Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ଆଡଭୋକେଟ୍ ଜେନେରାଲ

ଭୁବନେଶ୍ବର: ଦାୟିତ୍ବ ଗ୍ରହଣ କରିବା ପରେ ରାଜ୍ୟ ଆଡଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ ଆଜି ସଂଧ୍ୟାରେ ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ଆଚାର୍ଯ୍ୟଙ୍କୁ ତାଙ୍କ ନୂତନ ଦାୟିତ୍ବ ପାଇଁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।

ଶ୍ରୀ ଆଚାର୍ଯ୍ୟଙ୍କ ‌ଅଭିଜ୍ଞ ପରାମର୍ଶ ନ୍ୟାୟିକ କ୍ଷେତ୍ରରେ ରାଜ୍ୟର ସ୍ବାର୍ଥର ସୁରକ୍ଷା ଦିଗରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି। ଏହି ସାକ୍ଷାତ ସମୟରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଆଜି ପୂର୍ବାହ୍ନରେ ଲୋକସେବା ଭବନରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଶେଷ କରି ଓଡ଼ିଶାରେ ଆଗାମୀ ୨୦୨୪-୨୫ ସାଧାରଣ ବଜେଟ ଉପସ୍ଥାପନାର ରୂପରେଖ କିପରି ରହିବ, ସେ ସଂପର୍କରେ ଆଲୋଚନା କରାଯାଇଥିଲା।

ଏଥି ସହିତ ଆଗାମୀ ଜୁଲାଇ ୨୭ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା “ନୀତି ଆୟୋଗର ୯ ତମ ସାଧାରଣ ପରିଷଦ ବୈଠକ” ଏବଂ ନଭେମ୍ବର ୨୦୨୪ରେ ହେବାକୁ ଥିବା “ ୪ର୍ଥ ଜାତୀୟ ମୁଖ୍ୟ ଶାସନ ସଚିବମାନଙ୍କ ସମ୍ମିଳନୀ” ରେ ଆଲୋଚ୍ୟ ପ୍ରସଙ୍ଗ “ବିକଶିତ ଭାରତ ଅ ୨୦୪୭” ପରିପ୍ରେକ୍ଷୀରେ ରାଜ୍ୟର କାର‌୍ୟ୍ୟସୂଚୀ (ଏଜେଣ୍ଡା) ସଂପର୍କିତ ତଥ୍ୟ ପ୍ରଦାନ କରିବା ସଂପର୍କରେ ଆଲୋଚନା କରାଯାଇଥିଲା।

ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ‘ନିରନ୍ତର ବିକାଶ ଲକ୍ଷ୍ୟ-ଭାରତ-ସୂଚକାଙ୍କ-୨୦୨୩-୨୪’ ରେ ଓଡ଼ିଶାର ସ୍ଥିତି ସଂପର୍କରେ ଉପସ୍ଥାପନ କରାଯିବା ସହ ବିକଶିତ ଭାରତ, ନିରନ୍ତର ବିକାଶ ଓ ସାମଗ୍ରିକ ଅଭିବୃଦ୍ଧି ଲକ୍ଷ୍ୟରେ ରହିଥିବା ବିଭିନ୍ନ ମାନଦଣ୍ଡରେ ପ୍ରଦର୍ଶନରେ ବୃଦ୍ଧି କରିବାକୁ ବୈଠକରେ ଆଲୋଚନା କରାଯାଇଛି।

ବୈଠକରେ କ୍ଷୁଧାମୁକ୍ତ ସମାଜ, ଉତ୍ତମ ସ୍ୱାସ୍ଥ୍ୟ, ଗୁଣାତ୍ମକ ଶିକ୍ଷା, ନାରୀ-ପୁରୁଷ ସମାନତା, ବିଶୁଦ୍ଧ ପାନୀୟ ଜଳ, ସମନ୍ୱିତ ଜଳସେଚନ, ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି କାର‌୍ୟ୍ୟକ୍ରମ ଗ୍ରହଣ ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା । ଏଥି ସହିତ ୨୦୨୪-୨୫ ଆର୍ଥିକ ବର୍ଷରେ ଜୁନ୍-୨୦୨୪ ସୁଦ୍ଧା ରାଜ୍ୟର ଆର୍ଥିକ ପ୍ରଦର୍ଶନ ସଂପର୍କରେ ଉପସ୍ଥାପନ କରାଯାଇଥିଲା।

୫ ବର୍ଷିଆ ଯୋଜନା ଓ କାର୍ଯ୍ୟକ୍ରମ ପ୍ରସ୍ତୁତି ଓ କାର୍ଯ୍ୟନ୍ୱୟନ, ୨୦୩୬ରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ୧୦୦ ବର୍ଷ ପୂର୍ତ୍ତି, ୨୦୪୭ ରେ ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତିକୁ ଲକ୍ଷ୍ୟ ରଖି ବିକାଶର ଆଭିମୁଖ୍ୟ କିପରି ରହିବ, ସେଥିପାଇଁ ସହଭାଗୀ ଓ ବିଶେଷଜ୍ଞମାନଙ୍କ ସହ ବିଚାରବିମର୍ଶ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ଗୁରୁତ୍ୱ ଦେଇଛନ୍ତି ।

ରାଜ୍ୟରେ ଆର୍ଥିକ ଅଭିବୃଦ୍ଧି, କୃଷି, ଶିକ୍ଷା, ଜଳସେଚନ, ଶିଳ୍ପାନୁକୂଳ ସହଜ ବାତାବରଣ, ଲୋକଙ୍କ କଲ୍ୟାଣ, ଭିତ୍ତିଭୂମିର ବିକାଶ, ନିଯୁକ୍ତି ସୁଯୋଗ ଆଜି ବିଭିନ୍ନ ପ୍ରସଙ୍ଗରେ ଗୁରୁତ୍ୱ ଦେବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ସଚିବମାନଙ୍କୁ ଆବଶ୍ୟକ ପରାମର୍ଶ ଦେଇଥିଲେ। ବିଭିନ୍ନ କାର୍ଯ୍ୟ ଯୋଜନାର କାର୍ଯ୍ୟକାରିତା କ୍ଷେତ୍ରରେ ଯେଉଁଠି ଆନ୍ତଃ ବିଭାଗୀୟ ସମନ୍ୱୟର ଆବଶ୍ୟକତା ରହୁଛି, ସେ କ୍ଷେତ୍ରରେ ପାରସ୍ପରିକ ଆଲୋଚନା କରି ବିଭିନ୍ନ କାର‌୍ୟ୍ୟକ୍ରମ କରାଯିବା ଏବଂ ଜନସାଧାରଣଙ୍କର ବିଭିନ୍ନ ଅଭିଯୋଗଗୁଡ଼ିକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଆଶୁ ସମାଧାନ ପାଇଁ ସେ ମଧ୍ୟ ସମସ୍ତ ସଚିବମାନଙ୍କୁ ପରାମର୍ଶ ଦେଇଛନ୍ତି ।

ବୈଠକରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶୀ ଦେଓ ରଂଜନ କୁମାର ସିଂ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶୀ ସୁରେନ୍ଦ୍ର କୁମାରଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବ ଓ ସଚିବମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଆନ୍ତଃ ରାଜ୍ୟ ବିବାଦ ସମ୍ବନ୍ଧୀୟ ଜଳସେଚନ ପ୍ରକଳ୍ପ ସମୀକ୍ଷା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଓଡିଶା ସହିତ ଜଡିତ ଥିବା ବିଭିନ୍ନ ଆନ୍ତଃ ରାଜ୍ୟ ଜଳସେଚନ ପ୍ରକଳ୍ପ ଗୁଡିକର ସମୀକ୍ଷା କରିଛନ୍ତି। ଉନ୍ନୟନ କମିଶନର ତଥା ଜଳସଂପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ମୁଖ୍ୟମନ୍ତ୍ରୀଙ୍କୁ ଓଡିଶା ସହିତ ସଂପୃକ୍ତ ଥିବା ବିଭିନ୍ନ ଆନ୍ତଃ ରାଜ୍ୟ ପ୍ରକଳ୍ପ ଗୁଡିକ ସଂପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ।

ମହାନଦୀ, ବଂଶଧାରା, ପୋଲାଭରମ ଆଦି ଆନ୍ତଃ ରାଜ୍ୟ ପ୍ରକଳ୍ପ ସଂପର୍କରେ ଆଲୋଚନା ହୋଇଥିଲା। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ପାଇଁ ଓଡିଶାବାସୀଙ୍କ ସ୍ବାର୍ଥ ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ଓଡିଶାର ସ୍ବାର୍ଥ ବିରୋଧୀ, ଓଡିଶାବାସୀଙ୍କ ଜୀବନଜୀବିକାକୁ ପ୍ରଭାବିତ କରୁଥିବା ଏବଂ ଓଡିଶାର ପରିବେଶକୁ ବିପଦ ସୃଷ୍ଟି କରୁଥିବା ସବୁ ପ୍ରକଳ୍ପ ଗୁଡିକୁ ସଂପୂର୍ଣ୍ଣ ବିରୋଧ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଲୋକଙ୍କ ସରକାର ପ୍ରସ୍ତୁତ କରିବ ‘ଲୋକଙ୍କ ବଜେଟ୍’, ସମସ୍ତଙ୍କ ଆଶା ଆକାଂକ୍ଷାକୁ ପ୍ରତିଫଳିତ କରିବ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆମର ବଜେଟ୍ ଟି ଯେପରି ବାସ୍ତବରେ ‘ଲୋକଙ୍କ ବଜେଟ୍’ ଭାବରେ ସମସ୍ତଙ୍କ ଆଶା ଆକାଂକ୍ଷାକୁ ପ୍ରତିଫଳିତ କରିବ, ସେଥିପାଇଁ ଆମର ଉଦ୍ୟମ ଜାରି ରହିଛି। ସେଥିପାଇଁ ସମାଜର ସବୁ ବର୍ଗଙ୍କ ମତାମତ ଆମେ ଗ୍ରହଣ କରୁଛୁ। ଲୋକଙ୍କ ସରକାର ଭାବରେ ସାଧାରଣ ଜନତାଙ୍କ ମତାମତକୁ ଗୁରୁତ୍ୱ ଦେବାର ଆମର ପରମ୍ପରା ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଆଜି ଲୋକସେବା ଭବନର କନ୍‌ଭେନ୍‌ସନ୍ ହଲ୍ ଠାରେ ଆୟୋଜିତ ପ୍ରାକ୍ ବଜେଟ୍ ଆଲୋଚନାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଏହି ବୈଠକରେ ବିଭିନ୍ନ ନାଗରିକ ସମାଜ (Civil Society), ବିଶେଷଜ୍ଞ ଓ ବିଭିନ୍ନ କ୍ଷେତ୍ରର ପ୍ରତିନିଧିଙ୍କ ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ। ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଦୁଇ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡା, ଅର୍ଥ ବିଭାଗର ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ଏବଂ ଅର୍ଥ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏଥିରେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ ଚନ୍ଦ୍ର ଘଡାଇ, ପଞ୍ଚାନନ କାନୁନଗୋ, ଶଶୀଭୂଷଣ ବେହେରା, ପୂର୍ବତନ ଅର୍ଥ ସଚିବ ଗଣ, RBI ର ଆଞ୍ଚଳିକ ନିର୍ଦ୍ଦେଶକ, ନାବାର୍ଡ ଜେନେରାଲ ମ୍ୟାନେଜର ପ୍ରମୁଖ ବିଭିନ୍ନ କ୍ଷେତ୍ରର ପ୍ରାୟ ୨୬ ଜଣ ବିଶିଷ୍ଠ ବ୍ୟକ୍ତି ସେମାନଙ୍କ ମତାମତ ଦେଇଥିଲେ।

ବୈଠକ ପରେ ଗଣମାଧ୍ୟମକୁ ନିଜର ବିବୃତି ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଆପଣମାନେ ଜାଣନ୍ତି ଆମ ସରକାର ପ୍ରଥମରୁ ହିଁ ଲୋକଙ୍କ ସରକାର ଭାବରେ ସାଧାରଣ ଜନତାଙ୍କ ମତାମତକୁ ଗୁରୁତ୍ବ ଦେଇ ଆସୁଛି।

୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ ଆଗାମୀ ୨୫ ତାରିଖରେ ବିଧାନ ସଭାରେ ଉପସ୍ଥାପିତ ହେବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଅନଲାଇନ ଜରିଆରେ ଲୋକଙ୍କ ମତାମତ ସଂଗ୍ରହ କରିଥିଲୁ। ଖୁସିର କଥା ଏଥିରେ ଆମେ ପ୍ରାୟ ୧୨ ହଜାରରୁ ଅଧିକ ମତାମତ ପାଇଛୁ। ପୂର୍ବ ବର୍ଷ ଅପେକ୍ଷା ଏହା ପ୍ରାୟ ଛଅ ଗୁଣ ଅଧିକ। ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟାରେ ଲୋକଙ୍କ ଏପରି ବ୍ୟାପକ ଅଂଶ ଗ୍ରହଣ ଆମ ପାଇଁ ଖୁବ୍ ଉତ୍ସାହ ଜନକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସମସ୍ତଙ୍କ ମୂଲ୍ୟବାନ ମତାମତ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଥିଲେ। ଆଗାମୀ ବଜେଟ୍ ରେ ଏହି ସବୁ ମତାମତକୁ ପ୍ରତିଫଳିତ କରିବାକୁ ସରକାର ଯଥା ସମ୍ଭବ ଉଦ୍ୟମ କରି ଲୋକଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବାକୁ ପ୍ରଚେଷ୍ଟା କରିବେ ବୋଲି ସେ କହିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

କାର୍ଯ୍ୟ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ: ଓଡିଆ ଭାଷାରେ ନଥି ଉପସ୍ଥାପନ କରିବାକୁ ଦେଲେ ନିର୍ଦ୍ଦେଶ 

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନସ୍ଥିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପ୍ରବେଶ କରି ସରକାରୀ କାର୍ଯ୍ୟ ଆରମ୍ଭ କରିଛନ୍ତି। ସୂଚନାଯୋଗ୍ୟ ଯେ ଶପଥ ନେବା ପରେ ସେ ରାଜ୍ୟ ଅତିଥି ଭବନର ଅସ୍ଥାୟୀ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିଲେ।

ଆଜି ସକାଳେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଲୋକସେବା ଭବନକୁ ପ୍ରବେଶ କରିଥିଲେ ଏବଂ ଓସ୍ବାସ ଜରିଆରେ ଫାଇଲ କାମ କରିଥିଲେ।

ଏହି ସମୟରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ  ଏବଂ ପ୍ରଭାତୀ ପରିଡାଙ୍କ ସହିତ ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ଉପସ୍ଥିତ ଥିଲେ। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏବଂ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥିଲେ। ସମସ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ଏହି ଅବସରରେ ଗଣମାଧ୍ୟମକୁ ବିବୃତ୍ତି ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୋ ପାଖରେ ଉପସ୍ଥାପିତ ସମସ୍ତ ନଥି ଓଡ଼ିଆରେ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ଓଡିଶାର ଭୌତିକ ପ୍ରଗତି ସହ ସାଂସ୍କୃତିକ ପ୍ରଗତିକୁ ପ୍ରାଥମିକତା ଦିଆଯିବ ବୋଲି ପ୍ରକାଶ କରିବା ସହିତ ଓଡ଼ିଆ ଅସ୍ମିତାର ପ୍ରତିଷ୍ଠା, ଅଭିବୃଦ୍ଧି, ସରଂକ୍ଷଣ ଓ ପ୍ରସାରକୁ ଗୁରୁତ୍ଵ ଦିଆଯିବ ବୋଲି ସେ କହିଥିଲେ।

ସେ ଦେଇଥିବା ବିବୃତ୍ତିର ଗୁରୁତ୍ବପୂର୍ଣ୍ଣ ବିଷୟ ଗୁଡିକ ହେଲା – ତିନୋଟି ଏକାଡେମୀ ତଥା ସାହିତ୍ୟ, ସଙ୍ଗୀତ, ନାଟକ ଓ ଲଳିତ କଳା ଏକାଡେମୀର ପୁନର୍ଗଠନ ଓ କାର୍ଯ୍ୟକ୍ଷମତା ବୃଦ୍ଧି ପାଇଁ ପଦକ୍ଷେପ ନିଆଯିବ।

ଓଡ଼ିଶୀ ଗବେଷଣା କେନ୍ଦ୍ରକୁ କ୍ରିୟାଶୀଳ କରାଯିବ।

ଓଡ଼ିଆ ଅସ୍ମିତା ଉପରେ ଗୁଣାତ୍ମକ ଗବେଷଣାକୁ ପ୍ରୋତ୍ସାହିତ କରାଯିବ। ଓଡ଼ିଶାରେ ପଠନ ଅଭ୍ୟାସ ବୃଦ୍ଧି ଓ ଲାଇବେରୀ ଆନ୍ଦୋଳନକୁ ବ୍ୟାପକ ଓ ବ୍ୟବସ୍ଥିତ କରାଯିବ।

ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରସାର ପାଇଁ ଅନୁବାଦ ଏକାଡେମୀ ପ୍ରତିଷ୍ଠା ହେବ। ଭାଷା ପାଇଁ ଆଧୁନିକ, ସରଳ ଓ ସୁଗମ ପ୍ରଯୁକ୍ତି ବିଦ୍ୟାର ଉପଯୋଗ ପାଇଁ ବ୍ୟବସ୍ଥା ହେବ। ଓଡ଼ିଆ ଭାଷା ଭବନ ଅସ୍ମିତା ଭବନ ନିର୍ମାଣ କରାଯିବ।

ଭାଷା କମିଶନ ଗଠିତ ହେବ।

ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ ହେବ। ସରକାରୀ ସ୍ତରରେ ଓଡ଼ିଆ ଭାଷାର ବ୍ୟବହାରକୁ ବ୍ୟାପକ କରିବାକୁ ଆବଶ୍ୟକ ପଡିଲେ ସରକାରୀ ଭାଷା ଆଇନରେ ସଂଶୋଧନ କରାଯିବ।

ଓଡ଼ିଆ ଭାଷା ପ୍ରତିଷ୍ଠାନର ପୁନର୍ଗଠନ କରାଯିବ।

ପ୍ରତ୍ୟେକ ଜିଲ୍ଲାରେ ସମନ୍ୱିତ ସଂସ୍କୃତି ଭବନ ନିର୍ମାଣ ସହ ଜିଲ୍ଲାର କଳା ସଂସ୍କୃତିକୁ ପ୍ରୋତ୍ସାହିତ କରାଯିବ। ଉଚ୍ଚ ବିଦ୍ୟାଳୟ ସ୍ତରରେ ଓଡ଼ିଆ ଭାଷା ଶିକ୍ଷକ ନିଯୁକ୍ତି ପାଇଁ ବିଚାର କରାଯିବ।

ବରୁଣେଇ ଠାରେ ପାଇକ ଏକାଡେମୀ ଓ ସ୍ମାରକୀ ନିର୍ମାଣ ତ୍ୱରାନ୍ୱିତ ହେବ।

ରାଜ୍ୟର ବିଭିନ୍ନ ଐତିହ୍ୟ ପୀଠର ବିକାଶକୁ ଗୁରୁତ୍ୱ ଦେବାକୁ ସରକାର ସଂକଳ୍ପବଦ୍ଧ। ସବୁ କାର୍ଯ୍ୟ ଲୋକମାନଙ୍କ ସହଯୋଗ ସହଭାଗିତା ଓ ପରାମର୍ଶରେ ହେବ।

ଓଡ଼ିଆ ଅସ୍ମିତା କ୍ଷେତ୍ରରେ ଆଉ କଣ କରାଯିବା ଦରକାର, ସେଥିପାଇଁ ମୁଁ ଲୋକମାନଙ୍କର ପ୍ରସ୍ତାବ ଆହ୍ୱାନ କରୁଛି।

ରାଜ୍ୟ ପରିଚାଳନା ରାଜ୍ୟ ଭାଷା ଓଡ଼ିଆରେ ହିଁ ହେବ। ଏଥି ନିମନ୍ତେ ପ୍ରଣୀତ ସରକାରୀ ଭାଷା ଆଇନକୁ ଅକ୍ଷରେ ଅକ୍ଷରେ ପାଳନ କରାଯିବ। ଦରକାର ପଡିଲେ ଏଥିରେ ଆବଶ୍ୟକ ସଂଶୋଧନ କରି ଆଇନକୁ ଆହୁରି ସଶକ୍ତ କରାଯିବ। ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାରକୁ ସହଜ, ସରଳ ଓ ସୁଗମ କରିବା ପାଇଁ ଉପଯୁକ୍ତ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ ନିମନ୍ତେ ବ୍ୟବସ୍ଥା କରାଯିବ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବିଭିନ୍ନ ବିଭାଗର ସଚିବମାନଙ୍କ ସହିତ ମୁଖ୍ୟ ଶାସନ ସଚିବ ନେଲେ ପ୍ରଥମ ବୈଠକ, କହିଲେ ଏପରି କଥା

ଭୁବନେଶ୍ୱର: ନୂତନ ଭାବେ ଯୋଗଦେଇଥିବା ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଆଜି ବିଭିନ୍ନ ବିଭାଗର ସଚିବମାନଙ୍କ ସହିତ ଲୋକସେବା ଭବନରେ ପ୍ରାରମ୍ଭିକ ବୈଠକରେ ଯୋଗଦାନ କରିଥିଲେ। ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ସ୍ୱାଗତ ଅଭିଭାଷଣ ପ୍ରଦାନ କରି ନୂତନ ମୁଖ୍ୟ ଶାସନ ସଚିବଙ୍କ ଦୀର୍ଘ ପ୍ରଶାସନିକ ଅଭିଜ୍ଞତା ସଂପର୍କରେ ଆଲୋକପାତ କରିଥିଲେ।

ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା କହିଥିଲେ ଯେ, ଓଡ଼ିଶାରେ ପ୍ରଶାସନିକ ବ୍ୟବସ୍ଥାର ସୁନାମ ରହିଛି। ନବ ଗଠିତ ସରକାରଙ୍କ ନିର୍ବାଚନ ଇସ୍ତାହାରକୁ ଆଖି ଆଗରେ ରଖି ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମଗୁଡିକର କାର୍ଯ୍ୟାନ୍ୱୟନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ସମସ୍ତ ଯୋଜନାର କାର୍ଯ୍ୟକାରିତା ପାଇଁ ଯେପରି ଫଳପ୍ରଦ ପ୍ରୟାସ ରହିବ, ସେ ସଂପର୍କରେ ସେ ବହୁ ଗଠନମୂଳକ ପରାମର୍ଶ ଦେଇଥିଲେ।

ବୈଠକରେ ଆଗାମୀ ବଜେଟ୍ ଉପସ୍ଥାପନ, ପୁରୀ ରଥଯାତ୍ରାର ସୁପରିଚାଳନା, ମାନ୍ୟବର ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମ ଉପଲକ୍ଷେ ଆନୁଷଙ୍ଗିକ ବ୍ୟବସ୍ଥା ସଂପର୍କରେ ଆଲୋଚନା କରାଯାଇଥିଲା। ବିଭିନ୍ନ ବିଭାଗର କାର୍ଯ୍ୟରେ ଯୋଜନା ଓ କାର୍ଯ୍ୟକ୍ରମର କାର୍ଯ୍ୟକାରିତାରେ ଛୋଟ ଛୋଟ ସମସ୍ୟା ରହୁଥିଲେ କାର୍ଯ୍ୟକୁ ବିଳମ୍ବିତ ନକରି ଶୀଘ୍ର ଶେଷ କରାଯିବା, କାର୍ଯ୍ୟରେ ସୃଜନଶୀଳତା, ସ୍ୱଚ୍ଛତା ଓ ସୁପ୍ରଶାସନ ଦିଗରେ ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ଗୁରୁତ୍ୱାରୋପ କରିଛନ୍ତି।

ବିଭିନ୍ନ ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବମାନେ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା କରିଥିଲେ। ସଚିବମାନେ ବିଭିନ୍ନ କାର୍ଯ୍ୟରେ ଅଭିନବତ୍ୱ ଆଣିବା, ବୈଷୟିକ ଜ୍ଞାନ କୌଶଳର ଉପଯୋଗ ଏବଂ ଉତ୍ତରଦାୟିତ୍ୱ ପ୍ରତି ସେ ଗୁରୁତ୍ୱାରୋପ କରିଥିଲେ। ବିଭିନ୍ନ କାର୍ଯ୍ୟ ସୁଚାରୁରୂପେ ସଂପାଦନ କରିବା ପାଇଁ ନୂତନ ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ସମସ୍ତ ସଚିବ ମାନଙ୍କର ସହଯୋଗ କାମନା କରିଛନ୍ତି।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଘୋଷଣା ହେଲା ନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କ ପାଇଁ ଗୋଟିଏ ଦିନ ସ୍ୱତନ୍ତ୍ର ସାମୟିକ ଛୁଟି

ଭୁବନେଶ୍ବର: ଆଗାମୀ ଲୋକସଭା ଓ ଓଡ଼ିଶା ବିଧାନସଭା ସାଧାରଣ ନିର୍ବାଚନ -୨୦୨୪ ପରିପ୍ରେକ୍ଷୀରେ ନିର୍ବାଚନ କାର୍ଯ୍ୟରେ  ନିୟୋଜିତ ସରକାରୀ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାର ଗୋଟିଏ ଦିନ ସ୍ୱତନ୍ତ୍ର ସାମୟିକ ଛୁଟି ମଞ୍ଜୁର କରିଛନ୍ତି। ନିର୍ବାଚନ ପରିଚାଳନାରେ ନିୟୋଜିତ କର୍ମଚାରୀମାନେ ନିର୍ବାହ କରୁଥିବା କାର୍ଯ୍ୟ କଷ୍ଟକର ହୋଇଥାଏ।

ଏହାକୁ ଦୃଷ୍ଟିରେ ରଖି ଯେଉଁ ସରକାରୀ କର୍ମଚାରୀମାନେ ସାଧାରଣ ନିର୍ବାଚନ,୨୦୨୪ କାର୍ଯ୍ୟରେ ନିୟୋଜିତ ହେବେ, ସେମାନଙ୍କୁ ଡ୍ୟୁଟି ପରେ ଗୋଟିଏ ଦିନ ସ୍ୱତନ୍ତ୍ର ସାମୟିକ  ଛୁଟି ଦିଆଯିବ। ସେମାନଙ୍କୁ କ୍ୟାଲେଣ୍ଡର ବର୍ଷରେ ସାଧାରଣତଃ ଗ୍ରହଣୀୟ ସାମୟିକ ଛୁଟି(କାଜୁଆଲ ଲିଭ୍) ଏବଂ ସ୍ୱତନ୍ତ୍ର  ଛୁଟି (ସ୍ପେସାଲ ସିଏଲ) ବ୍ୟତୀତ ଏହି ସ୍ୱତନ୍ତ୍ର ସାମୟିକ ଛୁଟି ଦିଆଯିବା ପାଇଁ ସରକାରଙ୍କ ତରଫରୁ ଅନୁମତି ପ୍ରଦାନ କରାଯାଇଛି।

ଏ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ପତ୍ର ମାଧ୍ୟମରେ ସମସ୍ତ ବିଭାଗ ତଥା ବିଭାଗୀୟ ମୁଖ୍ୟମାନଙ୍କୁ ଜଣାଇଛନ୍ତି। ପ୍ରଶାସନିକ ସୁବିଧାକୁ ଦୃଷ୍ଟିରେ ରଖି ସମ୍ପୃକ୍ତ କାର୍ଯ୍ୟାଳୟ ମୁଖ୍ୟଙ୍କ ବିଚାର ଓ ନିଷ୍ପତ୍ତି ଆଧାରରେ ଏହି ଛୁଟି  ପ୍ରଦାନ କରାଯିବ । ତଦନୁସାରେ ସମସ୍ତ ଅଧସ୍ତନ କାର୍ଯ୍ୟାଳୟଗୁଡିକୁ ମଧ୍ୟ ଅବଗତ କରାଯିବା ନେଇ ନିର୍ଦ୍ଦେଶ ଦିଆଯାଇଛି। ଏହି ମର୍ମରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ମଧ୍ୟ ରାଜ୍ୟର ସମସ୍ତ ରାଜସ୍ୱ ଆୟୁକ୍ତ (ଆରଡିସି) ଏବଂ ସମସ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳମାନଙ୍କ ଅବଗତି ଓ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଅବଗତ  କରାଯାଇଛି।

ସେହିପରି ଯେଉଁ ସରକାରୀ କର୍ମଚାରୀମାନଙ୍କୁ ସେମାନେ ଅବସ୍ଥାପିତ  ମୁଖ୍ୟାଳୟଠାରୁ ଦୂରସ୍ଥାନରେ ଥିବା ନିଜ ମତଦାନ କେନ୍ଦ୍ରକୁ ଯାଇ ନିଜର ମତାଧିକାର ସାବ୍ୟସ୍ତ କରିବାର ଅଛି, ସେମାନଙ୍କୁ ପୂର୍ବ ନିର୍ବାଚନ ସମୟରେ ସର୍ବାଧିକ ଦୁଇ ଦିନ ପାଇଁ ସ୍ୱତନ୍ତ୍ର ସାମୟିକ ଛୁଟିକୁ ଅନୁମତି ପ୍ରଦାନ କରାଯାଇଛି।

ଓଡ଼ିଶାରେ ଆାଗାମୀ ୧୩.୦୫.୨୦୨୪ (ସୋମବାର), ୨୦.୦୫.୨୦୨୪ (ସୋମବାର), ୨୫.୦୫.୨୦୨୪ (ଶନିବାର) ଏବଂ ୦୧.୦୬.୨୦୨୪ (ଶନିବାର) ରେ ପର୍ଯ୍ୟାୟକ୍ରମେ ମତଦାନ ଅନୁଷ୍ଠିତ ହେଉଥିବାରୁ ଚଳିତ ସାଧାରଣ ନିର୍ବାଚନ -୨୦୨୪ରେ ମଧ୍ୟ ସମାନ ସୁବିଧା ମିଳିବ  ବୋଲି ନିଷ୍ପତ୍ତି ନିଆଯାଇଛି। ମତଦାନ ଦିନ ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ସରକାରୀ ଛୁଟି ଘୋଷଣା କରାଯାଇଛି।

କିନ୍ତୁ ସରକାରୀ କର୍ମଚାରୀ, ଯେଉଁମାନେ ସେମାନଙ୍କ ମତଦାନ କେନ୍ଦ୍ରଠାରୁ ଦୂରରେ ସ୍ଥାନରେ ଅବସ୍ଥାପିତ ହୋଇଛନ୍ତି, ସେମାନଙ୍କୁ ଭୋଟ୍ ଦେବା ପାଇଁ ସେଠାକୁ ଯିବାକୁ ପଡୁଥିବାରୁ ଉପରୋକ୍ତ ଦିବସଗୁଡିକରେ କର୍ମଚାରୀମାନଙ୍କୁ ଆବଶ୍ୟକ ସ୍ଥଳେ ଦୁଇ ଦିନ (ମତଦାନର  ପୂର୍ବ ଦିନ ଏବଂ ମତଦାନ ପରବର୍ତ୍ତୀ ଦିନ) ପାଇଁ ସ୍ୱତନ୍ତ୍ର ସାମୟିକ  ଛୁଟି ଅନୁମତି  ପ୍ରଦାନ କରାଯିବାକୁ ଏ ସଂକ୍ରାନ୍ତରେ ମଧ୍ୟ ମୁଖ୍ୟ ଶାସନ ସଚିବ ପତ୍ର ପ୍ରେରଣ କରିଛନ୍ତି।

ଯେଉଁ କର୍ମଚାରୀମାନେ କାର୍ଯ୍ୟରତ ମୁଖ୍ୟାଳୟଠାରୁ ଦୂରରେ ଥିବା ମତଦାନ କେନ୍ଦ୍ରରେ ନିଜର ମତାଧିକାର ସାବ୍ୟସ୍ତ କରିବାକୁ ଚାହୁଁଛନ୍ତି, କିନ୍ତୁ ସେଦିନ ସେମାନଙ୍କର କାର୍ଯ୍ୟାଳୟ ଥିବା  ନିର୍ବାଚନ ମଣ୍ଡଳୀରେ ମତଦାନ ହେଉ ନ ଥିବାରୁ ଛୁଟି ପାଉନାହାଁନ୍ତି, ସେମାନଙ୍କୁ ମତଦାନ ପରବର୍ତ୍ତୀ ଦିନ ଆଉ ଗୋଟିଏ ଦିନ ପାଇଁ ସ୍ୱତନ୍ତ୍ର ସାମୟିକ ଛୁଟି ପ୍ରଦାନ କରାଯିବ। ମଞ୍ଜୁର ହେବାକୁ ଥିବା ଛୁଟିଗୁଡିକୁ ସ୍ୱତନ୍ତ୍ର ସାମୟିକ ଛୁଟି ଭାବରେ ବିବେଚନା କରାଯିବ, ଯାହା କ୍ୟାଲେଣ୍ଡର ବର୍ଷରେ ଜଣେ ସରକାରୀ କର୍ମଚାରୀଙ୍କ ପାଇଁ ସାଧାରଣତଃ ଗ୍ରହଣୀୟ ୧୫ ଦିନର କାଜୁଆଲ ଛୁଟି ଏବଂ ସ୍ପେଶାଲ କାଜୁଆଲ ଛୁଟିର ସମୁଦାୟ ଅବଧିକୁ ହିସାବରେ ବିଚାରକୁ ନିଆଯିବ ନାହିଁ।

ଏ ସଂପର୍କରେ ନିର୍ଦ୍ଦିଷ୍ଟ ନିର୍ବାଚନ ମଣ୍ଡଳୀ ଆଧାରରେ  କର୍ମଚାରୀଙ୍କ ଲିଖିତ ଆବେଦନକୁ ବିଚାରକୁ ନେବା ପାଇଁ  ଯଥେଷ୍ଟ ହେବ। ସରକାରୀ କାର୍ଯ୍ୟରେ କ୍ଷତି ନ ପହଞ୍ଚାଇ କର୍ମଚାରୀମାନଙ୍କୁ କିପରି ଛୁଟି ପ୍ରଦାନ କରାଯାଇପାରିବ, ସେ ସମ୍ପର୍କରେ  ଛୁଟି ମଞ୍ଜୁରକାରୀ କର୍ତ୍ତୃପକ୍ଷ ଧ୍ୟାନ ଦେବେ। ସାଧାରଣତଃ କର୍ମଚାରୀମାନେ ସେମାନଙ୍କ ମତାଧିକାର ପ୍ରୟୋଗରେ ଯେପରି ଅସୁବିଧାର ସମ୍ମୁଖୀନ ନ ହେବେ, ସେ ସଂପର୍କରେ ଦୃଷ୍ଟି ଦେବାକୁ ସବୁ ବିଭାଗୀୟ ମୁଖ୍ୟ, ସମସ୍ତ ସରକାରୀ ଉଦ୍ୟୋଗ,ନିଗମ ଓ ବୋର୍ଡର କର୍ତ୍ତୃପକ୍ଷମାନଙ୍କୁ ଉପରୋକ୍ତ ମର୍ମରେ ପତ୍ର ପ୍ରେରଣ କରାଯିବା ସହ ସେହି ଅନୁଯାୟୀ ସବ୍-ଅର୍ଡିନେଟ୍ ଅଫିସଗୁଡ଼ିକୁ ମଧ୍ୟ ଅବଗତ କରାଯିବା ସଂପର୍କରେ ପତ୍ରରେ ଉଲ୍ଲେଖ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଆଇଏଏସ ସ୍ତରରେ ଅଦଳବଦଳ, ବଦଳିଲେ ତିନି ଜିଲ୍ଲାର ଜିଲ୍ଲାପାଳ

ଭୁବନେଶ୍ବର: ଆଇଏଏସ ସ୍ତରରେ ବୁଧବାର ଦିନ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଏଥିରେ ତିନିଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ବଦଳି କରାଯାଇଛି। ସେହି ଜିଲ୍ଲାଗୁଡିକ ହେଲା ବାଲେଶ୍ଵର, ମୟୂରଭଞ୍ଜ ଏବଂ ପୁରୀ ଜିଲ୍ଲା। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଗତକାଲି ଏକ ବିଜ୍ଞପ୍ତି ଜାରି କରାଯାଇଛି। ସେହି ଅନୁସାରେ

ପୁରୀ ଜିଲ୍ଲାପାଳ ବିଜୟ କୁମାର ଦାସଙ୍କୁ କଟକ ମହାନଗର ନିଗମର ନୂଆ କମିଶନର ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି କଟକ ମହାନଗର ନିଗମର କମିଶନର ଥିବା ସିଦ୍ଧାର୍ଥ ଶଙ୍କର ସ୍ଵାଇଁଙ୍କୁ ପୁରୀ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି।

ଏହା ସହିତ ବାଲେଶ୍ଵର ଜିଲ୍ଲାପାଳ ଥିବା ଦତ୍ତାତ୍ରେୟ ଭାଉସାହେବ ସିନ୍ଦେଙ୍କୁ ମୟୂରଭଞ୍ଜ ଜିଲ୍ଲାପାଳ ଭାବେ ବଦଳି କରାଯାଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲାପାଳ ଥିବା ଆଶିଷ ଠାକରେଙ୍କୁ ବାଲେଶ୍ଵର ଜିଲ୍ଲାପାଳ ଭାବେ ବଦଳି କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜିଠାରୁ ଆରମ୍ଭ: ଜାନୁଆରୀ ମାସ ଛୁଟି ଦିନରେ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ ଲୋକସେବା ଭବନ ଉଦ୍ୟାନ

ଭୁବନେଶ୍ୱର: ସର୍ବସାଧାରଣଙ୍କ ନିମନ୍ତେ ଚଳିତ ଜାନୁଆରୀ ମାସର ରବିବାର ସମେତ ସମସ୍ତ ଛୁଟି ଦିନରେ ଲୋକସେବା ଭବନ ଉଦ୍ୟାନ ଖୋଲା ରହିବ। ଜନସାଧାରଣ ଏହି ଦିନମାନଙ୍କରେ ଅପରାହ୍ନ ୩.୩୦ ରୁ ସନ୍ଧ୍ୟା ୫.୩୦ ପର୍ଯ୍ୟନ୍ତ ଦୁଇ ଘଣ୍ଟା ପାଇଁ ଲୋକସେବା ଭବନକୁ ଆସି ଉଦ୍ୟାନ ପରିଦର୍ଶନ କରିପାରିବେ।

Categories
ଆଜିର ଖବର ରାଜ୍ୟ ଖବର

ସର୍ବସାଧାରଣଙ୍କ ପାଇଁ ଖୋଲା ହେବ ଲୋକସେବା ଭବନ ଉଦ୍ୟାନ, ଜାଣନ୍ତୁ କେବେ

ଭୁବନେଶ୍ବର: ସର୍ବସାଧାରଣଙ୍କ ନିମନ୍ତେ ଚଳିତ ଜାନୁଆରୀ ମାସର ରବିବାର ସମେତ ସମସ୍ତ ଛୁଟି ଦିନରେ ଲୋକସେବା ଭବନ ଉଦ୍ୟାନ ଖୋଲା ରହିବ। ଜନସାଧାରଣ ଏହି ଦିନମାନଙ୍କରେ ଅପରାହ୍ନ ୩.୩୦ ରୁ ସନ୍ଧ୍ୟା ୫.୩୦ ପର୍ଯ୍ୟନ୍ତ ଦୁଇ ଘଣ୍ଟା ପାଇଁ ଲୋକସେବା ଭବନକୁ ଆସି ଉଦ୍ୟାନ ପରିଦର୍ଶନ କରିପାରିବେ।

ଏହା ରାଜ୍ୟ ସରକାରଙ୍କ ସର୍ବୋଚ୍ଚ କାର୍ଯ୍ୟାଳୟ ହୋଇଥିବାରୁ ତା ଭିତରକୁ ସର୍ବସାଧାରଣ ପ୍ରବେଶ ନିଷେଧ। କେବଳ କର୍ମଚାରୀ ଏବଂ ଅନୁମତି ପ୍ରାପ୍ତ ବ୍ୟକ୍ତିମାନେ ସେ ଭିତରକୁ ଯାଇଥାନ୍ତି। ହେଲେ ସେ ଭିତରେ ଯେପରି ଉଦ୍ୟାନ କରାଯାଇଛି ତାହା ସମସ୍ତେ ଦେଖିବାର ସୁଯୋଗ ନ ଥାଏ। ବର୍ତ୍ତମାନ କିଛି ବର୍ଷ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତି କ୍ରମେ ଏହି ଉଦ୍ୟାନ ନୂଆ ବର୍ଷରେ ଖୋଲାଯାଇଥାଏ।

ଏହା ପରେ ସର୍ବସାଧାରଣଙ୍କୁ ପ୍ରବେଶ ନିଷେଧ କରାଯାଇଥାଏ।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା ୧୫ ରେ ଗଣଶିକ୍ଷା ସଚିବଙ୍କ ସରକାରୀ ବାସଭବନ ସମ୍ମୁଖରେ ଆମରଣ ଅନଶନ: ଓଡିଶା ଅଭିଭାବକ ମହାସଂଘ

ଭୁବନେଶ୍ୱର: ଓସେପା ଅଫିସରେ ଓଡିଶା ଅଭିଭାବକ ମହାସଂଘ ତରଫରୁ ଅଭିଯୋଗ ପ୍ରକୋଷ୍ଠରେ ସାତ ଦଫା ଦାବି ନେଇ ଜୋରଦାର ପ୍ରତିବାଦ କରାଯାଇଥିଲା। ଯଦି ଆଜି ସମାଧାନ ନ ହେବ ଆସନ୍ତା ୧୫ରୁ ଘେରାଓ କରିବାକୁ ନିଷ୍ପତି ନେଇଥିଲା।

ପୂର୍ବରୁ ସାତ ଦଫା ଦାବୀ ନେଇ ଓଡିଶା ଅଭିଭାବକ ମହାସଂଘ ଲୋକସେବା ଭବନରେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ କାର୍ଯ୍ୟାଳୟରେ ବିଭାଗୀୟ ସଚିବ ଆଶ୍ବଥୀ.ଏସଙ୍କ ସହିତ ସମସ୍ତ ବିଭାଗୀୟ ନିର୍ଦ୍ଦେଶକ ଓ ବରିଷ୍ଠ ପଦାଧିକାରୀ, ସି ବି ଏସ ଇ ର ଆଞ୍ଚଳିକ ଅଧିକାରୀ କେ ଶ୍ରୀନିବାସ, ଏନ ସି ଇ ଆର ଟି ଭୁବନେଶ୍ୱରଙ୍କ ଉପସ୍ଥିତିରେ ବିଭିନ୍ନ ଦାବୀ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଓଡିଶା ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ, ସହ ଅଧ୍ୟକ୍ଷ ପ୍ରସନ୍ନ ବିଷୋୟୀ, ଭୁମୋହନ ପଟ୍ଟନାୟକ ଓ ଅଶୋକ ପଟ୍ଟନାୟକ ଆଲୋଚନାରେ ଭଗନେଇ ୭ ଦଫା ଦାବି ଉପସ୍ଥାପନା କରିଥିଲେ।

ପ୍ରଥମ ଦାବୀରେ ପ୍ରାଇଭେଟ ସ୍କୁଲରେ ପ୍ରଦାନ କରୁଥିବା ସୁବିଧା ଅନୁଯାଇ ସ୍କୁଲ ଫିସ ନିର୍ଦ୍ଧାରଣ ଓ ସ୍କୁଲକୁ ନିୟମ ଅନୁସାରେ ସ୍ୱୀକୃତି ପ୍ରଦାନ ବେଳେ ନିର୍ଦ୍ଦିଷ୍ଟ ଭାବେ ସ୍କୁଲ ଫିସ ସ୍ଥିରୀକୃତ କରିବା ଉପରେ ସରକାର ପୂର୍ବରୁ କରିଥିବା ସ୍କୁଲ ଫିସ ନିର୍ଦ୍ଧାରଣ କମିଟିର ସୁପାରିଶକୁ ତର୍ଜମା କରି କାର୍ଯ୍ୟାନୁଷ୍ଠାନ ପାଇଁ ରାଜି ହୋଇଥିଲେ।

ଦ୍ଵିତୀୟ ଦାବୀ ଅନୁଯାଇ କୋଭିଡ ମହାମାରୀ ସମୟରେ ଉଚ୍ଚତମ ଓ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ ସ୍କୁଲ ଫିସ ଛାଡ଼ ନିର୍ଦ୍ଦେଶର କାର୍ଯ୍ୟକାରୀ ନେଇ ରିପୋର୍ଟକୁ ଖୁବ ଶୀଘ୍ର ଏକ ଶ୍ୱେତପତ୍ର ଜାରି ପାଇଁ ରାଜି ହୋଇଥିଲେ।

ତୃତୀୟ ଦାବୀରେ ପ୍ରାଇଭେଟ ସ୍କୁଲରେ ସବୁ ଶ୍ରେଣୀରେ ଏନସିଇଆରଟି ବହି ବ୍ୟବହାର ଓ ସ୍କୁଲ ବ୍ୟାଗ ଓଜନ ନିୟମର କଡାକଡି ଲାଗୁ ପାଇଁ ଥିବା ଆଲୋଚନା ରେ ସିବିଏସଇ ଆଞ୍ଚଳିକ ଅଧିକାରୀ କେ ଶ୍ରୀନିବାସଙ୍କ ଦ୍ଵନ୍ଦ୍ଵତ୍ମାକ ମନ୍ତବ୍ୟ ଓ ସୁପାରିଶ ଯୋଗୁଁ ଆଲୋଚନା ରେ ଅସୁବିଧା ସୃଷ୍ଟି ହେତୁ ପରବର୍ତ୍ତୀ ସମୟରେ ବିଶେଷ ତର୍ଜମା ହୋଇ ପଦକ୍ଷେପ ନେବାକୁ ସହମତି ହୋଇଥିଲା।

ଚତୁର୍ଥ ଦାବିରେ ଶିକ୍ଷା ଅଧିକାର ଆଇନରେ ୨୫% ସିଟରେ ମାଗଣାରେ ପଢ଼ୁଥିବା ସବୁ ପିଲାଙ୍କୁ ନିୟମ ଅନୁଯାଇ ମାଗଣାରେ ସ୍କୁଲ ଡ୍ରେସ, ବହି ଓ ଜୋତା ଆଦି ପ୍ରଦାନ ପାଇଁ ତୁରନ୍ତ ସବୁ ସ୍କୁଲକୁ ନିର୍ଦ୍ଦେଶ ଦେବା ପାଇଁ ପ୍ରାଥମିକ ଶିକ୍ଷା ନିର୍ଦେଶକଙ୍କୁ ଆଦେଶ ଦିଆଯାଇଥିଲା।

ଶିକ୍ଷା ଅଧୁକାର ଆଇନରେ ମାଗଣାରେ ଅଷ୍ଟମ ଶ୍ରେଣୀ ପଯ୍ୟନ୍ତ ପଢ଼ା ଯାଉଛି ହେଲେ ନବମରୁ ଦ୍ୱାଦଶ ପର୍ଯ୍ୟନ୍ତ ସେହି ପିଲାମାନଙ୍କୁ ଦିଲ୍ଲୀ, ଛତିଶଗଡ, ରାଜସ୍ତାନ ଭଳି ମାଗଣା ପଢାଇବାକୁ ବ୍ୟବସ୍ଥା କରିବାକୁ ଦାବୀ ଉପରେ ସରକାରଙ୍କ ସହିତ ଆର୍ଥିକ କମିଟିର ପରାମର୍ଶ ନେଇ ପଦକ୍ଷେପ ନେବାକୁ ରାଜି ହୋଇଥିଲେ।

ପଞ୍ଚମ ଦାବୀ ଅନୁଯାଇ ବିନା ସ୍ୱୀକୃତିରେ ଚାଲୁଥିବା ସ୍କୁଲ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀ ତତ୍ପର ହେବାକୁ କୁହାଯାଇଥିଲା।

ଷଷ୍ଠ ଦାବୀ ଅନୁଯାୟୀ ଯେଉଁ ପ୍ରାଇଭେଟ ସ୍କୁଲରେ ଆର୍ଥିକ ଅନିୟମିତତାର ଅଭିଯୋଗ ଆସିବ ସେହି ସ୍କୁଲର ସ୍ପେଶାଲ ଅଡିଟ କରାଯାଇ ସ୍କୁଲ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ସପ୍ତମ ଦାବୀ ଅନୁଯାୟୀ ଦଶମରୁ ଏକାଦଶ ଶ୍ରେଣୀକୁ ଉତୀର୍ଣ୍ଣ ହେଉଥିବା ସବୁ ଛାତ୍ର ଛାତ୍ରୀଙ୍କୁ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ କେ ପି ମହାପାତ୍ର କମିଟିର ସୁପାରିଶ ଆଧାରରେ କ୍ଲାସ ପ୍ରମୋସନ ନିୟମ ଅନୁସାରେ ସେହି ସ୍କୁଲ ରେ ଆଡ଼ମିସନ କରି ପାଠ ପଢାଇବାକୁ ସବୁ ପ୍ରାଇଭେଟ ସ୍କୁଲ ଅନୁପାଳନ କରିବାକୁ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

ବର୍ତ୍ତମାନ ପରିପ୍ରେକ୍ଷୀରେ କୋଚିଂ ସେଣ୍ଟର ମାନଙ୍କର ଦୌରାତ୍ମ୍ୟ ବହୁ ପରିମାଣରେ ବଢ଼ି ଯାଇଛି ଓ ଅଭିଭାବକ ଏବଂ ଛାତ୍ରଛାତ୍ରୀ ବହୁ ଅସୁବିଧାରେ ପଡ଼ୁଛନ୍ତି। ଅନେକ ପିଲା ଡମୀ ସ୍କୁଲ ରେ ପଢୁ ଛନ୍ତି। ଏମାନେ ଶିକ୍ଷାକୁ ଏକ ଚିଟ ଫଣ୍ଡ ରେ ପରିଣତ କରିଦେଇଛନ୍ତି। ତେଣୁ କୋଚିଂ ସେଣ୍ଟର ଗୁଡିକ ନିୟନ୍ତ୍ରଣକୁ ଆଣିବାକୁ ପଦକ୍ଷେପ ନେବାକୁ ସହମତି ହୋଇଥିଲା।

ହେଲେ ଆଜି ପର୍ଯ୍ୟନ୍ତ ଆଲୋଚନା ଅନୁଯାୟୀ କୌଣସି ଠୋସ ପଦକ୍ଷେପ ନିଆଯାଇନଥିବାରୁ ବାଧ୍ୟ ହୋଇ ଓଡିଶା ଅଭିଭାବକ ମହାସଂଘ ସାତଦଫା ଦାବୀରେ ଗଣଶିକ୍ଷା ସଚିବଙ୍କ ବାସଭବନ ସମୁଖରେ ଆମରଣ ଅନଶନ କରିବାକୁ ନିଷ୍ପତି ନେଇଛି।

ଆଜି ଓସେପା କାର୍ଯ୍ୟାଳୟର ଅଭିଯୋଗ ଶୁଣାଣିରେ ମହାସଂଘର ଏକ ପ୍ରତିନିଧି ଦଳ ସଚିବଙ୍କୁ ଭେଟି ଦାବୀ ଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଜାଣିବାକୁ ଯାଇଥିଲେ ହେଲେ ସଚିବ ପ୍ରାୟତଃ ଅଭିଯୋଗ ଶୁଣାଣିରେ ଅନୁପସ୍ଥିତ ରହୁଥିବାରୁ ସେଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଆଗାମୀ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ମହାସଂଘ କହିଛି। ଯଦି ଆସନ୍ତା ୧୩ ତାରିଖ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନଯାଏ, ତେବେ ଆସନ୍ତା ୧୫ ତାରିଖ ଦିନ ୧୧ ଟା ସମୟରେ ଗଣଶିକ୍ଷା ସଚିବ ଆଶ୍ବଥୀ ଏସଙ୍କ ସରକାରୀ ବାସଭବନ ସମ୍ମୁଖରେ ମହାସଂଘ ଦାବୀ ପୂରଣ ନହେବା ଯାଏଁ ଆମରଣ ଅନଶନରେ ବସିବ।

ମହାସଚିବ ଅଶୋକ ପାଇକରାୟ, ସାଧାରଣ ସମ୍ପାଦକ ସତ୍ୟଜିତ ଦାଶ, ଭୁବନେଶ୍ୱର ଆବାହକ ପଦ୍ମନାଭ ସାହୁ, ଉପାଧ୍ୟାକ୍ଷ ଅଶୋକ ପଟ୍ଟନାୟକ, ଶିଶିର ସାହୁ, ଶିକ୍ଷା ଅଧିକାର ଆଇନ ଅଭିଭାବକ କଳ୍ପନା ସାହୁ, ମିନା ନାୟକ, ଆମର ନାୟକ, ମିଲ୍ଲୀ ସାହୁ ପ୍ରଭୃତି ଯୋଗଦାନ କରିଥିଲେ।

Categories
ବିଶେଷ ଖବର

ସ୍କୁଟର ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: ୨ ଲକ୍ଷ ମିଶନ ଶକ୍ତି ମା’ ଓ ତୃଣମୂଳ ଷ୍ଟାଫ୍ ପାଇବେ ଋଣ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ କରିଛନ୍ତି।

ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନ୍‌ଭେନ୍‌ସନ୍ ସେଣ୍ଟରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଉପସ୍ଥିତ ସ୍ୱୟଂସହାୟକ ଗୋଷ୍ଠୀର ମା’ ମାନଙ୍କୁ କହିଲେ ଯେ ମହିଳା ସଶକ୍ତିକରଣ କ୍ଷେତ୍ରରେ ଆଜି ଦିନଟି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇ ରହିବ। ମା’ମାନଙ୍କ ସଶକ୍ତିକରଣ କ୍ଷେତ୍ରରେ ଆଜି ଆମେ ଆଉ ଏକ ପାଦ ଆଗକୁ ଆସିଲୁ। ମିଶନ ଶକ୍ତି ମା’ ମାନଙ୍କୁ ସ୍କୁଟର କିଣିବା ପାଇଁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦେଉଛୁ। ସେମାନଙ୍କର ଏହି ଋଣ ବାବଦକୁ ୫୨୮ କୋଟି ଟଙ୍କାର ସୁଧ ରାଜ୍ୟ ସରକାର ଦେବେ। ଏହି ଯୋଜନାରେ ୨ ଲକ୍ଷରୁ ଅଧିକ ସ୍ୱୟଂସହାୟକ ଗୋଷ୍ଠୀର ମା’ ମାନେ ସ୍କୁଟର ପାଇବେ। ଆଜି ଏହି ଯୋଜନାର ଶୁଭାରମ୍ଭରେ ୧୫ ହଜାର ମା’ଙ୍କୁ ସ୍କୁଟର ଦିଆଯାଇଛି।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଲେ ଯେ, ଗତି ହିଁ ଶକ୍ତି। ଗତି ହିଁ ସଶକ୍ତିକରଣ। ଆମର ସ୍କୁଟର ଯୋଜନା ମା’ମାନଙ୍କ ଯାତାୟତକୁ ସୁବିଧା କରିବ। ବୃତ୍ତିଗତ କ୍ଷେତ୍ରରେ ମଧ୍ୟ ନୂଆ ସୁଯୋଗ ଆଣିବ। ମା’ମାନେ ବହୁତ ଭଲ କାମ କରୁଛନ୍ତି। ମୋର ପୁରା ବିଶ୍ୱାସ ମା’ମାନେ ଏବେ ଆହୁରି ଭଲ କାମ କରିବେ। ୭୦ ଲକ୍ଷ ମା’ମାନଙ୍କ ନିଜର ଅନୁଷ୍ଠାନ ମିଶନ ଶକ୍ତି ଆହୁରି ମଜୁବୁତ ହେବ। ମା’ମାନଙ୍କ ଗତିଶୀଳତା ଓଡିଶାର ପ୍ରଗତିକୁ ନୂଆ ବେଗ ଦେବ। ମିଶନ ଶକ୍ତି ମା’ମାନଙ୍କୁ ସରକାରୀ କାମ ଦେବାରେ ଦେଶରେ ଓଡିଶା ଏକମାତ୍ର ରାଜ୍ୟ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବ୍ଲକ ଓ ଜିଲ୍ଲା ସ୍ତରୀୟ ମିଶନ ଶକ୍ତି ଫେଡେରେସନ୍‌କୁ ସରକାରୀ କାର୍ଯ୍ୟ ପାଇଁ ଯାନସୁବିଧା ଯୋଗାଇଦେବା ବାବଦରେ ଘୋଷଣା କରିଥିଲେ। ଯାନସୁବିଧା ବଳରେ ସେମାନଙ୍କର ଦକ୍ଷତା ବୃଦ୍ଧି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଲେ ଯେ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟମାନଙ୍କୁ ଉଦ୍ୟୋଗୀଭାବେ ପରିଣତ କରିବା ଆମର ଲକ୍ଷ୍ୟ। ଏଥିପାଇଁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୫୦ କୋଟି ଟଙ୍କାର ସୁଧ ସହାୟତା ସିଧା ସଳଖ ଦିଆ ଯାଉଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଖୋର୍ଦ୍ଧା ଜିଲ୍ଲାର ମା’ ମଙ୍ଗଳା ଏସ୍.ଏଚ୍.ଜି ଓ କଟକ ଜିଲ୍ଲାର ଜୟ ଶ୍ରୀରାମ ଏସ୍. ଏଚ୍.ଜିକୁ ସୁଧ ବାବଦ ଚେକ୍‌ ହସ୍ତାନ୍ତର କରିଥିଲେ। ମୁଖ୍ୟମନ୍ତ୍ରୀ ଉପସ୍ଥିତ ମା’ମାନଙ୍କୁ ସମ୍ବୋଧନ କରି କହିଥିଲେ ଯେ ମା’ମାନଙ୍କ ଉପରେ ମୋର ପୂରା ବିଶ୍ୱାସ ଅଛି। ମା’ମାନେ ହିଁ ଆଣିଛନ୍ତି ଓଡିଶା ପାଇଁ ନୂଆ ଗତି, ଶକ୍ତି ଓ ପ୍ରଗତି।

କାର୍ଯ୍ୟକ୍ରମରେ ଅନ୍ୟତମ ଅତଥି ଭାବେ ମିଶନ ଶକ୍ତି ବିଭାଗର ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ କହିଥିଲେ ଯେ ଗତିଶୀଳତା ହିଁ ସଶକ୍ତିକରଣ। ଏହାକୁ ପାଥେୟ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଐତିହାସିକ ମିଶନ ଶକ୍ତି ସ୍କୁଟର ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ମାଧ୍ୟମରେ ୨ ଲକ୍ଷ Community Support Staff, Business Correspondent Agent ଏବଂ Executive Committee Member ସେମାନଙ୍କ ପସନ୍ଦ ମୁତାବକ ସ୍କୁଟର କିଣିବା ପାଇଁ ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ପାଇବେ। ଏହି ପଦକ୍ଷେପ ମିଶନ ଶକ୍ତି ଫେଡେରେସନ୍ ସହିତ କାର୍ଯ୍ୟରତ ‌ଓ ଏହା ଅଧିନରେ କାର୍ଯ୍ୟରତ ସଦସ୍ୟାମାନଙ୍କ ଯାତାୟତକୁ ସୁଗମ କରିବା ସହିତ ସେମାନଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି ଦିଗରେ ସହାୟକ ହେବ।

ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜତା ଆର୍ କାର୍ତ୍ତିକେୟନ୍ କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଅବସରରେ କହିଥିଲେ ଯେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗୋଟିଏ ଯୁଗାନ୍ତକାରୀ ପଦକ୍ଷେପର ଉଦ୍‌ଘାଟନ ହେଲା । ୧୫ ହଜାର ଏସ୍.ଏଚ୍.ଜି ମା’ ସ୍କୁଟର ନେଇଛନ୍ତି। ୨ ଲକ୍ଷ Community Support ମା’ ପର୍ଯ୍ୟାୟକ୍ରମେ ସ୍କୁଟର ନେବେ। ଏହି ଯୋଜନାରେ ଉପକୃତ ହେବେ। ସେ ଆହୁରି ମଧ୍ୟ କହିଥିଲେ ଯେ ଆମର Executive Committee Member ମାନେ ହେଲେ ମିଶନ ଶକ୍ତିର ସେନାପତି। ସେମାନେ ମିଶନ ଶକ୍ତିକୁ ନୂଆ ଦିଗ ଦେଉଛନ୍ତି। ଏହି ସ୍କୁଟର ହେଉଛି ମିଶନ ଶକ୍ତି ମା’ ମାନଙ୍କ ପରିଚୟର ପ୍ରତୀକ। ଦକ୍ଷତାର ପ୍ରତୀକ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟଶାସନ ସଚିବ ପି.କେ. ଜେନା , ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ, ମିଶନ ଶକ୍ତିର ଉପଦେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ର ଏବଂ ଗିତାଞ୍ଜଳୀ ବସ୍ତିଆ ଉପସ୍ଥିତ ଥିଲେ। ରାଜ୍ୟର ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ ସଂଘର ସଦସ୍ୟାମାନେ ଆଭାସୀ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ବିଭାଗୀୟ ନିର୍ଦ୍ଦେଶକ ଏନ୍. ତିରୁମାଲା ନାୟକ ଧନ୍ୟବାଦ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଲୋକସେବା ଭବନରେ ଅଗ୍ନିକାଣ୍ଡ, ରାଜସ୍ବ ବିଭାଗରେ ଲାଗିଛି ନିଆଁ

ଭୁବନେଶ୍ବର: ଆଜି ଲୋକସେବା ଭବନରେ ନିଆଁ ଲାଗିଛି। ଏହି ନିଆଁ ଲୋକସେବା ଭବନର ପ୍ରଥମ ମହଲାରେ ଥିବା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗରେ ଲାଗିଛି। ସେହି ବିଭାଗରୁ ଧୂଆଁ ବାହାରିବା ପରେ ତୁରନ୍ତ ସେଠାରେ ଥିବା ଅଗ୍ନିଶମ ଅଫିସକୁ ଖବର ଦିଆଯାଇଥିଲା। ସେମାନେ ଆସି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ ମଧ୍ୟ ଆଉ ଏକ ଦମକଳକୁ ଡକାଯାଇଥିଲା।

ବର୍ତ୍ତମାନ ନିଆଁ ଲିଭିଯାଇଥିଲେ ମଧ୍ୟ ତାହା କିପରି ଲାଗିଲା ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ତେବେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବାର ଅନୁମାନ କରାଯାଉଛି। ଏହି ଅଗ୍ନିକାଣ୍ଡରେ କଣ କ୍ଷତି ହୋଇଛି ତାହା ଜଣାପଡି ନାହିଁ।

Categories
ବିଶେଷ ଖବର

ରାଜ୍ୟ ସମବାୟ ଉନ୍ନୟନ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ଵର: ଭୁବନେଶ୍ୱର ଲୋକସେବା ଭବନର ଦ୍ୱିତୀୟ ମହଲା ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସମବାୟ ଉନ୍ନୟନ କମିଟି (ଏସସିଡିସି)ର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ  ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ତଥା ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢୀ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ସିଜିଏମ୍ ନାବାର୍ଡ, ଏନସିଡିସି, ଏନଡିଡିବି ଓ ଫିସଫେଡର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ବର୍ତ୍ତମାନ ରହିଥିବା କୃଷି ସମବାୟ ସମିତିଗୁଡିକୁ  ବ୍ୟବସାୟରେ ବିବିଧତା ଆଣି ସେମାନଙ୍କୁ  ବହୁମୁଖୀ ସମବାୟ ସମିତିରେ ପରିଣତ କରିବା ଏବଂ ପ୍ରତ୍ୟେକ  ଗ୍ରାମ ପଞ୍ଚାୟତରେ ଯେପରି  ପ୍ୟାକ୍ସ, ପ୍ରାଥମିକ ଦୁଗ୍ଧ ସମବାୟ ସମିତି କିମ୍ବା ମତ୍ସ୍ୟ ସମବାୟ ସମିତି  ରହୁଥିବ, ତାହା ସୁନିଶ୍ଚିତ କରିବା ଏହି କମିଟିର  ମୁଖ୍ୟ ଲକ୍ଷ୍ୟ  ରହିଛି। ଆଦର୍ଶ ଉପନିୟମ ଗ୍ରହଣର ସ୍ଥିତି, ବୃହତ୍ତମ ବିକେନ୍ଦ୍ରୀକୃତ ଶସ୍ୟ ସଂରକ୍ଷଣ ଯୋଜନାର ସ୍ଥିତି, ପ୍ୟାକ୍ସଗୁଡିକର କମ୍ପ୍ୟୁଟରୀକରଣ, ସମବାୟ ବ୍ୟାଙ୍କଗୁଡିକୁ ସୁଦୃଢ଼ କରିବା, ସମବାୟ ଶିକ୍ଷା ଏବଂ ପ୍ରଶିକ୍ଷଣ ଅନୁଷ୍ଠାନ ଚିହ୍ନଟ, ଜିଇଏମ୍ ପୋର୍ଟାଲରେ ବୃହତ ସମବାୟ ସମିତିଗୁଡିକ ସାମିଲ ହେବା, ତିନୋଟି ନୂତନ ବହୁ-ରାଜ୍ୟ ସମବାୟ ସମିତି – ଜାତୀୟ ରପ୍ତାନି ସମବାୟ, ଜୈବିକ କୃଷି ପାଇଁ ଜାତୀୟ ସମବାୟ ଏବଂ ଜାତୀୟ ବିହନ ସମବାୟରେ ପ୍ରାଥମିକ, କେନ୍ଦ୍ରୀୟ ଏବଂ ସର୍ବୋଚ୍ଚ ସମବାୟର ସଦସ୍ୟତାକୁ ପ୍ରୋତ୍ସାହିତ କରିବା ଏବଂ ସମବାୟ ଚିନି କଳଗୁଡ଼ିକର  ପୁନରୁଦ୍ଧାର  ସଂପର୍କରେ ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ଏଜେଣ୍ଡା ଉପରେ ଆଲୋଚନା ହୋଇଥିଲା।

ରହିଥିବା ସମବାୟ ସମିତିଗୁଡ଼ିକର ପୁନରୁଦ୍ଧାର ଓ ସୁଦୃଢ଼ୀକରଣ, ନୂତନ ପଞ୍ଜୀକୃତ ପ୍ୟାକ୍ସ/ଲ୍ୟାମ୍ପସଗୁଡିକୁ  କାର‌୍ୟ୍ୟକ୍ଷମ କରିବା, ସମସ୍ତ କ୍ଷେତ୍ରରେ ନୂତନ ସମବାୟ ପାଇଁ କାର‌୍ୟ୍ୟକ୍ଷମ ଢାଞ୍ଚା ପ୍ରସ୍ତୁତ କରିବା, କ୍ଷେତ୍ରସ୍ତରୀୟ ବ୍ୟବଧାନ ବିଶ୍ଳେଷଣ ଆଧାରରେ ସମବାୟ ପାଇଁ ପ୍ରାସଙ୍ଗିକ ବ୍ୟବସାୟିକ କାର‌୍ୟ୍ୟକଳାପ ଚିହ୍ନଟ କରିବା, ସମସ୍ତ ସମବାୟ ବ୍ୟାଙ୍କରେ ଆଧାର ସକ୍ଷମ ଦେୟ ବ୍ୟବସ୍ଥା (ଏଇପିଏସ୍) କାର‌୍ୟ୍ୟକାରୀ କରିବା, ଗୋପାଳପୁର ସମବାୟ ପ୍ରଶିକ୍ଷଣ ପ୍ରତିଷ୍ଠାନର ଉନ୍ନତିକରଣ, ସମବାୟ ନିବନ୍ଧକ(ଆରସିଏସ୍) କାର‌୍ୟ୍ୟାଳୟର କମ୍ପ୍ୟୁଟରୀକରଣ ଏବଂ ସେସବୁକୁ କ୍ଷେତ୍ର କାର‌୍ୟ୍ୟାଳୟ ସହିତ ସଂଯୋଗ କରିବା ସଂପର୍କରେ ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପ୍ରସଙ୍ଗରେ ବିଶଦ୍ ଭାବେ ଆଲୋଚନା କରାଯାଇଥିଲା।

ଏସସିଡିସି ମଧ୍ୟ ଜିଲ୍ଲା ସମବାୟ ଉନ୍ନୟନ ସମିତି (ଡିସିଡିସି)ର କାର‌୍ୟ୍ୟ ଯୋଜନା କାର‌୍ୟ୍ୟକାରୀ କରିବାରେ ସମସ୍ତ ପ୍ରକାର ସହଯୋଗ କରିବା ସହ ରାଜ୍ୟରେ ସମବାୟ ସମିତିକୁ ସୁଦୃଢ଼ କରିବା ଦିଗରେ ଏହାର ମୂଲ୍ୟବାନ ପ୍ରସ୍ତାବ ଓ ପରାମର୍ଶ ଉପରେ କାର‌୍ୟ୍ୟ କରିବାକୁ ସୁନିଶ୍ଚିତ କରିଛି।

Categories
ବିଶେଷ ଖବର

ପାଚିକା -ସହାୟିକାମାନଙ୍କୁ ଭତ୍ତା ବାଣ୍ଟିଲେ ମୁଖମନ୍ତ୍ରୀ: ୧୧୭.୭୩ କୋଟିର ଆର୍ଥିକ ସହାୟତା ଓ  ଶାଢ଼ି ପାଇଁ ୫.୪୫ କୋଟି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନରେ ରାଜ୍ୟର ବିଦ୍ୟାଳୟ ଗୁଡିକରେ ନିୟୋଜିତ ଥିବା ପାଚିକା-ସହାୟିକା ମାନଙ୍କ ପାଇଁ  ୧୧୭.୭୩ କୋଟି  ଟଙ୍କାର ଆର୍ଥିକ ସହାୟତା ମଞ୍ଜୁର କରିଥିବା ବେଳେ ଶାଢ଼ି ପାଇଁ ଭତ୍ତା ମଧ୍ୟ ପ୍ରଦାନ କରିଛନ୍ତି। ଆର୍ଥିକ ସହାୟତା ଭାବେ ୧୧୭.୭୩ କୋଟି ଟଙ୍କା ମଞ୍ଜୁର କରାଯାଇଛି ଏବଂ ପ୍ରତ୍ୟେକ ପାଚିକା ଓ ସହାୟିକାଙ୍କୁ ସାଢି ପାଇଁ ୫୦୦ ଟଙ୍କା ଲେଖାଏ ଭତ୍ତା ପ୍ରଦାନ କରାଯାଇଛି। ରାଜ୍ୟର ଏକ ଲକ୍ଷ ନଅ ହଜାର ପାଚିକାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୫.୪୫ କୋଟି ଟଙ୍କା ପ୍ରଦାନ କରାଯାଇଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉଦ୍‌ବୋଧନ ଦେଇ କହିଛନ୍ତି ଯେ, ପିଲାମାନଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ତଥା ପୃଷ୍ଟି ନିରାପତ୍ତା ପାଇଁ ମଧ୍ୟାହ୍ନ ଭୋଜନର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ । ପାଚିକା ଓ ସହାୟିକାମାନେ ଏହି ଗୁରୁ ଦାୟିତ୍ୱ ବହନ କରୁଛନ୍ତି। ୫୦ ହଜାର ରୁ ଅଧିକ ସ୍କୁଲରେ ୪୫ ଲକ୍ଷରୁ ଅଧିକ ପିଲା ପଢୁଛନ୍ତି। ଆପଣମାନେ ମା ପରି ଏ ସବୁ ପିଲାମାନଙ୍କର ଖାଇବା ଦାୟିତ୍ୱ ନେଇଛନ୍ତି। ତେଣୁ ସାରା ସମାଜ ଆପଣମାନଙ୍କ ନିକଟରେ ଋଣୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
୪୭୩୦ ମିଶନ ଶକ୍ତି ଗୋଷ୍ଠୀଙ୍କ ଜରିଆରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଚାଲିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଅନ୍ୟାନ୍ୟ ସବୁ ଦାୟିତ୍ୱ ପରି ଏ ଦାୟିତ୍ୱ ମଧ୍ୟ ଆପଣମାନେ ଭଲ ଭାବରେ ପାଳନ କରୁଛନ୍ତି। ମିଶନ ଶକ୍ତିର ସୁନାମ ଦିନକୁ ଦିନ ବଢି ଚାଲିଛି ବୋଲି ମନ୍ତବ୍ୟ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମିଶନ ଶକ୍ତି ଜରିଆରେ ମା ମାନଙ୍କ ସଶକ୍ତିକରଣ ପାଇଁ ଉଦ୍ୟମ ଜାରି ରହିବ।
ପାଚିକା ଓ ସହାୟିକାମାନଙ୍କୁ ଖାଦ୍ୟ ଓ ସ୍ୱଚ୍ଛତା ସମ୍ପର୍କରେ ତାଲିମ ଦିଆଯାଇଛି ବୋଲି ପ୍ରକାଶ କରି ସେମାନେ ମଧ୍ୟାହ୍ନ ଭୋଜନରେ ସ୍ୱଚ୍ଛତା ଓ ଖାଦ୍ୟ ସୁରକ୍ଷା ବଜାୟ ରଖିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ।
ଏହି ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି  ଅଭିଭାଷଣ ଦେଇ ରାଜ୍ୟରେ ଚାଲିଥିବା ମଧ୍ୟାନ୍ନ ଭୋଜନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ। ବିଦ୍ୟାଳୟ ଗୁଡିକରେ ଉପସ୍ଥାପନ ଓ ପୃଷ୍ଟିହୀନତା ଦୂର କରିବାରେ  ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଥିଲେ।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ସଚିବ ଅଶ୍ୱଥି. ଏସ୍.  ସ୍ୱାଗତ ଭାଷଣ ଦେଇଥିଲେ ଏବଂ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମର ନୋଡାଲ ଅଫିସର ଧନ୍ୟବାଦ ଅର୍ପଣ କରିଥିଲେ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ୫୦,୮୬୨ଟି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୪୫.୫୦ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେଉଛନ୍ତି। ୪୭୩୦ ମିଶନ ଶକ୍ତି ଗୋଷ୍ଠୀର ୧.୦୯ ଲକ୍ଷ ପାଚିକା ଓ ସହାୟିକାମାନେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତିରେ ସାମିଲ ଅଛନ୍ତି । ପୂର୍ବରୁ ୨୦୧୭-୧୮ ମସିହାରେ ସେମାନଙ୍କ ପାଇଁ  ଶାଢ଼ି ଭତ୍ତା ବାବଦରେ ଜଣ ପିଛା ୨୫୦ ଟଙ୍କା ମଞ୍ଜୁର କରାଯାଇଥିଲା।
Categories
ବିଶେଷ ଖବର

କିଶୋର କିଶୋରୀମାନଙ୍କ ପାଇଁ ମାସ୍କଟ ‘କୁନି’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଆଜି ଲୋକସେବା ଭବନସ୍ଥିତ କନ୍‌ଭେନସନ ସେଣ୍ଟର ଠାରେ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ରାଜ୍ୟ ମହିଳା ଓ ଶିଶୁବିକାଶ ବିଭାଗ ପକ୍ଷରୁ ଏକ ସପ୍ତାହ ବ୍ୟାପୀ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ସାଧାରଣ ଜୀବନରେ ଯେଉଁ କୋଟି କୋଟି ମା ସଂଗ୍ରାମ ଜାରି ରଖିଛନ୍ତି ଏବଂ ନିଜ ପାଇଁ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି, ସେମାନଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜିର ଦିନଟିକୁ ସମର୍ପିତ କରିଛନ୍ତି।

କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହିଳା ସଶକ୍ତିକରଣ ଆଜି କେବଳ ଏକ ସ୍ଲୋଗାନ ନୁହେଁ, ଏହା ଆଜି ଏକ ବାସ୍ତବତା। ଓଡିଶାର ମା ମାନେ ଆଜି ରୂପାନ୍ତରର ସାରଥୀ ହୋଇଛନ୍ତି। ୭୦ ଲକ୍ଷ ମା ମାନଙ୍କ ବିଶାଳ ସଂଗଠନ ଆଜି SHGରୁ SME ହେବାକୁ ଯାଉଛି। ମା ମାନେ ଉଦ୍ୟୋଗୀ ହେବାକୁ ଯାତ୍ରା ଆରମ୍ଭ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମା ମାନେ କାହା ଠାରୁ କମ୍‌ ନୁହେଁ। ମା ମାନେ ନିଜ ନିଜର ପ୍ରତିଭା ଓ ଦକ୍ଷତା ଦ୍ବାରା ସମାଜରେ ନିଜ ପାଇଁ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ସେମାନେ ପ୍ରମାଣିତ କରିପାରିଛନ୍ତି ଝିଅ ଆଜି ପରିବାର ପାଇଁ ବୋଝ ନୁହେଁ, ବରଂ ପରିବାରର ମଣି। କନ୍ୟା ରତ୍ନ।

ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଆନ୍ତର୍ଜାତିକ ମହିଳା ଦିବସ ପାଇଁ ବିଷୟ ବସ୍ତୁ ରହିଛି ‘ନବ ପରିବର୍ତ୍ତନ ଓ ପ୍ରଯୁକ୍ତି ବିଦ୍ୟା ଦ୍ବାରା ଲିଙ୍ଗଗତ ସମାନତା ହାସଲ’ (Innovation and Technology for Gender Equality). ଏହା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ପ୍ରଯୁକ୍ତି ବିଦ୍ୟା ଆମକୁ ସମାଜରେ ଲିଙ୍ଗଗତ ବିଭେଦ ଦୂର କରିବା ପାଇଁ ଏକ ଅନନ୍ୟ ସୁଯୋଗ ଦେଇଛି। ଇନୋଭେସନ ଓ ଟେକ୍‌ନୋଲୋଜିର ପ୍ରୟୋଗରେ ଶିକ୍ଷା, ନିଯୁକ୍ତି, କର୍ମକ୍ଷେତ୍ର ଏବଂ ସମାଜର ବିଭିନ୍ନ କ୍ଷେତ୍ରରେ ବିଭେଦ ଦୂର କରାଯାଇ ନାରୀ ମାନଙ୍କ ଅଧିକାରର ସୁରକ୍ଷା କରାଯାଇପାରୁଛି। ମହିଳା ମାନଙ୍କ ବିରୁଦ୍ଧରେ ହେଉଥିବା ହିଂସାକୁ ମଧ୍ୟ ରୋକାଯାଇ ପାରୁଛି। ଏହାଦ୍ବାରା ସମାଜରେ ଲିଙ୍ଗଗତ ବୈଷମ୍ୟ ଦୂର ହୋଇ ଏକ ନ୍ୟାୟପୂର୍ଣ୍ଣ ସମାଜ ଗଠନ କରାଯାଇପାରିବ। ତେଣୁ ଇନୋଭେସନ ଓ ଟେକ୍‌ନୋଲୋଜିର ଅଧିକରୁ ଅଧିକ ପ୍ରୟୋଗ କରି ମହିଳା ମାନଙ୍କୁ ସବୁ କ୍ଷେତ୍ରରେ ସମାନ ଅଧିକାର ପ୍ରଦାନ କରିବା ସହିତ ଏକ ନ୍ୟାୟପୂର୍ଣ୍ଣ ସମାଜ ଗଠନ ଦିଗରେ କାମ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ।

ରାଜ୍ୟସ୍ତରୀୟ ଉତ୍ସବରେ ମହିଳା ଓ ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ କହିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ବ ଓ ଦିଗ୍‌ଦର୍ଶନରେ ମହିଳା ଓ ଶିଶୁବିକାଶ ବିଭାଗ ମହିଳା ମାନଙ୍କ ସଶକ୍ତିକରଣ ଓ ଅଧିକାରର ସୁରକ୍ଷା ପାଇଁ ଅନେକ କାର୍ଯ୍ୟକ୍ରମ ସଫଳତାର ସହ କାର୍ଯ୍ୟକାରୀ କରୁଛି। ମହିଳା ମାନେ ଆଜି ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସଶକ୍ତ ହୋଇପାରିଛନ୍ତି ଓ ସେମାନଙ୍କ ପାଇଁ ଅନେକ ସୁଯୋଗ ସୃଷ୍ଟି ହୋଇପାରିଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମହିଳା ଓ ଶିଶୁବିକାଶ ବିଭାଗର ଯୁବ ମାସ୍କଟ ‘କୁନି’ର ଶୁଭାରମ୍ଭ କରିଥିଲେ। ଏହି ମାସ୍କଟ କିଶୋର କିଶୋରୀ ମାନଙ୍କୁ ଶିକ୍ଷା, ଅଧିକାର ଓ ଅନ୍ୟାନ୍ୟ କ୍ଷେତ୍ରରେ ସଚେତନ କରିବା ପାଇଁ କାର୍ଯ୍ୟ କରିବ। ଏହାସହିତ ରାଜ୍ୟର ନୂଆ ଶିଶୁ ନୀତି ‘ପ୍ରାରମ୍ଭ’ ମଧ୍ୟ ଉନ୍ମୋଚିତ ହୋଇଥିଲା। ଏହାସହିତ ଆଶୀର୍ବାଦ ଯୋଜନାର ଏମ୍ ଆଇଏସ୍ ପୋର୍ଟାଲ୍ ଏବଂ ଓ୍ଵାନ୍ ଷ୍ଟପ୍ ସେଣ୍ଟର ଓ ମହିଳା ହେଲ୍‌ପ ଲାଇନରେ ସଫଳ ମହିଳାଙ୍କ କାହାଣୀ ଉପରେ ଏକ କେସ୍ ଷ୍ଟଡି ବୁକଲେଟ ମାନ୍ୟବର ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିଲେ।

କାର୍ଯ୍ୟକ୍ରମରେ ଭୁବନେଶ୍ବର ବିଜୟଲକ୍ଷ୍ମୀ ସ୍ବୟଂ ସହାୟକ ଗୋଷ୍ଠୀର ଜାନକୀ ବିଶ୍ବାଳ ଏବଂ ବି.ଏମ.ସି ଅଙ୍ଗନବାଡି କର୍ମୀ ଆରତୀ ସାହୁ ପ୍ରମୁଖ ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରି କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ଯୋଗୁ ଆଜି ନାରୀ ମାନେ ବିଭିନ୍ନ କ୍ଷେତ୍ରରେ ସକ୍ଷମ ହୋଇ ସ୍ବାଧୀନ ଭାବରେ କାମ କରିପାରୁଛନ୍ତି। କୋଭିଡ ସମୟରେ ମାସ୍କ ଓ ଜାତୀୟ ପତାକା ତିଆରି କରି ଆମେ ଦକ୍ଷତା ଦେଖାଇ ପାରିଥିଲୁ। ବର୍ତ୍ତମାନ ଆମର ଆଉ ପଛକୁ ଚାହିଁବାର ପ୍ରଶ୍ନ ନାହିଁ। ଆମେ ଏଥର ଆଗକୁ ବଢିବୁ।

ମହିଳା ଓ ଶିଶୁବିଭାଗର କମିଶନର-ତଥା-ଶାସନ ସଚିବ ଶୁଭା ଶର୍ମା ସ୍ବାଗତ ଭାଷଣ ଦେଇଥିଲେ ଏବଂ ନିର୍ଦେଶକ ଅରବିନ୍ଦ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା, ମହିଳା ଓ ଶିଶୁ ବିକାଶ ବିଭାଗର ଉପଦେଷ୍ଟା, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର-ତଥା- ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ରାଜ୍ୟସ୍ତରୀୟ ଅଧିକାରୀ, ସମାଜ ସଂଗଠନ ନାଗରିକ, କର୍ପୋରେଟ୍ ଅନୁଷ୍ଠାନର ପ୍ରତିନିଧି -ତଥା-ଜିଲ୍ଲାସ୍ତରୀୟ ଓ ତୃଣମୂଳ ସ୍ତରର ଜିଲ୍ଲାସ୍ତରୀୟ କର୍ମଚାରୀ ତଥା ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ(ଡିଏସ୍ଡବ୍ଲ୍ୟୁଓ), ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ),କିଶୋର ଓ କିଶୋରୀ ମାନେ ଯୋଗ ଦେଇଥିଲେ। ଏବଂ ଅନ୍ୟାନ୍ୟ ରାଜ୍ୟ ଓ ଜିଲ୍ଲାସ୍ତରୀୟ କର୍ମଚାରୀମାନେ ଉପସ୍ଥିତ ଥିଲେ।

ଏହି ଅବସରରେ ବିଷୟବସ୍ତୁ ଓ ରାଜ୍ୟସାରା ସପ୍ତାହବ୍ୟାପୀ ଉତ୍ସବ ପାଳନ କରାଯିବ। ଏବଂ ରାଜ୍ୟର ପ୍ରୟାସକୁ ଆହୁରି ସୁଦୃଢ଼ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ମହିଳା ଓ ଶିଶୁ ବିକାଶ ବିଭାଗର ପଦକ୍ଷେପ ଉପରେ ଏକ ଭିଡିଓ ପ୍ରଦର୍ଶିତ କରାଯାଇଥିଲା।

ଏହି ଅବସରରେ ୩ ଜଣ ଶ୍ରେଷ୍ଠ ଅଙ୍ଗନବାଡ଼ି କର୍ମୀ, ଶ୍ରେଷ୍ଠ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଏବଂ ଶ୍ରେଷ୍ଠ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଙ୍କୁ ପୁରସ୍କୃତ କରାଯାଇଥିଲା।

Categories
ବିଶେଷ ଖବର

ମିଶନ ଶକ୍ତି କମ୍ୟୁନିଟି ପାର୍ଟନରଙ୍କୁ ୮ ହଜାର ସାଇକେଲ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନସ୍ଥିତ କନଭେନସନ ହଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସହରାଞ୍ଚଳରେ କାମ କରୁଥିବା ୮ ହଜାର ମିଶନଶକ୍ତି ଗୋଷ୍ଠୀ ସହଭାଗୀ (Community Partners) ମାନଙ୍କୁ ସାଇକେଲ ବଣ୍ଟନ କରିଛନ୍ତି। ସ୍ୱଚ୍ଛ କର୍ମୀ, ସ୍ୱଚ୍ଛ ସାଥୀ, ଆହାର କର୍ମୀ, ଜଳ ସାଥୀ ଏବଂ ସୁପରଭାଇଜର ଆଦି ସାଇକେଲ ପାଇଛନ୍ତି । ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଓ ମିଶନ ଶକ୍ତି ବିଭାଗର ମିଳିତ ସମନ୍ୱୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆପଣମାନଙ୍କ ଭାଗିଦାରୀ ମିଶନ ଶକ୍ତିକୁ ଏକ ସଫଳ କାର୍ଯ୍ୟକ୍ରମ କରିଛି। ସେ କହିଥିଲେ ଯେ ସେ ଓଡିଶାର ବିଭିନ୍ନ ଅଞ୍ଚଳକୁ ଯାଉଛନ୍ତି ଏବଂ ମିଶନଶକ୍ତି ମା ମାନଙ୍କୁ ଭେଟୁଛନ୍ତି। ସେମାନେ ମଧ୍ୟ ନବୀନ ନିବାସ ଆସି ତାଙ୍କୁ ଭେଟୁଛନ୍ତି। ମା ମାନଙ୍କର ସଫଳତା ମୋତେ ବହୁତ ଖୁସି ଦେଉଛି ବୋଲି ସେ କହିଥିଲେ। ଆପଣମାନଙ୍କ ଆତ୍ମବିଶ୍ୱାସ, ଆପଣମାନଙ୍କ ଉତ୍ସାହ ମିଶନଶକ୍ତିକୁ ଏକ ନମ୍ବର ସଫଳ କାର୍ଯ୍ୟକ୍ରମ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ, ବିଭିନ୍ନ ସହରରେ ମିଶନ ଶକ୍ତିର ମା ମାନେ କମ୍ୟୁନିଟି ପାର୍ଟିସିପେସନ କାର୍ଯ୍ୟକ୍ରମରେ ଅନେକ ଦାୟିତ୍ବ ହାତକୁ ନେଇଛନ୍ତି। ଆହାର, କଠିନ ବର୍ଜ୍ୟବସ୍ତୁ ପରିଚାଳନା, ପରିମଳ, ଜଳସାଥି, ସ୍ବଚ୍ଛସାଥି ଆଦି ଅନେକ କାମ କରୁଛନ୍ତି। ଆପଣମାନଙ୍କ କାମରେ ସମସ୍ତେ ଖୁସି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆପଣମାନେ ଯେପରି ସୁବିଧାରେ ନିଜ ନିଜର ଦାୟିତ୍ବ ପାଳନ କରିପାରିବେ, ସେଥିପାଇଁ ରାଜ୍ୟ ସରକାର ଆପଣମାନଙ୍କୁ ସାଇକେଲ ଦେଉଛନ୍ତି।

ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ମିଶନ ଶକ୍ତି ମା ମାନଙ୍କୁ ୧୦୦ କୋଟି ଟଙ୍କାର ପ୍ରୋତ୍ସାହନ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରିଥିଲେ ଏବଂ କହିଥିଲେ ଯେ ଓଡିଶାର ମିଶନ ଶକ୍ତି କମ୍ୟୁନିଟି ପାର୍ଟିସିପେସନ କ୍ଷେତ୍ରରେ ସାରା ବିଶ୍ବରେ ସୁନାମ କରିଛି ଓ ନୂଆ ବେଞ୍ଚମାର୍କ ସୃଷ୍ଟି କରିଛି। ସମସ୍ତେ ମିଳିମିଶି ଭଲ କାମ କରି ଓଡିଶା ମା ର ସୁନାମ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ କହିଥିଲେ ଯେ ମିଶନ ଶକ୍ତି ମା ମାନେ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନର ଓଡିଶା ଗଠନକୁ ସାକାର କରିବା ପାଇଁ ବହୁତ ଭଲ କାମ କରୁଛନ୍ତି। ସାଇକେଲ ପାଇବା ଦ୍ବାରା କର୍ମ କ୍ଷେତ୍ରରେ ସେମାନଙ୍କୁ ବହୁ ସୁବିଧା ଓ ସ୍ବାଧୀନତା ମିଳିପାରିବ। ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ କହିଲେ ଯେ ଗୋଷ୍ଠୀଗତ ବିକାଶର ଏକ ଅନୁପମ ବାର୍ତ୍ତାବହ ହେଉଛି ମିଶନ ଶକ୍ତି। ମୁଖ୍ୟମନ୍ତ୍ରୀଙ୍କ ଦିଗ‌ଦର୍ଶନରେ ଏହା ଆଜି ନୂଆ ମାଇଲଷ୍ଟୋନ ସ୍ଥାପନ କରିପାରିଛି।

କାର୍ଯ୍ୟକ୍ରମରେ ଦୁଇ ଜଣ ମିଶନ ଶକ୍ତି ମା ପଦ୍ମାବତୀ ଦାସ (ଆହାର କର୍ମୀ) ଓ ସୀତା ମୁର୍ମୁ (ସ୍ବଚ୍ଛକର୍ମୀ) ନିଜ ନିଜର ଅଭିଜ୍ଞତା ବର୍ଣ୍ଣନା କରି କହିଥିଲେ ଯେ ମିଶନ ଶକ୍ତି କାର୍ଯ୍ୟକ୍ରମ ଯୋଗୁ ସେମାନେ ଆଜି ସ୍ବାବଲମ୍ବୀ ହେବା ସହିତ ନିଜ ନିଜ ପରିବାରର ଛୋଟ ଛୋଟ ଅସୁବିଧା ମଧ୍ୟ ଦୂର କରିପାରୁଛନ୍ତି। ସାଇକେଲ ଦ୍ବାରା ସେମାନଙ୍କ ସମୟ ବଞ୍ଚିବା ସହିତ କାର୍ଯ୍ୟଦକ୍ଷତା ବଢିବ ବୋଲି ସେମାନେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି. ମାଥିଭାତନନ ସ୍ବାଗତ ଭାଷଣ ଦେଇଥିଲେ ଏବଂ ବିଏମସି କମିଶନର ଶ୍ରୀ ବିଜୟ ଅମୃତ କୁଲାଙ୍ଗେ ଧନ୍ୟବାଦ ଅର୍ପଣ କରିଥିଲେ। ବିଏମସି ମେୟର ଶ୍ରୀମତୀ ସୁଲୋଚନା ଦାସ ଉପସ୍ଥିତ ଥିଲେ।

Categories
ବିଶେଷ ଖବର

୮୫ଟି ସହରରେ ଶତପ୍ରତିଶତ ପାଇପ ଜଳ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ଓଡିଶା ଦେଶର ଏକମାତ୍ର ରାଜ୍ୟ

ହୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନସ୍ଥିତ କନ୍‌ଭେନ ସେଣ୍ଟରରେ ଜଳସାଥୀ ମାନଙ୍କ ପାଇଁ ଆୟୋଜିତ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମରେ ଯୋଗଦେଇ ସେମାନଙ୍କ ଯାତାୟତର ସୁବିଧା ପାଇଁ ସାଇକେଲ ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି।

ଜଳସାଥୀ ମାନେ ସରକାରଙ୍କ ଜଳଯୋଗାଣ ବିଭାଗ ଓ ଉପଭୋକ୍ତାମାନଙ୍କ ମଧ୍ୟରେ ସେତୁ ସାଜି ଉଭୟଙ୍କ ମଧ୍ୟରେ ବିଶ୍ବାସ ସୃଷ୍ଟି କରିବାରେ ସହାୟକ ହୋଇଛନ୍ତି। ସେମାନଙ୍କ କାର୍ଯ୍ୟ ଦକ୍ଷତା ଦ୍ବାରା ଜଳଯୋଗାଣର ଗୁଣବତ୍ତା ଓ ନିର୍ଭରଶୀଳତା ପ୍ରତିପାଦିତ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ ଯେ ସହରାଞ୍ଚଳ ପାନୀୟ ଜଳ ଯୋଗାଣ ଓ Water Treatment Plant କାର୍ଯ୍ୟକ୍ରମରେ ମିଶନ ଶକ୍ତିର ମା ଏବଂ ତୃତୀୟ ଲିଙ୍ଗର ଭଉଣୀ ମାନଙ୍କୁ ଦାୟିତ୍ବ ଦିଆଯାଇଛି। ସେମାନେ ମିଟର ରିଡିଂ, ଜଳର ମାନ ପରୀକ୍ଷା, ନୂତନ ସଂଯୋଗ ଓ ବେନିୟମ ସଂଯୋଗ ଦୂର କରିବା କ୍ଷେତ୍ରରେ କାମ କରୁଛନ୍ତି। ଏଥିପାଇଁ ସେମାନଙ୍କୁ ତାଲିମ ଦିଆଯାଇଛି।

ବିକେନ୍ଦ୍ରୀକରଣ ଓ ଜନ ଭାଗିଦାରୀ (Community Partnership) ରାଜ୍ୟ ସରକାରଙ୍କ ସହରାଞ୍ଚଳ ପରିଚାଳନା ମଡେଲର ଦୁଇ ଆଖି ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜଳସାଥୀ ମାନେ ଏହି ଉଭୟ ଆଖିକୁ ପ୍ରତିନିଧିତ୍ବ କରୁଛନ୍ତି। ୩ ବର୍ଷ ତଳେ ୫-ଟି ଉପକ୍ରମରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଆଜି ସାରା ଓଡିଶାର ସହରାଞ୍ଚଳରେ ଜଳସାଥୀ ମାନେ ଜଳଯୋଗାଣ କାର୍ଯ୍ୟକ୍ରମକୁ ସଫଳତାର ପରିଚାଳନା କରୁଛନ୍ତି ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ ୧୧୪ଟି ସହରରୁ ୮୫ଟି ସହରରେ ଶତପ୍ରତିଶତ ପାଇପ ଜଳଯୋଗାଣର ବ୍ୟବସ୍ଥା କରାଯାଇପାରିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭୪୦ ଜଣ ଜଳସାଥୀ ୮.୪୦ ଲକ୍ଷ ଉପଭୋକ୍ତାଙ୍କ ଜଳଯୋଗାଣ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି ଏବଂ ଏ ବାବଦରେ ୬୭ କୋଟି ଟଙ୍କା ଜଳକର ଆଦାୟ କରିପାରିଛନ୍ତି । ସେମାନଙ୍କ ଦ୍ବାରା ମିଟର ରିଡିଂ, ଜଳକର ଆଦାୟ ଓ ବେନିୟମ ପାଇପ ସଂଯୋଗ ଦୂର କରିବା କାର୍ଯ୍ୟରେ ବହୁତ ଉନ୍ନତି ଆସିଛି ବୋଲି ସେ କହିଥିଲେ।

ଜଳସାଥୀ କାର୍ଯ୍ୟକ୍ରମ ସଫଳତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମିଶନ ଶକ୍ତି ଗୋଷ୍ଠୀଙ୍କୁ ସମ୍ପତ୍ତି କର ଆଦାୟ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାଦ୍ବାରା ସହରାଞ୍ଚଳରେ ରାଜସ୍ବ ବୃଦ୍ଧି ହେବା ସହିତ ମିଶନ ଶକ୍ତି ମା ମାନଙ୍କର ଆର୍ଥିକ ଅଭିବୃଦ୍ଧି ସହିତ ସଶକ୍ତିକରଣ ହୋଇପାରିବ ବୋଲି ସେ କହିଛନ୍ତି।

ରାଜ୍ୟ ସରକାରଙ୍କ ଡ୍ରିଙ୍କ ଫ୍ରମ ଟ୍ୟାପ୍‌ କାର୍ଯ୍ୟକ୍ରମରେ ଆନ୍ତର୍ଜାତିକ ମାନର ପାନୀୟ ଜଳ ଦିନରାତି ୨୪ ଘଣ୍ଟା ଯୋଗାଇ ଦିଆଯାଉଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହି କାର୍ଯ୍ୟକ୍ରମ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ଓ ଅନୁକରଣୀୟ ହୋଇପାରିଛି। ଡ୍ରିଙ୍କ ଫ୍ରମ ଟ୍ୟାପ୍‌ ଓ ଜଳସାଥୀ କାର୍ଯ୍ୟକ୍ରମକୁ ଜାତୀୟ ସ୍ତରରେ ପ୍ରାଥମିକତା ଦିଆଯାଇ ଅମୃତ ୨.୦ କାର୍ଯ୍ୟକ୍ରମରେ ସବୁ ରାଜ୍ୟରେ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଜାଗା ମିଶନ ଓ ଡ୍ରିଙ୍କ ଫ୍ରମ ଟ୍ୟାପ୍‌ ପରି କାର୍ଯ୍ୟକ୍ରମ ଓଡିଶାର ସହରାଞ୍ଚଳ ପାଇଁ ଏକ ସଫଳତାର କାହାଣୀ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜଳସାଥୀ ପରି ଜନଭାଗିଦାରୀ କାର୍ଯ୍ୟକ୍ରମ ବିନା ଏହା ସଫଳ ହୋଇପାରି ନଥାନ୍ତା।

ମିଶନ ଶକ୍ତିର ବିଭିନ୍ନ ଗୋଷ୍ଠୀ ଓ ଜଳସାଥୀ ମାନଙ୍କ ସହିତ ଭାଗିଦାରୀ ପାଇଁ ରାଜ୍ୟ ସରକାର ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଜନଭାଗିଦାରୀ କାର୍ଯ୍ୟକ୍ରମ ଦ୍ବାରା ପ୍ରଶାସନିକ ବ୍ୟବସ୍ଥାରେ ନାଗରିକ ମାନେ ଉତ୍କୃଷ୍ଟ ସେବା ପାଇପାରିଥାନ୍ତି ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହା ଏକ ସଶକ୍ତ ଓଡିଶା ଗଠନ ଦିଗରେ ଆମକୁ ଆଗେଇ ନେବ।

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ଉଷା ଦେବୀ କହିଲେ ଯେ ମା ମାନଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଆଜି ସଫଳତାର ସହ କାର୍ଯ୍ୟକାରୀ ହୋଇଛି। ମହିଳା ସଶକ୍ତିକରଣ ଦିଗରେ ଏହା ଏକ ଅନନ୍ୟ ଉଦାହରଣ ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି. ମାଥିଭାତନନ ସ୍ବାଗତ ଭାଷଣ ଦେଇ କହିଲେ ଯେ ରାଜ୍ୟର ସହରାଞ୍ଚଳର ୯୭ ଭାଗ ଲୋକ ଏବେ ପାଇପ ଜଳ ପାଇପାରୁଛନ୍ତି। ରାଜ୍ୟର ୮୫ଟି ସହରରେ ଶତପ୍ରତିଶତ ପାଇପ ଜଳଯୋଗାଣ ହୋଇଥିବା ବେଳେ, ବାକି ୨୦ଟି ସହରରେ ଡିସେମ୍ବର ୨୦୨୩ ସୁଦ୍ଧା ପାଇପ ଜଳର ବ୍ୟବସ୍ଥା ସଂପୂର୍ଣ୍ଣ ହେବ ବୋଲି ସେ କହିଥିଲେ। ବିଭାଗୀୟ ସ୍ବତନ୍ତ୍ର ସଚିବ ସାଗରିକା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପୁନରୁଦ୍ଧାର ହେବ ଶୁକ-ପାଇକା ନଦୀ: ପ୍ରାୟ ୪୯.୬୭ କୋଟି ଟଙ୍କାର ବ୍ୟୟ ଅଟକଳ ଅନୁମୋଦିତ

ଭୁବନେଶ୍ୱର: ଜଳସେଚନ ଏବଂ ପ୍ରାକୃତିକ ଜୈବ-ପରିବେଶ ବିକାଶ କ୍ଷେତ୍ରରେ ଅନ୍ୟ ଏକ ପଦକ୍ଷେପଭାବେ କଟକ ଜିଲ୍ଲା ଅନ୍ତର୍ଗତ ମହାନଦୀ ତେଲ୍ଟାର ଶୁକ-ପାଇକା ନଦୀର ପୁନରୁଦ୍ଧାର ହେବ। ସ୍ଥାନୀୟ ଭାବେ ମୃତ-ନଦୀ ବୋଲି ଜଣାଶୁଣା ଏହି ନଦୀ ଖୁବ୍ ଶିଘ୍ର ପୁଣି ଜୀବନ୍ତ ଓ ଚଳଚଞ୍ଚଳ ହେବ।

ଇତି ମଧ୍ୟରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏ ସମ୍ବନ୍ଧିତ ଏକ ପ୍ରକଳ୍ପ ଅନୁମୋଦିତ ହୋଇଛି। ଲୋକସେବା ଭବନ ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏହି ପ୍ରକଳ୍ପର ବୈଷୟିକ, ଆର୍ଥିକ ଏବଂ ପ୍ରଶାସନିକ ଦିଗ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ।

ପ୍ରକଳ୍ପର ବିଭିନ୍ନ ଦିଗ ବିଚାର କରି ଏହି ପ୍ରାକୃତିକ ନାଳର ପୁନରୁଦ୍ଧାର ନିମନ୍ତେ ଖୁବ୍ ଶିଘ୍ର ଟେଣ୍ଡର ଆହ୍ୱାନ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ।

ପୁର୍ନବିନ୍ୟାସ ପରେ ବର୍ଷ ତମାମ ଯେପରି ନଦୀରେ ଯଥେଷ୍ଟ ପାଣି ରହିବ ସେଥିପ୍ରତି ଦୃଷ୍ଟି ଦେବାକୁ ଜଳ ସଂପଦ ବିଭାଗ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନାଳରେ ଭରା-ଜଳ ରହିଲେ ତାହା ପାର୍ଶ୍ୱବର୍ତ୍ତୀ ସ୍ଥାନର ମୁର୍ତ୍ତିକା ଆର୍ଦ୍ରତା ବଜାୟ ରଖିବାରେ ସହାୟକ ହେବା ସହ ଉଭୟ ପାର୍ଶ୍ୱର କୃଷି ଜମିକୁ ବର୍ଷ ତମାମ ଉତ୍ପାଦନକ୍ଷମ କରିବ ବୋଲି ଶ୍ରୀ ମହାପାତ୍ର କହିଥିଲେ। ବର୍ଷା ଓ ବନ୍ୟାଋତୁକୁ ଆଖିରେ ରଖି ପ୍ରକଳ୍ପ କାର୍ଯ୍ୟାୟନ ସମୟ-ନିର୍ଘଣ୍ଟ ନିର୍ଦ୍ଧାରଣ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ବହୁମାତ୍ରାରେ ବନ୍ୟାପାଣି ନାଳରେ ଆସି ଯେପରି ପ୍ରଭୁତ କ୍ଷତି ନଘଟାଇବ ସେହିପରି ପ୍ରକଳ୍ପ ଡ଼ିଜାଇନ୍ ବୈଷୟିକ କୌଶଳ ଏବଂ କାର୍ଯ୍ୟାୟନ ସମୟ ନିର୍ଘଣ୍ଟ ନିର୍ଦ୍ଧାରଣ କରିବାକୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ।

ପ୍ରକଳ୍ପ ପାଇଁ ପ୍ରାୟ ୪୯.୬୭ କୋଟି ଟଙ୍କାର ଖର୍ଚ୍ଚ ଅଟକଳକୁ ବୈଠକରେ ଅନୁମୋଦନ କରାଯାଇଥିଲା। ନଦୀର ଉଭୟ ପାର୍ଶ୍ୱରେ ଥିବା ଗ୍ରାମୀଣ ରାସ୍ତାଗୁଡିକୁ ସଂଯୋଗ କରିବା ନିମନ୍ତେ ନଦୀ ଉପରେ ୪ ଟି ପୋଲ ନିର୍ମାଣ ହେବ। ସମୁଦାୟ ପ୍ରକଳ୍ପକୁ ୧୮ ମାସ ମଧ୍ୟରେ ପୂର୍ଣ୍ଣାଙ୍ଗ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଜଣାଇଥିଲେ ଯେ ଏହି ପ୍ରାକୃତିକ ନାଳଟି ମହାନଦୀର ଦକ୍ଷିଣ ପାର୍ଶ୍ୱସ୍ଥିତ ଆୟତପୁର ଗ୍ରାମ ପାଖରୁ ବାହାରିଛି । କଟକ ସଦର, ନିଶ୍ଚିନ୍ତକୋଇଲି ଏବଂ ରଘୁନାଥପୁର ବ୍ଲକ୍ର ପ୍ରାୟ ୨୧ ଟି ପଞ୍ଚାୟତ ଦେଇ ପ୍ରାୟ ୩୦.୪୫ କି.ମି. ଅତିକ୍ରମ କଲାପରେ ଏହା ପୁନଶ୍ଚ ତାରପୁର ନିକଟସ୍ଥ ବଙ୍କାଳଠାରେ ମହାନଦୀରେ ମିଶିଛି। ୧୯୫୦ ମସିହାରେ ତତ୍କାଳୀନ ପ୍ରଳୟଙ୍କରୀ ବନ୍ୟା ନିୟନ୍ତ୍ରଣ ଉପାୟଭାବେ ଏହାର ଜଳ ପ୍ରବେଶ ପାର୍ଶ୍ୱ ବନ୍ଦ କରାଯାଇଥିଲା। ଏହି ପ୍ରାକୃତିକ ନାଳଟି ପୁନରୁଦ୍ଧାର ହେଲେ ଅଧିକ ଜଳସେଚନ ସୁବିଧା ସୃଷ୍ଟି ସହ, ମତ୍ସ୍ୟ ଚାଷ ଓ ଉଭୟ ପାର୍ଶ୍ୱ ଜମିରେ ଅର୍ଥକାରୀ ଫସଲ ଆଦି ଉତ୍ପାଦନ ହୋଇପାରିବ । ପ୍ରାକୃତିକ ଜୈବ-ପରିବେଶ ମଧ୍ୟ ପୁର୍ନଜୀବିତ ହେବ।

ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀ, ଜଳ ସଂପଦ ବିଭାଗ ପ୍ରଧାନ ମୁଖ୍ୟ ଯନ୍ତ୍ରୀ ଭକ୍ତ ରଂଜନ ମହାନ୍ତିଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ପୁଣି ବସୁଛି କ୍ୟାବିନେଟ ବୈଠକ, ନିଆଯିବ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତି

ଭୁବନେଶ୍ବର: ସପ୍ତାହ ବ୍ୟବଧାନରେ ପୁଣି ଆଜି ବସୁଛି ରାଜ୍ୟ କ୍ୟାବିନେଟ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅପରାହ୍ନ ପାଞ୍ଚଟାରେ ବସିବ। ଏଥିରେ ଲୋକସେବା ଭବନରୁ ମନ୍ତ୍ରୀ ଓ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ସହିତ ଭିଡିଓ କନଫ୍ରେନସିଂ ମାଧ୍ୟମରେ ରହିବେ।

ଏହି ବୈଠକରେ ଦଶଟି ଭିନ୍ନ ଭିନ୍ନ ପ୍ରସ୍ତାବ ପାରିତ ହେବାର ସମ୍ଭାବନା ରହିଛି। ସେଗୁଡିକ ମଧ୍ୟରେ ରାଜସ୍ବ,ପାନୀୟ ଜଳ ଯୋଗାଣ, କୃଷି, ସାଧାରଣ ପ୍ରଶାସନ, ପରିବହନ, ପୂର୍ତ୍ତ ଓ କ୍ରୀଡ଼ା ବିଭାଗର ବିଭିନ୍ନ ପ୍ରସ୍ତାବ ରହିଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର ରାଜ୍ୟ ଖବର

BREAKING: ଥୋମାସ କପ ବିଜୟୀ ଭାରତୀୟ ଦଳକୁ ସମ୍ବର୍ଦ୍ଧିତ କରିବ ଓଡ଼ିଶା

ଭୁବନେଶ୍ୱର: 14 ଥର ଥୋମାସ କପ ବିଜେତା ଇଣ୍ଡୋନେସିଆକୁ ପରାସ୍ତ କରି ଟାଇଟଲ ହାସଲ କରିଥିବା ଭାରତୀୟ ପୁରୁଷ ବ୍ୟାଡମିନଟନ ଦଳକୁ ଓଡ଼ିଶା ସମ୍ବର୍ଦ୍ଧିତ କରିବ। ଏଥିଲାଗି କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଲୋକସେବା ଭବନ ଠାରେ ଏକ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହେଉଛି।

ଆସନ୍ତା କାଲି ଅର୍ଥାତ ଜୁନ 8 ତାରିଖରେ ମୁଖମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ନିଜେ ଉପସ୍ଥିତ ରହି ପ୍ରତ୍ୟେକ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିବେ। ଏହି ଉତ୍ସବରେ ପୂର୍ବତନ ବ୍ୟାଡମିଟନ ଖେଳାଳି ତଥା ପୁଲେଲା ଗୋପିଚାନ୍ଦଙ୍କ ସମେତ ଭାରତୀୟ ବ୍ୟାଡ଼ମିଣ୍ଟନ ଦଳକୁ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି I