Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଲୋଟସ୍ ଚକୋଲେଟ୍‌ର ୫୧% ଅଂଶଧନ ଅଧିଗ୍ରହଣ କରିବ ରିଲାଏନ୍ସ କଂଜ୍ୟୁମର ପ୍ରଡକ୍ଟସ୍ ଲିମିଟେଡ୍

ଭୁବନେଶ୍ୱର: ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ (ଆର୍‌ଆର୍‌ଭିଏଲ୍‌)ର ସମ୍ପୂର୍ଣ୍ଣ ସହଯୋଗୀ ସଂସ୍ଥା ରିଲାଏନ୍ସ କଂଜ୍ୟୁମର ପ୍ରଡକ୍ଟସ୍ ଲିମିଟେଡ୍ (ଆର୍‌ସିପିଏଲ୍‌) ପକ୍ଷରୁ ଲୋଟସ୍ ଚକୋଲେଟ୍‌ର ୫୧% ଅଂଶଧନକୁ ଅଧିଗ୍ରହଣ କରାଯାଇଛି। ଏନେଇ ଆର୍‌ସିପିଏଲ୍ ଏବଂ ଲୋଟସ୍ ଗ୍ରୁପ୍‌ର ପ୍ରତିଷ୍ଠାତା ସଦସ୍ୟ ପ୍ରକାଶ ପି ପାଇ ଅନନ୍ତ ପି ପାଇ ଏବଂ ଅନ୍ୟାନ୍ୟ ସଦସ୍ୟମାନଙ୍କ ସହିତ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଛି।
ଏହି ବୁଝାମଣା ଅନୁସାରେ ଆର୍‌ସିପିଏଲ୍ ପକ୍ଷରୁ ଲୋଟସ୍‌ର ୬୫,୪୮,୯୩୫ ଇକ୍ୱିଟି ସେୟାରକୁ ସେୟାର ପିଛା ୧୧୩ ଟଙ୍କା ହିସାବରେ ୭୪ କୋଟି ଟଙ୍କାରେ ଅଧିଗ୍ରହଣ କରାଯିବ। ଏହି ଇକ୍ୱିଟି ସେୟାର ଲୋଟସ୍‌ର ୫୧% ପେଡ୍ ଅଫ୍ ଇକ୍ୱିଟି ସେୟାର ପୁଞ୍ଜି ସହସମାନ। ଆରସିପିଏଲ୍ ପକ୍ଷରୁ ଲୋଟସ୍‌ର ୨୬ ପ୍ରତିଶତ ଅଂଶଧନ ରହିଥିବା ସାଧାରଣ ଅଂଶଧନକାରୀମାନଙ୍କ ସେବି ନିୟମ ଅନୁଯାୟୀ ପାଇଁ ଓପନ ଅଫର ଘୋଷଣା କରାଯିବ।
ଆର୍‌ସିପିଏଲ୍ ପକ୍ଷରୁ ଯେଉଁ ପାଣ୍ଠି ପ୍ରଦାନ କରାଯିବ ତାହା ଲୋଟସ୍‌କୁ ଏକ ବ୍ୟାପକ କନଫେକ୍ସନାରି, କୋକୋଆ, ଚକୋଲେଟ୍ ଡେରିଭେଟିସ୍ ଏବଂ ତତ୍ ସଂକ୍ରାନ୍ତୀୟ ଉତ୍ପାଦର ଉତ୍ପାଦନକାରୀ ଭାବେ ଆଗକୁ ବଢ଼ିବା ଏବଂ ନିଜକୁ ସମ୍ପ୍ରସାରିତ କରିବାରେ ସହାୟକ ହେବ।

ଏହି କାରବାର ସମ୍ପର୍କରେ ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍‌ର କାର୍ଯ୍ୟନିର୍ବାହୀ ନିର୍ଦେଶିକା ଇଶା ଅମ୍ବାନି କହିଛନ୍ତି ଯେ, “ଚମତ୍କାର ବ୍ୟବସାୟ ବୁଦ୍ଧିମତା ଏବଂ ନିଷ୍ଠା ଜରିଆରେ ଏକ ଦୃଢ଼ କୋକୋଆ ଏବଂ ଚକୋଲେଟ୍ ଡେରିଭେଟିଭ୍‌ସ ସୃଷ୍ଟି କରିଥିବା ଲୋଟସ୍ ସହିତ ସହଯୋଗିତା ସ୍ଥାପନ କରି ରିଲାଏନ୍ସ ଉତ୍ସାହିତ। ଲୋଟସ୍‌ରେ ଆମ ନିବେଶ ହେଉଛି ସ୍ୱଦେଶୀ ଭାବେ ବିକାଶ ହେଉଥିବା ଉଚ୍ଚମାନର ଦୈନନ୍ଦୀନ ଜୀବନରେ ବ୍ୟବହାର ହେଉଥିବା ଉତ୍ପାଦକୁ ଆହୁରି ସୁଦୃଢ଼ କରି ସୁଲଭ ମୂଲ୍ୟରେ ଏକ ବୃହତ ଗ୍ରାହକ ବର୍ଗ ପାଖରେ ତାହାକୁ ପହଂଚାଇବା। ଆମେ ବ୍ୟବସାୟକୁ ଆଗକୁ ବଢ଼ାଇବା ଏବଂ ପରବର୍ତ୍ତୀ ପର୍ଯ୍ୟାୟର ଅଭିବୃଦ୍ଧିକୁ ବଢ଼ାଇବାକୁ ଯାଉଥିବା ବେଳେ ଲୋଟସ୍‌ର ଉଚ୍ଚ ଅଭିଜ୍ଞ ପରିଚାଳନା ଟିମ୍ ସହିତ କାର୍ଯ୍ୟ କରିବାକୁ ଚାହିରହିଛୁ।’’

ଲୋଟସ୍‌ର ପ୍ରତିଷ୍ଠାତା-ପ୍ରମୋଟର ଅଭିଜିତ ପାଇ କହିଛନ୍ତି ଯେ, “ରିଲାଏନ୍ସ ସହ ଏହି ସହଯୋଗିତା ସ୍ଥାପନ କରିଥିବାରୁ ଆମେ ଅତ୍ୟନ୍ତ ଉଲ୍ଲସିତ। ଶ୍ରେଷ୍ଠ ମାନର ମାନୁଫାକ୍‌ଚରିଂ ଦକ୍ଷତା ଏବଂ ପ୍ରତିଭା ଜରିଆରେ ସବୁ ପ୍ରକାର ଗ୍ରାହକ ବର୍ଗଙ୍କ ପାଇଁ ବିଶ୍ୱ ସ୍ତରୀୟ କନଫେକ୍ସନାରି (ଚକୋଲେଟ୍‌) ଉତ୍ପାଦ ଗଠନ କରିବା ଲାଗି ଆମର ଲକ୍ଷ୍ୟ ରହିଛି। ରିଲାଏନ୍ସ ସହିତ ଆମର ସହଯୋଗିତା ଏହି ଲକ୍ଷ୍ୟକୁ ହାସଲ କରିବା ଏବଂ ଲୋଟସ୍‌ର ରୂପାନ୍ତରଣକୁ ତ୍ୱରାନ୍ୱିତରେ ଆମକୁ ଆହୁରି ସକ୍ଷମ କରିବ।’’