Categories
ବିଶେଷ ଖବର

ନବନିର୍ବାଚିତ ମେୟର ଓ ପୌରାଧକ୍ଷ ମାନଙ୍କୁ ଲୋକସେବା ଭବନରେ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନିଜ ନିଜ ସହରକୁ ଶ୍ରେଷ୍ଠ କରିବା ପାଇଁ ନେତୃତ୍ୱ ନେଇ ନିଷ୍ଠାର ସହ କାମ କର। ଲୋକଙ୍କ ସାଥିରେ ରୁହ ସେମାନଙ୍କ ସମସ୍ୟା ସମାଧାନ ପାଇଁ ନିଷ୍ଠାର ସହ କାମ କର। ଆଜି ଲୋକସେବା ଭବନରେ ନବନିର୍ବାଚିତ ମେୟର ଓ ପୌରାଧକ୍ଷମାନଙ୍କ ପାଇଁ ଆୟୋଜିତ ପୌର ଶାସନ ପ୍ରଣାଳୀ ଓ ଉନ୍ନୟନ ପଦ୍ଧତି ଶୀର୍ଷକ କର୍ମଶାଳାକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏହି ପରାମର୍ଶ ଦେଇଛନ୍ତି।

ସହରାଞ୍ଚଳ ର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଆଜି ଜାତୀୟ ଓ ଅନ୍ତର୍ଜାତୀୟ ସ୍ୱୀକୃତି ହାସଲ କରିଛି ବୋଲି ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଜାଗା ମିଶନ ବିକାଶ ମୁଖି ଦେଶ ମାନଙ୍କ ପାଇଁ ଏକ ମଡେଲ ହୋଇଛି। ସେହିପରି ଟ୍ୟାପରୁ ବିଶୁଦ୍ଧ ପିଇବା ପାଣି ଯୋଗାଣ ସୁଜଳ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାରେ ଓଡିଶା ସାରା ଦେଶରେ ଏକ ମାତ୍ର ରାଜ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଜାଗା ମିଶନ, ସୁଜଳ,ପରିମଳ ଓ ବର୍ଜ୍ୟ ବସ୍ତୁ ପରିଚାଳନା ମୁକ୍ତା ଯୋଜନା,ଆହାର ଏବଂ ସ୍ମାର୍ଟ LED Light ଆଦି ସରକାରଙ୍କ flagship ପ୍ରୋଗ୍ରାମ ଉପରେ ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ ଫୋକସ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବସ୍ତି ବିକାଶ ସମୟରେ ରାଜ୍ୟ ସରକାର ଜମି ଅପେକ୍ଷା ଲୋକଙ୍କୁ ଅଧିକ ଗୁରୁତ୍ୱ ଦେଇ ଜାଗା ମିଶନ ଆରମ୍ଭ କରିଛନ୍ତି। ଏ ପର୍ଯ୍ୟନ୍ତ ଏକ ଲକ୍ଷ ପଚସ୍ତରୀ ହଜ଼ାର ପରିବାରକୁ ଭୂମୀ ଅଧିକାର ଦିଆଯାଇଥିବାବେଳ ୫୮୫ ବସ୍ତିକୁ ଆଦର୍ଶ ବସ୍ତିରେ ପରିଣତ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇ ଥିଲେ। ସେହିପରି ସୁଜଳ କାର୍ଯ୍ୟକ୍ରମ ରେ ପୁରୀରେ ଟ୍ୟାପ ରୁ ବିଶୁଦ୍ଧ ପିଇବା ପାଣି ମିଳୁଥିବା ବେଳ ରାଜ୍ୟର କୋଡିଏ ଟି ସହରରେ ଏଥିପାଇଁ କାମ ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ।

ସେହିପରି କୋଭିଡ ସମୟରେ ସହରର ଗରିବ ଲୋକ ଓ ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଆରମ୍ଭ ହୋଇ ଥିବା ମୁକ୍ତା ଯୋଜନା ଜାରି ରହିବ ଓ ଏଥିପାଇଁ ବଜେଟରେ ୫୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମିଶନ ଶକ୍ତି ଓ slam development association ଜରିଆରେ ଚାଲିଥିବା ଏହି କାର୍ଯ୍ୟକ୍ରମ ବେଶ ଲୋକପ୍ରିୟ ବୋଲି ମୁଖ୍ୟମନ୍ତ୍ରୀ କହି ଥିଲେ। ପରିମଳ ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ ବୋଲି ମତ ଦେଇ ସ୍ୱଚ୍ଛତା ଓ ବର୍ଜ୍ୟ ବସ୍ତୁ ପରିଚାଳନା ଉପରେ ଅଧିକ ଗୁରୁତ୍ୱ ଦେଇ କାମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ଚଳିତ ପୌର ନିର୍ବାଚନରେ ମା’ ମାନେ ବହୁସଂଖ୍ୟାରେ ଭାଗ ନେଇ ବିଜୟୀ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଆନନ୍ଦ ପ୍ରକାଶ କରିବା ସହ ସେମାନଙ୍କୁ ବିଶେଷ ଅଭିନନ୍ଦନ ଜଣାଇଥିଲେ ଓ ଭଲ କାମ କରି ଲୋକଙ୍କ ଆସ୍ଥା ଜାରି ରଖିବାକୁ ପରାମର୍ଶ ଦେଇଥିଲେ।

ସହରାଞ୍ଚଳ ବିକାଶରେ ଆସିଥିବା ରୂପାନ୍ତର ରେ ୫-ଟି ନୀତିର ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଥିବାରୁ ପ୍ରତ୍ୟେକ ସ୍ତରରେ ୫-ଟି ନୀତିକୁ ନିଷ୍ଠାର ସହ କାର୍ଯ୍ୟକାରୀ କରି ଲୋକଙ୍କୁ ଉତ୍ତମ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ନୂଆ ନେତୃତ୍ୱ ଓ ନୂଆ ପରିଚାଳନା କୌଶଳ ପୌର ସେବାକୁ ନୂତନ ଶିଖରରେ ପହଞ୍ଚାଇବାରେ ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ।

କର୍ମଶାଳାରେ ଉଦବୋଧନ ଦେଇ ନଗର ଉନ୍ନୟନ ପଞ୍ଚାୟତି ରାଜ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ରାଜ୍ୟ ସରକାରଙ୍କ ବିଭିନ୍ନ ସହରାଞ୍ଚଳ ବିକାଶ କାର୍ଯ୍ୟକ୍ରମକୁ ସଫଳ ଭାବରେ କାର୍ଯ୍ୟକାରି କରିବା ଦିଗରେ ନିଷ୍ଠାପର ଉଦ୍ୟମ ଜାରି ରଖିବା ପାଇଁ ପରାମର୍ଶ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି ମାଥି ଭାତ ନାନ ଓ ପୌର ନିର୍ଦେଶକ ସଂଗ୍ରାମଜୀତ ନାୟକ ପ୍ରମୁଖ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସାମ୍ବାଦିକ, ସାଧାରଣ ଲୋକଙ୍କ ପାଇଁ ଖୋଲିଲା ଲୋକସେବା ଭବନ, ଏପ୍ରିଲ ୧୮ରୁ ଅନୁମତି

ଭୁବନେଶ୍ବର:  ଶେଷରେ ରାଜ୍ୟ ସରକାର ଲୋକସେବା ଭବନକୁ ସାମ୍ବାଦିକ ତଥା ସାଧାରଣ ଲୋକମାନଙ୍କ ପ୍ରବେଶ ପାଇଁ ଅନୁମତି ପ୍ରଦାନ କରିଛନ୍ତି। ସେହି ଅନୁସାରେ ଲୋକସେବା ଭବନରେ ଥିବା ଅଭ୍ୟର୍ଥନା ପ୍ରକୋଷ୍ଠ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନଙ୍କର କିଛି ଅଭିଯୋଗ କିମ୍ବା କାମ ଥିବ ସେମାନେ ସେଠାରୁ ଅନୁମତି ନେଇ ଭିତରକୁ ଯାଇ ପାରିବେ।

ଗୃହ ବିଭାଗ ତରଫରୁ ବାହାରିଥିବା ଏହି ବିଜ୍ଞପ୍ତିରେ କୁହାଯାଇଛି ଯେ, ଆସନ୍ତା ଏପ୍ରିଲ ୧୮ ତାରିଖରୁ ଏହି ଅନୁମତି ପ୍ରଦାନ କରାଯିବ। ସେହିପରି ଖାରବେଳ ଭବନ ଏବଂ ରାଜୀବ ଭବନକୁ ମଧ୍ୟ ପ୍ରବେଶ କରିବା ପାଇଁ ଅନୁମତି ଦିଆଯାଇଛି। ତେବେ ସାମ୍ବାଦିକଙ୍କ କ୍ଷେତ୍ରରେ କୁହାଯାଇଛି ଯେ, ଯେଉଁମାନେ ସରକାରୀ ସ୍ବୀକୃତି ପ୍ରାପ୍ତ ସାମ୍ବାଦିକ ସେମାନଙ୍କୁ କେବଳ ଏହି ପ୍ରବେଶ ଅନୁମତି ଦିଆଯିବ।

Categories
ବିଶେଷ ଖବର ରାଜ୍ୟ ଖବର

ସଡକ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଅଭିନବ ତାଲିମ କାର୍ଯ୍ୟକ୍ରମ ‘ରକ୍ଷକ’ ଉଦ୍‌ଘାଟିତ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନର କନ୍‌ଭେନ୍‌ସନ ସେଣ୍ଟର ଠାରେ ସଡକ ସୁରକ୍ଷା ପାଇଁ ଏକ ଅଭିନବ ତାଲିମ କାର୍ଯ୍ୟକ୍ରମ ‘ରକ୍ଷକ’ର ଶୁଭାରମ୍ଭ କରିଛନ୍ତି।

ରାଜ୍ୟ ପରିବହନ ବିଭାଗ ଦ୍ବାରା ଆୟୋଜିତ ଏହି ତାଲିମ କାର୍ଯ୍ୟକ୍ରମରେ ୩୦ ହଜାର ପ୍ରଥମ ଜୀବନ ରକ୍ଷାକାରୀ (First Responder) ତାଲିମ ପାଇବେ। ୩୦୦ ପ୍ରଶିକ୍ଷକ ରାଜ୍ୟର ୩୦ଟି ଜିଲ୍ଲାରେ ୩୦ ସପ୍ତାହ ପାଇଁ ତାଲିମ ପ୍ରଦାନ କରିବେ। ଏହାଦ୍ବାରା ସଡକ ଦୁର୍ଘଟଣାର ଶିକାର ହେଉଥିବା ବ୍ୟକ୍ତି ମାନଙ୍କୁ ତୁରନ୍ତ ସହାୟତା ଓ ଚିକିତ୍ସା ମିଳିପାରିବ ଓ ଅନେକ ଜୀବନ ବଞ୍ଚାଯାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଶାପ୍ରକାଶ କରିଛନ୍ତି।

କାର୍ଯ୍ୟକ୍ରମରେ ନିଜର ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସଡକ ଦୁର୍ଘଟଣା କେବଳ ଜଣେ ବ୍ୟକ୍ତି ବା ଗୋଟିଏ ପରିବାରର କ୍ଷତି ନୁହେଁ। ଏହା ସମାଜର କ୍ଷତି। ଅର୍ଥନୀତିର ମଧ୍ୟ ବଡ କ୍ଷତି। ତେଣୁ ଏହାକୁ ରୋକିବା ପାଇଁ ଆମେ ସମସ୍ତେ ଏକାଠି ହୋଇ କାମ କରିବା ଦରକାର ବୋଲି ସେ ମତବ୍ୟକ୍ତ କରିଥିଲେ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଏ କ୍ଷେତ୍ରରେ ଡ୍ରାଇଭର ମାନଙ୍କର ଯେତିକି ଦାୟିତ୍ବ, ସଡକ ବ୍ୟବହାର କରୁଥିବା ବ୍ୟକ୍ତିର ମଧ୍ୟ ସେତିକି ଦାୟିତ୍ବ। ତା ସହିତ ଦୁର୍ଘଟଣା ସ୍ଥଳରେ ଥିବା ଅନ୍ୟ ଲୋକମାନଙ୍କର ମଧ୍ୟ ବିଶେଷ ଦାୟିତ୍ବ ରହିଛି। ତେଣୁ ସେମାନେ ସାମାନ୍ୟ ସହଯୋଗ କଲେ, ଅନେକ ଜୀବନ ରକ୍ଷା ହୋଇପାରିବ ଓ ଅନେକ ପରିବାର ଦୁର୍ଦ୍ଦିନରୁ ରକ୍ଷା ପାଇପାରିବେ ବୋଲି ସେ କହିଥିଲେ।

ତାଲିମ ବ୍ୟବସ୍ଥା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଆପଣମାନେ ହେଉଛନ୍ତି ଜଣେ ଜଣେ ଉତ୍ତମ ନାଗରିକ (Good Samaritan)। ଦୁର୍ଘଟଣାର ପ୍ରଥମ ଏକ ଘଣ୍ଟା ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ଏହି ସମୟରେ ଆମେ ଯଦି ତୁରନ୍ତ ଚିକିତ୍ସା କରିବା, ତେବେ ଆମେ ଅନେକ ଜୀବନ ରକ୍ଷା କରିପାରିବା ବୋଲି ସେ କହିଥିଲେ।

ବିପଦରେ ଥିବା ଲୋକର ଜୀବନ ବଞ୍ଚାଇବା ଠାରୁ ବଡ ପୁଣ୍ୟ କିଛି ନାହିଁ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସଡକ ଦୁର୍ଘଟଣାର ଶିକାର ହେଉଥିବା ଲୋକ ମାନଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସୁଥିବା ଲୋକକୁ ୨୦୦୦ ଟଙ୍କା ସହାୟତା ଦେବାର ବ୍ୟବସ୍ଥା କରାଯାଇଛି। ଏହାସହିତ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତି ମାନଙ୍କର ଚିକିତ୍ସା ପାଇଁ ରାଜ୍ୟ ସରକାର ୧୪୭ କୋଟି ଟଙ୍କାର ଏକ ପାଣ୍ଠି ଗଠନ କରିଛନ୍ତି।

ସଡକ ଦୁର୍ଘଟଣା ରୋକିବା ପାଇଁ ସରକାରଙ୍କ ଏ ଉଦ୍ୟମରେ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ।

ବିଭିନ୍ନ ଅଣ-ସରକାରୀ ସଂଗଠନ (NGO) ମାନେ ସଡକ ଦୁର୍ଘଟଣା ସମୟରେ ତୁରନ୍ତ ସହାୟତା ଯୋଗାଇଦେବା ଓ ସଚେତନତା ସୃଷ୍ଟି କ୍ଷେତ୍ରରେ ଯେଉଁ ଉଦ୍ୟମ କରୁଛନ୍ତି, ମୁଖ୍ୟମନ୍ତ୍ରୀ ତାର ଉଚ୍ଚ ପ୍ରଶଂସା କରିଥିଲେ। ସେମାନଙ୍କର ଏହି ଉଦ୍ୟମ ସଫଳ ହେବ ଓ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା କମିପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ।

ଏହି ତାଲିମ କାର୍ଯ୍ୟକ୍ରମ ପାଇଁ ପରିବହନ ବିଭାଗକୁ ଧନ୍ୟବାଦ ଦେବା ସହିତ ରାଜ୍ୟସ୍ତରରେ ଏଭଳି କାର୍ଯ୍ୟକ୍ରମ ପ୍ରଥମ ବୋଲି କହିଥିଲେ। ତାଲିମ କାର୍ଯ୍ୟକ୍ରମ ଶେଷ ହେବା ପରେ ସଡକ ସୁରକ୍ଷା କ୍ଷେତ୍ରରେ ବହୁତ ଉନ୍ନତି ଆସିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବିଭିନ୍ନ ସ୍ବେଚ୍ଛାସେବୀ, ରେଡକ୍ରସ ଓ ଅନ୍ୟାନ୍ୟ ସଂସ୍ଥା ମାନଙ୍କୁ ମୁଖ୍ୟମନ୍ତ୍ର ଧନ୍ୟବାଦ ଦେଇ ଜୀବନ ରକ୍ଷା କ୍ଷେତ୍ରରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ।
କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ରକ୍ଷକ ତାଲିମ କାର୍ଯ୍ୟକ୍ରମର ଲୋଗୋ ଉନ୍ମୋଚନ କରିବା ସହିତ ଏହାର ୱେବସାଇଟ OPTICS ଉଦ୍‌ଘାଟନ କରିଥିଲେ। ତାଲିମରେ ଯୋଗ ଦେଇଥିବା first responder ମାନଙ୍କୁ କିଟ୍‌ ଓ ଟି-ସାର୍ଟ ବଣ୍ଟନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସଡକ ଦୁର୍ଘଟଣା ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ।

ବିଭାଗୀୟ ପ୍ରମୁଖ ସଚିବ ମଧୁସୂଦନ ପାଢୀ ସ୍ବାଗତ ଭାଷଣ ଦେଇଥିଲେ ଏବଂ ପରିବହନ କମିଶନର ଅରୁଣ ବୋଥ୍ରା ଧନ୍ୟବାଦ ଅର୍ପଣ କରିଥିଲେ।