ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେଉଛି ଇସ୍ରୋର ୩ ଦିନିଆ ସ୍ପେସ୍ ଅନ୍ ହୁଇଲ୍ ପ୍ରଦର୍ଶନୀ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ), ମହାକାଶ ପ୍ରୟୋଗ କେନ୍ଦ୍ର, ବିକ୍ରମ ସରାଭାଇ ମହାକାଶ ପ୍ରଦର୍ଶନୀ, ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ବିଜ୍ଞାନ ଓ ବୈଷୟିକ ବିଦ୍ୟା ବିଭାଗର ମିଳିତ ସହଯୋଗରେ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରଦର୍ଶନୀ କ୍ୟାପିଟାଲ ହାଇସ୍କୁଲ, ୟୁନିଟ-୩ , ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବ। ଏଥିର ରାଜ୍ୟ ବିଜ୍ଞାନ ଓ ବୈଷୟିକ ବିଦ୍ୟା, ସାମାଜିକ ନିରାପତ୍ତା ଓ ଭିନ୍ନକ୍ଷମ ସଶକ୍ତିକରଣ ତଥା ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଓ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଉଦଘାଟକ ଭାବେ ଯୋଗଦାନ କରିବେ ।
ସମ୍ମାନିତ ଅତିଥି ଭାବେ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର ମହାନଗର ନିଗମ ମେୟର ଶ୍ରୀମତୀ ସୁଲୋଚନା ଦାସ, ଡେପୁଟୀ ମେୟର ଶ୍ରୀମତୀ ମଂଜୁଲତା କଂଅର, ଜିଲ୍ଲାପାଳ, ଖୋର୍ଦ୍ଧା କେ. ସୁଦର୍ଶନ ଚକ୍ରବର୍ତ୍ତୀ, ମୁଖ୍ୟ ବକ୍ତାଭାବେ ଇସ୍ରୋର ଗ୍ରୁପ୍ ଡାଇରେକ୍ଟର (ଆର.ପି.ସି.ଜି) ଡଃ. ପାରୁଲ ପଟେଲ ଯୋଗଦେବାକୁଥିବା ବେଳେ ଓଡିଶା ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ବୈଷୟିକ ବିଦ୍ୟା ବିଭାଗର ବରିଷ୍ଠ ବୈଜ୍ଞାନିକ ଶ୍ରୀ ଲକ୍ଷ୍ମୀ ନାରାୟଣ ପାଢୀ ଅତିଥି ଭାବେ ଉପସ୍ଥିତ ରହିବେ।
ଏହି ପ୍ରଦର୍ଶନୀ ପରିପ୍ରେକ୍ଷୀରେ କ୍ୟାପିଟାଲ ହାଇ ସ୍କୁଲ, ୟୁନିଟ୍-୩ ଠାରେ ବ୍ୟାପକ ପ୍ରସ୍ତୁତି ଜାରି ରହିଛି । ଏହି ପ୍ରଦର୍ଶନୀ ଫେବୃୟାରୀ ୧୨ରୁ ୧୪ ତାରିଖ ପର୍ୟ୍ୟନ୍ତ ଚାଲିବ । ପ୍ରଦର୍ଶନୀ ୧୨ ଓ ୧୩ ତାରିଖରେ ପ୍ରତ୍ୟହ ସକାଳ ୯ ରୁ ଅପରାହ୍ଣ ୫ଟା ଓ ୧୪ତାରିଖରେ ମଧ୍ୟାହ୍ନ ୧୨ ଟା ପର୍ୟ୍ୟନ୍ତ ଖୋଲା ରହିବ କ୍ଷ ୧୨ ଓ ୧୩ ତାରିଖ ଅପରାହ୍ଣ ୪ ଟାରୁ ସଂଧ୍ୟା ୬ ଟା ପର୍ୟ୍ୟନ୍ତ ଏହି ପ୍ରଦର୍ଶନୀକୁ ସାଧାରଣ ଦର୍ଶକମାନେ ମଧ୍ୟ ଦେଖିପାରିବେ ।
ପ୍ରକାଶ ଥାଉକି , ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଜନସାଧାରଣଙ୍କୁ ମହାକାଶ ଓ ମହାକାଶ ବିଜ୍ଞାନ ସମ୍ପକିତ ସୂଚନା ପ୍ରଦାନ ଓ ଜ୍ଞାନ ଆହରଣ କରାଇବା, ୫୦ବର୍ଷ ଧରି ଭାରତୀୟ ମହାକାଶ ବିଜ୍ଞାନର ସଫଳତାକୁ ଲୋକଲୋଚନକୁ ଆଣିବା ଏହି ପ୍ରଦର୍ଶନୀର ମୁଖ୍ୟ ଉଦ୍ଦେଶ୍ୟ କ୍ଷ ମହାକାଶ ଗବେଷଣାର ଇତିହାସ,ମହାକାଶକୁ ଯାତ୍ରା, ଉପଗ୍ରହକୁ ସଂସ୍ଥାପିତ କରୁଥିବା ଯାନ, ପାରସ୍ପରିକ ଆଲୋଚନା, ମଡେଲ ଏବଂ ବିଶେଷଜ୍ଞଙ୍କ ସହିତ ଆଲୋଚନା, ବିଷୟଭିତ୍ତିକ ଆଲୋଚନା, ଭିଡିଓ ଚିତ୍ର ଆଦି ଏହି ପ୍ରଦର୍ଶନୀ ଦିନମାନଙ୍କରେ ପ୍ରଦର୍ଶିତ ହେବ ।ପ୍ରଦର୍ଶନୀକୁ ପ୍ରତିଦିନ ପ୍ରାୟ ୧୪୦୦ ଛାତ୍ର ଛାତ୍ରୀ ବିଭିନ୍ନ ପର୍ୟ୍ୟାୟରେ ବୁଲି ଦେଖିବା ସହ ସମ୍ପର୍କିତ ଉପରୋକ୍ତ ବିଭିନ୍ନ କାର୍ୟ୍ୟକ୍ରମରେ ସାମିଲ ହେବେ କ୍ଷ ଉଭୟ ସରକାରୀ ଓ ବେସରକାରୀ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ପାଇଁ ଏହି ସୁଯୋଗ ରହିଛି।