Categories
ଆଜିର ଖବର ରାଜ୍ୟ ଖବର

ସାପ କାମୁଡ଼ାରେ ଶିଶୁ କନ୍ୟାର ମୃତ୍ୟୁ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ହିଞ୍ଜିଳି ଥାନା ଅର୍ନ୍ତଗତ ଶାସନ ଆମ୍ବଗାଁର ସଞ୍ଜୟ ବେହେରାଙ୍କ ୬ ବର୍ଷର ଝିଅ ଚିତ୍ରା ବେହେରା ଦାଣ୍ଡରେ ଖେଳୁଥିବା ବେଳେ ଏକ ବିଷଧର ସାପ କାମୁଡି ଦେଇଥିଲା। ଯାହା ଫଳରେ ଚିତ୍ରା ଚିତ୍କାର କରୁଥିବା ଦେଖି ପରିବାର ଲୋକେ ତାକୁ ଚିକିତ୍ସା ପାଇଁ ହିଞ୍ଜିଳି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଡ଼ାକ୍ତର ତାକୁ ମୃତ ଘୋଷଣା କରିଥିଲେ।

ଖବର ପାଇ ହିଞ୍ଜିଳି ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡଡାକ୍ତରଖାନାକୁ ପଠାଇ ୨/୨୫ ଅନୁଯାୟୀ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବାଲୁଗାଁ: ସାପ କାମୁଡ଼ାରେ ଭଉଣୀ ମୃତ, ଭାଇ ଗୁରୁତର

ବାଲୁଗାଁ (ସୀତାରାମ ଅଗ୍ରୱାଲ): ବାଲୁଗାଁ ଥାନା ଅନ୍ତର୍ଗତ ସିଙ୍ଗେଶ୍ୱର ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ସାପ କାମୁଡ଼ାରେ ଭଉଣୀର ମୃତ୍ୟୁ ହୋଇଥିବା ବେଳେ ଭାଇ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛି।

ଖବର ମୁତାବକ ସିଙ୍ଗେଶ୍ୱର ଗ୍ରାମର ରୂପାଲି ବାରିକ (୧୦) ଓ ଭାଇ ଆୟୁଷ୍ମନ ବାରିକ (୭) ଗତକାଲି ରାତିରେ ଘରେ ଶୋଇଥିବା ବେଳେ ସକାଳୁ ଉଠିବା ବେଳକୁ ଉଭୟଙ୍କ ମୁଣ୍ଡ ବୁଲାଇବା ଓ ପାଟିରୁ ଫେଣ ବାହାରୁଥିବା ଦେଖି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଡାକ୍ତର ଚିକିତ୍ସା ପରେ ବିଷଧର ସାପ କାମୁଡିଥିବା ଜାଣି ପ୍ରାଥମିକ ଚିକିତ୍ସା କରିଥିଲେ। ମାତ୍ର ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତରିତ କରିଥିଲେ। ମାତ୍ର ମେଡ଼ିକାଲରେ ରୂପାଲିର ମୃତ୍ୟୁ ହୋଇଥିବା ବେଳେ ଆୟୁଷ୍ମନ ଅବସ୍ଥା ଗୁରୁତର ହେବାରୁ ଆଇସିୟୁରେ ଭର୍ତ୍ତି କରାଯାଇଥିବା ପରିବାର ପକ୍ଷରୁ ସୂଚନା ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

ପୋଖରୀରେ ବୁଡ଼ି ଓ ସାପ କାମୁଡ଼ାରେ ୪ ଜଣଙ୍କ ପ୍ରାଣହାନୀ: ୪ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା

ଭୁବନେଶ୍ଵର: ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ତହସିଲରେ ପୋଖରୀରେ ବୁଡ଼ି ୨ଜଣଙ୍କର ମୃତ୍ୟୁ ଏବଂ ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଳକରେ ସାପ କାମୁଡ଼ାରେ ୨ ଜଣଙ୍କ ପ୍ରାଣହାନି ସମ୍ପର୍କରେ ଜାଣି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ମୃତକଙ୍କ ପରିବାର ପାଇଁ ରାଜ୍ୟ ବିପର୍ଯ୍ୟୟ ସହାୟତା ପାଣ୍ଠିରୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Categories
ଆଞ୍ଚଳିକ

ରଣପୁର: ବିଲରେ କାମ କରୁଥିବା ବେଳେ କାମୁଡିଲା ସାପ, ଚାଷୀଙ୍କ ପ୍ରାଣହାନୀ

ରଣପୁର: ସାପ କାମୁଡାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି।  ସୂଚନା ଅନୁଯାୟୀ ନୟାଗଡ ଜିଲ୍ଲା ରଣପୁର ବ୍ଲକ ବଡ଼-ବରମୂଳ ଗ୍ରାମର ଜଣେ ବ୍ୟକ୍ତିଙ୍କର ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ଜଣା ପଡିଛି। ମୃତକଙ୍କ ନାମ କୋମଦ ପ୍ରଧାନ, ବୟସ ୬୫ ବର୍ଷ ବୋଲି ଜଣା ପଡିଛି।

କୋମଦ ବିଲରେ କାମ କରୁଥିବା ବେଳେ ଏକ ସାପ ତାଙ୍କୁ କାମୁଡି ଦେଇଥିବା କହିଥିଲେ। ପରେ ପରିବାର ଲୋକଙ୍କ ସହାୟତାରେ କୋମଦଙ୍କୁ ରଣପୁର ମେଡିକାଲକୁ ଅଣା ଯାଇଥିଲା। ସାପ କାମୁଡିବାର ବହୁ ବିଳମ୍ବରେ କୋମଦଙ୍କୁ ଡାକ୍ତରଖାନାକୁ ଅଣା ଯାଇଥିବାରୁ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।  ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

Categories
ଆଞ୍ଚଳିକ

ଟାଙ୍ଗୀ: ବିଷାକ୍ତ ସାପ କାମୁଡ଼ାରେ ମହିଳା ମୃତ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଜରିପଡା ଦଳ ବେହେରା ସାହିରେ ଅଭାବନୀୟ ଘଟଣା ଘଟିଯାଇଛି। ବିଷାକ୍ତ ସାପ କାମୁଡ଼ାରେ ରୁନୁ ବେହେରା (୪୦) ନାମକ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ, ରୁନୁ ବେହେରା ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ବିଷାକ୍ତ ସାପଟିଏ କାମୁଡ଼ି ଦେଇଥିଲା। ମହିଳାଙ୍କ ଚିତ୍କାର ଶୁଣି ସାହି ପଡିଶା ଲୋକ ଏକାଠି ହୋଇ ସାପକୁ ଖୋଜିଥିଲେ। ପରେ ସାପକୁ ଉଦ୍ଧାର କରି ଏକ ପ୍ଲାଷ୍ଟିକ୍ ଡବାରେ ରଖିଥିଲେ। କିନ୍ତୁ ସେପଟେ ମହିଳାଜଣଙ୍କ ଗୁରୁତର ହେବାରୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ପରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଖୋର୍ଦ୍ଧା ସଦର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ହୋଇଥିଲା।

ସେପଟେ ମହିଳାଙ୍କ ସ୍ୱାମୀ ଶ୍ରାବଣୀ ଜଳ ଭାର ଲାଗି ଯାଇଥିବା ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ରଣପୁର: ବିଦ୍ୟାଳୟରେ ସାପ କାମୁଡା ସଚେତନତା କାର୍ଯ୍ୟକ୍ରମ

ରଣପୁର: ନୟାଗଡ ଜିଲ୍ଲା ରଣପୁର ଶିକ୍ଷା ବ୍ଲକର ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ଆଜି ଏକ ସାପ କାମୁଡାର ପ୍ରତିକାର ସମ୍ବନ୍ଧୀୟ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘ ସଭାପତି ଜ୍ୟୋତି ରଞ୍ଜନ ଦାଶ, ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ଶିକ୍ଷକ ତଥା ଶିକ୍ଷାବିତ ଲକ୍ଷ୍ମୀଧର ସାହୁ, ସମ୍ମାନିତ ଅତିଥି ଭାବେ ରଣପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘ ସଭାପତି ପ୍ରଫୁଲ କୁମାର ବିଶ୍ୱାଳ, ସମ୍ପାଦକ ଜଗନ୍ନାଥ ଦାଶ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଅବକାଶ ସ୍ୱାଇଁ, ସାମ୍ବାଦିକ ବ୍ରଜ ରାଣସିଂହ, ଚନ୍ଦ୍ରଭାନୁ ପରିଡା ପ୍ରମୁଖ ମଞ୍ଚାସିନ ଥିଲେ ଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶୀଲ କୁମାର ରଣାଙ୍କ ତତ୍ୱାବଧାନରେ ସହକାରୀ ଶିକ୍ଷୟତ୍ରୀ ପଦ୍ମାବତୀ ବେହେରାଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ସୁରକ୍ଷା ଓ ନିରାପତ୍ତା କାର୍ଯ୍ୟକ୍ରମ ଆଧାରରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ‘ସାପ କାମୁଡା ଓ ପ୍ରତିକାର’ ସମ୍ବନ୍ଧରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଚିତ୍ରକର ତଥା ସାପ ଧରାଳି ଅଜୟ କୁମାର ଦାଶ ଏବଂ ବେହେଲା ବାଦକ ସୁବାଷ ଦାଶ ଏହି କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି କଳାକାମାନେ ମୁଣ୍ଡ ପୋତା ବେଶରେ ସଜ୍ଜିତ ହୋଇ କନା ଓ କାଗଜରେ ତିଆରି ସାପ, କୁମ୍ଭୀର, କଙ୍କଡା ଦେଖାଇ ସଚେତନତା ଭିତିକ ସାଂସ୍କୃତିକ କାର୍ଯ୍ୟ ପରିବେଷଣ କରିଥିଲେ।  ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସେମାନେ କେଉଁ କେଉଁ ସାପ ବିଷଧର, ସାପ କାମୁଡ଼ିଲେ କଣ କରିବା ଉଚିତ ସେ ନେଇ ଛାତ୍ରଛାତ୍ରୀ ତଥା ଲୋକମାନଙ୍କୁ ବୁଝାଇ ଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଅକ୍ଷୟ କୁମାର ସାହୁ, ରବିନ୍ଦ୍ର କୁମାର ସଂଗ୍ରାମସିଂହ, ନୀଳମଣି ପ୍ରଧାନ, ବିନାୟକ ପ୍ରଧାନ, କାଶିନାଥ ଜୟସିଂହ, ଡାକ ଦଳେଇ, ୱାର୍ଡ଼ମେମ୍ବର ସରୋଜିନୀ ପ୍ରଧାନ, ମୁରଲୀ ମାନସିଂହ, ଅଙ୍ଗନବାଡି କର୍ମୀ ପୁଷ୍ପଲତା ଦେଇ, କାନନବାଳା ସାହୁ, କୁନି ଖଟେଇ, ଟୁନି ସାହୁ, ଯଦୁମଣି ବିଶ୍ୱାଳ, ଅହଲ୍ୟା ଦେଇ, ସଂଜିତା ନାୟକ, ପୁଷ୍ପଲତା ବାରିକ, ଜୟନ୍ତୀ ବାରିକଙ୍କ ସହ ପରିଚାଳନା କମିଟିର ସମସ୍ତ ସଦସ୍ୟ ଓ ଗ୍ରାମବାସୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ: ଗୁଣିଆକୁ ଭରସା କରି ଚାଲିଗଲା ଜୀବନ, ସାପ କାମୁଡାରେ ଚାଷୀଙ୍କ ପ୍ରାଣହାନୀ, ମହିଳା ଗୁରୁତର

ସୀତାରାମ ଅଗ୍ରୱାଲ

ଚିଲିକା: ଟାଙ୍ଗୀ ଓ ଏହାର ଆଖ ପାଖ ଅଂଚଳରେ ଦିନକୁ ଦିନ ସାପ ଆତଙ୍କ ବୃଦ୍ଧି ପାଇବାରେ ଲାଗିଛି। ବିଷାକ୍ତ ସାପ କାମୁଡାରେ ଅନେକ ଜୀବନ ଅକାଳରେ ଝଡି ପଡୁଛନ୍ତି। ରାଜ୍ୟ ସରକାରଙ୍କ ବ୍ୟାପକ ପ୍ରଚାର ପ୍ରସାର ସତ୍ତ୍ୱେ ଲୋକେ ଏବେ ବି ସାପ କାମୁଡିବା ପରେ ମେଡିକାଲକୁ ନଯାଇ ଗାଁ ଗୁଣିଆ ଉପରେ ନିର୍ଭର କରୁଥିବାରୁ ଲୋକଙ୍କ ଜୀବନ ଚାଲିଯାଉଛି। ଖୋର୍ଦ୍ଧା ଜିଲା ଚିଲିକା ବ୍ଲକର ବଉଳା ବନ୍ଧ ଗ୍ରାମ ପଂଚାୟତ ମଙ୍ଗରାଜ ପୁର ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି।

ମଙ୍ଗରାଜ ପୁର ଗ୍ରାମର ଚଇନି ମହାରଣା (୪୫) ପ୍ରତିଦିନ ନିଜ ଚାଷ କ୍ଷେତକୁ ଚାଷ କାମ ପାଇଁ ଯାଇଥାନ୍ତି। ଗତ ସୋମବାର ଦିନ ଚଇନି ମହାରଣା ନିଜ ଚାଷ କ୍ଷେତରେ କାମ କରୁଥିବା ବେଳେ ଏକ ବିଷାକ୍ତ ସାପ ଚଇନିଙ୍କ ଗୋଡକୁ କାମୁଡି ଦେଇଥିଲା। ତେବେ ସ୍ଥାନୀୟ ଲୋକେ ଚଇନିଙ୍କୁ ତୁରନ୍ତ ମେଡିକାଲ ନେବା ପରିବର୍ତ୍ତେ ଗାଁ ଗୁଣିଆ ନିକଟରେ ସାପ ବିଷ କାଢିବା ପାଇଁ ଝଡା ଫୁଙ୍କା କରିବା ପରେ ଘରକୁ ପଳାଇଥିଲେ। ହେଲେ ସାପ କାମୁଡିବା ଯୋଗୁଁ ବିଷ କ୍ରିୟା ବେଳକୁ ବେଳ ଅଧିକ ହେବାରୁ ତାର ପରିବାର ଚଇନିଙ୍କୁ ଆଣି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

ହେଲେ ସାପ କାମୁଡିବାର ବହୁ ଘଣ୍ଟା ପରେ ମେଡିକାଲକୁ ଆଣିଥିବାରୁ ତାଙ୍କର ଅବସ୍ଥା ସଂକଟାପନ୍ନ ହୋଇଥିଲା। ତେଣୁ ଡାକ୍ତର ଚଇନିଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରିଥିଲେ। ଟାଙ୍ଗୀ ମେଡିକାଲରୁ ମାତ୍ର କିଛି ବାଟ ଯିବା ପରେ ଘରୋଇ ଆମ୍ବୁଲାନସ ଭିତରେ ଚଇନିଙ୍କର ପ୍ରାଣ ବାୟୁ ଉଡି ଯାଇଥିଲା।

ତେଣୁ ତାଙ୍କୁ ଭୁବନେଶ୍ୱର ନ ନେଇ ପୁଣି ଟାଙ୍ଗୀ ମେଡିକାଲ ନେଇ ଆସିଥିଲେ। ଖବର ପାଇ ଟାଙ୍ଗୀ ପୋଲିସ୍ ମେଡିକାଲରେ ପହଂଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି।

ସେହିଭଳି ଭାବେ ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ନୂଆପଡା ଗ୍ରାମର ହୁଲାସ ନାୟକ (୪୦) ନାମକ ଜଣେ ମହିଳା ଛେଳି ଚରାଇ ଯାଇଥିବା ବେଳେ ଏକ ବିଷଧର ସାପ କାମୁଡିବାରୁ ସେ ମଧ୍ୟ ମେଡିକାଲକୁ ନ ଆସି ଗୁଣିଆ ନିକଟକୁ ଯାଇ ଝଡା ଫୁଙ୍କା କରିଥିଲେ। ତେବେ ସେ ମହିଳା ଜଣକ ସୁସ୍ଥ ହେବା ପରିବର୍ତ୍ତେ ଗୁରୁତର ହେବାରୁ ପରିବାର ଲୋକେ ଟାଙ୍ଗୀ ମେଡିକାଲକୁ ଆଣିଥିଲେ। ତେବେ ମହିଳାଙ୍କର ବିଷକ୍ରିୟା ଯୋଗୁଁ ସେ ଅଧିକ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି।

Categories
ଆଞ୍ଚଳିକ

ସାପ କାମୁଡ଼ାରେ ସ୍ବାମୀ ମୃତ ଓ ପତ୍ନୀ ଅସୁସ୍ଥ

କନ୍ଦର୍ପ ବେହେରା

ରେଢ଼ାଖୋଲ: ସାପ କାମୁଡ଼ାରେ ନାକଟିଦେଉଳ ଥାନା ଜଗନ୍ନାଥପ୍ରସାଦ ଗ୍ରାମରେ ଜନୈକ ବୃଦ୍ଧ ମୃତ୍ୟୁବରଣ କରିଥିବା ବେଳେ ପତ୍ନୀ ଆହତ ହୋଇଥିବା ଖବର ହସ୍ତଗତ ହୋଇଛି।

ପ୍ରକାଶ ଯେ, ନାକଟିଦେଉଳ ଥାନା ଜଗନ୍ନାଥ ପ୍ରସାଦ ଗ୍ରାମ ଶବରସାହିର ରତନ ଶବର (୭୦) ଓ ତାଙ୍କ ପତ୍ନୀ ଜମ୍ବୁ ଶବର (୬୦) ରାତିରେ ଶୋଇଥିବା ବେଳେ କୌଣସି ଏକ ବିଷଧର ସାପ ଉଭୟଙ୍କୁ କାମୁଡ଼ି ଦେଇଥିଲା। ରାତିରେ ଉଭୟଙ୍କୁ ପ୍ରଥମେ ନାକଟିଦେଉଳ ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ରତନ ଶବର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ଆଜି ରତନର ମୃତ୍ୟୁ ହୋଇଯାଇଥିବା ବେଳେ ପତ୍ନୀ ଜମ୍ବୁ ନାକଟିଦେଉଳ ଡାକ୍ତରଖାନାରେ ଚିକିତ୍ସିତ ହୋଇ ସୁସ୍ଥ ହୋଇଥିବା ଜଣା ପଡ଼ିଛି।

ଜିଲ୍ଲା ପରିଷଦ ସଭ୍ୟା ଟିକେଶ୍ବରୀ ମେହେର ତଥା ନାକଟିଦେଉଳ ସରପଂଚ ଜିତେନ୍ଦ୍ର କୁମାର ପ୍ରଧାନ ମୃତ୍ୟୁବରଣ କରିଥିବା ପରିବାରକୁ ସମବେଦନା ଜଣାଇବା ସହ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଦାବୀ କରିଛନ୍ତି।

Categories
ଆଜିର ଖବର ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସାପ କାମୁଡ଼ା ଓ ଏନେଇ ହେଉଥିବା ଧନଜୀବନହାନୀ ହ୍ରାସ ନିମନ୍ତେ ଗବେଷଣା କରିବ ଏମ୍‌ସ ଭୁବନେଶ୍ୱର

ଭୁବନେଶ୍ୱର: ବର୍ଷକୁ ବର୍ଷ ରାଜ୍ୟରେ ବୃଦ୍ଧିପାଉଛି ସାପ କାମୁଡ଼ାଜନିତ ମୃତ୍ୟୁ। ଏହି କାରଣରୁ ଓଡ଼ିଶାରେ ବର୍ଷକୁ ପ୍ରାୟ ୮ଶହରୁ ଊର୍ଧ୍ବ ମୃତ୍ୟୁ ଘଟୁଛି। ଏପରି ସ୍ଥିତିକୁ ନିୟନ୍ତ୍ରଣ କରିବା ନିମନ୍ତେ ଜନସାଧାରଣଙ୍କ ଯୋଗଦାନ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଏଣୁ ରାଜ୍ୟରେ ସର୍ପ ଦଂଶନ ଏବଂ ଏନେଇ ହେଉଥିବା ଧନଜୀବନ ହାନୀକୁ ହ୍ରାସ କରିବା ନିମନ୍ତେ ଏମ୍‌ସ ଭୁବନେଶ୍ୱର ପକ୍ଷରୁ ଏକ ଅନୁଧ୍ୟାନମୂଳକ ଗବେଷଣା ହାତକୁ ନିଆଯାଇଛି। ସାପ-ମଣିଷ ମୁକାବିଲାକୁ ହ୍ରାସ କରିବା ତଥା ଏହି ସମସ୍ୟାର ସମାଧାନ ନିମନ୍ତେ ଏମ୍‌ସର ଫରେନସିକ୍ ମେଡିସିନ୍ ଏବଂ ଟକ୍ସିକୋଲୋଜି ବିଭାଗ ପକ୍ଷରୁ ଏହି ଗବେଷଣା ଖୁବ୍‌ଶୀଘ୍ର ଆରମ୍ଭ ହେବ।

ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା ପାଇଲଟ୍ ପ୍ରକଳ୍ପ ଭାବେ ଭୁବନେଶ୍ୱର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ କାର୍ଯ୍ୟକାରୀ ହେବ। ପ୍ରାୟ ୪୦୦ ପରିବାରକୁ ଏହି ଗବେଷଣାମୂଳକ ଅଧ୍ୟୟନରେ ସାମିଲ କରାଯିବ। ପରବର୍ତ୍ତୀ ସମୟରେ ଏହା ସମଗ୍ର ରାଜ୍ୟରେ କରାଯିବାକୁ ଯୋଜନା ରହିଥିବା ଏମ୍‌ସ ଭୁବନେଶ୍ୱର ଫରେନସିକ୍ ମେଡିସିନ୍ ଏବଂ ଟକ୍ସିକୋଲୋଜି ବିଭାଗର ଅତିରିକ୍ତ ପ୍ରଫେସର୍‌ ତଥା ଏହି ଗବେଷଣାର ମୁଖ୍ୟଅନୁସନ୍ଧାନକାରୀ ଡ. ସୁଦିପ୍ତ ରଞ୍ଜନ ସିଂ ପ୍ରକାଶ କରିଛନ୍ତି।

ସାପ କାମୁଡ଼ିବାକୁ ରୋକିବା ଉପରେ ଜ୍ଞାନ, ମନୋଭାବ ଏବଂ ଅଭ୍ୟାସ (କେଏପି)କୁ ନେଇ ଏହି ଅଧ୍ୟୟନ ଆଗକୁ ବଢ଼ିବ। ଯେଉଁ ଘରୁ ସାପ ଉଦ୍ଧାର ହୋଇଛି, ଉକ୍ତ ପରିବାରର ସଦସ୍ୟଙ୍କ ମଧ୍ୟରେ ସାପ କାମୁଡ଼ିବା ପରେ ପ୍ରାଥମିକ ଚିକିତ୍ସା, ଏହାକୁ ରୋକିବା ଉପରେ ଜ୍ଞାନ, ମନୋଭାବ ଏବଂ ଏନେଇ ରହିଥିବା ପାରମ୍ପିକ ଅଭ୍ୟାସ ସମ୍ପର୍କରେ ଲୋକମାନଙ୍କ ନିକଟରୁ ତଥ୍ୟ ସଂଗ୍ରହ କରାଯିବ। ସ୍ନେକ୍‌ ହେଲ୍‌ପଲାଇନ୍‌ର ସ୍ବେଚ୍ଛାସେବୀଙ୍କ ମିଳିତ ସହଯୋଗରେ ଏହି ଗବେଷଣା ହେବ ବୋଲି ଡ. ସିଂ ସୂଚନା ଦେଇଛନ୍ତି।

ଏହି ସ୍ବେଚ୍ଛାସେବୀମାନେ ସାପ ଉଦ୍ଧାର କରୁଥିବା ପରିବାରର ସଦସ୍ୟଙ୍କ ନିକଟରୁ ବିଭିନ୍ନ ତଥ୍ୟ ସଂଗ୍ରହ କରିବେ। କେଉଁ କେଉଁ ପ୍ରତିଷେଧକ ନେଲେ ସାପ ଘରକୁ ପଶିପାରିବ ନାହିଁ, ଉପଯୁକ୍ତ ପ୍ରାଥମିକ ଚିକିତ୍ସା ପଦ୍ଧତି, ପ୍ରଚଳିତ ଗୁଣିଗାରେଡ଼ି ଭଳି ପୁରାତନ ପରମ୍ପରା, ସାପ କାମୁଡ଼ିବା ପରେ ମାନସିକସ୍ତରରେ ଆଚରଣ ଏବଂ ଘରୋଇ ପରିସରରେ ସାପର ଅନୁପ୍ରବେଶ, ପ୍ରଜନନ ଏବଂ କାମୁଡ଼ିବା ପାଇଁ ପ୍ରତିଷେଧକ ଅଭ୍ୟାସ ବିଷୟରେ ଅଧ୍ୟୟନ ଗୋଷ୍ଠୀ ମଧ୍ୟରେ ସଚେତନତା ସୃଷ୍ଟିରେ ମଧ୍ୟ ଏହି ଗବେଷଣା କାର୍ଯ୍ୟ କରିବ। ପ୍ରଶ୍ନଗୁଡ଼ିକ ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ଉପଲବ୍ଧ ହେବ।

ଏହି ଅଧ୍ୟୟନ ପାଇଁ ସ୍ନେକ୍‌ ହେଲ୍ପଲାଇନର ୧୦ ଜଣ ସ୍ୱେଚ୍ଛାସେବୀଙ୍କୁ ଗତକାଲି ନମୁନା ସଂଗ୍ରହର ପଦ୍ଧତି ବିଷୟରେ ଫୋରେନସିକ୍ ମେଡିସିନ୍ ଏବଂ ଟକ୍ସିକୋଲୋଜି ବିଭାଗର ବିଶେଷଜ୍ଞମାନେ ତାଲିମ ଦେଇଥିଲେ। ବିଭାଗ ପକ୍ଷରୁ ପ୍ରସ୍ତୁତ ବିଭିନ୍ନ ପ୍ରଶ୍ନର ତତ୍ୟ ସଂଗ୍ରହ ପରେ ଅନୁସନ୍ଧାନକାରୀମାନେ ସାପ ଏବଂ ସାପ କାମୁଡ଼ା ବିଷୟରେ ଜନସାଧାରଣଙ୍କ ଜ୍ଞାନର ଉନ୍ନତି ପାଇଁ ସଚେତନତାମୂଳକ ଲିଫଲେଟ୍ ମଧ୍ୟ ବଣ୍ଟାଯିବ।

ପୂର୍ବରୁ ଅନୁମୋଦିତ ହୋଇଥିଲେ ମଧ୍ୟ କରୋନା କାରଣରୁ ଏହି ଗବେଷଣା କାର୍ଯ୍ୟ ଆରମ୍ଭ ହୋଇପାରିନଥିଲା। ସ୍ନେକ୍‌ ହେଲ୍ପଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଏହି ଅଧ୍ୟୟନ ପାଇଁ ସଂଯୋଜକ ଭାବେ କାର୍ଯ୍ୟ କରିବେ। ବିଭାଗୀୟ ମୁଖ୍ୟ ଡ. ମନୋଜ କୁମାର ମହାନ୍ତି ଏହି ଗବେଷଣାର ସହଅନୁସନ୍ଧାନକାରୀ ଭାବେ ଦାୟିତ୍ବ ନିର୍ବାହ କରିବେ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ) ଅନୁସାରେ ସର୍ପ ଦଂଶନ ଏକ ଅବହେଳିତ ଟ୍ରପିକାଲ୍‌ ରୋଗ। ଦିନକୁ ଦିନ ଏନେଇ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଯଦିଓ ସାପ କାମୁଡ଼ା ପାଇଁ ନିର୍ଦ୍ଦିଷ୍ଟ ଚିକିତ୍ସାର ଉପଲବ୍ଧତା ଅଛି, ତଥାପି ଅଧିକାଂଶ ଲୋକ ପାରମ୍ପାରିକ ଚିକିତ୍ସା ପଦ୍ଧତି ‌ଯେପରିକି ଝଡ଼ାଫୁଙ୍କା ଆଦିର ସାହାଯ୍ୟ ନିଅନ୍ତି ଏବଂ ଡାକ୍ତରଖାନାକୁ ବିଳମ୍ବରେ ଆସୁଥିବା ଅଧ୍ୟୟନର ଅନୁସନ୍ଧାନକାରୀ ଡ. ସୁଦିପ୍ତ ସିଂ ପ୍ରକାଶ କରିଛନ୍ତି। ଯାହାଫଳରେ ଜୀବନହାନୀର ଯଥେଷ୍ଟ ଆଶଙ୍କା ରହିଛି। ଏଣୁ ଏନେଇ ରାଜ୍ୟରେ ଯଥେଷ୍ଟ ସଚେତନତା ସୃଷ୍ଟି ଏବଂ କ୍ଷୟକ୍ଷତିକୁ ହ୍ରାସ କରିବା ନିମନ୍ତେ ଏହି ଅଧ୍ୟୟନର ପରିକଳ୍ପନା କରାଯାଇଛି। ଏନେଇ ଭୁବନେଶ୍ୱରର ନାଗରିକଙ୍କ ସହଯୋଗ ଲୋଡିଛନ୍ତି ଡ. ସିଂ।

ଉଲ୍ଲେଖଯୋଗ୍ୟଯେ ସ୍ନେକ୍‌ ହେଲ୍ପଲାଇନ ସହିତ ମିଳିତ ଭାବରେ ଏମ୍‌ସ ଭୁବନେଶ୍ୱର ସାପ କାମୁଡ଼ାରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଏକ ମୋବାଇଲ୍ ଆପ୍ଲିକେସନ୍ ଏବଂ ୱେବସାଇଟ୍ ବିକଶିତ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ସାପ କାମୁଡ଼ାରେ ଦାଦନ ଶ୍ରମିକ ମୃତ, କ୍ଷତିପୂରଣ ଦାବି କଲେ ପ୍ରବାସୀ ଓଡିଆ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: କମ ବୟସରେ ମଧ୍ୟ ପରିବାର ପ୍ରତିପୋଷଣ ପାଇଁ ଯୁବକମାନେ ଦାଦନ ଖଟିବାକୁ ଯାଇଥାନ୍ତି। ସେମାନଙ୍କ ରୋଜଗାର ପଇସାରେ ପରିବାର ସୁରୁଖୁରୁରେ ଚାଲିଥାଏ। ସେହିଭଳି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଳକ ଅନ୍ତର୍ଗତ ମଙ୍ଗଳାଯୋଡ଼ି ଗ୍ରାମର ୨୧ ବର୍ଷୀୟ ଜଣେ ଯୁବକ ପରିବାର ପ୍ରତିପୋଷଣ ପାଇଁ ସୁଦୂର ଚେନ୍ନାଇ ଯାଇଥିଲେ। କିନ୍ତୁ ସେଠାରେ ତାଙ୍କର ସାପ କାମୁଡିବାରେ ଅକାଳ ବିୟୋଗ ହୋଇଛି।

ସୂଚନା ଅନୁଯାୟୀ, ମଙ୍ଗଳାଯୋଡ଼ି ଗ୍ରାମର ନିରଞ୍ଜନ ବେହେରାଙ୍କ ପୁଅ ଅରୁ ବେହେରା ଚେନ୍ନାଇ ଠାରେ ଜୟନ୍ତ ଫାଉଣ୍ଡେସନ ନାମକ ଏକ ଘରୋଇ କମ୍ପାନୀରେ ରଙ୍ଗ କାର୍ଯ୍ୟ କରିଆସୁଥିଲେ। କମ୍ପାନୀ ଭିତରେ ଥିବା କଲୋନୀ ମଧ୍ୟରେ ସେ ରହୁଥିଲେ। ଗତକାଲି ରାତିରେ ଅରୁ ଖାଇବା ପରେ ନିଜ ରୁମରେ ଶୋଇଥିଲେ। କିନ୍ତୁ ବିଳମ୍ବିତ ରାତ୍ରିରେ କୌଣସି ଏକ ବିଷଧର ସାପ ଅରୁଙ୍କୁ ଦଂଶନ କରିଥିଲା। ପାଖରେ ଥିବା ବନ୍ଧୁମାନେ ତୁରନ୍ତ ଅରୁଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ। ଖବର ପାଇ ଚେନ୍ନାଇରେ ଥିବା ଅରୁଙ୍କ ବଡ଼ ଭାଇ ଗୁରୁ ବେହେରା ହସ୍ପିଟାଲରେ ପହଞ୍ଚିଥିଲେ। ହେଲେ ଦୁର୍ଭାଗ୍ୟବଶତଃ ସେଠାରେ ଅରୁଙ୍କ ପ୍ରାଣହାନୀ ଘଟିଥିଲା।

ଏଭଳି ଘଟଣା ପରେ ଚେନ୍ନାଇରେ ଥିବା ଓଡ଼ିଆ ଶ୍ରମିକମାନେ ଦୁଃଖ ପ୍ରକାଶ କରିବା ସହ କମ୍ପାନୀ ନିକଟରେ କ୍ଷତିପୂରଣ ଦାବି କରିଥିଲେ। କିନ୍ତୁ କମ୍ପାନୀ ସ୍ୱଳ୍ପ କିଛି ଟଙ୍କା ଦେଇ ଆମ୍ବୁଲାନ୍ସ ଯୋଗେ ଗ୍ରାମକୁ ଅରୁଙ୍କ ମୃତ ଦେହ ପଠାଉଥିବାର ସୂଚନା ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର: ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ ସନ୍ଦେହ, ପୋଲିସର ତଦନ୍ତ ଜାରି

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ସକାଳେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାର ଖବର ହସ୍ତଗତ ହୋଇଛି। ସାପ କାମୁଡ଼ିବାରେ ମହିଳାଜଣଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଥାନା ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି।

ସୂଚନା ମୁତାବକ ଆଜି ସକାଳେ ଭୀମପୁର ଗ୍ରାମ ଗୋଡିପଦର ସାହିର ଚମ୍ପା ସାହୁ (୬୫) ନାମକ ମହିଳା ଜଣଙ୍କ ଘର ବାରିପଟେ କାମ କରୁଥିବାବେଳେ ତଳେ ପଡିଯାଇଥିଲେ। ତାଙ୍କୁ ଏକ ସାପ କାମୁଡ଼ିଦେଇଥିବା ନେଇ ସନ୍ଦେହ କରାଯାଇଥିଲା। ପରିବାର ଲୋକ ତୁରନ୍ତ ଚମ୍ପାଙ୍କୁ ବାଣପୁର ମେଡିକାଲ ନେଇଥିଲେ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଏ ନେଇ ପରିବାର ପକ୍ଷରୁ ବାଣପୁର ଥାନାରେ ଜଣାଇଲା ପରେ ବାଣପୁର ପୋଲିସ ୯/୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ କଲା ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲାପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ବାଣପୁର ପୋଲିସ କହିଛି।

Categories
ଆଜିର ଖବର ରାଜ୍ୟ ଖବର

ନୟାଗଡ: ସାପ କାମୁଡ଼ାରେ ୪ ବର୍ଷର ଶିଶୁ କନ୍ୟାର ପ୍ରାଣହାନୀ

ନୟାଗଡ: ସାପ କାମୁଡ଼ାରେ ୪ ବର୍ଷ ର ଶିଶୁ କନ୍ୟାର ମୃତ୍ୟୁ ହୋଇଯାଇଛି। ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ବନ୍ଧମୁଣ୍ଡା ପଞ୍ଚାୟତ ଟଭାଡିହ ଗାଁରେ ଏଭଳି ଘଟଣା ଘଟିଯାଇଛି। ଏହି ଗାଁର ମୁରଲୀ ପ୍ରଧାନଙ୍କ ୪ ବର୍ଷର ଝିଅ ଜ୍ୟୋତିର୍ମୟୀ ପ୍ରଧାନଙ୍କୁ ଆଜି ସକାଳ ସମୟରେ ଏକ ବିଷଧର ସାପ କାମୁଡି ଥିଲା।

ଜ୍ୟୋତିର୍ମୟୀକୁ ତୁରନ୍ତ ଚିକିତ୍ସା ପାଇଁ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ତେବେ ଝିଅର ସତ୍କାର ତଥା ସହାୟତା ପାଇଁ ରଣପୁର ତହସିଲଦାରଙ୍କୁ ଏହି ଗରିବ ପରିବାର ଲିଖିତ ନିବେଦନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସାପ କାମୁଡ଼ାରେ ଦୁଇ ଭଉଣୀ ମୃତ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସାପ କାମୁଡ଼ାରେ ଦୁଇ ଭଉଣୀଙ୍କ ଜୀବନ ଚାଲିଯାଇଛି  । ଦୁଇ ଭଉଣୀଙ୍କ ବୟସ ଯଥାକ୍ରମେ 12 ଓ 13 ବର୍ଷ ବୋଲି ଜଣାପଡ଼ିଛି  । ରାତିରେ ଶୋଇଥିବା ବେଳେ ସାପ କାମୁଡ଼ି ଦେଇଥିବା ଜଣାଯାଇଛି । ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ଥାନା ଅନ୍ତର୍ଗତ ପଞ୍ଚମହଲାରେ ଗାଁରେ ଏପରି ଅଘଟଣ ଘଟିଥିବା ଜଣାଯାଇଛି   ଘଟଣା ପ୍ରଚାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି  ।