ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ବିଶିଷ୍ଟ ଓକିଲ, ରାଜନେତା, ସମାଜସେବୀ ତଥା ବାଣପୁର ଓକିଲ ସଂଘର ପ୍ରତିଷ୍ଠାତା ସ୍ବର୍ଗତ ସତ୍ୟନାରାୟଣ ମହାପାତ୍ରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ବୁଧବାର ଦିନ ତୁମୁରାପୁଟ ଗ୍ରାମସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକ ସ୍ମୃତିସଭାର ଆୟୋଜନ କରାଯାଇଥିଲା ଯାହାକୁ ସ୍ବର୍ଗତ ଶ୍ରୀ ମହାପାତ୍ରଙ୍କ ଜ୍ୟେଷ୍ଠ ପୁତ୍ର ଆଇନଜୀବୀ ସନ୍ଦୀପ କୁମାର ମହାପାତ୍ର ପରିଚାଳନା କରଥିଲେ।
ଉକ୍ତ ସଭାରେ ବାଣପୁର ତଥା ଖୋର୍ଦ୍ଧା ଜିଲ୍ଲାର ଏକାଧିକ ଆଇନଜୀବୀ, ବୁଦ୍ଧିଜୀବୀ, ସମାଜସେବୀ, ରାଜନେତା, ସମ୍ପର୍କୀୟ ଓ ଗ୍ରାମବାସୀ ଆଦି ଯୋଗଦେଇ ସ୍ବର୍ଗତ ମହାପାତ୍ରଙ୍କ ଫୋଟୋଚିତ୍ରରେ ପୁଷ୍ପାଞ୍ଜଳି ପ୍ରଦାନ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ମାନେ ସ୍ବର୍ଗତ ଶ୍ରୀ ମହାପାତ୍ରଙ୍କ ସ୍ମୃତିଚାରଣ କରିବା ସହ ବାଣପୁର ମାଟିର ଉନ୍ନତି ଏବଂ ବାଣପୁର ଓକିଲ ସଂଘର ଗଠନ ଦିଗରେ ତାଙ୍କ ଅବଦାନ ବିଷୟରେ ଉଲ୍ଲେଖ କରିଥିଲେ।
ସୂଚନା ଥାଉକି ସ୍ବର୍ଗତ ଶ୍ରୀ ମହାପାତ୍ର ଦୀର୍ଘ ୨୫ ବର୍ଷ ଧରି ବାଣପୁର ଓକିଲ ସଂଘର ସଭାପତି ଭାବେ ଦାଇତ୍ୱ ତୁଲାଇଥିଲେ। ଆଇନ କ୍ଷେତ୍ରରେ ଗଭୀର ଜ୍ଞାନ ଥିବା ଶ୍ରୀ ମହାପାତ୍ର ସମଗ୍ର ବାଣପୁର ତଥା ଖୋର୍ଦ୍ଧା ଜିଲ୍ଲାରେ ସୁପରିଚିତ ଥିଲେ।