Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଓଡ଼ିଶା ସମେତ ୨୩ଟି ରାଜ୍ୟରେ ୩୭ଟି ମେଗା ଫୁଡ଼ ପାର୍କ ପ୍ରତିଷ୍ଠାକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରି

ନୂଆଦିଲ୍ଲୀ,  ଓଡ଼ିଶା ସମେତ ଦେଶର ୨୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ କ୍ଷେତ୍ରରେ ୩୭ଟି ମେଗା ଫୁଡ଼୍ ପାର୍କକୁ ସରକାର ମଞ୍ଜୁରି ପ୍ରଦାନ କରିଛନ୍ତି । ଆଜି ଲୋକସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ରାମେଶ୍ୱର ତେଲି ଏହା କହିଛନ୍ତି। ସେଥିରେ ଓଡ଼ିଶାର ରାୟଗଡ଼ା ଜିଲ୍ଲାରେ ଥିବା MITS Mega Food Park Ltd ସାମିଲ। ସେହିସବୁ ଏମଏଫପିଗୁଡ଼ିକ ଏବେ ବିଭିନ୍ନ ପର୍ଯ୍ୟାୟରେ ରହିଛନ୍ତି। ସେଥି ମଧ୍ୟରୁ ୧୯ଟି ମେଗା ଫୁଡ଼ ପାର୍କ ଏବେ ସୁଦ୍ଧା ସଂପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ ହୋଇସାରିଛି ।

ସରକାରଙ୍କ ଦ୍ୱାରା ମୋଟ ୪୨ଟି ମେଗା ଫୁଡ଼ ପାର୍କର ପରିକଳ୍ପନା କରାଯାଇଥିଲା। ଏହି ଯୋଜନାର ନିୟମାବଳୀ ଅନୁସାରେ ପ୍ରତ୍ୟେକ ମେଗା ଫୁଡ଼ ପାର୍କ ସଂପୂର୍ଣ୍ଣ ରୂପେ କାର‌୍ୟ୍ୟକ୍ଷମ ହେବାପରେ ପ୍ରାୟ ୫୦୦୦ ଜଣଙ୍କୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ କର୍ମନିଯୁକ୍ତିର ସୁଯୋଗ ଯୋଗାଇବ। ଏଭଳି ମେଗା ଫୁଡ଼ ପାର୍କ ସ୍ଥାପନ କରିବାର ମୂଳ ଉଦ୍ଦେଶ୍ୟ ହେଲା ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତକୁ ଅତ୍ୟାଧୁନିକ ସଂସାଧନ ଯୋଗାଇବା ତଥା କୃଷି କ୍ଷେତ୍ର ଠାରୁ ଆରମ୍ଭ କରି ବଜାର ପର‌୍ୟ୍ୟନ୍ତ ଖାଦ୍ୟଶସ୍ୟକୁ ମୂଲ୍ୟଯୁକ୍ତ କରିଚାଲିବା। ଏହାଦ୍ୱାରା ଦେଶରେ ଏହିସବୁ ଫୁଡ଼ ପାର୍କ ନିକଟରେ ବିଭିନ୍ନ ପ୍ରକାର ଭିତ୍ତିଭୂମିକ ଉନ୍ନତି (ଯଥା ସଂଗ୍ରହ କେନ୍ଦ୍ର ଓ ପ୍ରାଥମିକ ପ୍ରକ୍ରିୟାକରଣ କେନ୍ଦ୍ର ଆଦି) ହୋଇପାରିବ।

ସେହିଭଳି ପରିବହନ, ଲଜିଷ୍ଟିକ୍ସ, ଏବଂ କେନ୍ଦ୍ରୀକୃତ ପ୍ରକ୍ରିୟାକରଣ କେନ୍ଦ୍ର ଆଦି ମଧ୍ୟ ସ୍ଥାପନ କରାଯିବ। ଏହାଦ୍ୱାରା କୃଷକମାନେ ସେମାନଙ୍କ ଉପରେ ପଡ଼ୁଥିବା ପ୍ରଭାବକୁ ଉତ୍ତମ ରୂପେ ଅନୁଭବ କରିପାରିବେ ଏବଂ ଖାଦ୍ୟଶସ୍ୟ ହାନି ମଧ୍ୟ ହ୍ରାସ ପାଇବ। ଏହା ଏକ ସୁଦୃଢ଼ ଓ ସକ୍ରିୟ ଯୋଗାଣ ଚେନ୍ ସୃଷ୍ଟି କରିବ ଯାହା ପଛରେ ସଂଗ୍ରହକେନ୍ଦ୍ର, ପ୍ରାଥମିକ ପ୍ରକ୍ରିୟାକରଣ କେନ୍ଦ୍ର ଏବଂ ଲଜିଷ୍ଟିକ ସଂସାଧନ ରହିବ।

ଏହି ଯୋଜନାର ପ୍ରମୁଖ ବୈଶିଷ୍ଟ୍ୟଗୁଡ଼ିକ ହେଲା, ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରକୁ ଆଧୁନିକ ସଂସାଧନ ଓ ଭିତ୍ତିଭୂମି ପ୍ରଦାନ କରିବା ଏବଂ ମୂଲ୍ୟଯୁକ୍ତ ଚେନକୁ ଅଧିକ ସୁଦୃଢ଼ କରିବା । ସେହିଭଳି ପ୍ରକ୍ରିୟାକରଣ ସଂସାଧନର ଉନ୍ନତି ଘଟିବା ଦ୍ୱାରା ଫାର୍ମ, ପରିବହନ, ଲଜିଷ୍ଟିକ୍ସ ଓ କେନ୍ଦ୍ରୀୟ ପ୍ରକ୍ରିୟାକରଣ କେନ୍ଦ୍ରଗୁଡ଼ିକ ମଧ୍ୟ ଉପକୃତ ହେବେ।

ଏହି ଯୋଜନା କ୍ଲଷ୍ଟର ଭିତ୍ତିକ ଭାବେ କାର‌୍ୟ୍ୟ କରିଥାଏ ଯେଉଁଠାରେ ଏକ ପେଣ୍ଠସ୍ଥଳୀ ଗଢ଼ିଉଠିଥାଏ । ମେଗା ଫୁଡ଼ ପାର୍କ ନିର୍ମାଣ ଦ୍ୱାରା ନିକଟବର୍ତ୍ତୀ ସ୍ଥାନମାନଙ୍କରେ ପ୍ରାଥମିକ ପ୍ରକ୍ରିୟାକରଣ କେନ୍ଦ୍ର (ପିପିସି ), ଏବଂ ସଂଗ୍ରହ କେନ୍ଦ୍ର (ସିସି ) ତଥା ସାଧାରଣ ସୁବିଧା ଯଥା ସଡ଼କ, ବିଜୁଳି, ଜଳ, ବର୍ଜ୍ୟ ପ୍ରକ୍ରିୟାକରଣ କେନ୍ଦ୍ର (ଇଟିପି) ସୁବିଧା, କେନ୍ଦ୍ରୀୟ ପ୍ରକ୍ରିୟାକରଣ କେନ୍ଦ୍ର(ସିପିସି) ଆଦି ଗଢ଼ି ଉଠିଥାଏ।

ଏହି ଯୋଜନା ପାଇଁ କ୍ୟାପିଟାଲ ଗ୍ରାଣ୍ଟ ଭାବେ ସାଧାରଣ କ୍ଷେତ୍ରରେପ୍ରକଳ୍ପ ମୂଲ୍ୟର (ଭୂମି ମୂଲ୍ୟକୁ ଛାଡ଼ି) ୫୦ ପ୍ରତିଶତ ହାରରେ ଗ୍ରାଣ୍ଟ ଏବଂ ଜଟିଳ ତଥା ପାର୍ବତ୍ୟ କ୍ଷେତ୍ର ଯଥା ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର (ସେଥି ମଧ୍ୟରେ ସିକିମ, ଜମ୍ମୁ ଓ କଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ରାଜ୍ୟର ଆଇଟିଡ଼ିପି ବିଜ୍ଞପିତ କ୍ଷେତ୍ର ସାମିଲ) ପାଇଁ ୭୫ ପ୍ରତିଶତ ଗ୍ରାଣ୍ଟ ପ୍ରଦାନ କରାଯାଇଥାଏ । ତେବେ ଏହାର ସର୍ବାଧିକ ପରିମାଣ ପ୍ରକଳ୍ପ ପିଛା ୫୦ କୋଟିରୁ ଅଧିକ ହେବନାହିଁ।

ସେହିଭଳି ସିପିସି ପ୍ରତିଷ୍ଠା ପାଇଁ ସର୍ବନିମ୍ନ ୫୦ ଏକର ଜମି କ୍ରୟ ଜରିଆରେ କିମ୍ବା ୭୫ ବର୍ଷ ପାଇଁ ଜମି ଲିଜ୍ ଆକାରରେ ଆବଶ୍ୟକତା ଅନୁସାରେ ମେଗା ଫୁଡ଼ ପାର୍କ ସ୍ଥାପନ ସକାଶେ ଯୋଗାଇ ଦିଆଯିବାର ପ୍ରାବଧାନ ରହିଛି। ଏହାର ପ୍ରମୁଖ ମୌଳିକ ଭିତ୍ତିଭୂମିମାନଙ୍କ ମଧ୍ୟରେ ଆଭ୍ୟନ୍ତରୀଣ ସଡ଼କ, ଡ୍ରେନେଜ୍‌, ଜଳ ଯୋଗାଣ, କ୍ୟପ୍ଟିଭ୍ ପାୱାର ପ୍ଲାଣ୍ଟ ସ୍ଥାପନ ସମେତ ବିଜୁଳି ଶକ୍ତି ଯୋଗାଣ, ଇଟିପି ଏବଂ ଏସଟିପି, ୱେବ୍ରିଜ୍ ଆଦି ସାମିଲ।