ବାଣପୁର: ୩ କାଠ ଚୋର ଗିରଫ, ଟାଟା ଏସି ସହ କାଠ ଜବତ

Published: Sep 9, 2024, 8:09 pm IST

ବାଣପୁର (ସୀତାରାମ ଅଗ୍ରୱାଲ): ରବିବାର ରାତିରେ ବାଣପୁର ବ୍ଲକ ଅନ୍ତର୍ଗତ ବରବରା ଜଙ୍ଗଲରୁ କାଠ ଚୋରି କରୁଥିବା ବେଳେ ତିନି ଜଣ କାଠ ଚୋରକୁ ଗିରଫ କରିବାସହ ସେମାନଙ୍କ ନିକଟରୁ ଟାଟା ଏସି ସମେତ ଆଠଟି କାଠ ଗଣ୍ଡି ଜବତ କରିଛି ବାଲୁଗାଁ ବନାଞ୍ଚଳ ବିଭାଗ। ଗିରଫ ଅଭିଯୁକ୍ତ ମାନେ ହେଲେ ଗଞ୍ଜାମ ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ କୁମାରପାରି ଗ୍ରାମର ବିଷ୍ଣୁ ସ୍ବାଇଁ (୨୪), ରାଜୀବ କୁମାର ସ୍ବାଇଁ (୩୩) ଓ ମନ୍ଦର ଗ୍ରାମର ସାଗର ଶବର (୨୩)।

ଖବର ମୁତାବକ ଏସିଆ ମହାଦେଶର ବୃହତ୍ତମ ଶାଗୁଆନ ଜଙ୍ଗଲରୁ ରବିବାର ରାତିରେ ଏହି ତିନି ଅଭିଯୁକ୍ତ କାଠ ଚୋରି କରି ଆଣୁଥିବା ବେଳେ ବରବରା ଗ୍ରାମ ଛକ ଠାରେରାତ୍ରି ପାଟ୍ରୋଲିଂ କରୁଥିବା ବନ ବିଭାଗ କର୍ମଚାରୀଙ୍କ ହାବୁଡ଼ରେ ପଡ଼ିଥିଲେ।

ସେମାନଙ୍କ ନିକଟରୁ ଏକ ଟାଟାଏସି ଗାଡି ସମେତ ଆଠଟି ଶାଗୁଆନ କାଠ ଗଣ୍ଡି ଜବତ କରାଯାଇଛି।ସୋମବାର ପୂର୍ବାହ୍ନରେ ସମସ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ବାଲୁଗାଁ ବନାଞ୍ଚଳ ଅଧିକାରୀ ପ୍ରତାପ ମହାନ୍ତି ସୂଚନା ଦେଇଛନ୍ତି।

Related posts