ବାଣପୁର ବ୍ଲକର ଚାରିଜଣ ଦିବ୍ୟାଙ୍ଗଙ୍କ ଦେହରେ ଲାଗିଲା କୃତିମ ଗୋଡ

Published: Apr 26, 2023, 7:41 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ପରିସରରେ ଖୋର୍ଦ୍ଧା ଗୁରୁଜଙ୍ଗ ନିକଟରେ ଥିବା ଏନଜିଓ ‘ବିଜୁ ମହାବୀର ଜୟପୁର ଫୁଟ ସେଣ୍ଟର’ ଦ୍ୱାରା ଗୋଡ଼ ନଥିବା ଦିବ୍ୟାଙ୍ଗ ମାନଙ୍କୁ କୃତ୍ରିମ ଗୋଡ଼ ପ୍ରଦାନ କରାଯାଇଛି। ପ୍ରକାଶଥାଉକି ଉକ୍ତ ଏନଜିଓ ଅଙ୍ଗ ପ୍ରତ୍ୟଙ୍ଗ ନଥିବା ଦିବ୍ୟାଙ୍ଗ ମାନଙ୍କୁ କୃତ୍ରିମ ଅଙ୍ଗ ପ୍ରତ୍ୟଙ୍ଗ ଯୋଗାଇ ଦେବା ଭଳି ଏକ ମହତ ଓ ସାମାଜିକ କାର୍ଯ୍ୟକ୍ରମ ହାତକୁ ନେଇଛି। ଯାହାକି ରାଜସ୍ଥାନ ର ଜୟପୁର ଠାରେ ଏହାର ଉତ୍ପାଦନ କରାଯାଏ।

ଏହି ପରିପ୍ରେକ୍ଷୀରେ ବାଣପୁର ବ୍ଲକ ବିଡ଼ିଓ ଶୀତଲ ଅଗ୍ରୱାଲ ଓ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହଙ୍କ ମାଧ୍ୟମରେ ଉକ୍ତ ଏନଜିଓ ପରିଚାଳକ ଚାରିଜଣ ଦିବ୍ୟାଙ୍ଗଙ୍କୁ କୃତ୍ରିମ ଗୋଡ଼ ପ୍ରଦାନ କରିଛନ୍ତି। ଯେଉଁମାନେ କି ଶତକଡା ସତୁରି ପ୍ରତିଶତ ଦିବ୍ୟାଙ୍ଗ ଭାବରେ ପରିଗଣିତ। କୃତ୍ରିମ ଗୋଡ଼ ଲଗାଇବା ପରେ ଦିବ୍ୟାଙ୍ଗ ମାନେ ଉକ୍ତ ଅନୁଷ୍ଠାନ ଉପରେ ଖୁସିବ୍ୟକ୍ତ କରିଛନ୍ତି।

ତେବେ ଆଜି ପ୍ରଥମ ପ୍ରୟାସରେ ଚାରିଜଣ ଦିବ୍ୟାଙ୍ଗଙ୍କୁ ପରୀକ୍ଷା ମୂଳକ ଭାବେ କୃତ୍ରିମ ଗୋଡ଼ ପ୍ରଦାନ କରାଯାଇଥିବା ବେଳେ, ଯେଉଁ ଦିବ୍ୟାଙ୍ଗମାନେ କୃତ୍ରିମ ଗୋଡ଼ ପାଇବାକୁ ଯୋଗ୍ୟ ସେମାନେ ଗୁରୁଜଙ୍ଗ ଠାରେ ଥିବା ‘ବିଜୁ ମହାବୀର ଜୟପୁର ଫୁଟ ସେଣ୍ଟର’ର ଅଧିକାରୀଙ୍କ ସହ ସିଧାସଳଖ ଭାବେ ଯୋଗାଯୋଗ କରି ଏହାର ସୁଫଳ ପାଇପାରିବେ ବୋଲି ବ୍ଲକ ଅଧ୍ୟକ୍ଷ ଶ୍ରୀ ରଣସିଂହ ସୂଚନା ଦେଇଛନ୍ତି।

ଉକ୍ତ କାର୍ଯ୍ୟକ୍ରମରେ ବାଣପୁର ତହସିଲଦାର କୁଞ୍ଜବିହାରୀ ବଡ଼ଜେନା ଅତିଥି ଭାବେ ଉପସ୍ଥିତ ଥିବା ବେଳେ ଏହାକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ଗିରିବାଳା ନାୟକ ଓ ସଂଯୋଜକ ଅମୁଲ୍ୟ କୁମାର ସୁବୁଦ୍ଧି ପରିଚାଳନା କରିଥିଲେ।

Related posts