ଚିଲିକା ବୋଇତ ବନ୍ଦାଣ ମହୋତ୍ସବ ଉଦଯାପିତ

Published: Nov 28, 2023, 4:02 pm IST

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଚିଲିକା ବୋଇତ ବନ୍ଦାଣ ମହୋତ୍ସବ କମିଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ମିଳିତ ଆନୁକୂଲ୍ୟରେ ବାଲୁଗାଁ ମହାବିଦ୍ୟାଳୟ ପରିସରରେ ଦୁଇ ଦିନ ବ୍ୟାପି ବୋଇତ ବନ୍ଦାଣ ମହୋତ୍ସବ ଆୟୋଜିତ ହୋଇଥିବା ବେଳେ ବହୁ ଆଡମ୍ବରରେ ଉଦଯାପିତ ହୋଇଯାଇଛି। ପ୍ରାତଃ ସମୟରେ କାଳିଜାଇ ମୋଟର ବୋଟ ଆସୋସିଏସନ ଦ୍ଵାରା ଆତସବାଜି ପ୍ରଦର୍ଶନ କରି ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ଵରୀୟ ବିଶ୍ଵବିଦ୍ୟାଳୟର ସତସଙ୍ଗୀ ଭାଇଭଉଣୀମାନଙ୍କ ସହଯୋଗରେ ପାରମ୍ପରୀକ ବୋଇତ ବନ୍ଦାଣ କରାଯାଇଥିଲା।

ଅପରାହ୍ନରେ ବାଲୁଗାଁ-ବାଣପୁର ଚିଲିକା ସାହିତ୍ୟ ସମାଜ ପକ୍ଷରୁ ଚିଲିକା ଗୀତ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିସହିତ ସ୍ଥାନୀୟ ବିଦ୍ୟାଳୟ ଓ ସାଂସ୍କୃତିକ ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା। ସାନ୍ଧ୍ୟ ଅଧିବେଶନରେ ପ୍ରାଚୀନ ନୌବାଣିଜ୍ୟ ପରମ୍ପରା, ଐତିହ୍ୟ, ବୈଭବ ଓ ମରାଳ ମାଳିନୀ ନିଳାମ୍ବୁ ଚିଲିକାର ସମୃଦ୍ଧିଶାଳୀ ସାଂସ୍କୃତିକ ଚେତନାକୁ ପ୍ରତିଟି ବୀର ଓଡ଼ିଆଙ୍କ ହୃଦୟରେ ଉଦ୍ବିଜୀବିତ କରିବା ଉଦ୍ବେଶରେ ମହୋତ୍ସବ କମିଟିର ସଭାପତି ତଥା ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟଙ୍କ ସଭାପତିତ୍ବରେ ଉଦଯାପନୀ ସଭା ଅନୁଷ୍ଠିତ ହୋଇଥିଲା।

ଡ଼.କୈଳାସ ଚନ୍ଦ୍ର ମହାରଣା ଅତିଥି ପରିଚୟ ପ୍ରଦାନ କରିବାସହ ଉଦଯାପନୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥିଭାବେ ବାଲୁଗାଁ ମହାବିଦ୍ୟାଳୟ ଅଧ୍ୟକ୍ଷା ଡ଼ କଳ୍ପନା ଦାଶ, ସମ୍ମାନିତ ଅତିଥି ଭାବେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠା, ଉପାଧ୍ୟକ୍ଷ ଭଗବାନ ପ୍ରଧାନ, ବିଧାୟକ ପ୍ରତିନିଧି ଜୟନ୍ତ କୁମାର ସ୍ବାଇଁ, ଏନଏସି ଅଧ୍ୟକ୍ଷା ପ୍ରତିନିଧି ସନ୍ତୋଷ କୁମାର ପାଇକରାୟ, ନିଖିଳ ଓଡିଶା ସଂଘର ସଭାପତି ସଂଯୁକ୍ତା ସ୍ୱାଇଁ, ମା ମଙ୍ଗଳା ଠିକାଦାର ସଙ୍ଘ ସଭାପତି ପ୍ରକାଶ ପାଢ଼ୀଙ୍କ ସମେତ ୱାର୍ଡ କାଉନସିଲରମାନେ ଯୋଗଦେଇ ପ୍ରାଚୀନ ସଂସ୍କୃତିକୁ ସଦାସର୍ବଦା ଉଦଯିବିତ କରି ପ୍ରତିଟି ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବ ବୋଲି କହିଥିଲେ।

ଏଥିସହିତ ଚିଲିକାର ଖ୍ୟାତି ଓ ସୌନ୍ଦର୍ଯ୍ୟକୁ ସାରା ବିଶ୍ଵରେ ଲୋକାଭିମୁଖୀ କରିବାକୁ ମତ ପୋଷଣ କରିଥିଲେ। ସାନ୍ଧ୍ୟ ଅଧିବେସନରେ ରାଜ୍ୟସ୍ତରୀୟ କଳାକାରମାନଙ୍କ ଦ୍ଵାରା ବିଭିନ୍ନ ଚିତାକର୍ଶକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଶାନୂପାତ ଦର୍ଶକଙ୍କ ଉପସ୍ଥିତିକୁ ନଜରରେ ରଖି ପୁଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବାବେଳେ ବାଲୁଗାଁ ମହାବିଦ୍ୟାଳୟର ଏନସିସି କ୍ୟାଡେଟ୍ ଏବଂ ମହୋତ୍ସବ କମିଟି ସଭ୍ୟମାନେ ପୂର୍ଣ୍ଣ ସହଯୋଗ କରିଥିଲେ।

Related posts