରିବ । ଏଥିସହିତ ଆଧ୍ୟାତ୍ମିକତା ଓ ପ୍ରକୃତିକୁ କେନ୍ଦ୍ର କରି ପ୍ରତିଯୋଗିତା ଆୟୋଜନ କରିବାକୁ ସେ ପ୍ରସ୍ତାବ ଦେଇଥିଲେ, ଯାହା କି ଯୁବପିଢ଼ିଙ୍କ ମଧ୍ୟରେ କୁମ୍ଭ ପ୍ରତି ଆକର୍ଷଣକୁ ଆହୁରି ବଢ଼ାଇବ।

ମହାକୁମ୍ଭରୁ ମିଳୁଥିବା ସାମୂହିକ ଓ ଆଧ୍ୟାତ୍ମିକ ଶକ୍ତି ବିକଶିତ ଭାରତ ପ୍ରତି ଦେଶର ସଂକଳ୍ପକୁ ଆହୁରି ସୁଦୃଢ଼ କରିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ୱାସ ବ୍ୟକ୍ତ କରିଥିଲେ। ସେ କୁମ୍ଭ ସ୍ନାନକୁ ଐତିହାସିକ ଓ ଅବିସ୍ମରଣୀୟ କରିବା ପାଇଁ କାମନା କରିବା ସହ ଗଙ୍ଗା, ଯମୁନା ଓ ସରସ୍ୱତୀ ନଦୀର ପବିତ୍ର ସଂଗମ ମାଧ୍ୟମରେ ମାନବ କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲେ। ସେ ସମସ୍ତ ତୀର୍ଥଯାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ପବିତ୍ର ସହର ପ୍ରୟାଗରାଜକୁ ସ୍ୱାଗତ କରିଛନ୍ତି।

ଏହି ଅବସରରେ ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ, ବ୍ରଜେଶ ପାଠକ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରୟାଗରାଜ ଗସ୍ତ କରି ସଙ୍ଗମ ସ୍ଥଳରେ ପୂଜା ଓ ଦର୍ଶନ ଓ ତାପରେ ଅକ୍ଷୟ ବଟରେ ପୂଜାର୍ଚ୍ଚନା କରିଥିଲେ । ଏହାପରେ ହନୁମାନ ମନ୍ଦିର ଓ ସରସ୍ୱତୀ କୂପ ନିକଟରେ ପୂଜା କରିଥିଲେ। ପ୍ରଧାନମନ୍ତ୍ରୀ ମହାକୁମ୍ଭ ପ୍ରଦର୍ଶନୀ ସ୍ଥଳ ମଧ୍ୟ ପରିଦର୍ଶନ କରିଥିଲେ ।

ମହାକୁମ୍ଭ ୨୦୨୫ ପାଇଁ ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏଥିରେ ବିଭିନ୍ନ ରେଳ ଓ ସଡ଼କ ପ୍ରକଳ୍ପ ଯଥା ୧୦ଟି ନୂଆ ରୋଡ୍ ଓଭର ବ୍ରିଜ୍ (ଆରଓବି) ବା ଫ୍ଲାଏଓଭର, ସ୍ଥାୟୀ ଘାଟ ଏବଂ ରିଭରଫ୍ରଣ୍ଟ ରାସ୍ତା ଅନ୍ତର୍ଭୁକ୍ତ ଯେଉଁଗୁଡ଼ିକ ପ୍ରୟାଗରାଜରେ ଭିତ୍ତିଭୂମି ବିକାଶ କରିବା ସହ ଯାତାୟାତକୁ ସୁଗମ କରିବ ।

ସ୍ୱଚ୍ଛ ଏବଂ ନିର୍ମଳ ଗଙ୍ଗା ପ୍ରତି ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ ପ୍ରଧାନମନ୍ତ୍ରୀ ଗଙ୍ଗା ନଦୀକୁ ଯାଉଥିବା ଛୋଟ ଛୋଟ ଡ୍ରେନ୍ ଗୁଡ଼ିକୁ ଅବରୋଧକ, ଟାପିଂ, ଡାଇଭର୍ସନ ଏବଂ ସଫା କରିବା ପାଇଁ ପ୍ରକଳ୍ପଗୁଡ଼ିକର ଉଦଘାଟନ କରିଥିଲେ । ପାନୀୟ ଜଳ ଓ ବିଜୁଳି ସମ୍ବନ୍ଧୀୟ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ମଧ୍ୟ ସେ ଉଦଘାଟନ କରିଥିଲେ ।

ପ୍ରଧାନମନ୍ତ୍ରୀ ଭରଦ୍ୱାଜ ଆଶ୍ରମ କରିଡର, ଶୃଙ୍ଗଭରପୁର ଧାମ କରିଡର, ଅକ୍ଷୟବଟ କରିଡର, ହନୁମାନ ମନ୍ଦିର କରିଡର ସମେତ କେତେକ ପ୍ରମୁଖ ମନ୍ଦିର କରିଡରକୁ ଉଦଘାଟନ କରିଥିଲେ । ଏହି ପ୍ରକଳ୍ପଗୁଡ଼ିକ ଭକ୍ତଙ୍କୁ ମନ୍ଦିରକୁ ସହଜରେ ପହଞ୍ଚାଇବା ସହ ଆଧ୍ୟାତ୍ମିକ ପର୍ଯ୍ୟଟନକୁ ମଧ୍ୟ ପ୍ରୋତ୍ସାହିତ କରିବ। ପ୍ରଧାନମନ୍ତ୍ରୀ କୁମ୍ଭ ସହାୟକ ଚାଟବଟ୍ ର ଶୁଭାରମ୍ଭ କରିଥିଲେ ଯାହା ମହାକୁମ୍ଭ ମେଳା ୨୦୨୫ର କାର୍ଯ୍ୟକ୍ରମ ବିଷୟରେ ଭକ୍ତମାନଙ୍କୁ ସହାୟତା ଏବଂ ସର୍ବଶେଷ ସୂଚନା ପ୍ରଦାନ କରିବ ।

Categories
ଆଜିର ଖବର ଜାତୀୟ ଖବର ଧର୍ମ

କୁମ୍ଭ ମେଳା ଆଡକୁ ଆସ୍ଥାର ଟ୍ରେନ୍

ନୂଆଦିଲ୍ଲୀ: ମହାକୁମ୍ଭ – ମାନେ ପୃଥିବୀରେ ଆସ୍ଥାର ସବୁଠୁ ବଡ଼ ସଙ୍ଗମକୁ ସଫଳ ରୂପାନ୍ତର କରିବା ଏବଂ ତୀର୍ଥଯାତ୍ରୀ ମାନଙ୍କୁ ସେବା ପ୍ରଦାନ କରିବା ଭାରତୀୟ ରେଳର ପୁରୁଣା ପରମ୍ପରା ଅଟେ ଏହି ପରମ୍ପରାକୁ ପୁଣି ଥରେ ଚରିତାର୍ଥ କରିବାକୁ ନିଜର ହଜାର ହଜାର କର୍ମଚାରୀମାନଙ୍କ ସହ ଭାରତୀୟ ରେଳ ଜଡିତ ଅଛି। ଭାରତୀୟ ରେଳ 2 ବର୍ଷରେ 5000 କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରି କୁମ୍ବ ପାଇଁ ପ୍ରସ୍ତୁତିକୁ ମଜବୁତ କରିବାକୁ ଚେଷ୍ଟା କରିଛି।

ପ୍ଲାଟଫର୍ମ ଏବଂ ଅନେକ ନୂତନ ନିର୍ମାଣ:

ମହାକୁମ୍ଭ ସମୟରେ ଜିଲ୍ଲାର ସମସ୍ତ ଷ୍ଟେସନରେ (ପ୍ରୟାଗରାଜ ଜଙ୍କସନ, ସୁବେଦIରଗଞ୍ଜ, ନୈନି, ପ୍ରୟାଗରାଜ ଚିଭ୍କି, ପ୍ରୟାଗ ଜଙ୍କସନ, ଫାଫାମାଉ, ପ୍ରୟାଗରାଜ ରାମବାଗ, ପ୍ରୟାଗରାଜ ସଙ୍ଗମ ଏବଂ ଜୁସି) ବହୁ ସଂଖ୍ୟାରେ ଯାତ୍ରୀ ରହିବେ। ଏହାକୁ ପରିଚାଳନା କରିବା ପାଇଁ ଷ୍ଟେସନରେ ନୂତନ ପ୍ଲାଟଫର୍ମ ସ୍ଥାପନ କରାଯାଉଛି ଏବଂ ପ୍ରୟାଗ ମାର୍ଗରେ ନୂତନ ରେଳ ଲାଇନ ମଧ୍ୟ ରଖାଯାଉଛି। ଯାତ୍ରୀ ଆଶ୍ରୟସ୍ଥଳୀ ଏବଂ ଅପେକ୍ଷା କକ୍ଷ ନିର୍ମାଣ କରାଯାଇଛି ଯାହା ଦ୍ୱାରା ଯାତ୍ରୀମାନେ ଉନ୍ନତ ସୁବିଧା ପାଇପାରିବେ। ସମସ୍ତ ଆଶ୍ରୟସ୍ଥଳୀଗୁଡିକ ଶୌଚାଳୟ, କ୍ୟାଟରିଂ ଷ୍ଟଲ୍, ସର୍ବସାଧାରଣ ଘୋଷଣା ଏବଂ ସୂଚନା ଓ ଅନୁସନ୍ଧାନ ପ୍ରଦର୍ଶନ ଇତ୍ୟାଦି ମୌଳିକ ସୁବିଧା ସହିତ ସଜ୍ଜିତ। ଏହା ସହିତ ଷ୍ଟେସନରେ ଯାତ୍ରୀମାନଙ୍କୁ ସେମାନଙ୍କର ଆବଶ୍ୟକତାରେ ଲଗେଜ୍ ଟ୍ରଲି ବୁକିଂ, ହ୍ୱିଲ ଚେୟାର ସେବା, ଟ୍ୟାକ୍ସି ଏବଂ ହୋଟେଲ ବୁକିଂ ଇତ୍ୟାଦିରେ ସାହାଯ୍ୟ କରିବା ପାଇଁ ଷ୍ଟେସନରେ ‘ମେ ଆଇ ହେଲପ୍ ୟୁ’ ବୁଥ୍ ମଧ୍ୟ ଖୋଲାଯାଉଛି।

ସମଗ୍ର ପ୍ରକଳ୍ପ ଉପରେ ନଜର ରଖାଯାଉଛି

କୁମ୍ଭ ପାଇଁ ଏକ ବିସ୍ତୃତ ବ୍ଲୁ ପ୍ରିଣ୍ଟ ସୃଷ୍ଟି କରି ଭାରତୀୟ ରେଳ 933.62 କୋଟି ଟଙ୍କା ବ୍ୟୟରେ ଭିତ୍ତିଭୂମିକୁ ମଜବୁତ କରିଥିଲା। ଏହା ସହିତ 494.90 କୋଟି ଟଙ୍କା ବ୍ୟୟରେ ଯାତ୍ରୀ ସୁବିଧା ବୃଦ୍ଧି କରାଯାଇଥିଲା ଏବଂ 438.72 କୋଟି ଟଙ୍କା ବ୍ୟୟରେ ପରିବହନକୁ ସହଜ କରିବା ପାଇଁ ବ୍ରିଜ ଓ ବ୍ରିଜ ଉପରେ ରାସ୍ତା ନିର୍ମାଣ କରାଯାଇଥିଲା। ଏହା ବ୍ୟତୀତ ଗଙ୍ଗା ଉପରେ ଏକ ନୂତନ ସେତୁ ମଧ୍ୟ ନିର୍ମାଣ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବ୍ୟକ୍ତିଗତ ଭାବେ ଏହି ପ୍ରକଳ୍ପର ତଦାରଖ କରିଥିଲେ ଏବଂ ସମୟ ସମୟରେ ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ।

ଯାତ୍ରୀ ସେବାରେ 13 ହଜାର ଟ୍ରେନ୍:

ଭାରତୀୟ ରେଳବାଇ ମହା କୁମ୍ବ ସମୟରେ କୋଟି କୋଟି ଯାତ୍ରୀ ପରିବହନ ପାଇଁ 3,134 ଟି ସ୍ୱତନ୍ତ୍ର ଟ୍ରେନ୍ ସମେତ 13,000 ରୁ ଅଧିକ ଟ୍ରେନ୍ ଚଳାଚଳ କରିବ। ଯାତ୍ରୀମାନଙ୍କ ଦ୍ରୁତ ଗତିରେ ନିୟନ୍ତ୍ରଣ କରିବା ଏବଂ ସେମାନଙ୍କର ଯାତ୍ରାକୁ ସହଜ କରିବାରେ ଏହି ଟ୍ରେନ୍ଗୁଡ଼ିକ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହା ବ୍ୟତୀତ ସ୍ୱଳ୍ପ ଏବଂ ଦୀର୍ଘ ଦୂରତା ମେଳା ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ, ଯାହାଦ୍ୱାରା ଭକ୍ତଙ୍କ ଯାତ୍ରା ସୁଗମ ଏବଂ ନିରାପଦ ହୋଇପାରିବ। ଏହା ବ୍ୟତୀତ ଯାତ୍ରୀମାନଙ୍କ ସୁବିଧା ପାଇଁ ଟିକେଟ୍ କାଉଣ୍ଟର, ଅନୁସନ୍ଧାନ ବୁଥ୍ ଏବଂ ଡିଜିଟାଲ୍ ସୂଚନା ବ୍ୟବସ୍ଥା ମଧ୍ୟ ହାଇ-ଟେକ୍ କରାଯାଇଛି।

ପ୍ରତିଦିନ ଲକ୍ଷ ଲକ୍ଷ ଟିକେଟ୍ ଉପଲବ୍ଧ ହେବ:

ସମସ୍ତ ଷ୍ଟେସନରେ ତଥା ମେଳା ଅଞ୍ଚଳରେ ସଂରକ୍ଷିତ ଟିକେଟ୍ ସିଷ୍ଟମ୍ (UTS), ଅଟୋମେଟିକ୍ ଟିକେଟ୍ ଭେଣ୍ଡିଙ୍ଗ ମେସିନ୍ (ଏଟିଭିଏମ୍) ସହିତ ମୋଟ 542 ଟିକେଟ୍ ପଏଣ୍ଟ ଯୋଗାଇ ଦିଆଯାଉଛି। ସେଥିମଧ୍ୟରୁ କେବଳ ପ୍ରୟାଗରାଜ ଜଙ୍କସନରେ 132 କାଉଣ୍ଟର କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି। ଏହି ସମସ୍ତ କାଉଣ୍ଟର ପ୍ରତିଦିନ ପ୍ରାୟ 9,76,000 ଟିକେଟ୍ ପ୍ରଦାନ କରିପାରିବ। ଏହିପରି, ପ୍ରତିଦିନ ପ୍ରାୟ 19,52,000 ଯାତ୍ରୀଙ୍କୁ ଟିକେଟ୍ ପ୍ରତି ଦୁଇ ଜଣ ଯାତ୍ରୀ ହାରରେ ଟ୍ରାଭେଲ ଟିକେଟ୍ ଉପଲବ୍ଧ କରାଯାଇପାରିବ।

21 ନୂତନ ROB, RUB ସୃଷ୍ଟି:

କୁମ୍ଭ ସମୟରେ ଜିଲାରେ କୋଟି କୋଟି ଭକ୍ତ ରହିବେ। ଏହି ଅବଧି ମଧ୍ୟରେ କୌଣସି ଅଘଟଣକୁ ଏଡାଇବା ପାଇଁ ବ୍ରିଜ୍ ଉପରେ 21 ଟି ନୂତନ ରାସ୍ତା ଏବଂ ବ୍ରିଜ୍ ତଳେ ରାସ୍ତା ନିର୍ମାଣ କରାଯାଇଛି। ଏହା କେବଳ ବହୁ ସ୍ତରୀୟ କ୍ରସିଂକୁ ଦୂର କରିବ ନାହିଁ ବରଂ ଉଭୟ ସଡକ ଏବଂ ରେଳ ଯାତ୍ରାକୁ ଅଧିକ ସୁରକ୍ଷିତ କରିବ।

ବହୁଭାଷୀ ସୂଚନା ବିସ୍ତାର:

ମହା କୁମ୍ବ ସମୟରେ କେବଳ ଦେଶ, ରାଜ୍ୟ ନୁହେଁ ବରଂ ବିଶ୍ୱର ବିଭିନ୍ନ ସ୍ଥାନରୁ ଭକ୍ତଙ୍କ ଭିଡ଼ ଷ୍ଟେସନ ଏବଂ ମେଳା ଅଞ୍ଚଳରେ ପହଞ୍ଚିଥାଏ। ଯେଉଁଠାରେ ସେମାନଙ୍କ ସୁବିଧା ପାଇଁ ଏକ ବହୁଭାଷୀ ଘୋଷଣା ବ୍ୟବସ୍ଥା ମଧ୍ୟ ବ୍ୟବସ୍ଥା କରାଯାଇଛି। ଏଠାରେ ଯାତ୍ରା ସମ୍ବନ୍ଧୀୟ ସୂଚନା ହିନ୍ଦୀ, ଇଂରାଜୀ, ଗୁଜରାଟୀ, ମରାଠୀ, ତାମିଲ, କନ୍ନଡ, ତେଲୁଗୁ, ମାଲାୟାଲମ୍, ବଙ୍ଗାଳୀ ଏବଂ ଓଡିଆ ଇତ୍ୟାଦି ଭାଷାରେ ଘୋଷଣା କରାଯିବ।

ରେଳ ହେଲ୍ପଲାଇନ ନମ୍ବର ଏବଂ ଆପ୍:

ତୀର୍ଥଯାତ୍ରୀଙ୍କୁ ସାହାଯ୍ୟ କରିବା ପାଇଁ କଲ ସେଣ୍ଟର ମଧ୍ୟ ସ୍ଥାପନ କରାଯାଇଛି। ମହାକୁମ୍ବ ରେଳବାଇ ହେଲ୍ପଲାଇନ ଟୋଲ ଫ୍ରି ନମ୍ବର -1800-4199-139 ରେ ରେଳ ସହ ଜଡିତ ପ୍ରତ୍ୟେକ ସମସ୍ୟାର ସମାଧାନ ପାଇଁ ପ୍ରୟାସ କରାଯିବ। ଯେଉଁଠାରେ ଅପରେଟରମାନେ 24X7 ଅର୍ଥାତ୍ ପ୍ରତିଦିନ 24 ଘଣ୍ଟା ଉପସ୍ଥିତ ରହିବେ। ଅନ-ଲାଇନରେ ସାହାଯ୍ୟ କରିବା ପାଇଁ କୁମ୍ବ -2025 ମୋବାଇଲ୍ ଆପ୍ ମଧ୍ୟ ବିକଶିତ ହେଉଛି।

ପ୍ରତ୍ୟେକ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି:

କୁମ୍ବ ମେଳାର ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପ୍ରୟାଗରାଜରେ ବହୁ ସଂଖ୍ୟକ ଆରପିଏଫ ଏବଂ ଆରପିଏସଏଫ ନିୟୋଜିତ କରାଯାଉଛି। ଷ୍ଟେସନଗୁଡିକରେ ଏହା ନିଶ୍ଚିତ କରାଯାଇଛି ଯେ କୌଣସି ପରିସ୍ଥିତିରେ କ୍ରସ୍ ଗତି କରିବାର ସମ୍ଭାବନା ନାହିଁ। ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଷ୍ଟେସନରେ ପ୍ରାଥମିକ ସହାୟତା ବୁଥ୍ ଏବଂ ରପିଡ଼ ଆକ୍ସନ ଫୋର୍ସ ମଧ୍ୟ ଗଠନ କରାଯାଉଛି। ସମସ୍ତ 9 ଫାୟାର ଷ୍ଟେସନର ଅଡିଟ୍ କରାଯାଇଛି। ଯେଉଁଠାରେ ଅଗ୍ନି ନିର୍ବାପକ ଯନ୍ତ୍ର, ଅଗ୍ନି ବଲ, ୱାଟର ହାଇଡ୍ରେଟ୍, ବାଲ୍ଟିରେ ପାଣି / ବାଲି ଏବଂ ଅଗ୍ନି ନିର୍ବାପକ ସାମଗ୍ରୀ ପ୍ରସ୍ତୁତ ରଖାଯାଏ। ତଦାରଖ ପାଇଁ 651 ଅତିରିକ୍ତ ସିସିଟିଭି କ୍ୟାମେରା ଲଗାଯାଉଛି। ଏହି କ୍ୟାମେରାର ପ୍ରାୟ 100 ଟିରେ AI ଆଧାରିତ ଚେହେରା ଚିହ୍ନିବା ବ୍ୟବସ୍ଥା ଅଛି ଯାହା ଦୁର୍ଭାଗ୍ୟଜନକ ଉପାଦାନ ଏବଂ ସାମାଜିକ ବିରୋଧୀ ଉପାଦାନଗୁଡ଼ିକୁ ଚିହ୍ନଟ କରେ।