ବାଲୁଗାଁ: ସ୍ବର୍ଗତ ଶ୍ରୀ ହରିହର ସାହୁ ସ୍ମାରକୀ ଛାତ୍ରବୃତ୍ତି

Published: Nov 16, 2024, 6:53 pm IST

ବାଲୁଗାଁ: ଚିଲିକା ବ୍ଲକ ଅଠରବାଟିଆ ପଞ୍ଚାୟତ ଅନ୍ତର୍ଗତ ଇଂଜନପୁର ଚିଲିକା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ବର୍ଗତ ଶ୍ରୀ ହରିହର ସାହୁ ସ୍ମାରକୀ ଛାତ୍ର ବୃତ୍ତି ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଇଛି।

ଭାରତୀୟ ନୌସେନାରେ କାର୍ଯ୍ୟରତ କମାଣ୍ଡିଙ୍ଗ ଅଫିସର ତପନ କୁମାର ସାହୁ ନିଜ ପିତାଙ୍କ ସ୍ମୃତିକୁ ବଜାୟ ରଖି ଛାତ୍ରଛାତ୍ରୀ ମାନଙ୍କ ପ୍ରତି ଥିବା ନିବିଡ଼ ସମ୍ପର୍କକୁ ଚିରସ୍ଥାୟୀ ସହିତ ପ୍ରତିଯୋଗିତା ମୂଳକ ପାଠ୍ୟକ୍ରମରେ ଉନ୍ନତି ପାଇଁ ଉକ୍ତ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ତିନିଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରତିବର୍ଷ ବୃତ୍ତି ପ୍ରଦାନ କରିଆସୁଛନ୍ତି।

ବୃତ୍ତି ବାବଦକୁ ପ୍ରଥମ ମେଧାବୀଙ୍କୁ ୧୦୦୦ ଟଙ୍କା ସହ ମାନପତ୍ର ଓ ଟ୍ରଫି, ଦ୍ଵିତୀୟ  ମେଧାବିଙ୍କୁ ୮୦୦ ଟଙ୍କା ସହ ମାନପତ୍ର ଓ ଟ୍ରଫି ଏବଂ ତୃତୀୟ  ମେଧାବିଙ୍କୁ ୭୦୦ ଟଙ୍କା ସହ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଉଛି।

ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ପ୍ରଥମ ମେଧାବୀ ଛାତ୍ରୀ ଭାବେ ସିମରନ ସାମନ୍ତରାୟ, ଦ୍ୱିତୀୟ ମେଧାବୀ ଛାତ୍ରୀ ଭାବେ ବର୍ଷାରାଣୀ ବେହେରା ଓ ତୃତୀୟ ମେଧାବୀ ଛାତ୍ରୀ ଭାବେ ଯସ୍ମୀନ ମହାରଣାଙ୍କୁ ପୁରସ୍କୃତ କରାଯାଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀ ମାନେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅନ୍ୟାନ୍ୟ ଗୁରୁଜନମାନଙ୍କୁ ଗୁରୁବନ୍ଦନା କରିଥିଲେ।

ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୁଣନିଧି ବେହେରା ଆନୁଷ୍ଠାନିକ ଭାବେ ପରିଚାଳନା କରିଥିବାବେଳେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ବିଦ୍ୟାଳୟ କମିଟି ଅଧ୍ୟକ୍ଷା ମାନସୀ ମହାପାତ୍ର, କମିଟି ସଦସ୍ୟ ରବୀନ୍ଦ୍ରନାଥ ବାରିକ, ସମାଜସେବୀ ପ୍ରକାଶ କୁମାର ସାହୁଙ୍କ ସମେତ ସମସ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ।

ବିଦ୍ୟାଳୟରେ ପ୍ରତିବର୍ଷ ଏପରି ମହାନ କାର୍ଯ୍ୟ ଜାରି ରହିଥିବାରୁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଶିକ୍ଷା ପ୍ରତି ଆଗ୍ରହ ପ୍ରକାଶ ପାଉଥିବା ବେଳେ କମାଣ୍ଡର ଶ୍ରୀ ସାହୁଙ୍କ ଏଭଳି ମହନୀୟତା କାର୍ଯ୍ୟ ପାଇଁ ଅଞ୍ଚଳବାସୀ ଭୂୟାଁସି ପ୍ରଶଂସା କରିଛନ୍ତି।

Related posts