Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ହରିଦାସପୁର- ପାରାଦ୍ବୀପ ଦ୍ଵିତୀୟ ରେଳ ଲାଇନ ପାଇଁ ଅଶ୍ବିନୀ ବୈଷ୍ଣବଙ୍କୁ ଚିଠି ଲେଖିଲେ ବୈଜୟନ୍ତ ପଣ୍ଡା

ନୂଆଦିଲ୍ଲୀ/ଭୁବନେଶ୍ୱର : ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପ-ସଭାପତି ଏବଂ କେନ୍ଦ୍ରାପଡ଼ା ସାଂସଦ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡ଼ା ଜିଲ୍ଲାର ଜୀବନରେଖା କୁହାଯାଉଥିବା ଏହାର ପ୍ରଥମ ରେଳ ଲାଇନ ହରିଦାସପୁର-ପାରାଦୀପ ରେଳ ପ୍ରକଳ୍ପର ଦ୍ଵିତୀୟ ରେଳ ଲାଇନ ପ୍ରକଳ୍ପ ପାଇଁ ଗତକାଲି ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କୁ ଏକ ପତ୍ର ଜରିଆରେ ପ୍ରସ୍ତାବ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ୧୯୯୬ ମସିହାରେ ପୂର୍ବ-ତଟ ରେଳର ଅଂଶ ଭାବେ ୮୨.୫ କି.ମି. ଦୀର୍ଘ ହରିଦାସପୁର-ପାରାଦୀପ ପ୍ରକଳ୍ପକୁ ମଞ୍ଜୁରି ମିଳିଥିଲା ୧୯୯୯ ମସିହାରେ ତତ୍କାଳୀନ ରେଳ ମନ୍ତ୍ରୀ ନୀତିଶ କୁମାର ମାର୍ଶାଘାଇଠାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଓ ୨୦୦୪ ସୁଦ୍ଧା ଏହା ଶେଷ ହେବ ବୋଲି ପ୍ରତିଶୃତି ଦେଇଥିଲେ। ମାତ୍ର ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇ ପାରୁନଥିଲା ଓ କାଗଜକଲମରେ ଅଟକି ଯାଇଥିଲା।

ଶ୍ରୀଯୁକ୍ତ ପଣ୍ଡା ୨୦୦୯ରେ କେନ୍ଦ୍ରାପଡାରୁ ନିର୍ବାଚିତ ହେବା ପରେ ନିରନ୍ତର ଭାବେ ଏହି ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ କରିବା ଦିଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ ନିୟମିତ ଯୋଗାଯୋଗ ରକ୍ଷା କରିବା ସହ ଅଧିକାରୀମାନଙ୍କ ସହ ସମୀକ୍ଷା କରି କାର୍ଯ୍ୟକୁ ଆଗେଇ ନେଇଥିଲେ। ସହଭାଗିତା ଭିତ୍ତିରେ ଏହି ପ୍ରକଳ୍ପର ନିର୍ମାଣ ଦାୟିତ୍ୱ ରେଳ ବିକାଶ ନିଗମ ଲିମିଟେଡ (ଆର.ଭି.ଏନ.ଏଲ), ଓଡ଼ିଶା ସରକାର, ଓଡ଼ିଶା ଖଣି ନିଗମ ଓ ପାରାଦୀପ ପୋର୍ଟ ଟ୍ରଷ୍ଟକୁ ଦିଆଯାଇଥିଲା। ଆନୁମାନିକ ୨୦୮୩.୯ କୋଟି ଟଙ୍କାର ଏହି ପ୍ରକଳ୍ପ ଲାଗି ଆବଶ୍ୟକ କିଛି ଜମି ଜଙ୍ଗଲ କ୍ଷେତ୍ରରେ ପଡୁଥିବାରୁ ତାହାର ଅଧିଗ୍ରହଣ ଦୀର୍ଘ ଦିନ ଧରି ପଡିରହିଥିଲା।

ଏଥିପାଇଁ ଶ୍ରୀଯୁକ୍ତ ପଣ୍ଡା ୨୦୧୪, ଅକ୍ଟୋବର ୧୪ ତାରିଖରେ ତତ୍କାଳୀନ କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭାଡେକରଙ୍କୁ ସାକ୍ଷାତ କରି ପ୍ରଥମ ପର୍ଯ୍ୟାୟ ପରିବେଶ ମଞ୍ଜୁରି ଆଣିଥିଲେ। ଏହାପରେ ୨୦୧୫ ଅଗଷ୍ଟ ୨୭ ତାରିଖରେ ଶ୍ରୀଯୁକ୍ତ ପଣ୍ଡା ତତ୍କାଳୀନ ରେଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ସାକ୍ଷାତ କରି ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ କରିବା ଲାଗି ଓ ରେଳ ବଜେଟରେ ସ୍ୱତନ୍ତ୍ର ଭାବେ ବ୍ୟୟବରାଦ ଦେବା ଲାଗି ଦାବି କରିଥିଲେ। ଏହାପରେ ଏହି ପ୍ରକଳ୍ପକୁ ଶେଷ କରିବା ଲାଗି ଶ୍ରୀଯୁକ୍ତ ପଣ୍ଡା ତତ୍କାଳୀନ ରେଳ ମନ୍ତ୍ରୀ ପିୟୁଷ ଗୋଏଲଙ୍କ ସହ ବାରମ୍ବାର ଆଲୋଚନା ମଧ୍ୟ କରିଥିଲେ। ଶେଷରେ ୨୦୧୯ ମସିହାରେ ଏହି ପ୍ରକଳ୍ପଟି ଶେଷ ହୋଇଥିଲା|

ହରିଦାସପୁର-ପାରାଦୀପ ରେଳ ଲାଇନ ଉପକୂଳ ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ, ଯାହା ୩ଟି ଜିଲ୍ଲା ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂପୁରକୁ ସଂଯୋଗ କରୁଛି। ବିଶେଷକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଓଡ଼ିଶା ପ୍ରତି ସ୍ନେହ ଓ ପ୍ରୋତ୍ସାହନ ପାଇଁ ଏହି ପ୍ରକଳ୍ପଟି ଶେଷ ହୋଇପାରିଥିଲା ଦ୍ଵିତୀୟ ରେଳ ଲାଇନ ହେଲେ କେନ୍ଦ୍ରାପଡା ଜିଲ୍ଲାରେ ଇଣ୍ଡଷ୍ଟ୍ରିଆଲ କରିଡୋର, ଶିଳ୍ପାୟନ ପାଇଁ ପଥ ପରିଷ୍କାର ହେବା ସଙ୍ଗେ ସଙ୍ଗେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ପୂର୍ବ ତଟ ରେଳପଥର ଲୋକଙ୍କୁ ନିବେଦନ, ହରିଦାସପୁର-ପାରାଦ୍ୱୀପ ରେଳପଥ କାର୍ଯ୍ୟରେ ବାଧା ନ ଦିଅନ୍ତୁ

ଭୁବନେଶ୍ବର, ବହୁ ପ୍ରତିକ୍ଷିତ ହରିଦାସପୁର-ପାରାଦ୍ୱୀପ ରେଳପଥ ନିର୍ମାଣ କାର୍ଯ୍ୟ ଶେଷ ହେବା ଉପରେ। ପରୀକ୍ଷାମୂଳକ ମାଲବାହୀ ଟ୍ରେନ୍ ଚଳାଚଳ ୩୧ ଜୁଲାଇ ୨୦୨୦ରୁ ଆରମ୍ଭ ହୋଇଥିଲା। ପାସେଞ୍ଜର (ଯାତ୍ରୀବାହୀ) ଟ୍ରେନ୍ ଚଳାଚଳ ନିମନ୍ତେ ଏହି ରେଳପଥର ଆଖପାଖ ଅଞ୍ଚଳର ଜନ ସାଧାରଣଙ୍କ ଉଚ୍ଚାଭୀଳାଷକୁ ପୂର୍ବତଟ ରେଳପଥ ପ୍ରଶଂସା କରୁଛି ।

ପୂର୍ବ ତଟ ରେଳପଥ ନିବେଦନ କରୁଛି ଯେ, ଏହି ରେଳପଥରେ ନିରାପଦ ଟ୍ରେନ୍ ଚଳାଚଳ କରିବାକୁ ହେଲେ ମାଲବାହୀ ଟ୍ରେନ୍‌ର ପରୀକ୍ଷାମୂଳକ ଚଳାଚଳ ବା ଟ୍ରାଏଲ୍ ରନ୍ ଏକାନ୍ତ ଆବଶ୍ୟକ। ପୂର୍ବ ତଟ ରେଳପଥ ଏଠାରେ ସୂଚାଇ ଦେବାକୁ ଚାହେଁ ଯେ, ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କରିବା ନିମନ୍ତେ ବହୁ ନିରାପତ୍ତା ଭିତ୍ତିକ କାର୍ଯ୍ୟର ଆବଶ୍ୟକତା ରହିଛି ଏବଂ ଯାତ୍ରୀ ସୁବିଧା ଯୋଗାଣ କାର୍ଯ୍ୟ ମଧ୍ୟ କରାଯିବା ଆବଶ୍ୟକ । ପରୀକ୍ଷାମୂଳକ ମାଲ୍‌ବାହୀ ଟ୍ରେନ୍ ଚଳାଚଳ ହେଉଛି, ପାସେଞ୍ଜର ଟ୍ରେନ୍ ଚଳାଚଳ କରିବା ନିମନ୍ତେ ପ୍ରାଥମିକ ପଦକ୍ଷେପ ଏବଂ ଏଥି ନିମନ୍ତେ ଅତ୍ୟାବଶ୍ୟକୀୟ ନିରାପତ୍ତା କାର୍ଯ୍ୟ ଶେଷ କରିବା ସହ ଯାତ୍ରୀ ସୁବିଧା ଉପଲବ୍‌ଧ କରାଇବା।

ଗତକାଲି ପରି ମାଲବାହୀ ଟ୍ରେନ୍‌ର ଟ୍ରାଏଲ୍ ରନ୍‌କୁ ବାଧାପ୍ରାପ୍ତ କଲାଭଳି କାର୍ଯ୍ୟ ଯଦି କରାଯାଏ ତେବେ ଏହି ଲାଇନ୍‌ରେ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ପାଇଁ ଫିଟ୍ ବା ଉପଯୁକ୍ତ କରାଯିବାର ସମସ୍ତ ପ୍ରଣାଳୀ ଭବିଷ୍ୟତରେ ଆହୁରି ବିଳମ୍ବ ଆଡ଼କୁ ଟାଣି ହୋଇଯିବ ।
ତେଣୁ, ନିକଟ ଭବିଷ୍ୟତରେ ଚଳାଚଳ କରିବାକୁ ଥିବା ପାସେଞ୍ଜର୍ ଟ୍ରେନ୍ ପାଇଁ ଏହି ରେଳପଥକୁ ଫିଟ୍ ବା ଉପଯୁକ୍ତ କରିବା ନିମନ୍ତେ ମାଲବାହୀ ଟ୍ରେନ୍‌ର ପରୀକ୍ଷାମୂଳକ ଚଳାଚଳକୁ ବାଧାପ୍ରାପ୍ତ ନକରି ସୁରୁଖୁରୁରେ ଯାତ୍ରା କରିବାକୁ ଦିଆ ଯିବାକୁ ପୂର୍ବ ତଟ ରେଳପଥ ଆପଣମାନଙ୍କୁ ନିବେଦନ କରୁଛି ।