ଭୁବନେଶ୍ୱର: ଆଜି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି। ମୋଟ ୨ ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ। ତେବେ ଏହି ବଜେଟ୍କୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି। ଚଳିତ ବଜେଟ୍ ଗରିବଙ୍କ ସହାୟତା ଓ ବିକାଶମୁଖୀ। ସ୍ବାସ୍ଥ୍ୟ ସେବାର ଗୁଣାତ୍ମକ ମାନବୃଦ୍ଧି ପାଇଁ ବଜେଟରେ ପ୍ରାଥମିକତା ଦିଆଯାଇଛି।
ଗୁଣାତ୍ମକ ଶିକ୍ଷା ଭିତ୍ତିଭୂମିର ବିକାଶ ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି ବୋଲି ସେ କହିଛନ୍ତି। ୫-ଟି ଓ ମୋ’ ସରକାର କାର୍ଯ୍ୟକ୍ରମକୁ ଆଖିରେ ରଖି ବଜେଟ ପ୍ରସ୍ତୁତ କରାଯାଇଛି। ରାଜ୍ୟର ସର୍ବଙ୍ଗୀନ ବିକାଶରେ ବଜେଟ ବେଶ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ତେବେ ଚଳିତ ବଜେଟରେ କେଉଁ ବିଭାଗ ପାଇଁ କେତେ ଅଟକଳ କରାଯାଇଛି, ଆସନ୍ତୁ ଜାଣିବା…
କୃଷି- ୨୧, ୧୬୬ କୋଟି: କାଳିଆ ଯୋଜନା ପାଇଁ ୧ ହଜାର ୮ ଶହ ୭୪ କୋଟି ଟଙ୍କାର ବ୍ୟୟ ବରାଦ ହୋଇଥିବା ବେଳେ କୃଷି ଗବେଷଣା ଓ ଶିକ୍ଷା ପାଇଁ ୧୬୧ କୋଟି, ଉଦ୍ୟାନ କୃଷି ବିକାଶ ପାଇଁ ୩୧୨ କୋଟି, କୃଷକ ପରିବାରକୁ ଆୟ ସହାୟତା ପାଇଁ ୧୨୨ କୋଟି, ଜଳସେଚନ ପାଇଁ କୋରାପୁଟରେ ଝଞ୍ଜାବତୀ ପ୍ରକଳ୍ପ ଯୋଜନାରେ ୪୦୦ କୋଟି ଏବଂ ଚାଷୀମାନଙ୍କୁ କୃଷି ଋଣ ସୁଧ ସହାୟତା ପାଇଁ ୮୯୩ କୋଟି ବରାଦ କରାଯାଇଛି।
ସ୍ୱାସ୍ଥ୍ୟ- ୧୨, ୬୨୪ କୋଟି: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୨ ହଜାର ୬୬୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ ଅଧୀନରେ ଖର୍ଚ୍ଚ ହେବ ୨ ହଜାର ୩୨୫ କୋଟି, ପରିବାର କଲ୍ୟାଣ ଯୋଜନା ପାଇଁ ୫୧୪ କୋଟି, ସ୍ୱାସ୍ଥ୍ୟ କ୍ଷେତ୍ରରେ ଆନୁସଙ୍ଗିକ ସେବାର ସୁଦୃଢୀକରଣ ପାଇଁ ୬୫୨ କୋଟି, ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ୨ ହଜାର ୧୫୬ କୋଟି ଓ ‘ସ୍ୱାସ୍ଥ୍ୟ ଓ ଭେଷଜ ଶିକ୍ଷାରେ ମାନବ ସମ୍ବଳ’ ଯୋଜନା ଅଧୀନରେ ୩୧୨ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି।
ସେହିଭଳି ସଡକ ଓ ଭିତ୍ତିଭୂମି ପାଇଁ ୧୪, ୪୫୪ କୋଟି ବ୍ୟୟ ବରାଦ କରାଯାଇଥିବା ବେଳେ ଶକ୍ତି ପାଇଁ ୩୪୮୨ କୋଟି, ବିପର୍ଯ୍ୟୟ ପରିଚାଳନା ପାଇଁ ୩୨୬୨ କୋଟି, ଜଙ୍ଗଲ ଓ ପରିବେଶ ପାଇଁ ୨୨୧୭ କୋଟି, ମିଶନ ଶକ୍ତି ପାଇଁ ୨୦୦୦ କୋଟି, ଏମଏସଏମଇ, ଉଦ୍ୟୋଗ ପାଇଁ ୧୨୬୯ କୋଟି, କ୍ରୀଡା ଓ ଯୁବସେବା ବିଭାଗ ପାଇଁ ୯୧୧ କୋଟି, ପର୍ଯ୍ୟଟନ ପାଇଁ ୫୯୦ କୋଟି, ଆଇଟି ଓ ଇଲେକ୍ଟ୍ରୋନିକ୍ ପାଇଁ ୩୦୨ କୋଟି, ଶିଳ୍ପ, ଇସ୍ପାତ ଓ ଖଣି ପାଇଁ ୧୮୩ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।