ମୋହନା: ଗଜପତି ଜିଲ୍ଲା ରା. ଉଦୟଗିରି ପଞ୍ଚାୟତ ଅନ୍ତର୍ଗତ କଙ୍କଡ଼ାଗୁଡ଼ା ବୁଲାଣିରେ ଗତ ୧୧ ତାରିଖରେ ବରଘରକୁ କନ୍ୟାଯାତ୍ରୀ ଧରି ଯାଉଥିବା ଏକ ୪୦୭ ମିନିଟ୍ରକ ଓଲଟି ପଡିବାରୁ ଘଟଣାସ୍ଥଳରେ ଗାଡ଼ି ତଳେ ଚାପି ହୋଇ ୨ ଜଣ ଯାମଡ଼ିହ ଗ୍ରାମର ଜୟନ୍ତ ଦଳବେହେରା ଓ ଗାୟତ୍ରୀ ରଇତଙ୍କର ମୃତ୍ୟୁ ଘଟିଥିବା ବେଳେ ବ୍ରହ୍ମପୁର ବଡ଼ ମେଡ଼ିକଲରେ ଚିକିତ୍ସିତ ଅବସ୍ଥାରେ ୫ ବର୍ଷର ନାବାଳିକା ଝିଅ ଗାୟତ୍ରୀ ମଣ୍ଡଳ ମୃତ୍ୟୁବରଣ କରିଥିଲେ।
ଗ୍ରାମରେ ମୃତଦେହ ପହଞ୍ଚିବାପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ଏଭଳି ଦୁଃଖଦ ଘଟଣାରେ ଆଖପାଖ ଗ୍ରାମର ଲୋକେ ମ୍ରିୟମାଣ ହୋଇ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ। ମୃତ୍ୟୁବରଣ କରିଥିବା ପରିବାରଙ୍କୁ ସାନ୍ତ୍ଵନା ଦେବାପାଇଁ ଗାଁରେ ପହଞ୍ଚିଥିଲେ ମୋହନା ବ୍ଲକ ଅଧ୍ୟକ୍ଷା ସୁକି ଶବର, ବ୍ଲକ ବିଜେଡ଼ି ସଭାପତି ରଞ୍ଜିବ ଶବର ଓ ଆଦିବାସୀ ନେତା ରାମ ଦଳବେହେରା।
ଅପରପକ୍ଷେ ବ୍ରହ୍ମପୁର ମେଡିକାଲରେ ଚିକିତ୍ସିତ ହେଉଥିବା ଆହତମାନଙ୍କ ପାଖରେ ମୋହନା ବିଡିଓ ବଂଶୀଧର ଖୋସ୍ଲା, ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ଲକ ସହକାରୀ ଯନ୍ତ୍ରୀ ଜଗବନ୍ଧୁ ଆଚାର୍ଯ୍ୟ ପହଞ୍ଚି ଆଶ୍ଵସନା ଦେବା ସହ ଆରୋଗ୍ୟ କାମନା କରିଥିଲେ। ବିଡିଓ ଶ୍ରୀ ଖୋସ୍ଲା ଗୁରୁତର ଆହତ ୮ ଜଣ ରୋଗୀଙ୍କୁ ଅଧିକ ଚିକିତ୍ସା ନିମନ୍ତେ କଟକ ମେଡ଼ିକାଲ ନେବାପାଇଁ ଗ୍ରସ୍ତ ଖର୍ଚ୍ଚ ବାବଦକୁ ପରିବାରବର୍ଗଙ୍କୁ ୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଥିଲେ।