Categories
ବିଶେଷ ଖବର

ଅଟଳ ଚୀନ ଯାଇଥିବାବେଳେ ପୋଷ୍ଟରରେ କ’ଣ ଲେଖିଥିଲେ ବିମାନବନ୍ଦରରେ ଠିଆ ହୋଇଥିବା ମହିଳା!

ନୂଆଦିଲ୍ଲୀ: ୧୯୬୨ ଯୁଦ୍ଧ ପରେ ଭାରତ ଓ ଚୀନ ମଧ୍ୟରେ ସମ୍ପର୍କ ବହୁତ ଖରାପ ହୋଇଯାଇଥିଲା। ପାଖାପାଖି ୨୦ ବର୍ଷ ହେଲା କୌଣସି ବଡ଼ ସରକାରୀ ଗସ୍ତ ହୋଇନଥିଲା। ଅଟଳ ବିହାରୀ ବାଜପେୟୀ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଥିଲାବେଳେ ୧୯୭୯ ଫେବ୍ରୁଆରିରେ ଚୀନ ଯାଇଥିଲେ। ବିମାନବନ୍ଦରରେ ତାଙ୍କ ପ୍ରଶଂସକମାନେ ଫୁଲ ଓ ମାଳ ଧରି ଠିଆ ହୋଇଥିଲେ। ଏଠାରେ ଜଣେ ମହିଳା ଏକ ପୋଷ୍ଟର ଧରି ଠିଆ ହୋଇଥିଲେ, ‘୬୨ ବର୍ଷକୁ ଭୁଲିବେ ନାହିଁ’ ବୋଲି ସେଥିରେ ଲେଖାଥିଲା। ଗୋଟିଏ ବ୍ୟାନରରେ ଲେଖାଥିଲା, ‘ଅଧିକୃତ ଅଞ୍ଚଳକୁ ଫେରାଇ ନିଅ।’ ୧୯୬୨ମସିହାରେ ଚୀନ୍ ଭାରତରେ ପ୍ରବେଶ କରି ୧୪,୦୦୦ ବର୍ଗ ମାଇଲ ଅଞ୍ଚଳ ଦଖଲ କରିଥିଲା। ଏହି ଅଞ୍ଚଳର ଅଧିକାଂଶ ଅଂଶ ଉତ୍ତର-ପୂର୍ବ କଶ୍ମୀରର ହିମାଳୟ ଅଞ୍ଚଳ ଯାହା ଏବେ ବି ଚୀନ କବ୍ଜାରେ ରହିଛି। ସେତେବେଳେ ମୋରାରଜୀ ଦେଶାଇଙ୍କ ସରକାର ଥିଲା। ଅଟଳଙ୍କ ଗସ୍ତର ଆବଶ୍ୟକତା ନେଇ ରୁଷ ନେତାମାନେ ପ୍ରଶ୍ନ କରୁଥିଲେ ମଧ୍ୟ ସେ ବେଜିଂ ଯାଇଥିଲେ।

ସଂସଦରେ ବୟାନ ଦେଲେ ଅଟଳ

ଅଟଳ ଚୀନ ପ୍ରଧାନମନ୍ତ୍ରୀ ହୁଆ ଗୁଓଫେଙ୍ଗ, ଉପପ୍ରଧାନମନ୍ତ୍ରୀ ଡେଙ୍ଗ ଜିଆଓପିଙ୍ଗ ଏବଂ ବୈଦେଶିକ ମନ୍ତ୍ରୀ ହୁଆଙ୍ଗ ହୁଆଙ୍କୁ ଭେଟିଥିଲେ। ଫେରିବା ପରେ ସେ ସଂସଦକୁ ତାଙ୍କ ଗସ୍ତ ସମ୍ପର୍କରେ ସୂଚନା ଦେଇଥିଲେ। ଅଟଳ କହିଥିଲେ ଯେ, ଗୁରୁତ୍ୱପୂର୍ଣ୍ଣ ସୀମା ବିବାଦର ସମ୍ଭାବ୍ୟ ସମାଧାନ ପାଇଁ ଦୁଇ ସରକାର ରାଜି ହେବା କିଛି କମ୍ ଗୁରୁତ୍ୱପୂର୍ଣ୍ଣ ନୁହେଁ। ୮ ପୃଷ୍ଠାର ବିବୃତ୍ତିରେ ବାଜପେୟୀ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଯଦି ଦୁଇ ଦେଶ ମଧ୍ୟରେ ବିଶ୍ୱାସ ସୃଷ୍ଟି କରିବାକୁ ହୁଏ ତେବେ ଅସମାଧାନ ସୀମା ବିବାଦର ସନ୍ତୋଷଜନକ ସମାଧାନ ଜରୁରୀ। ବାଜପେୟୀଙ୍କ ଏହି ଗସ୍ତକୁ ଭାରତ-ଚୀନ ସମ୍ପର୍କରେ ବରଫ ତରଳିବା ପାଇଁ ଏକ ପଦକ୍ଷେପ ଭାବେ ବିବେଚନା କରାଯାଉଥିଲା।

ତେବେ ଏହି ସମୟରେ ଚୀନ ପୁଣି ଥରେ ପ୍ରତିବନ୍ଧକ ଲଗାଇଥିଲା। ବାସ୍ତବ ନିୟନ୍ତ୍ରଣ ରେଖାରେ ବିବାଦର ସମାଧାନ ପାଇଁ ଆଉ ୧୭ ଘଣ୍ଟିଆ ବୈଠକ ଶେଷ ହୋଇନଥିଲା। ସୀମା ବିବାଦକୁ ନେଇ ଦୁଇ ଦିନ ଧରି ଉଚ୍ଚସ୍ତରୀୟ ସାମରିକ ଆଲୋଚନା ଚାଲିଥିଲେ ମଧ୍ୟ ଚୀନ ପଛଘୁଞ୍ଚା ଦେବାକୁ ମନା କରିଦେଇଥିଲା। ପୂର୍ବ ଲଦାଖରେ ଚାଲିଥିବା ବିବାଦର କେତେକ ସ୍ଥାନରେ ଭାରତ ଓ ଚୀନ ସୈନିକଙ୍କ ମଧ୍ୟରେ ତିନି ବର୍ଷ ଧରି ମୁହାଁମୁହିଁ ପରିସ୍ଥିତି ଲାଗି ରହିଥିଲା। ବ୍ୟାପକ କୂଟନୈତିକ ଓ ସାମରିକ ଆଲୋଚନା ପରେ ଉଭୟ ପକ୍ଷ ବିଭିନ୍ନ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର କରିଥିଲେ। ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଡେପସାଙ୍ଗ ବିମାନ, ଦୌଲତ ବେଗ ଓଲ୍ଡି ଏବଂ ଡେମଚୋକରେ ପାଟ୍ରୋଲିଂ କରିବା ପାଇଁ ଭାରତୀୟ ସୈନ୍ୟଙ୍କ ଅଧିକାରରେ ଚୀନ ରାଜି ହୋଇନଥିଲା।

ଆଜି ସମଗ୍ର ଦେଶ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପଞ୍ଚମ ଶ୍ରାଦ୍ଧବାର୍ଷିକୀ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଦୈବ ଅଟଳ ଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଦିଲ୍ଲୀରେ ରହିଛି ‘ସଦୈବ ଅଟଳ’ ବାଜପେୟୀଙ୍କ ସ୍ମାରକୀ। ୨୦୧୮ ମସିହା ଆଜିର ଦିନରେ ଦିଲ୍ଲୀ ଏମ୍ସରେ ତାଙ୍କର ଦେହାନ୍ତ ହୋଇଥିଲା। ବାଜପେୟୀଙ୍କୁ ୨୦୧୫ରେ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନରେ ସମ୍ମାନିତ କରାଯାଇଥିଲା। ସେ ଭାରତୀୟ ଜନତା ପାର୍ଟିର ଅନ୍ୟତମ ପ୍ରତିଷ୍ଠାତା ଥିଲେ। ସେ ତିନି ଥର ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ। ୧୯୯୬ରେ ତାଙ୍କର ପ୍ରଥମ କାର୍ଯ୍ୟକାଳ ମାତ୍ର ୧୩ ଦିନ ଥିଲା। ଏହାପରେ ୧୯୯୮ରେ ସେ ପୁଣି ଥରେ ପ୍ରଧାନମନ୍ତ୍ରୀ ହୋଇଥିଲେ ଏବଂ ୧୩ ମାସ ପର୍ଯ୍ୟନ୍ତ ଏହି ପଦରେ ରହିଥିଲେ। ୧୯୯୯ରେ ସେ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ। ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟକାଳ ପୂରଣ କରିବାରେ ସେ ହେଉଛନ୍ତି ପ୍ରଥମ ଅଣକଂଗ୍ରେସ ନେତା।

ପଣ୍ଡିତ ନେହେରୁ ଆରମ୍ଭରୁ ଅଟଳ ବିହାରୀ ବାଜପେୟୀଙ୍କ ବକ୍ତୃତା କୌଶଳର ପ୍ରଶଂସକ ଥିଲେ। ବାଜପେୟୀଙ୍କ ମନରେ ତାଙ୍କ ପ୍ରତି ସମାନ ସମ୍ମାନ ଥିଲା। ପଣ୍ଡିତ ନେହେରୁଙ୍କ ଦେହାନ୍ତ ପରେ ଅଟଳ ବିହାରୀ ବାଜପେୟୀ କବିତା ମାଧ୍ୟମରେ ନେହେରୁଙ୍କୁ ଭାବପ୍ରବଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଅଟଳ କହିଥିଲେ, ଆଜି ଏକ ସ୍ୱପ୍ନର ଅନ୍ତ ଘଟିଛି। ଗୋଟିଏ ଗୀତ ନିରବ ହୋଇଗଲା । ସବୁଦିନ ପାଇଁ ନିଆଁ ଲିଭାଇ ଯାଇଥିଲା। ଅଟଳ କହିଥିଲେ ଯେ ଏହା ଏକ ଦୀପର ନିଆଁ ଥିଲା ଯାହା ସାରା ରାତି ଜଳୁଥିଲା । ସେ ସବୁ ଅନ୍ଧାରକୁ ସାମ୍ନା କରି ଆମକୁ ବାଟ ଦେଖାଇଲେ ।

Categories
ବିଶେଷ ଖବର ବ୍ୟକ୍ତିତ୍ୱ

ସଦୈବ ଅଟଳ: ଯାହାଙ୍କ ନିରବତା ଥିଲା ଶବ୍ଦଠାରୁ ଅଧିକ ଶକ୍ତିଶାଳୀ

ପୂର୍ଣ୍ଣଚନ୍ଦ୍ର ମଲ୍ଲିକ

ଅଟଳ ବିହାରୀ ବାଜପେୟୀ ଦେଶ, ଜାତି ଓ ସମାଜ ପାଇଁ ଏକ ସମର୍ପିତ ବ୍ୟକ୍ତିତ୍ୱ। ଏକାଧାରରେ ଜଣେ ସୃଜନଧର୍ମୀ କବି, ଉଚ୍ଚକୋଟୀର ସ୍ତମ୍ଭକାର, ପ୍ରଜ୍ଞାଦୀପ୍ତବାଗ୍ମୀ, ଜାତୀୟବାଦୀ ସାଂସଦ, ସର୍ବୋତ୍ତମ ଶାସକ ଓ ଜାତିପ୍ରାଣ ରାଷ୍ଟ୍ରନାୟକ। ଛାତ୍ରାବସ୍ଥାରେ ୧୯୩୯ରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଜଣେ ସ୍ୱୟଂସେବକ ଭାବେ ଯୋଗଦେଇଥିଲେ। ୧୯୪୦-୪୪ ଭିତରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରଶିକ୍ଷଣ ନେବାପରେ ୧୯୪୭ରେ ଜଣେ ପୂର୍ଣ୍ଣକାଳୀନ ପ୍ରଚାରକଭାବେ କାର୍ଯ୍ୟାରମ୍ଭ କରିଥିଲେ।

୧୯୪୨ରେ ଭାରତ ଛାଡ ଆନ୍ଦୋଳନରେ ଯୋଗଦେଇ ମାତ୍ର ଅଠର ବର୍ଷ ବୟସରେ ତାଙ୍କ ବଡଭାଇ ପ୍ରେମ କୁମାରଙ୍କ ସହିତ ସ୍ୱାଧୀନତା ଆନ୍ଦୋଳନରେ ଯୋଗଦେଇ କାରାବରଣ କରିଥିଲେ। ୧୯୫୧ରେ ଭାରତୀୟ ଜନସଂଘର ପ୍ରତିଷ୍ଠାତା ସଭାପତି ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଅନୁରୋଧ କ୍ରମେ ଗୁରୁଜୀ ମାଧବ ସଦାଶିବ ଗୋଲୱାଲ କରଙ୍କ ନିର୍ଦ୍ଦେଶକ୍ରମେ ସଂଘ କାର୍ଯ୍ୟରୁ ବିରତ ହୋଇ ପ୍ରତ୍ୟକ୍ଷ ରାଜନୀତିରେ ଯୋଗଦେଇଥିଲେ। ତାଙ୍କୁ ଭାରତୀୟ ଜନସଂଘର ରାଷ୍ଟ୍ରୀୟ ସଂପାଦକ ଦାୟିତ୍ୱ ଅର୍ପଣ କରାଯାଇଥିଲା। ୧୯୫୭ରେ ୩୩ବର୍ଷ ବୟସରେ ବଳରାମପୁର ଲୋକସଭା ଆସନରୁ ପ୍ରଥମ ଥର ପାଇଁ ସେ ନିର୍ବାଚିତ ହୋଇଥିଲେ। ଦୀର୍ଘ ୫୦ ବର୍ଷ ଧରି ସେ ସଂସଦର ସଦସ୍ୟ ଥିଲେ।

ଏପରିକି ୧୯୯୮ରେ ମଧ୍ୟ ଶ୍ରୀ ବାଜପେୟୀ ଲୋକସଭାକୁ ୯ଥର ଓ ରାଜ୍ୟସଭାକୁ ୨ଥର ନିର୍ବାଚିତ ହୋଇ ସଂସଦରେ ସର୍ବ ବୃହତ୍ତମ ଦଳରୂପେ ଉଭା ହୋଇ ପୁଣିଥରେ ପ୍ରଧାନମନ୍ତ୍ରୀ ହୋଇଥିବା ବେଳେ ଏଆଇଡିଏମଙ୍କ ସମର୍ଥନ ପ୍ରତ୍ୟାହାର କରିବାରୁ ତାଙ୍କୁ ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହେବାକୁ ପଡିଲା ଓ ସେ ପ୍ରଧାନମନ୍ତ୍ରୀ ପଦରୁ ଇସପ୍ତା ଦେଲେ। ଏହି ସମୟରେ କାରଗିଲ୍ ଯୁଦ୍ଧ ହୋଇଥିଲା ଏବଂ ଯୁଦ୍ଧପରେ ୨୦୦୦ ମସିହାର ସାଧାରଣ ନିର୍ବାଚନରେ ଏନଡିଏ ପୂର୍ଣ୍ଣ ବହୁମତ ପାଇଁ ବାଜପେୟୀ ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ ଏବଂ ଏହି ପଦରେ ସମୁଦାୟ ୬ବର୍ଷ ୬୪ ଦିନ ରହି ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥିଲେ।

ବାଜପେୟୀ ପ୍ରଧାନମନ୍ତ୍ରୀ ହେବାବେଳେ ତାଙ୍କ ସମ୍ମୁଖରେ ସବୁଠାରୁ ବଡ ଆହ୍ୱାନ ଥିଲା ଅର୍ଥନୈତିକ ବିକାଶ। ତେଣୁ ନରସିଂହ ରାଓ ଆରମ୍ଭ କରିଥିବା ଅର୍ଥନୈତିକ ସଂସ୍କାରକୁ ସେ ସଂପ୍ରାସାରିତ କରିବା ସହିତ ବିଭିନ୍ନ କ୍ଷେତ୍ରରେ ବିଦେଶୀ ପୁଞ୍ଜି ନିବେଶ ନିମନ୍ତେ ଅଧିକ ସୁଯୋଗ ସୃଷ୍ଟି କରିଥିଲେ। ଜାତୀୟ ରାଜପଥ ଉନ୍ନୟନ ପ୍ରକ୍ରିୟା, ସୂର୍ଣ୍ଣିମ ଚର୍ତୁଭୁଜ ଓ ପ୍ରଧାନମନ୍ତ୍ରୀ ସଡକ ଯୋଜନା ତାଙ୍କର ଭାରତକୁ ସବୁଠାରୁ ବଡ ଅବଦାନ। ଭାରତର ପ୍ରମୁଖ ଚାରୋଟି ମହାନଗରୀ-ଦିଲ୍ଲୀ, କଲିକତା, ଚେନ୍ନାଇ, ମୁମ୍ବାଇକୁ ପରସ୍ପର ସହିତ ଚାରି ଲେନ୍ ବିଶିଷ୍ଟ ରାଜପଥ ଦ୍ୱାରା ଯୋଡି ସେ ଏକ ଇତିହାସ ସୃଷ୍ଟି କରିଥିଲେ। ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଭାରତର ସବୁ ଗ୍ରାମକୁ ପକ୍କା ରାସ୍ତା ଦ୍ୱାରା ସଂଯୋଗ କରିବା ପାଇଁ ଏକ ଅବିଶ୍ୱାସ୍ୟ ଓ ଅକଳ୍ପନୀୟ ସ୍ୱପ୍ନ ଦେଖିଥିଲେ ଯାହା ଆଜି ବାସ୍ତବତାରେ ପରିଣତ ହୋଇଛି ଏବଂ ଭାରତବର୍ଷର ସବୁ ଗ୍ରାମ ପଞ୍ଚାୟତରେ ପକ୍କା ରାସ୍ତା ନିର୍ମିତ ହୋଇପାରିଛି ତଥା ମଣ୍ଡଳ ମୁଖ୍ୟାଳୟ ସହ ସଂଯୋଗ ସମ୍ଭବ ହୋଇଛି । ତାଙ୍କରି କାର୍ଯ୍ୟକାଳ ମଧ୍ୟରେ ସ୍ୱାଧୀନତା ଠାରୁ ୧୯୯୮ ଭିତରେ ନିର୍ମାଣ ହୋଇଥିବା ରାଜପଥର ଦୈର୍ଘ୍ୟ ଦ୍ୱିଗୁଣିତ ହୋଇପାରିଥିଲା।

ବାଜପେୟୀ ‘ଶକ୍ତି ସେ ଶାନ୍ତି’ ନୀତିରେ ବିଶ୍ୱାସ କରୁଥିଲେ। ଆମେରିକା ଓ ରୁଷ ଭଳି ବୃହତମ ଦେଶମାନେ ନିଜର ସାମରିକ ଶକ୍ତି ଦ୍ୱାରା ଆର୍ନ୍ତଜାତିକ କ୍ଷେତ୍ରରେ ଶାନ୍ତି ପ୍ରତିଷ୍ଠା ନୀତି ଗ୍ରହଣ କରିଥିଲେ। ସେହିଭଳି ଭାରତ ଶକ୍ତିଶାଳୀ ହେବା ଦ୍ୱାରାହିଁ ପଡୋଶୀ ରାଷ୍ଟ୍ରମାନଙ୍କ ସହିତ ଶାନ୍ତି ପ୍ରତିଷ୍ଠା କରିବାକୁ ସକ୍ଷମ ହେବ ବୋଲି ସେ ବିଶ୍ୱାସ କରୁଥିଲେ। ତେଣୁ ୧୯୯୮ ମେ ମାସରେ ରାଜସ୍ଥାନର ପୋଖରାନରେ ସେ ପରମାଣୁ ପରୀକ୍ଷଣ କରିଥିଲେ।

ବୈଦେଶିକ ନୀତିରେ ଯଥା ସମ୍ଭବ ଉନ୍ନତି ଘଟାଇ ସେ ଚୀନ୍ ସହିତ କୁଟନୈତିକ ବୁଝାମଣା କରିବା ସହିତ ବାଣିଜ୍ୟ କ୍ଷେତ୍ରରେ ଦୃଢ ସମ୍ପର୍କ ସ୍ଥାପନ କରିବାକୁ ସମର୍ଥ ହୋଇଛନ୍ତି। ଚୀନ ସିକିମକୁ ଭାରତର ଅଙ୍ଗ-ରାଜ୍ୟରୂପେ ସ୍ୱୀକୃତି ଦେଇଛି। ସେହିପରି ଇସ୍ରାଏଲ୍ ସହିତ ମଧ୍ୟ ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ରାଜିନାମା କରିବାକୁ ସେ ସମର୍ଥ ହୋଇଥିଲେ। ଏହାଦ୍ୱାରା ଆତଙ୍କବାଦ ବିରୁଦ୍ଧରେ ଲଢିବା ପାଇଁ ପାରସ୍ପରିକ ସହଯୋଗ ଓ ବିଭିନ୍ନ ଜ୍ଞାନ କୈାଶଳରେ ହସ୍ତାନ୍ତର ସମ୍ଭବ ହୋଇପାରିଥିଲା। ପୋଖରାନ୍ ଠାରେ ପରମାଣୁ ପରୀକ୍ଷଣ କରିବାରୁ ଆମେରିକା ଓ ତାହାର ସହଯୋଗୀ ରାଷ୍ଟ୍ରମାନେ ଭାରତ ଭାରତ ବିରୁଦ୍ଧରେ ଅର୍ଥନୈତିକ ବାସନ୍ଦ ଜାରି କରିଥିଲେ ମଧ୍ୟ ତାଙ୍କରି କାର୍ଯ୍ୟକାଳ ଭିତରେ ଦୀର୍ଘ ୧୪ ମାସ ପରେ ଆମେରିକା ସମ୍ପର୍କରେ ଉନ୍ନତି ଘଟିଥିଲା। ୨୦୦୧ ସେପ୍ଟେମ୍ବର ୧୧ ତାରିଖରେ ଆମେରିକା ଉପରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ, ତାଲିବାନ ଓ ଅଲକାଇଦା ବିରୁଦ୍ଧରେ ଭାରତ ଆମେରିକାର  ଏକ ବଡ ସହଯୋଗୀ ରାଷ୍ଟ୍ରରୂପେ ଆମେରିକାକୁ ବିଭିନ୍ନ ଲକ୍ଷ୍ୟ ସାଧନ ଦିଗରେ ସହାୟତା ପ୍ରଦାନ କରିବାକୁ ସମର୍ଥ ହୋଇଥିଲା।

୧୯୯୯ରେ ସମସ୍ତ ପ୍ରକାର ଦ୍ୱିପାକ୍ଷିକ ସମ୍ପକେ ଉଲଂଘନ କରି ମୁସାରଫଙ୍କ ନିର୍ଦ୍ଦେଶକ୍ରମେ କାରଗିଲ୍ କ୍ଷେତ୍ରରେ ପାକିସ୍ଥାନୀ ସୈନ୍ୟମାନେ ନିୟନ୍ତ୍ରଣ ରେଖା ଅତିକ୍ରମ କରି ଭାରତର ଅଞ୍ଚଳକୁ ଦଖଲକୁ ନେଇଥିଲେ। ଶାନ୍ତିପ୍ରିୟ ବାଜପେୟୀ ଏହାର କଠୋର ଜବାବ୍ ଦେଇ ଅପେରେସନ୍ ବିଜୟ ଆରମ୍ଭ କରି ପାକିସ୍ଥାନର ସୈନ୍ୟମାନଙ୍କୁ ପୁଣି ପଛକୁ ହଟାଇ ନିୟନ୍ତ୍ରଣ ରେଖାଠାରେ ଭାରତର ବିଜୟ ପତାକା ଉଡାଇଥିଲେ।

ବିଜେପି ନେତୃତ୍ୱରେ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଏନଡିଏ ସରକାର ଦେଶର ତଫସିଲ୍ ଭୁକ୍ତ ଜାତି ଓ  ଉପଜାତି ମାନଙ୍କ ଉନ୍ନତି ପାଇଁ ଯାହା କରିଛନ୍ତି ତାହା ଅନନ୍ୟ ଓ ଅଭୂତପୂର୍ବ ତାର ସବୁଠାରୁ ବଡ ଉଦାହରଣ ହେଲା। ୧୯୯୯ରେ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟକୁ ପୁର୍ନଗଠନ କରି ଦେଶରେ ସ୍ୱତନ୍ତ୍ରଭାବେ ଏକ ‘ଆଦିବାସୀ ଉନ୍ନୟନ ମନ୍ତ୍ରଣାଳୟ’ ଗଠନ।

ବାଜପେୟୀଙ୍କ ଆଦର୍ଶ ଓ ଗଣତନ୍ତ୍ର ପ୍ରତି ନିଷ୍ଠା ସବୁକାଳ ଲାଗି ତାଙ୍କ ଶାସନ କାଳକୁ ଭାରତବର୍ଷ ଇତିହାସରେ ଏକ ସୂର୍ଣ୍ଣିମ ଅଧ୍ୟାୟ ରୂପେ ଲିପିବଦ୍ଧ କରି ରଖିବ ଏଥିରେ ସନ୍ଦେହ ନାହିଁ। ୨୪ଟି ରାଜନୈତିକ ଦଳକୁ ନେଇ ଭାରତଭଳି ବହୁ ଭାଷିକ ଓ ବହୁମତବାଦୀ ଦେଶରେ ସେ ସ୍ୱଚ୍ଛ ଶାସନ ଦେବା ସହିତ କେତେ ଗୁଡିଏ ଐତିହାସିକ ପଦକ୍ଷେପ ନେଇ ଭାରତର ସର୍ବକାଳୀନ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ ରୂପେ ନିଜକୁ ପ୍ରତିଷ୍ଠା କରିପାରିଥିଲେ।