Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ସରକାରୀ ସ୍ତରରେ ଥିବା ଡେରାଘରଗୁଡିକୁ ଜବରଦଖଲ ହେଉଥିବା ଅଭିଯୋଗ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ଗଡଜାତ ସମୟରେ ରାଜସ୍ୱ ଆଦାୟ କିମ୍ବା ଅନ୍ୟାନ୍ୟ ରାଜକୀୟ କାର୍ଯ୍ୟ ପାଇଁ ବିଭିନ୍ନ ଗ୍ରାମକୁ ତତ୍କାଳୀନ ପ୍ରଶାସନିକ ପଦାଧିଧିକାରୀମାନେ ଦୌରାରେ ଯାଉଥିବା ବେଳେ ଯେଉଁ ଘରେ ଡେରା ପକାଉଥିଲେ ସେହି ଘରକୁ ଡେରାଘର ଆଖ୍ୟା ଦିଆଯାଇଥିବା ପ୍ରକାଶ। ସ୍ୱାଧିନତା ପରେ ମଧ୍ୟ ସେହି ଘରସବୁ ଡେରାଘର ଆଖ୍ୟା ଦିଆଯାଇ ବନ୍ଦୋବସ୍ତରେ ସରକାରୀ ଖାତାରେ ଡେରାଘର ବୋଲି ସ୍ୱତନ୍ତ୍ର ଭାବେ ଉଲ୍ଲେଖ କରାଯାଇଥିବା ପ୍ରକାଶ।

ପରବର୍ତ୍ତୀ ପର୍ଯ୍ୟାୟରେ ଏହି ଡେରାଘରେ ସରକାରୀ ପଦାଧରକାରୀ, ରାଜସ୍ୱ ଅଧରକାରୀ ମାନେ ମଧ୍ୟ କ୍ୟାମ୍ପ କରି ସରକାରୀ ରାଜସ୍ୱ ଆଦାୟ କରିଆସୁଥିଲେ। ସମୟକ୍ରମେ ରାଜସ୍ୱ ସର୍କଲ ସବୁ ଛୋଟ ଛୋଟ ହୋଇଯାଇଥିବା ହେତୁ ଏବଂ ଅନଲାଇନ ବ୍ୟବସ୍ଥା ହୋଇଯାଇଥିବା ହେତୁ ଏବେ ସରକାରୀ ବାବୁ ମାନଙ୍କ କ୍ୟାମ୍ପ ପ୍ରାୟତଃ ଆବଶ୍ୟକ ପଡୁନଥିବା ବେଳେ ସେହି ଡେରାଘରଗୁଡିକ ଜବରଦଖଲ ହୋଇଯାଉଥିବା ଅଭିଯୋଗ ହେଉଛି।

ଅନେକ କ୍ଷେତ୍ରରେ ସଂପୃକ୍ତ ଆରଆଇ ମାନଙ୍କ ଜାଣତରେ କିମ୍ବା ସ୍ଥାନୀୟ ନିର୍ବାଚିତ ପ୍ରତିନିଧିମାନଙ୍କ ଇଶାରାରେ କିଛି ପ୍ରଭାବଶାଳୀ ନ୍ୟସ୍ତସ୍ୱାର୍ଥବାଦୀ ବ୍ୟକ୍ତି ସେହି ଡେରାଘରଗୁଡିକୁ ମାଡିବସିଥିବା ଅଭିଯୋଗ ହେଉଛି। ସେହି ପ୍ରଭାବଶାଳୀ ବ୍ୟକ୍ତି ମାନଙ୍କ ଭୟରେ କେହି ପାଟି ଫିଟାଉନଥିବା ଜଣାପଡିଛି।

କେତେକ କ୍ଷେତ୍ରରେ ସଂପୃକ୍ତ ଆରଆଇ ଓ ସ୍ଥାନୀୟ ପଂଚାୟତ ପ୍ରତିନିଧିମାନେ ଯଥେଷ୍ଟ କିକବେକ ମାଧ୍ୟମରେ ପାଖ ପ୍ଲଟକୁ କାଗଜପତ୍ରରେ ଦେଖାଇ ସେହି ଡେରାଘର ଜାଗାରେ ସରକାରୀ ଅନୁଦାନରେ ଆବାସ ଯୋଜନା ଘର ନିର୍ମାଣ କରାଇଥିବା ମଧ୍ୟ ଅଭିଯୋଗ ହେଉଛି।

ଏସଂପର୍କରେ ଯେହେତୁ ଆରଆଇ ମାନେ ସଂଶ୍ଲିଷ୍ଟ ହୋଇ କିକବେକ ନେଉଥିବା ଅଭିଯୋଗ ହେଉଛି ତେଣୁ ରାଜସ୍ୱ ବିଭାଗ ସବୁ ଜାଣି ନଜାଣିଲା ପରି ରହୁଥିବା ସାଧାରଣରେ ଆଲୋଚନା ହେଉଛି।

ଏ ସଂପର୍କରେ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ସରକାରୀ ଖାତାରେ ଥିବା ଡେରାଘର ଗୁଡିକ ତୁରନ୍ତ ଜବରଦଖଲ ମୁକ୍ତ କରାଯାଇ ସର୍ବସାଧାରଣରେ ବିନିଯୋଗ ହେବା ବ୍ୟବସ୍ଥା କରିବାକୁ ସାଧାରଣରେ ଦାବୀ ହେଉଛି।