Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭୁବନେଶ୍ୱରରେ ସାଇନ୍ସ ସିଟି ପାଇଁ କେନ୍ଦ୍ରର ସହଯୋଗ ଲୋଡ଼ିଲା ଓଡ଼ିଶା

ନୂଆଦିଲ୍ଲୀ: ଭୁବନେଶ୍ୱରରେ ଏକ ଅତ୍ୟାଧୁନିକ ସାଇନ୍ସ ସିଟି ପ୍ରତିଷ୍ଠା କରିବା ଲାଗି କେନ୍ଦ୍ର ସରକାରଙ୍କ ସହଯୋଗ ଲୋଡ଼ିଛନ୍ତି ଓଡ଼ିଶା ସରକାର। ପୂର୍ବ ଭାରତରେ ବୈଜ୍ଞାନିକ ଅଧ୍ୟୟନ ଓ ଉଦ୍ଭାବନକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ସାଇନ୍ସ ସିଟି ପ୍ରତିଷ୍ଠା କରିବା ଲାଗି ଓଡ଼ିଶା ସରକାର ଲକ୍ଷ୍ୟ ରଖିଛନ୍ତି। ଏ ସଂକ୍ରାନ୍ତରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ନୂଆଦିଲ୍ଲୀରେ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂଙ୍କୁ ସାକ୍ଷାତ କରିଛନ୍ତି।

ଓଡ଼ିଶା ସରକାର ପ୍ରସ୍ତାବିତ ସାଇନ୍ସ ସିଟି ପାଇଁ ୧୦୦ ଏକର ଜମି ପ୍ରଦାନ କରିଛନ୍ତି। ଏହାର ଲକ୍ଷ୍ୟ ହେଉଛି ବୈଜ୍ଞାନିକ ଅନୁସନ୍ଧିତ୍ସା, ଉଦ୍ଭାବନ ଏବଂ ଶିକ୍ଷା ପାଇଁ ବିଶେଷକରି ଯୁବପିଢ଼ିଙ୍କ ମଧ୍ୟରେ ଆଗ୍ରହ ବୃଦ୍ଧି କରିବା। କେନ୍ଦ୍ରୀୟ ସହାୟତା ଏହି ଦୃଷ୍ଟିକୋଣକୁ ସାକାର କରିବାରେ ସହାୟକ ହେବ ବୋଲି ରାଜ୍ୟ ସରକାର ବିଶ୍ୱାସ କରନ୍ତି ଏବଂ ଏ ବିଷୟରେ ଶ୍ରୀ ପାତ୍ର ବୈଠକ ସମୟରେ କେନ୍ଦ୍ର ମନ୍ତ୍ରୀ ଡକ୍ଟର ସିଂଙ୍କୁ ଦେଇଥିବା ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି।

ପ୍ରସ୍ତାବିତ ସାଇନ୍ସ ସିଟିକୁ ଆଧୁନିକ ପ୍ରଦର୍ଶନୀ, ନିମଜ୍ଜିତ ଶିକ୍ଷଣ ସ୍ଥାନ ଏବଂ ଗବେଷଣା ସୁବିଧା ସହିତ ଏକ ମତବିନିମୟ ଆଧାରିତ କ୍ରିୟାଶୀଳ କେନ୍ଦ୍ର ଭାବରେ ପ୍ରତିଷ୍ଠା କରିବାକୁ ପରିକଳ୍ପନା କରାଯାଇଛି। ମନ୍ତ୍ରୀ ଶ୍ରୀ ପାତ୍ରଙ୍କ କହିବା ଅନୁଯାୟୀ, ଏହି ପଦକ୍ଷେପ ବୈଜ୍ଞାନିକ ଭାବନାକୁ ପ୍ରୋତ୍ସାହିତ କରିବା ଏବଂ ଭାରତକୁ ଏକ ବିଶ୍ୱସ୍ତରରେ ବୈଜ୍ଞାନିକ ଉଦ୍ଭାବନକାରୀ ରାଷ୍ଟ୍ର ଭାବେ ଅଗ୍ରଣୀ କରିବା ଲାଗି ଭାରତ ସରକାରଙ୍କ ବ୍ୟାପକ ଲକ୍ଷ୍ୟ ସହିତ ସମନ୍ୱିତ।

ପ୍ରସ୍ତାବ ଉପରେ ପ୍ରତିକ୍ରିୟା ରଖି ଡକ୍ଟର ଜିତେନ୍ଦ୍ର ସିଂ ଏହି ପ୍ରୟାସକୁ ସ୍ୱାଗତ କରିଛନ୍ତି। କେନ୍ଦ୍ର ସରକାରଙ୍କ ଅଧିକାରୀମାନେ ଏ ଦିଗରେ ଆଗକୁ ବଢ଼ିବା ଲାଗି ପଦ୍ଧତି ଉପରେ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପ୍ରସ୍ତାବିତ ନୂତନ ପଦକ୍ଷେପଗୁଡ଼ିକୁ ପରିପୂରକ କରିବା ପାଇଁ ସେ ସିଏଆଇଆର ପ୍ରୟୋଗଶାଳା ଏବଂ ମହାକାଶ ଗବେଷଣା କେନ୍ଦ୍ର ସମେତ ଓଡ଼ିଶାର ବର୍ତ୍ତମାନର ବୈଜ୍ଞାନିକ ଭିତ୍ତିଭୂମିକୁ ସୁଦୃଢ଼ ​​କରିବାକୁ ପରାମର୍ଶ ଦେଇଥିଲେ।

ସାଇନ୍ସ ସିଟି ବ୍ୟତୀତ, ମନ୍ତ୍ରୀ ଶ୍ରୀ ପାତ୍ର ଆହୁରି ଅନେକ ପ୍ରସ୍ତାବ ଦାଖଲ କରିଥିଲେ, ଯେଉଁଥିରେ ଏକ ଜ୍ୟୋତିର୍ବିଜ୍ଞାନ ଅବଜରଭେଟୋରୀ, ଭୂ-ବିଜ୍ଞାନ ମନ୍ତ୍ରଣାଳୟ ଅଧୀନରେ ଏକ ବଙ୍ଗୋପସାଗର ଉପକୂଳ ଅବଜରଭେଟୋରୀ, ଏକ ବୌଦ୍ଧିକ ସମ୍ପତ୍ତି ଓ ପେଟେଣ୍ଟ ସୁବିଧା କେନ୍ଦ୍ର ଏବଂ ବାୟୋଟେକ୍ନୋଲୋଜି ବିଭାଗ ଅଧୀନରେ ପ୍ରକଳ୍ପ ଅନ୍ତର୍ଭୁକ୍ତ। ଜାତୀୟ ବିଜ୍ଞାନ ସଂଗ୍ରହାଳୟ ପରିଷଦ ଏବଂ ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ପ୍ରସ୍ତାବଗୁଡ଼ିକ ପାଇଁ ମଧ୍ୟ ମନ୍ତ୍ରୀ ଶ୍ରୀ ପାତ୍ର ସହଯୋଗ ଲୋଡ଼ିଥିଲେ।

ରାଜ୍ୟରେ ଏକ ବାୟୋ ଇ-ସେଲ୍ ସ୍ଥାପନ କରି କେନ୍ଦ୍ର ସରକାରଙ୍କ ବାୟୋ-ଇ ଥ୍ରୀ ନୀତି ଅଧୀନରେ ସହଭାଗୀତା ଅନୁସନ୍ଧାନ କରିବାକୁ ଓଡ଼ିଶା ପ୍ରତିନିଧିମଣ୍ଡଳକୁ ଡକ୍ଟର ଜିତେନ୍ଦ୍ର ସିଂହ ଉତ୍ସାହିତ କରିଥିଲେ। ଓଡ଼ିଶାର ପ୍ରାକୃତିକ ସୁବିଧା, ବିଶେଷକରି ଉପକୂଳ ଏବଂ ଖଣିଜ କ୍ଷେତ୍ର ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ। ଜନସାଧାରଣଙ୍କ ବ୍ୟାପକ ଲାଭ ପାଇଁ ଡିପ୍ ଓସେନ୍ ମିଶନ୍ ଭଳି ଜାତୀୟ ମିଶନ୍ ଅଧୀନରେ ଏଗୁଡ଼ିକୁ ପ୍ରଭାବଶାଳୀ ଭାବରେ ବ୍ୟବହାର କରାଯାଇପାରିବ ବୋଲି ସେ ପରାମର୍ଶ ଦେଇଥିଲେ।

ରାଜ୍ୟସ୍ତରୀୟ ବୈଜ୍ଞାନିକ ପଦକ୍ଷେପଗୁଡ଼ିକୁ ଜାତୀୟ ନୀତି ସହିତ ସମନ୍ୱିତ କରିବା ପାଇଁ ଏକ ବ୍ୟାପକ ପ୍ରୟାସକୁ ଏହି ବୈଠକ ଚିହ୍ନିତ କରୁଛି । ଏହା ଭାରତର ବିଜ୍ଞାନ ଏବଂ ପ୍ରଯୁକ୍ତି ପରିଦୃଶ୍ୟକୁ ଆଗକୁ ନେବାରେ ସହଯୋଗୀ ସଂଘୀୟ ବ୍ୟବସ୍ଥାର ଭୂମିକା ଉପରେ ଗୁରୁତ୍ୱାରୋପ କରୁଛି।

Categories
ଆଜିର ଖବର ଜାତୀୟ ଖବର

ଗୁଜରାଟର ଅହମ୍ମଦାବାଦର ସାଇନ୍ସ ସିଟି ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଅହମ୍ମଦାବାଦସ୍ଥିତ ସାଇନ୍ସ ସିଟି (ବିଜ୍ଞାନ ସହର) ପରିଦର୍ଶନ କରିଛନ୍ତି। ସେ ରୋବୋଟିକ୍ସ ଗ୍ୟାଲେରୀ, ନେଚର ପାର୍କ, ଆକ୍ୱାଟିକ୍ ଗ୍ୟାଲେରୀ ଏବଂ ସାର୍କ ଟନେଲ ପରିଦର୍ଶନ କରିବା ସହ ଏହି ଅବସରରେ ପ୍ରଦର୍ଶିତ ପ୍ରଦର୍ଶନୀକୁ ମଧ୍ୟ ପରିଦର୍ଶନ କରିଥିଲେ।

ପ୍ରଧାନମନ୍ତ୍ରୀ X  ରେ ଏକ ପୋଷ୍ଟ କରିଛନ୍ତି:

ଗୁଜରାଟ ସାଇନ୍ସ ସିଟିର ଚମତ୍କାର ଆକର୍ଷଣକୁ ଅନୁସନ୍ଧାନ କରିବା ପାଇଁ ସକାଳର କିଛି ସମୟ ବିତାଇଥିଲି। ଏହା ରୋବୋଟିକ୍ସ ଗ୍ୟାଲେରୀରୁ ଆରମ୍ଭ ହୋଇଥିଲା, ଯେଉଁଠାରେ ରୋବୋଟିକ୍ସର ଅସୀମ ସମ୍ଭାବନାକୁ ଚମତ୍କାର ଭାବରେ ପ୍ରଦର୍ଶନ କରାଯାଇଛି। ଏହି ଜ୍ଞାନକୌଶଳ କିପରି ଯୁବପିଢ଼ିଙ୍କ ମଧ୍ୟରେ ଉତ୍ସୁକତା ଜାଗ୍ରତ କରୁଛି ତାହା ଦେଖି ଆନନ୍ଦିତ।

ରୋବୋଟିକ୍ସ ଗ୍ୟାଲେରୀରେ ଡିଆରଡିଓ ରୋବୋଟ, ମାଇକ୍ରୋବଟ, ଏକ କୃଷି ରୋବୋଟ, ମେଡିକାଲ ରୋବଟ, ମହାକାଶ ରୋବଟ ଏବଂ ଆହୁରି ଅନେକ କିଛି ରହିଛି। ଏହି ଆକର୍ଷଣୀୟ ପ୍ରଦର୍ଶନୀ ମାଧ୍ୟମରେ ସ୍ୱାସ୍ଥ୍ୟ ସେବା, ଉତ୍ପାଦନ ଏବଂ ଦୈନନ୍ଦିନ ଜୀବନରେ ରୋବୋଟିକ୍ସର ପରିବର୍ତ୍ତନଶୀଳ ଶକ୍ତି ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେଉଛି।

ଏହା ସହିତ ରୋବୋଟିକ୍ସ ଗ୍ୟାଲେରୀରେ ଥିବା କାଫେରେ ରୋବୋଟ୍ ମାନଙ୍କ ଦ୍ୱାରା ପରିବେଷିତ ଏକ କପ୍ ଚା’ର ମଜା ନେଇଥିଲେ।

ସେ କହିଛନ୍ତି, ଗୁଜରାଟ ସାଇନ୍ସ ସିଟି ଭିତରେ ଥିବା ଏକ ଶାନ୍ତ ଓ ଆକର୍ଷଣୀୟ ସ୍ଥାନ ହେଉଛି ନେଚର ପାର୍କ। ପ୍ରକୃତିପ୍ରେମୀ ଓ ଉଦ୍ଭିଦ ବିଜ୍ଞାନୀ ମାନଙ୍କ ପାଇଁ ଏହା ଦେଖିବା  ନିହାତି ଜରୁରୀ। ଏହି ପାର୍କ କେବଳ ଜୈବ ବିବିଧତାକୁ ପ୍ରୋତ୍ସାହିତ କରେ ନାହିଁ ବରଂ ଲୋକ ମାନଙ୍କ ପାଇଁ ଏକ ଶିକ୍ଷାଗତ ପ୍ଲାଟଫର୍ମ ଭାବରେ ମଧ୍ୟ କାର୍ଯ୍ୟ କରେ।

“ସଠିକ ପାଦଚଲା ରାସ୍ତା ବାଟରେ ବିଭିନ୍ନ ଅନୁଭୂତି ପ୍ରଦାନ କରିଥାଏ। ଏହା ପରିବେଶ ସଂରକ୍ଷଣ ଏବଂ ସ୍ଥାୟୀତା ଉପରେ ମୂଲ୍ୟବାନ ଶିକ୍ଷା ପ୍ରଦାନ କରେ। କ୍ୟାକଟସ୍ ଗାଡେନ୍‌, ବ୍ଲକ୍ ପ୍ଲାଣ୍ଟେସନ୍‌, ଅକ୍ସିଜେନ୍ ପାର୍କ ଭଳି ଅନ୍ୟାନ୍ୟ ଆକର୍ଷଣକୁ ମଧ୍ୟ ବୁଲି ଦେଖନ୍ତୁ।

ସାଇନ୍ସ ସିଟିରେ ଥିବା ଆକ୍ୱାଟିକ୍ ଗ୍ୟାଲେରୀ ଜଳଜ ଜୈବ ବିବିଧତା ଏବଂ ସାମୁଦ୍ରିକ ଆଶ୍ଚର୍ଯ୍ୟର ଏକ ଉତ୍ସବ। ଏହା ଆମ ଜଳୀୟ ପରିବେଶର ସୂକ୍ଷ୍ମ ତଥା ଗତିଶୀଳ ସନ୍ତୁଳନ ଉପରେ ଆଲୋକପାତ କରେ। ଏହା କେବଳ ଏକ ଶିକ୍ଷଣୀୟ ଅନୁଭୂତି ନୁହେଁ,  ବରଂ ତରଙ୍ଗ ତଳେ ଥିବା ବିଶ୍ୱ ପ୍ରତି ସଂରକ୍ଷଣ ଏବଂ ଗଭୀର ସମ୍ମାନ ର ଆହ୍ୱାନ ମଧ୍ୟ।

ଶାର୍କ ଟନେଲ ହେଉଛି ଏକ ଆନନ୍ଦଦାୟକ ଅନୁଭୂତି ଯାହା ବିଭିନ୍ନ ଶାର୍କ ପ୍ରଜାତିର ପ୍ରଦର୍ଶନ କରୁଛି। ସୁଡ଼ଙ୍ଗ ଦେଇ ଯିବା ବେଳେ ସାମୁଦ୍ରିକ ଜୀବନର ବିବିଧତା ଦେଖି ଆପଣ ବହୁତ ଆଶ୍ଚର୍ଯ୍ୟ ହୋଇଯିବେ। ଏହା ପ୍ରକୃତରେ ଆକର୍ଷଣୀୟ।

“ଏହା ସୁନ୍ଦର”

ପ୍ରଧାନମନ୍ତ୍ରୀଙ୍କ ସହ ଗୁଜରାଟର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଏବଂ ଗୁଜରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ମଧ୍ୟ ଉପସ୍ଥିତ ଥିଲେ।