Categories
ଆଜିର ଖବର ରାଜ୍ୟ ଖବର

ବିଭିନ୍ନ ସମସ୍ୟା ନେଇ ମିଳିତ ସମନ୍ୱୟ ସମିତି ତରଫରୁ ଗଣଶିକ୍ଷାମନ୍ତ୍ରୀଙ୍କ ସହିତ ଆଲୋଚନା

ଭୁବନେଶ୍ୱର: ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତିର ଶୀର୍ଷ ନେତୃତ୍ୱ ମାନଙ୍କ ସହିତ ଗଣଶିକ୍ଷା ମନ୍ତ୍ରୀଙ୍କର ଏକ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନା ସକରାତ୍ମକ ଥିଲା ବୋଲି ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶ ଏକ ପ୍ରେସ୍ ଇସ୍ତାହାରରେ କହିଛନ୍ତି।

ପ୍ରକାଶଥାଉକି, ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ସଭାପତି ସୁକାନ୍ତ କୁମାର ବେହେରା ଏବଂ ଆବାହକ ରଞ୍ଜନ କୁମାର ଦାଶଙ୍କ ନେତୃତ୍ୱରେ ସାତୋଟି ସଂଗଠନର କର୍ମକର୍ତ୍ତାଙ୍କୁ ନେଇ ଏକ ନଅ ଜଣିଆ ପ୍ରତିନିଧି ଦଳ ମାନ୍ୟବର ଏକାମ୍ର ବିଧାୟକ ବାବୁ ସିଂଙ୍କ ମଧ୍ୟସ୍ଥତାରେ ଏବଂ ଭଟ୍‌ଲି ବିଧାୟକ ଇରାଶିଷ ଆଚାର୍ଯ୍ୟଙ୍କ ଉପସ୍ଥିତିରେ ମାନ୍ୟବର ବିଦ୍ୟାଳୟ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସହ ଏକ ସାକ୍ଷାତ ଆଲୋଚନା ବିଧାନସଭାସ୍ଥିତ ମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଥିଲା। ସମନ୍ୱୟ ସମିତିର ନେତୃତ୍ୱମାନେ ଶିକ୍ଷକ ଓ ଶିକ୍ଷାକର୍ମଚାରୀ ମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ସମ୍ପର୍କରେ ମାନ୍ୟବର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଏବଂ ଗଣଶିକ୍ଷା ବିଭାଗର ବ୍ୟକ୍ତିଗତ ସଚିବ ଉକ୍ତ ବୈଠକରେ ଉପସ୍ଥିତ ଥିଲେ। ୨୦୧୩ ଅନୁଦାନ ଆଇନ୍‌ରୁ ବଞ୍ଚିତ ହୋଇଥିବା ୧୬୭ଟି ବିଦ୍ୟାଳୟ ଯାହା ପରବର୍ତ୍ତି ପର୍ଯ୍ୟାୟରେ ୧୯୪ରେ ପରିଣତ ହୋଇଛି, ସେହି ବିଦ୍ୟାଳୟ ଗୁଡ଼ିକୁ ଅନୁଦାନ ପ୍ରଦାନ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରୁ ଅବସର ନେଇଥିବା ଏବଂ ଆଗାମୀ ଦିନରେ ଅବସର ନେବାକୁ ଥିବା ଶିକ୍ଷକ ଓ ଶିକ୍ଷା କର୍ମଚାରୀମାନଙ୍କ ପାଇଁ ୧୯୮୧ ପେନସନ୍ ରୁଲ୍ ଆଧାରରେ, ୧୨.୦୧.୨୦୨୪ରେ ପ୍ରକାଶ ପାଇଥିବା ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶାନୁସାରେ ଅବସରକାଳୀନ ସୁବିଧା ଏବଂ ଚାକିରି ସର୍ତ୍ତାବଳୀ ପ୍ରଦାନ କରିବା, ଦୁଇଟି ପିଅନ ଏବଂ ବାଦ୍ ପଡ଼ିଥିବା ବିଦ୍ୟାଳୟଗୁଡ଼ିକର ଆଣ୍ଟିଡେସନ ୦୧.୦୪.୨୦୦୮ ପରିବର୍ତ୍ତେ ୦୧.୦୧.୨୦୦୪ ଲାଗୁ କରିବା, ସପ୍ତମ ବେତନରୁ ବଞ୍ଚିତ ଶିକ୍ଷକ ମାନଙ୍କୁ ସପ୍ତମ ବେତନ ପ୍ରଦାନ, ୪୮ ବର୍ଷରେ ପଦାର୍ପଣ କରିଥିବା ହିନ୍ଦୀ, ସଂସ୍କୃତ ଶିକ୍ଷକମାନଙ୍କୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶାନୁସାରେ ଟିଜି ମାନ୍ୟତା ପ୍ରଦାନ, ବିଭିନ୍ନ ଗ୍ରେଡ଼ ପେ ରେ ଥିବା ଅସଙ୍ଗତି ଦୂରିକରଣ, ୨୦୦୪ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କୁ ଛଅଟି ନୋସନାଲ୍ ଇନ୍‌କ୍ରିମେଣ୍ଟ ସହିତ ବରିଷ୍ଠତା ପ୍ରଦାନ କରିବା ଆଦି ସମସ୍ୟାଗୁଡ଼ିକୁ ଖୁବ୍ ଶିଘ୍ର ସମାଧାନ କରାଯିବା ନିମନ୍ତେ ଏକ କମିଟି ଗଠନ କରାଯାଇଛି। ତାହା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ କମିଟି ବସି ଶିକ୍ଷକ ଓ ଶିକ୍ଷାକର୍ମଚାରୀ ମାନଙ୍କର ଥିବା ସମସ୍ୟାଗୁଡ଼ିକର ସ୍ଥାୟୀ ସମାଧାନ କରାଯିବ ବୋଲି ମାନ୍ୟବର ମନ୍ତ୍ରୀ କହିଥିଲେ।

ଆଲୋଚନାରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ସଭାପତି ସୁକାନ୍ତ କୁମାର ବେହେରା, ଆବାହକ ରଞ୍ଜନ କୁମାର ଦାଶଙ୍କ ସମେତ, ବ୍ରଜକିଶୋର ବିଶ୍ୱାଳ, ରଞ୍ଜନ କୁମାର ପଣ୍ଡା, ଅଜୟ କୁମାର ପତି, ପ୍ରଦୀପ ମଙ୍ଗରାଜ, ରମାକାନ୍ତ ମହାପାତ୍ର, ସୁରେଶ ଦାଶ, ଓ ପ୍ରଶାନ୍ତ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଅନୁଦାନ ଯୋଗ୍ୟ ସ୍କୁଲ କଲେଜର ଶିକ୍ଷକ ଓ ଶିକ୍ଷାକର୍ମଚାରୀଙ୍କୁ ତୁରନ୍ତ ଅନୁଦାନ ପ୍ରଦାନ ଦାବୀ

ଭୁବନେଶ୍ୱର: ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନେ ଦୀର୍ଘ ୨୪ ବର୍ଷ ଧରି ବିଗତ ସରକାରଙ୍କ ନିକଟରେ ତାଙ୍କର ଯୁକ୍ତିଯୁକ୍ତ ଦାବୀକୁ ବାରମ୍ବାର ଉପସ୍ଥାପନ କରିଆସୁଥିଲେ ସୁଦ୍ଧା ତାର ସୁଫଳ ମିଳି ନ ଥିଲା। ଦୀର୍ଘ ବର୍ଷର ଅବଧି ପରେ ନୂତନ ସରକାରଙ୍କ ଉପରେ ଶିକ୍ଷକ ଓ ର୍କମାଚରୀମାନେ ସେମାନଙ୍କର ସମସ୍ୟା ସମାଧାନ ପାଇଁ ବିଶ୍ୱାସ ଓ ଭରାସା ପ୍ରକଟ କରିଛନ୍ତି ବୋଲି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶ ଏକ ପ୍ରେସ୍ ବିବୃତି ମାଧ୍ୟମରେ ଜଣାଇଛନ୍ତି।

ପ୍ରକାଶଥାଉକି, ସମନ୍ୱୟ ସମିତିର କର୍ମକର୍ତ୍ତାମାନେ ମାନ୍ୟବର କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ଆଇନ୍ ମନ୍ତ୍ରୀ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ, ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସମେତ ସମସ୍ତ ବିଧାୟକମାନଙ୍କ ନିକଟରେ ଗତ ଅଗଷ୍ଟ ୧୬ତାରିଖ ଶିକ୍ଷକ ଦାବିଦିବସରେ ସମବେତ ହୋଇ ତାଙ୍କର ନ୍ୟାଯ୍ୟ ଦାବି ଉପସ୍ଥାପନ କରିଥିଲେ। ଶିକ୍ଷକମାନଙ୍କର ସମସ୍ୟା ପ୍ରତି ସରକାର ସଚେତନ ଅଛନ୍ତି ବୋଲି ସରକାରଙ୍କ ତରଫରୁ ଜଣା ଯାଇଥିଲା। ଶିକ୍ଷକ ନେତୃତ୍ୱମାନେ ବାରମ୍ବାର ସରକାରଙ୍କ ସହିତ ଆଲୋଚନା କରିଛନ୍ତି ଓ ପ୍ରତିଶ୍ରୁତି ପାଇଛନ୍ତି, କିନ୍ତୁ ସମସ୍ୟା ସମାଧାନର ସୂତ୍ର ଅଦ୍ୟାବଧି ବାହାରି ପାରି ନାହିଁ କିମ୍ବା ଅନୁଦାନ ଓ ପେନ୍‌ସନ ସମ୍ପର୍କରେ ସରକାରଙ୍କ ତରଫରୁ କୌଣସି ନିଷ୍ପତ୍ତି ବିଧିବଦ୍ଧ ଭାବରେ ନିଆଯାଇ ନାହିଁ।

ଦୀର୍ଘ ୨୫ରୁ ୩୦ ବର୍ଷ ବିନା ପାରିଶ୍ରମିକରେ କାର୍ଯ୍ୟରତ ଅନୁଦାନ ଯୋଗ୍ୟ ସ୍କୁଲ କଲେଜର ଶିକ୍ଷକ କର୍ମଚାରୀମାନେ ଶୂନ୍ୟ ହସ୍ତରେ ଅବସର ନେବା ଓ ମୃତ୍ୟୁବରଣ କରିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ। ୫୦୦୦ ରୁ ଊର୍ଦ୍ଧ୍ୱ ଶିକ୍ଷକ କର୍ମଚାରୀ ଇତିମଧ୍ୟରେ ଅବସର ନେଇଗଲେଣି। ଅବସର ନେବା ପରେ ସେମାନଙ୍କ ମଧ୍ୟରୁ ଅନେକ ମୂଲଲାଗି ଜୀବିକା ନିର୍ବାହ କରୁଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଥିଲେ ମଧ୍ୟ ପେନସନ୍ ଓ ସମାନ କାମକୁ ସମାନ ଦରମା ମିଳୁ ନାହିଁ। ତେଣୁ ଶିକ୍ଷକ କର୍ମଚାରୀମାନଙ୍କର ପ୍ରମୁଖ ଦାବୀଗୁଡ଼ିକ ମଧ୍ୟରେ ଅନୁଦାନ ଯୋଗ୍ୟ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ କରିବା, ରାଜ୍ୟର ସମସ୍ତ ନୂତନ ଅନୁଦାନ ପ୍ରାପ୍ତ ସ୍କୁଲ କଲେଜକୁ ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶାନୁସାରେ ଚାକିରି ସର୍ତ୍ତାବଳୀ ସହିତ ପେନ୍‌ସନ୍ ପ୍ରଦାନ କରିବା, ସମସ୍ତ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ଓ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟଗୁଡ଼ିକୁ ସରକାରୀକରଣ ଏବଂ ଅବସର ବୟସସୀମା ୬୦ ରୁ ୬୨ ବର୍ଷକୁ ବୃଦ୍ଧି କରିବା, ନୂତନ ପେନ୍‌ସନ୍ ବ୍ୟବସ୍ଥାକୁ ବାତିଲ କରି ପୂର୍ବ ପ୍ରଚଳିତ ପୁରୁଣା ପେନ୍‌ସନ୍ ବ୍ୟବସ୍ଥା ଲାଗୁ କରିବା ସହ ଗ୍ରେଡ଼ ପେରେ ଥିବା ଅସଙ୍ଗତି ଦୂର କରିବା, ୨୦୦୪ ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ୬ଟି ନୋସ୍‌ନାଲ ଇନ୍‌କ୍ରିମେଣ୍ଟ ଦେବା ସହିତ ବରିଷ୍ଠତା ପ୍ରଦାନ କରିବା, ପୂର୍ଣ୍ଣ ଅନୁଦାନରୁ ବଞ୍ଚିତ ହୋଇଥିବା ବିଦ୍ୟାଳୟକୁ ପୂର୍ଣ୍ଣ ଅନୁଦାନ ପ୍ରଦାନ କରିବା, ୨୦୦୪ ମସିହାଠାରୁ ଅଦ୍ୟାବଧି ଅବସର ନେଇଥିବା ଏବଂ ଆଗାମୀ ଦିନରେ ଅବସର ନେବାକୁ ଥିବା ଶିକ୍ଷକ କର୍ମଚାରୀ ମାନଙ୍କୁ ପେନ୍‌ସନ୍ ଓ ଅବସରକାଳୀନ ସୁବିଧା ପ୍ରଦାନ କରିବା ଏବଂ ରାଜ୍ୟର ସମସ୍ତ ବେସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ସମାନ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବା ଇତ୍ୟାଦି।

ରାଜ୍ୟରେ ନୂତନ ଭାବରେ ଦାୟିତ୍ୱ ନେଇଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ବିଭିନ୍ନ ବର୍ଗର ଲୋକମାନଙ୍କ ସହିତ ସାକ୍ଷାତ ଆଲୋଚନା କରି ସେମାନଙ୍କର ସମସ୍ୟାକୁ ସମାଧାନ କରିବା ପାଇଁ ପ୍ରଚେଷ୍ଟା ଜାରି ରଖିଥିବା ବେଳେ; ମାନବସମ୍ବଳ ଗଢ଼ୁଥିବା ତଥା ରାଜ୍ୟ ଶିକ୍ଷାର ଅର୍ଦ୍ଧାଧିକ ଶିକ୍ଷାଦାନ ଭାର ବହନ କରୁଥିବା ଶିକ୍ଷକ ଓ କର୍ମଚାରୀମାନଙ୍କ ପାଇଁ ଅନୁଦାନରୁ ବଞ୍ଚିତ ଶିକ୍ଷାନୁଷ୍ଠାନମାନଙ୍କୁ ଅନୁଦାନ ପ୍ରଦାନ ଓ ଶୂନ୍ୟ ହସ୍ତରେ ଅବସର ନେଉଥିବା ବା ନେବାକୁ ଥିବା ଶିକ୍ଷକ କର୍ମଚାରୀମାନଙ୍କୁ ପେନସନ୍ ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ଅନୁରୋଧ କରାଯାଉଛି।

ରାଜ୍ୟ ସରକାର ତୁରନ୍ତ ସମନ୍ୱୟ ସମିତିର ନେତୃତ୍ୱ ମାନଙ୍କ ସହିତ ଆଲୋଚନା କରି ସମସ୍ୟା ସମାଧାନର ରାସ୍ତା ବାହାର କରିବା ପାଇଁ ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶଙ୍କ ସମେତ ସମନ୍ୱୟ ସମିତିର ସଭାପତି ସୁକାନ୍ତ କୁମାର ବେହେରା, ଅକ୍ଷୟ କୁମାର ମିଶ୍ର, ବିକ୍ରମ କୁମାର ଦାସ, ପ୍ରମୋଦ କୁମାର ହୋତା, ହରେକୃଷ୍ଣ ପାଣିଗ୍ରାହୀ, ଗରୁଡ଼ ଚନ୍ଦ୍ର ସାହୁ, ରଞ୍ଜନ କୁମାର ପଣ୍ଡା, ଏମ୍‌.ଏ.କାସିମ୍ ବେଗ୍‌, ପ୍ରଶାନ୍ତ କୁମାର ପତି, କଳିଙ୍ଗ କେଶରୀ ପ୍ରଧାନ, ସୁରେଶ ଚନ୍ଦ୍ର ଦାସ, ରାଜା ଓସିମ୍‌, ନୀଳମଣି ପୁରୋହିତ, ବ୍ରଜ କିଶୋର ବିଶ୍ୱାଳ, ଅଶୋକ କୁମାର ମହାପାତ୍ର, ଶଙ୍କର କୁମାର ସୁବୁଦ୍ଧି, ରାଜଲକ୍ଷ୍ମୀ ବେହେରା, ଜୟନ୍ତୀ ବଳ, ମାଣିକେଶ୍ୱର ସ୍ୱାଇଁ, ରମାକାନ୍ତ ମହାପାତ୍ର, ପ୍ରଦୀପ କୁମାର ମଙ୍ଗରାଜ, ନବକୁମାର ପଣ୍ଡା ଏବଂ ମଧୁସୂଦନ ଦେ ପ୍ରମୁଖ ସରକାରଙ୍କୁ ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଦ୍ୱାଦଶ ଦିନରେ ପହଞ୍ଚିଲା ଶିକ୍ଷକ ଓ ଶିକ୍ଷାକର୍ମଚାରୀଙ୍କ ଅହୋରାତ୍ର ଗଣଧାରଣା

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)ର ଆହ୍ୱାନରେ ଚାଲିଥିବା ଅହୋରାତ୍ର ଗଣଧାରଣା ଦ୍ୱାଦଶ ଦିବସରେ ପହଞ୍ଚିଛି। ଶିକ୍ଷକ ଶିକ୍ଷାକର୍ମଚାରୀମାନେ ନିଜର ହକ୍ ପାଇଁ ଦୀର୍ଘ ୧୨ ଦିନ ଧରି ରାଜଧାନୀର ରାଜରାସ୍ତାରେ ପଡ଼ି ରହିଛନ୍ତି। ଏପର୍ଯ୍ୟନ୍ତ ସରକାର କିମ୍ବା ତାଙ୍କ ପ୍ରତିନିଧି ସେମାନଙ୍କ ସମସ୍ୟା ବାବଦରେ ପଦୁଟିଏ ପଚାରୁ ନାହାନ୍ତି।

ସଂଗଠନର ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ କ୍ଷୋଭର ସହ କହିଛନ୍ତି ସରକାର ଶିକ୍ଷକ ଓ ଶିକ୍ଷାକର୍ମଚାରୀଙ୍କ ମୁଣ୍ଡରେ ସମସ୍ୟାର ବୋଝ ଲଦି ସେମାନଙ୍କୁ ଦାଣ୍ଡରେ ଯେମିତି ଠିଆ ହେବାକୁ ବାଧ୍ୟ କରିଛନ୍ତି ତାହା ଆଜି ବିଚାର୍ଯ୍ୟର ବିଷୟ। ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀମାନେ ବାରମ୍ବାର ରାଜରାସ୍ତାକୁ ଆସି ନୟାନ୍ତ ହେଲେଣି। ଓଡ଼ିଶାର ବୁଦ୍ଧିଜୀବୀ ଖବର କାଗଜମାନଙ୍କରେ ବାରମ୍ବାର ଲେଖି ଲେଖି ଅବସ ହେଲେଣି। ମାତ୍ର ଉଭୟ ଶାସକ ଓ ପ୍ରଶାସକମାନଙ୍କର ଚକ୍ରାନ୍ତର ଶେଷ ହେଉ ନାହିଁ।

ସୂଚନାଥାଉକି, ଶିକ୍ଷକ କର୍ମଚାରୀମାନେ ଦୀର୍ଘ ବାର ଦିନ ହେଲା ଶାନ୍ତିପୂର୍ଣ୍ଣ ଭାବରେ ଗାନ୍ଧିମାର୍ଗରେ ଦିନରାତି ଧାରଣରେ ବସି ରହିଛନ୍ତି। କିଛି ନୂଆ ଦାବି ନୁହେଁ ସେହି ପୁରୁଣା ସମସ୍ୟା ପାଇଁ ଏହି ଆନ୍ଦୋଳନ ଚାଲିଛି। ଦୀର୍ଘ ତିନି ଦଶନ୍ଧିରୁ ଊର୍ଦ୍ଧ୍ୱକାଳ ଧରି ଖୋଲିଥିବା ବିଦ୍ୟାଳୟ ଅନୁଦାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇ ମଧ୍ୟ ଟଙ୍କାଟିଏ ଅନୁଦାନ ନପାଇ ପଡ଼ି ରହିଛନ୍ତି। ସେମାନଙ୍କ ମଧ୍ୟରୁ କେତେ ଶିକ୍ଷକ ଓ କର୍ମଚାରୀ ଶୂନ୍ୟ ହସ୍ତରେ ଅବସର ନେଇ ଗଲେଣି ଓ ମୃତ୍ୟୁବରଣ ମଧ୍ୟ କରିସାରିଲେଣି। ଏହା ଅତ୍ୟନ୍ତ ଦୁଃଖ ଦାୟକ ଯାହାକୁ ଆଖିରେ ନଦେଖିଲେ ଅନୁଭବ କରିହେବ ନାହିଁ। ସେହିପରି ସରକାର ସପ୍ତମ ବେତନ ପ୍ରଦାନ ନିମନ୍ତେ କ୍ୟାବିନେଟ୍ ନିଷ୍ପତ୍ତି ନେଇ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକର ଶିକ୍ଷକ ଓ ଶିକ୍ଷାକର୍ମଚାରୀଙ୍କ ପାଇଁ ଲାଗୁ କଲେ। ସେଥିମଧ୍ୟରୁ ୨୨୬ ଓ ୩୯୯ ବିଦ୍ୟାଳୟ ଶତପ୍ରତିଶତ ଅନୁଦାନ ପରିସରଭୁକ୍ତ ହୋଇଥିଲେ ମଧ୍ୟ ସପ୍ତମ ବେତନରୁ ବଞ୍ଚିତ ହୋଇ ରହିଛନ୍ତି। ରାଜ୍ୟରେ ବର୍ତ୍ତମାନ ୬୦୮ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟକୁ ସରକାରୀକରଣ ପାଇଁ ଦୀର୍ଘ ବର୍ଷରୁ ଦାବି ହୋଇ ଆସୁଥିଲେ ମଧ୍ୟ ସେମାନଙ୍କୁ ଏଥିରୁ ବଞ୍ଚିତ କରି ରଖାଯାଇଛି। ଦୀର୍ଘ ବର୍ଷର ଆନ୍ଦୋଳନ ପରେ ସରକାର ନୂତନ ଅନୁଦାନ ନିୟମ ପ୍ରଣୟନ କଲେ। କିନ୍ତୁ ସେହି ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ, ଶିକ୍ଷାକର୍ମଚାରୀମାନଙ୍କୁ ପେନ୍‌ସନ, ଚାକିରି ସର୍ତ୍ତାବଳୀ ଓ ଅବସରକାଳୀନ ସୁବିଧା ପ୍ରଦାନ କଲେ ନାହିଁ। ଫଳରେ ଏହି ବିଦ୍ୟାଳୟ ଗୁଡ଼ିକରୁ ଅବସର ନେଉଥିବା ଶିକ୍ଷକ କର୍ମଚାରୀଟିର ଅବଶିଷ୍ଟ ଜୀବନ ପରିଣତ ବୟସର ଦୂରାବସ୍ଥା ଅବର୍ଣ୍ଣନୀୟ।

ସେହିପରି ୨୦୦୪ ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ୬ଟି ନୋସ୍‌ନାଲ ଇନ୍‌କ୍ରିମେଣ୍ଟ ଓ ବରିଷ୍ଠତା ପ୍ରଦାନ କରାଗଲା ନାହିଁ। ୨୮୦୦, ୨୨୦୦, ୧୯୦୦ ଗ୍ରେଡ଼୍ ପେ ରେ ଥିବା ଅସଙ୍ଗତି ଦୂର ହୋଇପାରିଲା ନାହିଁ। ବି.ଏ.ବି.ପି.ଏଡ଼, ବି.ଏ.ସି.ପି.ଏଡ଼ ଯୋଗ୍ୟତାଧାରୀ ଖେଳ ଶିକ୍ଷକମାନଙ୍କର ପଦୋନ୍ନତି କରାଯାଉ ନାହିଁ।

ସେହିପରି ୪୮ ବର୍ଷରେ ପଦାର୍ପଣ କରିଥିବା ସମସ୍ତ ହିନ୍ଦୀ ଓ ସଂସ୍କୃତ ଶିକ୍ଷକମାନଙ୍କୁ ଟି.ଜି. ମାନ୍ୟତା ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଥିଲେ ମଧ୍ୟ ଦିଆଯାଉ ନାହିଁ। ବର୍ତ୍ତମାନ ନୂତନ ଅନୁଦାନ ପାଉଥିବା ବିଦ୍ୟାଳରେ କାର୍ଯ୍ୟରତ ୨ୟ ଓ ୩ୟ ପିଅନ ଏବଂ କିଛି ବିଦ୍ୟାଳୟ ଯଥା- ୩୭, ୪୬, ୬୩ ବିଦ୍ୟାଳୟଙ୍କୁ ୦୧.୦୪.୨୦୦୮ ପରିବର୍ତ୍ତେ ୦୧.୦୧.୨୦୦୪ରୁ ଆଣ୍ଟିଡେସନ୍ ପ୍ରଦାନ କରିବା ପାଇଁ ଦାବୀ ଦୀର୍ଘ ଦିନଧରି ହୋଇ ଆସୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ କରାଯାଉ ନାହିଁ। ଅନ୍ୟାନ୍ୟ ଦାବୀ ମଧ୍ୟରେ ଆର୍‌.ଏ. ସ୍କିମ୍‌ର ପୁନଃ ପ୍ରଚଳନ, ଅଫିସ୍ ସହାୟକମାନଙ୍କୁ ଉଚ୍ଚତର ଗ୍ରେଡ଼ପେ ପ୍ରଦାନ ଏବଂ ଅବସର ବୟସ ସୀମା ୬୦ ରୁ ୬୨ ବର୍ଷକୁ ବୃଦ୍ଧି ଇତ୍ୟାଦିକୁ କାର୍ଯ୍ୟକାରୀ କରିବା ପାଇଁ ସଂଗଠନ ପକ୍ଷରୁ ବାରମ୍ବାର ଅନୁରୋଧ କରାଯାଉଥିଲେ ମଧ୍ୟ ତାହା ସରକାରଙ୍କ ଉଦାସୀନତା ପାଇଁ କାର୍ଯ୍ୟକାରୀ ହୋଇପାରୁ ନାହିଁ।

ଦୀର୍ଘଦିନ ଧରି ଏହିସବୁ ଦାବୀ ସରକାରଙ୍କ ନିକଟରେ ବାରମ୍ବାର ଉପସ୍ଥାପନ ହୋଇଛି ଏବଂ ସରକାର ଥରେ ଦୁଇଥର ନୁହେଁ ବହୁବାର ପ୍ରତିଶ୍ରୁତି ଦେଇଛନ୍ତି, କିନ୍ତୁ ପାଳନ ନକରିବା ଯୋଗୁଁ ଯେଉଁ ଅସନ୍ତୋଷର ବହ୍ନି ଜଳୁଛି ତା’ର ରୂପ ନେଇଛି ଆଜିର ଆନ୍ଦୋଳନ। ଓଷ୍ଟାର ପ୍ରାକ୍ତନ ସଭାପତି ଶ୍ରୀଯୁକ୍ତ ଇନ୍ଦୁମାଧବ ମହାନ୍ତି ଓ ପ୍ରାକ୍ତନ ଶିକ୍ଷାପ୍ରଦୀପ ସମ୍ପାଦକ ପ୍ରଫୁଲ ମହାନ୍ତି ଆନ୍ଦୋଳନସ୍ଥଳରେ ପହଞ୍ଚି ଆନ୍ଦୋଳନକୁ ସଫଳ କରିବା ପାଇଁ ଉଦ୍‌ବୋଧନ ଦେଇଛନ୍ତି ଓ ସରକାର ତୁରନ୍ତ ଦାବିଗୁଡ଼ିକୁ ପୂରଣ କରନ୍ତୁ ବୋଲି କହିଛନ୍ତ। ଦାବି ପୂରଣ ନହେବା ଯାଏ ଅହୋରାତ୍ର ଧାରଣା ଚାଲିବ। ଆଉ ସରକାର ଯଦି ହେୟ ମନେକରି ଶିକ୍ଷକମାନଙ୍କର ଦାବି ପ୍ରତି ଅଣଦେଖା କରନ୍ତି ସେଥିପାଇଁ ଯେଉଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ ସରକାର ନିଜେ ଦାୟୀ ରହିବେ ବୋଲି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ସଭାପତି ସର୍ବଶ୍ରୀ ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ, ଯୁଗ୍ମ ସାଧାରଣ ସଂପାଦକ ବ୍ରଜକିଶୋର ବିଶ୍ୱାଳ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, ଶିକ୍ଷାପ୍ରଦୀପ ସଂପାଦକ ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।