ଅଚାନକ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କଲେ ଖୋର୍ଦ୍ଧା ଜିଲ୍ଲାପାଳ

Published: Aug 7, 2023, 6:23 pm IST

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଅଚାନକ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଗସ୍ତରେ ଆସି ବିଭିନ୍ନ ଉପଲବ୍ଧ ସେବାଗୁଡ଼ିକ ସମ୍ବନ୍ଧରେ ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ମେଡିକାଲର ପୁରୁଷ ଓ ସ୍ତ୍ରୀ ବିଭାଗ ୱାର୍ଡ ବୁଲି ରୋଗୀଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ।

ତେବେ ବାଲୁଗାଁ ଖୋର୍ଦ୍ଧା ଜିଲ୍ଲାର ଏକ ଗୁରୁତ୍ୱପୂର୍ଣ୍ଣ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ହୋଇଥିବା ବେଳେ ମେଡ଼ିକାଲ ପରିସରରେ ପାନୀୟ ଜଳ ଯୋଗାଣ ଅବ୍ୟବସ୍ଥା, ରୋଗୀଙ୍କ ଶଯ୍ୟା ଉପରେ ବେଡ଼ସିଟ ନଥିବା ଦେଖି ବିରକ୍ତି ପ୍ରକାଶ କରିବା ସହ ଏଠାରେ ରୋଗୀଙ୍କୁ ମିଳୁଥିବା ସମସ୍ତ ସେବାଗୁଡ଼ିକରେ ଯେପରି ଅବନତି ନଘଟେ ସେ ନେଇ ମେଡ଼ିକାଲ ଅଧିକାରୀ ଡା ରଶ୍ମି ରେଖା ଜେନାଙ୍କ ସମେତ କର୍ମଚାରୀଙ୍କୁ ତାଗିଦ କରିଥିଲେ।

ଏଥିସହିତ ବାଲୁଗାଁ ଆହାର କେନ୍ଦ୍ର ପରିଦର୍ଶନ କରିଥିଲେ। ପରିଦର୍ଶନ ସମୟରେ ଆହାର କେନ୍ଦ୍ରରେ ଖାଦ୍ୟର ମାନ ଦେଖିବାସହ କିଛିଟା ଅପ୍ରୀତିକର ପରିସ୍ଥିତି ଦେଖି ତାହାକୁ ସୁଧାରିବାକୁ ପରିଚାଳନା ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ତାଗିଦ କରିଥିଲେ।

ଉକ୍ତ ଗସ୍ତରେ ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ, ବାଲୁଗାଁ ଏସଡ଼ିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ବାଲୁଗାଁ ଥାନା ଅଧିକାରୀ ଜୟ ପ୍ରକାଶ ପରିଡା, ନାଚୁଣି ଥାନା ଅଧିକାରୀ ଚନ୍ଦ୍ର ଶେଖର ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Related posts