ବାରିପଦା: ଦେଶରେ ସର୍ବବୃହତ ସଂରକ୍ଷିତ ବନକ୍ଷେତ୍ର ତଥା ଜୈବ ମଣ୍ଡଳ ଶିମିଳିପାଳ ଏବେ ଜଳୁଛି। ୫ ହଜାର ୫୬୯ ବର୍ଗକିମି ଶିମିଳିପାଳ ଜୈବ ମଣ୍ଡଳରୁ ୨ ହଜାର୨୭୨ ବର୍ଗ କିମି ଶିିମିଳିପାଳ ସଂରକ୍ଷିତ ଅଭୟାରଣ୍ୟର ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଚତୁର୍ଦିଗରେ ଲାଗିଛି ନିଆଁ। ଦିନ ବେଳା ଧୂଆଁ ଓ ରାତିରେ ନିଆଁ ଜଳୁଥିବା ଦୃଶ୍ୟ ୧୫/୨୦ କିମି ଦୂରରୁ ଦୃଶ୍ୟମାନ ହେଉଛି। ବନ ବିଭାଗ ଓ ଅଗ୍ନିଶମ ବିଭାଗର ନିୟନ୍ତ୍ରଣ ବାହାରେ ଏହି ନିଆଁ।
ଚଳିତ ବର୍ଷ ପତ୍ରଝଡ଼ା ପରେ ଆଦୌ ବର୍ଷା ନ ହେବା ଓ ଏହି ସମୟରେ ତାପମାତ୍ରା ଅନ୍ୟ ବର୍ଷ ତୁଳନାରେ ୧୦/୧୨ ଡ଼ିଗ୍ରୀ ସେଲସିୟସ୍ ଅଧିକ ମୁଖ୍ୟ କାରଣ କୁହାଯାଉଛି। ତେବେ ମହୁଲ ଫୁଲ ସଂଗ୍ରହକାରୀ ଗଛ ମୂଳ ପରିଷ୍କାର ପାଇଁ ଲଗାଉଥିବା ନିଆଁ ବ୍ୟାପି ପାହାଡ଼ ପରେ ପାହାଡ଼ ଚରି ଚାଲିଛି।
ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଧୀନସ୍ଥ ୨୧ଟି ବନାଚଂଳ(ରେଞ୍ଜ)ରୁ ଅଭୟାରଣ୍ୟ ଭିତରେ ଥିବା ନଅଁଣା, ନଅଁଣା ସାଉଥ, ଧୁଡ଼ୁରୁଚମ୍ପା, ଜେନାବିଲ, ବରାହାକାମୁଡ଼ା, ଭଞ୍ଜବସା ଚନ୍ଦନଚତୁରୀ, ଡ଼ିଗଡ଼ିଗା, ଡୁକୁରା, ପୋଡ଼ାଡ଼ିହା, ଠାକୁରମୁଣ୍ଡା, ବରେହିପାଣି, ଅସ୍ତକୁଆଁର ଓ ପିଠାବଟା ଆଦି ରେଞ୍ଜ ଅଂଚଳରେ ପ୍ରାୟ ଅଢ଼େଇରୁ ୩ କିଲୋମିଟର ଲମ୍ବରେ ନିଆଁ ମାଡ଼ି ମାଡ଼ି ଚାଲିଛି। ଉକ୍ତ ନିଆଁକୁ ଲିଭାଇବାରେ ବନ ବିଭାଗ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛି।
ଅଭୟାରଣ୍ୟ ଭିତରେ ନିଆଁ ଲିଭାଇବା ନିମନ୍ତେ ରହିଥିବା କର୍ମଚାରୀମାନଙ୍କୁ ଆବଶ୍ୟକୀୟ ଉପକରଣ ଯୋଗାଇ ଦିଆ ଯାଇ ନ ଥିବାରୁ ନିଆଁ ଲିଭାଇବା ଦାୟିତ୍ୱରେ ଥିବା କର୍ମଚାରୀମାନଙ୍କ ମଧ୍ୟରେ ଆଗ୍ରହ କ୍ରମଶଃ କମି ଆସୁଥିବା ବିଷୟକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି।
ବନ ବିଭାଗ ପକ୍ଷରୁ ବନସୁରକ୍ଷା ସମିତି ଦ୍ୱାରା ନିଆଁ ବ୍ୟାପିବା ପାଇଁ ଶୁଖିଲାପତ୍ର ଲାଇନିଂ କାର୍ଯ୍ୟ ଡ଼ିସେମ୍ବରରୁ ଫେବୃଆରୀ ମଧ୍ୟରେ ଶେଷ ହୋଇଥାଏ। ଫଳରେ ଶୁଖିଲାପତ୍ରରୁ ପତ୍ର ମଧ୍ୟରେ ୧୦ ଫୁଟରୁ ଉର୍ଦ୍ଧ୍ୱ ଦୂରତା ରହିବା ଫଳରେ ନିଆଁ ଚରିଚରି ଆସିଲେ ସେହିଠାରେ ବ୍ରେକ ବା ଅଟକି ଥାଏ। ବେଳେ ବେଳେ ଶିକାରୀ ବନ୍ୟଜନ୍ତୁ ଶିକାର ଉଦ୍ଦେଶ୍ୟରେ ନିଆଁ ଲଗାଉଥିବାରୁ ପରିସ୍ଥିତି ଅଣାୟତ ହୋଇପଡ଼ୁଛି। ନିଆଁ ଲାଗିବା ଫଳରେ ଶିମିଳିପାଳ ଜୈବ ମଣ୍ଡଳରେ ଜୀବଜନ୍ତୁ, ସରୀସୃପ, ବୃକ୍ଷଲତା, ଅର୍କିଡ଼୍ର ବିଲୋପ ଘଟୁଛି।
ଏଠାରେ ୧୦୭୬ ପ୍ରକାରର ବୃକ୍ଷଲତା, ୯୪ ପ୍ରକାର ଅର୍କିଡ଼୍, ୬୦୪ ପ୍ରକାର ଔଷଧୀୟ ବୃକ୍ଷ, ୫୫ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୩୦୪ ପ୍ରଜାତିର ପକ୍ଷୀ, ୬୨ ପ୍ରକାର ସରୀସୃପ, ୨୦ ପ୍ରଜାତିର ଉଭୟଚର ପ୍ରାଣୀ ଓ ଅସଂଖ୍ୟ ପ୍ରଜାତିର କୀଟପତଙ୍ଗ ରହିଥିବା ବେଳେ ସେମାନେ ଏବେ ପ୍ରଭାବିତ।
ସେହିପରି ଜୈବ ମଣ୍ଡଳ ସଂଲଗ୍ନରେ ଥିବା ୧୨୦୦ ଗ୍ରାମର ଆଦିମ ଅଧିବାସୀ ସିଧାସଳଖ ପ୍ରଭାବିତ ହେବେ। ଜଙ୍ଗଲ ଉପରେ ନିର୍ଭର କରି ଏମାନେ ଋତୁଭିତିକ ଖାଦ୍ୟ ଠାରୁ ଆରମ୍ଭ କରି ବନ୍ୟଜାତ ସାମଗ୍ରୀ ସଂଗ୍ରହରେ ବାଧା ଉପୁଜିବ। ପରିବେଶକର୍ମୀ ଗୋପୀନାଥ ସିଂଙ୍କ ମତରେ ହିମାଳୟ ପାଦଦେଶସ୍ଥିତ ଉତର ପୂର୍ବ ଭାରତ ତଥା ଦକ୍ଷିଣ ଭାରତ ମଧ୍ୟରେ ଶିମିଳିପାଳ ଜୈବମଣ୍ଡଳ ପ୍ରାକୃତିକ ଭାରସାମ୍ୟ ରକ୍ଷାରେ ନିରବଚ୍ଛିନ୍ନ ଭୂମିକା ଗ୍ରହଣ କରିଆସିଛି। ଯାହାପାଇଁ ୨୦୦୯ ମଇ ୨୬ ତାରିଖରେ ବିଶ୍ୱସ୍ତରୀୟ ଜୈବମଣ୍ଡଳ ଭାବେ ୟୁନେସ୍କୋର ୨୧ତମ ଅଧିବେଶନରେ ପୁରସ୍କୃତ ହୋଇଛି। ଶିମିଳିପାଳ ଜୈବମଣ୍ଡଳ ଉପରେ ଚାଳିଥିବା ମନୁଷ୍ୟକୃତ ଅତ୍ୟାଚାର ଯୋଗୁଁ ଜୈବ ବିବିଧତା ବ୍ୟାପକ ପ୍ରଭାବିତ ହେଉଛି।
ଗତ ୧ ଦଶନ୍ଧି ଧରି ଶିିମିଳିପାଳରେ ମନୁଷ୍ୟକୃତ ଅଗ୍ନିକାଣ୍ଡ ପାଇଁ ବିଭିନ୍ନ ପ୍ରଜାତିର ବୃକ୍ଷଲତା, ଅର୍କିଡ଼୍ ଓ କୀଟପତଙ୍ଗ ବିଲୁପ୍ତ ହୋଇଗଲେଣି। ଏହା ଗ୍ରାମ ବୈଦ୍ୟ ଏବଂ ଆୟୁର୍ବେଦିକ ପ୍ରୟୋଗଶାଳାରେ ଔଷଧ ତିଆରି କ୍ଷେତ୍ରରେ ମୁଖ୍ୟ ପ୍ରତିବନ୍ଧକ ସୃଷ୍ଟି କରିଛି। କେବଳ ବୃକ୍ଷଲତା ନୁହେଁ, ବହୁ ଜୀବଜନ୍ତୁ ଗ୍ରାମାଭିମୁଖୀ ହୋଇ ମଣିଷର ଶିକାର ହେଉଛନ୍ତି। ପୂର୍ବରୁ ଏହି ବନବାସୀମାନେ ଶିମିଳିପାଳରୁ ବିଭିନ୍ନ ଋତୁଭିତିକ ଖାଦ୍ୟ ସହ ବିଭିନ୍ନ ପ୍ରକାର କୋଳି, ଫଳମୂଳ ପାଉଥିଲେ ଏବଂ ଜଙ୍ଗଲରୁ ମିଳୁଥିବା ଲାଖ, ଝୁଣା, ପାଳ ଓ ମହୁ ଭଳି ବହୁ ସାମଗ୍ରୀ ସଂଗ୍ରହ କରି ଚଳୁଥିଲେ।
ନିଆଁ ଲାଗିବା ଫଳରେ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ବାଧାପ୍ରାପ୍ତ ହେବା ସହିତ ନିର୍ଭରଶୀଳ ବନବାସୀଙ୍କ ରୋଜଗାରରେ ଅଙ୍କୁଶ ଲାଗିବ। ସଚେତନତା କରାଯାଉଥିଲେ ମଧ୍ୟ ମନୁଷ୍ୟକୃତ ନିଆଁ ଲାଗିବାକୁ ବନ୍ଦ କରାଯାଇପାରୁନି। ତେବେ ଏହାକୁ ରୋକିବା ପାଇଁ ରେଞ୍ଜର, ଫରେଷ୍ଟର, ଗାର୍ଡ଼ ଓ ନିଆଁଲିଭାଳି ସ୍ୱେଚ୍ଛାସେବୀ ଦଳର ସଦସ୍ୟଙ୍କୁ ନିୟୋଜିତ କରାଯାଇଛି। ନିଆଁ ଲିଭାଇବା ପାଇଁ ସମସ୍ତ ବ୍ୟବସ୍ଥା ତାଙ୍କୁ ଯୋଗାଯାଇଛି।
ତତସହିତ ପରବର୍ତୀ ମୁକାବିଲା ପାଇଁ ସ୍ୱାସ୍ଥ୍ୟଟିମକୁ ମଧ୍ୟ ସଜାଗ କରାଯାଇଛି। ବନ ସଂଲଗ୍ନ ଗ୍ରାମ ମାନଙ୍କରେ ସରପଚଂ, ସମିତି ସଭ୍ୟ ଓ ବନସୁରକ୍ଷା ସମିତିର ସଦସ୍ୟା ତଥା ଜନସାଧାରଣଙ୍କୁ ଜଙ୍ଗଲ ନିଆଁରୁ ବର୍ତିବା ପାଇଁ ସମସ୍ତଙ୍କୁ ନିବେଦନ କରାଯାଇଛି ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉପନିର୍ଦେଶକ ଯଜ୍ଞଦତ ପତି କହିବା ସହିତ ବର୍ତମାନ ନିଆଁକୁ ଲିଭାଇ ଦିଆଯାଇଛି କହିଛନ୍ତି।
ତେବେ ଶିମିଳିପାଳରେ ନିଆଁକୁ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ଏହା ଜାତୀୟସ୍ତରରେ ଚର୍ଚ୍ଚାର ପରିସରକୁ ଆସିଛି। ଏଥି ସହିତ କେନ୍ଦ୍ର ପରିବେଶ ମନ୍ତ୍ରୀ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବୀ କରିଛନ୍ତି।
ସେହିପରି ମୟୂରଭଞ୍ଜ ରାଜକୁମାରୀ ଅକ୍ଷିତା ଭଞ୍ଜଦେଓ ଟୁଇଟ୍ କରି ଗଭୀର ଉଦବେଗ ପ୍ରକାଶ କରିବା ସହିତ ବନ ବିଭାଗର ଖାମଖିଆଲି ମନୋଭାବକୁ ସମାଲୋଚନା କରିଛନ୍ତି। ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି।