ନିଟ୍‌-୨୧ ପରୀକ୍ଷାରେ ସଫଳତା ପାଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଦେଲା ଶ୍ରୀ ବିନାୟକ ଶିକ୍ଷାନୁଷ୍ଠାନ

Published: Nov 7, 2021, 10:09 pm IST

ଭୁବନେଶ୍ୱର: ଓଡ଼ିଶାର ଡାକ୍ତର ଅଭାବ ଦୂର କରିବା ସହ ଉନ୍ନତମାନର ଚିକିତ୍ସା ସେବା ଯୋଗାଇବା ଲକ୍ଷ୍ୟରେ ବଦ୍ଧପରିକର ଥିବା ଶ୍ରୀ ବିନାୟକ ଶିକ୍ଷାନୁଷ୍ଠାନ ଆଜି ତାର ସମ୍ବର୍ଦ୍ଧନା ଉତ୍ସବ ପାଳନ କରିଛି।

ଭୁବନେଶ୍ୱରସ୍ଥିତ ଆଇଆରସି ଭିଲେଜରେ ଥିବା ଶ୍ରୀ ବିନାୟକ ଶିକ୍ଷାନୁଷ୍ଠାନରେ ନିଟ୍‌-୨୧ (ମେଡ଼ିକାଲ ଏଣ୍ଟ୍ରାନ୍ସ) ପରୀକ୍ଷାରେ ସଫଳତା ପାଇଥିବା ଛାତ୍ରଛାତ୍ରୀଙ୍କୁ ଆନୁଷ୍ଠାନିକ ଭାବେ ସମ୍ବର୍ଦ୍ଧନା ଦିଆଯାଇଛି। ବିଶେଷକରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରୁ ଗରିବ ପିଲାମାନଙ୍କୁ ମାଗଣାରେ ଖାଦ୍ୟ, ରହଣୀ ଓ ଶିକ୍ଷା ପ୍ରଦାନ ବ୍ୟବସ୍ଥା କରିଥିବା ଶ୍ରୀ ବିନାୟକ ଶିକ୍ଷାନୁଷ୍ଠାନରୁ ଚଳିତବର୍ଷ ବହୁ ଛାତ୍ରଛାତ୍ରୀ ମେଡ଼ିକାଲ ଏଣ୍ଟ୍ରାନ୍ସ ପରୀକ୍ଷାରେ କୃତିତ୍ୱର ସହ ସଫଳତା ହାସଲ କରିପାରିଛନ୍ତି।

ଅନୁଷ୍ଠାନର ନିର୍ଦ୍ଦେଶକ ସଞ୍ଜୟ ରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାଲିଥିବା ଶ୍ରୀ ବିନାୟକ ଅନୁଷ୍ଠାନରେ କେବଳ ଗ୍ରାମାଞ୍ଚଳରୁ ଗରିବ ଛାତ୍ରଛାତ୍ରୀଙ୍କୁ ଆଣି ମାଗଣାରେ ଶିକ୍ଷା ପ୍ରଦାନର ବ୍ୟବସ୍ଥା ଉପଲବ୍ଧ କରାଇ ପାରିଛି। ଯାହାର ଫଳସ୍ୱରୂପ ନିଟ୍‌-୨୧ ପରୀକ୍ଷାର ସଫଳତା ଓଡ଼ିଶାରେ ଗରିବ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆଶା ପ୍ରତୀୟମାନ ହେଉଛି।

ପ୍ରଫେସର ଦେବୀଦତ୍ତ ମିଶ୍ର ଏବଂ ପ୍ରଫେସର ଜୟକୃଷ୍ଣ ବଳିୟାରସିଂଙ୍କ କଠିନ ପରିଶ୍ରମ ଯୋଗୁ ଏହି ଅନୁଷ୍ଠାନ ଆଜି ଗୌରବାନ୍ୱିତ ହୋଇପାରିଛି। ଏହିଭଳି ସଫଳତା ଆଗକୁ ଆଗକୁ ଅଧିକ ହେଉ ବୋଲି ଅନୁଷ୍ଠାନରୁ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ମତବ୍ୟକ୍ତ କରିଛନ୍ତି।

ଆଜିର ଏହି ସମ୍ବର୍ଦ୍ଧନା ଉତ୍ସବରେ ସଫଳତା ପାଇଥିବା କୃତି ଛାତ୍ରଛାତ୍ରୀମାନଙ୍କ ଅଭିଭାବକ ଏବଂ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

Related posts