
ସୀତାରାମ ଅଗ୍ରୱାଲ
ବାଣପୁର: ଗୁରୁବାର ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ ରଚିଥିଲା। ଆଦିବାସୀ ଅଧ୍ୟୁଷିତ ନୀଳାଦ୍ରିପ୍ରସାଦ ଗ୍ରାମ ପଞ୍ଚାୟତର ନୀଳାଦ୍ରି ଗ୍ରାମରେ ଏକ ବହୁଦିନର ତେନ୍ତୁଳି ଗଛ ଉପୁଡି ଅଶୋକ ପ୍ରଧାନଙ୍କ ଘର ଉପରେ ପଡିଯାଇଥିଲା। ଯାହାଫଳରେ ଅଶୋକଙ୍କର ଦୁଇ ବଖରା ଘର ସମ୍ପୂର୍ଣ୍ଣ ଭାଙ୍ଗି ଯିବା ସହ ଘର ପିଣ୍ଢାରେ ବସିଥିବା ଅଶୋକଙ୍କ ଭାଇ ସୁର ପ୍ରଧାନ ଗୁରତର ଆହତ ହେବା ସହ ଗ୍ରାମର ବିଦୁତ ଖୁଣ୍ଟ ଭାଙ୍ଗି ଗ୍ରାମ ସମ୍ପୂର୍ଣ୍ଣ ଅନ୍ଧକାର ହୋଇଯାଇଥିଲା।
ଉକ୍ତ ଖବର ପାଇ ଆଜି ସକାଳୁ ବାଣପୁର ତହସିଲଦାର କୁଞ୍ଜବିହାରୀ ବଡ଼ଜେନା ଉକ୍ତ ଗ୍ରାମ ଗସ୍ତ କରି ସ୍ଥିତି ପରଖିଥିଲେ। ଭାଙ୍ଗିଯାଇଥିବା ଘରକୁ ସରକାରୀ ସହାୟତା ପାଇଁ ତୁରନ୍ତ ପଦକ୍ଷେପ ନେଇଛନ୍ତି ତହସିଲଦାର। ଏ ବାବଦରେ ବିଭାଗୀୟ ଅଧିକାରୀଙ୍କୁ ରିପୋର୍ଟ ଦେଇଛନ୍ତି ତହସିଲଦାର।
ଅନୁରୂପ ଭାବେ ଅଗ୍ନିଶମ ବାହିନୀ ଦ୍ୱାରା ଗଛ କଟା କାର୍ଯ୍ୟ କ୍ଷିପ୍ରଗତିରେ ଜାରି ରହିଥିବା ବେଳେ ବିଦ୍ୟୁତ ବିଭାଗ ଦ୍ୱାରା ପୁନଃ କାର୍ଯ୍ୟକ୍ଷମ କାର୍ଯ୍ୟ ମଧ୍ୟ ଜାରି ରହିଥିବାର ତହସିଲଦାର ସୂଚନା ଦେଇଛନ୍ତି।