ଖୋର୍ଦ୍ଧା: ଟାଙ୍ଗୀ ରତ୍ନମାଳୀ କଲ୍ୟାଣ ମଣ୍ଡପ ପରିସରରେ ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ,ଟାଙ୍ଗୀ ଆନୁକୁଲ୍ୟରେ ଅନୁଷ୍ଠିତ ତୃତୀୟ ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସମାରୋହରେ ମୁଖ୍ୟଅତିଥି ଭାବେ ଓଡ଼ିଶା ସରକାରଙ୍କ ମାନ୍ୟବର ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଯୋଗଦେଇ ସଭାକୁ ସମ୍ବୋଧିତ କରିଥିଲେ।
ସମାଜରେ ପ୍ରଥମ ସମ୍ମାନର ପାତ୍ର ହେଉଛନ୍ତି ବରିଷ୍ଠ ନାଗରିକମାନେ।ସେମାନଙ୍କ ପ୍ରତି ଶ୍ରଦ୍ଧା,ସମ୍ମାନ ପ୍ରଦାନ କରିବା ଏବଂ ସେମାନଙ୍କ ସୁଖଦ ଜୀବନ ପାଇଁ ଆମ ମାନଙ୍କର ଦାୟିତ୍ଵ ରହିଛି।ବରିଷ୍ଠ ନାଗରିକ ମାନଙ୍କର ଜ୍ଞାନ, ଅଭିଜ୍ଞତା,ବଳିଷ୍ଠ ଉପଦେଶ ଓ ଦିଗଦର୍ଶନ ଆମ ସମାଜକୁ ଅଧିକ ସମୃଦ୍ଧ କରିଥାଏ।ବରିଷ୍ଠ ନାଗରିକ ମାନେ ଆମ ସମାଜର ଅମୁଲ୍ୟ ରତ୍ନ।ସମାଜ ଗଠନରେ ସେମାନଙ୍କର ଅବଦାନ ସର୍ବଦା ସ୍ମରଣୀୟ।ବିଭିନ୍ନ ସ୍ଥାନରେ ଭଦ୍ର ଓ ସଚେତନ ବ୍ୟକ୍ତିମାନେ ମଧ୍ୟସ୍ଥତା ମାଧ୍ୟମରେ ବିବାଦର ସମାଧାନ କରିଥାନ୍ତି।ଏବେ ଭାରତୀୟ ନ୍ୟାୟ ବ୍ୟବସ୍ଥାରେ ମଧ୍ୟସ୍ଥତା ଭଳି ପଦକ୍ଷେପଗୁଡ଼ିକ ସାମାଜିକ ଜୀବନକୁ ଅଧିକ ସହଜ କରୁଛି।ଆମେ ସମସ୍ତେ ଆମର ବୟସ୍କମାନଙ୍କ ଜ୍ଞାନ, ସ୍ଥିରତା ଏବଂ ଅବଦାନକୁ ସମ୍ମାନ ଜଣାଇବା ଉଚିତ୍ ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀ ହରିଚ଼ନ୍ଦନ ମତବ୍ୟକ୍ତ କରିଥିଲେ।
ଏହି ଅବସରରେ ମାନ୍ୟବର ଖୋର୍ଦ୍ଧା ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ଜଗଦ୍ଦେବ, ରାଜ୍ୟ ବରିଷ୍ଠ ନାଗରିକ ମହାସଂଘର ସାଧାରଣ ସମ୍ପାଦକ ଶ୍ରୀ ରାଜ କିଶୋର ସାମନ୍ତରାୟ, ଚ଼ିଲିକା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ଲଲିତ ମୋହନ ପଟ୍ଟନାୟକ, ଟାଙ୍ଗୀ ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀ କିଶୋର କୁମାର ବେହେରା, ଆଞ୍ଚଳିକ ନାଗରିକ ମଞ୍ଚର ସଭାପତି ଶ୍ରୀ ନାରାୟଣ ମହାପାତ୍ର, ସମ୍ପାଦକ ଶ୍ରୀ ବିଜୟ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ।