Categories
ଆଜିର ଖବର ଜାତୀୟ ଖବର

ରାଷ୍ଟ୍ରପତି ଭବନରେ ରାଜ୍ୟପାଳ ସମ୍ମିଳନୀକୁ ଉଦଘାଟନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି (ଅଗଷ୍ଟ ୨, ୨୦୨୪) ରାଷ୍ଟ୍ରପତି ଭବନରେ ରାଜ୍ୟପାଳ ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ଏହି ସମ୍ମିଳନୀରେ କେବଳ କେନ୍ଦ୍ର-ରାଜ୍ୟ ସମ୍ପର୍କକୁ ଗଢ଼ିତୋଳିବା ନୁହେଁ ବରଂ ସାଧାରଣ ଲୋକଙ୍କ ପାଇଁ କଲ୍ୟାଣକାରୀ ଯୋଜନାକୁ ପ୍ରୋତ୍ସାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେବ।

ରାଷ୍ଟ୍ରପତି ତାଙ୍କ ପ୍ରାରମ୍ଭିକ ଭାଷଣରେ କହିଥିଲେ ଯେ ଏହି ସମ୍ମିଳନୀର କାର୍ଯ୍ୟସୂଚୀରେ ଆମର ଜାତୀୟ ଲକ୍ଷ୍ୟ ହାସଲ କରିବାରେ ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକୁ ସତର୍କତାର ସହ ଚୟନ କରାଯାଇଛି। ସେ କହିଛନ୍ତି ଯେ ଏହି ସମ୍ମିଳନୀର ଆଲୋଚନା ସମସ୍ତ ଅଂଶଗ୍ରହଣକାରୀଙ୍କ ପାଇଁ ଏକ ସମୃଦ୍ଧ ଅନୁଭୂତି ହେବ ଏବଂ ସେମାନଙ୍କୁ ସେମାନଙ୍କ କାର୍ଯ୍ୟରେ ସାହାଯ୍ୟ କରିବ।

ଉଦଘାଟନୀ ଅଧିବେଶନରେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ମଧ୍ୟ ଉଦବୋଧନ ଦେଇଥିଲେ। ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ରାଜ୍ୟପାଳଙ୍କ ଶପଥକୁ ଉଲ୍ଲେଖ କରି ଗତ ଦଶନ୍ଧି ମଧ୍ୟରେ ଘଟିଥିବା ସାମାଜିକ କଲ୍ୟାଣକାରୀ ଯୋଜନା ଏବଂ ଅବିଶ୍ୱସନୀୟ ବିକାଶ ବିଷୟରେ ଲୋକଙ୍କୁ ସଚେତନ କରିବାର ସାମ୍ବିଧାନିକ ଦାୟିତ୍ୱ ନିର୍ବାହ କରିବାକୁ ଅନୁରୋଧ କରିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଅଭିଭାଷଣରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଏକ ପ୍ରଭାବଶାଳୀ ସେତୁର ଭୂମିକା ଗ୍ରହଣ କରିବା ଏବଂ ଗରିବ ଲୋକଙ୍କୁ ସହଯୋଗ କରିବା ପାଇଁ ଲୋକ ଏବଂ ସାମାଜିକ ସଂଗଠନମାନଙ୍କ ସହିତ ବାର୍ତ୍ତାଳାପ କରିବାକୁ ରାଜ୍ୟପାଳମାନଙ୍କୁ ଅନୁରୋଧ କରିଥିଲେ। ସେ କହିଥିଲେ ଯେ ରାଜ୍ୟପାଳ ପଦ ଏକ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ ଯାହା ସମ୍ବିଧାନର ଢାଞ୍ଚା ଅନୁଯାୟୀ ଜନସାଧାରଣଙ୍କର, ବିଶେଷ କରି ଆଦିବାସୀ ମାନଙ୍କର କଲ୍ୟାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦୁଇ ଦିନିଆ ସମ୍ମିଳନୀରେ କ’ଣ ଆଲୋଚନା ହେବ ସେ ସମ୍ପର୍କରେ ବର୍ଣ୍ଣନା କରିବା ସହ ଜନସାଧାରଣଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି କରିବା ଏବଂ ଉନ୍ନୟନମୂଳକ କାର୍ଯ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଭାଇବ୍ରେଣ୍ଟ ଗ୍ରାମ ଏବଂ ଆକାଂକ୍ଷୀ ଜିଲ୍ଲା ଗସ୍ତ କରିବାକୁ ରାଜ୍ୟପାଳମାନଙ୍କୁ ଅନୁରୋଧ କରିଥିଲେ।

ସମ୍ମିଳନୀକୁ ଉଦଘାଟନ କରି ରାଷ୍ଟ୍ରପତି କହିଛନ୍ତି ଯେ ଅପରାଧିକ ନ୍ୟାୟ ସମ୍ବନ୍ଧୀୟ ତିନୋଟି ନୂତନ ଆଇନ କାର୍ଯ୍ୟକାରୀ ହେବା ପରେ ଦେଶରେ ନ୍ୟାୟ ବ୍ୟବସ୍ଥାର ଏକ ନୂତନ ଯୁଗ ଆରମ୍ଭ ହୋଇଛି। ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷୀ ଅଧିନିୟମ ଭଳି ଆଇନର ନାମରୁ ଆମ ଚିନ୍ତାଧାରାରେ ପରିବର୍ତ୍ତନ ସ୍ପଷ୍ଟ ହୋଇଛି ବୋଲି ସେ କହିଛନ୍ତି।

ଗଣତନ୍ତ୍ରକୁ ସୁରୁଖୁରୁରେ ଚଳାଇବା ପାଇଁ ବିଭିନ୍ନ କେନ୍ଦ୍ରୀୟ ଏଜେନ୍ସି ସବୁ ରାଜ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଜରୁରୀ ବୋଲି ରାଷ୍ଟ୍ରପତି କହିଛନ୍ତି। ସମ୍ପୃକ୍ତ ରାଜ୍ୟର ସାମ୍ବିଧାନିକ ମୁଖ୍ୟ ହିସାବରେ ସେମାନେ କିପରି ଏହି ସମନ୍ୱୟକୁ ପ୍ରୋତ୍ସାହିତ କରିପାରିବେ ସେ ବିଷୟରେ ଚିନ୍ତା କରିବାକୁ ସେ ରାଜ୍ୟପାଳମାନଙ୍କୁ ପରାମର୍ଶ ଦେଇଛନ୍ତି।

ରାଷ୍ଟ୍ରପତି କହିଥିଲେ ଯେ ଗୁଣାତ୍ମକ ଉଚ୍ଚଶିକ୍ଷା ଏକ ଅତୁଳନୀୟ ସମ୍ପତ୍ତି କାରଣ ଏହା ବ୍ୟକ୍ତିଗତ ବିକାଶ ଏବଂ ସାମାଜିକ ପରିବର୍ତ୍ତନ ସହିତ ଅଭିନବତା ଏବଂ ଅର୍ଥନୈତିକ ପ୍ରଗତିକୁ ପ୍ରୋତ୍ସାହିତ କରେ । ସେ କହିଥିଲେ ଯେ ଜାତୀୟ ଶିକ୍ଷା ନୀତିରେ ଶିକ୍ଷାନୁଷ୍ଠାନଗୁଡ଼ିକର ମାନ୍ୟତା ଏବଂ ମୂଲ୍ୟାୟନ ବ୍ୟବସ୍ଥାରେ ଉନ୍ନତି ଆଣିବା ଉପରେ ଗୁରୁତ୍ୱ ଦିଆଯାଇଛି। ରାଜ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକର କୁଳପତି ଭାବରେ ରାଜ୍ୟପାଳମାନେ ଏହି ସଂସ୍କାର ପ୍ରକ୍ରିୟାରେ ଯୋଗଦାନ କରିବାକୁ ସେ ଅନୁରୋଧ କରିଥିଲେ।

ଗରିବ, ସୀମାବର୍ତ୍ତୀ ଅଞ୍ଚଳ, ବଞ୍ଚିତ ବର୍ଗ ଓ ଅଞ୍ଚଳର ବିକାଶ ଏବଂ ବିକାଶ ଯାତ୍ରାରେ ପଛୁଆ ଥିବା ଲୋକଙ୍କ ବିକାଶକୁ ଭାରତ ସରକାର ସର୍ବାଧିକ ପ୍ରାଥମିକତା ଦେଉଛନ୍ତି ବୋଲି ରାଷ୍ଟ୍ରପତି କହିଥିଲେ । ଅନୁସୂଚିତ ଜନଜାତି ଅଞ୍ଚଳରେ ଆମ ଆଦିବାସୀ ଜନସଂଖ୍ୟାର ଏକ ବଡ଼ ଅଂଶ ବସବାସ କରନ୍ତି ବୋଲି ସେ ଦର୍ଶାଇ ଏହି ଅଞ୍ଚଳର ଜନସାଧାରଣଙ୍କ ସାମଗ୍ରିକ ବିକାଶ ପାଇଁ ଉପାୟ ପରାମର୍ଶ ଦେବାକୁ ରାଜ୍ୟପାଳମାନଙ୍କୁ ଅନୁରୋଧ କରିଥିଲେ ।

ଯୁବପିଢ଼ିଙ୍କ ଶକ୍ତିକୁ ସକାରାତ୍ମକ ଓ ଗଠନମୂଳକ କାର୍ଯ୍ୟରେ ନିୟୋଜିତ କରାଗଲେ ‘ଯୁବ ବିକାଶ’ ଓ ‘ଯୁବ ନେତୃତ୍ବାଧୀନ ବିକାଶ’ ଅଧିକ ତ୍ୱରାନ୍ୱିତ ହେବ ବୋଲି ରାଷ୍ଟ୍ରପତି କହିଥିଲେ। ‘ମୋ ଭାରତ’ ଅଭିଯାନ ଏଥିପାଇଁ ଏକ ସୁଚିନ୍ତିତ ବ୍ୟବସ୍ଥା ପ୍ରଦାନ କରୁଛି। ରାଜ୍ୟପାଳମାନେ ଏହି ଅଭିଯାନ ସହ ଜଡ଼ିତ ଲୋକଙ୍କୁ ପ୍ରୋତ୍ସାହିତ କରିବା ଉଚିତ, ଯାହାଦ୍ୱାରା ଅଧିକରୁ ଅଧିକ ଯୁବବର୍ଗ ଉପକୃତ ହୋଇପାରିବେ ବୋଲି ସେ କହିଛନ୍ତି।

‘ଏକ ଭାରତ ଶ୍ରେଷ୍ଠ ଭାରତ’ ଅଭିଯାନ ବିଷୟରେ ଉଲ୍ଲେଖ କରି ସେ କହିଥିଲେ ଯେ ଏହା ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଲୋକଙ୍କୁ ପରସ୍ପରକୁ ବୁଝିବା ଏବଂ ପରସ୍ପର ସହ ଯୋଡ଼ି ହେବାରେ ସକ୍ଷମ କରିଛି। ଏକତାର ଭାବନାକୁ ଆହୁରି ସୁଦୃଢ଼ କରିବାରେ ଯୋଗଦାନ କରିବାକୁ ସେ ରାଜ୍ୟପାଳମାନଙ୍କୁ ଅନୁରୋଧ କରିଛନ୍ତି।

ଜଳବାୟୁ ପରିବର୍ତ୍ତନ ଏବଂ ଗ୍ଲୋବାଲ ୱାର୍ମିଂ ଭଳି ଆହ୍ୱାନର ମୁକାବିଲା ପାଇଁ ଅନେକ ପ୍ରୟାସ କରାଯାଉଛି ବୋଲି ରାଷ୍ଟ୍ରପତି କହିଛନ୍ତି । ରାଜ୍ୟପାଳମାନେ ‘ଏକ ପେଡ୍ ମା କେ ନାମ’ ଅଭିଯାନକୁ ବ୍ୟାପକ ସ୍ତରରେ ଜନଆନ୍ଦୋଳନରେ ପରିଣତ କରି ଏଥିରେ ଯୋଗଦାନ ଦେଇପାରିବେ।

ପ୍ରାକୃତିକ ଚାଷକୁ ପ୍ରୋତ୍ସାହିତ କରି ଆମେ ମାଟିର ଉର୍ବରତା ବୃଦ୍ଧି କରିପାରିବା ଏବଂ କୃଷକଙ୍କ ଆୟ ବଢ଼ାଇ ପାରିବା ବୋଲି ରାଷ୍ଟ୍ରପତି କହିଥିଲେ। ପ୍ରାକୃତିକ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ରାଜଭବନ ଗୁଡ଼ିକ ଉଦାହରଣ ସୃଷ୍ଟି କରିପାରିବେ ବୋଲି ସେ କହିଥିଲେ।

ସମସ୍ତ ରାଜ୍ୟପାଳ ଲୋକଙ୍କ ସେବା ଓ କଲ୍ୟାଣ ରେ ଯୋଗଦାନ ଜାରି ରଖିବେ ଏବଂ ସେମାନଙ୍କ ଦ୍ୱାରା ନିଆଯାଇଥିବା ଶପଥକୁ ନ୍ୟାୟ ଦେବେ ବୋଲି ରାଷ୍ଟ୍ରପତି ବିଶ୍ୱାସ ବ୍ୟକ୍ତ କରିଥିଲେ ।

ଏହି ସମ୍ମିଳନୀରେ ବିଭିନ୍ନ ଅଧିବେଶନ ଆୟୋଜନ କରାଯିବ, ଯେଉଁଥିରେ ରାଜ୍ୟପାଳଙ୍କ ସବ୍-ଗ୍ରୁପ୍ ପ୍ରତ୍ୟେକ ଏଜେଣ୍ଡା ଆଇଟମ୍ ଉପରେ ବିଚାର ବିମର୍ଶ କରିବେ। ରାଜ୍ୟପାଳଙ୍କ ବ୍ୟତୀତ ଏହି ଅଧିବେଶନରେ କେନ୍ଦ୍ର ମନ୍ତ୍ରୀ ଏବଂ ସମ୍ପୃକ୍ତ ମନ୍ତ୍ରଣାଳୟର ଅଧିକାରୀମାନେ ମଧ୍ୟ ଯୋଗ ଦେବେ। ଆସନ୍ତାକାଲି (ଅଗଷ୍ଟ ୩, ୨୦୨୪) ଶେଷ ଅଧିବେଶନରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ ଅଂଶଗ୍ରହଣକାରୀଙ୍କ ସମ୍ମୁଖରେ ସବ୍-ଗ୍ରୁପ୍ ଗୁଡ଼ିକର ମତାମତ ଓ ପରାମର୍ଶ ଉପସ୍ଥାପନ କରାଯିବ।

Categories
ଜାତୀୟ ଖବର ବିଶେଷ ଖବର

ନୂଆ ଶିକ୍ଷା ନୀତି ଦେଶରେ ନଲେଜ ହବ୍ ରେ ପରିଣତ କରିବ, ରାଜ୍ୟପାଳ ସମ୍ମିଳନୀରେ ରାଷ୍ଟ୍ରପତିଙ୍କ ଦୃଢକ୍ତି

ନୂଆଦିଲ୍ଲୀ, ନୂତନ ଶିକ୍ଷାନୀତି ୨୦୨୦ ଉପରେ ଆଜି ସାରାଦିନ ଏକ ସମ୍ମିଳନୀ ଭର୍ଚୁଆଲ ବ୍ୟବସ୍ଥାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ, ବିଭିନ୍ନ ରାଜ୍ୟର ରାଜ୍ୟପାଳ ଓ କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳଗଣ, ପ୍ରଶାସକ ଏବଂ କେନ୍ଦ୍ର ଓ ବିଭିନ୍ନ ରାଜ୍ୟର ଶିକ୍ଷାମନ୍ତ୍ରୀ ଏହି ନୂଆ ନୀତିର ଲକ୍ଷ୍ୟ ଓ ଆଦର୍ଶ ସଂପର୍କରେ ଏକମତ ହୋଇଛନ୍ତି । ସେମାନେ କହିଛନ୍ତି ଯେ ଏହି ଶିକ୍ଷାନୀତି କେବଳ ଏକ ମାମୁଲି ନଥି ନୁହେଁ, ଏହା ଦେଶର ଆକାଂକ୍ଷା ପରିପୂରଣ ପାଇଁ ଏକ ଉଦ୍ୟମ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ଶିକ୍ଷାନୀତି ଉପରେ ଆୟୋଜିତ ରାଜ୍ୟପାଳମାନଙ୍କ ସମ୍ମିଳନୀକୁ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି କାର‌୍ୟ୍ୟକ୍ରମ ନୂଆ ଶିକ୍ଷାନୀତିକୁ କାର‌୍ୟ୍ୟକାରୀ କରିବା ଦିଗରେ ବିଶେଷ ଗୁରୁତ୍ୱ ବହନ କରେ । ନୂଆ ଶିକ୍ଷାନୀତିକୁ ସମସ୍ତେ ସ୍ୱାଗତ କରୁଛନ୍ତି। ଲୋକେ ଏହାକୁ ନିଜର ବୋଲି ଭାବୁଥିବାରୁ ଏଥିପ୍ରତି ସମର୍ଥନ ବୃଦ୍ଧି ପାଇଛି। ବିପୁଳ ଜନସମର୍ଥନ ଓ ଗ୍ରହଣୀୟତା ଉପରେ ହିଁ ଯେକୌଣସି ନୀତିର ସଫଳତା ନିର୍ଭର କରେ। ଏଥିରେ ବ୍ୟାପକଭାବେ ବିଭିନ୍ନ ପକ୍ଷ ସଂପୃକ୍ତ ହୋଇ ଅବଦାନ ରଖିଥିବାରୁ ଏହାର ମାଲିକାନା ବସ୍ତୁତଃ ସେହିମାନଙ୍କ ହାତରେ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆମେ ଆମ ପଟରୁ ଯେତେବେଳେ ସର୍ବାଧିକ ନମନୀୟତା ପ୍ରଦର୍ଶନ କରିବା ସେତେବେଳେ ଯାଇ ଏହି ନୂଆ ଶିକ୍ଷାନୀତି ବିଶେଷ ଫଳ ଦେଇପାରିବ। ଏହି ନୀତି ସମଗ୍ର ଦେଶର ଏବଂ କୌଣସି ନିର୍ଦ୍ଦିଷ୍ଟ ସରକାରର ନୁହେଁ ବୋଲି ସେ ଗୁରୁତ୍ୱର ସହ କହିଛନ୍ତି। ଏହି ନୀତି ଲୋକଙ୍କ ଆଶା ଆକାଂକ୍ଷାର ଫଳ ବୋଲି ସେ ଦୃଢତାର ସହ ମତ ଦେଇଛନ୍ତି। ତେଣୁ ନୂଆ ଶିକ୍ଷାନୀତିକୁ ଅକ୍ଷରେ ଅକ୍ଷରେ କାର‌୍ୟ୍ୟକାରୀ କରିବା ପାଇଁ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବା ଉଚିତ ବୋଲି ସେ କହିଛନ୍ତି।

ସମ୍ମିଳନୀରେ ଉଦ୍‌ବୋଧନ ଦେଇ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ କହିଛନ୍ତି ଯେ ଜାତୀୟ ଶିକ୍ଷାନୀତି ଦେଶକୁ, ବିଶେଷକରି ଯୁବ ସମାଜକୁ ଏକବିଂଶ ଶତାବ୍ଦୀର ଆଶା ଆକାଙ୍‌କ୍ଷା ପୂରଣ ଦିଗରେ ଆଗେଇ ନେବ। ଏହି ଐତିହାସିକ ଦସ୍ତାବିଜ ପ୍ରସ୍ତୁତ କରିବାରେ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସଂପନ୍ନ ନେତୃତ୍ୱ ଓ ପ୍ରେରଣାଦାୟୀ ଭୂମିକାକୁ ସେ ଉଚ୍ଚ ପ୍ରଶଂସା କରି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରାଷ୍ଟ୍ରପତି ମଧ୍ୟ ଏହି ଶିକ୍ଷାନୀତି ପ୍ରସ୍ତୁତିରେ ଡ. କସ୍ତୁରୀରଙ୍ଗନ ଏବଂ ମନ୍ତ୍ରୀ ଓ ଶିକ୍ଷା ମନ୍ତ୍ରଣାଳୟର ଅଧିକାରୀମାନଙ୍କ ଭୂମିକାକୁ ପ୍ରଶଂସା କରିଛନ୍ତି।

ସେ କହିଛନ୍ତି ଯେ, ଏହିମାନଙ୍କ ଅବଦାନ ଫଳରେ ନୂଆ ଶିକ୍ଷାନୀତି ଆକାର ନେଇପାରିଛି ଏବଂ ବ୍ୟାପକ ବିଚାରବିମର୍ଶ ପରେ ବିଭିନ୍ନ କ୍ଷେତ୍ରରୁ ଆସିଥିବା ପ୍ରସ୍ତାବଗୁଡିକୁ ଗ୍ରହଣ କରାଯାଇ ଏହି ଦସ୍ତାବିଜ ପ୍ରସ୍ତୁତ ହୋଇଛି । ରାଷ୍ଟ୍ରପତି କହିଛନ୍ତି ଯେ ଦେଶର ୨.୫ ଲକ୍ଷ ଗ୍ରାମପଞ୍ଚାୟତ, ୧୨,୫୦୦ରୁ ଅଧିକ ପୌରସଂସ୍ଥା ଏବଂ ପ୍ରାୟ ୬୭୫ ଜିଲାରୁ ଯେଉଁସବୁ ପ୍ରସ୍ତାବମାନ ଆସିଥିଲା ତାହାକୁ ବିଚାରକୁ ନିଆଯାଇଛି । ସେ କହିଛନ୍ତି ଯେ ଯଦି ପରିବର୍ତ୍ତନଗୁଡିକୁ ସଫଳତାର ସହ କାର‌୍ୟ୍ୟକାରୀ କରାଯାଏ, ତାହାହେଲେ ଭାରତ ଏକ ଶିକ୍ଷା ମହାଶକ୍ତିରେ ପରିଣତ ହେବ ।

ନୂଆ ଶିକ୍ଷାନୀତି ବିଷୟରେ ବିସ୍ତାରିତଭାବେ ଆଲୋଚନା କରି ରାଷ୍ଟ୍ରପତି କହିଛନ୍ତି ଯେ ରାଜ୍ୟପାଳମାନେ ପ୍ରାଦେଶିକ ବିଶ୍ୱବିଦ୍ୟାଳୟର କୁଳାଧିପତି ହୋଇଥିବାରୁ ନୂତନ ଶିକ୍ଷାନୀତି କାର‌୍ୟ୍ୟକାରୀ କରିବାରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଦେଶରେ ଏବେ ପ୍ରାୟ ୪୦୦ ରାଜ୍ୟ ବିଶ୍ୱବିଦ୍ୟାଳୟ ରହିଛି ଏବଂ ଏସବୁ ସହ ପ୍ରାୟ ୪୦ ହଜାର କଲେଜ ସହବନ୍ଧିତ । ତେଣୁ ଏସବୁ ବିଶ୍ୱବିଦ୍ୟାଳୟ ସହ ନୂଆ ଶିକ୍ଷାନୀତିର କାର‌୍ୟ୍ୟକାରିତା ସଂପର୍କରେ ଆଲୋଚନା ଏବଂ ସମନ୍ୱୟ ରଖିବା ଏକାନ୍ତ ଅପରିହାର‌୍ୟ୍ୟ । ରାଜ୍ୟପାଳମାନେ କୁଳାଧିପତି ହୋଇଥିବାରୁ ଏ କ୍ଷେତ୍ରରେ ବିଶେଷ ଭୂମିକା ନିର୍ବାହ କରିପାରିବେ ବୋଲି ରାଷ୍ଟ୍ରପତି ମତ ଦେଇଛନ୍ତି ।

ନୂଆ ଶିକ୍ଷାନୀତି ସଂପର୍କରେ ରାଜ୍ୟପାଳମାନଙ୍କୁ ସୂଚନା ଦେଇ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ କହିଛନ୍ତି ଯେ ଏହି ଦସ୍ତାବିଜରେ ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ପଛୁଆ ଗୋଷ୍ଠୀଙ୍କୁ ଅଗ୍ରାଧିକାର ଦିଆଯାଇ ସେମାନଙ୍କ ପାଇଁ ବିଭିନ୍ନ ବ୍ୟବସ୍ଥା କରାଯାଇଛି । ସେଥିମଧ୍ୟରେ ୨୦୨୫ ସୁଦ୍ଧା ପ୍ରାଥମିକ ଶ୍ରେଣୀସ୍ତରରେ ସମସ୍ତଙ୍କୁ ମୌଳିକ ସାକ୍ଷରତା ଏବଂ ସର୍ବନିମ୍ନ ଗଣିତ ଦକ୍ଷତା ନିଶ୍ଚିତ କରିବାର ପ୍ରୟାସ କରାଯାଇଛି ।

ନୂଆ ଶିକ୍ଷାନୀତିରେ ଶିକ୍ଷକମାନଙ୍କ ଭୂମିକା ସଂପର୍କରେ ରାଷ୍ଟ୍ରପତି କହିଛନ୍ତି ଯେ ନୂତନ ବ୍ୟବସ୍ଥାରେ ସେମାନଙ୍କର ମୁଖ୍ୟ ଭୂମିକା ରହିବ । ସବୁଠୁ ଉଦୀୟମାନ ଓ ପ୍ରତିଭାବାନ ପ୍ରାର୍ଥୀମାନଙ୍କୁ ଶିକ୍ଷକ ବୃତ୍ତି ପାଇଁ ବଛାଯିବ । ଏହାକୁ ଦୃଷ୍ଟିରେ ରଖି ଏକ ନୂଆ ଏବଂ ପୂର୍ଣ୍ଣାଙ୍ଗ ଶିକ୍ଷକ ଶିକ୍ଷା ପାଠ୍ୟକ୍ରମ ଆସନ୍ତାବର୍ଷ ଶେଷସୁଦ୍ଧା ପ୍ରସ୍ତୁତ କରାଯିବ ।

ଧନ୍ଦାମୂଳକ ଶିକ୍ଷା ସଂପର୍କରେ ଉଲ୍ଲେଖକରି ରାଷ୍ଟ୍ରପତି କହିଛନ୍ତି ଯେ ଭାରତୀୟ ଶ୍ରମଶକ୍ତିର ପାଞ୍ଚ ଭାଗରୁ କମ୍ ଲୋକ ଆନୁଷ୍ଠାନିକ ଧନ୍ଦାମୂଳକ ଶିକ୍ଷା ଲାଭ କରିବାର ସୁଯୋଗ ପାଇଥାନ୍ତି। ପାଶ୍ଚାତ୍ୟ ଦେଶଗୁଡିକରେ ଦିଆଯାଉଥିବା ଧନ୍ଦାମୂଳକ ଶିକ୍ଷା ତୁଳନାରେ ଏହା ନଗଣ୍ୟ। ତେଣୁ ନୂଆ ଶିକ୍ଷାନୀତିର ଧନ୍ଦାମୂଳକ ଶିକ୍ଷା ଏବେ ପ୍ରମୁଖ ଧାରାର ଶିକ୍ଷାର ଏକ ଅଂଶଭାବେ ବିବେଚିତ ହେବ ଏବଂ ଏହାକୁ ସମାନ ମର‌୍ୟ୍ୟାଦା ପ୍ରଦାନ କରାଯିବ। ଏହା ଫଳରେ ଛାତ୍ରଛାତ୍ରୀମାନେ ଅଧିକ କୁଶଳୀ ହେବାସହ ସେମାନଙ୍କ ମଧ୍ୟରେ ଶ୍ରମ ପ୍ରତି ମର‌୍ୟ୍ୟାଦା ଓ ସମ୍ମାନ ସୃଷ୍ଟି ହେବ।

ରାଷ୍ଟ୍ରପତି ଶ୍ରୀ କୋବିନ୍ଦ କହିଛନ୍ତି ଯେ ପ୍ରାଥମିକ ସ୍ତରରେ ମାତୃଭାଷା ଶିକ୍ଷାଦାନର ମାଧ୍ୟମ ହେବା ଉଚିତ ବୋଲି ଅଧିକାଂଶ ମହଲରୁ ମତପ୍ରକାଶ ପାଇଛି । ତେଣୁ ତାହାକୁ ବିଚାରକୁ ନେଇ ନୂଆ ଶିକ୍ଷାନୀତିରେ ତ୍ରିଭାଷୀ ସୂତ୍ରକୁ ଗ୍ରହଣ କରାଯାଇଛି । ଏହା ଫଳରେ ଭାରତୀୟ ଭାଷା, କଳା ଓ ସଂସ୍କୃତିକୁ ଲାଭ ମିଳିବ ଏବଂ ଏହା ଦେଶର ଏକତା ଓ ଅଖଣ୍ଡତା ସୁରକ୍ଷିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ । ଦେଶର ଭାଷାଗତ ବିବିଧତା ଦୃଷ୍ଟିରୁ ଏହା ବିଶେଷ ଗୁରୁତ୍ୱପୂର୍ଣ୍ଣ।

ସେ କହିଛନ୍ତି ଯେ ଗୋଟିଏ ବୃହତ୍ ମଲ୍‌ଟି ଡିସିପ୍ଲିନାରୀ ଉଚ୍ଚ ଶିକ୍ଷାନୁଷ୍ଠାନ ପ୍ରତ୍ୟେକ ଜିଲା କିମ୍ବା ତାହାର ଆଖପାଖରେ ୨୦୩୦ ସୁଦ୍ଧା ପ୍ରତିଷ୍ଠା କରାଯିବାର ଲକ୍ଷ୍ୟ ରଖାଯାଇଛି । ଏ ସବୁ ଶିକ୍ଷାନୁଷ୍ଠାନ ଶିକ୍ଷା ଦୃଷ୍ଟିରୁ ପଛୁଆ ଅଞ୍ଚଳରେ ପ୍ରତିଷ୍ଠା କରାଯିବ। ନୂଆ ଶିକ୍ଷାନୀତିରେ ଏହି ବ୍ୟବସ୍ଥା ରହିଛି । ଏହା ଫଳରେ ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ଗୋଷ୍ଠୀ ଉତ୍ତମମାନର ଉଚ୍ଚଶିକ୍ଷା ପାଇବାର ସୁଯୋଗ ଲାଭ କରିବେ । ଏହାଛଡା ଭାରତକୁ ଗ୍ଲୋବାଲ ଷ୍ଟଡି ଡେଷ୍ଟିନେସନରେ ପରିଣତ କରିବା ପାଇଁ ଉଦ୍ୟମ କରାଯାଉଛି । ସେଥିପାଇଁ ପ୍ରତିଷ୍ଠିତ ବିଦେଶୀ ବିଶ୍ୱବିଦ୍ୟାଳୟ ସମୂହକୁ ଭାରତରେ ଶିକ୍ଷାଦାନ କରିବା ପାଇଁ ଅନୁମତି ଦିଆଯିବ ।

ରାଜ୍ୟପାଳମାନଙ୍କର ଆଗ୍ରହକୁ ପ୍ରଶଂସା କରି ରାଷ୍ଟ୍ରପତି କହିଛନ୍ତି ଯେ ସେମାନଙ୍କ ମଧ୍ୟରୁ କେତେକ ଇତିମଧ୍ୟରେ ନୂଆ ଜାତୀୟ ଶିକ୍ଷାନୀତିକୁ କାର‌୍ୟ୍ୟକାରୀ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ସେମାନେ ନିଜ ନିଜର ଶିକ୍ଷାମନ୍ତ୍ରୀ ଓ କୁଳପତିମାନଙ୍କ ସହ କଥାବାର୍ତ୍ତା କଲେଣି । ଏହାକୁ ସେ ସ୍ୱାଗତ କରିବା ସହ ନୂଆ ଶିକ୍ଷାନୀତିର କାର‌୍ୟ୍ୟକାରିତା ପାଇଁ ଏକ ବିଷୟଭିତ୍ତିକ ଭର୍ଚୁଆଲ ସମ୍ମିଳନୀ ଆୟୋଜନ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି । ଏ ସଂପର୍କରେ ମଧ୍ୟ ସେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ପ୍ରସ୍ତାବ ଲୋଡିଛନ୍ତି ।

ରାଷ୍ଟ୍ରପତି କହିଛନ୍ତି ଯେ ରାଜ୍ୟପାଳବୃନ୍ଦ ଓ ଶିକ୍ଷାମନ୍ତ୍ରୀଗଣଙ୍କ ଅବଦାନ ଫଳରେ ଜାତୀୟ ଶିକ୍ଷାନୀତି କାର‌୍ୟ୍ୟକାରୀ ହୋଇପାରିବ ଏବଂ ନୂଆ ଶିକ୍ଷାନୀତି ଭାରତକୁ ଏକ ନଲେଜ ହବ୍‌ରେ ପରିଣତ କରିପାରିବା ଘେନି ସେ ଆଶାବାଦୀ ।

Categories
ଆଜିର ଖବର ଜାତୀୟ ଖବର

ଆଜି ରାଜ୍ୟପାଳ ସମ୍ମିଳନୀ, ନୂଆଶିକ୍ଷା ନୀତି ସଂପର୍କରେ ଉଦବୋଧନ ଦେବେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆ ଶିକ୍ଷାନୀତି ୨୦୨୦ ଉପରେ ଆୟୋଜିତ ରାଜ୍ୟପାଳମାନଙ୍କ ସମ୍ମିଳନୀରେ ଉଦ୍‌ବୋଧନ ଦେବେ । ପୂର୍ବାହ୍ନ ୧୦.୩୦ ସମୟରେ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଉଭୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଉଦ୍‌ବୋଧନ ଦେବାର କାର୍ଯ୍ୟସୂଚୀ ଚୂଡାନ୍ତ ହୋଇଛି ।

ଏହି ସମ୍ମିଳନୀର ନାମ ରଖାଯାଇଛି ‘ଉଚ୍ଚଶିକ୍ଷାର ପରିବର୍ତ୍ତନରେ ନୂଆ ଶିକ୍ଷାନୀତି ୨୦୨୦ର ଭୂମିକା ।’ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟଦ୍ୱାରା ଏହି ସମ୍ମିଳନୀ ଆୟୋଜିତ ହେଉଛି । ଦୀର୍ଘ ୩୪ ବର୍ଷର ବ୍ୟବଧାନ ପରେ ନୂଆ ଶିକ୍ଷାନୀତି ୨୦୨୦ ପ୍ରସ୍ତୁତ ହୋଇଛି ଏବଂ ଏହା ଦେଶର ଏକବିଂଶ ଶତାବ୍ଦୀର ପ୍ରଥମ ଶିକ୍ଷାନୀତି । ପୂର୍ବବର୍ତ୍ତୀ ସରକାର ସମୟରେ ୧୯୮୬ ମସିହାରେ ପ୍ରବର୍ତ୍ତିତ ଶିକ୍ଷାନୀତି ଏଯାଏଁ କାର‌୍ୟ୍ୟକାରୀ ହୋଇଆସୁଛି । ନୂଆ ଶିକ୍ଷାନୀତି ଦ୍ୱାରା ଉଭୟ ସ୍କୁଲ ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ବଡଧରଣର ସଂସ୍କାର ଆଣିବାକୁ ପ୍ରୟାସ କରାଯାଇଛି ।

ନୂଆ ଶିକ୍ଷାନୀତି ଭାରତକୁ ଏକ ସମତାଭିତ୍ତିକ ଓ ସମୃଦ୍ଧ ଜ୍ଞାନ ସମାଜରେ ପରିଣତ କରିବାକୁ ଉଦ୍ଦିଷ୍ଟ । ଏଥିରେ ଭାରତ କୈନ୍ଦ୍ରିକ ଶିକ୍ଷା ବ୍ୟବସ୍ଥା ପ୍ରବର୍ତ୍ତନର ବ୍ୟବସ୍ଥା ରହିଛି; ଯାହା ଭାରତକୁ ସିଧାସଳଖ ଏକ ବିଶ୍ୱଶକ୍ତିରେ ପରିଣତ କରିବାକୁ ଉଦ୍ଦିଷ୍ଟ ।

ନୂଆ ଶିକ୍ଷାନୀତି ଦେଶର ଶିକ୍ଷା ବ୍ୟବସ୍ଥାରେ ଏକ ବ୍ୟାପକ ପରିବର୍ତ୍ତନ ଆଣିବ ଏବଂ ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ବଦଳିଯିବ । ଆତ୍ମନିର୍ଭର ଭାରତ ଗଠନରେ ସହାୟକ ହେବାଭଳି ଏକ ଶିକ୍ଷାତନ୍ତ୍ର ଓ ପରିବେଶ ସୃଷ୍ଟି କରିବାକୁ ନୂଆ ଶିକ୍ଷାନୀତିରେ ଉଦ୍ୟମ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ନିର୍ମାଣ ଲକ୍ଷ୍ୟ ପୂରଣ କରିବାକୁ ଏହା ଉଦ୍ଦିଷ୍ଟ ।

ନୂଆ ଶିକ୍ଷାନୀତିର ବିଭିନ୍ନ ଦିଗ ଉପରେ ବିଭିନ୍ନ ପ୍ରକାର ୱେବିନାର, ଭର୍ଚୁଆଲ କନ୍‌ଫରେନ୍ସ ଏବଂ ଆଲୋଚନାଚକ୍ରମାନ ଦେଶବ୍ୟାପୀ ଆୟୋଜିତ ହେଉଛି ।

ଶିକ୍ଷା ମନ୍ତ୍ରଣାଳୟ ଏବଂ ବିଶ୍ୱବିଦ୍ୟାଳୟ ମଞ୍ଜୁରି ଆୟୋଗ ମିଳିତଭାବେ ଏଥିପୂର୍ବରୁ ଏକ ଆଲୋଚନାଚକ୍ର ଆୟୋଜନ କରିଥିଲେ । ଏହାର ବିଷୟବସ୍ତୁ ଥିଲା, ‘ଜାତୀୟ ଶିକ୍ଷାନୀତି ୨୦୨୦ ଅନୁସାରେ ଉଚ୍ଚଶିକ୍ଷା କ୍ଷେତ୍ରରେ ସଂସ୍କାରମୂଳକ ପରିବର୍ତ୍ତନ ।’ ଏଥିରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ବୋଧନ ଦେଇଥିଲେ। ଅନୁଷ୍ଠିତ ହେଉଥିବା ରାଜ୍ୟପାଳଙ୍କ ସମ୍ମିଳନୀରେ ସବୁ ରାଜ୍ୟର ଶିକ୍ଷାମନ୍ତ୍ରୀ, ରାଜ୍ୟ ବିଶ୍ୱବିଦ୍ୟାଳୟଗୁଡିକର କୁଳପତି ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗଦେବେ ।