Categories
ଅପରାଧ ଆଜିର ଖବର ଜାତୀୟ ଖବର

ମା’ର ଅନ୍ତିମ ସଂସ୍କାର ପାଇଁ ଟଙ୍କା ଯୋଗାଡ଼ କରିନପାରିବାରୁ ଦଉଡି ଲଗାଇ ଆତ୍ମହତ୍ୟା କଲା ପୁଅ

ରାଞ୍ଚି: ମା’ର ମୃତ୍ୟୁ ଖବର ପାଇ ଦୁଃଖରେ ଭାଙ୍ଗି ପଡିଥିବା ପୁଅ ଏକ ଭୟଙ୍କର ପଦକ୍ଷେପ ନେଇଛି। ମା’ ର ଅନ୍ତିମ ସଂସ୍କାର ପାଇଁ ଟଙ୍କା ଯୋଗାଡ଼ କରିନପାରିବାରୁ ଦଉଡି ଲଗାଇ ପୁଅ ଆତ୍ମହତ୍ୟା କରିଛି। ଝାଡଖଣ୍ଡର ଦେବଘର ଜିଲ୍ଲା ଅନ୍ତର୍ଗତ ଜଶିଡିହ ଥାନା ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି।

ସୂଚନା ଅନୁଯାୟୀ, ଜଶିଡିହ ଥାନା ଅଞ୍ଚଳର ଚରକୀ ପହରୀ ଗାଁର ଜଣେ ମହିଳା ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ତେଣୁ ମା’ ର ଚିକିତ୍ସା କରିବା ପାଇଁ ପୁଅ କିଶାନ ଅନେକ ଚେଷ୍ଟା କରିଥିଲା। ହେଲେ କିଶାନ ମା’ ର ଜୀବନ ବଞ୍ଚାଇପାରିନଥିଲା। ଦୀର୍ଘ ଦିନ ଧରି ମା’ ର ଚିକିତ୍ସା ଚାଲିଥିବାରୁ ପୁଅର ଆର୍ଥିକ ସ୍ଥିତି ମଧ୍ୟ ଖରାପ ହୋଇଯାଇଥିଲା।

ସେପଟେ ମା’ ର ମୃତ୍ୟୁ ଖବର ଏବଂ ଏପଟେ ନିଜର ଆର୍ଥିକ ପରିସ୍ଥିତିକୁ ଦେଖି ପୁଅ ସଂପୂର୍ଣ୍ଣ ଭାଙ୍ଗି ପଡିଥିଲା। ଶେଷରେ ପରିସ୍ଥିତି ଏମିତି ହେଲା ଯେ, ମା’ ର ଅନ୍ତିମ ସଂସ୍କାର ପାଇଁ ମଧ୍ୟ ପୁଅ ଆଉ ଟଙ୍କା ଯୋଗାଡ଼ କରିପାରିନଥିଲା। ସେଥିପାଇଁ ସେ ବହୁତ ଚିନ୍ତାରେ ଥିଲା।ତେବେ କିଶାନ ବାଧ୍ୟ ହୋଇ ଆତ୍ମହତ୍ୟା କରିଥାଇପାରେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

ପରିବାର ଲୋକଙ୍କ କହିବା ଅନୁଯାୟୀ, କିଶାନ ଚୌଧୁରୀ ଘର ଭିତରକୁ ଯାଇ କବାଟ ବନ୍ଦ କରିଦେଇଥିଲା। ପରିବାର ଲୋକ କିଛି ବୁଝିବା ଆଗରୁ କିଶାନ ବେକରେ ଦଉଡି ଲାଗାଇ ଆତ୍ମହତ୍ୟା କରିଦେଇଥିଲା।

ଯେତେବେଳେ ତାଙ୍କ ପତ୍ନୀ କବାଟ ଖୋଲି ଦେଖିଲେ, କିଶାନଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ପରେ କିଶାନଙ୍କ ପତ୍ନୀ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ପହଞ୍ଚି ପୋଲିସକୁ ଖବର ଦେଇଥିଲେ। ପୋଲିସ ଶବକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଦେଇଛି।