ପୁରୀ: ଖୁବ ଶିଘ୍ର ବଳିପଡିବେ ବଡ ଅଫିସର। ପୁରୀରେ ହୋଇଥିବା ଦଳଚକଟା ଘଟଣାରେ ପ୍ରଶାସନର ଅବହେଳା ନେଇ ସରକାର ଏହି ପଦକ୍ଷେପ ଗ୍ରହଣ କରୁଛନ୍ତି। ଖୁବ ଶିଘ୍ର ମୁଖ୍ୟମନ୍ତ୍ରୀ ଘୋଷଣା କରିବେ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ଆଜି ପୁରୀ ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି ମନ୍ତ୍ରୀ। ସେ କହିଛନ୍ତି ଯାହା ବି ଘଟଣା ଘଟିଛି ତାହା ପ୍ରଶାସନର ଅବହେଳା। ଏ ନେଇ ମୁଖ୍ୟମନ୍ତ୍ରୀ ତଦନ୍ତ ଘୋଷଣା ମଧ୍ୟ କରିଛନ୍ତି।
ତେବେ ସେ ବାରମ୍ବାର ଗୋଟିଏ କଥା କହିଥିଲେ ଯେ, ଏହି ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀ ନିଷ୍ପତି କରିସାରିଛନ୍ତି। ଖୁବ ଶିଘ୍ର ଘୋଷଣା କରିବେ। ଫଳରେ ଏହା ନିଶ୍ଚିତ ଯେ, କେହି ଜଣେ ବଳି ପଡିବେ।
ତେବେ ଆଇନ ମନ୍ତ୍ରୀଙ୍କ କହିବା କଥା ଯେ, ଗତକାଲି ରାତିରୁ ଭକ୍ତମାନେ ଶରଧାବାଲିରେ ଶୋଇଥିଲେ। ତେବେ ପହଡ ଖୋଲିବା ପରେ ପଛରେ ଥିବା ଭକ୍ତମାନେ ମାଡି ଆସିବାରୁ ଯେଉଁମାନେ ଶୋଇଥିଲେ ସେମାନେ ଉଠିପାରି ନ ଥିଲେ। ଫଳରେ ଏପରି ଦୁର୍ଘଟଣା ଘଟି ତିନି ଜଣଙ୍କର ମୃତ୍ୟୁ ହୋଇଥିବାର ସେ ସ୍ବୀକାର କରିଥିଲେ। ତେବେ ଯେଉଁମାନେ ଆହତ ହୋଇଛନ୍ତି ସେମାନେ ବିପଦ ମୁକ୍ତ ହୋଇଛନ୍ତି ବୋଲି ସେ କହିଛନ୍ତି।