ଖନ୍ଦିବାହାଲ୍ ଗ୍ରାମବାସୀଙ୍କ ଚେତାବନୀ: ସମସ୍ୟାର ସମାଧାନ ନ ହେଲେ କରିବେ ଭୋଟ୍ ବର୍ଜନ

Published: Mar 6, 2024, 2:27 pm IST

ରେଢାଖୋଲ (କନ୍ଦର୍ପ ବେହେରା): ଦେଶ ସ୍ବାଧୀନତାର ୭୫ ବର୍ଷ ବିତି ଯାଇଥିଲେ ମଧ୍ୟ ଲୋକମାନେ ଏବେ ବି ମୌଳିକ ସୁବିଧାରୁ ବଂଚିତ ହେଉଛନ୍ତି। ସରକାର ଗ୍ରାମର ବିକାଶ ପାଇଁ ଡିଣ୍ଡିମ ପିଟୁଥିବା ବେଳେ ଅନେକରେ ଗାଁ ଚାଲିବା ପାଇଁ ଭଲ ରାସ୍ତାଟିଏ ମଧ୍ୟ ନାହିଁ।  ଯା’ଫଳରେ ଲୋକମାନେ ଦୁର୍ବିସହ ଜୀବନ ବିତାଉଛନ୍ତି।

ସେମିତି ଏକ ଗାଁ ହେଲା ନାକଟିଦେଉଳ ବ୍ଲକ୍ ଅନ୍ତର୍ଗତ କିସିଣ୍ଡା ପଞ୍ଚାୟତ ଖନ୍ଦିବାହାଲ ଗ୍ରାମ। ଗ୍ରାମବାସୀ ସରକାରୀ ବ୍ୟବସ୍ଥାକୁ ଘୋର ବିରୋଦ୍ଧ କରୁଛନ୍ତି। ଏହି ଗ୍ରାମରେ ଅବସ୍ଥାନ କରୁଥିବା ଗ୍ରାମବାସୀ ବ୍ରୁନ୍ଦ ସରକାରଙ୍କ ପାଖରେ ସେମାନଙ୍କର ଦାବୀକୁ ବାରମ୍ବାର ଦ୍ରୁଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କିସିଣ୍ଡା ଠାରୁ ଖନ୍ଦିବାହାଲ୍ ରାସ୍ତା ନିର୍ମିତ ହୋଇ ନଥିବାରୁ ଓ ଉକ୍ତ ଗ୍ରାମ ପ୍ରତି ବାରମ୍ବାର ଅବହେଳା କରାଯାଉଥିବା ଅଭିଯୋଗ କରି ଚଳିତ ସାଧାରଣ ନିର୍ବାଚନ ରେ ଭୋଟ୍ ବର୍ଜନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ଆଜି ପର୍ଯ୍ୟନ୍ତ କିଛି ସମାଧାନ ହୋଇ ନଥିବାରୁ ଖନ୍ଦିବାହାଲ୍ ଗ୍ରାମବାସୀ ରାସ୍ତା ଉପରେ ଧାରଣା ଦେଇ ପ୍ରତିବାଦ କରିଛନ୍ତି।

ଏହି ଧାରଣା ପ୍ରତିବାଦ ସଭାରେ ଖନ୍ଦିବାହାଲ, ଭାଲୁଖୋଲ, ଉପରପଡା ଓ ମୁଖାକନୀ ଗ୍ରାମ ର ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ। ସ୍ବାଧୀନତା ର ୭୫ ବର୍ଷ ଅତିବାହିତ ହୋଇଥିଲେ ମଧ୍ୟ କିସିଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖନ୍ଦିବାହାଲ ଗ୍ରାମକୁ ସବୁଦିନିଆ ରାସ୍ତା ଟିଏ ନାହିଁ।  ଏଥିପାଇଁ ସ୍ଥାନୀୟ ପ୍ରଶାସନ, ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ ଓ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ବାରମ୍ବାର ଦ୍ରୁଷ୍ଟି ଆକର୍ଷଣ କରାଯାଇଥିଲା।

ସ୍ଥାନୀୟ ବିଧାୟକ ମଧ୍ୟ ପୁର୍ବରୁ ପ୍ରତିଶ୍ରୁତି ଦେଇଥିଲେ। ୫-ଟି ଅଧ୍ୟକ୍ଷ କାର୍ତିକେୟନ୍ ପାଣ୍ଡିଆନ୍ ଙ୍କୁ ମଧ୍ୟ ଗ୍ରାମବାସୀ ଲିଖିତାକାରରେ ଦ୍ରୁଷ୍ଟି ଆକର୍ଷଣ କରାଇଥିଲେ ମଧ୍ୟ କିଛି ସମାଧାନ ହୋଇପାରିନାହିଁ। ଖନ୍ଦିବାହାଲ୍ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ରୁ ୫ମ ଶ୍ରେଣୀ ଥିଲେ ମଧ୍ୟ ଗୋଟିଏ ଶ୍ରେଣୀ ଗ୍ରୁହ ରହିଛି। ଏଥିପାଇଁ ଶିକ୍ଷାଦାନରେ ବ୍ୟାଘାତ ସ୍ରୁଷ୍ଟି ହେଉଛି। ବିଦ୍ୟାଳୟର ପାଚେରୀ ଜରାଜୀର୍ଣ୍ଣ ଅବସ୍ଥାରେ ଅଛି।

ଖନ୍ଦିବାହାଲ ଗ୍ରାମର ଯଜ୍ଞ ମଣ୍ଡପଟି ଖରାପ ଅବସ୍ଥାରେ ରହିଛି। ଏତଦ୍ ବ୍ୟତୀତ ମାଳତୀ ଜୋର ଠାରେ ସମସ୍ତଙ୍କ ପାଇଁ ଗାଧୁଆ ଘର ଏବଂ ପାହାଚ ନିର୍ମାଣ ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି।

ଏହି ସବୁ ସବୁ ସମସ୍ୟାର ସମାଧାନ ସରକାର ନ କଲେ ଆଗାମୀ ଦିନରେ ହେବାକୁ ଥିବା ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

Related posts