ରାଜ୍ୟସ୍ତରୀୟ ପ୍ରହ୍ଲାଦ ମଲିକଙ୍କ ୯୩ତମ ଜୟନ୍ତୀ ଉତ୍ସବ

Published: Jan 12, 2022, 9:10 pm IST

ଭୁବନେଶ୍ୱର: ଓଡ଼ିଶାର ବିଶିଷ୍ଟ ଜନନେତା ପ୍ରହ୍ଲାଦ ମଲିକଙ୍କ ୯୩ତମ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ, ପ୍ରହ୍ଲାଦ ମଲିକ ସ୍ମୃତି ପରିଷଦ ଓ ପ୍ରହ୍ଲାଦ ମଲିକ ଚାରିଟେବୁଲ ଟ୍ରଷ୍ଟ, ଓଡ଼ିଶା ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ସଦନରେ କୋଭିଡ଼ ନିୟମ ପାଳନ ପୂର୍ବକ ପାଳିତ ହୋଇଯାଇଛି। ଦିବଂଗତ ଜନନେତାଙ୍କ ସ୍ମୃତିଚାରଣ ସହିତ ତାଙ୍କ ରାଜନୈତିକ ଜୀବନର ବିଶିଷ୍ଟ ଘଟଣାଗୁଡ଼ିକ ପରିଷଦର କାର୍ଯ୍ୟକାରୀ ସଭାପତି ଡକ୍ଟର ସିପ୍ରା ମଲ୍ଲିକ ସ୍ମରଣ କରାଇଥିଲେ।

ପରିଷଦର ସାଧାରଣ ସମ୍ପାଦକ ପ୍ରଫେସର ବସନ୍ତ କୁମାର ମଲ୍ଲିକ ପ୍ରହ୍ଲାଦ ମଲିକ ସ୍ମୃତି ପରିଷଦର ବିବରଣୀ ପ୍ରଦାନ କରିଥିଲେ ଏବଂ ସାମାଜିକ ନ୍ୟାୟ ଓ ଅଧିକାର ସମ୍ପର୍କରେ ଜନନେତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରି ଆସୁଛନ୍ତି ବୋଲି ଉଦ୍‌ଘୋଷଣ କରିଥିଲେ। ଜନନେତାଙ୍କ ଜଳ ଯୋଜନା ଆଜି କେନ୍ଦ୍ରାପଡ଼ା ଅଞ୍ଚଳରେ ସ୍ମରଣୀୟ ଏବଂ ସେ ଅଞ୍ଚଳର ‘ବାଇମୁଣ୍ଡି’ ବୋଲି ପରିଚିତ ଏକଥା ଡଃ ପ୍ରଫେସର ମଲ୍ଲିକ ଉଲ୍ଲେଖ କରିଥିଲେ।

ଜନନେତା ପ୍ରହ୍ଲାଦ ମଲିିକଙ୍କ ଜୟନ୍ତୀ ସମାରୋହରେ ବିଶିଷ୍ଟ କୃଷି ବୈଜ୍ଞାନିକ ଡ଼କ୍ଟର ସୁଷମା ସୁଧାଶ୍ରୀଙ୍କୁ ‘ପ୍ରହ୍ଲାଦ ମଲିକ ସମ୍ମାନ-୨୦୨୧’ ପ୍ରଦାନ କରାଯାଇଥିଲା ଏବଂ ସତ୍ୟନଗରର ଶବଦାହିକା ରଞ୍ଜନା ନାୟକଙ୍କୁ ‘ପ୍ରହ୍ଲାଦ ମଲିକ ସ୍ମାରକୀ ସମ୍ବର୍ଦ୍ଧନା-୨୦୨୧’ ପ୍ରଦାନ କରାଯାଇ ସେମାନଙ୍କର ସୁଦୀର୍ଘ ନିରାମୟ ଜୀବନ କାମନା କରାଯାଇଥିଲା।

ଉକ୍ତ ଉତ୍ସବରେ ସମ୍ମାନନୀୟ ସୂଚନା କମିଶନର ଶ୍ରୀଯୁକ୍ତ ଦିଲୀପ କୁମାର ବିଷୋୟୀ ପ୍ରହ୍ଲାଦ ମଲିକଙ୍କ ଆଦର୍ଶ, ଲୋକପ୍ରିୟତା, ଲୋକସେବା ବୃଦ୍ଧି ଓ ଜନ ସମସ୍ୟାର ସମାଧାନ ସିଦ୍ଧାନ୍ତ ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ। ମୁଖ୍ୟବକ୍ତା ଭାବରେ ବାଗ୍ମୀ ଦାଶ ବେନହୁର ପ୍ରହ୍ଲାଦ ମଲିକଙ୍କ ରାଜନୈତିକ ଜୀବନ ଓ ଓଡିଶା ରାଜନୀତିକ ପ୍ରେକ୍ଷାପଟ୍ଟ ଓ ସାହିତ୍ୟିକ ବିକାଶ ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ପ୍ରହ୍ଲାଦ ମଲିକ ଜୀବନାଦର୍ଶ ଓ ଓଡ଼ିଶାର ଅର୍ଥନୈତିକ ବିକାଶରେ ସ୍ୱର୍ଗତ ପ୍ରହ୍ଲାଦ ମଲିକଙ୍କ ଅବଦାନକୁ ସ୍ମରଣ କରିଥିଲେ।

ଏହି ପବିତ୍ର ସମାରୋହରେ ପ୍ରହ୍ଲାଦ ମଲିକଙ୍କ କନ୍ୟା ସୁପ୍ରିୟା ମଲ୍ଲିକଙ୍କ ଦ୍ୱାରା ରଚିତ ପୁସ୍ତକ ‘ବୈଷମ୍ୟ ବିରୋଧୀ ଆନ୍ଦୋଳନରୁ ଦଳିତ ସାହିତ୍ୟ’ ଲୋକାର୍ପିତ ହୋଇଥିଲା। ପରିଷଦର ସଭାପତି ପ୍ରଦୋଷ ପଟ୍ଟନାୟକ ସଭା ପରିଚାଳନା କରିଥିଲେ ଏବଂ ପ୍ରଫେସର କୁଞ୍ଜବିହାରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଡ଼କ୍ଟର ରାମଚନ୍ଦ୍ର ମଲ୍ଲିକ, ସୁମିତ୍ରା ମହାନ୍ତି, ଅଭିମନ୍ୟୁ ସେଠୀ, ଶେଷଦେବ ମଲ୍ଲିକ, ସଂଗ୍ରାମ କେଶରୀ ମଲିକ ଓ ବହୁ ପ୍ରହ୍ଲାଦପ୍ରେମୀ ଏହି ସଭାରେ ଯୋଗଦାନ କରି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ।

Related posts