ବାଣପୁରରେ ନାବିଳିକାକୁ ପ୍ରେମ ନିବେଦନ, ଯୁବକକୁ ଉତ୍ତମମଧ୍ୟମ ଦେଇ ଥାନା ଜିମା ଦେଲେ ଲୋକେ

Published: Dec 23, 2023, 8:22 pm IST

ବାଣପୁର( ସୀତାରାମ ଅଗ୍ରୱାଲ): ନାବାଳିକାଙ୍କୁ ପ୍ରେମ ନିବେଦନ କରିବା ସହ ଅଶ୍ଳୀଳ ଇଙ୍ଗିତ କରିବା ପଡ଼ିଲା ମହଙ୍ଗା। ଉତ୍ତମ ମଧ୍ୟମ ଦେଇ ଥାନା ଜିମା ଦେଲେ ଜନସାଧାରଣ। ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ।

ଆଜି ସକାଳେ ନାଚୁଣୀ ଥାନା ଓଡଗାଁ ଗ୍ରାମର ବିଜୟ ସେଠୀ(୩୦) ନାମକ ଯୁବକ ବାଣପୁର ପଲଟନ ପଡିଆ ନିକଟରେ ଟ୍ୟୁସନ ପାଇଁ ସାଇକେଲରେ ଯାଉଥିବା ଜନୈକ ନାବାଳିକାଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ସହ ପ୍ରେମ ନିବେଦନ କରିଥିଲେ। ନାବାଳିକା ଏହାକୁ ବିରୋଧ କରି ପାଟି କରିବାରୁ ସ୍ଥାନୀୟ ଅଞ୍ଚଳବାସି ଘଟଣାସ୍ଥଳରେ ଜମା ହେବା ସହ ଅଭିଯୁକ୍ତଙ୍କୁ ମାଡ଼ ମାରି ବାଣପୁର ଥାନା ଜିମା ଦେଇଥିଲେ।

ପୋଲିସ ତଦନ୍ତରେ ଜାଣିବାକୁ ପାଇଥିଲା ଯେ,ଅଭିଯୁକ୍ତ ବିଜୟ ବରାବର ଜନୈକ ନାବାଳିକାଙ୍କୁ ଟ୍ୟୁସନ ଯିବା ସମୟରେ ପିଛା କରିବା ସହ ଅଶ୍ଳୀଳ ଇଙ୍ଗିତ କରିଆସୁଥିଲେ। ଫଳରେ ନାବାଳିକାଙ୍କ ପରିବାରବର୍ଗ ଙ୍କ ଅଭିଯୋଗ କ୍ରମେ ପୋଲିସ ପୋକସୋ ଅଧିନିୟମ ଅନୁଯାୟୀ କେସ ନମ୍ବର ୪୯୨/୨୩ ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଆଇଆଇସି ରମେଶ ଚନ୍ଦ୍ର ଦେବତା ସୂଚନା ଦେଇଛନ୍ତି।

ସେହିପରି ଭାବେ ଯଦି କେହି ରୋଡ ରୋମିଓ କୌଣସି ଛାତ୍ରୀ କିମ୍ବା ମହିଳାଙ୍କୁ ହଇରାଣ କରନ୍ତି ତେବେ ତୁରନ୍ତ ଥାନାରେ ଅଭିଯୋଗ କରିବା ପାଇଁ ଆଇଆଇସି ଶ୍ରୀ ଦେବତା ନିବେଦନ କରିଛନ୍ତି।

Related posts