ବରେଲି, ଏଣିକି ସିବିଏସଇ ଛାତ୍ରମାନେ ଚାଷର କୈଶଳ ସଂପର୍କରେ ଶିକ୍ଷାଲାଭ କରିବେ। ଏହିପରି ଏକ ଭିନ୍ନ ପଦକ୍ଷେପ ନେଇଛି ବରେଲିସ୍ଥିତ ସହୋଦୟା ପବ୍ଲିକ ସ୍କୁଲ । ଜୈବିକ କୃଷି ମାଧ୍ୟମରେ ଛାତ୍ରମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଏହି ବିଦ୍ୟାଳୟ ଏକ ମିନି-କୃଷି ଫାର୍ମ ବିକଶିତ କରିଛନ୍ତି। ଏଥିରେ ଛାତ୍ରମାନଙ୍କୁ ଚାଷ ଜମିରେ ଚାଷ ବିଷୟରେ ସୂଚନା ଦିଆଯାଉଛି। ଯାହା ସାରା ଦେଶ ପାଇଁ ଏକ ଅନନ୍ୟ ଉଦାହରଣ ପାଲଟିଛି।
ନୂତନ ଶିକ୍ଷା ନୀତି ଅନୁସାରେ ଛାତ୍ରମାନଙ୍କୁ ସ୍ବରୋଜଗାର ଶିକ୍ଷା ଦେବା ଉପରେ ଗୁରୁତ୍ୱ ଦିଆଯାଇଛି। ବିଗତ କିଛି ବର୍ଷ ମଧ୍ୟରେ ସହରୀ ସଭ୍ୟତାରେ ଚାଷ ବା ଫାର୍ମ ହାଉସ ରୋଜଗାରର ଏକ ପ୍ରମୁଖ ଉତ୍ସ ଭାବରେ ଛିଡା ହୋଇଛି। ଯୁବକମାନେ ମଧ୍ୟ ଏଥିରେ କାମ କରିବା ପାଇଁ ବହୁତ ଆଗ୍ରହୀ ହେଉଥିବାର ପରିଲକ୍ଷିତ ହୋଇଛି। ଏହି ଚିନ୍ତାଧାରା ସହିତ, ସିବିଏସ୍ଇ ସହ ଜଡିତ ବରେଲି ସହଦୋୟା ବିଦ୍ୟାଳୟ କମ୍ପ୍ଲେକ୍ସ ନିଜେ ମିନି ଫାର୍ମ ବିକଶିତ କରିଛନ୍ତି।
ଏହି ଫାର୍ମ ହାଉସରେ ଛୋଟଛୋଟ ପ୍ଲଟ କରାଯାଇ ବିଭିନ୍ନ ଶାଗ ଏବଂ ପନିପରିବା ଚାଷ କରାଯାଉଛି। ସ୍କୁଲରୁ ଛାତ୍ରମାନଙ୍କୁ ଏହି ଫାର୍ମ ହାଉସକୁ ନିଆଯାଇ ଚାଷ ବିଷୟରେ ଶିକ୍ଷା ଦିଆଯାଉଛି। କୃଷି ବିଶେଷଜ୍ଞମାନେ ଛାତ୍ରମାନଙ୍କୁ ସେହି ଫାର୍ମ ହାଉସରେ ଛିଡା ହୋଇ ଚାଷ ସଂପର୍କରେ ଅବଗତ କରାଉଛନ୍ତି। ସେମାନଙ୍କୁ କୃଷକଙ୍କ ଶ୍ରମର ମୂଲ୍ୟ କଣ ତାହା ବୁଝାଉଛନ୍ତି। ମୁଖ୍ୟତଃ ଏହି ଚାଷରେ ଜୈବିକ ଚାଷ ବିଷୟରେ ଶିକ୍ଷା ଦିଆଯାଉଛି। ପିଲାମାନେ ଏଥିରେ ବହୁତ ଆଗ୍ରହ ଦେଖାଉଛନ୍ତି ବୋଲି ପବ୍ଲିକ୍ ସ୍କୁଲର ପ୍ରିନ୍ସପାଲ୍ ୟୋହାନ୍ କୁନୱାର କହିଛନ୍ତି।
ଛାତ୍ରମାନେ ନିଜେ ମିନି ଫାର୍ମର ଏକ ଅଂଶ ବା ପ୍ଲଟ ଚୟନ କରି ଫସଲ ବୃଦ୍ଧି କରାଇବାକୁ ଉତ୍ସାହିତ କରାଯାଉଛି। ସେମାନଙ୍କୁ ଶାଗ, ଟମାଟ, ବାଇଗଣ ପରି ପନିପରିବା ଚାଷ କରିବା ପାଇଁ ସବୁ ପ୍ରକାରର ସହାୟତା ପ୍ରଦାନ କରାଯାଉଛି। ଛାତ୍ରମାନେ ଗ୍ରୁପ ଗ୍ରପ ହୋଇ ଗୋଟିଏ ଗୋଟିଏ ପ୍ଲଟରେ ଚାଷ କରୁଛନ୍ତି। ସେମାନେ ନିଜେ ଆଧୁନିକ ଚାଷ ଯନ୍ତ୍ରପାତି ସାହାର୍ଯ୍ୟରେ କାମ କରୁଛନ୍ତି। ଏହା ପଛର ଉଦ୍ଦେଶ୍ୟ ହେଉଛି ସେମାନଙ୍କ ଚାଷ ପ୍ରତି ଅଧିକ ଆଗ୍ରହ ସୃଷ୍ଟି କରିବା ଏବଂ ପରିବେଶ ପ୍ରତି ସଜାଗ ହେବା। ଭବିଷ୍ୟତରେ ଯଦି ସେମାନେ କୃଷି କ୍ଷେତ୍ରରେ କ୍ୟାରିୟର କରିବାକୁ ଚାହାଁନ୍ତି, ତେବେ ଏହି ଅଭିଜ୍ଞତା ବହୁତ ଉପଯୋଗୀ ହେବ ବୋଲି ସ୍କୁଲ ଅଧ୍ୟକ୍ଷ କହିଛନ୍ତି।
ସେ କହିଛନ୍ତି ଯେ ଆମ ଦେଶର ଅର୍ଥନୀତିକୁ କୃଷି ସମୃଦ୍ଧ କରିଥାଏ। ହେଲେ ଏହି କଥା ସିବିଏସ୍ଇ ବିଦ୍ୟାଳୟର ଛାତ୍ରମାନେ କେବଳ ବହିରେ ପଢନ୍ତି। ସେମାନଙ୍କର ଚାଷ ବିଷୟରେ ବ୍ୟବହାରିକ ଜ୍ଞାନ ଆସିପାରେ ନାହିଁ । ପୋଥୀ ଜ୍ଞାନ କାରଣରୁ ସେମାନେ କୃଷକର ଶ୍ରମର ମୂଲ୍ୟ କଣ ବୁଝନ୍ତି ନାହିଁ। ଆମେ ମିନି ଫାର୍ମ ହାଉସର ବିକାଶ କରି ଛାତ୍ରମାନଙ୍କୁ ଚାଷ ସହିତ ପରିଚିତ କରାଇବାକୁ ପଦକ୍ଷେପ ନେଇଛୁ। ଛାତ୍ରମାନେ ମଧ୍ୟ ଏଥିରେ ଆଗ୍ରହ ଦେଖାଉଛନ୍ତି ବୋଲି ଅଧ୍ୟକ୍ଷ କହିଛନ୍ତି।
ଚାଷ ହେଉଛି ଭାରତ ଅର୍ଥନୀତିର ମେରୁଦଣ୍ଡ, ଚାଷି ହେଉଛି ମହାନ ବୋଲି ସମସ୍ତେ କେବଳ ଭାଷଣ ଦିଅନ୍ତି। ହେଲେ ଛାତ୍ରମାନେ ସ୍କୁଲରେ ଏହାର ବ୍ୟବହାରିକ ଜ୍ଞାନ ବିଷୟରେ ଜାଣିପାରନ୍ତି ନାହିଁ। ଏପରିକି ସହରୀ ସଭ୍ୟତାରେ ବଢୁଥିବା ଛାତ୍ରମାନେ ଚାଷ ସଂପର୍କରେ ଆଦୌ ଜ୍ଞାନ ହାସଲ କରି ପାରନ୍ତି ନାହିଁ। ଏହି ଦୃଷ୍ଟିରୁ ଏହି ସ୍କୁଲ ଏପରି ଫାର୍ମ ହାଉସ ବିକଶିତ କରି ଛାତ୍ରମାନଙ୍କୁ ଚାଷ ସଂପର୍କରେ ଶିକ୍ଷା ଦେବା ନିହାତି ସ୍ବାଗତଯୋଗ୍ୟ ପଦକ୍ଷେପ। ସେଥିପାଇଁ ଦେଶର ବିଭିନ୍ନ ଶିକ୍ଷା ବୋର୍ଡ ସହିତ ସରକାର ମଧ୍ୟ ଏଥିରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି।