Categories
ଆଞ୍ଚଳିକ

ବାଣପୁର: ବେକରେ ରଶି ଲଗାଇ ଜଣେ ମହିଳାଙ୍କ ଆତ୍ମହତ୍ୟା

ସୀତାରାମ ଅଗ୍ରୱାଲା

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ନାଚୁଣୀ ଫାଣ୍ଡି ଅନ୍ତର୍ଗତ ପଥରକଟା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ମହିଳା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି। ଫାଣ୍ଡି ଅଧିକାରୀ କେଶବ ବେହେରାଙ୍କ ସୂଚନା ମୁତାବକ ପଥରକଟା ଗ୍ରାମର ନୀଳକଣ୍ଠ ଭୋଳଙ୍କ ଝିଅ କଣ୍ଢେଇ ଭୋଳ ଟାଙ୍ଗୀ ଥାନା ଆଡିଆପଡ଼ା ଗ୍ରାମର ପୂର୍ଣ୍ଣ ପରିଡ଼ାଙ୍କ ପୁତ୍ର ଚନ୍ଦନ ପରିଡ଼ାଙ୍କୁ ଏକ ବର୍ଷ ପୂର୍ବେ ବିବାହ କରିଥିଲେ।

ତେବେ କଣ୍ଢେଇଙ୍କ ସ୍ୱାମୀ ବିଦେଶରେ କାମ ପାଇଁ ଯିବା ପରେ ଦୀର୍ଘ ତିନି ମାସ ହେବ କଣ୍ଢେଇ ନିଜ ବାପ ଘର ପଥରକଟା ରେ ରହୁଥିଲେ। ତେବେ ଆଜି ମଧ୍ୟାହ୍ନରେ କୌଣସି କାରଣବଶତଃ କଣ୍ଢେଇ ବେକରେ ରଶି ଲଗାଇ ଝୁଲିପଡ଼ିଥିଲେ। ପରିବାରବର୍ଗ ଏ ନେଇ ଜାଣିବା ପରେ ନାଚୁଣୀ ଫାଣ୍ଡି ଅଧିକାରୀଙ୍କୁ ଖବର ଦେଇଥିଲେ।

ଘଟଣାସ୍ଥଳରେ ବାଣପୁର ଆଇଆଇସି ଜୟପ୍ରକାଶ ପରିଡ଼ା ଓ ଫାଣ୍ଡି ଅଧିକାରୀ ଶ୍ରୀ ବେହେରା ପହଞ୍ଚି ଶବ ଜବତ କରିବା ସହ କେସ ନମ୍ବର 33/22 ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଛେଦ ପାଇଁ ପଠାଇଦେଇଛନ୍ତି। ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ଆଇଆଇସି ଶ୍ରୀ ପରିଡ଼ା କହିଛନ୍ତି।

Categories
ଆଞ୍ଚଳିକ

ବାଣପୁର ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ

ସୀତାରାମ ଅଗ୍ରୱାଲା

ବାଣପୁର: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆ, ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ, ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା ଆର୍ତ୍ତବନ୍ଧୁ ନାୟକ ଆଦି ଉପସ୍ଥିତ ଥିଲେ ।

ଶିବିରରେ ବାଣପୁର ଏନଏସି ଓ ବ୍ଲକର ସମୁଦାୟ 796 ଗୋଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ତନ୍ମଧ୍ୟରୁ 794 ଗୋଟି ବ୍ୟକ୍ତିଗତ ଓ ଦୁଇ ଗୋଟି ଗୋଷ୍ଠୀ ଅଭିଯୋଗ ଅଟେ । ଏତଦବ୍ୟତୀତ ଜଣେ ହିତାଧିକାରୀଙ୍କୁ ରେଡକ୍ରସ ପାଣ୍ଠିରୁ 5 ହଜାର ଟଙ୍କା ଜଲ୍ଲାପାଳ ଅନୁମୋଦନ କରିଥିବା ଜଣାପଡିଛି ।

ଉକ୍ତ ଶିବିରରେ ବାଣପୁର ଏବିଡିଓ ସୀମାଦ୍ରୀ ପାତ୍ର, ତହସିଲଦାର କୁଞ୍ଜ ବିହାରୀ ବଡ଼ଜେନା, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି ଙ୍କ ସମେତ ବିଭିନ୍ନ ସରକାରୀ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିବା ବେଳେ ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଏବଂ ଏନଏସି ଅଧ୍ୟକ୍ଷ ମିଟୁ ନାୟକ ହିତାଧିକାରୀଙ୍କୁ ଅଭିଯୋଗ ଶୁଣାଣି ପ୍ରକ୍ରିୟାରେ ସହଯୋଗ କରିଥିଲେ l ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ଏବଂ ବାଣପୁର ଆଇଆଇସି ଜୟପ୍ରକାଶ ପରିଡ଼ାଙ୍କ ତତ୍ୱାବଧାନରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।

Categories
ଆଞ୍ଚଳିକ

ବାଣପୁର ଓକିଲ ସଂଘର ୪୩ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲା

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଓକିଲ ସଂଘର ୪୩ ତମ ବାର୍ଷିକ ଉତ୍ସବ ସୋମବାର ଅପରାହ୍ନରେ ସ୍ଥାନୀୟ କୋର୍ଟ ପରିସର ମଧ୍ୟରେ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଣପୁର ବିଚାର ବିଭଗୀୟ ଅଦାଲତର ବରିଷ୍ଠ ଦେୱାନୀ ବିଚାରପତି ମନୋରଞ୍ଜନ ମିଶ୍ର ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବାଣପୁର ଜେଏମଏଫସି ସ୍ମାତକୀ ଦାସ ଏବଂ ଚିଲିକା ଜେଏମଏଫସି ବିକାଶ ଗୋଏଲ ଯୋଗଦେଇଥିଲେ।

ବାଣପୁର ଓକିଲ ସଂଘର ସଭାପତି ପ୍ରଭାତ କୁମାର ପଟ୍ଟଯୋଶୀ ସଭାପତିତ୍ୱ କରିଥିବା ବେଳେ ସଂଘର ସମ୍ପାଦକ ଜଗନ୍ନାଥ ଭୋଳ ବାର୍ଷିକ ବିବରଣୀ ପାଠ କରିଥିଲେ। ଅତିଥିମାନେ ପ୍ରଥମେ ବାଣପୁରର ଅଧିଷ୍ଠାତ୍ରୀ ଦେବି ମା’ ଭଗବତୀଙ୍କ ପଟ୍ଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ବଳନ କରିବାପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା।

ଉକ୍ତ ଉତ୍ସବ କେବଳ ଆଇନଜୀବୀ ସଭ୍ୟମାନଙ୍କ ମଧ୍ୟରେ ସୀମିତ ରହିଥିବାବେଳେ ସଂଘର ଅନ୍ୟାନ୍ୟ କର୍ମକର୍ତ୍ତା ଯଥା ଉପସଭାପତି ପଦ୍ମଜା ପଟ୍ଟନାୟକ, ସହ ସମ୍ପାଦକ ନରେନ୍ଦ୍ର କୁମାର ନାୟକ ଓ କାର୍ଯ୍ୟକାରୀ କମିଟିର ସଦସ୍ୟ ଯଥା ଦେବବ୍ରତ ବଡ଼ଜେନା, କୁଳମଣି ବେହେରା ଏବଂ ସନ୍ତୋଷ ପାତ୍ର ଆଦି ସକ୍ରିୟ ସହଯୋଗ କରିଥିବା ବେଳେ ଆଇନଜୀବୀ ରଞ୍ଜନ କୁମାର ବେଦମତ୍ତା ମଞ୍ଚ ପରିଚାଳନା କରିଥିଲେ।

ପରିଶେଷରେ ସଂଘର ଉପସଭାପତିଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଚିଲିକା ଓକିଲ ସଂଘର କର୍ମକର୍ତ୍ତା ଏବଂ ଅନ୍ୟାନ୍ୟ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। ବାଣପୁର ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଓକିଲ ସଂଘର ବାର୍ଷିକ ଉତ୍ସବ ଶାନ୍ତିଶୃଙ୍ଖଳାର ସହ ସମ୍ପାଦିତ ହୋଇଥିଲା।

Categories
PanchayatElection ଆଞ୍ଚଳିକ

ପଞ୍ଚାୟତ ନିର୍ବାଚନ ପୂର୍ବରୁ ବାଣପୁର ବ୍ଲକରେ ପୋଲିସର ଫ୍ଲାଗ ମାର୍ଚ୍ଚ

ରିପୋର୍ଟ-ସୀତାରାମ ଅଗ୍ରୱାଲା

ବାଣପୁର: ଖୋର୍ଦ୍ଧା ଏସପିଙ୍କ ନିର୍ଦେଶକ୍ରମେ ଖୋର୍ଦ୍ଧା ଜିଲ୍ଲା ପୋଲିସ ପକ୍ଷରୁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେଶ କୁମାର ଦାସଙ୍କ ତତ୍ୱାବଧାନରେ ଆଜି ସନ୍ଧ୍ୟାରେ ବାଣପୁର ଠାରେ କରାଯାଇଛି ପୋଲିସର ଶକ୍ତି ପ୍ରଦର୍ଶନ। ଆସନ୍ତାକାଲି ବାଣପୁରରେ ପଞ୍ଚାୟତ ନିର୍ବାଚନ ଥିବାରୁ ପୋଲିସ ପକ୍ଷରୁ ବାଣପୁର ବ୍ଲକର ସମସ୍ତ ପଞ୍ଚାୟତରେ କରାଯାଇଛି ଫ୍ଲାଗ ମାର୍ଚ୍ଚ।

ଉକ୍ତ ଫ୍ଲାଗମାର୍ଚ୍ଚରେ ବାଣପୁର ତହସିଲଦାରଙ୍କ ସମେତ ବାଲୁଗାଁ ଏସଡିପିଓ, ୩ ଜଣ ଡ଼ିଏସପି, ଚାରି ଜଣ ଆଇଆଇସି ଏବଂ 20 ଗୋଟି ମୋବାଇଲ ଭ୍ୟାନରେ ପୋଲିସ କର୍ମଚାରୀ ମାନେ ସାମିଲ ଥିଲେ। ଅତିରିକ୍ତ ଏସପି ଶ୍ରୀ ଦାସ ସ୍ଥାନୀୟ ପଲଟନ ପଡିଆରେ ପୋଲିସ ବ୍ରିଫିଙ୍ଗ କଲା ପରେ ଆରମ୍ଭ ହୋଇଥିଲା ଫ୍ଲାଗମାର୍ଚ୍ଚ।

ପଞ୍ଚାୟତ ନିର୍ବାଚନ ପାଇଁ ଖୋର୍ଦ୍ଧା ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବାର କହିଛନ୍ତି ଅତରିକ୍ତ ଏସପି ଶ୍ରୀ ଦାସ। ନିର୍ବାଚନକୁ ନିରପେକ୍ଷ, ଅବାଧ ଏବଂ ଶାନ୍ତିପୂର୍ଣ କରିବାପାଇଁ ସଂକଳ୍ପବଧ ଖୋର୍ଦ୍ଧା ଜିଲ୍ଲା ପୋଲିସ ବୋଲି ଶ୍ରୀ ଦାସ କହିଛନ୍ତି।

Categories
PanchayatElection ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ସତରଟି ପଞ୍ଚାୟତରେ ହେବ ନିର୍ବାଚନ

ରିପୋର୍ଟ- ସୀତାରାମ ଅଗ୍ରୱାଲା

ବାଣପୁର: ଆସନ୍ତାକାଲି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ସତjଟି ପଞ୍ଚାୟତରେ ଅନୁଷ୍ଠିତ ହେବ ନିର୍ବାଚନ। ଏହି ପରିପ୍ରେକ୍ଷୀରେ ଜିଲ୍ଲା ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ସ୍ଥିତି ପରଖିବାକୁ ଆଜି ବାଣପୁର ବ୍ଲକ ପରିଦର୍ଶନରେ ଆସିଥିଲେ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର।

ଶ୍ରୀ ମହାପାତ୍ର ବାଣପୁର ବ୍ଲକ କାର୍ଯ୍ୟାଳୟରେ ସ୍ଥାନୀୟ ତହସିଲଦାର, ବିଡ଼ିଓ ଏବଂ ଆଇଆଇସିଙ୍କ ସହ ଏକ ବୈଠକ କରିଥିଲେ। ବ୍ଲକ, ତହସିଲ ଓ ପୋଲିସ ପ୍ରଶାସନ ପକ୍ଷରୁ ବାଣପୁରରେ ଅବାଧ ଏବଂ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ନିଆଯାଇଥିବା ପଦକ୍ଷେପ ଗୁଡିକ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ ଜିଲ୍ଲାପାଳ। ପରିଶେଷରେ ନିର୍ବାଚନ ଶେଷ ହେବା ପରେ ବ୍ୟାଲଟ ବାକ୍ସ ରଖିବା ନିମନ୍ତେ ବ୍ଲକ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ ପରିଦର୍ଶନ କରିଥିଲେ ଜିଲ୍ଲାପାଳ।

ତେବେ ବାଣପୁର ବ୍ଲକରେ ପଞ୍ଚାୟତ ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କଣ କଣ ପଦକ୍ଷେପ ନିଆଯାଇଛି ବୋଲି ଆମ ପ୍ରତିନିଧି ପ୍ରଶ୍ନ ପଚାରିବାରୁ ଏଥି ନିମନ୍ତେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିବାର ଜିଲ୍ଲାପାଳ କହିଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ମତଦାନ ଶାନ୍ତିଶୃଙ୍ଖଳା ସହ ସମାପ୍ତ ହୋଇଥିବାରୁ ଏଥି ପାଇଁ ସମସ୍ତ ସରକାରୀ ଅଧିକାରୀ, ବ୍ଲକ ପ୍ରଶାସନ, ପୋଲିସ ପ୍ରଶାସନ ଏବଂ ଭୋଟରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜିଲ୍ଲାପାଳ।

ତେବେ ଆସନ୍ତାକାଲି ଜିଲ୍ଲାର ବେଗୁନିଆ ଏବଂ ବାଣପୁର ବ୍ଲକରେ ପଞ୍ଚାୟତ ନିର୍ବାଚନ ହେବାକୁ ଥିବା ବେଳେ ସବୁ ସ୍ଥାନରେ ପୋଲିଙ୍ଗ ପାର୍ଟି ପହଁଚିସାରିଥିବାର କହିଛନ୍ତି ଜିଲ୍ଲାପାଳ। ଏଥିସହିତ ପୋଲିସ ପକ୍ଷରୁ ବ୍ୟାପକ ପାଟ୍ରୋଲିଂ ବ୍ୟବସ୍ଥା କରାଯିବା ସହ ସ୍ପର୍ଶକାତର ବୁଥକୁ ବିଶେଷ ଦୃଷ୍ଟି ଦିଆଯାଇଛି।

ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି l ମହିଳାଙ୍କ ପାଇଁ ବାଣପୁରରେ ପିଙ୍କ ବୁଥ ବ୍ୟବସ୍ଥା କରାଯାଇଛି। ମୋଟାମୋଟି କହିବାକୁ ଗଲେ ସ୍ଥାନୀୟ ପ୍ରଶାସନ ଦ୍ୱାରା କରାଯାଇଥିବା ବ୍ୟବସ୍ଥା ଉପରେ ଜିଲ୍ଲାପାଳ ସନ୍ତୋଷ ପ୍ରକାଶ କରିବା ସହ ଆସନ୍ତାକାଲି ବାଣପୁରରେ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ସମାପ୍ତ ହେବ ବୋଲି ଆଶା ପ୍ରକଟ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର-ବାଲୁଗାଁର କେତେକ ପେଟ୍ରୋଲ ପମ୍ପରେ ବିଭିନ୍ନ ବିଭାଗର ମିଳିତ ଚଢ଼ାଉ

ରିପୋର୍ଟ- ସୀତାରାମ ଅଗ୍ରୱାଲା

ବାଣପୁର: କିଛିଦିନ ହେବ ଖୋର୍ଦ୍ଧା ଜିଲ୍ଲା ବାଣପୁର ବାଲୁଗାଁ ଅଞ୍ଚଳରେ ବିଭିନ୍ନ ପେଟ୍ରୋଲ ପମ୍ପ ଗୁଡିକରେ ଅପମିଶ୍ରଣ ଏବଂ ପେଟ୍ରୋଲ, ଡ଼ିଜେଲ ମାପରେ ଅନିୟମିତତା ହେଉଥିବାର ବାରମ୍ବାର ଅଭିଯୋଗ ହୋଇଆସୁଅଛି। ତେବେ ଏହାକୁ ଗୁରୁତର ସହ ନେଇ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ନିର୍ଦେଶ କ୍ରମେ ଗତକାଲି ଯୋଗାଣ ଓ ମାପ ଓଜନ ବିଭାଗ ପକ୍ଷରୁ ବାଣପୁର ଏବଂ ବାଲୁଗାଁର ବିଭିନ୍ନ ପେଟ୍ରୋଲ ପମ୍ପ ଗୁଡିକରେ ମିଳିତ ଚଢ଼ାଉ କରାଯାଇଥିଲା।

ଉକ୍ତ ଚଢ଼ାଓ ର ନେତୃତ୍ୱ ନେଇଥିଲେ ଖୋର୍ଦ୍ଧା ଜିଲ୍ଲା ସହକାରୀ ଯୋଗାଣ ଅଧିକାରୀ ବିଷ୍ଣୁ ଚରଣ ପରିଡା ଏବଂ ତ୍ରିଲୋଚନ ସାହୁ। ଉଭୟ ଅଧିକାରୀ କାଲି ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ବାଣପୁର ଓ ବାଲୁଗାଁର ତିନି ଗୋଟି ପେଟ୍ରୋଲ ପମ୍ପ ଉପରେ ଚଢ଼ାଉ ଜାରି ରଖିଥିଲେ। ତେବେ ବାଣପୁର ସ୍ଥିତ ପେଟ୍ରୋଲ ପମ୍ପ ଠାରୁ କାଗଜପତ୍ର ବାବଦକୁ 5000 ଟଙ୍କା ଜରିମାନା ଆଦାୟ କରାଯାଇଥିବା ବେଳେ ବାଲୁଗାଁର ଦୁଇ ଗୋଟି ପେଟ୍ରୋଲ ପମ୍ପ ନିକଟରୁ କାଗଜପତ୍ର ଏବଂ ଜନସାଧାରଣଙ୍କ ମୌଳିକ ସୁବିଧା ନିମନ୍ତେ ଭିତ୍ତିଭୂମି ଅଭାବ ବାବଦକୁ 10 ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଶ୍ରୀ ପରିଡ଼ା।

ତେବେ ସମସ୍ତ ପେଟ୍ରୋଲ ପମ୍ପ ଗୁଡିକରେ ପେଟ୍ରୋଲ, ଡ଼ିଜେଲ ମାପରେ କୌଣସି ତ୍ରୁଟି ନଥିବା ଏବଂ ମିଟର ରିଡିଙ୍ଗ ଯନ୍ତ୍ର ସଠିକ ଥିବା ଜିଲ୍ଲା ସହକାରୀ ଅଧିକାରୀ ପ୍ରକାଶ କରିଛନ୍ତି। ତେବେ ଏହିପରି ଚଢ଼ାଉ ଆଗକୁ ମଧ୍ୟ ଜାରି ରହିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। ଉକ୍ତ ଚଢ଼ାଉରେ ବାଲୁଗାଁ ଓଜନ ଏବଂ ମାପ ଅଧିକାରୀ ପ୍ରଦୋଷ ହରିଚନ୍ଦନ, ବାଣପୁର ବ୍ଲକ ଯୋଗାଣ ନିରୀକ୍ଷକ ଶିବରାମ ବିଶ୍ୱାଳ ଏବଂ ଚିଲିକା ବ୍ଲକ ଯୋଗାଣ ନିରୀକ୍ଷକ ଅରୁଣ ଲେଙ୍କା ଆଦି ସାମିଲ ଥିଲେ।