
କୁଜଙ୍ଗ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଂଚଳରୁ ଜନୈକା ନାବାଳିକା ଅପହରଣ କରାଯାଇଥିବା ନେଇ ପିଡିତାର ବାପା କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଘଟଣାକୁ ଗୁରୁତରଭାବେ ନେଇ କେସ ନଂ ୩୭୨/୨୩ରେ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇ ଥିଲା। ଯାହାପରେ ଅଭିଯୁକ୍ତକୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି।
ପ୍ରକାଶ ଯେ, କୁଜଙ୍ଗ ଥାନା କଙ୍କରଦିଆ ଗ୍ରାମର ଅଭୟ ପାତ୍ରଙ୍କ ପୁଅ କୃଷ୍ଣଚନ୍ଦ୍ର ପାତ୍ର (୨୫) ଦୀର୍ଘଦିନ ଧରି ମୋ ଝିଅ ସାଂଗେ ମୋବାଇଲ୍ ଯୋଗେ ସବୁବେଳେ ଗପେ। ମୁଁ ଆଗରୁ ବହୁଥର ବିରୋଧ କରିବା ସତ୍ତ୍ୱେ ଆସାମୀ ନମାନି ବାରମ୍ବାର ଫୋନ୍ କରେ। ଗତ ୨୨ ଜୁଲାଇ ରିଖରେ ମୋ ଝିଅକୁ କେଉଁଆଡେ ଅପହରଣ କରି ନେଇଯାଇଛି । ମୁଁ ଓ ପରିବାର ବହୁତ ଖୋଜା ଖୋଜି ପରେ ଜାଣିବାକୁ ପାଇଲୁ କୃଷ୍ଣଚନ୍ଦ୍ର ଘରେ ମୋର ଝିଅ ଅଛି। ମୁଁ ଓ ଗାଁର କିଛି ଭଦ୍ରଲୋକ ଯାଇ ଝିଅକୁ ଆଣିବାପାଇଁ ବୁଝାସୁଝା କରିଥିଲୁୁ। ମାତ୍ର ଅଭିଯୁକ୍ତ କୃଷ୍ଣଚନ୍ଦ୍ର ଓ ତାର ବାପା କର୍ଣ୍ଣପାତ କଲେ ନାହିଁ ବରଂ ଆମ୍ଭଙ୍କୁ ଧମକ ଦେଇ ଘରୁ ତଡ଼ିଦେଲେ। ଏମିତିକି ଆଉ ଏଠିକି ଆସିଲେ ଜୀବନରେ ମାରିଦେବୁ ବୋଲି ଧମକ ଦେଇଥିବା ପିଡ଼ୀତାର ବାପା ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି।
ତୁରନ୍ତ ଥାନା ଅଧିକାରୀ ରଶ୍ମିରଂଜନ ଦାଶ ଏକ ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲେ। ବୁଧବାର ବିଳମ୍ବିତ ରାତିରେ ବିଶେଷ ସୂତ୍ରରୁ ଖବର ପାଇ ଏରସମା ଅଂଚଳରେ ଚଢାଉ କରି ଅପହରଣ କାରୀ କୃଷ୍ଣଚନ୍ଦ୍ରକୁ ଗିରଫ କରିବା ସହିତ ନିଖୋଜ ଥିବା ନାବାଳିକାକୁ ଉଦ୍ଧାର କରି ପରିବାର ଲୋକକୁ ହସ୍ତାନ୍ତର କରିଥିଲେ।