ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି କାର୍ଯ୍ୟାଳୟରେ ସୂଚନା ଅଧିକାର ଆଇନ-୨୦୦୫ କୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଛି। ଏହି ଆଇନକୁ ଜନ ସୂଚନା ଅଧିକାରୀ (ପିଆଇଓ) ଠିକ ଭାବରେ ଅନୁପାଳନ କରୁନାହାନ୍ତି। ଏ ନେଇ ଅଭିଯୋଗ କରିଛନ୍ତି ସ୍ଥାନୀୟ ଆଇନଜୀବୀ ତଥା ସୂଚନା ଅଧିକାର କର୍ମୀ ସୀତାରାମ ଅଗ୍ରୱାଲ।
ଶ୍ରୀ ଅଗ୍ରୱାଲଙ୍କ ଅଭିଯୋଗ ମୁତାବକ ବାଣପୁର ଏନଏସିରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଯଥା ସାନିଟେସନ, ପେଭର ବ୍ଲକ ରୋଡ ନିର୍ମାଣ, ପୋଖରୀ ସୌନ୍ଦର୍ଯ୍ୟକରଣ, ଅଳିଆ ବୁହା ବ୍ୟାଟେରୀ ଗାଡି, ସ୍ୱୟଂ ସହାୟକ ଗୋଷ୍ଠୀ ପାଇଥିବା ଟେଣ୍ଡର, ଜେମ ପୋର୍ଟାଲରୁ କ୍ରୟ ହୋଇଥିବା ବସ୍ତୁ, ନୂତନ ଏନଏସି କାର୍ଯ୍ୟାଳୟର ଆସବାବପତ୍ର କ୍ରୟ ଆଦି ବିଷୟକୁ ନେଇ ଜୁଲାଇ ୨୧ ତାରିଖରେ ସମୁଦାୟ ୧୬ ଗୋଟି ପ୍ରଶ୍ନର ଉତ୍ତର ଆରଟିଆଇ ଯୋଗେ ବାଣପୁର ଏନଏସି କୁ ମାଗିଥିଲେ।
ଆବେଦନପତ୍ର ଗ୍ରହଣର ୩୦ଦିନ ଭିତରେ ଆବେଦନକାରୀଙ୍କୁ ସୂଚନା ପ୍ରଦାନ କରିବାର ବିଧି ରହିଥିବା ବେଳେ ଅଦ୍ୟାବଧି ଆବେଦନକାରୀ ଶ୍ରୀ ଅଗ୍ରୱାଲଙ୍କୁ ବାଣପୁର ଏନଏସି ସୂଚନା ପ୍ରଦାନ କରିନାହିଁ। ତେଣୁ ବାଧ୍ୟ ହୋଇ ସେ ଗତକାଲି ପ୍ରଥମ ଅପିଲ କର୍ତ୍ତୃପକ୍ଷ ତଥା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନିକଟରେ ପ୍ରଥମ ଅପିଲ କରିଥିବା ଜଣାପଡିଛି।
ତେବେ ବାଣପୁର ଏନଏସି କାର୍ଯ୍ୟାଳୟରେ ଆରଟିଆଇ ନିୟମକୁ ଖାମଖିଆଲି ଭାବେ ଗ୍ରହଣ କରାଯାଉଥିବାରୁ ଏଥିରେ କ୍ଷୁବ୍ଧ ହୋଇଛନ୍ତି ଆବେଦନାକରି ତଥା ଅନ୍ୟ ସୂଚନା ଅଧିକାର କର୍ମୀମାନେ। କୌଣସି ଦୁର୍ନୀତିର ଗୁମର ଖୋଲିଯିବା ଭୟରେ ବାଣପୁର ଏନଏସି ପିଆଇଓ ଆରଟିଆଇରେ ସୂଚନା ଦେଉନଥିବା ଆଲୋଚନା ଜୋର ଧରିଛି।
ତେବେ ଉକ୍ତ ଘଟଣାରେ ଏକାଧିକ ସୂଚନା ଅଧିକାରୀ କର୍ମୀ ଏବଂ ବାଣପୁରର ବୁଦ୍ଧିଜୀବୀମାନେ ସନ୍ଦେହ ପ୍ରକାଶ କରି ଉକ୍ତ ଉନ୍ନୟନ କାର୍ଯ୍ୟଗୁଡିକର ଭିଜିଲାନ୍ସ ତଦନ୍ତ ସୁପାରିଶ ପାଇଁ ଏବଂ ବାଣପୁର ଏନଏସି କାର୍ଯ୍ୟାଳୟର ସ୍ୱତନ୍ତ୍ର ଅଡିଟ ପାଇଁ ସ୍ଥାନୀୟ ବିଧାୟକ ତଥା ଆଇନ ମନ୍ତ୍ରୀ ଏବଂ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଥିବା ବେଳେ ଖୁବଶୀଘ୍ର ଏ ନେଇ ଓଡିଶା ଭିଜିଲାନ୍ସର ଦ୍ୱାରସ୍ତ ହେବେ ବୋଲି ଶୁଣିବାକୁ ମିଳିଛି।
ଅନୁରୂପ ଭାବେ ଯଦି ପ୍ରଥମ ଅପିଲ ର ଅବଧି ମଧ୍ୟରେ ସମସ୍ତ ସୂଚନା ମିଳେ ନାହିଁ, ତେବେ ଆବେଦନକାରି ଶ୍ରୀ ଅଗ୍ରୱାଲ ଦ୍ଵିତୀୟ ଅପିଲ କର୍ତ୍ତୃପକ୍ଷ ତଥା ରାଜ୍ୟ ସୂଚନା କମିଶନ ଏବଂ ମାନ୍ୟବର ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ତ ହେବେ ବୋଲି କହିଛନ୍ତି। ତେବେ ବାଣପୁର ଏନଏସି ଆରଟିଆଇ ରେ ସୂଚନା ନଦେବାର ଅଭିପ୍ରାୟ ସନ୍ଦେହ ଘେରରେ ଥିବା ବେଳେ ଖୋର୍ଦ୍ଧା ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।