
ସୀତାରାମ ଅଗ୍ରୱାଲ
ଚିଲିକା: ଆଜିକାଲିର ସମାଜରେ ଦୁଃଖୀରଙ୍କିଙ୍କୁ ସାହାଯ୍ୟ କରୁଥିବା ସଂଗଠନ ମିଳିବା ଏକ ସ୍ଵପ୍ନ ସଦୃଶ। କିନ୍ତୁ ମିଶନ ଜୟ ଜଗନ୍ନାଥ ସଂଗଠନ ଏଭଳି ଏକ ସଂଗଠନ, ଯାହା ଏବେ ଲୋକଙ୍କ ପାଖରେ ଅସମୟରେ ଠିଆ ହେଉଥିବାର ଦେଖିବାକୁ ମିଳୁଛି। କେତେଜଣ ପରୋପକାରୀ ଯୁବକମାନଙ୍କୁ ନେଇ ଏହି ସଂଗଠନ ସୃଷ୍ଟି ହୋଇଛି। ସଂଗଠନର ସଦସ୍ୟମାନଙ୍କ ନିଜସ୍ଵ ଆର୍ଥିକ ସହାୟତାରେ ଦୁର୍ଦ୍ଦିନରେ ପଡିଥିବା ଲୋକଙ୍କୁ ସହଯୋଗ କରୁଛି।
ତେବେ ଗତକାଲି ଏହି ସଂଗଠନ ଚିଲିକା ବ୍ଲକରେ ଅଗ୍ନିକାଣ୍ଡ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ପରିବାର ନିକଟରେ ପହଞ୍ଚି ଶୁଖିଲା ଖାଦ୍ୟ ବଣ୍ଟନ କରିଛି। ୧୨ ଟି କ୍ଷତିଗ୍ରସ୍ତ ପରିବାରକୁ ଚୂଡା, ଚିନି, ବିସ୍କୁଟ ଆଦି ବଣ୍ଟନ କରିଛନ୍ତି।
ଉଲ୍ଲେଖ ଯୋଗ୍ୟ ଯେ, ଗତ ୭ ତାରିଖ ଦିନ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ସାନନଇରୀର ଦଣ୍ଡା ସାହିରେ ଭୟଙ୍କର ନିଆଁ ଲାଗି ୧୦ ରୁ ଉର୍ଦ୍ଧ୍ଵ ଘର ପୋଡ଼ି ପାଉଁଶ ହୋଇଯାଇଥିଲା। ଏହି ଅଗ୍ନିକାଣ୍ଡରେ ୧୦ ଟି ଘର ସଂପୂର୍ଣ୍ଣ ପୋଡ଼ି ଯାଇଥିବା ବେଳେ ୬ ଟି ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଥିଲା। ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହେବା ସହ ଜଣେ ମହିଳା ଗୁରୁତର ଆହତ ହୋଇଥିଲେ। ଖବର ପାଇ ଗଙ୍ଗାଧରପୁର ଅଗ୍ନିଶମ ବାହିନୀର ଦୁଇଟି ଦମକଳ ଗାଡି ପାଖାପାଖି ୪ ଘଣ୍ଟାର କଠିନ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିପାରିଥିଲେ।
ତେବେ ମିଶନ ଜୟ ଜଗନ୍ନାଥ ସଂଗଠନର ଏଭଳି ପ୍ରୟାସକୁ ସ୍ଥାନୀୟ ଲୋକେ ଭୂୟସୀ ପ୍ରଶଂସା କରିଛନ୍ତି। ସେମାନଙ୍କ ସହଯୋଗ ପରେ ଦୁଃଖ ଦୁର୍ଦ୍ଦଶାରେ ସମୟ କାଟୁଥିବା ଏଭଳି ଲୋକମାନଙ୍କୁ ଅନେକ ସମାଜସେବୀ ସଂଗଠନ ସହାୟତାର ହାତ ବଢାଇବେ ବୋଲି ଆଶା କରାଯାଉଛି।
ମିଶନ ଜୟ ଜଗନ୍ନାଥ ସଂଗଠନର ସଭାପତି ପ୍ରଦୋଶ କୁମାର ଦାସ, ସମ୍ପାଦକ ସଞ୍ଜୟ କୁମାର ବେହେରା, କୋଷାଧ୍ୟକ୍ଷ ଅରୁଣ କୁମାର ମହାପାତ୍ର, ସାଇରଞ୍ଜନ, ଦୁଷ୍ମନ୍ତ, ଅନନ୍ତ, ପବିତ୍ର, ପ୍ରତାପ, ଅଶୋକ, ଦେବୀ ପ୍ରସାଦ, ବିଶ୍ଵଜିତ, ସୁବ୍ରତ, ଚିତ୍ତରଞ୍ଜନ, ପ୍ରଦ୍ଯୁମ୍ନ, ବିକିନା ପ୍ରମୁଖ ଯୋଗ ଦେଇ ଅଗ୍ନିବିପନ୍ନ ପରିବାରଙ୍କୁ ସହାୟତା କରିବେ ବୋଲି କହିଥିଲେ।