ପୁରୀରେ ଆୟୋଜିତ ହେବ ବିଂଶତମ ଲୋକ ମେଳା ୨୦୨୨

Published: Jun 18, 2022, 1:42 pm IST

ପୁରୀ: ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ପୁରୀରେ ଆୟୋଜିତ ହେବ ବିଂଶତମ ଲୋକମେଳା ୨୦୨୨। ଚଳିତ ମାସ ୨୦ରୁ ୨୪ ତାରିଖ ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ରର ଶରଧାବାଲି ସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟବର୍ତ୍ତୀ ମୁକ୍ତାକାଶ ରଙ୍ଗମଞ୍ଚରେ ଆୟୋଜିତ ହେବ ଏହି ଲୋକ ସାଂସ୍କୃତିକ ମହୋତ୍ସବ। ଅଣଲାଭକାରୀ ସ୍ବେଚ୍ଛାସେବୀ ସଂଗଠନ ଶ୍ରୀ ଶ୍ରୀକ୍ଷେତ୍ର ସୂଚନା (ଏସଏସଏସ) ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏସଏସଏସ ସଂଗଠନ ଲୋକ କଳା ଏବଂ ଅଭିବ୍ୟକ୍ତିକୁ ପ୍ରୋତ୍ସାହନ ପ୍ରଦାନ କରିବା ସହିତ ସାଂସ୍କୃତିକ ସୁରକ୍ଷା ଏବଂ ପ୍ରୋତ୍ସାହନ ଦିଗରେ କାର୍ଯ୍ୟ କରିଥାଏ।

ଓଡ଼ିଶା ଏକ ଜନଜାତି ବହୁଳ ରାଜ୍ୟ। ଏଠାରେ ୬୨ଟି ଜନଜାତି ସମ୍ପ୍ରଦାୟ ଓ ଦେଶର ୨୨%ରୁ ଅଧିକ ଜନଜାତି ବର୍ଗର ଲୋକ ରହିଥାନ୍ତି। ରାଜ୍ୟରେ ଜନଜାତି ସଂସ୍କୃତିର ଅଭିନବ ସମାହାର ଦେଖିବାକୁ ମିଳିଥାଏ। ଏପରିକି ପୁରାଣରେ ମଧ୍ୟ ବର୍ଣ୍ଣିତ ଅଛି ଯେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମୂଳ ସ୍ବରୂପ ନୀଳମାଧବଙ୍କୁ ଆଦିବାସୀ ରାଜା ବିଶ୍ବାବସୁ ପୂଜା କରୁଥିଲେ।

ରାଜ୍ୟର ସାମାଜିକ, ଆର୍ଥିକ ଏବଂ ସାଂସ୍କୃତିକ ଜୀବନ ଉପରେ ଜନଜାତି ସମୁଦାୟର ବ୍ୟାପକ ପ୍ରଭାବ ଦେଖିବାକୁ ମିଳିଥାଏ। ଦ୍ରୁତ ଆଧୁନିକୀକରଣ କାରଣରୁ ପାରମ୍ପରିକ ଲୋକ ଏବଂ ଜନଜାତି ସଂସ୍କୃତି ଉପରେ ବିପଦ ମାଡ଼ି ଆସଛି ଫଳରେ ଏହା ଧୀରେ ଧୀରେ ବିଲୁପ୍ତ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ଲୋକ ମେଳା ଆଦିବାସୀ କଳା ସଂସ୍କୃତିର ପ୍ରୋତ୍ସାହନ ଦିଗରେ ବିଶେଷ ସହାୟକ ହୋଇ ପାରିବ ବୋଲି ଆଶା କରାଯାଉଛି।

Related posts