Categories
ଆଜିର ଖବର ରାଜ୍ୟ ଖବର

ଦ୍ୱିତୀୟ ସୋଆ ସାହିତ୍ୟ ଉତ୍ସବ ଉଦ୍‌ଘାଟିତ, ସମୂହ ସମାଜ, ସାମାଜିକ ଏକତା ଉପରେ ଗୁରୁତ୍ୱ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆୟୋଜିତ ୩ ଦିନିଆ ଦ୍ୱିତୀୟ ସୋଆ ସାହିତ୍ୟ ଉତ୍ସବ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି। ଏହି ଉତ୍ସବକୁ ଉଦ୍‌ଘାଟନ କରି ବିଶିଷ୍ଟ ଓଡ଼ିଆ ସାହିତ୍ୟିକ ଡକ୍ଟର ପ୍ରତିଭା ରାୟ ଏକ ସମୁୂହ ସମାଜ ଗଠନ ଉପରେ ଗୁରୁତ୍ଵାରୋପ କରିଥିଲେ, ଯେଉଁଥିରେ ପ୍ରତ୍ୟେକ ନାଗରିକର ଅବଦାନ ରହିବ ଓ ଉନ୍ନତି ହୋଇପାରିବ।

ସୋଆ ଦ୍ୱାରା ସଂସ୍କୃତି ଓ ଐତିହ୍ୟର ସଂରକ୍ଷଣ ନିମନ୍ତେ ସ୍ଥାପିତ ସୋଆ ସେଂଟର ଫର ପ୍ରିଜରଭେସନ୍‌, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଆନ୍‌ସିଏଂଟ କଲ୍‌ଚର୍ ଆଣ୍ଡ ହେରିଟେଜ୍ ଅଫ୍ ଇଣ୍ଡିଆ (ପ୍ରାଚୀନ) ପକ୍ଷରୁ ଆୟୋଜିତ ଏହି ସାହିତ୍ୟ ଉତ୍ସବରେ ସାରା ଦେଶରୁ ପ୍ରାୟ ୨୫୦ ଜଣ ବିଶିଷ୍ଟ ଲେଖକ, କବି, ଐତିହାସିକ, ସମାଲୋଚକ ଓ କଳାକାର ଯୋଗ ଦେଇଛନ୍ତି।

ଅର୍ଥନୈତିକ ପ୍ରଗତି ଓ ବ୍ୟକ୍ତିଗତ ସଫଳତା ପଛରେ ଧାଇଁ ସାମୂହିକ ସଂଲଗ୍ନତାକୁ ଅଣଦେଖା ନ କରିବାକୁ ମତ ଦେଇ ଡକ୍ଟର ରାୟ ସାମାଜିକ ବୈଷ୍ୟମତାକୁ ଦୂର କରିବାକୁ ଆହ୍ୱାନ ଦେଇଥିଲେ। ସେ ଏହି ସାହିତ୍ୟ ଉତ୍ସବକୁ ଉଦ୍‌ଘାଟନ କରିଥିବା ବେଳେ ଏଥିରେ ବିଶିଷ୍ଟ
ସମାଜବିଜ୍ଞାନୀ ତଥା ସମାଲୋଚକ ପ୍ରଫେସର ଆଶିଷ ନନ୍ଦୀ, ବିଶିଷ୍ଟ ଲେଖକ ତଥା ସାହିତ୍ୟ ଅକାଦେମୀର ଅଧ୍ୟକ୍ଷ ମାଧବ କୌଶିକ, ବିଶିଷ୍ଟ ଲେଖକ ତଥା ସାହିତ୍ୟ ଅକାଦେମୀର ସଚିବ ଡକ୍ଟର କେ. ଶ୍ରୀନିବାସରାଓ, ବିଶିଷ୍ଟ ଅଭିନେତ୍ରୀ ତଥା ଲେଖିକା ଦିବ୍ୟା ଦତ ବକ୍ତବ୍ୟ ରଖିଥିଲେ।

ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ପ୍ରାଚୀନ୍‌ର ମୁଖ୍ୟ ତଥା ସୋଆ ସାହିତ୍ୟ ଉତ୍ସବର ନିର୍ଦ୍ଦେଶିକା ଡକ୍ଟର ଗାୟତ୍ରୀବାଳା ପଣ୍ଡା ଘୋଷଣା କରିଥିଲେ ଯେ ଆଗାମୀ ବର୍ଷ ଠାରୁ ଜାତୀୟ ସ୍ତରରେ ଦେଶର ଜଣେ ବିଶିଷ୍ଟ ସାହିତ୍ୟିକଙ୍କୁ ସୋଆ ସାହିତ୍ୟ ସ୧ାନ ପ୍ରଦାନ କରାଯିବ। ଜାତୀୟ ସ୍ତରର ଏକ ବିଚାରକ ମଣ୍ଡଳୀ ଏହି ସ୧ାନ ପାଇଁ ସାହିତ୍ୟିକଙ୍କୁ ମନୋନୀତ କରିବେ ଏବଂ ତାଙ୍କୁ ୭ ଲକ୍ଷ ଟଙ୍କାର ରାଶି ପୁରସ୍କାର ପ୍ରଦାନ କରାଯିବ।

ଜ୍ଞାନପୀଠ ପୁରସ୍କାର ବିଜେତା ଡକ୍ଟର ରାୟ କହିଥିଲେ ଯେ ଭାରତୀୟ ସଂସ୍କୃତି ଗର୍ବର ଉତ୍ସ ଏବଂ ନିଜର ସମୂହତା, ସହନଶୀଳତା ଓ ଆଧ୍ୟାତ୍ମିକତାକୁ ନେଇ ସାରା ବିଶ୍ୱ ପାଇଁ ପ୍ରେରଣାର ଉତ୍ସ ଭାବେ ଉଭା ହୋଇଛି। ତେବେ ସମକାଳୀନ ପରିସ୍ଥିତି ଆହ୍ୱାନ ସୃଷ୍ଟି କରିଥିବା ବେଳେ ଏ ଦିଗରେ ସମସ୍ତେ ଚିନ୍ତାଶୀଳ ହେବାର ଆବଶ୍ୟକତା ରହିଛି। ଦ୍ରୁତଗତିରେ ହେଉଥିବା ଜଗତିକରଣ, ବୈଷୟିକ ଅଗ୍ରଗତି ଏବଂ ବିବିଧ ପ୍ରଭାବ ଆମ ସାଂସ୍କୃତିକ ପରିଚୟର ଅବକ୍ଷୟର ସମ୍ଭାବନା ସୃଷ୍ଟି କରୁଛି ବୋଲି ସେ କହିଥିଲେ।

ଏଭଳି ଜଟିଳ ପରିସ୍ଥିତି ମଧ୍ୟରେ ଆମର ସଂସ୍କୃତି ଓ ଐତିହ୍ୟର ସଂରକ୍ଷଣ ଓ ପ୍ରସାରର ପ୍ରାଥମିକ ଗୁରୁତ୍ୱ ରହିଛି। ତେଣୁ ଆମେ ଉଭୟ ଜଗତିକରଣରୁ ମିଳୁଥିବା ସୁଯୋଗ ଏବଂ ଆମ ପରିଚୟର ସୁରକ୍ଷା ମଧ୍ୟରେ ସମନ୍ୱୟ ରକ୍ଷା କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

ଏହିପରି ଏକ ସାହିତ୍ୟ ଉତ୍ସବର ଆୟୋଜନ କରିଥିବାରୁ ଡକ୍ଟର ରାୟ ସୋଆ ବିଶ୍ୱବିଦ୍ୟାଳୟର ଭୂୟସୀ ପ୍ରଶଂସା କରିଥିଲେ।

ଏହି ଅବସରରେ ପ୍ରଫେସର ନନ୍ଦୀ ସାହିତ୍ୟିକ ମାନଙ୍କର ରଚନାତ୍ମକତା ଉପରେ ଗୁରୁତ୍ୱ ଦେଇ କହିଥିଲେ ଯେ ଅନେକ ସାହିତ୍ୟିକ ସେମାନଙ୍କ ସୃଷ୍ଟିକୁ ନିଜେ ସ୍ୱୀକାର ମଧ୍ୟ କରିପାରନ୍ତି ନାହିଁ। ବିଶିଷ୍ଟ ଭାରତୀୟ ଗଣିତଜ୍ଞ ଶ୍ରୀନିବାସନ୍ ରାମନୁଜନ୍‌ଙ୍କ ଉଦାହରଣ ଦେଇ ପ୍ରଫେସର ନନ୍ଦୀ କହିଥିଲେ ଯେ ସେ ବିନା ପ୍ରଶିକ୍ଷଣ କିମ୍ବା କୌଣସି ପୁସ୍ତକର ସାହାଯ୍ୟରେ ଗାଣିତ୍ୟିକ ଉଦ୍‌ଭାବନ କରିଥିଲେ।

ତେବେ ତାଙ୍କର ଗବେଷଣା କାର୍ଯ୍ୟକୁ ବିଶ୍ୱସ୍ତରରେ ପ୍ରତ୍ୟାଖ୍ୟାନ କରିଦିଆଯାଇଥିବା ବେଳେ ଲଣ୍ଡନ୍‌ର ଟ୍ରିନିଟି କଲେଜର ଗାଣିତ୍ୟିକ ଜି.ଏଚ୍‌. ହାର୍ଡି ପୁଣି ଥରେ ଅନୁଧ୍ୟାନ କରି ତାଙ୍କ ଉଦ୍‌ଭାବନକୁ ସାମ୍ନାକୁ ଆଣିଥିଲେ। ହାର୍ଡି ଅନୁଭବ କରିଥିଲେ ଯେ ରାମାନୁଜଙ୍କ କାର୍ଯ୍ୟ ସ୍ୱତବ। ଏହି ମଣିଷଟି ହୁଏତ ଖୁବ୍ ବିଚକ୍ଷଣ ଅଥବା ଜଣେ ପ୍ରତିଭାଶାଳୀ ଠକ ବୋଲି ସେ
ଭାବିଥିଲେ। ରାମାନୁଜନଙ୍କ ପରିସ୍ଥ ିତି ତାଙ୍କୁ ଅସୁରକ୍ଷିତ କରି ରଖିଥିଲା ଯାହା ଦ୍ୱାରା ସେ କ’ଣ ଆବିଷ୍କାର କରିଛନ୍ତି ସେ ନିଜେ ମଧ୍ୟ ଗ୍ରହଣ କରିପାରି ନଥିଲେ।

ନିଜ ବକ୍ତବ୍ୟରେ ଶ୍ରୀ କୌଶିକ ଲେଖକ ଓ କବିମାନଙ୍କୁ ସାଧାରଣ ଜନତାଙ୍କ ମୁଖପାତ୍ର ବୋଲି ବର୍ଣ୍ଣନା କରି କହିଥିଲେ ଯେ ଜଣେ ଲେଖକ ନିଜ ଚାରିପଟେ ଥିବା ଲୋକମାନଙ୍କର ଦୁଃଖ ଓ ସମସ୍ୟାକୁ ଅନୁଭବ କରି ନିଜ ଲେଖନୀ ଦ୍ୱାରା ତାହାକୁ ପ୍ରକାଶ କରିଥାଏ।

ଏହି ଅବସରରେ ଅନ୍ୟ ଭାଷାରେ ଅନୁବାଦ ହୋଇଥିବା ଡକ୍ଟର ଗାୟତ୍ରୀବାଳା ପଣ୍ଡାଙ୍କ ରଚିତ ଚାରିଟି ଓଡ଼ିଆ ପୁସ୍ତକ ଉନ୍ମୋଚିତ ହୋଇଥିଲା। ଏହି ପୁସ୍ତକଗୁଡ଼ିକ ମଧ୍ୟରେ ସାହିତ୍ୟ ଅକାଦେମୀ ଦ୍ୱାରା ତାଙ୍କ ରଚିତ ‘ଦୟାନଦୀ’ ପୁସ୍ତକର ପଞ୍ଜାବୀ ଓ ସଂସ୍କୃତ ଅନୁବାଦ, ‘ବାଘ’ର ହିନ୍ଦୀ ଅନୁବାଦ, ହିନ୍ଦୀ ଭାଷାରେ ‘ଆସାନ ନହିଁ ଇତିହାସ ଲିଖ୍‌ନା’ ଏବଂ ଇଂରାଜୀ ଭାଷାରେ ନିର୍ବାଚିତ କ୍ଷୁଦ୍ରଗଳ୍ପ ‘ମାଇ ଟ୍ରୁଥ୍‌, ମାଇ ଷ୍ଟୋରୀ’ ରହିଛି। ଏହା ଛଡ଼ା ପ୍ରାଚୀନ ଦ୍ୱାରା
ପ୍ରକାଶିତ ‘ସାରୋଳଦାସ ମହାଭାରଥ ସଂପାଦନା ପ୍ରସ୍ତାବ- ଭବିଷ୍ୟତ, ଅତୀତ ଓ ବର୍ତମାନ’ ମଧ୍ୟ ଉନ୍ମୋଚିତ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଅଖିଳ ଭାରତ ସାନ୍ତାଳୀ ଲେଖକ ମହାସଂଘର ବାର୍ଷିକ ସମ୍ମେଳନ ଓ ସାହିତ୍ୟ ଉତ୍ସବର ଉଦ୍‌ଘାଟନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ଓଡିଶାର ବାରିପଦାଠାରେ ଅଖିଳ ଭାରତ  ସାନ୍ତାଳୀ ଲେଖକ ମହାସଂଘର ୩୬ତମ ବାର୍ଷିକ ସମ୍ମେଳନ ଓ ସାହିତ୍ୟ ଉତ୍ସବକୁ ଉଦ୍‌ଘାଟନ କରିଛନ୍ତି।

ଏହି ଅବସରରେ ଉଦ୍‌ବୋଧନ ଦେଇ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସାନ୍ତାଳୀ ଭାଷା ଏବଂ ସାହିତ୍ୟକୁ ସମୃଦ୍ଧ କରିଥିବା ଲେଖକ ତଥା ଗବେଷକଙ୍କ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଛନ୍ତି। ୧୯୮୮ରେ ପ୍ରତିଷ୍ଠା ହେବା କାଳରୁ ଅଖିଳ ଭାରତ ସାନ୍ତାଳୀ ଲେଖକ ମହାସଂଘ ସାନ୍ତାଳୀ ଭାଷାର ଉନ୍ନତି ପାଇଁ ନିରନ୍ତର କାର୍ଯ୍ୟ କରି ଆସୁଛି ଏବଂ ଏଭଳି ଉଦ୍ୟମ ଧନ୍ୟବାଦା ଯୋଗ୍ୟ ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ସାନ୍ତାଳୀ ଭାଷାର ବ୍ୟବହାର ବଢିଛି। ୨୦୦୩ ଡିସେମ୍ବର ୨୨ରେ ଏହି ଭାଷା ସମ୍ବିଧାନର ଅଷ୍ଟମ ସୂଚୀରେ ସାମିଲ ହେବା ପରେ ଏହାର ବ୍ୟବହାର ଏବଂ ଗୁରୁତ୍ୱ ବୃଦ୍ଧି ପାଇଛି। ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବାବେଳେ ସାନ୍ତାଳୀ ଭାଷା ସମ୍ବିଧାନର ଅଷ୍ଟମ ସୂଚୀରେ ସ୍ଥାନିତ ହୋଇଥିଲା ବୋଲି ଉଲ୍ଲେଖ କରି ରାଷ୍ଟ୍ରପତି ଅଟଳ ଜୀଙ୍କୁ ସ୍ମରଣ କରିଥିଲେ।

ରାଷ୍ଟ୍ରପତି କହିଥିଲେ ଯେ ଅଧିକାଂଶ ସାନ୍ତାଳୀ ସାହିତ୍ୟ ଦୀର୍ଘକାଳ ଧରି ମୌଖିକ ପରମ୍ପରା ମଧ୍ୟରେ ବଂଚି ରହିଥିଲା । ପଣ୍ଡିତ ରଘୁନାଥ ମୁର୍ମୁ କେବଳ ଏହି ଭାଷାର ଲିପି “ଓଲ୍ ଚିକି”କୁ ଉଦ୍‌ଭାବନ କରି ନ ଥିଲେ । ସେ ମଧ୍ୟ ଅନେକ ସାନ୍ତାଳୀ ସାହିତ୍ୟ ରଚନା କରି ଏହି ଭାଷାକୁ ସମୃଦ୍ଧ କରିଥିଲେ । ତାଙ୍କ ରଚିତ ନାଟକ, ‘ବିଦୁ ଚନ୍ଦନ’, ‘ଖେରୱାଲ ବୀର’, ଦାରେଗେ ଧନ,’ ‘ ସିଦୁ-କାହ୍ନୁ-ସାନ୍ତାଳ ହୁଳ’ ଆଦି ସାନ୍ତାଳୀ ସାହିତ୍ୟର ଅମୂଲ୍ୟ କୃତି । ସେ ଆହୁରି କହିଥିଲେ ଯେ ସାନ୍ତାଳୀ ସାହିତ୍ୟକୁ ରୁଦ୍ଧିମନ୍ତ କରିବାରେ ଅନେକ ସାହିତ୍ୟିଙ୍କର ଅବଦାନ ରହିଛି । ଦମୟନ୍ତୀ ବେଶ୍ରା ଓ କାଳୀପଦ ସରେନ (ଖେରୱାଲ ସରେନ)ଙ୍କୁ ଯଥାକ୍ରମେ ୨୦୨୦ ଓ ୨୦୨୨ରେ ଶିକ୍ଷା ଓ ସାହିତ୍ୟ ପାଇଁ ପଦ୍ମଶ୍ରୀ ସମ୍ମାନ ମିଳିବା ଗର୍ବ ଓ ଗୌରବର ବିଷୟ ।

ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଆହୁରି କହିଥିଲେ ଯେ ଲେଖକମାନେ ସମାଜର ଜାଗ୍ରତ ପ୍ରହରୀ । ସେମାନେ ନିଜର ଲେଖା ମାଧ୍ୟମରେ ସମାଜକୁ  ସଚେତନ କରିବା ସହିତ ବାଟ କଢାଇଥାନ୍ତି । ସ୍ୱାଧୀନତା ସଂଗ୍ରାମ କାଳରେ ଅନେକ ସାହିତ୍ୟିକ ଓ ଲେଖକ ତାଙ୍କ ଲେଖା ମାଧ୍ୟମରେ ଦେଶର ମୁକ୍ତି ପାଇଁ ଲଢେଇ କରିବାକୁ ମାର୍ଗ ଦେଖାଇଥିଲେ ଓ ଲୋକଙ୍କୁ ଅନୁପ୍ରାଣିତ କରିଥିଲେ । ଲେଖକମାନେ ନିରବଚ୍ଛିନ୍ନ ଭାବେ ଲେଖନୀ ଚାଳନା କରି ସମାଜରେ ସଚେତନତା ସୃଷ୍ଟି କରିବାକୁ ରାଷ୍ଟ୍ରପତି ଆହ୍ୱାନ ଦେଇଛନ୍ତି ।

ରାଷ୍ଟ୍ରପତି କହିଛନ୍ତି ଯେ ନିରନ୍ତର ସଚେତନତା ସୃଷ୍ଟି ମାଧ୍ୟମରେ ହିଁ ଏକ ସତର୍କ ଓ ସୁଦୃଢ ସମାଜ ଗଠିତ ହୋଇପାରିବ । ସାହିତ୍ୟ ଏକ ସମୁଦାୟର ସଂସ୍କୃତିର ଦର୍ପଣ ସଦୃଶ । ଆଦିବାସୀ ଜୀବନଧାରାରେ ପ୍ରକୃତି ସହିତ ମଣିଷ ନିବିଡ ଭାବେ ବଂଚି ରହିବାର କଳା ନିହିତ ଏବଂ ଏହା ଏକ ପ୍ରାକୃତିକ ପ୍ରକ୍ରିୟା । ଆଦିବାସୀ ସମୁଦାୟର ବିଶ୍ୱାସ ଯେ ଜଙ୍ଗଲ ସେମାନଙ୍କର ନୁହେଁ, ବରଂ ସେମାନେ ଜଙ୍ଗଲର  । ଏବେକାର ଜଳବାୟୁ ପରିବର୍ତ୍ତନ ସବୁଠୁ ବଡ ସମସ୍ୟା ଏବଂ ଏହାର ମୁକାବିଲା ପାଇଁ ପରିବେଶ ଅନୁକୂଳ ଜୀବନଯାପନ ବିଶେଷ ଗୁରୁତ୍ୱପୂର୍ଣ୍ଣ । ଆଦିବାସୀ ସମ୍ପ୍ରଦାୟଙ୍କ ଜୀବନ ଶୈଳୀ ବିଷୟରେ ଲେଖିବାକୁ ସେ ଲେଖକ, ସାହିତ୍ୟିକମାନଙ୍କୁ ଆହ୍ୱାନ ଜଣାଇଛନ୍ତି । ଏହା ଦ୍ୱାରା ଅନ୍ୟମାନେ ଆଦିବାସୀ ସମାଜର ଜୀବନାଦର୍ଶ ଓ ମୂଲ୍ୟବୋଧ ସମ୍ପର୍କରେ ଜାଣିପାରିବେ ବୋଲି ସେ କହିଛନ୍ତି ।

ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି ଯେ ଭାରତ ବିଭିନ୍ନ ଭାଷା ଓ ସାହିତ୍ୟର ଏକ ସୁନ୍ଦର ବଗିଚା । ଭାଷା ଓ ସାହିତ୍ୟ ରୂପି ସୂକ୍ଷ୍ମ ସୂତ୍ରରେ ଆମ ଦେଶ ବାନ୍ଧି ହୋଇ ରହିଛି । ବିଭିନ୍ନ ଭାଷାର ସାହିତ୍ୟର ଆଦାନ ପ୍ରଦାନ  ଦ୍ୱାରା ସାହିତ୍ୟ ସାମଗ୍ରିକ ଭାବେ ଋଦ୍ଧିମନ୍ତ ହୋଇଥାଏ । ଏଥି ପାଇଁ ଅନୁବାଦ ସାହିତ୍ୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ବିଭିନ୍ନ ଭାଷାର ସାହିତ୍ୟର ଅନୁବାଦ ଦ୍ୱାରା ଏହି କାର୍ଯ୍ୟଟି କରି ହେବ । ସେ ଆହୁରି କହିଥିଲେ ଯେ ସାନ୍ତାଳୀ ଭାଷାର ପାଠକମାନଙ୍କୁ ଅନୁବାଦ ମାଧ୍ୟମରେ ଅନ୍ୟ ଭାଷାର ସାହିତ୍ୟ ଓ ସଂସ୍କୃତି ବିଷୟରେ ଅବଗତ କରିବାର ଆବଶ୍ୟକତା ରହିଛି । ସମାନ ପ୍ରକ୍ରିୟାରେ ଅନୁବାଦ ମାଧ୍ୟମରେ ସାନ୍ତାଳୀ ସାହିତ୍ୟକୁ ଅନ୍ୟ ଭାଷାଭାଷୀଙ୍କ ମଧ୍ୟରେ ଲୋକପ୍ରିୟ କରିବାକୁ  ଉଦ୍ୟମ ହେବା ଉଚିତ ବୋଲି ସେ କହିଥିଲେ ।

ରାଷ୍ଟ୍ରପତି କହିଥିଲେ ଯେ ପିଲାମାନଙ୍କୁ ଆରମ୍ଭରୁ ଆତ୍ମ ଅଧ୍ୟୟନରେ ଅଭ୍ୟସ୍ତ ରଖାଯିବା ଆବଶ୍ୟକ। ପିଲାଦିନରୁ ନିଜେ ପଢି ଲେଖି ଶିଖିଲେ ଓ ସେଥିପ୍ରତି ଆଗ୍ରହୀ ହେଲେ ଯେ କୌଣସି ଲୋକ ଜଣେ ଭଲ ପାଠକ ହୋଇପାରିବ। ଆମୋଦଦାୟକ  ଏବଂ ସରଳ ଶିଶୁ ସାହିତ୍ୟ ବ୍ୟାପକଭାବେ ସୃଷ୍ଟି ଉପରେ ସେ ଗୁରୁତ୍ୱ ଦେଇଥିଲେ। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଥିଲେ ଯେ ସରଳ, ସାବଲୀଳ ଏବଂ ଆମୋଦଦାୟକ ଶିଶୁ ସାହିତ୍ୟ  କେବଳ ସାନ୍ତାଳୀ ଭାଷାରେ ନୁହେଁ ସବୁ ଭାରତୀୟ ଭାଷାରେ ବ୍ୟାପକ ଭାବେ ସୃଷ୍ଟି ହେବାର ଆବଶ୍ୟକତା ରହିଛି। ଏଥି ପ୍ରତି ଆମ ଲେଖକ ଓ ସାହିତ୍ୟିକମାନେ ବିଶେଷ ଦୃଷ୍ଟି ଦେବା ଆବଶ୍ୟକ।