ସାପ କାମୁଡ଼ାରେ ଦାଦନ ଶ୍ରମିକ ମୃତ, କ୍ଷତିପୂରଣ ଦାବି କଲେ ପ୍ରବାସୀ ଓଡିଆ

Published: Nov 23, 2021, 10:18 pm IST

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: କମ ବୟସରେ ମଧ୍ୟ ପରିବାର ପ୍ରତିପୋଷଣ ପାଇଁ ଯୁବକମାନେ ଦାଦନ ଖଟିବାକୁ ଯାଇଥାନ୍ତି। ସେମାନଙ୍କ ରୋଜଗାର ପଇସାରେ ପରିବାର ସୁରୁଖୁରୁରେ ଚାଲିଥାଏ। ସେହିଭଳି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଳକ ଅନ୍ତର୍ଗତ ମଙ୍ଗଳାଯୋଡ଼ି ଗ୍ରାମର ୨୧ ବର୍ଷୀୟ ଜଣେ ଯୁବକ ପରିବାର ପ୍ରତିପୋଷଣ ପାଇଁ ସୁଦୂର ଚେନ୍ନାଇ ଯାଇଥିଲେ। କିନ୍ତୁ ସେଠାରେ ତାଙ୍କର ସାପ କାମୁଡିବାରେ ଅକାଳ ବିୟୋଗ ହୋଇଛି।

ସୂଚନା ଅନୁଯାୟୀ, ମଙ୍ଗଳାଯୋଡ଼ି ଗ୍ରାମର ନିରଞ୍ଜନ ବେହେରାଙ୍କ ପୁଅ ଅରୁ ବେହେରା ଚେନ୍ନାଇ ଠାରେ ଜୟନ୍ତ ଫାଉଣ୍ଡେସନ ନାମକ ଏକ ଘରୋଇ କମ୍ପାନୀରେ ରଙ୍ଗ କାର୍ଯ୍ୟ କରିଆସୁଥିଲେ। କମ୍ପାନୀ ଭିତରେ ଥିବା କଲୋନୀ ମଧ୍ୟରେ ସେ ରହୁଥିଲେ। ଗତକାଲି ରାତିରେ ଅରୁ ଖାଇବା ପରେ ନିଜ ରୁମରେ ଶୋଇଥିଲେ। କିନ୍ତୁ ବିଳମ୍ବିତ ରାତ୍ରିରେ କୌଣସି ଏକ ବିଷଧର ସାପ ଅରୁଙ୍କୁ ଦଂଶନ କରିଥିଲା। ପାଖରେ ଥିବା ବନ୍ଧୁମାନେ ତୁରନ୍ତ ଅରୁଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ। ଖବର ପାଇ ଚେନ୍ନାଇରେ ଥିବା ଅରୁଙ୍କ ବଡ଼ ଭାଇ ଗୁରୁ ବେହେରା ହସ୍ପିଟାଲରେ ପହଞ୍ଚିଥିଲେ। ହେଲେ ଦୁର୍ଭାଗ୍ୟବଶତଃ ସେଠାରେ ଅରୁଙ୍କ ପ୍ରାଣହାନୀ ଘଟିଥିଲା।

ଏଭଳି ଘଟଣା ପରେ ଚେନ୍ନାଇରେ ଥିବା ଓଡ଼ିଆ ଶ୍ରମିକମାନେ ଦୁଃଖ ପ୍ରକାଶ କରିବା ସହ କମ୍ପାନୀ ନିକଟରେ କ୍ଷତିପୂରଣ ଦାବି କରିଥିଲେ। କିନ୍ତୁ କମ୍ପାନୀ ସ୍ୱଳ୍ପ କିଛି ଟଙ୍କା ଦେଇ ଆମ୍ବୁଲାନ୍ସ ଯୋଗେ ଗ୍ରାମକୁ ଅରୁଙ୍କ ମୃତ ଦେହ ପଠାଉଥିବାର ସୂଚନା ମିଳିଛି।

Related posts