ବାଣପୁରରେ ଅଭାବନୀୟ ଘଟଣା, ନିଆଁ ଲଗାଇ ଏକାଧିକ ଘର ଜାଳିଦେଲେ ଦୁର୍ବୁତ୍ତ!

Published: Jun 15, 2023, 7:37 am IST

ସୀତାରାମ ଅଗ୍ରୱାଲ

ବାଣପୁର: ଗତକାଲି ବିଳମ୍ବିତ ରାତ୍ରିରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଅଗ୍ନିକାଣ୍ଡ ଘଟି ଚାରି ବଖରା ଘର ଜଳି ଯାଇଛି। ସୂଚନା ମୁତାବକ ବାଣପୁର ଏନଏସି ଦାଶରଥିପୁର ଗ୍ରାମ ହରିଜନ ସାହିର ଯୁଗଳ ନାୟକ ଏବଂ ପାଣୁ ନାୟକଙ୍କ ଚାଳ ଘରେ କୌଣସି କାରଣବଶତଃ ନିଆଁ ଲାଗିଯାଇଥିଲା।

ଖବର ପାଇ ଅଗ୍ନିଶମ ଅଧିକାରୀ ବିବେକାନନ୍ଦ ଦାସ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ଉଭୟ ପରିବାରର ଚାରି ବଖରା ଘର ଓ ଆସବାବପତ୍ର ଜଳି ପୋଡ଼ି ପାଉଁଶ ହୋଇଯାଇଛି। ତେବେ ଏହା ମନୁଷ୍ୟକୃତ ଅଗ୍ନିକାଣ୍ଡ ଏବଂ ଦୁର୍ବୁତ୍ତମାନେ ଜାଣିଶୁଣି ଉକ୍ତ ଘର ଗୁଡିକରେ ନିଆଁ ଲଗାଇଥିବା କ୍ଷତିଗ୍ରସ୍ତ ପରିବାରବର୍ଗ ଗଣମାଧ୍ୟମକୁ କହିଛନ୍ତି। ଏ ନେଇ ଆଜି ଉକ୍ତ ପରିବାରବର୍ଗ ଥାନାର ଦ୍ୱାରସ୍ଥ ହେବେ ବୋଲି ଜଣାପଡିଛି।

ତେବେ କ୍ଷତିଗ୍ରସ୍ତ ପରିବାରବର୍ଗ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କୁ ତୁରନ୍ତ ସରକାରୀ ସହାୟତା ମିଳୁ ବୋଲି ସାଧାରଣରେ ଦାବି ହେଉଛି।

Related posts