Categories
ଜାତୀୟ ଖବର ବିଶେଷ ଖବର

ନାରୀ ନେତ୍ରୀମାନେ ଗ୍ରାମୀଣ ଭାରତରେ ଆଣୁଛନ୍ତି ପରିବର୍ତ୍ତନର ହାୱା

ବିନି ମହାଜନ, ସଚିବ, ପାନୀୟଜଳ ଓ ସ୍ୱଚ୍ଛତା ବିଭାଗ

ନାରୀ ନେତ୍ରୀମାନେ ଦେଶର ଗ୍ରାମାଞ୍ଚଳରେ ସ୍ୱଚ୍ଛ ଭାରତ ଅଭିଯାନରେ ବିପୁଳ ସାହାଯ୍ୟ ସହଯୋଗ ଯୋଗାଉଛନ୍ତି। ସେମାନଙ୍କ ଉଦ୍ୟମ କ୍ରମେ ଲୋକଙ୍କ ଅଭ୍ୟାସ ଓ ବ୍ୟବହାରରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିବା ସହିତ ଅନ୍ୟମାନେ ଏ କ୍ଷେତ୍ରରେ ଅନୁପ୍ରାଣିତ ହୋଇ ସ୍ୱଚ୍ଛତାକୁ ନିଜ ଜୀବନରେ ଗୁରୁତ୍ୱ ପ୍ରଦାନ କରୁଛନ୍ତି।

ଏହା ନାରୀ ସଶକ୍ତିକରଣର ଯୁଗ। ସୁତରାଂ ଆମ ସମାଜରେ ମହିଳାମାନଙ୍କର ଶକ୍ତି ଓ ସାମର୍ଥ୍ୟକୁ ସ୍ୱୀକୃତି ପ୍ରଦାନ କରିବାର ଏହା ପ୍ରକୃଷ୍ଠ ସମୟ। ଯେଉଁ ମହିଳାମାନେ କ୍ରୀଡା, ରାଜନୀତି , ସିନେମା, ପ୍ରତିରକ୍ଷାବାହିନୀ, କମ୍ପାନୀ ବ୍ୟବସାୟ ଓ ଅନ୍ୟାନ୍ୟ କ୍ଷେତ୍ର ସହିତ ସମ୍ପୃକ୍ତ କେବଳ ସେମାନେ ନୁହଁନ୍ତି, ଏସବୁ କ୍ଷେତ୍ର ବାହାରେ ଥିବା ଦେଶର ଅଗଣିତ ସାଧାରଣ ନାରୀ ଯେଉଁମାନେ ଗ୍ରାମଞ୍ଚଳରେ ଅଛନ୍ତି ଏବଂ ପୁରୁଷମାନଙ୍କ ସହିତ ସମାନ ଅଧିକାର ଓ ସୁବିଧା ସୁଯୋଗ ନ ପାଇ ମଧ୍ୟ ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନର ବାହକ ହୋଇଛନ୍ତି ସେମାନଙ୍କ ଶକ୍ତି ଓ ସାମର୍ଥ୍ୟକୁ ସ୍ୱୀକୃତି ଦେବାର ଯଥାର୍ଥତା ରହିଛି। ଗ୍ରାମଞ୍ଚଳରେ ଏବେ ସ୍ୱଚ୍ଛ ଭାରତ ମିଶନର ଯେଉଁ ସଫଳ କାର୍ଯ୍ୟକାରିତା ସମ୍ଭବ ହୋଇଛି ତା ପଛରେ ରହିଛି ଏହି ଗ୍ରାମୀଣ ମହିଳାଙ୍କ ଅବଦାନ।

ପାନୀୟ ଜଳ ଓ ସ୍ୱଚ୍ଛତା ବିଭାଗର ଏକ ଅଂଶବିଶେଷ ଭାବେ ମୋତେ ଏହି ପରିବର୍ତ୍ତନ ଦେଖିବାର ସୁଯୋଗ ମିଳିଛି। ଗ୍ରାମୀଣ ସ୍ୱଚ୍ଛ ଭାରତ ମିଶନ (ଏସବିଏମ୍‌ଜି) ଏବେ ଦ୍ୱିତୀୟ ପର‌୍ୟ୍ୟାୟରେ ପହଞ୍ଚିଛି। ଏହାର ପ୍ରଥମ ପର‌୍ୟ୍ୟାୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୨୦୧୪ ଅକ୍ଟୋବର ୨ତାରିଖରେ ଆରମ୍ଭ ହୋଇଥିଲା। ଏହାର ପ୍ରମୁଖ ଲକ୍ଷ୍ୟ ଥିଲା ଏକ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଭାରତର ଲୋକମାନଙ୍କୁୁ ବାହାରେ ମଳତ୍ୟାଗ କରିବା ଅଭ୍ୟାସରୁ ମୁକ୍ତ କରିବା। ସରଳ ଅର୍ଥରେ ସମସ୍ତଙ୍କୁ ଶୌଚାଳୟ ମୁହାଁ କରାଇବା।

ଗ୍ରାମୀଣ ସ୍ୱଚ୍ଛ ଭାରତ ମିଶନର ଦ୍ୱିତୀୟ ପର‌୍ୟ୍ୟାୟର ଲକ୍ଷ୍ୟ ହେଲା ବାହ୍ୟମଳ ତ୍ୟାଗମୁକ୍ତ ସ୍ଥିତିକୁ ବଜାୟ ରଖିବା ସହିତ କଠିନ ଓ ତରଳ ବର୍ଜ୍ୟର ଉପଯୁକ୍ତ ପରିଚାଳନା କରିବା। ଏଥିରେ ଗୋବର୍ଦ୍ଧନ ସହିତ ପ୍ରାକୃତିକ ଉପାୟରେ ନଷ୍ଟ ହୋଇପାରୁଥିବା ବର୍ଜ୍ୟର ପରିଚାଳନା ବା ବାୟୋ ଡିଗ୍ରେଡେବୁଲ ୱେଷ୍ଟ ମ୍ୟାନେଜମେଣ୍ଟ, ଘରୁ ନିର୍ଗତ ହେଉଥିବା ମହିଳା ପାଣି, ମଳ ଓ ଆବର୍ଜନା ଆଦିର ପରିଚାଳନା ଏବଂ ଚତୁର୍ଦ୍ଦିଗ ସଫାସୁତୁରା ଆଦି ଅନ୍ତର୍ଭୁକ୍ତ ।

ଗ୍ରାମୀଣ ସ୍ୱଚ୍ଛ ଭାରତ ମିଶନର ପ୍ରମୁଖ ଲକ୍ଷ୍ୟ କେବଳ ଲୋକଙ୍କ ଘରେ ବ୍ୟକ୍ତିଗତ ଭାବେ ଶୌଚାଳୟ ନିର୍ମାଣ ଏବଂ ସେଥିପାଇଁ ପାଣ୍ଠି ଯୋଗାଣ ନୁହେଁ। ଏହାର ଅସଲ ଉଦ୍ଦେଶ୍ୟ ହେଲା ସାମଗ୍ରିକ ଭାବେ ଲୋକଙ୍କ ଅଭ୍ୟାସ ଓ ବ୍ୟବହାରରେ ଏକ ପରିବର୍ତ୍ତନକୁ ସୁନିଶ୍ଚିତ କରିବା। ସୁତରାଂ ଏହି ବୃହତ୍ ଲକ୍ଷ୍ୟ ହାସଲ ଦିଗରେ ଆମେ ଗୋଷ୍ଠୀ ନେତୃତ୍ୱରେ ପରିଚାଳିତ ସମଗ୍ର ସ୍ୱଚ୍ଛତା (ସିଏଲ୍‌ଟିଏସ୍‌) ରଣନୀତି ଉପରେ ଗୁରୁତ୍ୱ ଦେଉଛୁ।

ଏହି ଆଭିମୁଖ୍ୟ ବା ରଣନୀତି ବେଶ୍ ପରୀକ୍ଷିତ ଏବଂ ବିଗତ ୧୫ରୁ ୨୦ ବର୍ଷ ଧରି ବିଭିନ୍ନ ଦେଶରେ କାର‌୍ୟ୍ୟକାରୀ ହେବା ସହିତ ସଫଳ ପ୍ରମାଣିତ ହୋଇଛି । ଏହି ସିଏଲ୍‌ଟିଏସ୍ ରଣନୀତି ଗୋଷ୍ଠୀ ଭିତରେ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରେ ଏବଂ ସମାଧାନ ସୂତ୍ର ବାହାର କରି ଲକ୍ଷ୍ୟ ହାସଲରେ ସହାୟକ ହୋଇଥାଏ। ଏଥିରେ ସ୍ଥାନୀୟ ମହିଳାମାନେ ସେମାନଙ୍କ ପ୍ରତି ଆଦିମ କାଳରୁ ହୋଇ ଆସୁଥିବା ଅବିଚାର, ଅନ୍ୟାୟ ଓ ପାତରଅନ୍ତର ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ସୁଯୋଗ ପାଇଥାନ୍ତି।

ଆମ ଦେଶର ଗ୍ରାମାଞ୍ଚଳରେ ରାତି ପାହାନ୍ତାରୁ ଉଠି ଖୋଲା ପଡିଆକୁ ମଳତ୍ୟାଗ କରିବାକୁ ଯିବାର ଅସୁବିଧା ଏବଂ ଋତୁସ୍ରାବ ଓ ଗର୍ଭଧାରଣ ସମୟରେ ଏ କାମ ଆହୁରି କେତେ ଯେ କଷ୍ଟସାଧ୍ୟ ସେ କଥା କେବଳ ଅନୁଭବୀ ମହିଳାମାନେ ହିଁ ଜାଣନ୍ତି। ଦିନରାତି, ଖରାବର୍ଷା, ଶୀତ କାକର ନିର୍ବିଶେଷରେ ମହିଳାମାନେ ମଳତ୍ୟାଗ କରିବାକୁ ଖୋଲା ପଡିଆକୁ ଦୌଡିବାକୁ ବାଧ୍ୟ ହୋଇଥାନ୍ତି । ଘରେ ଶୌଚାଳୟର ଅଭାବ ଯୋଗୁଁ ମହିଳାମାନଙ୍କର ନିରାପତ୍ତା ଓ ଏକାନ୍ତତା କେବଳ କ୍ଷୂଣ୍ଣ ହୋଇ ନ ଥାଏ, ଏହା ଦ୍ୱାରା ମଧ୍ୟ ସେମାନଙ୍କର ମୌଳିକ ଅଧିକାର ଉପରେ ଆକ୍ରମଣ ହୋଇଥାଏ।

ମହିଳାମାନେ ଓଡିଏଫ ଅଭିଯାନର ସର୍ବବୃହତ୍ ହିତାଧିକାରୀ, ସେଥିପାଇଁ ଅଧିକରୁ ଅଧିକ ମହିଳା ଏହି ଅଭିଯାନରେ ସାମିଲ ହେବା ସହିତ ଏହାର ନେତୃତ୍ୱ ନେଇ ଏହାର ସଫଳତାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରୁଛନ୍ତି। ସାମୁହିକ ଅଭ୍ୟାସ ପରିବର୍ତ୍ତିତ ପ୍ରକ୍ରିୟାରେ ୩୦ରୁ ୪୦ ଶତାଂଶ ସ୍ୱେଚ୍ଛାଗ୍ରହୀ ମହିଳା ଉଲ୍ଲେଖନୀୟ କାର‌୍ୟ୍ୟ କରିଥାନ୍ତି। ସେମାନେ ହିଁ ଏହି ପ୍ରକ୍ରିୟାର ସ୍ୱାଭାବିକ ନେତ୍ରୀ ପାଲଟିଥାନ୍ତି।

ମହିଳା ତଦାରଖକାରୀ ସମିତି (ମହିଳା ନିଗ୍ରାନି ସମିତି)ର କାମ ହେଲା ଖୋଲାରେ ମଳତ୍ୟାଗକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବା କଥା ଦେଖିବା। ପ୍ରାଥମିକ ମହିଳା ନେତ୍ରୀମାନେ ଏହି ଦାୟିତ୍ୱ ନିର୍ବାହ କରୁଥିବାବେଳେ ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀ, ମହିଳା ସାମଖ୍ୟ ଗୋଷ୍ଠୀ, ଏଥିରେ ସାମିଲ ହୋଇ ଅନ୍ୟାନ୍ୟ ଆନୁଷଙ୍ଗିକ କାର‌୍ୟ୍ୟରେ ଭଲମନ୍ଦ ଦେଖିଥାନ୍ତି। ପଞ୍ଜାୟତିରାଜ ବ୍ୟବସ୍ଥାରେ ନିର୍ବାଚିତ ମହିଳା ପ୍ରତିନିଧିମାନେ ଏଥିରେ ଅନେକ ସ୍ଥାନରେ ସକ୍ରିୟ ଭୂମିକା ନିର୍ବାହ କରିବାରେ ନଜରି ରହିଛି।

ତେଣୁ ଏହା ନିଃସନ୍ଦେହରେ କୁହାଯାଇ ପାରେ ଯେ ମହିଳାମାନଙ୍କର ସମ୍ପୃକ୍ତ ଗ୍ରାମୀଣ ସ୍ୱଚ୍ଛ ଭାରତ ମିଶନକୁ ଅପେକ୍ଷାକୃତ ଭାବେ ପୂର୍ବ ସ୍ୱଚ୍ଛତା ଅଭିଯାନ ତୁଳନାରେ ଅଧିକ ସଫଳ କରିଛି। ଏକ ଗୋଷ୍ଠୀ ଦ୍ୱାରା ସମରô୍ଥତ ମହିଳା ନେତ୍ରୀମାନେ ପୁରୁଷ ପ୍ରଧାନ ସମାଜରେ ମଧ୍ୟ ଗୋଷ୍ଠୀଗତ ଆଚରଣ ଓ ଅଭ୍ୟାସ ପରିବର୍ତ୍ତନରେ ଅତି ଉତ୍ତମ ସଫଳତା ହାସଲ କରୁଛନ୍ତି। ପୁରୁଷ ପ୍ରଧାନ ସମାଜ ମହିଳାଙ୍କୁ ପ୍ରାଧାନ୍ୟ ଓ ଗୁରୁତ୍ୱ ସହଜରେ ଦିଏ ନାହିଁ। ତା’ ସତ୍ତ୍ୱେ ମହିଳାମାନେ ଏ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବା ଅର୍ଥ ସେମାନଙ୍କ ନେତୃତ୍ୱ ପ୍ରତି ଉଭୟ ପୁରୁଷ ଓ ସମାଜର ଆସ୍ଥା ବଢୁଛି।

କେରଳର ତ୍ରିଚି ଜିଲ୍ଲା ପୁଲ୍ଲମ୍ବାଡି ବ୍ଲକ ଅନ୍ତର୍ଗତ କୋବଳକୁରିଚି ପଞ୍ଚାୟତର ମହିଳା ଟି.ଏମ୍ ଗ୍ରେସୀ ହେଲେନ୍ ଜଣେ ଆଦର୍ଶ ସ୍ୱେଚ୍ଛାଗ୍ରହୀଙ୍କ ଉତ୍କୃଷ୍ଟ ଉଦାହରଣ। ତାଙ୍କ ନେତୃତ୍ୱରେ ଅନେକ ମହିଳା ଅନୁପ୍ରାଣିତ ହୋଇ ବେଶ୍ କିଛି ପରିବର୍ତ୍ତନ ଆଣିପାରିଛନ୍ତି। ସେ ନିଜ ଗୋଷ୍ଠୀ ଭିତରେ ଓ ବାହାରେ ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି। ଏକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ଭାବେ ସେ ବିଗତ ଦୁଇ ଦଶନ୍ଧିରୁ ଅଧିକ କାଳ ଧରି କାମ କରିଆସୁଛନ୍ତି। ତାଙ୍କ ସ୍ୱୟଂ ସହାୟିକା ଗୋଷ୍ଠୀ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ରକ୍ଷା ଓ ସ୍ୱଚ୍ଛତା କ୍ଷେତ୍ରରେ କାମ କରୁଛି।

୨୦୧୫ରେ ତାଙ୍କୁ ସାନିଟେସନ ମାଷ୍ଟର ଟ୍ରେନର ଭାବେ ପଦୋନ୍ନତି ମିଳିଥିଲା। ନିଜ ଜିଲ୍ଲାରେ ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟରକ୍ଷା କ୍ଷେତ୍ରରେ ଗୋଷ୍ଠୀ ସହଯୋଗର ଉଲ୍ଲେଖନୀୟ କାର‌୍ୟ୍ୟ ପାଇଁ ତାଙ୍କୁ ଆଦର୍ଶ ମୋଟିଭେଟର ଆଖ୍ୟା ମିଳିଛି। ସ୍ୱଚ୍ଛ ଭାରତ ମିଶନରେ ପ୍ରଥମ ପର‌୍ୟ୍ୟାୟ ଅବସରରେ ସେ ନିଜ ବ୍ଲକର ୧୫୨୦ଜଣ ହିତାଧିକାରୀଙ୍କୁ ଟ୍ୱାଇନ ପିଟ୍ ଟଏଲେଟ୍ ତିଆରି କରିବାକୁ ଉତ୍ସାହିତ କରିଥିଲେ।

ଏହି ପ୍ରକ୍ରିୟାରେ ତାଙ୍କ ନିଜ ପଞ୍ଚାୟତର ପ୍ରତ୍ୟେକ ପରିବାର ଏହି ଶୌଚାଳୟ ସୁଯୋଗ ଉପଯୋଗ କରି ବାହ୍ୟମଳ ମୁକ୍ତ ମର‌୍ୟ୍ୟାଦା ହାସଲ କରିଥିଲା । ଏଥିରେ ଗ୍ରେସୀଙ୍କର ଆତ୍ମବିଶ୍ୱାସ, ପରିଶ୍ରମ, ନିଷ୍ଠା, ଲୋକଙ୍କୁ ବୁଝାଇବାର ଶକ୍ତି ଓ ଧୈର‌୍ୟ୍ୟ ଏବଂ ସର୍ବୋପରି ତାଙ୍କ ପ୍ରେରଣାଦାୟୀ କଥାବାର୍ତ୍ତାର ଭୂମିକା ଥିଲା ଅଧିକ। ଏହା ଫଳରେ ତାଙ୍କ ପଞ୍ଚାୟତ, ବ୍ଲକ ଓ ଜିଲ୍ଲା ଓଡିଏଫ ମାନ୍ୟତା ବିଜାୟ ରଖି ସ୍ୱଚ୍ଛତା କ୍ଷେତ୍ରରେ ଆଗକୁ ବଢିବାରେ ଏକ ନୂଆ ସଫଳତା ପାଇଥିଲା।

ଜଣେ ରାଜ୍ୟସ୍ତରୀୟ ମାଷ୍ଟର ଟ୍ରେନର ହୋଇଥିବାରୁ ସେ ୨୦୦୦ରୁ ଅଧିକ ମୋଟିଭେଟର୍ସଙ୍କୁ ଉପଯୁକ୍ତ ତାଲିମ ପ୍ରଦାନ କରିଛନ୍ତି। ଏଥିରେ ଅଛନ୍ତି ପଞ୍ଚାୟତିରାଜ ପ୍ରତିଷ୍ଠାରେ ପ୍ରତିନିଧି, ଗ୍ରାମ୍ୟ ଦାରିଦ୍ର‌୍ୟ ହ୍ରାସକରଣ କମିଟି ସଦସ୍ୟ, ଏସ୍‌ଏଚ୍‌ଚି ସଦସ୍ୟ ଓ ବିଭିନ୍ନ ଜିଲ୍ଲା ସ୍ତରୀୟ କମିଟିର ସଭ୍ୟ।

ଶ୍ରୀମତୀ ଏସ ଇ ପଂଘତେ ଆଉ ଜଣେ ସାଧାରଣ ମହିଳା ଯେ ଗ୍ରାମୀଣ ସ୍ୱଚ୍ଛ ଭାରତ ଅଭିଯାନରେ ଅସାଧାରଣ ଭୂମିକା ନିର୍ବାହ କରିଛନ୍ତି। ସେ ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲା ଅନ୍ତର୍ଗତ କୋରପଣା ତାଲୁକର ପିମ୍ପିଲଗାଁର ଅଧିବାସୀ। ତାଙ୍କର ପ୍ରତ୍ୟକ୍ଷ ନେତୃତ୍ୱ ତଥା ଦିଗ୍‌ଦର୍ଶନରେ ୨୧ଖଣ୍ଡ ଆଦିବାସୀ ଗାଁ ଓଡିଏଫ ମାନ୍ୟତା ପାଇଛି । ସେ ପ୍ରଥମ ଏସବୁ ଗାଁର ଗ୍ରାମୀଣ ଅଧିକାରୀଙ୍କ ସହିତ ଯୋଗାଯୋଗ ସ୍ଥାପନ କରି ସେସବୁ ଗାଁକୁ ସ୍ୱଚ୍ଛ ଏବଂ ବାହାରେ ମଳତ୍ୟାଗ ମୁକ୍ତ କରିବାକୁ ପ୍ରସ୍ତାବ ଦେଇଥିଲେ।

ଏହା ପରେ ସମ୍ପୃକ୍ତ ଗାଁର କିଛି ଉତ୍ସାହୀ ପୁରୁଷ ଓ ମହିଳାଙ୍କୁ ଧରି ସେ ସ୍ୱଚ୍ଛତାର ବାର୍ତ୍ତା ପ୍ରଚାର କରିବା ସହିତ ସବୁ ପରିବାରେ ଶୌଚାଳୟ ସ୍ଥାପନ ଉଦ୍ୟମ ଆରମ୍ଭ କଲେ। କ୍ରମଶଃ ତାଙ୍କ ଅଭିଯାନ ସମ୍ପୃକ୍ତ ଗାଁରେ ଏକ ଆନ୍ଦୋଳନର ରୂପ ନେଇଥିଲା। ଯେଉଁ ପରିବାରର ଶୌଚାଳୟ ନ ଥିଲା ସେସବୁ ପରିବାରକୁ ପଂଘତେ ନିଜେ ବ୍ୟକ୍ତିଗତ ଭାବେ ଯାଇ ସେମାନଙ୍କୁ ବୁଝାସୁଝା କରି ଶୌଚାଳୟ ସ୍ଥାପନ କରିବାକୁ ରାଜି କରାଉଥିଲେ। ଲୋକଙ୍କୁ ବୁଝାଇ, ପ୍ରବର୍ତ୍ତାଇ ସେମାନଙ୍କ ଅଭ୍ୟାସ ବଦଳଇବା ସହ ଗାଁ ଗୁଡିକରେ ଖୋଲାରେ ମଳତ୍ୟାଗ କରିବା ପରମ୍ପରାର ଅବସାନ ଘଟାଇଥିଲେ। ସେ ମଧ୍ୟ ନିଜ ପଞ୍ଚାୟତରେ କଠିନ ଓ ତରଳ ବର୍ଜ୍ୟବସ୍ତୁର ସୁପରିଚାଳନା କାମ ନିଜେ ତଦାରଖ କରୁଥିଲେ।

ଏହ ନାରୀନେତ୍ରୀମାନେ ସ୍ୱଚ୍ଛଭାରତ ମିଶନର ବାର୍ତ୍ତା ପ୍ରଚାର ପ୍ରସାରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛନ୍ତି। ସେମାନଙ୍କ ଭଳି ଆଉ ଅନେକ ମହିଳା ମଧ୍ୟ ଏବେ ଗ୍ରାମୀଣ ସ୍ୱଚ୍ଛ ଭାରତ ମିଶନକୁ ସଫଳ କରିବାକୁ ଅବିଶ୍ରାନ୍ତ ଭାବେ କାମ କରୁଛନ୍ତି। ସେମାନେ ସେମାନଙ୍କ କାର‌୍ୟ୍ୟ ଯୋଗୁଁ ଅନ୍ୟମାନଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି।

(ଲେଖିକା ଭାରତ ସରକାରଙ୍କ ଜଳଶକ୍ତି ମନ୍ତ୍ରଣାଳୟର ପାନୀୟଜଳ ଓ ସ୍ୱଚ୍ଛତା ବିଭାଗର ସଚିବ)