
ସୀତାରାମ ଅଗ୍ରୱାଲ
ଚିଲିକା: ୫-ଟି ସଚିବ ଭିକେ ପାଣ୍ଡିଆନ ଅଗଷ୍ଟ ୨୨ ତାରିଖରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀ ଗସ୍ତରେ ଆସିବେ ବୋଲି ଜଣାପଡିଛି। ଉକ୍ତ ଦିନ ଚିଲିକା ନିର୍ବାଚନମଣ୍ଡଳୀର ୫-ଟି ଉପକ୍ରମରେ ଜାରି ରହିଥିବା ବିଭିନ୍ନ ଉନ୍ନୟନ ପ୍ରକଳ୍ପଗୁଡିକର ଉଦଘାଟନ କରିବା ସହ ନୂତନ ପ୍ରକଳ୍ପ ଘୋଷଣା କରିବେ ଶ୍ରୀ ପାଣ୍ଡିଆନ। ଏଥି ପାଇଁ ବାଣପୁର ଚଳଚଞ୍ଚଳ ହୋଇଉଠିଛି।
ଯୁଦ୍ଧକାଳୀନ ଭିତ୍ତିରେ ବିଭିନ୍ନ ରୂପାନ୍ତରଣ କାର୍ଯ୍ୟ ଜାରି ରହିଛି। ବାଣପୁର ବ୍ଲକ ପରିସରର ସୌନ୍ଦର୍ଯ୍ୟକରଣ ପାଇଁ ପେଭର ବ୍ଲକ ପକାଯିବା ସହ ସମ୍ପୂର୍ଣ୍ଣ ବ୍ଲକକୁ ନୂତନ ରଙ୍ଗରେ ଅଚ୍ଛାଦିତ କରାଯାଉଛି।
ବ୍ଲକ ସମ୍ମୁଖରେ ପୁରୁଣା ମିଶନ ଶକ୍ତି କାଫେ ର ନବୀକରଣ କାର୍ଯ୍ୟ ଜାରି ରହିଛି। ଅନୁରୂପ ଭାବେ ଏନଏସି ଆହାର କେନ୍ଦ୍ରକୁ ମଧ୍ୟ ନବୀକରଣ କରାଯାଉଛି। ଉକ୍ତ କେନ୍ଦ୍ର ପରିସରରେ ନୂତନ ମିଶନ ଶକ୍ତି ଗୃହ, ଯାତ୍ରୀ ଆଶ୍ରୟସ୍ଥଳୀ ଆଦି ନିର୍ମାଣ କାର୍ଯ୍ୟ ଜାରି ରହିଛି।
ପୂର୍ତ୍ତ ବିଭାଗ ଦ୍ୱାରା ବାଣପୁର ବାଲୁଗାଁ ମୁଖ୍ୟ ରାସ୍ତା ସମେତ ଅନ୍ୟାନ୍ୟ ରାସ୍ତା ଗୁଡିକରେ ଥିବା ଖାଲଖମାକୁ ଯୁଦ୍ଧକାଳୀନ ଭିତ୍ତିରେ ମୋରାମତି ପକାଯାଉଛି। ୫-ଟି ସଚିବଙ୍କ ହେଲିପ୍ୟାଡ଼ ପାଇଁ ବିଭିନ୍ନ ସ୍ଥାନ ନିରୀକ୍ଷଣ ଜାରିରହିଛି।
ତେବେ ଚିଲିକା ନିର୍ବାଚନମଣ୍ଡଳୀର ଜନସଭା ବାଣପୁର ପଲଟନ ପଡିଆରେ ଆୟୋଜିତ ହେବ ବୋଲି ଜଣାପଡିଛି। ଉକ୍ତ ସଭାରେ ୫-ଟି ସଚିବ ଚିଲିକା ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ଅଭିଯୋଗ ପତ୍ର ଗ୍ରହଣ କରିବେ।
ତେବେ ୫-ଟି ସଚିବଙ୍କ ଗସ୍ତ କିପରି ସଫଳ ହେବ ତାହାକୁ ତଦାରଖ କରିବା ପାଇଁ ଜିଲ୍ଲା ଅଧିକାରୀମାନଙ୍କ ତୁହାକୁ ତୁହା ବାଣପୁର ଓ ଚିଲିକା ଗସ୍ତ ଜାରି ରହିଛି।