ବାଣପୁର-ବାଲୁଗାଁର କେତେକ ପେଟ୍ରୋଲ ପମ୍ପରେ ବିଭିନ୍ନ ବିଭାଗର ମିଳିତ ଚଢ଼ାଉ

Published: Nov 2, 2021, 2:05 pm IST

ରିପୋର୍ଟ- ସୀତାରାମ ଅଗ୍ରୱାଲା

ବାଣପୁର: କିଛିଦିନ ହେବ ଖୋର୍ଦ୍ଧା ଜିଲ୍ଲା ବାଣପୁର ବାଲୁଗାଁ ଅଞ୍ଚଳରେ ବିଭିନ୍ନ ପେଟ୍ରୋଲ ପମ୍ପ ଗୁଡିକରେ ଅପମିଶ୍ରଣ ଏବଂ ପେଟ୍ରୋଲ, ଡ଼ିଜେଲ ମାପରେ ଅନିୟମିତତା ହେଉଥିବାର ବାରମ୍ବାର ଅଭିଯୋଗ ହୋଇଆସୁଅଛି। ତେବେ ଏହାକୁ ଗୁରୁତର ସହ ନେଇ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ନିର୍ଦେଶ କ୍ରମେ ଗତକାଲି ଯୋଗାଣ ଓ ମାପ ଓଜନ ବିଭାଗ ପକ୍ଷରୁ ବାଣପୁର ଏବଂ ବାଲୁଗାଁର ବିଭିନ୍ନ ପେଟ୍ରୋଲ ପମ୍ପ ଗୁଡିକରେ ମିଳିତ ଚଢ଼ାଉ କରାଯାଇଥିଲା।

ଉକ୍ତ ଚଢ଼ାଓ ର ନେତୃତ୍ୱ ନେଇଥିଲେ ଖୋର୍ଦ୍ଧା ଜିଲ୍ଲା ସହକାରୀ ଯୋଗାଣ ଅଧିକାରୀ ବିଷ୍ଣୁ ଚରଣ ପରିଡା ଏବଂ ତ୍ରିଲୋଚନ ସାହୁ। ଉଭୟ ଅଧିକାରୀ କାଲି ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ବାଣପୁର ଓ ବାଲୁଗାଁର ତିନି ଗୋଟି ପେଟ୍ରୋଲ ପମ୍ପ ଉପରେ ଚଢ଼ାଉ ଜାରି ରଖିଥିଲେ। ତେବେ ବାଣପୁର ସ୍ଥିତ ପେଟ୍ରୋଲ ପମ୍ପ ଠାରୁ କାଗଜପତ୍ର ବାବଦକୁ 5000 ଟଙ୍କା ଜରିମାନା ଆଦାୟ କରାଯାଇଥିବା ବେଳେ ବାଲୁଗାଁର ଦୁଇ ଗୋଟି ପେଟ୍ରୋଲ ପମ୍ପ ନିକଟରୁ କାଗଜପତ୍ର ଏବଂ ଜନସାଧାରଣଙ୍କ ମୌଳିକ ସୁବିଧା ନିମନ୍ତେ ଭିତ୍ତିଭୂମି ଅଭାବ ବାବଦକୁ 10 ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଶ୍ରୀ ପରିଡ଼ା।

ତେବେ ସମସ୍ତ ପେଟ୍ରୋଲ ପମ୍ପ ଗୁଡିକରେ ପେଟ୍ରୋଲ, ଡ଼ିଜେଲ ମାପରେ କୌଣସି ତ୍ରୁଟି ନଥିବା ଏବଂ ମିଟର ରିଡିଙ୍ଗ ଯନ୍ତ୍ର ସଠିକ ଥିବା ଜିଲ୍ଲା ସହକାରୀ ଅଧିକାରୀ ପ୍ରକାଶ କରିଛନ୍ତି। ତେବେ ଏହିପରି ଚଢ଼ାଉ ଆଗକୁ ମଧ୍ୟ ଜାରି ରହିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। ଉକ୍ତ ଚଢ଼ାଉରେ ବାଲୁଗାଁ ଓଜନ ଏବଂ ମାପ ଅଧିକାରୀ ପ୍ରଦୋଷ ହରିଚନ୍ଦନ, ବାଣପୁର ବ୍ଲକ ଯୋଗାଣ ନିରୀକ୍ଷକ ଶିବରାମ ବିଶ୍ୱାଳ ଏବଂ ଚିଲିକା ବ୍ଲକ ଯୋଗାଣ ନିରୀକ୍ଷକ ଅରୁଣ ଲେଙ୍କା ଆଦି ସାମିଲ ଥିଲେ।

Related posts