Categories
ଆଜିର ଖବର ରାଜ୍ୟ ଖବର

ଆଦିବାସୀ ଛାତ୍ରଛାତ୍ରୀଙ୍କ କ୍ୟାରିୟର ଗଠନ ପାଇଁ ସହାୟକ ହେଉଛି ‘ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ’

ସୁନ୍ଦରଗଡ଼: “ଆଗରୁ ଆମେ ପୁରୁଣା ଡେସ୍କ ବେଞ୍ଚରେ ବସୁଥିଲୁ। ଶିକ୍ଷକମାନେ କଳାପଟାରେ ପାଠ ବୁଝାଉଥିଲେ। କିନ୍ତୁ ଏବେ ଆମେ ସ୍ମାର୍ଟ କ୍ଲାସରୁମରେ ବସିବା ସହ ସ୍ମାର୍ଟ ବୋର୍ଡ ମାଧ୍ୟମରେ ପାଠ ପଢୁଛୁ। ଫଳରେ ପାଠ ବୁଝିବା ସହଜ ହେଉଛି”, କହନ୍ତି ସୁନ୍ଦରଗଡ଼ ଜିଲ୍ଲା ମେଘଡେଗା ସରକାରୀ ଉଚ୍ଚବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ପ୍ରତିଭା ସଉରା।

ସେହିପରି ଦେଓକରଣପୁର ସରକାରୀ ଉଚ୍ଚବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ଦେବରାଜ ମହାନନ୍ଦିଆ କହନ୍ତି, “ହାଇସ୍କୁଲ ରୂପାନ୍ତରଣ ଯୋଗୁଁ ଆମ ସ୍କୁଲରେ ଆଧୁନିକ ବିଜ୍ଞାନାଗାର କରାଯାଇଛି। ଯେଉଁ ବୈଜ୍ଞାନିକ ଉପକରଣଗୁଡ଼ିକୁ ଆମେ ବହିରେ ଦେଖୁଥିଲୁ ତାହା ଆମେ ନିଜେ ବ୍ୟବହାର କରି ଅନେକ କଥା ଜାଣିପାରୁଛୁ। ଫଳରେ ପାଠ ପଢ଼ିବାକୁ ଅଧିକ ଆଗ୍ରହ ଲାଗୁଛି।”

ମେଘଡେଗାର ପ୍ରତିଭା ଏବଂ ଦେଓକରଣପୁରର ଦେବରାଜଙ୍କ ଭଳି ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସରକାରୀ ହାଇସ୍କୁଲରେ ପାଠ ପଢୁଥିବା ଅନେକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତର କ୍ୟାରିୟର ଗଠନ ପାଇଁ ବିଶେଷ ସହାୟକ ହେଉଛି ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ। ରାଜ୍ୟ ସରକାରଙ୍କ ୫-ଟି ଅଭିଯାନ ଅଧୀନରେ ରୂପାନ୍ତରିତ ହାଇସ୍କୁଲଗୁଡ଼ିକରେ ହୋଇଥିବା ଆଧୁନିକ ବ୍ୟବସ୍ଥା ଫଳରେ ପିଲାମାନେ ଭବିଷ୍ୟତରେ ଡାକ୍ତର, ଇଞ୍ଜିନିୟର, ବୈଜ୍ଞାନିକ, ଶିକ୍ଷକ ଏବଂ ଆଇଏଏସ୍ ଆଦି ହେବାକୁ ଲକ୍ଷ୍ୟ ରଖିଛନ୍ତି।

ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଅଧୀନରେ ସ୍କୁଲ ଭିତ୍ତିଭୂମିର ସୌନ୍ଦର୍ଯ୍ୟକରଣ କରାଯାଇଛି। ତା’ଛଡ଼ା ସ୍ମାର୍ଟ କ୍ଲାସରୁମ, ଆଧୁନିକ ବିଜ୍ଞାନାଗାର, ଆଇସିଟି ଲ୍ୟାବ, ଲାଇବ୍ରେରି ଏବଂ ଖେଳପଡ଼ିଆ ଆଦିର ବିକାଶ କରାଯିବା ସହ ସ୍ୱଚ୍ଛ ଶୌଚାଳୟ ଏବଂ ପାନୀୟ ଜଳ ସୁବିଧା କରାଯାଇଛି।

ସୁନ୍ଦରଗଡ଼ ଜିଲ୍ଲାରେ ରହିଛି ମୋଟ ୩୮୩ଟି ସରକାରୀ ହାଇସ୍କୁଲ। ସେଥିମଧ୍ୟରୁ ଅନୁସୂଚିତ ଜନଜାତି, ଜାତି ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଏବଂ ସୁନ୍ଦରଗଡ଼ ଆଇଟିଡିଏ ଆନୁକୂଲ୍ୟରେ ପରିଚାଳିତ ୨୧ଟି ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ଭିତରେ ଏହି ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଏକ ନୂଆ ଉତ୍ସାହ ସୃଷ୍ଟି କରିଛି।

ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଅଧୀନରେ ଆଧୁନିକ ବିଜ୍ଞାନାଗାର କରାଯାଇଛି। ହାଇସ୍କୁଲ ସ୍ତରରୁ ଛାତ୍ରଛାତ୍ରୀମାନେ ଯେପରି ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଓ ଗଣିତ ଆଦି ବିଷୟରେ ଭଲଭାବେ ପାଠ ପଢ଼ି ପାରିବେ ତା’ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ଆଧୁନିକ ବିଜ୍ଞାନାଗାର ହେବା ଫଳରେ ଛାତ୍ରଛାତ୍ରୀମାନେ ନିଜ ହାତରେ ବିଭିନ୍ନ ପ୍ରକାରର ବୈଜ୍ଞାନିକ ପ୍ରୟୋଗ କରିପାରୁଛନ୍ତି।

ପିଲାମାନଙ୍କ ବ୍ୟବହାର ପାଇଁ ଦୂରବୀକ୍ଷଣ ଓ ଅଣୁବୀକ୍ଷଣ ଯନ୍ତ୍ର, ମାନବର ଶରୀରର ମଡେଲ, ପ୍ଲାଣ୍ଟ ସେଲ୍ ମଡେଲ, ଆନିମଲ ସେଲ ମଡେଲ, ମେଟାଲ ସେପାରେଟର ଆଦି ରହିଛି। ସେହିପରି ରୋବୋଟିକ୍ସ କିଟ୍‌, ବୈଦ୍ୟୁତିକ ପରୀକ୍ଷଣ ପାଇଁ ଇଲେକଟ୍ରୋନିକ୍ କିଟ୍ ଭଳି ବିଭିନ୍ନ ଉପକରଣ ଯୋଗାଇ ଦିଆଯାଉଛି।

“ସୁନ୍ଦରଗଡ଼ ଜିଲ୍ଲାରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଅଧୀନରେ ପରିଚାଳିତ ସମସ୍ତ ହାଇସ୍କୁଲକୁ ନୂଆ ରୂପ ଦିଆଯାଇଛି। ଏହା ଫଳରେ ଆଦିବାସୀ ବର୍ଗର ଛାତ୍ରଛାତ୍ରୀମାନେ ପାଠପଢ଼ା ପ୍ରତି ଅଧିକ ଆଗ୍ରହ ଦେଖାଉଛନ୍ତି। ଆଧୁନିକ ବିଜ୍ଞାନାଗାର, କମ୍ପ୍ୟୁଟର ଲ୍ୟାବ ଆଦି ପିଲାମାନଙ୍କ କ୍ୟାରିୟର ଗଠନ ଦିଗରେ ବିଶେଷ ସହାୟକ ହେଉଛି”, କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲା ମଙ୍ଗଳ ଅଧିକାରୀ ପବିତ୍ର ମୋହନ ପ୍ରଧାନ।

ଋୂପାନ୍ତରିତ ହାଇସ୍କୁଲଗୁଡ଼ିକରେ ଆଇସିଟି ଲ୍ୟାବ୍ କରାଯାଇଛି। ହାଇସ୍କୁଲସ୍ତରରୁ ପିଲାଙ୍କୁ କମ୍ପ୍ୟୁଟର ସମ୍ପର୍କିତ ଶିକ୍ଷାଦାନ କରାଯାଉଛି। ଏହି କମ୍ପ୍ୟୁଟର ଲ୍ୟାବରେ ଇଣ୍ଟରନେଟ ବ୍ୟବହାର କରି ପିଲାମାନେ ଇ-ଲାଇବ୍ରେରିର ସୁବିଧା ପାଉଛନ୍ତି।

ହାଇସ୍କୁଲରେ ଖେଳପଡ଼ିଆର ଚିତ୍ର ମଧ୍ୟ ସମ୍ପୂର୍ଣ୍ଣ ବଦଳି ଯାଇଛି। ପାଠପଢ଼ା ସହ କ୍ରୀଡ଼ା କ୍ଷେତ୍ରରେ ଛାତ୍ରଛାତ୍ରୀମାନେ କିଭଳି ରାଜ୍ୟ ଓ ଜାତୀୟସ୍ତରରେ ସୁଯୋଗ ପାଇପାରିବେ ସେଥିପାଇଁ କ୍ଷେତ୍ର ପ୍ରସ୍ତୁତ କରାଯାଉଛି।

“ରାଜ୍ୟ ସରକାରଙ୍କର ଏକ ସୁଦୂରପ୍ରସାରୀ କାର୍ଯ୍ୟକ୍ରମ ହେଉଛି ହାଇସ୍କୁଲ ରୂପାନ୍ତରଣ। ଏହି କାର୍ଯ୍ୟକ୍ରମ ଶିକ୍ଷାଦାନର ଧାରାରେ ଆଖିଦୃଶିଆ ଉନ୍ନତି ଆଣିବା ସହିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ପ୍ରତିଭାର ବିକାଶ ପାଇଁ ଏକ ନୂଆ ସମ୍ଭାବନା ସୃଷ୍ଟି କରିଛି”, କହିଛନ୍ତି ଦେଓକରଣପୁର ହାଇସ୍କୁଲର ପ୍ରଧାନଶିକ୍ଷକ କର୍ଣ୍ଣ ମାଝି।

ବର୍ତ୍ତମାନ ସୁଦ୍ଧା ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲାରେ ଦୁଇଟି ପର୍ଯ୍ୟାୟରେ ୨୪୭ଟି ରୂପାନ୍ତରିତ ସରକାରୀ ହାଇସ୍କୁଲର ଲୋକାର୍ପଣ କରାଯାଇଛି। ତା’ ଭିତରେ ସୁନ୍ଦରଗଡ଼ ଆଇଟିଡିଏର ୨୧ ଟି ହାଇସ୍କୁଲ ରହିଛି।

ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଜରିଆରେ ସ୍କୁଲର ଭିତ୍ତିଭୂମିକୁ ସୁଦୃଢ଼ କରାଯିବା ସହ ପାଚେରୀ ଏବଂ କାନ୍ଥବାଡ଼କୁ ଚିତ୍ରିତ କରାଯାଇ ଆକର୍ଷଣୀୟ କରାଯାଉଛି। ବିଭିନ୍ନ ସରକାରୀ ହାଇସ୍କୁଲ କାନ୍ଥବାଡ଼ରେ ଲାଗିଥିବା ସ୍ୱାମୀ ବିବେକାନନ୍ଦ, ମହାତ୍ମା ଗାନ୍ଧୀ, ଡକ୍ଟର ଏ ପି ଜେ ଅବଦୁଲ କଲାମ, ମଧୁବାବୁ, ଗୋପବନ୍ଧୁ, ଗଙ୍ଗାଧର ମେହେର ଏବଂ ଭୀମଭୋଇଙ୍କ ବାର୍ତ୍ତା ପିଲାମାନଙ୍କୁ ପ୍ରେରଣା ଦେଉଛି।

Categories
ଆଜିର ଖବର ରାଜ୍ୟ ଖବର

ଛାତ୍ରୀଙ୍କ ପାଇଲଟ୍ ହେବାର ସ୍ୱପ୍ନ: ପ୍ରେରଣା ପାଇଁ ବିଜୁ ପଟ୍ଟନାୟକଙ୍କ ଜୀବନୀ ପୁସ୍ତକ ପଠାଇଲେ ୫ଟି ସଚିବ

ସୁନ୍ଦରଗଡ଼: “ସେଦିନ ଭର୍ଚୁଆଲ ମିଟିଙ୍ଗ୍ ବେଳେ ୫ଟି ସଚିବ ପାଣ୍ଡିଆନ୍ ସାର୍ ଆମ ପିଲାମାନଙ୍କୁ ସେମାନଙ୍କ କ୍ୟାରିୟର ସ୍ୱପ୍ନ ବିଷୟରେ ପଚାରୁଥିଲେ। ଭବିଷ୍ୟତରେ ପାଇଲଟ୍ ହେବା ପାଇଁ ଲକ୍ଷ୍ୟ ରଖିଛି ବୋଲି ମୁଁ ତାଙ୍କୁ କହିଥିଲି। ଏହା ଶୁଣି ସେ ମୋ’ ପାଇଁ ବିଜୁ ପଟ୍ଟନାୟକଙ୍କ ଜୀବନୀ ପୁସ୍ତକ ପଠାଇବେ ବୋଲି କହିଥିଲେ। ଆଜି ତାହା ପାଇ ମୁଁ ବହୁତ ଖୁସି”, କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ ଡୁଡୁକା ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ରୀ ଭୂମିକା ପ୍ରଧାନ।

ସୁନ୍ଦରଗଡ଼ ଜିଲ୍ଲାରେ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ସମ୍ପର୍କରେ ନିକଟରେ ହୋଇଥିବା ଭର୍ଚୁଆଲ ଆଲୋଚନା ବେଳେ ୫ଟି ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ ଜିଲ୍ଲାର ଛାତ୍ରଛାତ୍ରୀମାନଙ୍କ ସହ ସିଧାସଳଖ କଥା ହୋଇଥିଲେ। ୧୩ଟି ବ୍ଲକର ବିଭିନ୍ନ ହାଇସ୍କୁଲରୁ ଆସିଥିବା ପିଲାମାନେ ନିଜ ନିଜର କ୍ୟାରିୟର ସ୍ୱପ୍ନ ବିଷୟରେ ତାଙ୍କୁ କହିଥିଲେ। ଏହି ଅବସରରେ ପାଇଲଟ୍ ହେବାକୁ ସ୍ୱପ୍ନ ଦେଖୁଥିବା ଛାତ୍ରୀ ଭୂମିକା ପ୍ରଧାନଙ୍କୁ ୫ଟି ସଚିବ ଏକ ପ୍ରେରଣାଦାୟୀ ବହି ପଠାଇବେ ବୋଲି କହିଥିଲେ।

ଦୁଃସାହସୀ ପାଇଲଟ୍ ଏବଂ ବିଶିଷ୍ଟ ରାଜନୀତିଜ୍ଞ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ଜୀବୀନୀ ଉପରେ ଆଧାରିତ ଏକ ଲୋକପ୍ରିୟ କମିକ୍ ପୁସ୍ତକ “ଦ ଆଡଭେଞ୍ଚରସ୍ ଅଫ୍ ଦ ଡେୟାରଡେଭିଲ ଡେମୋକ୍ରାଟ୍‌’ ୫ଟି ସଚିବ ଏହି ବହିଟିକୁ ଛାତ୍ରୀ ଭୂମିକାଙ୍କ ପାଇଁ ପଠାଇଛନ୍ତି। ମଙ୍ଗଳବାର ଦିନ ସୁନ୍ଦରଗଡ଼ଠାରେ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଭୂମିକାଙ୍କୁ ଏହା ପ୍ରଦାନ କରିଥିଲେ। ଏହି ବହିଟି ଭୂମିକାଙ୍କ ପାଇଁ ପ୍ରେରଣା ହେବ ବୋଲି ଜିଲ୍ଲାପାଳ ଆଶା ବ୍ୟକ୍ତ କରିଛନ୍ତି।

ଭୂମିକା ତାଙ୍କ ବାପା ଥିପେନ୍ଦ୍ର ପ୍ରଧାନଙ୍କ ସହ ଆସି ଜିଲ୍ଲାପାଳଙ୍କଠାରୁ ଏହି ବହିଟି ଗ୍ରହଣ କରିଥିଲେ। ଏହି ପ୍ରେରଣାଦାୟୀ ପଦକ୍ଷେପ ପାଇଁ ଭୂମିକା ଓ ତାଙ୍କ ବାପା ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ପୁସ୍ତକ ପ୍ରଦାନ ସମୟରେ ସୁନ୍ଦରଗଡ଼ଠାରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଭୈରବ ସିଂହ ପଟେଲ, ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପଧାନ ଓ ଡୁଡୁକା ହାଇସ୍କୁଲର ପ୍ରଧାନ ଶିକ୍ଷକ ଦିନେଶ ଚନ୍ଦ୍ର ପଟେଲ ଉପସ୍ଥିତ ଥିଲେ।

ତୃତୀୟ ପର୍ଯ୍ୟାୟରେ ସୁନ୍ଦରଗଡ଼ ଜିଲ୍ଲାରେ ୪୪ଟି ସରକାରୀ ହାଇସ୍କୁଲର ରୂପାନ୍ତରଣ କାର୍ଯ୍ୟ କରାଯାଉଛି। ଏହା ମଧ୍ୟରେ ହେମଗିର ବ୍ଲକର ଡୁଡୁକା ହାଇସ୍କୁଲ ରହିଛି। ପୂର୍ବବର୍ତ୍ତୀ ଦୁଇଟି ପର୍ଯ୍ୟାୟରେ ୨୪୭ଟି ସରକାରୀ ହାଇସ୍କୁଲର ରୂପାନ୍ତରଣ ଶେଷ ହୋଇଛି। ପ୍ରତିଟି ରୂପାନ୍ତରିତ ସ୍କୁଲରେ ସ୍ମାର୍ଟ କ୍ଲାସରୁମ, ଆଧୁନିକ ବିଜ୍ଞାନାଗାର, ଇ-ପାଠାଗାର, ଉନ୍ନତ ଖେଳପଡ଼ିଆ ଇତ୍ୟାଦି କରାଯାଉଛି। ଏହି ରୂପାନ୍ତରିତ ଭିତ୍ତିଭୂମି ଓ ପରିବେଶ ପିଲାମାନଙ୍କ ଭବିଷ୍ୟତର ଲକ୍ଷ୍ୟ ପୂରଣ କରିବାରେ ବିଶେଷ ସହାୟକ ହେବ।