ବାଣପୁରର ବିଭିନ୍ନ ଗ୍ରାମରେ ଅବକାରୀ ବିଭାଗର ଚଢ଼ାଉ: ଦେଶୀ ମଦ ଜବତ, ଚାରି ଗିରଫ

Published: Sep 12, 2023, 5:15 pm IST

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ଟାଙ୍ଗୀ ରେଞ୍ଜ ଅବକାରୀ ଅଧିକାରୀ ନାରାୟଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ବାଲୁଗାଁ ଅବକାରୀ ବିଭାଗ ବାଣପୁର ଥାନା ଅଧିନସ୍ଥ ବିଭିନ୍ନ ଗ୍ରାମରେ ଚଢ଼ାଉ କରିଛି।  ଚଢ଼ାଉରେ ସମୁଦାୟ ୧୨୪ ଲିଟର ଦେଶୀ ମଦ ଓ ଦୁଇ ଗୋଟି ସ୍କୁଟି ଜବତ ହୋଇଥିବା ବେଳେ ଚାରି ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି।

ଗିରଫ ଅଭିଯୁକ୍ତ ମାନେ ହେଲେ ଭୀମପୁର ଗ୍ରାମର କୁମର ବେହେରା (୫୦), ମାଟିଆପୋଖରୀ ଗ୍ରାମର ଧରଣୀଧର ପ୍ରଧାନ (୪୭) ଓ କାଳୁ ପ୍ରଧାନ (୪୨) ଏବଂ ବିଧାରପୁର ଗ୍ରାମର ଇନ୍ଦ୍ରମଣି ପରିଡ଼ା (୫୫)। ଅଭିଯୁକ୍ତ ମାନେ ସ୍କୁଟିରେ ବେଆଇନ ଦେଶୀ ମଦ ନେଇ ଯାଉଥିବା ବେଳେ ପୁର୍ବରୁ ଛକି ରହିଥିବା ଅବକାରୀ କର୍ମଚାରୀଙ୍କ ହାତରେ ଧରା ପଡ଼ି ଗିରଫ ହୋଇଥିଲେ।

ଏ ସଂକ୍ରାନ୍ତରେ ଚାରି ଗୋଟି ମାମଲା ରୁଜୁ କରାଯାଇ ସମସ୍ତ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଥିବା ବାଲୁଗାଁ ଭାରପ୍ରାପ୍ତ ଅବକାରୀ ଅଧିକାରୀ ତପନ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି।

Related posts