
ବାଣପୁର: ଆଜି ବାଣପୁର ପଞ୍ଚାୟତ ସମିତିର ସମ୍ମିଳନୀ କକ୍ଷ ଠାରେ ଚ଼ତୁର୍ଥ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଚ଼ିଲିକା ବିଧାୟକ ତଥା ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଯୋଗ ଦେଇ ଶିକ୍ଷା ବିଭାଗ, ସ୍ବାସ୍ଥ୍ୟ ବିଭାଗ, କୃଷି ବିଭାଗ, ଜଳ ଯୋଗାଣ ଓ ପରିମଳ ବିଭାଗ, ମହିଳା ଓ ଶିଶୁ କଲ୍ୟାଣ ବିଭାଗ, ମତ୍ସ୍ୟ ଚାଷ,ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ, ଉଠା ଜଳସେଚନ, କ୍ଷୁଦ୍ର ଜଳସେଚନ,ମନରେଗା ଓ ବ୍ଲକ ର ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।
ଏହି ଅବସରରେ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଯୋଗଦେଇ ଜନପ୍ରତିନିଧି ଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିବା ସହ ବିଭିନ୍ନ ସମସ୍ୟା ଗୁଡିକର ସମାଧାନ ଦିଗରେ କାର୍ଯ୍ୟ କରିବା ପାଇଁ ପ୍ରତିଶୃତି ଦେଇଥିଲେ। ତେବେ ଜନପ୍ରତିନିଧିମାନେ ସରକାରୀ ଅଧିକାରୀଙ୍କୁ କିଛି ତଥ୍ୟ ମାଗିଲେ ସେମାନେ ତଥ୍ୟ ନଦେଇ ସେମାନଙ୍କୁ ପାଲଟା ଦୁର୍ବ୍ୟବହାର କରୁଥିବା ମନ୍ତ୍ରୀଙ୍କ ନିକଟରେ ଏକାଧିକ ଜନପ୍ରତିନିଧି ଅଭିଯୋଗ କରିଥିଲେ। ମନ୍ତ୍ରୀ ଏଥିରେ କ୍ଷୁବ୍ଧ ହେବା ସହ ଉପସ୍ଥିତ ସରକାରୀ ଅଧିକାରୀଙ୍କୁ ତାଗିଦ କରିଥିଲେ। ଏବଂ ସରକାରୀ ଅଧିକାରୀ ମାନେ ଜନପ୍ରତିନିଧି ଓ ଜନସାଧାରଣଙ୍କୁ ତଥ୍ୟ ଦେବାକୁ ବାଧ୍ୟ ବୋଲି କହିଥିଲେ।
ଅନୁରୂପ ଭାବେ କୃଷି ଏବଂ ଜଳ ଯୋଗାଣ ଓ ପରିମଳ ବିଭାଗ ବିରୁଦ୍ଧରେ ମାଳମାଳ ଅଭିଯୋଗ ଆସିଥିବାର ଦେଖିବାକୁ ମିଳିଥିଲା।
ଏହି ବୈଠକରେ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ବିଡ଼ିଓ ଶୀତଲ ଅଗ୍ରୱାଲ, ତହସିଲଦାର ଟି. ପଦ୍ମନାଭ ଦୋରା, ବାଲୁଗାଁ ଏସଡିପିଓ ଯୁଗଳ କୁମାର ମଲ୍ଲିକ, ଆଇଆଇସି ରମେଶ କୁମାର ଦେବତା, ସମସ୍ତ ସରପଞ୍ଚ, ସମିତି ସଭ୍ୟ/ସଭ୍ୟାଙ୍କ ସମେତ ବ୍ଲକ ସ୍ତରୀୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।